Unknown

 

 

 

 

 

 

 

 

 

 

 

ଆଲୋକ ଓ ଆଲୋଚନା

ଗଙ୍ଗାଧର ବଳ

 

ଉତ୍ସର୍ଗ

 

ପିତୃଦେବ ଶ୍ରୀ ନନ୍ଦକିଶୋର ସାହୁଙ୍କ କରକମଳରେ ଗଭୀର ଭକ୍ତି ଓ ଶ୍ରଦ୍ଧା ସହ...

 

ସ୍ନେହାଧୀନ

ଗଙ୍ଗାଧର

 

ମୁଖବନ୍ଧ

 

‘ଆଲୋକ ଓ ଆଲୋଚନା’ର ପ୍ରବନ୍ଧଗୁଡ଼ିକ ବିଭିନ୍ନ ସମୟରେ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିଲା । ‘ନବଶିକ୍ଷାର ଭୂମିକା ଓ ପରିଣତି’ ଶୀର୍ଷକ ପ୍ରବନ୍ଧରେ ଉନବିଂଶ ଶତକରେ ନବଶିକ୍ଷାର ପ୍ରବର୍ତ୍ତନ ଏବଂ ଏ ସମ୍ପର୍କରେ ଆବଶ୍ୟକୀୟ ପ୍ରାମାଣିତ ତଥ୍ୟ (ଏଡୁକେଶନଡେସ୍‍ପାଚ) ପରିବେଷଣ କରାଯାଇଛି । ଭାରତୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ଇଂରାଜୀ ସହିତ ଦେଶୀୟ ଭାଷା ଅଧ୍ୟୟନ ସମ୍ପର୍କରେ ତତ୍‍କାଳୀନ ଇଂରେଜ କର୍ତ୍ତାମାନେ କିପରି ଅନୁକୂଳ ମନ୍ତବ୍ୟ ଦେଇଛନ୍ତି, ଉଡ୍‍ସାହେବଙ୍କର ଖ୍ରୀ:୧୮୫୪ର ଏଡୁକେଶନଡେସ୍‍ପାଚରୁ ତା’ର ପ୍ରମାଣ ମିଳିବ । ‘ଓଡ଼ିଆଭାଷା ଓ ଓଡ଼ିଆ’ ଶୀର୍ଷକ ପ୍ରବନ୍ଧରେ ତଥାକଥିତ ଶିକ୍ଷିତ ଦେଶୀୟ ବ୍ୟକ୍ତିଙ୍କର ଓଡ଼ିଆଭାଷା ଓ ସାହିତ୍ୟ ପ୍ରତି କିପରି ଅନାଦର ଥିଲା, ପକ୍ଷାନ୍ତରେ ଭାରତୀୟମାନଙ୍କର ଏ ମନୋବୃତ୍ତି ଲକ୍ଷ୍ୟକରି ଲର୍ଡ କର୍ଜନ ଖ୍ରୀ.୧୮୮୨ରେ ସିମଳରେ ବସିଥିବା ଶିକ୍ଷା କମିଶନରେ କିପରି କ୍ଷୋଭପ୍ରକାଶ କରି ବିଶ୍ୱବିଦ୍ୟାଳୟରେ ଦେଶୀୟ ଭାଷାର ଶିକ୍ଷା ସମ୍ପର୍କରେ ଦୃଢ଼ ଅନୁକୂଳ ମତ ପ୍ରକାଶ କରିଥିଲେ, ପ୍ରମାଣ ସହ ତା’ର ସୂଚନା ଦିଆଯାଇଛି । ସିଂହାବଲୋକନ ଶୀର୍ଷକ ପ୍ରବନ୍ଧରେ ଉନବିଂଶ ଶତକର ଦ୍ୱିତୀୟାର୍ଦ୍ଧରୁ ବିଂଶ ଶତକର ପ୍ରଥମାର୍ଦ୍ଧର ଶେଷଯାଏଁ ଓଡ଼ିଶାର ଶାସନ, ଶିକ୍ଷା, ସଂସ୍କୃତି ଓ ରାଜନୈତିକ ଚେତନାର ବିବର୍ତ୍ତନ ଧାରାରେ ଓଡ଼ିଆ ସାହିତ୍ୟର କିପରି ବିକାଶ ଘଟିଛି, ତା’ର ସଂକେତ ଦିଆଯାଇଛି ।

 

‘ପଦ୍ମମାଳୀ, ବିବାସିନୀ, ଭୀମାଭୂୟାଁ’ ଶୀର୍ଷକ ପ୍ରବନ୍ଧଟି ଓଡ଼ିଶାର ପ୍ରାଥମିକ ପର୍ଯ୍ୟାୟର ତିନୋଟି ପ୍ରସିଦ୍ଧ ଉପନ୍ୟାସ ସମ୍ପର୍କରେ ଏକ ଦୀର୍ଘ ତାତ୍ତ୍ୱିକ ଆଲୋଚନା । ଏଥିରେ ଐତିହାସିକ ଆଲୋଚନା ଅପେକ୍ଷା କଳାଗତ ଆଲୋଚନା ଉପରେ ଗୁରୁତ୍ୱ ଦିଆଯାଇଛି ।

ବ୍ୟାସକବି ଫକୀରମୋହନ ଓଡ଼ିଆ କଥାସାହିତ୍ୟର ଜନକ ଭାବରେ ଯେପରି ସମ୍ମାନିତ, ସାହିତ୍ୟର ଆଉ ଗୋଟିଏ ବିଭାଗ, ଯଥା–ମନ୍ମୟ ପ୍ରବନ୍ଧର (ବ୍ୟକ୍ତିଗତ ପ୍ରବନ୍ଧ, ଆଧୁନିକ ପ୍ରଚଳିତ ନାମ; ରମ୍ୟରଚନା) ଆଦ୍ୟ ପ୍ରବର୍ତ୍ତନ ଭାବରେ କିପରି ତତ୍ତୁଲ୍ୟ ସମ୍ମାନର ଭାଜନ, ‘ଫକୀର ମୋହନଙ୍କ ନନାଙ୍କପାଞ୍ଜି’ ଶୀର୍ଷକ ପ୍ରବନ୍ଧରେ ତା’ର ବିଚାର କରାଯାଇଛି ।

‘କ୍ଷୁଦ୍ରଗଳ୍ପ’ ପ୍ରବନ୍ଧରେ ଆଧୁନିକ କ୍ଷୁଦ୍ରଗଳ୍ପର ଆଙ୍ଗିକ ଓ ଶିଳ୍ପରୀତି ସମ୍ପର୍କରେ ଆଲୋଚନା କରାଯାଇ ଫକୀରମୋହନ ଓ ବର୍ତ୍ତମାନର ଗାଳ୍ପିକମାନଙ୍କର ରଚନାର ବୈଶିଷ୍ଟ ସମ୍ପର୍କରେ ସୂଚନା ମାତ୍ର ଦିଆଯାଇଛି ।

‘ଦୁଇଟି ପ୍ରହସନ’ ଶୀର୍ଷକ ପ୍ରବନ୍ଧ ଓ ଓଡ଼ିଆ ନାଟ୍ୟସାହିତ୍ୟର ଜନକ ରାମଶଙ୍କର ରାୟଙ୍କର ‘କଳିକାଳ’ ଓ ‘ବୁଢ଼ାବର’ ନାମକ ଦୁଇଟି ପ୍ରହସନ ସମ୍ପର୍କରେ ଏକ ସଂକ୍ଷପ୍ତି ଆଲୋଚନା । ନାଟକରେ ହାସ୍ୟ ପରିବେଷଣ ଦୃଷ୍ଟିରୁ ଏ ପ୍ରକାର ରଚନା କିପରି ଲେଖକଙ୍କର ଏକ ବ୍ୟର୍ଥପ୍ରୟାସ, ତା’ର ସଙ୍କେତ ଦିଆଯାଇଛି । ଅତୀତ ସ୍ମୃତିର ଜଣେ ସାର୍ଥକ ଶିଳ୍ପୀ ଭାବରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କର ମହତ୍ତ୍ୱ ସମ୍ପର୍କରେ ଉଦ୍ଦିଷ୍ଟ ପ୍ରବନ୍ଧରେ ଆଲୋଚନା କରାଯାଇଛି । ‘ସାହିତ୍ୟକର ସ୍ୱଗତୋକ୍ତି’ରେ କବି ଓ ଲେଖକଙ୍କ ସୃଷ୍ଟିର ସ୍ୱାଧୀନତା ଉପରେ ଗୁରୁତ୍ୱ ଦିଆଯାଇଛି ।

ଉତ୍କଳର ଏକ ଜାତୀୟ ପର୍ବ ଭାବରେ ଭଞ୍ଜଜୟନ୍ତୀ ପାଳନ ଏବଂ ରୀତିସାହିତ୍ୟର ଆଲୋଚନା କ୍ଷେତ୍ରରେ ଦେଖାଦେଇଥିବା ତ୍ରୁଟିସମ୍ପର୍କରେ ଉଦ୍ଦିଷ୍ଟ ପ୍ରବନ୍ଧରେ ଆଲୋଚନା କରାଯାଇଛି । ଆଧୁନିକ ସାହିତ୍ୟର ବିକାଶ ଦିଗରେ ଯେଉଁ ପ୍ରତିବନ୍ଧକମାନ ଦେଖାଦେଇଛି, ‘ସାହିତ୍ୟରେ ସଙ୍କଟ’ ପ୍ରବନ୍ଧରେ ତାହା ଉଲ୍ଲେଖ କରାଯାଇ ତା’ର ଦୂରୀକରଣର ଉପାୟ ସମ୍ପର୍କରେ ସୂଚନା ଦିଆଯାଇଛି ।

 

‘ଜୀବନ ଓ ସାହିତ୍ୟ’ ପ୍ରବନ୍ଧଟି ସର୍ବୋଦୟ ସନ୍ଥ ବିନୋବାଙ୍କର ଏକ ପ୍ରବଚନର ଅନୁବାଦ । ଏଠାରେ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଜୀବନ ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି ।

 

ତନ୍ମଧ୍ୟରେ ‘କ୍ଷୁଦ୍ରଗଳ୍ପ’ ଓ ‘ଦୁଇଟି ପ୍ରହସନ’ ପ୍ରବନ୍ଧ ଦୁଇଟି ବହୁପୂର୍ବରୁ ଲିଖିତ ହୋଇଥିବାରୁ ରଚନାଶୈଳୀ ଦୃଷ୍ଟିରୁ ଅନ୍ୟ ପ୍ରବନ୍ଧ ଓ ଏ ଦୁଇଟି ମଧ୍ୟରେ କିଞ୍ଚିତ୍‍ ତାରତମ୍ୟ ପରିଲକ୍ଷିତ ହେବା ସ୍ୱାଭାବିକ ।

 

ପୁସ୍ତକଟି ଛାତ୍ର, ସହୃଦୟ ପାଠକ ଓ ଗବେଷଣାମାନଙ୍କର ଦୃଷ୍ଟି ଆକର୍ଷଣ କଲେ ଶ୍ରମ ସାର୍ଥକ ହେଲା ବୋଲି ମନେକରିବି । ଏ ପୁସ୍ତକର ପାଣ୍ଡୁଲିପି ପ୍ରସ୍ତୁତିରେ ଫକୀରମୋହନ କଲେଜର ଶ୍ରଦ୍ଧେୟ ଛାତ୍ର ଶ୍ରୀମାନ୍‍ବନମାଳୀ ବାରିକ ସାହାଯ୍ୟ କରିଥିବାରୁ ତାଙ୍କୁ ଧନ୍ୟବାଦ୍‍ ଦେଉଛି ।

 

ଶେଷରେ ପୁସ୍ତକଟିକୁ ପ୍ରକାଶ କରିଥିବାରୁ ଫ୍ରେଣ୍ଡସ୍‍ପବ୍‍ଲିଶର୍ସର ପରିଚାଳକ ଶ୍ରୀ ସହଦେବ ପ୍ରଧାନ ଏକାନ୍ତ ଧନ୍ୟବାଦାର୍ହ ।

 

ଶାନ୍ତିକାନନ

ଶ୍ରୀ ଗଙ୍ଗାଧର ବଳ

ବାଲେଶ୍ୱର

 

୧୮/୦୨/୭୦

 

Image

 

ସୂଚୀପତ୍ର

 

୧.

ନବଶିକ୍ଷାର ଭୂମିକା ଓ ପରିଣତି

୨.

ଓଡ଼ିଆ ଭାଷା ଓ ଓଡ଼ିଆ

୩.

ସିଂହାବଲୋକନ

୪.

ପଦ୍ମମାଳୀ, ବିବାସିନୀ ଓ ଭୀମାଭୂୟାଁ

୫.

ଫକୀର ମୋହନଙ୍କ ନନାଙ୍କ ପାଞ୍ଜି

୬.

କ୍ଷୁଦ୍ରଗଳ୍ପ

୭.

ଦୁଇଟି ପ୍ରହସନ

୮.

ସାହିତ୍ୟିକର ସ୍ୱଗତୋକ୍ତି

୯.

ସାହିତ୍ୟରେ ସଙ୍କଟ

୧୦.

ଜୀବନ ଓ ସାହିତ୍ୟ

୧୧.

ଅତୀତ ସ୍ମୃତିର ରୂପକାର ଲକ୍ଷ୍ମୀକାନ୍ତ

୧୨.

ଭଞ୍ଜଜୟନ୍ତୀ ଓ ରୀତିସାହିତ୍ୟ ଆଲୋଚନା

Image

 

ନବଶିକ୍ଷାର ଭୂମିକା ଓ ପରିଣତି

(ଊନବିଂଶ ଶତକର ଦ୍ୱିତୀୟାର୍ଦ୍ଧ)

 

ଭାରତରେ ବ୍ରିଟିଶ୍‍ ଶିକ୍ଷାପଦ୍ଧତିର ନାନାବିଧି ତ୍ରୁଟି ହେତୁ ସ୍ୱାଧୀନତା ପରେ ଜାତୀୟ ଶିକ୍ଷାର ପୁନର୍ଗଠନ ଓ ବିକାଶ ଦିଗରେ ଗୁରୁତ୍ୱ ଦିଆଯାଇ ପଞ୍ଚବାର୍ଷିକ ଯୋଜନାଗୁଡ଼ିକରେ ଅର୍ଥର ବ୍ୟବସ୍ଥା କରାଯାଇଛି । କିନ୍ତୁ ବ୍ରିଟିଶ ଶିକ୍ଷାପଦ୍ଧତିର ନାନା ତ୍ରୁଟି ସତ୍ତ୍ୱେ ଭାରତର ନୂତନ ଶିକ୍ଷା ପ୍ରତି ଏହାର ଦାନ ସମ୍ପର୍କରେ ଅତୀତ ପ୍ରତି ଦୃଷ୍ଟି ନିକ୍ଷେପ କରିବାକୁ ସ୍ୱତଃ ପ୍ରବୃତ୍ତି ହୁଏ ।

 

ନବଶିକ୍ଷାର ବିସ୍ତାର ତଥା ବିକାଶ ଦୃଷ୍ଟିରୁ ଉନବିଂଶ ଶତକର ଦ୍ୱିତୀୟାର୍ଦ୍ଧ ସ୍ୱତଃ ଆମର ଦୃଷ୍ଟି ଆକର୍ଷଣ କରେ । କାରଣ ଏହି ସମୟରେ ଶିକ୍ଷାକ୍ଷେତ୍ରରେ କେତେଗୁଡ଼ିଏ ଉଲ୍ଲେଖଯୋଗ୍ୟ ବ୍ୟବସ୍ଥା ଓ ପରିବର୍ତ୍ତନ ଦେଖାଯାଇଛି । ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ କହିଲେ ଏଠାରେ ମୁଖ୍ୟତଃ ଖ୍ରୀ. ୧୮୫୪ ଠାରୁ (ଉଡ ସାହେବଙ୍କର ଐତିହାସିକ ଗୁରୁତ୍ୱପୂର୍ଣ୍ଣ ‘ଏଡୁକେସନ ଡେସପାର୍ଚର ଉପସ୍ଥାପନ କାଳରୁ) ଖ୍ରୀ. ୧୯୦୨ ପର୍ଯ୍ୟନ୍ତ (ଭାରତୀୟ ଶିକ୍ଷାକ୍ଷେତ୍ରରେ ଲର୍ଡ କର୍ଜନଙ୍କ ଦ୍ୱାରା ପ୍ରବର୍ତ୍ତିତ କେତେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର କାଳ ପର୍ଯ୍ୟନ୍ତ) ସମୟକୁ ଆଲୋଚନାର ସୁବିଧାଦୃଷ୍ଟିରୁ ଗ୍ରହଣ କରାଯାଇଛି । ଖ୍ରୀ. ୧୮୫୭ ପର୍ଯ୍ୟନ୍ତ ଭାରତରେ କମ୍ପାନୀ ଶାସନ ପ୍ରଚଳିତ ହୋଇଥିଲା । ତା’ ପରଠାରୁ ଭାରତ ରାଣୀ ଭିକଟୋରିୟାଙ୍କର ପ୍ରତ୍ୟକ୍ଷ ଶାସନ ଅଧୀନରେ ଆସିଲା । ଉନବିଂଶ ଶତକର ପ୍ରଥମାର୍ଦ୍ଧ ମୁଖ୍ୟତଃ କମ୍ପାନୀ ଶାସନର ସମୟ । କମ୍ପାନୀ ଶାସନ ଅମଳରେ ଭାରତର ବହୁ କ୍ଷେତ୍ରରେ ଅରାଜକତା ଓ ଅସ୍ଥିରତା ଦେଖାଦେଇଥିଲା । ଫଳରେ କମ୍ପାନୀ ଶାସକମାନଙ୍କୁ ରାଜ୍ୟ ଅଧିକାର ଓ ଶାସନ ବ୍ୟବସ୍ଥାର ପ୍ରଚଳନ ପାଇଁ ବହୁ ଯୁଦ୍ଧ ଓ ବିଦ୍ରୋହର ସମ୍ମୁଖୀନ ହେବାକୁ ହୋଇଥିଲା । ଇଷ୍ଟ ଇଣ୍ଡିଆ କମ୍ପାନୀ ମୁଖ୍ୟତଃ ଏକ ବଣିତ-ଅନୁଷ୍ଠାନ ହୋଇଥିବାରୁ ଏହା ବାଣିଜ୍ୟ ଓ ଲାଭ ଦିଗରେ ବିଶେଷ ଦୃଷ୍ଟି ଦେଇଥିଲା । ଫଳରେ ଅଧିକୃତ ଅଞ୍ଚଳରେ କମ୍ପାନୀ ସରକାର ନୂତନ ଶିକ୍ଷା ସମ୍ପର୍କରେ ସେପରି କୌଣସି ଯୋଜନା ବା ବ୍ୟବସ୍ଥା କରିନାହାନ୍ତି । ଯେଉଁ ଖ୍ରୀଷ୍ଟିୟାନ ମିଶନାରୀମାନେ ପ୍ରଚାର ଅନୁଷ୍ଠାନ ଓ ସ୍କୁଲମାନ ସ୍ଥାପନ କରିଥିଲେ, ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଲା ଖ୍ରୀଷ୍ଟଧର୍ମ ପ୍ରଚାର । ଧର୍ମପ୍ରଚାରର ସୁବିଧା ପାଇଁ ସେମାନେ ଦେଶୀୟ ଭାଷା ଶିକ୍ଷା କରି ଦେଶୀୟ ଭାଷାରେ ଅଭିଧାନ ଓ ବ୍ୟାକରଣ ସଂକଳନ କରିଥିଲେ ଏବଂ ଭାରତୀୟ ଭାଷାରେ ବାଇବେଲ ଅନୁବାଦ କରି ସମ୍ୱାଦପତ୍ର ସମ୍ପାଦନା କରୁଥିଲେ-। ଏହାଛଡ଼ା ଦେଶୀୟ ଭାଷା ଓ ସାହିତ୍ୟର ବିକାଶ ପାଇଁ ସେମାନେ ଅଧିକ କିଛି କରିବାକୁ ଚେଷ୍ଠା କରି ନ ଥିଲେ ।

 

ଖ୍ରୀ ୧୮୫୪ ପୂର୍ବରୁ ଭାରତୀୟ ଶିକ୍ଷା ସଂକ୍ରାନ୍ତ ବିଷୟ ଲଣ୍ଡନର ‘କୋର୍ଟ ଅଫ ଡିରେକ୍‍ଟର’ ଙ୍କୁ ଜଣାଇବାକୁ ପଡ଼ୁଥିଲା ଏବଂ ଡିରେକ୍‍ଟରମାନେ ‘ଡେସପାଚ’ ଜରିଆରେ ପ୍ରତ୍ୟେକ ଗୁରୁତର ପ୍ରଶ୍ନର ବିଚାର କରୁଥିଲେ । ଖ୍ରୀ ୧୮୫୪ପରେ ‘ସେକ୍ରେଟେରୀ ଅଫ ଷ୍ଟେଟ ଫର ଇଣ୍ଡିଆ’ କୋର୍ଟ ଅଫ୍‍ ଡିରେକ୍‍ଟରଙ୍କ ସ୍ଥାନ ଅଧିକାର କଲେ ମଧ୍ୟ ଭାରତୀୟ ଶିକ୍ଷାକ୍ଷେତ୍ରରେ ଶକ୍ତିଶାଳୀ କର୍ତ୍ତା ହେଲେ ଭାରତ ସରକାର ।

 

ଏହି ଶତକର ଦ୍ୱତୀୟାର୍ଦ୍ଧରେ ଶିକ୍ଷାକ୍ଷେତ୍ରରେ ଉଡ଼ ସାହେବଙ୍କର ‘ଏଡ଼ୁକେଶନ ଡେସପାଚ୍‍’ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଖ୍ରୀ. ୧୯୦୨ରେ ଲର୍ଡ ଜର୍ଜନଙ୍କ ପର୍ଯ୍ୟନ୍ତ ଶିକ୍ଷା ସଂକ୍ରାନ୍ତ ଗୁରୁତର ବାଦ-ବିସମ୍ୱାଦରେ ନିଷ୍ପତ୍ତି ଗ୍ରହଣ ଓ ଶିକ୍ଷାନୀତି ନିର୍ଦ୍ଧାରଣ ପାଇଁ ଉଡ଼ଙ୍କ ଡେସପାଚରୁ ବହୁ ନଜିର ଦିଆଯାଇଛି । ଏହି ପ୍ରସିଦ୍ଧ ଡେସ୍‍ପାଚ ପରେ ଆଉ କେତେଗୁଡ଼ିଏ ଡେସ୍‍ପାଚ ଉପସ୍ଥାପନ କରାଯାଇଥିଲା—ଯଥା; ୧୮୫୮ ର ଲର୍ଡ ଏଲେନବରୋଙ୍କର ‘ଡେସପାଚ’, ୧୮୫୯ ଲର୍ଡ ଷ୍ଟାନ୍‍ଲିଙ୍କର ‘ଡେସପାଚ’, ୧୮୮୩ର ଭାରତୀୟ ଶିକ୍ଷା କମିଶନଙ୍କ ରିପୋର୍ଟ ଓ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କର ଶିକ୍ଷା ସମ୍ପର୍କୀୟ ମତାମତ ଇତ୍ୟାଦି । ଉଡ଼ଙ୍କର ଏଡୁକେଶନ ‘ଡେସ୍‍ପାଚ’କୁ ଛାଡ଼ିଦେଲେ ଶିକ୍ଷା କମିଶନଙ୍କ ରିପୋର୍ଟର ସୁପାରିସଗୁଡ଼ିକ ବିଶେଷ ଉଲ୍ଲେଖଯୋଗ୍ୟ । ଏହି ସମୟରେ ଶିକ୍ଷାକ୍ଷେତ୍ରରେ ଯେଉଁ କେତେକ ବିଶିଷ୍ଟ ଘଟଣା ଘଟିଲା, ତା’ ହେଉଛି ୧୮୫୭ରେ କେନ୍ଦ୍ର ଏକ୍‍ଜକିଉଟିଭ୍‍କାଉନ୍‍ସିଲର ଆଇନ ଦ୍ୱାରା ଭାରତୀୟ ବିଶ୍ୱବିଦ୍ୟାଳୟମାନ (କଲିକତା, ବମ୍ୱେ, ମାନ୍ଦ୍ରାଜ; ପରେ ଏଲାହାବାଦ ଓ ଲାହୋର) ଏବଂ କେନ୍ଦ୍ର ସରକାରଙ୍କ ଆଦେଶରେ ୧୮୮୨ ରେ ଭାରତୀୟ ଶିକ୍ଷା କମିଶନ ସ୍ଥାପିତ ହେଲା । ୧୮୮୬ରେ ‘ଇଣ୍ଡିୟାନ ଏଡୁକେଶନ ସର୍ଭିସ’ ପଦ ସୃଷ୍ଟି କରାଗଲା । ଏହାଛଡ଼ା ସ୍ୱତନ୍ତ୍ର ଶିକ୍ଷାବିଭାଗ ଗଠନ କରାଗଲା ଏବଂ କଲେଜ ଓ ମାଧ୍ୟମିକ ସ୍କୁଲର ଶିକ୍ଷାବିସ୍ତାର ଉପରେ ବିଶେଷ ଦୃଷ୍ଟି ଦିଆଗଲା । ନିମ୍ନୋକ୍ତ ଅନୁଷ୍ଠାନଗୁଡ଼ିକ ଶିକ୍ଷାବିସ୍ତାର ଦିଗରେ ଲାଗିପଡ଼ିଲେ, ଯଥା—

 

(କ) ମିଶନାରୀ ଶିକ୍ଷା ଅନୁଷ୍ଠାନ ।

 

(ଖ) ନୂତନ ଧାରାରେ ଭାରତୀୟଙ୍କ ଦ୍ୱାରା ପରିଚାଳିତ ଘରୋଇ (ବେସରକାରୀ) ଶିକ୍ଷାନୁଷ୍ଠାନ ।

 

(ଗ) ସରକାରଙ୍କ ଶିକ୍ଷାବିଭାଗ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନ ।

 

ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଉତ୍ସାହିତ କରିବା ପାଇଁ ‘ଗ୍ରାଣ୍ଟ-ଇନ୍‍-ଏଡ୍‍’ ର ବ୍ୟବସ୍ଥା ପ୍ରବର୍ତ୍ତନ କରାଗଲା ।

 

ନବଶିକ୍ଷାର ପ୍ରବର୍ତ୍ତକ ଏବଂ ପାଶ୍ଚାତ୍ୟ ଜଗତର ଜ୍ଞାନ, ବିଜ୍ଞାନ, ଦର୍ଶନ ଓ ସାହିତ୍ୟର ଆଲୋଚନା ଫଳରେ ଭାରତର ରାଜନୀତି, ଧର୍ମ ଓ ସମାଜକ୍ଷେତ୍ରରେ ସଂସ୍କାରର ତରଙ୍ଗ ଖେଳିଯାଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି ଦେଶପ୍ରେମ ଓ ସମାଜ ସେବାରେ ଉଦ୍‍ବୁଦ୍ଧ ହୋଇ ଶିକ୍ଷାନୁଷ୍ଠାନ ସ୍ଥାପନ ଦିଗରେ ଉତ୍ସାହିତ ହେଲେ । ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଲା—ଭାରତୀୟ ଯୁବକମାନଙ୍କର ଶିକ୍ଷା ଭାରତୀୟମାନଙ୍କ ଦ୍ୱାରା ପରିଚାଳିତ ନ ହେଲେ ପ୍ରକୃତ ଜାତି ଗଠିତ ହୋଇପାରିବ ନାହିଁ । ସେଥିପାଇଁ ବିଭିନ୍ନ ପ୍ରଦେଶରେ ସ୍କୁଲ-କଲେଜ ସ୍ଥାପନ ପାଇଁ ଆନ୍ଦୋଳନ ଦେଖାଯାଇଥିଲା । ଏ ଆନ୍ଦୋଳନର ଫଳସ୍ୱରୂପ ଆଲିଗଡ଼ର ମହାମଡାନ ଆଙ୍ଗ୍ଲୋଇଣ୍ଡିଆନ କଲେଜ ଓ ପୁନାର ଡେକାନ ଏଡୁକେସନ ସୋସାଇଟି ସ୍ଥାପିତ ହୁଏ ।

 

ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଭାରତୀୟ ଶିକ୍ଷା କମିଶନ ଓ ଶିକ୍ଷାବିଭାଗର ଗଠନ ହେତୁ ଭାରତରେ ବହୁ କଲେଜ ଓ ସେକେଣ୍ଡାରୀ ସ୍କୁଲ ସ୍ଥାପିତ ହେଲା ଏବଂ ମାଧ୍ୟମିକ ସ୍କୁଲ ଶିକ୍ଷକଙ୍କର ଟ୍ରେନିଂର ବ୍ୟବସ୍ଥା କରାଗଲା । କିନ୍ତୁ ଶିକ୍ଷାର ଅଧିକ ବିସ୍ତାର ପାଇଁ ଯେତିକି ଅର୍ଥ ଆବଶ୍ୟକ, ନାନା ରାଜନୈତିକ ଓ ପ୍ରାକୃତିକ ବିପତ୍ତି ହେତୁ (ଦୁର୍ଭିକ୍ଷ, ପ୍ଲେଗ ପ୍ରଭୃତି) ତାହା ଦିଆଯାଇ ପାରିଲା ନାହିଁ ।

 

କଲେଜର ଅଧ୍ୟକ୍ଷ ଓ ମାଧ୍ୟମିକ ସ୍କୁଲର ପ୍ରଧାନ ଶିକ୍ଷକ ନିଯୁକ୍ତି, ଗ୍ରାଣ୍ଟ-ଇନ୍‍-ଏଡ୍‍ର ବଣ୍ଟନ, କଲେଜ ଓ ସ୍କୁଲର ଶିକ୍ଷାକ୍ଷେତ୍ରରେ ଅବଶ୍ୟ ବହୁ ତ୍ରୁଟି ଦେଖାଦେଇଛି ।

 

ମାଧ୍ୟମିକ ସ୍କୁଲର ପ୍ରଧାନଶିକ୍ଷକ ଓ କଲେଜର ଅଧ୍ୟକ୍ଷ ନିଯୁକ୍ତି, ପୁରାପୁରି ଇଂରେଜମାନଙ୍କ ମଧ୍ୟରୁ କରାଯାଉଥିଲା । ଇଂରେଜ କର୍ତ୍ତାମାନେ ମନେ କରୁଥିଲେ, ଯେ ଭାରତୀୟମାନେ ଶିକ୍ଷାନୁଷ୍ଠାନର ମୁଖ୍ୟ ଭାବରେ ଦାୟିତ୍ୱ ବହନ କରିବା ପାଇଁ ଉପଯୁକ୍ତ ନୁହନ୍ତି । ଏ ପ୍ରକାର ଯୁକ୍ତି ସଂପୂର୍ଣ୍ଣ ଯଥାର୍ଥ ନୁହେଁ । ସେତେବେଳେ ସାଧାରଣ ଶିକ୍ଷା ଉପରେ ଯେତେ ଦୃଷ୍ଟି ଦିଆଯାଉଥିଲା, ବୃତ୍ତିମୂଳକ ଶିକ୍ଷା, ବିଶେଷତଃ ଶିଳ୍ପ ଓ କାରିଗରୀ ବିଦ୍ୟାର ଶିକ୍ଷା ଉପରେ ସେପରି ଦୃଷ୍ଟି ଦିଆଯାଉ ନଥିଲା ।

 

ପୁଣି ବିଶ୍ୱବିଦ୍ୟାଳୟ ସ୍ତରରେ ଆଧୁନିକ ଭାରତୀୟ ଭାଷା ପ୍ରତି ଅବହେଳା ବିଶ୍ୱବିଦ୍ୟାଳୟ ଶିକ୍ଷାର ଏକ ଗୁରୁତର ତ୍ରୁଟି । ଉଡ୍‍ଙ୍‍କର ୧୮୫୪ର ‘ଏଡୁକେଶନ ଡେସ୍‍ପାଚ୍‍’ ରେ ଇଂରାଜୀ ଭାଷା ସହିତ ଦେଶୀୟ ଭାଷା ଅଧ୍ୟୟନର ବ୍ୟବସ୍ଥା ସମ୍ପର୍କରେ ସୂଚନା ଥିଲେ ମଧ୍ୟ ମାନ୍ଦ୍ରାଜକୁ ଛାଡ଼ିଦେଲେ ବିଶ୍ୱବିଦ୍ୟାଳୟର ସାଧାରଣ ପାଠ୍ୟକ୍ରମରେ ଆଧୁନିକ ଭାରତୀୟ ଭାଷା ଅବହେଳିତ ହେଲା । ମାଧ୍ୟମିକ ବିଦ୍ୟାଳୟରେ ଇଂରାଜୀ ଭାଷାକୁ ଶିକ୍ଷାର ମାଧ୍ୟମ ରୂପେ ପ୍ରବର୍ତ୍ତନ କରାଯିବାରୁ ଶିକ୍ଷାର ମାଧ୍ୟମ ଭାବରେ ମାତୃଭାଷାର ସ୍ଥାନ ରହିଲା ନାହିଁ । ମାତୃଭାଷାରେ ଛାତ୍ରର ଭିତ୍ତି ଦୃଢ଼ ନ ହେଲାବେଳେ ସେ ଇଂରାଜୀ ପଢ଼ିବାକୁ ବାଧ୍ୟହେଲା । ଭାରତୀୟ ଶିକ୍ଷା କମିଶନଙ୍କ ରିପୋର୍ଟ ଅନୁଯାୟୀ ଛାତ୍ରମାନଙ୍କର ଇଂରାଜୀଭାଷାରେ ଦ୍ରୁତ ପ୍ରଦେଶ ତଥା ଦକ୍ଷତା ଅର୍ଜନ ପାଇଁ ସ୍କୁଲ ପରିଚାଳକମାନଙ୍କର ଉତ୍କଣ୍ଠା ହେତୁ ମାଧ୍ୟମିକ ବିଦ୍ୟାଳୟରେ ଇଂରାଜୀକୁ ଶିକ୍ଷାର ମାଧ୍ୟମ ରୂପେ ପ୍ରବର୍ତ୍ତନ କରାଗଲା । କେବଳ କଲିକତା ଓ ବମ୍ୱେର ମେଡିକାଲ ସ୍କୁଲରେ ଦେଶୀୟ ଭାଷାକୁ ଶିକ୍ଷାର ମାଧ୍ୟମ ରୂପେ ଗ୍ରହଣ କରାଯାଇଥିଲା । ଏଥିରୁ ସ୍ପଷ୍ଟ ପ୍ରତୀତ ହେବ ଯେ, ଇଂରାଜୀ ଶିକ୍ଷା ଅର୍ଥକାରୀ ଥିବାରୁ ତାକୁ ମୁଖ୍ୟସ୍ଥାନ ଦିଆଗଲା ଏବଂ ଭାରତୀୟ ଭାଷାର ଅଧ୍ୟୟନ ପ୍ରତି ପୂରା ଅବହେଳା ପ୍ରକାଶ ପାଇଲା । ଏହି କାରଣରୁ ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଭାଷା ଓ ସାହିତ୍ୟର ଉନ୍ନତି ଆଶାନୁରୂପ ହେଲା ନାହିଁ ଏବଂ ଭାରତୀୟ ବୁଦ୍ଧିଜୀବୀ ଶିକ୍ଷିତ ଗୋଷ୍ଠୀ ଓ ଇଂରାଜୀ ଶିକ୍ଷା ଅନଭିଜ୍ଞ ସର୍ବସାଧାରଣ ଭାରତୀୟଙ୍କ ମଧ୍ୟରେ ରୁଚି ତଥା ସଂସ୍କୃତିଗତ ବ୍ୟବଧାନ ପରିଲକ୍ଷିତ ହେଲା; କିନ୍ତୁ ଦ୍ୱିତୀୟାର୍ଦ୍ଧରେ ବିଶ୍ୱବିଦ୍ୟାଳୟ ଓ ମାଧ୍ୟମିକ ଶିକ୍ଷାକ୍ଷେତ୍ରରେ ନାନାବିଧ ତ୍ରୁଟି ସର୍ତ୍ତ୍ୱେ ପ୍ରଥମାର୍ଦ୍ଧ ଅପେକ୍ଷା ଏହି ସମୟରେ ଯେ ଶିକ୍ଷାର ବିସ୍ତାର ତଥା ବିକାଶର ଲକ୍ଷଣ ଦେଖାଦେଇଛି, ପୂର୍ବୋକ୍ତି ଆଲୋଚନାରୁ ତାହା ସ୍ପଷ୍ଟ ହେବ ।

 

ବର୍ତ୍ତମାନ ଏହି ନବପ୍ରବର୍ତ୍ତିତ ଇଂରାଜୀ ଶିକ୍ଷାର ସ୍ଥୁଳ ପରିଣତ ସମ୍ପର୍କରେ ଆଲୋଚନା କରାଯାଉ ।

 

ଭାରତରେ ନୂତନ ଶିକ୍ଷାପ୍ରଣାଳୀ ପ୍ରବର୍ତ୍ତନ କରି ପାଶ୍ଚାତ୍ୟ ସାହିତ୍ୟ ଓ ବିଜ୍ଞାନ ଶିକ୍ଷାର ପ୍ରସାର କରିବା ଏବଂ ବିଶ୍ୱବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଇଂରାଜୀକୁ ମାଧ୍ୟମରୂପେ ପ୍ରବର୍ତ୍ତନ କରିବା ହେଲା ଏହି ସମୟର ବ୍ରିଟିଶ ଶିକ୍ଷାବତ୍‍ମାନଙ୍କର କାର୍ଯ୍ୟ । ଏହାଦ୍ୱାରା ଭାରତୀୟମାନଙ୍କର ପାଶ୍ଚାତ୍ୟଜଗତ୍‍ ସହିତ ପରିଚିତ ଘଟିପାରିଲା ଏବଂ ପ୍ରତ୍ୟେକ କ୍ଷେତ୍ରରେ ନବ ଜ୍ଞାନର ପ୍ରଭାବ ଅନୁଭୂତ ହେଲା ।

 

ନବଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଫଳ ହେଉଛି, ଭାରତୀୟ ଭାଷା ତଥା ନୂତନ ସାହିତ୍ୟର ବିକାଶପାଇଁ ମୁଦ୍ରାଯନ୍ତ୍ର ସ୍ଥାପନ । ଏ କ୍ଷେତ୍ରରେ ମିଶନାରୀମାନଙ୍କର ଦାନ ଭୁଲିଗଲେ ଚଳିବ ନାହିଁ । ସେମାନେ ଭାରତରେ ପ୍ରଥମ ମୁଦ୍ରାଯନ୍ତ୍ର ସ୍ଥାପନ କରି ପ୍ରଥମ ସମ୍ୱାଦପତ୍ର ଆରମ୍ଭ କରିଥିଲେ । ଭାରତୀୟ ଭାଷା ଶିକ୍ଷା କରି ଅଭିଧାନ ଓ ବ୍ୟାକରଣ ରଚନା କରିଥିଲେ ଏବଂ ଧର୍ମପ୍ରଚାର ପାଇଁ ସେଇ ଭାଷାରେ ବାଇବେଲ ଅନୁବାଦ କରିଥିଲେ । ଏହାଛଡ଼ା ସେମାନେ ନୂତନ ସାହିତ୍ୟ ସୃଷ୍ଟି ପାଇଁ ମନ ବଳାଇ ନ ଥିଲେ ।

 

କମ୍ପାନୀ ସରକାର ଏବଂ ଶିକ୍ଷାବିଭାଗର ପୃଷ୍ଠପୋଷକତାରେ ଆଧୁନିକ ଭାରତୀୟ ଭାଷାରେ ଧର୍ମନିରପେକ୍ଷ ପୁସ୍ତକମାନ ରଚିତ ହେଲା ଏବଂ ପ୍ରସିଦ୍ଧ ଇଂରାଜୀ ଗ୍ରନ୍ଥ, ଇତିହାସ, ବୀଜଗଣିତ, ଜ୍ୟାମିତି ପ୍ରଭୃତି ଅନୂଦିତ ହେଲା । ଖ୍ରୀ. ୧୮୫୪ ପୂର୍ବରୁ କମ୍ପାନୀ ସରକାରଙ୍କଠାରୁ ସାହାଯ୍ୟ ପାଇ ସ୍କୁଲ ବୁକସୋସାଇଟି ଭାରତୀୟ ଭାଷାରେ ନୂତନ ପୁସ୍ତକ ରଚନା ଓ ପ୍ରକାଶ କରୁଥିଲା । ୧୮୫୫ପରେ ଶିକ୍ଷା ବିଭାଗର ସରକାରୀ ବୁକ୍‍ ଡିପୋ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦିତ ହେଲା । ପରେ ପରେ ନବଶିକ୍ଷିତ ବ୍ୟକ୍ତିମାନଙ୍କ ପ୍ରଚେଷ୍ଠାରେ ଘରୋଇ ଭାବରେ ସୋସାଇଟି ଗଠନ କରାଯାଇ ଇଂରାଜୀ ପୁସ୍ତକ ଆଦର୍ଶରେ ପୁସ୍ତକମାନ ରଚିତ ଓ ପ୍ରକାଶିତ ହେଲା ଏବଂ ସମାଜସଂସ୍କାର ଓ ଲୋକସାଧାରଣଙ୍କର ଜ୍ଞାନର ବିକାଶ ପାଇଁ ସମ୍ୱାଦପତ୍ର ଆରମ୍ଭ କରାଗଲା ।

 

ବିଶ୍ୱବିଦ୍ୟାଳୟ ଓ ମାଧ୍ୟମିକ ଶିକ୍ଷାସ୍ତରରେ ଭାରତୀୟ ଭାଷା ପ୍ରତି ଅବହେଳା ପ୍ରକାଶ ପାଇବାରୁ ବେସରକାରୀ କ୍ଷେତ୍ରରେ ଭାରତୀୟ ଭାଷାରେ ଉନ୍ନତ ସାହିତ୍ୟ ସୃଷ୍ଟି ଓ ପ୍ରକାଶନର ପ୍ରଚେଷ୍ଠା ଏବଂ ଭାରତୀୟ ଛାପାଖାନାର ଉନ୍ନତି ଦେଖାଗଲା ।

 

ଧର୍ମ ଓ ସମାଜ କ୍ଷେତ୍ରରେ ନବଶିକ୍ଷାର ପ୍ରଭାବ ପରିଲକ୍ଷିତ ହେଲା । ଇଂରାଜମାନଙ୍କର ଧାରଣା ଥିଲା ଯେ, ପାଶ୍ଚାତ୍ୟ ଜ୍ଞାନ ତଥା ସଭ୍ୟତା ସମ୍ପର୍କରେ ଆସି ଭାରତୀୟମାନେ ସ୍ୱଧର୍ମ ତ୍ୟାଗକରି ଖ୍ରୀଷ୍ଟିୟାନ ହୋଇଯିବେ; କିନ୍ତୁ ପରେ ସେମାନଙ୍କର ଧାରଣା ବଦଳିଗଲା । ହିନ୍ଦୁସମାଜ କୁସଂସ୍କାରାଚ୍ଛନ୍ନ ହୋଇପଡ଼ିଥିବାରୁ ସଂସ୍କାର ପାଇଁ (ଜାତି ବିଭାଗର ସଂକୀର୍ଣ୍ଣତା ଓ ଅସ୍ପୃଶ୍ୟତା ଦୂର କରିବା, ବିଧବା ବିବାହ ଓ ଛାଡ଼ପତ୍ର ବ୍ୟବସ୍ଥା ପ୍ରବର୍ତ୍ତନ କରିବା, ହରିଜନଙ୍କର ଅର୍ଥନୈତିକ ଅବସ୍ଥାର ଉନ୍ନତି ଘଟାଇବା) ନବ ଇଂରାଜୀ ଶିକ୍ଷିତ ନେତୃସ୍ଥାନୀୟ ବ୍ୟକ୍ତିମାନେ ଆନ୍ଦୋଳନ କରିଥିଲେ ଏବଂ ଧର୍ମର ସଂସ୍କାର ପାଇଁ ରାଜା ରାମମୋହନ ରାୟ ‘ବ୍ରହ୍ମସମାଜ’, ସ୍ୱାମୀ ଦୟାନନ୍ଦ ସରସ୍ୱତୀ ‘ଆର୍ଯ୍ୟସମାଜ’ ଏବଂ ସ୍ୱାମୀ ବିକେକାନନ୍ଦ ‘ରାମକୃଷ୍ଣ ମିଶନ’ (୧୮୯୬) ସ୍ଥାପନ କରିଥିଲେ ।

 

ସମାଜ ଓ ଧର୍ମକ୍ଷେତ୍ରକୁ ଛାଡ଼ିଦେଲେ ଭାରତର ରାଜନୈତିକ ଚିନ୍ତାଧାରା ଉପରେ ନବଶିକ୍ଷାର ପ୍ରଭାବ କମ୍‍ ଗୁରୁତ୍ୱପୂର୍ଣ୍ଣ ନୁହେଁ । ନବଶିକ୍ଷା ପ୍ରବର୍ତ୍ତନର ପ୍ରାରମ୍ଭିକ ଅବସ୍ଥାରେ ଭାରତୀୟ ସମାଜର ସଂସ୍କାର ଜରୁରୀ ହୋଇ ପଡ଼ିଥିଲା । ସେଥିପାଇଁ ଶିକ୍ଷକଗୋଷ୍ଠୀ ମୁଖ୍ୟତଃ ସରକାରୀ କର୍ମଚାରୀ ହୋଇଥିବାରୁ ରାଜନୈତିକ ଉତ୍ତେଜନା ସୃଷ୍ଟି କରିବା ଅପେକ୍ଷା ସମାଜ ଓ ଧର୍ମକ୍ଷେତ୍ରର ସଂସ୍କାର ଦ୍ୱାରା ଦେଶର ସେବା କରିବାକୁ ଚେଷ୍ଠା କରିଥିଲେ । ତାଛଡ଼ା ଭାରତୀୟମାନଙ୍କ ମନରେ ଗଣତନ୍ତ୍ର ସ୍ୱାୟତ୍ତଶାସନ ଏବଂ ସ୍ୱାଧୀନତାର ଆଦର୍ଶ ସମ୍ୱନ୍ଧରେ ଯେଉଁ ପ୍ରେରଣା ଆସିଲା, ତାହା ନବଶିକ୍ଷାର ଫଳ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ମିଶନାରୀମାନଙ୍କ ଅପପ୍ରଚାର ଫଳରେ ପ୍ରାଚ୍ୟ ଧର୍ମ, ଦର୍ଶନ ଓ ସାହିତ୍ୟ ସମ୍ପର୍କରେ ଇଂରେଜମାନଙ୍କ ଅତି ନୀଚ ଧାରଣା ହୋଇଥିଲା । ମାର୍କଲେ ଓ ବେଣ୍ଟିକ୍‍ ପ୍ରମୁଖ ଏହାକୁ ମିଥ୍ୟା କୁସଂସ୍କାରପୂର୍ଣ୍ଣ ବୋଲି ମନେ କରୁଥିଲେ । କିନ୍ତୁ ହେଷ୍ଟିଂସ ଓ ଉଇଲସନ ପ୍ରଭୃତି ଅନ୍ୟ ପ୍ରାଚ୍ୟତତ୍ତ୍ୱବିତ୍‍ମାନେ ଏହାର ବିରୁଦ୍ଧ ମତ ପୋଷଣ କରିଥିଲେ । ୧୮୫୪ରେ ‘ଏଡୁକେସନ ଡେସପାଚ’ ମତ ଦେଇଥିଲା ଯେ, ଇତିହାସ ଓ ପୁରାତତ୍ତ୍ୱ ଦୃଷ୍ଟିରୁ ଭାରତୀୟ ପ୍ରାଚୀନ ଭାଷା ଅଧ୍ୟୟନର ଯଥେଷ୍ଟ ଗୁରୁତ୍ୱ ରହିଛି । ଫରାସୀ ଭାଷାରେ ‘ଉପନିଷଦର’ ଅନୁବାଦ ଦ୍ୱାରା ପାଶ୍ଚାତ୍ୟ ଦର୍ଶନର ପ୍ରଭାବ ପରିଲକ୍ଷିତ ହେଲା । ଜର୍ମାନୀର ପ୍ରସିଦ୍ଧ ଦାର୍ଶନିକ ଶୋପେନ ହାଓ୍ୱାର’ ଉପନିଷଦର ଫରାସୀ ଅନୁବାଦ ପଢ଼ି ମୁଗ୍‍ଧ ହୋଇ ଯାଇଥିଲେ ଏବଂ ଭାରତୀୟ ଦର୍ଶନର ଆଲୋଚନା ଦିଗରେ ମନୋନିବେଶ କରିଥିଲେ । ଏହି ସମୟରେ ସାର୍‍ଉଲିଲିୟମ ଜୋନ୍‍ସ କାଳିଦାସଙ୍କ ‘ଅଭିଜ୍ଞାନ ଶକୁନ୍ତଳା’ ସହିତ ଅନ୍ୟ ପ୍ରସିଦ୍ଧ ସଂସ୍କୃତ ଗ୍ରନ୍ଥଗୁଡ଼ିକର ଇଂରାଜୀ ଅନୁବାଦ କରିଥିଲେ ଏବଂ ତୁଳନାତ୍ମକ ଭାଷାତତ୍ତ୍ୱର ଭିତ୍ତିସ୍ଥାପନ କରିଥିଲେ । ପ୍ରସିଦ୍ଧ ପ୍ରାଚ୍ୟ ବିଦ୍ୟାବିଶାରଦ ମାକ୍‍ସମୁଲର ‘ବେଦ’ ଅନୁବାଦ କରି ବୈଦିକ ଭାଷା ଓ ସାହିତ୍ୟ ସମ୍ପର୍କରେ ପାଶ୍ଚାତ୍ୟ ଜଗତରେ ଯଥେଷ୍ଟ ଆଲୋକପାତ କରିଥିଲେ । ଭାରତୀୟ ବିଶ୍ୱବିଦ୍ୟାଳୟମାନ ସ୍ଥାପିତ ହେବା ଯୋଗୁଁ ଅନ୍ୟ ପାଶ୍ଚାତ୍ୟ ପଣ୍ଡିତମାନଙ୍କଦ୍ୱାରା ପ୍ରାଚ୍ୟଭାଷା ତଥା ସାହିତ୍ୟର ଅଧ୍ୟୟନ ଓ ଅନୁବାଦର ପଥ ସୁଗମ ହୋଇଥିଲା । ଏହି ସମୟରେ ଭାରତର ସଂସ୍କୃତ, ପାଲି, ପ୍ରାକୃତ ଓ ଅପଭ୍ରଂଶ ପ୍ରଭୃତି ପ୍ରାଚୀନ ଭାଷାଗୁଡ଼ିକର ବୈଜ୍ଞାନିକ ଆଲୋଚନା ସମ୍ଭବ ହୋଇପାରିଥିଲା । ଏହାଦ୍ୱାରା ପ୍ରାଚ୍ୟ ସଂସ୍କୃତିର ଉପଯୁକ୍ତ ମୂଲ୍ୟ ବିଚାର ହୋଇଥିଲା ଏବଂ ଭାରତର ପ୍ରାଚୀନ ଧର୍ମ, ଦର୍ଶନ, ସାହିତ୍ୟ ଓ ଇତିହାସ ସମ୍ପର୍କରେ ଇଂରେଜମାନଙ୍କର ଯେଉଁ ଭ୍ରମ-ଧାରଣା ଜାତ ହୋଇଥିଲା, ତାହା ଦୂରୀଭୂତ ହେଲା । ପାଶ୍ଚାତ୍ୟଜଗତର ପ୍ରାଚ୍ୟ ତତ୍ତ୍ୱବିତ୍‍ମାନଙ୍କୁ ଛାଡ଼ିଦେଲେ ଭଣ୍ଡାରକର, ରାଜେନ୍ଦ୍ରଲାଲ ପ୍ରଭୃତି ପ୍ରସିଦ୍ଧ ଭାରତୀୟ ପ୍ରାଚ୍ୟବିଦ୍ୟା ଗବେଷକ ପଣ୍ଡିତମାନଙ୍କର ଆବିର୍ଭାବ ହୋଇଥିଲା । ଏମାନେ ଭାରତର ପ୍ରାଚୀନ ସାହିତ୍ୟ, ଦର୍ଶନ ଓ ସଂସ୍କୃତି ସମ୍ୱନ୍ଧରେ ନୂତନ ଆଲୋକପାତ କରିଥିଲେ । ଫଳରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂସ୍କୃତିର ଏକ ମଧୁର ସମନ୍ୱୟ ସ୍ଥାପିତ ହୋଇପାରିଥିଲା । ନବଶିକ୍ଷାର ନୂତନ ପ୍ରବର୍ତ୍ତନ କାଳରେ ଭାରତୀୟ ଛାତ୍ରମାନଙ୍କ ଉପରେ ଏହାର କୁଫଳ ପରିଲକ୍ଷିତ ହୋଇଥିଲା । ଛାତ୍ରମାନେ ଇଂରେଜମାନଙ୍କର ବେଶପୋଷାକ, ଚାଲିଚଳନ, ସାମାଜିକ ରୀତିନୀତି ଓ ମଦ୍ୟପାନର ଅନ୍ଧ ଅନୁକରଣ କରିବାରେ ଲାଗିଲେ । ଏମାନେ ନିଜ ଦେଶର ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ଘୃଣା କରି ମାତୃଭାଷାରେ କଥା କହିବାକୁ ଏବଂ ଲେଖାପଢ଼ା କରିବାକୁ ଲଜ୍ଜାଜନକ ମନେ କଲେ । କେତେକ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କଲେ, କେତେକ ଘୋର ନାସ୍ତିକ ହୋଇ ପଡ଼ିଲେ, କେତେକ ବ୍ରହ୍ମସମାଜରେ ଯୋଗଦେଲେ । ନବ୍ୟଶିକ୍ଷିତ ଯୁବକମାନଙ୍କର ଏ ପ୍ରକାର ଗତିରୀତି ଭାରତର ରକ୍ଷଣଶୀଳ ଅଭିଭାବକମାନଙ୍କ ମନରେ ଆତଙ୍କ ସୃଷ୍ଟି କଲା । ଫଳରେ ନୂତନ ପ୍ରବର୍ତ୍ତିତ ଇଂରାଜୀ ଶିକ୍ଷାର ଗତି ଶିଥିଳ ଓ ବିଳମ୍ୱିତ ହୋଇ ପଡ଼ିଲା । କିନ୍ତୁ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂସ୍କୃତିର ସମନ୍ୱୟମୂଳକ ବିଚାର ଫଳରେ ଭାରତୀୟ ଶିକ୍ଷିତ ଯୁବକମାନଙ୍କର ଚିନ୍ତା ଓ ଆଦର୍ଶରେ ଗଠନମୂଳକ ପରିବର୍ତ୍ତନ ପରିଲକ୍ଷିତ ହେଲା । ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟ ଜଗତରୁ ସାର ଆଦର୍ଶ ଓ ଚିନ୍ତା ଗ୍ରହଣ କରିବାଦ୍ୱାରା ଭାରତୀୟ ଜାତୀୟ ଜୀବନରେ ନବନେତୃତ୍ୱର ଅଭ୍ୟୁଦୟ ଘଟିଲା । ଏ କ୍ଷେତ୍ରରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, କେଶବଚନ୍ଦ୍ର ସେନ୍‍, ସ୍ୱାମୀ ବିବେକାନନ୍ଦ, ପଣ୍ଡିତ ମଦନମୋହନ ମାଲବ୍ୟ, ରାଜାଡେ ଓ ଦାଦାଭାଇ ନାରୋଜୀ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ ।

 

କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଏ ନବଶିକ୍ଷା ପ୍ରବର୍ତ୍ତନର କେତେଗୁଡ଼ିଏ ଗୁରୁତର କୁଫଳ ଭୁଲିଗଲେ ଚଳିବ ନାହିଁ । ପ୍ରଥମେ ଆବଶ୍ୟକୀୟ ପରିମାଣର ଅର୍ଥର ଅଭାବରୁ ଦରିଦ୍ର ଛାତ୍ରମାନଙ୍କର ଶିକ୍ଷାପାଇଁ ବିଶେଷ ଧ୍ୟାନ ଦିଆଗଲା ନାହିଁ । ପୁଣି ଇଂରାଜୀକୁ ମାଧ୍ୟମିକ ବିଦ୍ୟାଳୟ ସ୍ତରରୁ ଶିକ୍ଷାର ମାଧ୍ୟମରୂପେ ପ୍ରବର୍ତ୍ତନ କରାଯିବାରୁ ସର୍ବସାଧାରଣ ଏ ଶିକ୍ଷାଲାଭରୁ ବଞ୍ଚିତ ହେଲେ-। କେବଳ ଅବସ୍ଥାପନ୍ନ ଉଚ୍ଚ ମଧ୍ୟବିତ୍ତ ଓ ମଧ୍ୟବିତ୍ତଶ୍ରେଣୀର ମୁଷ୍ଟିମେୟ ଲୋକ ଏ ଶିକ୍ଷାର ସୁଯୋଗ ପାଇଲେ । ଶିକ୍ଷାନୁଷ୍ଠାନଗୁଡ଼ିକ ମୁଖ୍ୟତଃ ସହରରେ ପ୍ରତିଷ୍ଠିତ ହେବାରୁ ଏବଂ ଶିକ୍ଷିତ ଲୋକ ନିଯୁକ୍ତି କାଳରେ ସହରରେ ରହିବାକୁ ବାଧ୍ୟ ହେବାରୁ ଗ୍ରାମାଞ୍ଚଳର ଶିକ୍ଷିତ ଯୁବକମାନେ ପୂରା ସହରବାସୀ ହୋଇ ପଡ଼ିଲେ । ଫଳରେ ସହର ଓ ମଫସଲ ମଧ୍ୟରେ ଆନ୍ତରିକ ଯୋଗସୂତ୍ର-ସ୍ଥାପନ ସମ୍ଭବ ହେଲାନାହିଁ । ନୂତନ ଶିକ୍ଷାଫଳରେ ଏକ ଦିଗରେ ସ୍ୱଳ୍ପସଂଖ୍ୟକ ଉଚ୍ଚ ମଧ୍ୟବିତ୍ତ ଶିକ୍ଷିତ ଅଭିଜାତ ଗୋଷ୍ଠୀ ଏବଂ ଅନ୍ୟ ଦିଗରେ ଗ୍ରାମାଞ୍ଚଳର ବିପୁଳସଂଖ୍ୟକ ଦରିଦ୍ର ନିରକ୍ଷର ଗୋଷ୍ଠୀନାମରେ ଦୁଇଟି ବିଚ୍ଛିନ୍ନ ଗୋଷ୍ଠୀର ସୃଷ୍ଟି ହେଲା । ଅର୍ଥନୀତିକ୍ଷେତ୍ରରେ ଇଂରେଜଙ୍କ ଶୋଷଣ ସଙ୍ଗେ ସଙ୍ଗେ ଏଇ ଭାରତୀୟ ଶିକ୍ଷିତ ମଧ୍ୟବିତ୍ତ ଗୋଷ୍ଠୀ ଦେଶର ନିରକ୍ଷର ଦରିଦ୍ର ଜନସାଧାରଣଙ୍କୁ ଶୋଷଣ କରିବାକୁ କୁଣ୍ଠିତ ହେଲେ ନାହିଁ ।

 

ତା’ଛଡ଼ା ନବଶିକ୍ଷାରେ ଭାରତର ଶିଳ୍ପ ଓ ଅର୍ଥନୈତିକ ଉନ୍ନତି ପାଇଁ ସେହିପରି କୌଣସି ବ୍ୟବସ୍ଥା କରାଯାଇନଥିଲା ।

 

ବ୍ରିଟିଶ୍‍ଶାସନର ଅବସାନ ଘଟିଛି; ଭାରତ ସ୍ୱାଧୀନ ହୋଇଛି । ବିଶ୍ୱବିଦ୍ୟାଳୟ, କଲେଜ୍‍, ମାଧ୍ୟମିକ ବିଦ୍ୟାଳୟ, ଅବୈତନିକ ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା ବଢ଼ିଚାଲିଛି । ବିଶ୍ୱବିଦ୍ୟାଳୟରେ ମାତୃଭାଷା ବାଧ୍ୟତାମୂଳକ କରାଯାଇଛି ଏବଂ କେତେକ ବିଶ୍ୱବିଦ୍ୟାଳୟରେ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା ହୋଇଛି । ଏହାଛଡ଼ା ସାମରିକ ଓ ବୈଷୟିକ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସ୍ଥୂଳତଃ ସମଗ୍ର ରାଷ୍ଟ୍ରର ଯୁବଶକ୍ତିର ମୌଳିକ ବିକାଶ, ନୈତିକ ମାନଦଣ୍ଡ ତଥା ଭାରତର ଆର୍ଥନୀତିକ ସମୃଦ୍ଧି ପ୍ରତି ବିଶେଷ ଦୃଷ୍ଟି ଦିଆଯାଇ ପଞ୍ଚବାର୍ଷିକ ଯୋଜନାଗୁଡ଼ିକରେ ଶିକ୍ଷାର ସଂସ୍କାର ଓ ତା’ର ସର୍ବାଙ୍ଗ ଅଗ୍ରଗତି ସାଧନଦିଗରେ ପ୍ରଚେଷ୍ଟା ଚାଲିଛି-। ଶିକ୍ଷାକ୍ଷେତ୍ରରେ ଭାରତର ଏହି ପ୍ରଗତିଶୀଳ ଆଭିମୁଖ୍ୟ ୧୮୮୫ରେ ଗଢ଼ି ଉଠିଥିବା ଭାରତୀୟ ଜାତୀୟ ସଂଗଠନର ଯେ ଏକ ସଫଳସ୍ୱପ୍ନ, ଏହା କହିଲେ ବୋଧହୁଏ ଅବାନ୍ତର ହେବ ନାହିଁ ।

 

ସହାୟକ ଗ୍ରନ୍ଥ–History of Education in India by Nurulla and Naik.

Image

 

ଓଡ଼ିଆ ଭାଷା ଓ ଓଡ଼ିଆ

 

ପ୍ରତିବେଶୀ ବଙ୍ଗଭାଷା ତୁଳନାରେ ଓଡ଼ିଆ ଭାଷା ଯେତେ ପ୍ରାଚୀନ ହେଉ ନା କାହିଁକି; ଏବଂ ଏହାର ପ୍ରାଚୀନ ଓ ମଧ୍ୟଯୁଗର ସାହିତ୍ୟ ଯେତେ ସମୃଦ୍ଧିବନ୍ତ ହେଉ ନା କାହିଁକି, କେବଳ ପ୍ରାଚୀନକୁ ନେଇ ଓଡ଼ିଆ ଜାତି ବଞ୍ଚିପାରିବ ନାହିଁ । ପ୍ରାଚୀନ ପ୍ରେରଣା ଦେଇପାରେ, କିନ୍ତୁ ପ୍ରାଚୀନ କେବେ ବର୍ତ୍ତମାନ ନୁହେଁ । ବର୍ତ୍ତମାନ ଦେଶ ଓ କାଳର ପରିବର୍ତ୍ତିତ ପରିସ୍ଥିତିରେ ଓଡ଼ିଆଜାତି ତା’ର ଭାଷା ଓ ସାହିତ୍ୟର ବିକାଶ ପାଇଁ କ’ଣ କରିଛି, ତାହା ହିଁ ତା’ର ସାଧନା ତଥା ଗୌରବର ମାପକାଠି ହେବ ।

 

ଆଜିର ପରିବର୍ତ୍ତିତ ପରିସ୍ଥିତିରେ ପ୍ରତିବେଶୀ ବଙ୍ଗଭାଷା ଓ ସାହିତ୍ୟ ତୁଳନାରେ ଓଡ଼ିଆଭାଷା ଓ ସାହିତ୍ୟ ଯେ ସମତାଳରେ ଗତି କରିପାରି ନାହିଁ, ଏହା ଯେ କୌଣସି ବ୍ୟକ୍ତି ସ୍ୱୀକାର କରିବେ । ଏଥିପାଇଁ ଯେ ଲେଖକମାନେ କେବଳ ଦାୟୀ ତା’ ନୁହେଁ: ଓଡ଼ିଶାର ପ୍ରକାଶକ, ପାଠକ ତଥା ନାଗରିକମାନେ କମ ଦାୟୀ ନୁହନ୍ତି । ବିଗତ ଶତାବ୍ଦୀ ଅପେକ୍ଷା ଏ ଶତାବ୍ଦୀରେ ସ୍କୁଲ, କଲେଜ, ସାଧାରଣ ଅନୁଷ୍ଠାନ ଓ ପାଠକ ସଂଖ୍ୟା ବଢ଼ିଥିଲେ ମଧ୍ୟ ବହୁ ବ୍ୟକ୍ତି ସାକ୍ଷର ତଥା ଶିକ୍ଷିତ ହୋଇଥିଲେ ମଧ୍ୟ ଓଡ଼ିଆଭାଷା ଓ ସାହିତ୍ୟ ପ୍ରତି ଶିକ୍ଷିତ, ସର୍ବସାଧାରଣ ଓ ଅବସ୍ଥାପନ୍ନ ବ୍ୟକ୍ତିଙ୍କର ଏକ ଚିରାଚରିତ ବିତୃଷ୍ଣା ଓ ଅବହେଳିତ ମନୋବୃତ୍ତି ଓଡ଼ିଆଭାଷା ଓ ସାହିତ୍ୟର ବିକାଶ ଦିଗରେ ଯେ ପ୍ରତିବନ୍ଧକ ରୂପେ ଠିଆହୋଇ ଆସିଛି, ବିଗତ ଶତାବ୍ଦୀର ଶେଷାର୍ଦ୍ଧର ପରିସ୍ଥିତି ଆଲୋଚନା କଲେ ସ୍ପଷ୍ଟ ହେବ ।

 

ବ୍ରିଟିଶ ଶାସନର ପ୍ରତିଷ୍ଠା ପରେ ପରେ ଇଂରାଜୀ ଶିକ୍ଷା ଓ ସଭ୍ୟତାର କ୍ରମପ୍ରବର୍ତ୍ତନ ଫଳରେ ଏ ଦେଶର ଶିକ୍ଷିତ ମଧ୍ୟବିତ୍ତଗୋଷ୍ଠୀ ମନରେ ରୁଚିଗତ ଦେଖାଗଲା । ବ୍ରିଟିଶ ସରକାରଙ୍କର ପରିବର୍ତ୍ତିତ ଭୂବନ୍ଦୋବସ୍ତ ନୀତି, ଓଡ଼ିଆ ଜମିଦାରଙ୍କର ସର୍ବସ୍ୱହୀନତା, ନଅଙ୍କ ଦୁର୍ଭିକ୍ଷ, ଅଣଓଡ଼ିଆ ଜମିଦାରମାନଙ୍କର ଉଦାସୀନତା ଓ ବଙ୍ଗାଳିମାନଙ୍କର ଓଡ଼ିଆ ଭାଷା ଉପରେ ଆକ୍ରମଣ ପ୍ରଭୃତି ନାନା ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଯେଉଁମାନେ ଓଡ଼ିଆଭାଷା ଓ ସାହିତ୍ୟକୁ ବଞ୍ଚାଇବା ସଙ୍ଗେ ସଙ୍ଗେ ତାର ସମୃଦ୍ଧି ପାଇଁ ଲାଗିପଡ଼ିଲେ, ସେମାନଙ୍କୁ ଏ ଦେଶର ସମ୍ଭ୍ରାନ୍ତ ରକ୍ଷଣଶୀଳ ରାଜା, ଜମିଦାର ଏବଂ ତଥାକଥିତ ପଣ୍ଡିତ ଓ ଇଂରାଜୀ ଶିକ୍ଷିତ ବ୍ୟକ୍ତିଙ୍କଠାରୁ ଯୁଗୋପଯୋଗୀ ଉତ୍ସାହ ମିଳିଲା ନାହିଁ । ବହୁ ଦିନର ପରାଧିନତା ଫଳରେ ଜାତିର ପରିବର୍ତ୍ତିତ ସଙ୍କଟଜନକ ପରିସ୍ଥିତିରେ ବଳିଷ୍ଠ ଜାତୀୟ ଚେତନା, ସହାନୁଭୂତି ଓ ଉତ୍ସାହର ଏକାନ୍ତ ଅଭାବ ଦେଖାଯାଇଥିଲା । ଦେଶର ଭାଷା ଓ ସାହିତ୍ୟ ଯେ ଜାତିର ପ୍ରାଣସତ୍ତା ଏବଂ ସଭ୍ୟତା ଓ ସଂସ୍କୃତି ବାହକ, ଏହା ସେମାନଙ୍କର ଦାସତ୍ୱ ନିବଦ୍ଧ ଚିତ୍ତରେ ଉଦିତ ହୋଇପାରି ନଥିଲା । ରାଧାନାଥ ଓ ଫକୀରମୋହନ ପ୍ରଭୃତି ଲେଖକମାନେ ତାଙ୍କର ବହୁ ଲେଖା ଓ ପତ୍ରରେ ଏହାର ସୂଚନା ଦେଇଛନ୍ତି-। ଏହି ମନୋବୃତ୍ତି ହେତୁ ଓଡ଼ିଆ ଲେଖକ ଓ ପତ୍ରପତ୍ରିକାର ସମ୍ପାଦକମାନେ ଯେ କି ଅନିଶ୍ଚିତ ତଥା ନୈରାଶ୍ୟଜନକ ପରିସ୍ଥିତିରେ ସାଧନାରେ ଲାଗିପଡ଼ିଥିଲେ, ତାହା ଭାବିଲେ ବିସ୍ମିତ ହେବାକୁ ହୁଏ-। ଏହି ପରିସ୍ଥିତିରେ ବିଶ୍ୱନାଥ କର ତାଙ୍କର ଉତ୍କଳ ସାହିତ୍ୟ ପତ୍ରିକାର ପ୍ରଥମ ଭାଗ, ପ୍ରଥମ ସଂଖ୍ୟାରେ ଲେଖିଥିଲେ, ‘‘ମାସିକ ପତ୍ରିକା ପ୍ରତି ଏବଂ ସାଧାରଣତଃ ଉତ୍କଳ ସାହିତ୍ୟ ପ୍ରତି ଯଥେଷ୍ଟ ଅଯତ୍ନ ଓ ଅନାଦର ସତ୍ତ୍ୱେ ଉତ୍କଳଭୂମିରେ ଯେ ଏହାର ପ୍ରୟୋଜନୀୟତା ଅନୁଭୂତ ହୋଇନାହିଁ, ଏ କଥା କହିବାକୁ ଆମ୍ଭେ ପ୍ରସ୍ତୁତ ନୋହୁଁ । ଆମ୍ଭମାନଙ୍କର ପୂର୍ବେ ଅନେକଗୁଡ଼ିଏ ପତ୍ରିକା ଉତ୍କଳଭୂମିରେ ଆବିର୍ଭୁତ ହୋଇ ନିତାନ୍ତ ଶୋଚନୀୟ ଦଶା ଲଭିଅଛନ୍ତି । ଟିକିଏ ଆଦର ଓ ଯତ୍ନର ଅଭାବରେ ଅକାଳ ମୃତ୍ୟୁଗ୍ରାସରେ ପତିତ ହୋଇଅଛନ୍ତି । ଟିକିଏ ଆଦର ଓ ଯତ୍ନର ଅଭାବରେ ଅକାଳ ମୃତ୍ୟୁଗ୍ରାସରେ ପତିତ ହୋଇଅଛନ୍ତି । ତଥାପି ଆବେଗ ସମ୍ୱରଣ କରି ନ ପାରି ଏ କାର୍ଯ୍ୟରେ ପ୍ରବୃତ୍ତ ହେଲୁଁ । ଆମ୍ଭମାନଙ୍କର ଚେଷ୍ଠା ବ୍ୟର୍ଥ ହେଉ. ସେଥିପାଇଁ ଶୋଚନା ନାହିଁ, ଅକାଳରେ ମରିବାକୁ ହେବ କ୍ଷତି ନାହିଁ, ତାଦୃଶ ମୃତ୍ୟୁ ଭିତରେ ନବଜୀବନର ଆଶା ଜାଗ୍ରତ ରହିଅଛି ।’’

 

ଶିକ୍ଷିତ ସମ୍ଭ୍ରାନ୍ତ ଗ୍ରାହକମାନଙ୍କର ଉଦାସୀନ ଓ ବିତୃଷ୍ଣା ମନୋବୃତ୍ତି ଲକ୍ଷ୍ୟକରି ବିଶ୍ୱନାଥ କର ବହୁବାର ଉତ୍କଳ ସାହିତ୍ୟ ପତ୍ରିକା ଜରିଆରେ ସେମାନଙ୍କୁ ନିବେଦନ କରିଥିଲେ । ସେମାନଙ୍କଠାରୁ କୌଣସି ଉତ୍ତର ନ ପାଇ ସେମାନଙ୍କର ସାହିତ୍ୟ ନୀରବତାରେ ବ୍ୟଥିତ ହୋଇ ସେ ଆକ୍ଷେପ କରି ଲେଖିଥିଲେ, ‘‘ଗ୍ରାହକମାନଙ୍କ ମଧ୍ୟରୁ ଅଧିକାଂଶ ଆମ୍ଭମାନଙ୍କ କଥାରେ କର୍ଣ୍ଣପାତ କରିବାକୁ ଏକାନ୍ତ ନାରାଜ । ଆମ୍ଭେମାନେ ଚାରି ବର୍ଷକାଳ ଏହିପରି ବହୁ ସୁଶିକ୍ଷିତ ସମ୍ମାନିତ ସମ୍ପନ୍ନ ଉତ୍କଳ ସନ୍ତାନଙ୍କର ଅନାଦର ଉପେକ୍ଷା ଓ ଅବଜ୍ଞା ଯଥେଷ୍ଟ ପରିମାଣରେ ସହ୍ୟ କରିଛୁଁ । ଯେଉଁମାନେ ନିତାନ୍ତ ବଡ଼ଲୋକ ବିଜ୍ଞ, ଆମ୍ଭେମାନେ ଆଉ ଅଯୋଚିତ ଭାବରେ ସେମାନଙ୍କର ଦ୍ୱାରସ୍ଥ ହେବୁ ନାହିଁ; ସେମାନଙ୍କୁ ବିରକ୍ତ କରିବୁ ନାହିଁ, ସେମାନଙ୍କ ସୁଖନିଦ୍ରାରେ ବ୍ୟାଘାତ ଘଟାଇବୁଁ ନାହିଁ ।’’

 

କେବଳ ଯେ ଶିକ୍ଷିତ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କର ଏ ପ୍ରକାର ନୀରବ ଉଦାସୀନତା ଦେଖାଦେଇଥିଲା ତା ନୁହେଁ, ପ୍ରକାଶ୍ୟ ଭାବରେ ସେମାନେ ମଧ୍ୟ ମାତୃଭାଷା ଓ ସାହିତ୍ୟ ପ୍ରତି ନିଜର ଅଶ୍ରଦ୍ଧା ତଥା ବିତୃଷ୍ଣା ପ୍ରକାଶ କରିବାକୁ କୁଣ୍ଠା ପ୍ରକାଶ କରୁ ନ ଥିଲେ । ତତ୍କାଳୀନ ଜଣେ ତଥାକଥିତ ବିଖ୍ୟାତ ଦେଶହିତୈଷୀଙ୍କର ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି କି ପ୍ରକାର ଲଘୁ ମନୋବୃତ୍ତି ଥିଲା, ତାହା ତାଙ୍କର ନିମ୍ନୋକ୍ତ ବକ୍ତବ୍ୟରୁ ଜଣାପଡ଼େ; ଯଥା—‘‘ଓଡ଼ିଶାରେ ଅନେକ ବଡ଼ ବଡ଼ ଅଭାବ ରହିଛି, ସେ ସବୁର ତୁଳନାରେ ଉତ୍କଳ ସାହିତ୍ୟ କେଉଁଠି ଲାଗେ ? ଆଉ ଏହାଦ୍ୱାରା ଦେଶର ବିଶେଷ ଉପକାର ବା କ’ଣ ହେବ ?’’

 

ଦେଶ ଓ ଜାତି ପାଇଁ ସାହିତ୍ୟ ସୃଷ୍ଟି କରୁଥିଲେ ମଧ୍ୟ ଲେଖକମାନେ ସବୁ କାଳରେ ଆର୍ଥିକ ଅସ୍ୱଚ୍ଛଳତା ଓ ଦାରିଦ୍ର୍ୟ ମଧ୍ୟରେ ଜୀବନ କଟାନ୍ତି । ରାଜା, ଜମିଦାର ଓ ଅବସ୍ଥାପନ୍ନ ବ୍ୟକ୍ତିଙ୍କର ପୃଷ୍ଠପୋଷକତାରେ ଲେଖକମାନେ ଉତ୍ସାହିତ ହୋଇ ନିଜ ସୃଷ୍ଟିର ବିକାଶ ଘଟାଇଥାନ୍ତି । ବଙ୍ଗଦେଶରେ ଇଂରେଜମାନଙ୍କ ଦ୍ୱାରା ସୂଷ୍ଟ ଜମିଦାର ଓ ରାଜାମାହାରାଜାମାନେ ବଙ୍ଗୀୟ ଭାଷା ଓ ସାହିତ୍ୟର ସମୃଦ୍ଧି ପାଇଁ ଯେପରି ଲେଖକମାନଙ୍କର ପୃଷ୍ଠପୋଷକତା କରୁଥିଲେ, ଓଡ଼ିଶାରେ କେଇ ଜଣ ରାଜାଙ୍କୁ ଛାଡ଼ିଦେଲେ ଅନ୍ୟମାନେ ସମ୍ପୁର୍ଣ୍ଣ ନିଶ୍ଚେଷ୍ଟ ଓ ଉଦାସୀନ ଥିଲେ । ବହୁ ରାଜା ଆଧୁନିକ ଶିକ୍ଷାରୁ ବଞ୍ଚିତ ଥିଲେ । ପୁଣି ମାତୃଭାଷା ଓ ସାହିତ୍ୟ ପ୍ରତି ସେମାନଙ୍କର ଆନ୍ତରିକ ଅନୁରାଗର ଏକାନ୍ତ ଅଭାବ ଥିଲା । ଏମାନଙ୍କ ଉଦାସୀନତା, ସାହିତ୍ୟ ନାମରେ ଅସାହିତ୍ୟିକମାନଙ୍କର ପୁସ୍ତକ ସଙ୍କଳନ ଓ ନିମ୍ନଶ୍ରେଣୀର ସମାଲୋଚନାରେ କବିବର ରାଧାନାଥ ଏକାନ୍ତ ହତାଶ ଓ କ୍ଷୁବ୍‍ଧ ହୋଇ ତାଙ୍କର ଗୋଟିଏ ପତ୍ରରେ ଲେଖିଥିଲେ, ‘‘ଓଡ଼ିଶାରେ ସାହିତ୍ୟାନୁରାଗୀ ରାଜା ଥିଲେ, ମୁଁ ବହୁଦିନ ପୂର୍ବେ ପେନସେନ ନେଇ ତାହାଙ୍କର ଆଶ୍ରୟରେ ରହି ଉତ୍କଳ ସାହିତ୍ୟୋନ୍ନତିରେ ସମସ୍ତ ସମୟ ଯାପନ କରିଥାଆନ୍ତି । ୟୁରୋପରେ ରାଜା ଓ ଧନବନ୍ତ ବ୍ୟକ୍ତିମାନେ ଯେପରି ବିଦ୍ୟୋତ୍ସାହୀ ଓ ସାହିତ୍ୟରସିକ, ଓଡ଼ିଶାରେ ସେପରି ଦୁଇଚାରୋଟି ଯଦି ରାଜା ଥାଆନ୍ତେ, ତା’ହେଲେ ୫୦/୬୦ବର୍ଷ ମଧ୍ୟରେ ଏହି ଦରିଦ୍ର ଉତ୍କଳଭାଷା ମଧ୍ୟ ପୃଥିବୀରେ ଗୋଟିଏ ଗଣନୀୟ ଭାଷା ହୋଇପାରନ୍ତା । ଦୁଃଖର ବିଷୟ ଯେ, ସେପରି ରାଜା ଓଡ଼ିଶାରେ ଜଣେ ସୁଦ୍ଧା ପାଇବା ସହଜ ନୁହେଁ ।’’ ରାଜା, ମହାରାଜା, ଜମିଦାର ଓ କଥାକଥିତ ଶିକ୍ଷିତ ବାବିଶ୍ରେଣୀଙ୍କର ମାତୃଭାଷା ପ୍ରତି ଏ ପ୍ରକାର ଶିଥିଳ ମନୋବୃତ୍ତି ମୂଳରେ ଥିଲା ଇଂରେଜମାନଙ୍କର ଶାସନ ନୀତି ଓ ସେମାନଙ୍କର ସଭ୍ୟତାର ଅନ୍ଧ-ଅନୁକରଣ । ଇଂରେଜୀ ଶିକ୍ଷା ଯେତେବେଳେ ରାଜପଦ ଲାଭପାଇଁ ନିଶ୍ଚିତ ଉପାୟରୂପେ ଗୃହୀତ ହେଲା, ସେତେବେଳେ ଶିକ୍ଷିତ ବାବୁମାନଙ୍କର ପରିବାର ମଧ୍ୟରେ ଇଂରାଜୀ ଭାଷା ଓ ସାହିତ୍ୟ ଚଳଣିର ବ୍ୟବହାର କ୍ରମଶଃ ବୃଦ୍ଧିପାଇଲା । ଫଳରେ ଓଡ଼ିଆ ଭାଷା ଓ ଓଡ଼ିଆ ଚଳଣି ପ୍ରତି ଅଶ୍ରଦ୍ଧା ଓ ବିତୃଷ୍ଣା ଦିନକୁ ଦିନ ବଢ଼ି ଚାଲିଲା ।

 

ଇଂରେଜମାନେ ଶାସନ, ବାଣିଜ୍ୟ ଓ ଶିଳ୍ପକ୍ଷେତ୍ରରେ ସେମାନଙ୍କର ସ୍ୱାର୍ଥପରତା ଓ ଶୋଷଣନୀତି ହେତୁ ନିନ୍ଦିତ ହେଲେ ମଧ୍ୟ ଭାରତୀୟ ତଥା ଉତ୍କଳୀୟ ଜାତୀୟ ଜୀବନର ଗଠନ ଓ ବିକାଶ ଦିଗରେ ଏବଂ ଭାଷା ଓ ସାହିତ୍ୟର ସମୃଦ୍ଧି ଦିଗରେ ସେମାନଙ୍କର ପରୋକ୍ଷ ତଥା ପ୍ରତ୍ୟେକ୍ଷ ପ୍ରେରଣା ଭୁଲିଯିବାର ନୁହେଁ । ବ୍ରିଟିଶ ଶାସନ କଳର ପରିଚାଳନା ପାଇଁ ଇଂରାଜୀ ଶିକ୍ଷାର ପ୍ରବର୍ତ୍ତନ ହେଲେ ମଧ୍ୟ କେତେକ ହିତୈଷୀ ଇଂରାଜୀ ଶାସକ ଓ ଶିକ୍ଷ୍ୟାବିତ୍‍ ଇଂରାଜୀ ଶିକ୍ଷା ଦ୍ୱାରା ଭାରତୀୟମାନଙ୍କର କୌଣସି ଉନ୍ନତି ହେଉନାହିଁ ବୋଲି ଲକ୍ଷ୍ୟ କରିଥିଲେ । ଇଂରାଜୀ ଶିକ୍ଷିତ ବ୍ୟକ୍ତି ନିଜ ଦେଶର ସାମାଜିକ ଆଦର୍ଶ, ଜୀବନ ଧାରା ଓ ପରଂପରା ସହିତ କୌଣସି ସମନ୍ୱୟ ସ୍ଥାପନ କରିବା ଦୂରେ ଥାଉ, ନିଜର ଜାତୀୟ ସଂସ୍କୃତ ଓ ଚଳଣିକୁ ଘୃଣାଚକ୍ଷୁରେ ଦେଖୁଥିଲେ । ଏହାର ବିଷମୟ ପରିଣତିକୁ ଲକ୍ଷ୍ୟକରି ଲର୍ଡ କର୍ଜନ କହିଥିଲେ, ‘‘ଏ ଦେଶର ଲୋକେ ଇଂରାଜୀ ଶିଖିବା ପାଇଁ ପାଗଳ । ଦେଶୀୟ ଭାଷାମାନଙ୍କ ଉପରେ ସେମାନଙ୍କର ସେତେ ଆସ୍ଥା ନାହିଁ, ସେଇ ହେତୁ ଦେଶୀୟ ଭାଷା ଶିକ୍ଷାର ଉନ୍ନତି ହୋଇପାରୁ ନାହିଁ ।’’

 

୧୮୮୨ ସାଲରେ ସିମଳାରେ ବସିଥିବା ଶିକ୍ଷା ସମ୍ମିଳନୀରେ ସେ କହିଥିଲେ—

 

It is no use to turn out respectable clerks or munsifs or vokils, if this is done at the expense of the intellect of the nation.

 

X      X      X      X

 

The Vernaculars are living language of this great continent, English is a vehicle of learning and of advancement to a small minority but for the vast bulk it is a foreign tongue which they do not speak and rarely hear. If the vernaculars contained to literary models no classics, I might not be so willing to recommend them but we all know that in them are enriched famous treasures of literature and, art, while even the secrets of modern knowledge are capable of being communicated there by in an idiom and phrases which will be understood by millions of people, to whom our English terms and idioms will never be anything but an unintelligible jargon.”

 

ଭାରତରେ ଇଂରାଜୀ ଶିକ୍ଷାର ପ୍ରବର୍ତ୍ତକ ଓ ଇଂରାଜୀ ଶିକ୍ଷିତ ଭରତୀୟମାନଙ୍କ ସମ୍ପର୍କରେ ମେକଲେ ଯାହା କହିଥାନ୍ତୁ ନା କାହିଁକି, ସଂସ୍କୃତ ଓ ଇଂରାଜୀ ଭାଷା ମାଧ୍ୟମ ବଦଳରେ ଦେଶୀୟଭାଷା ମାଧ୍ୟମରେ ଅଧିକାଂଶ ବିଷୟର ଶିକ୍ଷାଦାନ ସପକ୍ଷରେ ସେ ଦୃଢ଼ମତ ପ୍ରକାଶ କରିଥିଲେ ।

 

ଲର୍ଡ ମେବ୍‍ ଲେଙ୍କର ଅଭିମତ ଓ ପରବର୍ତ୍ତୀ କାଳରେ ଲର୍ଡ କର୍ଜନଙ୍କର ଅଭିମତ ପ୍ରାଦେଶିକ ଭାଷା ଓ ସାହିତ୍ୟର ବିକାଶ ସମ୍ପର୍କରେ ଚିନ୍ତା କରିବାକୁ ଲେଖକ ଏବଂ ସ୍କୁଲ ତଥା ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ମନରେ କମ୍‍ ପ୍ରେରଣା ଦେଇ ନଥିଲା । ତା’ର ଫଳସ୍ୱରୂପ ବିଶ୍ୱବିଦ୍ୟାଳୟର ପାଠ୍ୟତାଲିକାରେ ଦେଶୀୟ ଭାଷା ଗୁଡ଼ିକୁ ସ୍ଥାନ ଦିଆଯାଇଥିଲା । ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟ ସଂସ୍କୃତ ପରିବର୍ତ୍ତେ ସ୍ନାତକ(ବି.ଏ) ପରୀକ୍ଷା ପର୍ଯ୍ୟନ୍ତ ଦେଶୀୟ ଭାଷାଗୁଡ଼ିକୁ ଦ୍ୱିତୀୟ ଭାଷାରୂପେ ଗ୍ରହଣ କରିଥିଲେ । ବଙ୍ଗଳାର ବଙ୍ଗୀୟ ସାହିତ୍ୟ ପରିଷଦ ଓ ବମ୍ୱେର ମହାତ୍ମା ରାନାଡ଼େ ପ୍ରଭୃତିଙ୍କ ବଳିଷ୍ଠ ଯୁକ୍ତିପୂର୍ଣ୍ଣ ପ୍ରାର୍ଥନା ଫଳରେ ବିଶ୍ୱବିଦ୍ୟାଳୟ ପରୀକ୍ଷା ଗୁଡ଼ିକରେ ବଙ୍ଗଳା, ମରାଠୀ, ହିନ୍ଦୀ, ଉର୍ଦ୍ଦୁ ପ୍ରଭୃତି ଭାଷାଗୁଡ଼ିକ ପ୍ରବେଶାଧିକାର ପାଇଥିଲେ ।

 

ଅନ୍ୟ ପ୍ରଦେଶ ଅପେକ୍ଷା ବିଳମ୍ୱରେ ଓଡ଼ିଶାରେ ଇଂରାଜୀ ଶିକ୍ଷା ପ୍ରବର୍ତ୍ତିତ ହେବା ଫଳରେ ଦେଶୀୟ ଭାଷାରେ ଆଧୁନିକ ସାହିତ୍ୟ ଓ ପାଠ୍ୟ ପୁସ୍ତକ ରଚନା ବହୁ ବିଳମ୍ୱରେ ହୋଇଥିଲା । ଓଡ଼ିଶାର ବିଦ୍ୟାଳୟ ଓ ପାଠଶାଳାମାନଙ୍କରୁ ଓଡ଼ିଆଭାଷା ଉଠାଇଦେବା ସମ୍ପର୍କରେ ଯେଉଁ ଆନ୍ଦୋଳନ ହୋଇଥିଲା, କେତେକ ଦେଶପ୍ରାଣ ଶିକ୍ଷିତ ବ୍ୟକ୍ତିଙ୍କ ଆପ୍ରାଣ ଚେଷ୍ଟା ଭାଷାତତ୍ତ୍ୱବିତ୍‍ ଜନ୍‍ ବୀମସ ଓ କମିଶନର ରେଭେନ୍‍ସା ସାହେବଙ୍କ ଦୃଢ଼ ଅନୁମୋଦନକ୍ରମେ ତାହା ପଣ୍ଡ ହୋଇଥିଲା । ବିଦ୍ୟାଳୟଗଡ଼ିକରେ ଓଡ଼ିଆ ଭାଷାର ପ୍ରଚଳନ ସମ୍ପର୍କରେ ସରକାରୀ ଆଦେଶ ପ୍ରଚାରିତ ହେବା ପରେ (୧୮୬୯) ବହୁ ଓଡ଼ିଆ ପାଠ୍ୟପୁସ୍ତକ ରଚିତ ହେଲା ।

 

କିନ୍ତୁ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ଓଡ଼ିଆଭାଷାକୁ ସ୍ଥାନ ଦିଆଯାଇ ନଥିବାରୁ ଓଡ଼ିଶାର କେତେକ ଛାତ୍ର ଓଡ଼ିଆ ଭାଷାର ପ୍ରବେଶଧିକାର ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରେ ନିବେଦନ କରିଥିଲେ ।

 

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରମାନଙ୍କର ନିବେଦନ ପ୍ରଥମେ ନ ଶୁଣିଲେ ମଧ୍ୟ ପରେ ସହୃଦୟତାର ସହିତ ବିଚାର କରି ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ଓଡ଼ିଆଭାଷାକୁ ପ୍ରବେଶାଧିକାର ଦେଇଥିଲେ । କିନ୍ତୁ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଥିଲା ଯେ ଏଫ. ଏ. ଓ ବି.ଏ ପରୀକ୍ଷାମାନଙ୍କରେ ପରୀକ୍ଷାର୍ଥୀମାନେ ମୌଳିକ ରଚନାର ପ୍ରଶ୍ନ ପାଇବେ, ଓଡ଼ିଆରେ ପାଠ୍ୟପୁସ୍ତକ ଅଭାବରୁ କଲେଜରେ ସେ ବିଷୟରେ ଶିକ୍ଷା ଦିଆଯିବ ନାହିଁ ।

 

ଏହି ସମ୍ୱାଦ ଓଡ଼ିଆ ଛାତ୍ର ଓ ଶିକ୍ଷିତ ମଧ୍ୟବିତ୍ତ ଲେଖକଗୋଷ୍ଠୀଙ୍କ ମନରେ ଯେପରି ଆନନ୍ଦ ଦେଇଥିଲା, ଅନ୍ୟ ଦିଗରେ ଓଡ଼ିଆଭାଷାର ପୁସ୍ତକ ଦାରିଦ୍ର୍ୟ ସେମାନଙ୍କ ମନରେ ସେହିପରି ଦୁଃଖ ଦେଇଥିଲା । ସେତେବେଳେ ଓଡ଼ିଶା ଓ ଓଡ଼ିଆ ଭାଷାର ଇତିହାସ, ଭଲ ବ୍ୟାକରଣ ଓ ଅଭିଧାନ ପୁସ୍ତକ ପାଇବା ତ ଦୂରର କଥା, ଉତ୍କଳର ପ୍ରାଚୀନ ସାହିତ୍ୟର ପ୍ରକାଶ ସେତେବେଳକୁ ସେପରି ହୋଇ ନ ଥିଲା । ବିଶ୍ୱବିଦ୍ୟାଳୟର ଅନୁମତି, ଛାତ୍ରସମାଜର ମାତୃଭାଷା ପ୍ରତି ଆଦର ଓ ପୁସ୍ତକ ଦୈନ୍ୟ ଲକ୍ଷ କରି ସଂପାଦକ ବିଶ୍ୱନାଥ କର ଲେଖିଥିଲେ, ‘‘ଆଗାମୀ ବର୍ଷରୁ ଛାତ୍ରମାନେ ଓଡ଼ିଆଭାଷା ଓ ସାହିତ୍ୟ ସମ୍ୱନ୍ଧରେ ରଚନା ଲେଖିବେ । କଲେଜରେ ସେମାନଙ୍କୁ ତଦ୍‍ବିଷୟରେ କିଛି ଶିକ୍ଷା ଦିଆଯିବ ନାହିଁ । ଓଡ଼ିଆ ଭାଷାର ପୁସ୍ତକ ଇତ୍ୟାଦି ସହିତ ସେମାନଙ୍କର ପରିଚୟ ଅତି ଶୋଚନୀୟ । ସମସ୍ତେ ଯେ ଓଡ଼ିଆ ଭାଷାର ମୁଦ୍ରିତ ପୁସ୍ତକ, ପତ୍ରିକା ଇତ୍ୟାଦି କ୍ରୟ କରିବେ, ସେ ଆଶା ନାହିଁ । ଓଡ଼ିଶାର ରାଜଧାନୀରେ ସାଧାରଣ ପୁସ୍ତକାଳୟର ଅଭାବର କଥା ଭାବିଲେ ହୃଦୟ ଅବସନ୍ନ ହୋଇପଡ଼େ । ସାହିତ୍ୟିକ ସଭାସମିତିର କଥା ତଥୈବଚ । କଲେଜ ସଂଲଗ୍ନ ପୁସ୍ତକାଳୟରେ ବୋଧହୁଏ ଓଡ଼ିଆ ପୁସ୍ତକର ନାମଗନ୍ଧ ନାହିଁ, ଥିଲେ ମଧ୍ୟ ପାଇବା ଦୁଷ୍କର । ତେବେ ଛାତ୍ରମାନେ କ’ଣ କରିବେ ?’’

 

ଓଡ଼ିଆଭାଷା ଓ ସାହିତ୍ୟର ସମୃଦ୍ଧିପାଇଁ ଛାତ୍ରମାନଙ୍କର ଉତ୍କଣ୍ଠା ଓ ଲେଖକମାନଙ୍କର ଆଗ୍ରହ ଯେତେବେଳେ ବଢ଼ି ଉଠୁଥିଲା, ସେତେବେଳେ ହାତଗଣନ୍ତା ଦୁଇ ତିନିଜଣ ରାଜାଙ୍କୁ ଛାଡ଼ିଦେଲେ ଅନ୍ୟ ରାଜା ଓ ଜମିଦାରମାନଙ୍କର ଶିଥିଳତା ଓଡ଼ିଆଜାତି ପକ୍ଷରେ କମ୍‍ ଦୁର୍ଭାଗ୍ୟର ବିଷୟ ନୁହେଁ । ତେବେ ନାନା ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଓଡ଼ିଆ ଜାତୀୟ ଜୀବନର ସଂକଟକାଳରେ କେତେକ ଛାତ୍ର, ଲେଖକ ଦେଶହିତୈଷୀ ସମ୍ୱାଦିକ ଓଡ଼ିଆ ଭାଷା ତଥା ସାହିତ୍ୟର ବିକାଶକଳ୍ପେ ଉତ୍କଳ ସାହିତ୍ୟ ସମାଜର ପ୍ରତିଷ୍ଠା ଠାରୁ ଆରମ୍ଭକରି ପତ୍ରପତ୍ରିକା ଓ ପୁସ୍ତକ ପ୍ରକାଶନରେ କମ୍‍ ଧୈର୍ଯ୍ୟ, ସାହସ ଓ ସହିଷ୍ଣୁତା ଦେଖାଇ ନାହାନ୍ତି ।

 

ବର୍ତ୍ତମାନ ଆଉ ସେ ପୂର୍ବର ପରିସ୍ଥିତି ନାହିଁ । ବିଶ୍ୱବିଦ୍ୟାଳୟର ପାଠ୍ୟସୂଚୀରେ ମାତୃଭାଷା ବାଧ୍ୟତାମୂଳକ ବିଷୟ ରୂପେ ସ୍ଥାନ ପାଇଛି । ସଂଖ୍ୟା ଦୃଷ୍ଟିରୁ ବିଚାର କଲେ ପୂର୍ବାପେକ୍ଷା ବହୁ ପୁସ୍ତକ ଓ ପତ୍ରପତ୍ରିକା ପ୍ରକାଶିତ ହେଉଛି, କିନ୍ତୁ ଗୁଣ ଦୃଷ୍ଟିରୁ ବିଚାର କଲେ ନିରାଶ ହେବାକୁ ହୁଏ । ତା’ଛଡ଼ା ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଛାତ୍ରମାନଙ୍କର ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି କିପରି ଗୋଟାଏ ନିରର୍ଥକ ବିତୃଷ୍ଣା ମନୋଭାବ ପରିଲକ୍ଷିତ ହୁଏ । ମନେହୁଏ, ଏ ପ୍ରକାର ମନୋବୃତ୍ତି ପାଇଁ ବର୍ତ୍ତମାନର ପ୍ରକାଶକ, ଲେଖକ ଓ ପାଠକମାନେ ବିଶେଷ ଦାୟୀ । ଲେଖକମାନଙ୍କ ମଧ୍ୟରେ ଏକତାହୀନତା, ପ୍ରକାଶକମାନଙ୍କର ବ୍ୟବସାୟ ମନୋବୃତ୍ତି ଉନ୍ନତ ସାହିତ୍ୟ ସୃଷ୍ଟିରେ ପ୍ରତିବନ୍ଧକ ହୋଇଛି । ବହୁ ନବୀନ ଲେଖକ ବିଭିନ୍ନ ସଂସଦ, ଅନୁଷ୍ଠାନ ଓ ସମ୍ମିଳନୀ ଜରିଆରେ ଯଶ ପାଇଁ ଅଧିକ ଲାଳାୟିତ, କିନ୍ତୁ ଏମାନଙ୍କର ଅଧ୍ୟବସାୟ, ମନନଶୀଳତା ଓ ଉନ୍ନତିଭାବ କଳ୍ପନାର ଅଭାବ ଲକ୍ଷ୍ୟ କଲେ କ୍ଷୋଭ ଜାତ ହୁଏ । ନିରପେକ୍ଷ ସମାଲୋଚନା ପାଇଁ ପ୍ରାୟ ସମସ୍ତେ ଅପ୍ରସ୍ତୁତ । ଆନ୍ତରିକତାପୂର୍ଣ୍ଣ ନିର୍ମଳ ସାହିତ୍ୟ ସେବାର ପରିବେଶ ନାହିଁ କହିଲେ ଚଳେ । ଏ ପରିସ୍ଥିତିରେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କର ଶିଥିଳ ମନୋଭାବ ଦେଖାଯିବା ସ୍ୱାଭାବିକ ।

 

ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ତଥା ପ୍ରତିଯୋଗିତାମୂଳକ ବାତାବରଣରେ ଓଡ଼ିଶାର ପାଠକ, ଲେଖକ, ପ୍ରକାଶକ ଓ ଅବସ୍ଥାପନ୍ନ ଲୋକମାନେ ଗତାନୁଗତିକ ମନୋବୃତ୍ତି ବଦଳାଇ ଜାତିର ସ୍ୱାର୍ଥ ଦୃଷ୍ଟିରୁ ଓଡ଼ିଆ ଭାଷା ଓ ସାହିତ୍ୟକୁ ଦୃଢ଼ ଭିତ୍ତି ଉପରେ ଠିଆ ନ କରାଇଲେ ସେମାନଙ୍କର ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ ।

Image

 

ସିଂହାବଲୋକନ

(୧)

 

ସାହିତ୍ୟରେ ଜାତିର ଆତ୍ମା ପ୍ରତିବିମ୍ୱିତ ହୁଏ, ପୁଣି ସାହିତ୍ୟ ଜାତିର ତ୍ରୁଟି ବିଚ୍ୟୁତି ସୂଚେଇ ଦେଇ ସଂସ୍କାର ଓ ପ୍ରଗତି ଦିଗରେ ବଳିଷ୍ଠ ଇଙ୍ଗିତ ଦିଏ । ଫଳରେ ଯୁଗର ସମସ୍ତ ପ୍ରତିବନ୍ଧକ ବା ପ୍ରତିକୂଳ ପରିସ୍ଥିତି ବିରୁଦ୍ଧରେ ସଂଗ୍ରାମ କରି ସମାଜର ଶୈଥିଲ୍ୟ ଓ ସ୍ଥାଣୁତାକୁ ମାଡ଼ି ଦଳି ଜାତି ନୂତନ ସ୍ଫୁର୍ତ୍ତି, ଗତି ଓ ଆବେଗ ନେଇ ଆଗେଇ ଚାଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେବାର ପଚିଶି ବର୍ଷ ପରେ ଆଜିର ରୌପ୍ୟଜୁବୁଲି ଉତ୍ସବର ଅନୁଷ୍ଠାନ ସମୟରେ ଏ ଜାତି ଏବଂ ତାର ସାହିତ୍ୟ ଓ କଳାର ପ୍ରଗତି ସଂମ୍ପର୍କରେ ଦୁଇ ଚାରି କଥା ଭାବିବା ପାଇଁ ସ୍ୱତଃ କୌତୁହଳ ଜାତ ହୁଏ ।

 

ସମସ୍ତ ପ୍ରାକୃତିକ ଓ ମନୁଷ୍ୟକୃତ ପ୍ରତିବନ୍ଧକ ସତ୍ତ୍ୱେ ଓଡ଼ିଆ ଜାତିର ପଦକ୍ଷେପରେ ଯେ ଅଗ୍ରଗତିର ସଙ୍କେତ ମିଳିଛି, ଏହା ଯେ କେହି ସ୍ୱୀକାର କରିବେ । କାରଣ ଅଗ୍ରଗତିର ପ୍ରେରଣା ଦେଇଛି ଏଇ ସମସ୍ତ ପ୍ରତିକୂଳ ପରିସ୍ଥିତି । ଓଡ଼ିଆ ସଂଗ୍ରାମକୁ ଦେଖି କେବେ ଡରି ଯାଇନାହିଁ । ସୁଦୂର ଅତୀତରେ ସଂଗ୍ରାମ କରିଥିଲା । ମୁସଲମାନ, ମରହଟ୍ଟା, ବର୍ଗୀ ଓ ଇଂରେଜଙ୍କ ଶାସନ ଅମଳରେ ମଧ୍ୟ ସଂଗ୍ରାମ କରିଛି । ଅଷ୍ଟାଦଶ ଶତକର ଲେଖା ‘ସମରତରଙ୍ଗ’, ୧୮୧୭ର ଖୋର୍ଦ୍ଧାର ପାଇକ ବିଦ୍ରୋହ ଓ ସମ୍ବଲପୁର ବୀରସୁରେନ୍ଦ୍ର ସାଏଙ୍କର ତ୍ୟାଗ ଓ ବୀରତ୍ୱ ତା’ର ଉଜ୍ଜ୍ୱଳ ସାକ୍ଷୀ । କିନ୍ତୁ ଦୁର୍ଦ୍ଧଷ ପ୍ରତିବେଶୀ ତଥା ବିଦେଶୀ ଶାସକର ଅପଶାସନ ଓ ଶୋଷଣ ବିରୁଦ୍ଧରେ ସଂଗ୍ରାମ କରି ଏ ଜାତି ବିଜିତ ହୋଇଛି ସତ, କିନ୍ତୁ ଅବସନ୍ନ ହୋଇ ପଡ଼ିନାହିଁ ।

 

ବ୍ରିଟିଶ ରାଜତ୍ୱ କାଳରେ ଶାସନ, ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଏ ଜାତି ପ୍ରତିବେଶୀ ବଙ୍ଗ ସହିତ ସମତାଳରେ ଆଗେଇବାକୁ ସୁବିଧା ପାଇନାହିଁ । ସେଥିପାଇଁ ନାନ ପ୍ରତିକୂଳ ପରିସ୍ଥିତି ଦାୟୀ । ସହଜେ ତ ଉତ୍କଳ ଭାରତର ଅନ୍ୟ ପ୍ରଦେଶ ପରି ପରାଧିନ; ପୁଣି ଓଡ଼ିଆ ବିଳମ୍ୱରେ ଅଧିକୃତ ହୋଇ ତିନୋଟି ପ୍ରଦେଶର ଶାସନାଧୀନ ହୋଇଥିବାରୁ ଅନ୍ୟମାନଙ୍କ ପରି କିଛି ସୁବିଧା ସୁଯୋଗ ପାଇପାରି ନାହିଁ । ସେଥିପାଇଁ ଶାସନ ଆରମ୍ଭରେ ନୂତନ ଶିକ୍ଷାର ପ୍ରବର୍ତ୍ତକ ପାଇଁ କେହି ସମୁଚିତ ଦୃଷ୍ଟି ଦେଇ ନାହାନ୍ତି । ଓଡ଼ିଶାରେ ଶାସନ ପରିଚାଳନା ପାଇଁ ଇଂରାଜୀ ଶିକ୍ଷିତ ଯୁବକ ମିଳିନାହାନ୍ତି, ଫଳରେ ଇଂରାଜୀଶିକ୍ଷିତ ପ୍ରତିବେଶୀ ବଙ୍ଗୀୟ କର୍ମଚାରୀ ଓ ଦକ୍ଷିଣରେ ତେଲଙ୍ଗା କର୍ମଚାରୀମାନେ ନିଯୁକ୍ତି ପାଇ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଗହଳି ଜମେଇଛନ୍ତି । ଓ ଓଡ଼ିଶାରେ ଘରଦ୍ୱାର ଜମିବାଡ଼ି କରି ଓଡ଼ିଶାକୁ ଶୋଷଣ କରିବାର ସୁଯୋଗ ପାଇଛନ୍ତି । ଫଳରେ ଏ ଦେଶର ସ୍ୱାର୍ଥ ସମ୍ୱନ୍ଧରେ ଇଂରାଜୀ ଶାସକ ଓ ତାଙ୍କର ଅଧସ୍ତନ ଅଣଓଡ଼ିଆ କର୍ମଚାରୀମାନେ ବା ଭାବନ୍ତେ କାହିଁକି ? ବରଂ ଶାସନର ଆରମ୍ଭ କାଳରେ ସରକାରଙ୍କର ବାରମ୍ୱାର ଭୂ-ବନ୍ଦୋବସ୍ତ ନୀତି, ଲବଣ ଓ ମୁଦ୍ରାନୀତି ଏବଂ ଐତିହ୍ୟ ଓ ସଂସ୍କୃତିସମ୍ପନ୍ନ ଖାଣ୍ଟି ଓଡ଼ିଆ ଜମିଦାରଙ୍କର ଲୋପ ସାଙ୍ଗକୁ ବଙ୍ଗାଳିମାନଙ୍କର ଓଡ଼ିଆ ଜାତି ଓ ଭାଷା ବିଦ୍ୱେଷ ନୀତି ଓଡ଼ିଶାର ଅବସ୍ଥାକୁ ଶୋଚନୀୟ କରିଦେଇଛି । ପୁଣି ବଢ଼ି, ମରୁଡ଼ି, ଦୁର୍ଭିକ୍ଷ ପ୍ରଭୃତି ନାନା ପ୍ରାକୃତିକ ବିପଦ ତ ଲାଗି ରହିଥାଏ । ଏହି ସମୟରେ ଓଡ଼ିଆ ଜାତିର ଭାଗ୍ୟରେ ଯାହା ଘଟିଗଲା, ଠିକ୍‍ ଏଇ ପରିସ୍ଥିତିରେ ଅନ୍ୟ ଯେ କୌଣସି ପ୍ରଦେଶର ଅବସ୍ଥା ମଧ୍ୟ ସେଇଆ ହୋଇଥାଆନ୍ତା ।

 

କିନ୍ତୁ ଅବସ୍ଥା କ୍ରମେ ବଦଳି ଆସିଛି । ଇଂରେଜୀ ଶିକ୍ଷାର ପ୍ରବର୍ତ୍ତକ ହେତୁ ସ୍କୁଲ କଲେଜ ସ୍ଥାପିତ ହୋଇଛି । ଓଡ଼ିଆମାନେ କ୍ରମେ କ୍ରମେ ଅଳ୍ପ ବହୁତ ଶିକ୍ଷିତ ହୋଇଛନ୍ତି । ଦେଶର ଘୋର ଅନ୍ଧକାର ସମୟରେ ଗୌରୀଶଙ୍କର, ଫକୀରମୋହନ, ମଧୁସୂଦନ, ରାଧାନାଥ, ବିଚ୍ଛନ୍ଦଚରଣ ପ୍ରଭୃତି ଓଡ଼ିଆ ସନ୍ତାନମାନେ ସମସ୍ତ ସଙ୍କଟର ସମ୍ମୁଖୀନ ହୋଇ ଜାତିକୁ ସଙ୍କଟ ମୁକ୍ତ କରିବାକୁ ଲାଗିପଡ଼ିଛନ୍ତି । ବଙ୍ଗାଳୀମାନେ ଓଡ଼ିଆ ଜାତିର ହୃତପିଣ୍ଡ ସ୍ୱରୂପ ତା’ର ମାତୃଭାଷା ଓ ସାହିତ୍ୟ ଉପରେ ଯେଉଁ ଆକ୍ରମଣ ଚଳାଇଥିଲେ, ଏମାନେ ତା ବିରୁଦ୍ଧରେ ପ୍ରାଣମୂର୍ଚ୍ଛା ଲଢ଼ି ସେମାନଙ୍କର କ୍ଷଡ଼ଯନ୍ତ୍ରକୁ ପଙ୍ଗୁ କରିଦେଇଛନ୍ତି । କେବଳ ଭାଷା ଓ ସାହିତ୍ୟ ନୁହେଁ, ଓଡ଼ିଆଜାତି ସେତେବେଳେ ବହୁ ସମସ୍ୟା ଓ ସଙ୍କଟର ସମ୍ମୁଖୀନ ହୋଇଥାଏ, ପୁଣି ତା’ର ସ୍ୱତନ୍ତ୍ର ପ୍ରଦେଶ ବୋଲି କିଛି ନ ଥାଏ-। ଏହାର ଶାସନ ଓ ଶିକ୍ଷା ବଙ୍ଗଦ୍ୱାରା ନିୟନ୍ତ୍ରୀତ ହେଉଥାଏ, ଫଳରେ ବିଭିନ୍ନ କ୍ଷେତ୍ରରେ ବଙ୍ଗାଳୀଙ୍କର ସଂଖ୍ୟା ଓ ଦୌରାତ୍ମ୍ୟ ବଢ଼ିଯାଇଥାଏ । ଶିକ୍ଷିତ ହେଲେ ମଧ୍ୟ ଓଡ଼ିଆଙ୍କର ବିଭିନ୍ନ କ୍ଷେତ୍ରରେ ପ୍ରବେଶ କରିବା ଏକ ଦୂରହୁ ବ୍ୟାପାର ହୋଇ ପଡ଼ିଥାଏ । ଏ ପ୍ରତିକୂଳ ପରିସ୍ଥିତିରେ ଆଗ ଯେଉଁ ସମସ୍ୟା ସେମାନଙ୍କୁ ସେତେବେଳେ ଗୁରୁତର ବୋଧ ହୋଇଥିଲା, ତାହା ହେଉଛି ଭାଷା ଓ ସାହିତ୍ୟ ସମସ୍ୟା । ଭାଷା ହେଉଛି ଜାତିର ଆତ୍ମା ଓ ସଂସ୍କୃତିର ବାହକ । ଜାତିର ମାତୃଭାଷା ଯେଉଁଠି ବିପନ୍ନ, ସେଇଠି ସମଗ୍ର ଜାତୀର ପ୍ରାଣ ବିପନ୍ନ । ଫଳରେ ମାତୃଭାଷା ଓ ସାହିତ୍ୟର ଅସ୍ତିତ୍ୱ ବଜାୟ ରଖିବା ପାଇଁ ତତ୍‍କାଳୀନ ଲେଖକ ଓ ସାମ୍ୱାଦିକମାନଙ୍କର ବଳିଷ୍ଠ ଉଦ୍ୟମ, ସହୃଦୟ କମିଶନର୍‍(ରେଭେନ୍‍ସା)ଓ କଲେକ୍‍ଟରଙ୍କର (ଜନ୍ ବୀମ୍‍ସ, ବାଲେଶ୍ୱର) ସମର୍ଥନ ଓ ଓଡ଼ିଶାକୁ ନିଜର ମାତୃଭୂମି ବୋଲି ମନେକରୁଥିବା କେତେକ ବଙ୍ଗାଳୀ ଲେଖକଙ୍କର ଆପ୍ରାଣ ଚେଷ୍ଠା ହେତୁ ମାତୃଭାଷାର ପ୍ରାଚୀନତା, ତା’ର ଗୌରବ ଓ ସ୍ୱାତନ୍ତ୍ର୍ୟ ସ୍ୱୀକୃତ ହେବା ସଙ୍ଗେ ସଙ୍ଗ ବଜାୟ ରହିଲା । ଅନ୍ୟ ଭାବରେ କହିବାକୁ ଗଲେ, କାଳର ଆହ୍ୱାନରେ ଗୋଟିଏ ଜାତି ଉଦ୍ଦାମ ପ୍ରାଣଶକ୍ତି ସଂଚାର କରି ଏକ ସଂଗ୍ରାମଶୀଳ ସ୍ୱାଧୀନ ଜାତିଭାବରେ ପରିଚୟ ଦେବାକୁ ଅନୁକୂଳ ପରିବେଶ ସୃଷ୍ଟି କଲା, ଫଳରେ ଆଧୁନିକ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗର ଭିତ୍ତି ସ୍ଥାପନ ଓ ଅଗ୍ରଗତି ପାଇଁ ତୁମୁଳ ପ୍ରଚେଷ୍ଠା ଦେଖାଗଲା । ନାଟ୍ୟସାହିତ୍ୟରେ ରାମଶଙ୍କର, କାବ୍ୟ ସାହିତ୍ୟରେ ରାଧାନାଥ, ଗୀତକବିତା ଓ ପ୍ରବନ୍ଧକ୍ଷେତ୍ରରେ ମଧୁସୂଦନ ଏବଂ କଥାସାହିତ୍ୟ କ୍ଷେତ୍ରରେ ଫକୀର ମୋହନଙ୍କ ସାଧନା ତଥା ସୃଷ୍ଟି ଅବିସ୍ମରଣୀୟ । ଅବଶ୍ୟ ପ୍ରତିବେଶୀ ବଙ୍ଗ ସାହିତ୍ୟ ତୁଳନାରେ ସେତେବେଳେ ଓଡ଼ିଆ ସାହିତ୍ୟର ବହୁମୁଖୀ ବିକାଶ ଆଶା କରିବା ଅସମ୍ଭବ । କାରଣ ଓଡ଼ିଆ ଲେଖକମାନଙ୍କ ପକ୍ଷରେ ତାହା ଏକ ଜୀବନ ମରଣର ସନ୍ଧିକ୍ଷଣ । ଚତୁର୍ଦ୍ଦିଗ ଅନ୍ଧକାରମୟ-। ଦାରିଦ୍ର୍ୟ, ନିଷ୍ପେକ୍ଷଣ ସାଙ୍ଗକୁ ଧର୍ମ ଓ ସାମାଜିକ ଜୀବନରେ ନାନା କୁସଂସ୍କାର ଓ ରକ୍ଷଣଶୀଳତା ପୁରି ରହିଥାଏ । ପୁଣି ସାହିତ୍ୟ ଓ ଭାଷାର ମାନଦଣ୍ଡର କିଛି ସ୍ଥିରତା ନ ଥାଏ । ଫଳରେ ଲେଖକମାନଙ୍କୁ ସେତେବେଳେ କଟୁ ସମାଲୋଚନାଠାରୁ ଆରମ୍ଭ କରି ନାନା ଗୁରୁତର ପରୀକ୍ଷାର ସମ୍ମୁଖୀନ ହେବାକୁ ହୋଇଛି । ତେବେ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଅନୁବାଦ, ଅନୁସରଣ ବା ସୃଷ୍ଟିହେଉ ଜାତୀୟତା, ଦେଶାତ୍ମବୋଧ ଓ ସଂସ୍କାରକର ଆଦର୍ଶରେ ଅନୁପ୍ରାଣିତ ହୋଇ ଜାତିର ସେବା ପାଇଁ ସେ କେତେଜଣ ରଥୀ ଅଣ୍ଟା ଭିଡ଼ି ପାରିଲେ, ତାହା ଏ ଜାତି ପକ୍ଷରେ କମ୍‍ ଗୌରବର ବିଷୟ ନୁହେଁ ।

 

ତେବେ ସମସ୍ତ ପ୍ରତିକୂଳ ସମାଲୋଚନା ସତ୍ତ୍ୱେ ଅନ୍ୟ ଲେଖକମାନଙ୍କ ତୁଳନାରେ ଫକୀରମୋହନଙ୍କର ସୃଷ୍ଟିକୁ ଓଡ଼ିଆଜାତି ଭୁଲିପାରିବ ନାହିଁ । ଓଡ଼ିଆ ଜାତିର ଆଶା ଆକଙ୍‍‍କ୍ଷା, ତାର ପ୍ରାଣ ଓ ତା’ର ସାମାଜିକ ଜୀବନର ଅନ୍ତରଙ୍ଗ ପ୍ରତିରୂପ ଘଟିଛି ଫକୀରମୋହନଙ୍କର କଥାସାହିତ୍ୟରେ । ପୁଣି ସେ ଯେଉଁ ଭାଷାରେ ଏ ଜାତିପ୍ରାଣର ଆଲେଖ୍ୟ ଦେବାକୁ ଯାଇଛନ୍ତି ତାହା ଏ ଜାତିର ପ୍ରାଣର ଭାଷା । ଏ ଦୃଷ୍ଟିରୁ ଫକୀରମୋହନ ଆମର ଅତି ନିକଟ ଆତ୍ମୀୟ । ଜାତିର ସଂକଟକାଳରେ ଓଡ଼ିଆ ସାହିତ୍ୟରେ ତାଙ୍କର ଏ ବୈପ୍ଳବିକ ପଦକ୍ଷେପ, ତାଙ୍କର ନିବିଡ଼ ଜାତୀୟ ଚେତନା, ସୃଷ୍ଟିରେ ସଂସ୍କାରକର ବ୍ୟକ୍ତିତ୍ୱ ଓ ଗଭୀର ପୁରୋଦୃଷ୍ଟି ବାସ୍ତବରେ ଖାଲି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ କାହିଁକି, ଭାରତୀୟ ସାହିତ୍ୟକ୍ଷେତ୍ରରେ କାହିଁକି, ଭାରତୀୟ ସାହିତ୍ୟକ୍ଷେତ୍ରରେ ଏକ ବିସ୍ମୟ । ସମସାମୟିକ ବଙ୍ଗୀୟ ଔପନ୍ୟାସିକ ବଙ୍କିମଚନ୍ଦ୍ରଙ୍କ ଦ୍ୱାରା ସେ ପ୍ରଭାବିତ ହୋଇପାରନ୍ତି, କିନ୍ତୁ ବଙ୍କିମଚନ୍ଦ୍ରଙ୍କ କୃତିରେ (ରୋମାନ୍‍ସ ଓ କାବ୍ୟଧର୍ମ) ଏ ସିଦ୍ଧି ପରିଲକ୍ଷିତ ହୁଏ ନାହିଁ । ପୁଣି ସେ ସମୟରେ ଫକୀରମୋହନଙ୍କ ଉପନ୍ୟାସ ହିନ୍ଦୀରେ ଅନୁଦିତ ହୋଇ ଆଦୃତ ହେବା ଓଡ଼ିଆଜାତି ପକ୍ଷରେ କମ୍‍ ଗୌରବ ଓ ଆନନ୍ଦର ବିଷୟ ନୁହେଁ । ଫକୀରମୋହନ ତାଙ୍କର ସମସାମୟିକ ଏବଂ ପରବର୍ତ୍ତୀ (ଏବେ ବି) ବହୁ ଔପନ୍ୟାସିକ ଓ ଗାଳ୍ପିକଙ୍କର ସୃଷ୍ଟିର ଆଦର୍ଶ ହୋଇଛନ୍ତି । ଓଡ଼ିଆର ଜାତୀୟ ଚେତନା ଓ ସାହିତ୍ୟିକ ରୁଚିର ବିକାଶ ଦିଗରେ ବ୍ରହ୍ମବାଦୀ ମଧୁସୂଦନଙ୍କର ସୃଷ୍ଟି ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ କଟକ ଆଲୋଚନା ସଭା (ପରେ ଓଡ଼ିଆ ସାହିତ୍ୟ ସମାଜ ନାମରେ ପରିଚିତ) ବ୍ରାହ୍ମଧର୍ମାବଲମ୍ୱୀ ସଂସ୍କାରକ ବିଶ୍ୱନାଥଙ୍କର ଉତ୍କଳ ସାହିତ୍ୟ ପତ୍ରିକାର ବଳିଷ୍ଠ ସମ୍ପାଦନା ଓ କବିବର ରାଧାନାଥଙ୍କର ଜାତୀୟଭାବ ଓ ଦେଶାତ୍ମବୋଧମୂଳକ କବ୍ୟକବିତାର ଦାନ ମଧ୍ୟ କମ ନୁହେଁ ।

 

ଶାସନ ଓ ରାଜନୀତି କ୍ଷେତ୍ରରେ ଓଡ଼ିଆ ଯୁବକମାନଙ୍କ ମଧ୍ୟରେ ଯେଉଁ ଦେଖାଦେଇଥିଲା, ତାହାଦ୍ୱାରା ଓଡ଼ିଆର ଜାତୀୟ ଭାବର ବିକାଶର ପଥ କିପରି ପ୍ରସ୍ତୁତ ହୋଇଥିଲା, ଏହା ଏଠାରେ ବିଚାର କରାଯାଉ । ଖ୍ରୀ.୧୮୮୫ ଠାରୁ ଭାରତୀୟ ଜାତୀୟ କଂଗ୍ରେସ ଜରିଆରେ (Indian National Congress) ଭାରତବାସୀ ଇଂରେଜଙ୍କ ଠାରୁ ଶାସନ ଅଧିକାର ପାଇବା ପାଇଁ ଆନ୍ଦୋଳନର ସୂତ୍ରପାତ କରୁଥାଏ । ଓଡ଼ିଶାରେ ଭାରତୀୟ ଜାତୀୟ ଆନ୍ଦୋଳନର ସ୍ପର୍ଶ ଲାଗୁଥିଲେ ମଧ୍ୟ ଓଡ଼ିଶାର ଓଡ଼ିଆ ଓଡ଼ିଆ ନେତାଙ୍କର ବଙ୍ଗାଳୀ ଆଧିପତ୍ୟ ତଥା ପ୍ରଭାବ ଲୋପକରିବା ଥିଲା ସେତେବେଳେ ମୂଳ ରାଜନୈତିକ ଲକ୍ଷ୍ୟ । ଖ୍ରୀ:୧୯୦୩ରେ ଉତ୍କଳ ସମ୍ମିଳନୀ ସ୍ଥାପିତ ହେବା ପର୍ଯ୍ୟନ୍ତ ସରକାରଙ୍କୁ ଓଡ଼ିଶାର ଅଭିଯୋଗ ଜଣେଇବା ପାଇଁ ସେତେବେଳେ ବିଭିନ୍ନ ଜିଲ୍ଲାରେ ନେତୃସ୍ଥାନୀୟ ବ୍ୟକ୍ତିମାନେ ଲୋକହିତକର ଅନୁଷ୍ଠାନମାନ ଆରମ୍ଭ କରିଥିଲେ । ବାଲେଶ୍ୱରର ନେସନାଲ ସୋସାଇଟି ଏବଂ ପୁରୀର ‘ବ୍ରାହ୍ମଣ ସମିତି’ ହେଉଛି ତା’ର ଦୃଷ୍ଟାନ୍ତ । କଟକରେ ସେତେବେଳେ ବାରିଷ୍ଟର ମିଃ ମଧୁସୂଦନ ଦାଶ, ଗୌରୀଶଙ୍କର, ରାମଶଙ୍କର ଓ ପ୍ୟାରୀମୋହନ ପ୍ରଭୃତି ନେତୃସ୍ଥାନୀୟ ବ୍ୟକ୍ତିମାନେ ଓଡ଼ିଆମାନଙ୍କର ନାନା ସମସ୍ୟା ଓ ଅଭାବ ଅଭିଯୋଗର ପ୍ରତିକାର କରୁଥିଲେ । କଂଗ୍ରେସ ସେତେବେଳେ ଓଡ଼ିଶାରେ ଲୋକପ୍ରିୟ ହୋଇପାରି ନଥିଲା । ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳର ଏକତ୍ରୀକରଣ ପାଇଁ ଓଡ଼ିଶାର ତତ୍‍କାଳୀନ ନେତାମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ଏ ଅଞ୍ଚଳରେ ଭାରତୀୟ ଜାତୀୟ କଂଗ୍ରେସଠାରୁ କୌଣସି ଆଶାର ସୂଚନା ନ ମିଳିବାରୁ ଓଡ଼ିଶାର ନେତାମାନେ ଉତ୍କଳ ସମ୍ମିଳନୀର ଆବଶ୍ୟକତା ଉପଲବ୍‍ଧି କଲେ । ଭାଷା ସୂତ୍ରରେ ପ୍ରଦେଶ ଗଠନ ଏକ ମୂଖ୍ୟ ସମସ୍ୟା ହୋଇଥିବାରୁ ଖ୍ରୀଁ:୧୯୦୭ରେ ଗଞ୍ଜାମ ସମ୍ମିଳନୀ ବସେ ଏବଂ ଖ୍ରୀ:୧୯୦୩ରେ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଚେଷ୍ଟାରେ କଟକରେ ଉତ୍କଳ ସମ୍ମିଳନୀ ସ୍ଥାପିତ ହୁଏ । ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଓଡ଼ିଶା ସହିତ ମିଶ୍ରଣ ଓ ଦେଶୀୟ ଶିଳ୍ପର (ତାରକସି କାମ, ଚମଡ଼ାଶିଳ୍ପ, ଖଦୀ) ପୁନରୁଦ୍ଧାର ହେଲା ସମ୍ମିଳନୀର ଉଦ୍ଦେଶ୍ୟ କିନ୍ତୁ ଓଡ଼ିଶା ରାଜନୀତିର ଏ ସଙ୍କୁଚିତ ପରିସର ଦେଖି ଦେଶପ୍ରାଣ ଗୋପବନ୍ଧୁ ତା’ର ପରିସର ଓ ଆଭିମୁଖ୍ୟକୁ ବିସ୍ତୃତ କରିବାକୁ ଚେଷ୍ଟା କଲେ । ପ୍ରଥମ ବିଶ୍ୱଯୁଦ୍ଧର ଅବସାନ ପରେ ଖ୍ରୀ:୧୯୨୦ରେ ଉତ୍କଳ ସମ୍ମିଳନୀର ଚକ୍ରଧରପୁର ଅଧିବେଶନରେ ଗୋପବନ୍ଧୁଙ୍କ ପ୍ରସ୍ତାବକ୍ରମେ ଭାରତୀୟ ଜାତୀୟ କଂଗ୍ରେସର ସ୍ୱାଧୀନତା ଆନ୍ଦୋଳନର ଲକ୍ଷ୍ୟକୁ ଉତ୍କଳ ସମ୍ମିଳନୀର ଅନ୍ୟ ଏକ ପ୍ରଧାନ ଲକ୍ଷ୍ୟରୂପେ ଗ୍ରହଣ କରାଗଲା । ୧୯୧୨ ସାଲଠାରୁ ଓଡ଼ିଶା ବଙ୍ଗରୁ ବିଚ୍ଛିନ୍ନ ହୋଇ କେବଳ ବିହାର ସହିତ ମିଶ୍ରିତ ରହିବାରୁ (ବିହାର ଓଡ଼ିଶା ପ୍ରଦେଶ) ଓଡ଼ିଆମାନଙ୍କର ଆଉ ବଙ୍କାଳିମାନଙ୍କର ପ୍ରତିବନ୍ଧକ ପାଇବାର ସମ୍ଭାବନା ରହିଲା ନାହିଁ ; ଫଳରେ ଅଗ୍ରଗତି ପାଇଁ ଅନୁକୂଳ ପରିବେଶ ମିଳିଲା ।

 

୧୯୧୬ ସାଲରେ ଗୋପବନ୍ଧୁଙ୍କ ଉଦ୍ୟମରେ ପୁରୀ ଜିଲ୍ଲାରେ ଜିଲ୍ଲା କଂଗ୍ରେସ କମିଟି ସ୍ଥାପିତ ହେଲା । ବ୍ରିଟିଶ ସରକାରଙ୍କର ରାଓଲଟ ଆଇନ ପ୍ରଣୟନ ଓ ସେ ଆଇନର ପ୍ରତିରୋଧର ପ୍ରତିକ୍ରିୟା ସ୍ୱରୂପ ଜାଲିଆନାୱାଲାବାଗଠାରେ ଇଂରେଜ ସରକାରର ନୃଶଂସ ହତ୍ୟାକାଣ୍ଡ ସମଗ୍ର ଭାରତରେ ଉତ୍ତେଜନା ସୃଷ୍ଟି କରିବାରୁ ୧୯୨୦ ସାଲରେ ମହାତ୍ମା ଗାନ୍ଧୀଙ୍କର ଅସହଯୋଗ (Non-cooperation) ଡାକରାରେ ସାରା ଭାରତ ଚେଇଁଉଠିଲା । ବ୍ୟବସ୍ଥାସଭା, ସରକାରୀ ଶିକ୍ଷାନୁଷ୍ଠାନ, ବିଚାରାଳୟ, ସରକାରୀ ଉପାଧି, ବିଦେଶୀବସ୍ତ୍ର ଓ ନିଶାଦ୍ରବ୍ୟର ବର୍ଜନ ହେଲା ଅସହଯୋଗର ଲକ୍ଷ୍ୟ । ୧୯୨୦ସାଲରେ ଗୋପବନ୍ଧୁଙ୍କ ସଭାପତିତ୍ୱରେ ଓଡ଼ିଶାରେ ପ୍ରଥମ ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହେଲା ଏବଂ ସ୍ୱରାଜ୍ୟ ଲକ୍ଷ୍ୟ ସହ ଭାଷାସୂତ୍ରରେ ପ୍ରଦେଶ ଗଠନକୁ ଅନ୍ୟତମ ଲକ୍ଷ୍ୟରୂପେ ଗ୍ରହଣ କରାଗଲା । ମହାତ୍ମାଙ୍କ ଅସହଯୋଗ ଆହ୍ୱାନରେ ସମଗ୍ର ଓଡ଼ିଶାରେ ଉତ୍ତେଜନା ଖେଳିଗଲା । ବହୁ ଯୁବକ ସ୍କୁଲ, କଲେଜ ଓ ସରକାରୀ ଚାକିରି ଛାଡ଼ିଦେଇ ଆନ୍ଦୋଳନରେ ଝାସ ଦେଇଥିଲେ । ଘରପୋଡ଼ିଠାରୁ ଆରମ୍ଭ କରି ପ୍ରହାର, ଗିରଫ ପ୍ରଭୃତି ନାନା ଦମନଲୀଳା ସରକାରଙ୍କ ତରଫରୁ ଚାଲିଲା, କିନ୍ତୁ ଲୋକମାନେ ଦବିଗଲେ ନାହିଁ । ଲୋକସାଧାରଣଙ୍କ ମନରେ କିପରି ଉତ୍ତେଜନା ଖେଳିଯାଇଥିଲା, କନିକାର ପ୍ରଜା ଆନ୍ଦୋଳନ ତାର ଅନ୍ୟତମ ଦୃଷ୍ଟାନ୍ତ । ପ୍ରଜାମାନଙ୍କର ଜାଗରଣ ଫଳରେ ବ୍ରିଟିଶ କର୍ମଚାରୀ ଓ ଜମିଦାରମାନଙ୍କର ପ୍ରତିପତ୍ତି ବହୁତ କମିଗଲା । ଏପରି ଅବସ୍ଥା ହେଲା ଯେ, ସରକାରଙ୍କର ନୃଶଂସ ହୁକୁମ ସହ୍ୟକରି ନ ପାରି କଟକର ସବୁ ରିଜର୍ଭ ପୋଲିସ ଇସ୍ତଫା ଦେଇଥିଲେ । ସ୍ୱରାଜ୍ୟ ସାଙ୍ଗକୁ ଗାଁ ଗହଳରେ ଗଠନମୂଳକ କାର୍ଯ୍ୟ, ଖଦୀପ୍ରସାର, ଅସ୍ପୃଶ୍ୟତା ନିବାରଣ ଓ ହରିଜନ ସେବା ପ୍ରଭୃତି କାର୍ଯ୍ୟକ୍ରମ କଂଗ୍ରେସ ଗ୍ରହଣ କଲା । ୧୯୧୯ରେ ଲାହୋର କଂଗ୍ରେସ ପୂର୍ଣ୍ଣ ସ୍ୱାଧୀନତା ନିଜର ଲକ୍ଷ୍ୟ ବୋଲି ଘୋଷଣା କରିବାରୁ ୧୯୩୦ରେ ଭାରତ ସାରା ‘ଲବଣ ସତ୍ୟାଗ୍ରହ’ ଆରମ୍ଭ ହୋଇଗଲା । ଗୁଜୁରାଟ ଓ ଓଡ଼ିଶାରେ ଏହା ପ୍ରବଳ ଆକାର ଧାରଣ କରିଥିଲା । ଜନତା ଇଂରେଜମାନଙ୍କ ଲାଠିମାଡ଼ ଖାଇ, ଜେଲ ଯାଇ ସ୍ୱାଧୀନତା ସଂଗ୍ରାମରେ ଅପୂର୍ବ ଆଦର୍ଶ ଦେଖାଇ ଯାଇଛନ୍ତି ।

 

ସେବା ଓ ତ୍ୟାଗର ଦୀକ୍ଷା ନେଇ ସତ୍ୟବାଦୀରେ ଗୋପବନ୍ଧୁଙ୍କ ଦ୍ୱାରା ସ୍ଥାପିତ ଜାତୀୟ ବିଦ୍ୟାଳୟ ନୀଳକଣ୍ଠ, ଗୋଦାବରୀଶ, କୃପାସିନ୍ଧୁ, ଆଚାର୍ଯ୍ୟ ହରିହର ପ୍ରଭୃତି ବହୁ କୃତବିଦ୍ୟ ଉଚ୍ଚଶିକ୍ଷିତ ଯୁବକଙ୍କୁ ଆକର୍ଷଣ କରି ଆଣିଥିଲା । ସ୍ୱାଧୀନତା (ସ୍ୱରାଜ) ଓ ଦେଶସେବାକୁ ପୃଷ୍ଠଭୂମି କରି ଏମାନେ ସମାଜ, ଶିକ୍ଷା ଓ ସାହିତ୍ୟକ୍ଷେତ୍ରରେ ଯେଉଁ ବିପ୍ଳବ ସୃଷ୍ଟି କଲେ, ଦେଶ ସାରା ତାର ପ୍ରଭାବ ଖେଳିଗଲା । ଗୋପବନ୍ଧୁ ‘ସମାଜ’ ସମ୍ୱାଦପତ୍ର ଓ ‘ସତ୍ୟବାଦୀ’ ପତ୍ରିକା ଜରିଆରେ ଦେଶପ୍ରେମ ଓ ଜନତା ଜାଗରଣର ପଥ ପ୍ରସ୍ତୁତ କରିଦେଲେ । ସତ୍ୟବାଦୀର ପୂର୍ବୋକ୍ତ ପଞ୍ଚସଖା ରାଶି ଉଚ୍ଚକୋଟିର ସଂସ୍କାର ଓ ଚିନ୍ତାମୂଳକ ପ୍ରବନ୍ଧ, କାବ୍ୟ-କବିତା ଓ ସାଧାରଣ ଗ୍ରନ୍ଥମାନ ରଚନା କରି ଓଡ଼ିଆ ସାହିତ୍ୟକ୍ଷେତ୍ରରେ ସ୍ୱତନ୍ତ୍ର ଏକଯୁଗ (ସତ୍ୟବାଦୀ ଯୁଗ) ସୃଷ୍ଟି କଲେ । ନୈତିକତା ତଥା ଆଧ୍ୟାତ୍ମିକତାର ଭିତ୍ତିରେ ଦେଶାତ୍ମବୋଧ, ସ୍ୱାଧୀନତା, ଜାତୀୟ ଜାଗରଣ, ଦେଶର ଐତିହ୍ୟ ଓ ସଂସ୍କୃତି ଏବଂ ସମାଜସଂସ୍କାରର ଉନ୍ମାଦନା ଖେଳାଇବା ହେଲା ସତ୍ୟବାଦୀ ସାହିତ୍ୟଗୋଷ୍ଠୀର ଲକ୍ଷ୍ୟ । ଏହି ଗୋଷ୍ଠୀ ଦେଶର ରାଜନୀତି, ଶିକ୍ଷା ଓ ଜାତୀୟ ଜୀବନକୁ ଅଭିନବ ରୂପଦେବା ସଙ୍ଗେ ସଙ୍ଗେ ବହୁ କବି ଓ ଲେଖକ ସୃଷ୍ଟିକରି ସାହିତ୍ୟକ୍ଷେତ୍ରରେ ଯୁଗାନ୍ତକାରୀ ବିପ୍ଳବ ଆନୟନ କରିଛନ୍ତି-। ଗୋପବନ୍ଧୁଙ୍କର ଧର୍ମପଦ, କାରାକବିତା, ବନ୍ଦୀର ଆତ୍ମକଥା, ଗୋଦାବରୀଶଙ୍କର ଆଲେଖିକା, କୃପାସିନ୍ଧୁଙ୍କର ଓଡ଼ିଶା ଇତିହାସ ଓ କୋଣାର୍କର ଇତିହାସ, ନୀଳକଣ୍ଠଙ୍କର କୋଣାର୍କେ ଆର୍ଯ୍ୟଜୀବନ, ଓଡ଼ିଆ ସାହିତ୍ୟର କ୍ରମପରିଣାମ, ସଂସ୍କୃତ ଓ ସଂସ୍କୃତି ପ୍ରଭୃତି ଗ୍ରନ୍ଥ ଓଡ଼ିଆ ପାଠକ ହୃଦୟରେ ଚିରନ୍ତନ ମୁଦ୍ରା ଅଙ୍କନ କରିଛି । କୁଳବୃଦ୍ଧ ମଧୁସୂଦନ, ନନ୍ଦକିଶୋର ଓ ଗଙ୍ଗାଧରଙ୍କର ରଚନା: କୁନ୍ତଳା କୁମାରୀଙ୍କର ଆହ୍ୱାନ, ସ୍ଫୁଲିଙ୍ଗ; କାନ୍ତକବି ଲକ୍ଷ୍ମୀକାନ୍ତ; ଗୋଦାବରୀଶ ମହାପାତ୍ରଙ୍କ କବିତା ଓ ଅନ୍ୟାନ୍ୟ ରଚନା ଏବଂ ସତ୍ୟବାଦୀ ଗୋଷ୍ଠୀର କୃତୀରେ ପୂର୍ଣ୍ଣାଙ୍ଗ ଉତ୍କଳ ଗଠନ ପାଇଁ ଉତ୍ତେଜନା ସ୍ୱରାଜ ଆନ୍ଦୋଳନ ପଥରେ ଦେଖାଦେଇଥିବା ଅସହଯୋଗ, ଲବଣ ସତ୍ୟାଗ୍ରହ ଏବଂ ଅନ୍ୟାନ୍ୟ ଗଠନମୂଳକ କ୍ରିୟାକଳାପର (ଅସ୍ପୃଶ୍ୟତା ନିବାରଣ, ନିଶାନିବାରଣ, ହରିଜନସେବା, ଦେଶୀୟ ଶିଳ୍ପର ପୁନରୁଦ୍ଧାର) କିପରି ପ୍ରେରଣା ଓ ପ୍ରତିବିମ୍ୱ ରହିଛି, ତାହା ପାଠକମାନେ ଜାଣିପାରିବେ । ଏହି ସମୟରେ ରବୀନ୍ଦ୍ରଙ୍କ ସବୁଜ କବିତା ଆଦର୍ଶରେ ଓଡ଼ିଶାରେ ଯେଉଁ ସବୁଜ ସାହିତ୍ୟଗୋଷ୍ଠୀ ଦେଖାଦେଇଥିଲେ, ସେମାନେ ଓଡ଼ିଶାର ପାଠକଚିତ୍ତରେ ସାମୟିକ ଚମକ ସୃଷ୍ଟି କରିଥିଲେ ସତ; କିନ୍ତୁ ସେମାନଙ୍କ ସୃଷ୍ଟିରେ ଓଡ଼ିଆ ଜାତୀୟ ପ୍ରାଣର ଅଭିବ୍ୟକ୍ତିତ୍ୱ ଦୂରର କଥା, ଧୂଳିମାଟିର ଦୁନିଆର ସ୍ପର୍ଶ ନାହିଁ । ସେମାନେ ଯେଉଁ ରୋମାଞ୍ଚକର, ରହସ୍ୟମୟ, ଅଜ୍ଞାତ ସ୍ୱପ୍ନଲୋକର କଳ୍ପନା କଲେ ତାହା ସେମାନଙ୍କର ସ୍ୱପ୍ନଲୋକରେ ମିଳାଇ ଗଲା । ଭାବ, ଭାଷା, ଛନ୍ଦ, ପ୍ରକାଶଭଙ୍ଗୀ ଯେ କୌଣସି ଦିଗରୁ ବିଚାର କରାଯାଉ, ଏଇ ସବୁଜ ସୃଷ୍ଟିରେ ଓଡ଼ିଆ ପ୍ରାଣର ସ୍ପନ୍ଦନ ନାହିଁ । ପରେ ପରେ କାଳିନ୍ଦୀ ସ୍ୱପ୍ନର କଳ୍ପଲୋକରୁ ବିଦାୟ ନେଇ ନିଜର ରଚନାରେ (ଉପନ୍ୟାସ, ଗଳ୍ପ) ଧୂଳିମାଟିର ଦୁନିଆ ସହିତ ସମ୍ପର୍କ ସ୍ଥାପନ କରିଛନ୍ତି । ଲେଖକଙ୍କର ପ୍ରସିଦ୍ଧ ଉପନ୍ୟାସ ‘ମାଟିର ମଣିଷ’ ଓ ଅନ୍ୟାନ୍ୟ ରଚନାରୁ ପାଠକମାନେ ତା’ର ଦୃଷ୍ଟାନ୍ତ ପାଇବେ । ତେଣୁ ସତ୍ୟବାଦୀ ଗୋଷ୍ଠୀର ରଚନା କ୍ରମବିକାଶଶୀଳ ଜାତୀୟ ଚେତନାର ସାର୍ଥକ ପ୍ରତିନିଧିତ୍ୱ କରିଛି ବୋଲି କହିଲେ ବୋଧହୁଏ ଅତ୍ୟୁକ୍ତି ହେବ ନାହିଁ ।

 

ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା କାଳରୁ ଓଡ଼ିଆର ଜାତୀୟ ଜୀବନର ବିକାଶ ଓ ତା’ର ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ସକ୍ରିୟ ଥିଲେ ସ୍ୱଳ୍ପଶିକ୍ଷିତ ନେତୃସ୍ଥାନୀୟ ବ୍ୟକ୍ତି, କେତେକ କର୍ମୀ ଓ ଲେଖକମାନେ; କିନ୍ତୁ ପରେ ପରେ ଉତ୍କଳମଣି ଗୋପବନ୍ଧୁଙ୍କ ନେତୃତ୍ୱରେ ବହୁମୂଖୀ ସ୍ୱରାଜ୍ୟ ଆନ୍ଦୋଳନର ପୃଷ୍ଠଭୂମିରେ କ୍ରମେ ଶିକ୍ଷିତ-ଅଶିକ୍ଷିତ ପ୍ରାୟ ସମଗ୍ର ଜନତା ସକ୍ରିୟ ହୋଇ ଉଠିଛି । ୧୯୩୦ର ଲବଣ ସତ୍ୟାଗ୍ରହ କିପରି ସମଗ୍ର ଓଡ଼ିଶାରେ ଗଣଆନ୍ଦୋଳନର ଭୂମିକା ସୃଷ୍ଟି କରିଛି, ତାହା ପାଠକମାନେ ଜାଣନ୍ତି ।

 

୧୯୩୨ ସାଲରେ କଂଗ୍ରେସକୁ ବେଆଇନ ବୋଲି ଘୋଷଣା କରି ସରକାର ସମ୍ୱାଦପତ୍ର ଉପରେ ନାନା କଟକଣା ଜାରି କଲେ । ଫଳରେ ଆଇନ ଅମାନ୍ୟ ଓ ସତ୍ୟାଗ୍ରହ ଭୀଷଣ ଭାବରେ ଚାଲିଲା । ଓଡ଼ିଶାର ସ୍ତ୍ରୀ ଓ ପୁରୁଷ ସତ୍ୟାଗ୍ରହୀମାନେ ଏହି ସମୟରେ ପୋଲିସର ନିର୍ମମ ପ୍ରହାର ସହ୍ୟ କରି ସ୍ୱରାଜ ପାଇଁ ଉଗ୍ର ଜାତୀୟ ଚେତନାର ଅପୂର୍ବ ପରାକାଷ୍ଠା ଦେଖାଇ ଦେଇଛନ୍ତି । ପୁଣି ଅସ୍ପୃଶ୍ୟତା ନିବାରଣ ଲକ୍ଷ୍ୟରେ ଭାରତ ଭ୍ରମଣ କାଳରେ ଉତ୍କଳରେ ଗାନ୍ଧୀଜୀଙ୍କର ପଦଯାତ୍ରା ଓଡ଼ିଆ ପ୍ରାଣରେ ଅପୂର୍ବ ପ୍ରେରଣା ସୃଷ୍ଟି କରି ଦେଇଥିଲେ ।

 

ସ୍ୱରାଜ୍ୟ ଆନ୍ଦୋଳନରେ ଉତ୍କଳର ସକ୍ରିୟ ଭାଗ, ଉତ୍କଳର ଦାବୀ ଓ ଗଣଚେତନା ଫଳରେ ୧୯୩୫ ସାଲରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଲା, କିନ୍ତୁ ଅଙ୍ଗ ତାର ବିଚ୍ଛିନ୍ନ ରହିଲା-। ଗଡ଼ଜାତ ଅଞ୍ଚଳ ତ ସ୍ୱତନ୍ତ୍ର ରହିଲା, ମେଦିନୀପୁର, ସିଂହଭୂମି, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ଓ ଆନ୍ଧ୍ରରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନ ସେହିପରି ବିଚ୍ଛିନ୍ନ ହୋଇ ରହିଲା । ବିଚ୍ଛିନ୍ନ କଳେବର ହେଲେ ମଧ୍ୟ ଉତ୍କଳ ଯେ ଏକ ସ୍ୱତନ୍ତ୍ର ରୂପ ଗ୍ରହଣ କଲା, ଏହା ତତ୍କାଳୀୟ ଉତ୍କଳବାସୀଙ୍କ ପକ୍ଷରେ କମ ଆଶା ଓ ଆନନ୍ଦର ବିଷୟ ନୁହେଁ ।

 

(୨)

 

ନୂତନ ଭାରତ ଶାସନ ଆଇନ ଅନୁସାରେ ୧୯୩୬ ସାଲ ଡିସେମ୍ୱରରେ ଓଡ଼ିଶା ବ୍ୟବସ୍ଥାସଭା ପାଇଁ ପ୍ରତିନିଧି ନିର୍ବାଚନ ଚାଲେ ଓ ୧୯୩୬ରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଢ଼େ । କିନ୍ତୁ ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଲାଗିଯିବାରୁ ଭାରତ ତରଫରୁ ଜର୍ମାନୀ ବିରୁଦ୍ଧରେ ବଡ଼ଲାଟଙ୍କ ଯୁଦ୍ଧଘୋଷଣା ନୀତି ଯୋଗୁଁ ଓଡ଼ିଶା ଓ ଭାରତର ଅନ୍ୟ ପ୍ରଦେଶରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଇସ୍ତଫା ଦେଲେ । ଦେଶରେ ଏକଛତ୍ର ଶାସନ ସହ୍ୟକରି ନ ପାରି ଯୁଦ୍ଧବିରୋଧି ଆନ୍ଦୋଳନ ଓ ବ୍ୟକ୍ତିଗତ ସତ୍ୟାଗ୍ରହ ଚାଲିଲା । ବ୍ରିଟିଶ ସରକାର ପ୍ରତି ଲୋକଙ୍କର ଅବିଶ୍ୱାସ ଓ ବିତୃଷ୍ଣା ଏପରି ଏକ ସୀମାରେ ପହଞ୍ଚିଲା, ଯେ ଲୋକେ ସିଙ୍ଗାପୁର, ବର୍ମା ପ୍ରଭୃତି ଅଧିକାର କରି ଆସୁଥିବା ଜାପାନକୁ ସ୍ୱାଗତ ଦୃଷ୍ଟିରେ ଚାହିଁରହିଲେ । ୧୯୪୨ରେ ଦେଶବାସୀଙ୍କ ହାତରେ ଶାସନ ଭାର ଦେଇ ଦେବା ପାଇଁ ବ୍ରିଟିଶ ସରକାରଙ୍କଠାରେ ଦାବୀ କରାଗଲା । କିନ୍ତୁ ଦାବୀ ଗୃହୀତ ହେବା ଦୂରେ ଥାଉ, ଗାନ୍ଧୀ ଓ ଦେଶର ମୁଖ୍ୟ ବ୍ୟକ୍ତିମାନେ ବନ୍ଦୀ ହେବାର ଭାରତ ସାରା ନିଆଁ ଜଳିଉଠିଲା । ଏଇ ୧୯୪୨ର ଭାରତ ଛାଡ଼ (Quit India) ଆନ୍ଦୋଳନରେ ବହୁଛାତ୍ର, ଜନସାଧାରଣ ଇଂରେଜ ସରକାରର ଗୁଳି ଓ ଲାଠିମାଡ଼ ଖାଇଲେ । କେବଳ ଭାରତ କାହିଁକି, ଅନ୍ୟ ପରାଧୀନ ଦେଶମାନଙ୍କରେ ମଧ୍ୟ ସ୍ୱାଧନତାର ଉନ୍ମାଦନା ଖେଳିଗଲା । ବର୍ମା ଓ ପ୍ରାଚ୍ୟ ଦେଶରେ ଥିବା ଇଂରେଜଙ୍କର ଭାରତୀୟ ସୈନ୍ୟମାନଙ୍କୁ ନେଇ ନେତାଜୀ ସୁଭାଷଚନ୍ଦ୍ରଙ୍କର ‘ଆଜାଦ ହିନ୍ଦ୍‍ ଫୌଜ ଗଠନ’ ଭାରତୀୟ ସୈନ୍ୟ ଓ ଜନତାକୁ ବେଶି ଉତ୍ତେଜିତ କଲା । ଖ୍ରୀ. ୧୯୪୪ ଯୁଦ୍ଧରେ ଜର୍ମାନ ଓ ଜାପାନ ପରାସ୍ତ ହୋଇଗଲେ । ଭାରତୀୟମାନଙ୍କ ପ୍ରତି ଇଂରେଜ ସରକାରଙ୍କର ମତିଗତିରେ ପରିବର୍ତ୍ତନ ଦେଖାଗଲା । ପୁଣି ପ୍ରତିନିଧିମୂଳକ ନିର୍ବାଚନରେ କଂଗ୍ରେସ ବହୁ ସଂଖ୍ୟାରେ ନିର୍ବାଚିତ ହୋଇ ମନ୍ତ୍ରିମଣ୍ଡଳ ଗଠନ କଲା । ୧୯୪୬ରେ କ୍ୟାବିନେଟ୍‍ ମିଶନ୍‍ ସ୍ୱାଧିନତା ଓ କ୍ଷମତା ହସ୍ତାନ୍ତର ଉଦ୍ଦେଶ୍ୟରେ ଭାରତ ଆସିଲେ । ୧୯୪୭ ଅଗଷ୍ଟ ପନ୍ଦରରେ ଭାରତ ସ୍ୱାଧୀନତା ପାଇଲା ସତ, କିନ୍ତୁ ମୁସଲିମ୍‍ ଲିଗ୍‍ ଯୋଗୁଁ ଅଖଣ୍ଡ ଭାରତ ଦ୍ୱିଖଣ୍ଡିତ ହୋଇଗଲା ।

 

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଠାରୁ ଖ୍ରୀ.୧୯୪୮ ପର୍ଯ୍ୟନ୍ତ ଓଡ଼ିଶାରେ ଘଟିଯାଇଥିବା ସ୍ୱାଧୀନତା ଆନ୍ଦୋଳନ, ସତ୍ୟାଗ୍ରହ, ଯୁଦ୍ଧର ବିଭୀଷିକା, ଆଣବିକ ବୋମା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଯୋଗୁଁ ଯୁଦ୍ଧକାଳୀନ ଓ ଯୁଦ୍ଧପର ଅର୍ଥନୈତିକ ପରିସ୍ଥିତି, ହିନ୍ଦୁ-ମୁସଲମାନ ଦଙ୍ଗାର ପ୍ରତିଛବି, ସମକାଳୀନ ଓ ପରବର୍ତ୍ତୀ ସାହିତ୍ୟରେ ରହିଛି । କାଳିନ୍ଦୀଚରଣ, ସଚ୍ଚି ରାଉତରାୟ, ଡକ୍‍ଟର ହରେକୃଷ୍ଣ ମହତାବ, କାଳୀଚରଣ, କାହ୍ନୁଚରଣ, ନିତ୍ୟାନନ୍ଦ, ରାଜକିଶୋର, ଗୋପୀନାଥ, ରାଧାମୋହନ, ଅନନ୍ତ ପଟ୍ଟନାୟକ, ସୁରେନ୍ଦ୍ର ଓ କୁଞ୍ଜବିହାରୀ ପ୍ରଭୃତିଙ୍କ ରଚନାରୁ ପାଠକମାନେ ତାର ଦୃଷ୍ଟାନ୍ତ ପାଇବେ ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧପରେ ପରେ ଭାରତ ତଥା ଉତ୍କଳର ସମାଜ, ଅର୍ଥନୀତି, ସାହିତ୍ୟ, କଳା ଓ ସଂସ୍କୃତି କ୍ଷେତ୍ରରେ ନାନା ପରିବର୍ତ୍ତନ ଦେଖାଦେଇଛି । ଯୁଦ୍ଧକାଳୀନ ପରିସ୍ଥିତିରେ ଓ ପରେ ପରେ ଲୋକମାନଙ୍କ ହାତରେ ଟଙ୍କାର ପ୍ରାଚୁର୍ଯ୍ୟ ଦେଖାଦେଇଥିଲେ ମଧ୍ୟ ଟଙ୍କାର ମୂଲ୍ୟ ବହୁତ କମିଯାଇଛି । ଯୁଦ୍ଧକାଳୀନ ବିଭୀଷିକାପୂର୍ଣ୍ଣ ବାତାବରଣ ଓ ବ୍ୟବହାର୍ଯ୍ୟ ପଦାର୍ଥର ସ୍ୱଳ୍ପତା ଓ ମୂଲ୍ୟବୃଦ୍ଧି ହେତୁ ଲୋକଚିତ୍ତରେ ନାନା ଅସନ୍ତୋଷ ଦେଖାଦେଇଛି । ବହୁ ରାଜନୈତିକ ମତବାଦର ସଂଘର୍ଷ ଦେଖାଯାଇଛି । ବିଜ୍ଞାନର ବିଜୟାଲୋକ ଚିତ୍ତକୁ ଅଧିକ ବସ୍ତୁତାନ୍ତ୍ରିକ କରିଦେଇଛି । ଏ ପରିବର୍ତ୍ତିତ ପରିସ୍ଥିତିରେ ଜୀବନଧାରଣର ସମସ୍ୟା ଜଟିଳତର ହୋଇ ପଡ଼ିଛି । ଫଳରେ ନାନା ଅଶାନ୍ତି ଓ ଅସନ୍ତୋଷ ହେତୁ ଲୋକମନରେ ହତାଶାବୋଧ, ଅପରାଧ ଓ ଦୁର୍ନୀତି ପ୍ରବଣତା ଦେଖାଦେଇଛି । ଜଟିଳ ଅର୍ଥନୈତିକ ଓ ସାମାଜିକ ପରିସ୍ଥିତିରେ ବ୍ୟକ୍ତିର ଆତ୍ମକୈନ୍ଦ୍ରିକତା ଓ ସ୍ୱାର୍ଥପରତା ବଢ଼ିଚାଲିଛି । ବୈଷୟିକ କ୍ଷେତ୍ରରେ ଲୋକଙ୍କର ବୁଦ୍ଧି ବୃତ୍ତି ଓ କୌଶଳର କ୍ରିୟାଶୀଳତା ଯେତେ ବୃଦ୍ଧି ପାଇଛି, ନୈତିକତା ଓ ଆଧ୍ୟାତ୍ମିକ କ୍ଷେତ୍ରରେ ସେତିକି ଅବନତି ଦେଖାଦେଇଛି । ସାମାଜିକ ଓ ରାଷ୍ଟ୍ରର ମୂଲ୍ୟବୋଧ ଶିଥିଳ ହୋଇଯାଇଛି ।

 

ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ଯେଉଁ ଜାତୀୟ ସଂଗ୍ରାମ ଗତିଶୀଳ ହୋଇଥିଲା, ତାର ଅବସାନ ଘଟିଯାଇଛି । ସ୍ୱାଧିନତା ପରେ ପରେ ଭାରତର ସଂବିଧାନ ପ୍ରଣୟନ କରାଯାଇ ଭାରତର ସାମୂହିକ ଉନ୍ନତି ପାଇଁ ଉନ୍ନତିମୂଳକ ଯୋଜନାର ପରିକଳ୍ପନା କରାଯାଇ କାର୍ଯ୍ୟକାରୀ କରାଯାଉଛି । ଯୋଜନାଗୁଡ଼ିକର କାର୍ଯ୍ୟକାରିତା ପାଇଁ ଭାରତର ସବଳ ସୀମିତ ଥିବାରୁ ଆମେରିକା, ଇଂଲଣ୍ଡ, ଋଷିୟା, ଜର୍ମାନୀର ସାହାଯ୍ୟ ଉପରେ ନିର୍ଭର କରିବାକୁ ହୋଇଛି । ଫଳରେ ବିଭିନ୍ନ ଦେଶ ସହିତ ଅର୍ଥନୈତିକ, ବାଣିଜ୍ୟିକ ସମ୍ପର୍କ ସ୍ଥାପିତ ହେବା ସଙ୍ଗେ ସଙ୍ଗେ କୂଟନୈତିକ ଓ ସାଂସ୍କୃତିକ ସଂପର୍କ ସ୍ଥାପିତ ହୋଇଛି । ଫଳରେ ବିଶ୍ୱର ନାନା ପରିସ୍ଥିତି ଓ ସମସ୍ୟା ସମ୍ପର୍କରେ ଭାରତର ଦାୟିତ୍ୱ ବୃଦ୍ଧିପାଇଛି । ଜାତିସଂଘର ସ୍ଥାପନ, ପରାଧୀନ ରାଷ୍ଟ୍ରମାନଙ୍କ ସ୍ୱାଧିନତା ସଂଗ୍ରାମ ଓ ଜୟଲାଭ, ମହାଶୂନ୍ୟ ଅଭିଯାନ, ପରମାଣୁ ଓ ଅନ୍ୟଅଦଭୂତ ବୈଜ୍ଞାନିକ ତଥ୍ୟର ଉଦ୍ଭାବନ, ବିଭିନ୍ନ ରାଷ୍ଟ୍ର ସହିତ ସାଂସ୍କୃତିକ ଓ ଅର୍ଥନୈତିକ ସଂପର୍କ ଆଜି ବିଶ୍ୱବାସୀଙ୍କୁ ଅତି ନିକଟତର କରିବା ସଙ୍ଗେ ସଙ୍ଗେ ପରିମାଣୁ ଓ ଉଦ୍‍ଯାନ ବୋମାର ଉଦ୍ଭାବନା ତଥା ପରୀକ୍ଷା, କେତେକ ପାଶ୍ଚାତ୍ୟରାଷ୍ଟ୍ରର ସାମ୍ରାଜ୍ୟବାଦ ମନୋବୃତ୍ତି, ଦକ୍ଷିଣ-ଆଫ୍ରିକାର ବର୍ଣ୍ଣବିଦ୍ୱେଷ ନୀତି, ଆଲଜେରିୟା, କଙ୍ଗୋ ପ୍ରଭୃତିର ବିଭୀଷିକା, କେତେକ ରାଷ୍ଟ୍ରର ସାମରିକ ମେଣ୍ଟ ଓ ଶିତଳଯୁଦ୍ଧର ପରିସ୍ଥିତି ବିଶ୍ୱବାସୀ ଚିତ୍ତରେ ନାନା ଆତଙ୍କର କାରଣ ହୋଇଛି । ବର୍ତ୍ତମାନର ପରିସ୍ଥିତିରେ କୌଣସି ରାଷ୍ଟ୍ରର ସମସ୍ୟା ସେଇ ରାଷ୍ଟ୍ରର ହୋଇ ରହୁନାହିଁ । ସମଗ୍ର ପୃଥିବୀରେ ତାର ପ୍ରଭାବ ପଡ଼ୁଛି । ପରିବର୍ତ୍ତିତ ପରିସ୍ଥିତିରେ ବିଶ୍ୱରେ ଯେଉଁ ଚିନ୍ତାଧାରା ଓ ଆଭିମୁଖ୍ୟ ପ୍ରକାଶ ପାଉଛି, ଆମର ସାହିତ୍ୟକୁ ତା ସହିତ ସମତାଳରେ ଗତି କରିବାକୁ ହେବ । ସମଗ୍ର ବିଶ୍ୱକଲ୍ୟାଣର ଭୂମିକା ସାହିତ୍ୟ ସୃଷ୍ଟି ନ ହେଲେ ତାହା ଅର୍ବାଚୀନ ହୋଇଯିବ ଏବଂ ଜୀବନ ଓ ବିଶ୍ୱସମ୍ପର୍କରେ ନୂତନ ମୂଲ୍ୟବୋଧ ଫୁଟିପାରିବ ନାହିଁ ।

 

ଅହିଂସାର ଭିତ୍ତିରେ ପ୍ରତିଷ୍ଠିତ ଭାରତର ନିରପେକ୍ଷ ବୈଦେଶିକ ନୀତି ସମଗ୍ର ପୃଥିବୀର ଦୃଷ୍ଟି ଆକର୍ଷଣ କରି ଆନ୍ତର୍ଜାତିକ କ୍ଷେତ୍ରରେ ଭାରତର ସମ୍ମାନ ବୃଦ୍ଧିକରିଛି । ଭାରତର ଶାନ୍ତିପୂର୍ଣ୍ଣ ସହବସ୍ଥାନ ନୀତି ଫଳରେ ବହୁ ଦେଶ ସହିତ ଭାରତ ବନ୍ଧୁତ୍ୱ ସୂତ୍ରରେ ଆବଦ୍ଧ ହେବା ସଙ୍ଗେ ସଙ୍ଗେ ଆନ୍ତର୍ଜାତିକ କ୍ଷେତ୍ରରେ ଦେଖାଦେଇଥିବା ଜଟିଳ ସମସ୍ୟାଗୁଡ଼ିକର ସମାଧାନର ପଥ ପରିଷ୍କାର କରିଦେଇଛି । ଫଳରେ ପୃଥିବୀ ବହୁବାର ଆସନ୍ନ ଯୁଦ୍ଧମୁଖରୁ ରକ୍ଷା ପାଇଛି ।

 

ସ୍ୱାଧୀନତା ପରେ ପରେ ଭାରତର ଦ୍ୱିଖଣ୍ଡୀକରଣ, ହିନ୍ଦୁ-ମୁସଲମାନ ଦଙ୍ଗା ଓ ଦେଶୀୟ ଆତତାୟୀ ହାତରେ ପୂଜ୍ୟ ବାପୁଜୀଙ୍କୀ ଲୋକାନ୍ତର ପ୍ରଭୃତି ହୃଦୟବିଦାରକ ଘଟଣାମାନ ଘଟିଗଲେ ମଧ୍ୟ ଭାରତ ଦିଗ୍‍ଭ୍ରଷ୍ଟ ହୋଇ ନାହିଁ । ରାଜନୈତିକ ସ୍ୱାଧିନତା ହାତକୁ ଆସିଯାଇଥିଲେ ମଧ୍ୟ ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଭାରତର ପରତନ୍ତ୍ରତା ଜନନାୟକଙ୍କ ଆଖି ଆଗରେ ସ୍ପଷ୍ଟ ଉଠିଛି । ଫଳରେ ଯୋଜନା କମିଶନ ବସାଇ ବହୁମୁଖୀ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ଭାରତ ବିଶ୍ୱ ସମକ୍ଷରେ ଅପୂର୍ବ ଦୃଷ୍ଟାନ୍ତ ଦେଖାଇଛି । କୃଷି, ବାଣିଜ୍ୟ, ରାସ୍ତାଘାଟ, ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, ଭୂମି, ଖଣି, ଶାସନ ସବୁଦିଗରେ ଭାରତ ଦ୍ରୁତ ପଦକ୍ଷେପ ନେଇଛି । ଜମିଦାରୀ ପ୍ରଥାର ବିଲୋପ, ଅସ୍ପୃଶ୍ୟତା ନିବାରଣ, ବେଶ୍ୟାବୃତ୍ତି ନିରୋଧ, ନାଗରିକର ମୌଳିକ ଅଧିକାର, ସାବାଳକ ଭୋଟ ଅଧିକାର, ପଞ୍ଚାୟତ ଶାସନ (ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଗଠନ), କନ୍ୟାମାନଙ୍କର ପୈତୃକ ସମ୍ପତ୍ତିର ଅଧିକାର, ଯୌତୁକ ପ୍ରଥା ନିରୋଧ ପ୍ରଭୃତି ଶାସନଗତ, ଅର୍ଥନୈତିକ ଓ ସାମାଜିକ ସଂସ୍କାରମୂଳକ ଆଇନମାନ ଗୃହୀତ ହୋଇ କାର୍ଯ୍ୟକାରୀ କରାଯାଇଛି ।

 

ସ୍ୱାଧୀନତାପ୍ରାପ୍ତି ପୂର୍ବରୁ ଓଡ଼ିଶାରେ ଏହାର ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା ଏବଂ ସ୍ୱାଧିନତା ପରେ ପରେ ଏହାର ସ୍ୱତନ୍ତ୍ର ହାଇକୋର୍ଟ ସ୍ଥାପିତ ହୋଇଛି ଏବଂ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ଫଳରେ ଓଡ଼ିଶାର କଳେବର ଏବଂ ଏହାର ଆର୍ଥିକ ଓ ପ୍ରାକୃତିକ ସମ୍ପଦ ବୃଦ୍ଧିପାଇଛି । ଏଇ କେତେବର୍ଷ ଭିତରେ ଶିକ୍ଷା, ଶାସନ, ଶିଳ୍ପ, ବାଣିଜ୍ୟ, ଖଣିଜସମ୍ପଦ କଳକାରଖାନା ଓ ରାଜଧାନୀ ନିର୍ମାଣ ଦିଗରେ ଓଡ଼ିଶା ଉନ୍ନତି ପଥରେ ଅଗ୍ରସର ହୋଇଛି । ହୀରାକୁଦବନ୍ଧ ଓ ଜଳବିଦ୍ୟୁତ୍‍ ଯୋଜନା, ଫରୋମାଙ୍ଗାନିଜ ଓ ଆଲୁମିନିୟମ କାରଖାନା, ରାଉରକେଲାର ଲୁହାକାରଖାନା, ବ୍ରଜରାଜନଗରର କାଗଜକଳ, ଚୌଦ୍ୱାରର ଲୁଗାକଳ ଏବଂ ବିଭିନ୍ନ କ୍ଷେତ୍ରରେ ଖଣିଜ ସମ୍ପଦର ଆବିଷ୍କାର ଓ ରପ୍ତାନି ବାଣିଜ୍ୟ ବ୍ୟବସ୍ଥା ଉତ୍କଳର ଭାବୀ ସମୃଦ୍ଧିର ସୂଚନା ଦିଏ । ଶିକ୍ଷାକ୍ଷେତ୍ରରେ ତିନିବର୍ଷିଆ ଡିଗ୍ରୀପାଠ୍ୟକୁ ପ୍ରବର୍ତ୍ତନ, ବିଭିନ୍ନ ବିଷୟରେ ଉପାଧ୍ୟୁତ୍ତର ଶ୍ରେଣୀର ଉନ୍ମୋଚନ, ନାନାସ୍ଥାନରେ ବିଜ୍ଞାନ ଓ କଳାମହାବିଦ୍ୟାଳୟ ସ୍ଥାପନ, ପୁଣି ବୈଷୟିକ ଶିକ୍ଷାକ୍ଷେତ୍ରରେ ମେଡିକାଲ, ଭେଟେରୀନାରି , କୃଷି, ଇଞ୍ଜିନିୟରିଂ ସ୍କୁଲ ଓ କଲେଜ ସ୍ଥାପନ ଓଡ଼ିଶା ପକ୍ଷରେ ଅତୀବ ଆଶା ଓ ଆନନ୍ଦର ବିଷୟ ।

 

ରାଷ୍ଟ୍ର ତଥା ସମାଜର ଏ ଦ୍ରୁତ ପରିବର୍ତ୍ତନ ଓ ଆନ୍ତର୍ଜାତିକ ସମ୍ପର୍କରେ ଜଟିଳତା ଓ ସାହିତ୍ୟମାନଙ୍କର ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିଛି । ବହୁ ସମ୍ୱାଦପତ୍ର ଓ ମାସିକ ପତ୍ରିକାର ସମ୍ପାଦନା ଫଳରେ ଲେଖକସଂଖ୍ୟା ବୃଦ୍ଧିପାଇଛି । ସାହିତ୍ୟ ଏକାଡେମୀର ସ୍ଥାପନ ଦ୍ୱାରା ବହୁ ଲେଖକ ପୁରସ୍କୃତ ହେବା ସଙ୍ଗେ ସଙ୍ଗେ ରଚନା ଦିଗରେ ଉତ୍ସାହିତ ହେଉଛନ୍ତି ଏବଂ ଗବେଷଣା ପ୍ରତି ଆଗ୍ରହ ପ୍ରକାଶ ପାଉଛି । ବହୁ ସଂସ୍କୃତ ଓ ପ୍ରାଚୀନ ଅପ୍ରକାଶିତ ଗ୍ରନ୍ଥ ପ୍ରକାଶିତ ହେବା ସଙ୍ଗେ ସଙ୍ଗେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ଗ୍ରନ୍ଥ ଏକାଡେମୀ ତରଫରୁ ବିଭିନ୍ନ ଭାଷାରେ ଅନୂଦିତ ହେଉଛି । ଓଡ଼ିଶାର ଲବ୍‍ଧପ୍ରତିଷ୍ଠା ଔପନ୍ୟାସିକ ଗୋପୀନାଥ ଓ କାହ୍ନୁଚରଣ ପ୍ରଭୃତି କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହେବା ଅତୀବ ଆନନ୍ଦର କଥା । କଳାର ବିକାଶ ପାଇଁ ସଙ୍ଗୀତ ନାଟକ ଏକାଡେମୀ ସ୍ଥାପନ, ବେସରକାରୀ ପ୍ରଚେଷ୍ଟାରେ ଗଢ଼ିଉଠିଥିବା ବହୁ ସଙ୍ଗୀତ-ନୃତ୍ୟ ଓ କଳାନୁଷ୍ଠାନ, ଓଡ଼ିଆ ଚଳଚ୍ଚିତ୍ରର ରାଷ୍ଟ୍ରପତିଙ୍କ ରୌପ୍ୟ ପଦକପ୍ରାପ୍ତି, କେତେକ ବିଶିଷ୍ଟ କଳାକାରଙ୍କ ଯୋଗୁଁ ଭାରତ ଓ ଆନ୍ତର୍ଜାତିକ କ୍ଷେତ୍ରରେ ଉତ୍କଳୀୟ ନୃତ୍ୟକଳାର ପ୍ରଶଂସା ଓଡ଼ିଶା ପକ୍ଷରେ କମ୍‍ ଗୌରବର ବିଷୟ ନୁହେଁ ।

 

ଓଡ଼ିଶା, ଭାରତ ତଥା ଆନ୍ତର୍ଜାତିକ କ୍ଷେତ୍ରର ନାନା ପରିବର୍ତ୍ତିତ ପରିସ୍ଥିତି ଦୃଷ୍ଟିରୁ ବହୁ ଗଳ୍ପ, ନାଟକ, ଉପନ୍ୟାସ, ଏକାଙ୍କିକା ଓ କବିତା ରଚିତ ହେଉଅଛି ଏବଂ ଭାବ ଓ ଆଙ୍ଗିକ ଦିଗରେ ଏ ଗୁଡ଼ିକରୁ ନୂତନତ୍ୱର ସଙ୍କେତ ମିଳୁଛି । ବର୍ତ୍ତମାନର ପରିବେଶରେ ନାନା ସମସ୍ୟାର ଜଟିଳ ପରିସ୍ଥିତି ଓ ଦ୍ୱିଧା ସଂଶୟାଚ୍ଛନ୍ନ ମାନବଚିତ୍ତର ରୂପାୟନ ତଥା ବିଶ୍ଳେଷଣରେ ଏବର ସାହିତ୍ୟ ସାହସିକ ପଦକ୍ଷେପ ନେଉଛି ବୋଲି ମନେହୁଏ । କିନ୍ତୁ କବିତା କ୍ଷେତ୍ରରେ ଅନେକ ଇଂରାଜୀ ଓ ବଙ୍ଗଳା କବିତାର ଯେପରି ଅର୍ଦ୍ଧଅନୁକୃତି, ରାଜନୈତିକ ମତବାଦ ପ୍ରଚାରର ଚମକ ପରତନ୍ତ୍ରତା ତଥା ପରମ୍ପରାହୀନତା ପ୍ରକାଶ ପାଉଛି, ତାହା ଜାତିର ସାହିତ୍ୟ ପକ୍ଷରେ ଶୁଭଲକ୍ଷଣ ନୁହେଁ ।

 

ଦେଶରେ ଶିକ୍ଷା ଓ ସାକ୍ଷରତାର ପ୍ରସାର ଘଟୁଥିଲେ ମଧ୍ୟ ଲୋକଙ୍କର ପଠନ ମନୋବୃତ୍ତିର ଅନୁରୂପ ବିକାଶ ପରିଲିକ୍ଷିତ ହେଉନାହିଁ । ସାହିତ୍ୟ ବର୍ତ୍ତମାନ ବହୁ ପ୍ରକାଶକଙ୍କ ନିକଟରେ ବ୍ୟୟସାୟପ୍ରଧାନ ହୋଇଥିବାରୁ ସାହିତ୍ୟ ନାମରେ ଆବର୍ଜନାର ଗଦା ବଢ଼ିଚାଲିଛି ଅନୁକୂଳ ପାଣିପବନ ପାଇ ବହୁ ଶସ୍ତା ଲେଖକ ସାଧାରଣ ପାଠକ ଓ ତରୁଣ ଛାତ୍ରଙ୍କର ରୁଚିକୁ ବିକାରଗ୍ରସ୍ତ କରୁଛନ୍ତି । ଫଳରେ ଉଚ୍ଚାଙ୍ଗ ସାହିତ୍ୟସୃଷ୍ଟିର ପଥ ଅବରୁଦ୍ଧ ହୋଇଯାଉଛି ଏବଂ ପ୍ରକୃତ ଲେଖକ ନିରୁତ୍ସାହିତ ହେଉଛନ୍ତି । କେତେକ ଅର୍ଥଲୋଲୁପ ବ୍ୟବସାୟୀ ପ୍ରକାଶକମାନଙ୍କ ହାତରେ ଲେଖକର ସମ୍ମାନ ଓ ସାଧନା ବର୍ତ୍ତମାନ କ୍ରୀଡ଼ା ପୁତ୍ତଳିକା ହୋଇପଡ଼ିଛି ।

 

ବର୍ତ୍ତମାନ ଲୋକମାନଙ୍କର ଜାତୀୟ ଚରିତ୍ରର ଯେଉଁ ଅସାମଞ୍ଜସ୍ୟ ପୁଣି ନାଗରିକ ଜୀବନରେ ଯେଉଁ ଦାୟିତ୍ୱହୀନତା ପ୍ରକାଶ ପାଉଛି, ତାହା ଜାତି ପକ୍ଷରେ ଅତି ନିନ୍ଦନୀୟ । ନାନା ସଂସ୍କାରମୂଳକ ଆଇନ ପ୍ରଚଳିତ ହେଲେ ମଧ୍ୟ ସେଇ ଅସ୍ପୃଶ୍ୟତାର ବ୍ୟାଧି, ସାମନ୍ତବାଦ ମନୋବୃତ୍ତି, ଘୃଣ୍ୟ ଯୌତୁକପ୍ରଥା, ଏବଂ ନାନାବିଧ ସଂକୀର୍ଣ୍ଣତା ଲୋକଚିତ୍ତରେ ବସା ବାନ୍ଧିଛି । ଫଳରେ ବହୁ ସମସ୍ୟାର ଆଶୁଫଳପ୍ରଦ ସମାଧାନ ହେବା ଦୂରେ ଥାଉ; ବରଂ ଜଟିଳରୁ ଜଟିଳତର ହେଉଛି । ଆମରି ସମସ୍ୟାର ସମାଧାନ ପାଇଁ ପୂଜ୍ୟ ବାପୁଜୀ ଓ ବିନୋବାଙ୍କର ସର୍ବୋଦୟ ତଥା ଭୂଦାନର ଆଦର୍ଶ କମ ଯୁଗୋପଯୋଗୀ ନୁହେଁ । ଏଥିପାଇଁ ପ୍ରତ୍ୟେକ ନାଗରିକ ତା’ର ଦାୟିତ୍ୱ ସମ୍ପର୍କରେ ସତେଜ ହେବାର ଯଥେଷ୍ଟ ଆବଶ୍ୟକତା ରହିଛି ।

 

ଉତ୍କଳର ବିଚ୍ଛିନ୍ନ ଅଞ୍ଚଳମାନ ଏପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ରହିଯାଇଛି । ରାଜ୍ୟପୁନର୍ଗଠନ କମିଶନ ଓ ଓଡ଼ିଶାର ଦାବୀ ପ୍ରତି ଦୃଷ୍ଟି ଦେଇ ନାହାନ୍ତି, ଫଳରେ ଉଭୟ କ୍ଷେତ୍ରରେ ଓଡ଼ିଆଙ୍କ ମନରେ ଅସନ୍ତୋଷ ରହିଯାଇଛି । ନାନା ଅଭାବ ଅପୂର୍ଣ୍ଣତା ସତ୍ତ୍ୱେ ୧୯୩୬ ଠାରୁ ଉତ୍କଳର ଉନ୍ନତି ପାଇଁ ନାନାକ୍ଷେତ୍ରରେ ଯେଉଁ ପ୍ରଚେଷ୍ଟା ଦେଖାଦେଇଛି, ଜାତି ପକ୍ଷରେ ତାହା ଆଶା ଓ ଆନନ୍ଦର କାରଣ ।

 

୧୯୩୬ ଓଡ଼ିଶାର ଅବସ୍ଥା ଆଜି ନାହିଁ । ବହୁ ଆଶା ଓ ସମ୍ଭାବନାର ପଥ ଆମ ଆଗରେ ଉନ୍ମୁକ୍ତ । ସବୁ କ୍ଷେତ୍ରରେ ସତର୍କ ରହି ଯୁଗର ପରିବର୍ତ୍ତନ ଓ ଆବଶ୍ୟକତା ସହିତ ତାଳ ଦେଇ ଗତିକରି ନ ପାରିଲେ ଆମେ ପଛରେ ପଡ଼ିଯିବା । ସେଥିପାଇଁ ସଂକୀର୍ଣ୍ଣ ପ୍ରାଦେଶିକ ମନୋଭାବ ଯେପରି ରାଷ୍ଟ୍ରର ଆଭ୍ୟନ୍ତରୀଣ ଶୃଙ୍ଖଳାର ପରିପନ୍ଥୀ, ପ୍ରତ୍ୟେକ ରାଜ୍ୟର ଅଙ୍ଗଚ୍ଛେଦ ମଧ୍ୟ ସେହିପରି ଅଶାନ୍ତିର ବୀଜ । ଓଡ଼ିଆଜାତି ବିଭିନ୍ନ କ୍ଷେତ୍ରରେ ନିଜର ତ୍ରୁଟିବିଚ୍ୟୁତି ଓ ନାଗରୀକ ଦାୟିତ୍ୱ ସମ୍ପର୍କରେ ସଚେତନ ରହି ବିଚ୍ଛିନ୍ନ କଳେବର ଉତ୍କଳମାତାର ପୂର୍ଣ୍ଣାଙ୍ଗ ରୂପ ଦର୍ଶନ କରୁ ଏବଂ ଜାତିମାନସର ମୁକୁର ତା’ର ଭାଷା ଓ ସାହିତ୍ୟର ଉନ୍ନତି ବିଧାନ କରୁ, ଏହା ହିଁ ଏକମାତ୍ର କାମନା ।

 

ଐତିହାସିକ ବିବରଣୀ ପାଇଁ ମୁଁ ଡକ୍‍ଟର ହରେକୃଷ୍ଣ ମହତାବଙ୍କ ‘ଓଡ଼ିଶା ଇତିହାସ’ର ସାହାଯ୍ୟ ନେଇଛି ।

Image

 

Unknown

ପଦ୍ମମାଳିନୀ, ବିବାସିନୀ ଓ ଭୀମା ଭୂୟାଁ

 

ବ୍ୟାସକବି ଫକୀରମୋହନଙ୍କ ଉପରେ ଆଧୁନିକ ଓଡ଼ିଆ ଉପନ୍ୟାସ ସାହିତ୍ୟର ଜନକତ୍ୱ ଯଥାର୍ଥ ଭାବରେ ଆରୋପିତ ହେଲେ ମଧ୍ୟ ଫକୀରମୋହନ ଓଡ଼ିଆ ସାହିତ୍ୟର ଔପନ୍ୟାସିକ ନୁହନ୍ତି । ୧୮୯୬ ସାଲ ଅକ୍ଟୋବର ମାସରେ ତାଙ୍କର ପ୍ରସିଦ୍ଧ ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’ ପ୍ରକାଶିତ ହୁଏ । କିନ୍ତୁ ତା’ପୂର୍ବରୁ ୧୮୮୮ ସାଲରେ ଉମେଶ୍ଚନ୍ଦ୍ର ସରକାରଙ୍କର ‘ପଦ୍ମମାଳୀ’ ପ୍ରକାଶିତ ହୁଏ ଏବଂ ୧୮୯୧ ସାଲରେ ପ୍ରକାଶିତ ହୁଏ ରାମଶଙ୍କର ରାୟଙ୍କର ‘ବିବାସିନୀ’ ଉପନ୍ୟାସ । ‘ପଦ୍ମମାଳୀ’ର ରଚନା ପୂର୍ବରୁ ରାମଶଙ୍କର ‘ଉତ୍କଳ ମଧୁପ’ ପତ୍ରିକାର ସମ୍ପାଦକଙ୍କ ଦ୍ୱାରା ଅନୁରୁଦ୍ଧ ହୋଇ ସୌଦାମିନୀ ଉପନ୍ୟାସ ଧାରାବାହିକ ଭାବରେ ଲେଖୁଥିଲେ । ନାନା କାରଣରୁ ତାହା ପୂର୍ଣ୍ଣ ପ୍ରକାଶିତ ହୋଇପାରିଳା ନାହିଁ । ପୁଣି ତା’ର ଶେଷାଂଶ ହଜିଯିବାରୁ ତାହା ଆଲୋକକୁ ଆସିପାରିଲା ନାହିଁ । ରାମଶଙ୍କର ଦସ୍ତାବିଜ ଓଡ଼ିଶାର ପ୍ରଥମ ଔପନ୍ୟାସିକ ହେଲେ ମଧ୍ୟ ତାଙ୍କର ଉକ୍ତି ଅନୁଯାୟୀ ‘ବିବାସିନୀ’ ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସ (୧) ନୁହେଁ । ତେଣୁ ଉମେଶ୍ଚନ୍ଦ୍ର ସରକାରଙ୍କର ‘ପଦ୍ମମାଳୀ’କୁ ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସ ରୂପେ ଗ୍ରହଣ କରାଯାଇ ପାରେ । ୧୮୯୩-୯୪ ସାଲରେ ‘ଇନ୍ଦ୍ରଧନୁ’ ପତ୍ରିକାର ସମ୍ପାଦକଙ୍କ ଦ୍ୱାରା ଅନୁରୁଦ୍ଧ ହୋଇ ରାମଶଙ୍କର ‘ଉନ୍ମାଦିନୀ’ ନାମକ ଉପନ୍ୟାସ ରଚନା କରନ୍ତି, କିନ୍ତୁ ପତ୍ରିକା ବିଲୁପ୍ତ ହେବାରୁ ‘ଉନ୍ମାଦିନୀ’ ଅପୂର୍ଣ୍ଣ ରହିଯାଏ ।

 

(୧) ରାମଶଙ୍କର ଗ୍ରନ୍ଥାବଳୀ, ମୁଖବନ୍ଧ ପୃ-୧

 

ଏହି ପ୍ରବନ୍ଧରେ ‘ପଦ୍ମମାଳୀ’ ‘ବିବାସିନୀ’ ଓ ‘ଭୀମା ଭୁୟାଁ’ । ଉପନ୍ୟାସକୁ ପ୍ରାଥମିକ ଓଡ଼ିଆ ‘ଛମାଣ ଆଠଗୁଣ୍ଠ’ (୧୮୯୭) ଓ ‘ଲଚ୍ଛମା’ (୧୯୦୧) ଉପନ୍ୟାସ ପ୍ରକାଶ କରି ସାରିଥିଲେ; କିନ୍ତୁ ଆଲୋଚ୍ୟ ଉପନ୍ୟାସ ତିନୋଟି ଅପେକ୍ଷା ଫକୀରମୋହନଙ୍କ ଉପନ୍ୟାସର ଭାଷା, ରଚନାବଳୀ, ଚରିତ୍ରସୃଷ୍ଟି, ଆଭିମୁଖ୍ୟ ଓ ବାସ୍ତବତା ଦୃଷ୍ଟିରୁ ଅଧିକ ଆଧୁନିକତାର ଅଭିମୁଖୀ ହୋଇଥିବାରୁ ଫକୀରମୋହନଙ୍କ ଉପନ୍ୟାସକୁ ଏହି ଆଲୋଚନାର ପରିସରରେ ଅଣାଯାଇ ନାହିଁ । ପୁଣି କଥାବସ୍ତୁ, ରଚନାଭଙ୍ଗୀ, ଭାଷା, ସଂଳାପ ବର୍ଣ୍ଣନା ଓ ଜୀବନ ପ୍ରତି ଆଭିମୁଖ୍ୟ ଦିଗରୁ ଏହି ତିନୋଟି ଉପନ୍ୟାସ ସମଧର୍ମା ତୁଲ୍ୟ ପ୍ରତୀକ ହେବାରୁ ଏଗୁଡ଼ିକୁ ଏକତ୍ର ଆଲୋଚନାର ପରିପ୍ରେକ୍ଷୀରେ ଆଣିବା ସମୀଚୀନ ବୋଧହୋଇଛି ।

 

ଏ ତିନୋଟି ଉପନ୍ୟାସ ରଚନାକାଳ ହେଉଛି ଉନବିଂଶ ଶତାବ୍ଦୀର ଶେଷଭାଗ ଓ ବିଂଶ ଶତାବ୍ଦୀର ପ୍ରଥମଭାଗ । ଓଡ଼ିଶାର ଜାତୀୟ ଜୀବନ, ସଂସ୍କୃତି ଓ ଜାତୀୟ ସାହିତ୍ୟରେ ଯେତେବେଳେ ଚରମ ସଂକଟପୂର୍ଣ୍ଣ ମୁହୂର୍ତ୍ତ ଆସି ପହଞ୍ଚିଛି, ସାହିତ୍ୟର ଆଦର୍ଶ ତଥା ମାନଦଣ୍ଡ ଦୃଢ଼ଭାବରେ ଯେତେବେଳେ ସ୍ଥିରୀକୃତ ହୋଇନାହିଁ, ପୁଣି ନାନା ସମସ୍ୟା ତଥା ସଙ୍କଟର ବାତ୍ୟାରେ ଯେତେବେଳେ ଉତ୍କଳବାସୀର ଜୀବନ ତୀବ୍ରଭାବରେ ଆନ୍ଦୋଳିତ, ସେତେବେଳେ ଅନ୍ୟ ଖାତନାମା ସାହିତ୍ୟରଥୀଙ୍କ ସହିତ ଆଲୋଚ୍ୟ ଲେଖକମାନଙ୍କର ସାଧନା ସେମାନଙ୍କର କମ ଦୁଃସାହିସକତାର ପରିଚୟ ଦେଇନାହିଁ । ଇଂରାଜୀ ଶିକ୍ଷାର ପ୍ରସାର ହେଉଥିଲେ ମଧ୍ୟ ସର୍ବସାଧାରଣଙ୍କ ନିକଟରେ ତାହା ପହଞ୍ଚିବାର ଏକ ସ୍ୱପ୍ନର ବିଷୟ ହୋଇଥାଏ । ମୁଷ୍ଟିମେୟ ଯେଉଁ କେତେଜଣ ଇଂରାଜୀ ଶିକ୍ଷା ଲାଭର ସୁଯୋଗ ପାଇଥିଲେ, ସେମାନେ ହେଉଛନ୍ତି ମଧ୍ୟବିତ୍ତଗୋଷ୍ଠୀ-। ଏହି ଶିକ୍ଷିତ ମଧ୍ୟବିତ୍ତଗୋଷ୍ଠୀ ହେଉଛି ଓଡ଼ିଶା ତଥା ଭାରତର ବିଭିନ୍ନ କ୍ଷେତ୍ରରେ ନବଜ୍ଞନ (ରେନେସାଁ) ପ୍ରଚାରର ଅଗ୍ରଦୂତ ।

 

ଶାସିତ ଲେଖକଗଣ ଯେତେବେଳେ ଲେଖନୀ ଧାରଣ କରନ୍ତି, ସେତେବେଳେ ଓଡ଼ିଶାର ପାଠକସଂଖ୍ୟା ଅତି ଅଳ୍ପ, ପୁଣି ପତ୍ରପତ୍ରିକାର ଅବସ୍ଥା ଟଳମଳ । ଓଡ଼ିଆ ପାଠକମାନଙ୍କର ପୁରାତନ କାବ୍ୟରୁଚି ସେମାନଙ୍କର ଉପନ୍ୟାସ ରଚନାର ଏକ ପ୍ରତିବନ୍ଧକରୂପେ ଠିଆ ହୋଇଥାଏ । ରାଧାନାଥ କାବ୍ୟର କଥାବସ୍ତୁ, ଭାଷା ଓ ଶୈଳୀ କ୍ଷେତ୍ରରେ ନୂତନତ୍ୱର ପ୍ରୟୋଗ ଅତି ସନ୍ତର୍ପଣରେ କରୁଥିବାବେଳେ ଏମାନଙ୍କ ଗଦ୍ୟରେ ଉପନ୍ୟାସ ରଚନା କରିବାକୁ କି ପ୍ରତିକୂଳ ଅବସ୍ଥାର ସମ୍ମୁଖୀନ ହେବାକୁ ହେଉଛି, ଗୋଟିଏ ଦିଓଟି ଉଦାହରଣ ଦେଲେ ଅପ୍ରାସଙ୍ଗିକ ହେବ ନାହିଁ । ରାମଶଙ୍କର ତାଙ୍କର ସୌଦାମିନୀ ଉପନ୍ୟାସ ଲେଖି ତତ୍‍କାଳୀନ ଡେପୁଟି ଇନସପେକ୍‍ଟରଙ୍କୁ ଦେଖାଇବାରୁ ସେ କହିଲେ—‘ଉପନ୍ୟାସ ପାଠ୍ୟପୁସ୍ତକ ହୋଇ ନ ପାରେ ।’ ପୁଣି ଉମେଶ୍ଚନ୍ଦ୍ର ତାଙ୍କର ‘ପଦ୍ମାବଳୀ’ ଉପନ୍ୟାସର ମୁଖବନ୍ଧରେ ଲେଖିଛନ୍ତି—‘ଉତ୍କଳ ସାହିତ୍ୟର ବର୍ତ୍ତମାନ ଅବସ୍ଥାରେ ସ୍ୱ-କପୋଳକଳ୍ପିତ ଗ୍ରନ୍ଥ ରଚନା କରିବାର ଉଦ୍ୟମକୁ ଅସୀମ ସାହସିକତାର କାର୍ଯ୍ୟ ବୋଲିବାକୁ ହେବ । ଆମ୍ଭେ ଏ ଅସୀମ ସାହସିକ କାର୍ଯ୍ୟର ଅନୁଷ୍ଠାନ କରିଅଛୁଁ । ଉତ୍କଳ ଭାଷାନଭିଜ୍ଞା ଆମ୍ଭେ ହାସ୍ୟାସ୍ପଦ ହେବୁଁ ଜାଣି ସୁଦ୍ଧା ଏ ଅନୁଷ୍ଠାନରେ ବ୍ରତୀ ହୋଇଅଛୁଁ । ବ୍ରତ ସଫଳ ବା ନିସ୍ଫଳ ହେଉ ଆମ୍ଭେ ଆଉ ପଶ୍ଚାତ୍‍ପଦ ହୋଇ ନ ପାରୁଁ । ଏଥିରୁ ସ୍ପଷ୍ଟ ଜଣାପଡ଼େ, ସାହିତ୍ୟ କହିଲେ ଲୋକେ କେବଳ ପ୍ରାଚୀନ କାବ୍ୟ ଓ ସଂସ୍କୃତ ଗ୍ରନ୍ଥକୁ ବୁଝୁଥିଲେ । ଅଳଙ୍କାରପୂର୍ଣ୍ଣ ଛନ୍ଦୋବଦ୍ଧ ସାହିତ୍ୟିକ ରଚନାକୁ ଲୋକେ କେବଳ ସାହିତ୍ୟ ବୋଲି ମନେକରୁଥିଲେ । ଉପନ୍ୟାସ ଯେ ପୂରାପୂରି ଜନ୍ମାବଧି ମନୁଷ୍ୟର କଥା, ଏ କଥା ତତ୍‍କାଳୀନ ପାଠକ ବୁଝିବାକୁ ପ୍ରସ୍ତୁତ ନ ଥିଲା-। ସୁତରାଂ ଗଣଜୀବନର ମୂଲ୍ୟବୋଧର ପ୍ରଶ୍ନ ଏଠାରେ ନ ଉଠିବା ସ୍ୱାଭାବିକ ।

 

ଏଇ ଶିକ୍ଷିତ ମଧ୍ୟବିତ୍ତଗୋଷ୍ଠୀ, ଯେଉଁମାନେ ଇଂରାଜୀ ଶିକ୍ଷିତ, ମଧ୍ୟସ୍ୱତ୍ତଭୋଗୀ ଜମିଦାର, ବ୍ରିଟିଶ ଶାସନ ବ୍ୟବସ୍ଥା ମଧ୍ୟରେ ରହି ନିଜକୁ ଭାଗ୍ୟବାନ କରିବା ପାଇଁ ସ୍ୱପ୍ନ ଦେଖୁଥିଲେ, ଯେଉଁମାନେ ହେଲେ ମାତୃପୂଜା ବା ଜାତୀୟତାର ଅଗ୍ରଦୂତ, ଶୋଷିତ ଜନଗଣର ମୁକ୍ତି ଚେତନାର ପ୍ରତିନିଧି ସାମ୍ରାଜ୍ୟବାଦ ଭିତରୁ ସାମ୍ରାଜ୍ୟବାଦର ପ୍ରତିବାଦୀଗଣର ପ୍ରତୀକ, ସେଇମାନଙ୍କର ରଚନାରେ କିପରି ନାନା ଅସଙ୍ଗତି ଓ ଦୁର୍ବଳତା ରହିଯାଇଛି । ତାହା ଅବଶ୍ୟ ପରେ ବିଚାର୍ଯ୍ୟ; କିନ୍ତୁ ଏମାନେ ଦେଶର ଘଡ଼ିସନ୍ଧି କାଳରେ ମାତୃଭାଷା ଓ ମାତୃଭୂମି ପାଇଁ କିଛି କରିବା ଲାଗି ଯେ ଅଣ୍ଟା ଭିଡ଼ିଥିଲେ, ତାହା କମ ଆଶା ଓ ଆନନ୍ଦର ବିଷୟ ନୁହେଁ । ଏମାନଙ୍କର ରଚନାଶିଳ୍ପ ଦିଗରୁ ସାଫଲ୍ୟମଣ୍ଡିତ ହୋଇନଥିଲେ ହେଁ ଆଧୁନିକ ଓଡ଼ିଆ ଉପନ୍ୟାସର ପ୍ରାଣପ୍ରତିଷ୍ଠା ପାଇଁ ସେ ଭିତ୍ତିଭୂମି (ଭୂମିକା) ସ୍ଥାପନ କରିଥିଲା, ଏଥିରେ ଦ୍ୱିମତ ନାହିଁ ।

 

୧୮୭୦ ସାଲଠାରୁ ଓଡ଼ିଆ ସ୍କୁଲମାନଙ୍କରେ ଓଡ଼ିଆ ଭାଷା ପ୍ରଚଳିତ ହେବାର ନିୟମ ହେବାରୁ ବହୁ ଖ୍ୟାତ ଓ ଅଖ୍ୟାତ ଲେଖକ ଓଡ଼ିଆଭାଷା ତଥା ସାହିତ୍ୟ ପ୍ରତି ଆକ୍ଷେପୋକ୍ତିର ତୀବ୍ର ପ୍ରତିକ୍ରିୟା ସ୍ୱରୂପ ପାଠ୍ୟପୁସ୍ତକ ଠାରୁ ଆରମ୍ଭ କରି ସାଧାରଣ ଓଡ଼ିଆ ରଚନା ପର୍ଯ୍ୟନ୍ତ ଲେଖିବାରେ ଲାଗିପଡ଼ିଲେ । ଜାତିର ଚରମ ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ଯେ କୌଣସି ଭାବରେ ଆତ୍ମପ୍ରତିଷ୍ଠା କରିବା ହେଲା ଶିକ୍ଷିତ ଲେଖକଗୋଷ୍ଠୀର ଆଭିମୁଖ୍ୟ ଫଳରେ ବହୁ ପାଠ୍ୟପୁସ୍ତକ ଓ ସାଧାରଣ ପୁସ୍ତକ ରଚିତ ହେବାକୁ ଲାଗିଲା । କି ପାଠ୍ୟ ପୁସ୍ତକ, କି ସାଧାରଣ ପୁସ୍ତକ, ପ୍ରତ୍ୟେକର ରଚନାକ୍ଷେତ୍ରରେ ଓଡ଼ିଆ ଲେଖକମାନେ ପ୍ରତିବେଶୀ ବଙ୍ଗୀୟ ପାଠ୍ୟପୁସ୍ତକ ତଥା ସାହିତ୍ୟିକ ରଚନାକୁ ଆଦର୍ଶରୂପେ ଗ୍ରହଣ କଲେ । ଉମେଶଚନ୍ଦ୍ର ଓ ରାମଶଙ୍କର ପ୍ରଭୃତି ଉପନ୍ୟାସ ରଚନାକ୍ଷେତ୍ରରେ ବଙ୍ଗର ପ୍ରସିଦ୍ଧ ଔପନ୍ୟାସିକ ବଙ୍କିମଚନ୍ଦ୍ରଙ୍କର ଐତିହାସିକ ଉପନ୍ୟାସଗୁଡ଼ିକୁ ଆଦର୍ଶରୂପେ ଗ୍ରହଣ କଲେ । ଆଲୋଚନାର ଅବସରରେ ଏମାନେ ନାନା କ୍ଷେତ୍ରରେ ବଙ୍କିମଚନ୍ଦ୍ରଙ୍କ ଦ୍ୱାରା କିପରି ପ୍ରଭାବିତ ହୋଇଛନ୍ତି, ଅବଶ୍ୟ ପରେ ତାହା ଆଲୋଚନା କରାଯିବ । ବର୍ତ୍ତମାନ ଉମେଶଚନ୍ଦ୍ରଙ୍କ ପଦ୍ମମାଳୀ ସମ୍ପର୍କରେ ଆଲୋଚନା କରାଯାଉ ।

Image

 

ପଦ୍ମମାଳୀ

 

ଉମେଶଚନ୍ଦ୍ରଙ୍କର ‘ପଦ୍ମମାଳୀ’ ହେଉଛି ଖଣ୍ଡିଏ ଐତିହାସିକ ରୋମାନ୍‍ସ (ଲେଖକଙ୍କ ଭାଷାରେ, An Historical Romance of the Feudatory States) । ବ୍ରିଟଶ ଶାସନର ପ୍ରାରମ୍ଭ କାଳରେ କ୍ଷୁଦ୍ର ଦେଶୀୟରାଜ୍ୟ ନୀଳଗିରିର ଗଡ଼ଜାତି ଅତ୍ୟାଚାରର ଏକ ବାସ୍ତବ କାହାଣୀକୁ ନେଇ ଉପନ୍ୟାସଟି ରଚନା କରାଯାଇଛି । ଏଥିରେ ଲେଖକ ସମସାମୟିକ ଦୁଇଟି ମୁଖ୍ୟ ଐତିହାସିକ ଘଟଣାକୁ ଏକତ୍ର ସଂଗ୍ରଥିତ କରି ଏହାର ପ୍ରାଣପ୍ରତିଷ୍ଠା କରିଛନ୍ତି; ଯଥା—ଗୋଟିଏ ହେଉଛି ପାଞ୍ଚଗଡ଼ ଉପରେ ନୀଳଗିରିର ରାଜ୍ୟର ଅତ୍ୟାଚାରୀ କର୍ମଚାରୀମାନଙ୍କର ଆକ୍ରମଣ, ଅନ୍ୟଟି ହେଉଛି ମୟୂରଭଞ୍ଜର ହରିହର ଭ୍ରମରବରଙ୍କ ଦ୍ୱାରା ନୀଳଗିରି ଆକ୍ରମଣ ଏହାଛଡ଼ା ନୀଳଗିରିର ଇତିହାସ, ନୀଳଗିରିର ଅଧିକାରରୁ ଚ୍ୟୁତ ହୋଇ ପାଞ୍ଚଗଡ଼ ଗଭର୍ଣ୍ଣମେଣ୍ଟଙ୍କର ଖାସମାହଲ ଭୁକ୍ତ ହେବା, ପାଞ୍ଚଗଡ଼ ଲୁଣ୍ଠନକାରୀ ଓ ନୀଳଗିରି ଆକ୍ରମଣକାରିଙ୍କର ବାଲେଶ୍ୱର ମାଜିଷ୍ଟ୍ରେଟ ହେନେରୀ ରିକେଟ୍‍ସଙ୍କ ଦ୍ୱାରା ବିଚାର ପ୍ରଭୃତି ହେଉଛି ଅନ୍ୟ ଐତିହାସିକ ଘଟଣା । ଏ ସମସ୍ତ ଐତିହାସିକ ଘଟଣାର ସୂଚନା ଦିଆଯାଇଛି ଗୋଟିଏ କାହାଣୀକୁ କେନ୍ଦ୍ରକରି । କାହାଣୀଟି ହେଉଛି—ପାଞ୍ଚଗଡ଼ର ଜଗୁପଟୁଆର କନ୍ୟା ଷୋଡ଼ଶୀ ପଦ୍ମମାଳୀ ମାତା ଓ ସଙ୍ଗୀନୀମାନଙ୍କ ସହିତ ମୟୂରଭଞ୍ଜ ଦକ୍ଷିଣାଂଶରେ ଅବସ୍ଥିତ ମାଣତିରି ଗ୍ରାମକୁ ଶିବଚତୁର୍ଦ୍ଦଶୀରେ ବୈଦ୍ୟନାଥଙ୍କର ଦର୍ଶନ ପାଇଁ ଯାଇଥାଏ । ବର୍ଷା ଓ ଅନ୍ଧାରରେ ଯାତ୍ରୀମାନେ ଛିନ୍ନଛତ୍ର ହୋଇଯିବାରୁ ନୀଳଗିରିର ପ୍ରଧାନ କର୍ମଚାରୀ ଦୁର୍ଯ୍ୟୋଧନ ଦାସ ବଳବନ୍ତରା ନାମକ ଏକ ଯୁବକ ପଦ୍ମମାଳୀକୁ ଅପହରଣ କରି ନେଇଯାଏ । ନିର୍ଜନ ସ୍ଥାନରେ କାମୁକ ଦୁର୍ଯ୍ୟୋଧନ ଦାସ ନିଜର କୁତ୍ସିତ ସମ୍ଭୋଗଲାଳସାକୁ ଚରିତାର୍ଥ କରିବା ପାଇଁ ବହୁ ଚାଟିପରେ ଯେତେବେଳେ ବଳପ୍ରୟୋଗ କରେ, ବଳବନ୍ତରାର ଅନୁପସ୍ଥିତିରେ ଅନ୍ୟ ଜଣେ ଯୁବକ ଅପ୍ରତ୍ୟାଶିତ ଭାବରେ, ପଦ୍ମମାଳୀକୁ ଉଦ୍ଧାର କରି ଦୁର୍ଯ୍ୟୋଧନର ହାତଗୋଡ଼ ବାନ୍ଧି ଚାଲିଯାଏ । ଏଇ ଯୁକବ ହେଉଛନ୍ତି କାପ୍ତିପଦାର ରାଜା ପରୀକ୍ଷିତ ସିଂହ । ପଦ୍ମମାଳୀ ସହିତ ଯୁବକ ସହାନୁଭୂତିଶୀଳ ବୃଦ୍ଧ ମହାନ୍ତ ରାମାନୁଜ୍‍ଦାସଙ୍କ ମଠରେ ରାତ୍ରୀଯାପନ କରନ୍ତି । ପରସ୍ପରର ମୁଖଦର୍ଶନରେ ଉଭୟେ ପ୍ରଣୟ-ପାଶରେ ଆବଦ୍ଧ ହୁଅନ୍ତି । ଯୁବକ ମହାନ୍ତଙ୍କର ଉଦ୍ୟାନର ବିବାକ୍ତ ସ୍ଥାନରେ ପଦ୍ମମାଳୀ ସହିତ ବଶ୍ରମ୍ଭାଳାପ କରି ମୁଦ୍ରିକା ପ୍ରଦାନ କରନ୍ତି । ଘଣ୍ଟଶିଳାର ଗଡ଼ନାୟକଙ୍କ କନ୍ୟା ଜୟନ୍ତୀ ପଦ୍ମମାଳୀର ସଙ୍ଗିନୀ ଭାବରେ ସେଠାରେ ରହେ । ଦୁର୍ଯ୍ୟୋଧନର ଏ ଅପକ୍ରିୟା ଚତୁର୍ଦ୍ଦିଗରେ ପ୍ରଚାରିତ ହୋଇଯାଏ । କଳଙ୍କ କ୍ଷାଳନ ନିମିତ୍ତ ଜାରଜ ଦୁର୍ଯ୍ୟୋଧନ ହେଡ୍‍ଅମିନ ଲକ୍ଷ୍ମଣ ପଣ୍ଡା ହାତରେ ଜଗୁ ପଟୁଆରି ନିକଟକୁ ନିଃସହାୟା ପଦ୍ମାମାଳୀକୁ ଆଶ୍ରୟଦାନ ସକାଶେ ଆଣୁଥିବାବେଳେ ଦସ୍ୟୁ ଦ୍ୱାରା ଆକ୍ରାନ୍ତ ହେବାର କଳ୍ପିତ ମିଥ୍ୟା ସମ୍ବାଦ ପ୍ରେରଣ କରି ବିବାହର କାମନା ଓ ସ୍ୱୀକୃତିର ପ୍ରତୀକ୍ଷା ସମ୍ପର୍କରେ ସୂଚନା ଦିଏ । ପଦ୍ମମାଳୀ ସ୍ୱଗୃହକୁ ପ୍ରେରିତ ହୋଇ ଯୁବକର ବିଚ୍ଛେଦ ବେଦନାରେ ପୀଡ଼ିତା ହୁଏ ଲକ୍ଷ୍ମଣ ପଣ୍ଡାର ଦୌତ୍ୟ ବିଫଳ ହୁଏ । ପଦ୍ମମାଳୀର ପରିବର୍ତ୍ତନ ପାଇଁ ତାକୁ ମହାନ୍ତଙ୍କ ମଠକୁ ପୁଣି ପ୍ରେରଣ କରାଯାଏ । ମହନ୍ତ ପରୀକ୍ଷିତ ସିଂହଙ୍କ ସହିତ ପଦ୍ମମାଳୀର ପରିଣୟ ପ୍ରସଙ୍ଗ ସ୍ଥିରକରି ସିଂହଙ୍କୁ ନିମନ୍ତ୍ରଣ କରି ଆଣନ୍ତି । ମଠରେ ପ୍ରେମିକପ୍ରେମିକାଙ୍କର ପୁନଃ ମିଳନ ହୁଏ ଓ ମାଲ୍ୟାର୍ପଣ ଦ୍ୱାରା ଗାନ୍ଧର୍ବ ବିହାହର ସୂଚନା ଦିଆଯାଏ । ମଙ୍ଗଳକୃତ୍ୟର ସମୟ ନିର୍ଦ୍ଦିଷ୍ଟ କରି ପଦ୍ମମାଳୀକୁ ଆଶ୍ୱାସନା ଦେଇ ସପ୍ତାହକ ପରେ ପରୀକ୍ଷିତ ସିଂହ ବିଦାୟ ନେଇ ଚାଲିଯାଆନ୍ତି ।

 

ପଦ୍ମମାଳୀ ଓ ଘଣ୍ଟଶିଳାର ଗଡ଼ନାୟକଙ୍କ କନ୍ୟା ଜୟନ୍ତୀର ବିବାହ ପ୍ରସ୍ତାବ ଶୁଣି (ଶ୍ରୀ ରାମପୁରର ଦଳବେହେରା ପୁଅ ସହିତ) ପ୍ରତିଶୋଧ ଦେବା ପାଇଁ କୌଶଳରେ ନୀଳଗିରି ରାଣୀଙ୍କୁ ଉତ୍‍କ୍ଷିପ୍ତ କରାଇ ଦୁର୍ଯ୍ୟାଧନ ଦାସ ଜଗୁ ପଟୁଆରୀଙ୍କୁ ବନ୍ଦୀ କରି ଆଣି କାରାଗାରକୁ ପଠାଏ ଏବଂ ପଦ୍ମମାଳୀ ଓ ଜୟନ୍ତୀଙ୍କୁ କୌଶଳକ୍ରମେ ଅପହରଣ କରି ଆଣି ପାପୀୟସୀ କୁଳଟା ବୃଦ୍ଧା ରାମିଆ ମାର ନଜରରେ ନିଜର ଉଦ୍ୟାନ ଗୃହରେ ରଖାଏ । ପଦ୍ମମାଳୀର ଅପହରଣ ଦିନ ଦୁର୍ଯ୍ୟାଧନକୁ ସାହାର୍ଯ୍ୟ କରିଥିବା ବାଞ୍ଛାନିଧି ବଳବନ୍ତରାର ଦୁଷ୍କ୍ରିୟା ପାଇଁ ଅନୁତାପ ଜାତ ହୁଏ । ସେ ପଦମାଳୀକୁ ଉଦ୍ଧାର କରିବା ପାଇଁ ଦୃଢ଼ପ୍ରତିଜ୍ଞ ହୋଇ ମହାନ୍ତଙ୍କୁ ସମ୍ୱାଦ ଜଣାଏ ଓ ବାଲେଶ୍ୱର ଥାନାରେ ଏତଲା ଦେବା ପାଇଁ ଜଣେ ଭୃତ୍ୟକୁ ପଠାଏ । ସମ୍ୱାଦ ପାଇ ନୀଳଗିରି ସିଂହାସନପ୍ରାପ୍ତିର ଲାଳସା ପୋଷଣ କରିଥିବା ହରିହର ଭ୍ରମରବର ନୀଳଗିରିର ବହୁ ସର୍ଦ୍ଦାର ଓ ପ୍ରଜାଙ୍କୁ ହାତକରି ନୀଳଗିରି ଗଡ଼ ଆକ୍ରମଣ କରିବାର ବନ୍ଦୋବସ୍ତ କରନ୍ତି । ପରୀକ୍ଷିତ ସିଂହ ତାଙ୍କ ସହିତ ଯୋଗଦିଅନ୍ତି । ବାଞ୍ଛାନିଧି ବଳବନ୍ତରାୟ ନିଜର ପ୍ରେମିକା ଜୟନ୍ତୀକୁ ଭେଟି ପଦ୍ମମାଳୀଠାରେ କ୍ଷମାପ୍ରାର୍ଥନା କରି ଜୟନ୍ତିକୁ କଟାରୀ ଦାନ କରେ । ଆକ୍ରମଣର ସମ୍ୱାଦ ପାଇ ରାଣୀ ନାବାଳକ ଦୁଇ ପୁତ୍ରଙ୍କ ସହ ବାଲେଶ୍ୱର ଯାତ୍ରା କରନ୍ତି । ଶିବିରରେ ବଳବନ୍ତରାୟ ଠାରୁ ସମ୍ୱାଦ ଯାଇ ପରୀକ୍ଷିତ ସିଂହ ବଳବନ୍ତର ସହିତ ଗଡ଼ ଆକ୍ରମଣ କରନ୍ତି । ଉଦ୍ୟାନଗୃହରେ ଦୁର୍ଯ୍ୟୋଧନ ପଦ୍ମମାଳୀ ଉପରେ ଅତ୍ୟାଚାର କରିବାକୁ ପସ୍ତୁତ ଥିବା ମୁହୂର୍ତ୍ତରେ ପରୀକ୍ଷିତ ସିଂହ ପଦ୍ମମାଳୀ ଓ ଜୟନ୍ତୀଙ୍କୁ ଉଦ୍ଧାର କରି ଦୁର୍ଯ୍ୟୋଧନକୁ ବନ୍ଦୀ ଭାବରେ କପ୍ତିପଦା ଦୁର୍ଗକୁ ପ୍ରେରଣ କରନ୍ତି ଓ ତା’ର ଗୃହରେ ଅଗ୍ନିସଂଯୋଗ କରନ୍ତି ।

 

ରାତିରେ ରିକେଟ୍‍ସ ସାହେବ, ଇଂରାଜୀ ଫୌଜ ଓ ରାଣୀ ଗଡ଼ରେ ପହଞ୍ଚନ୍ତି । ଫୌଜଦ୍ୱାରା ଶାନ୍ତି ସ୍ଥାପିତ ହୁଏ । ବିଦ୍ରୋହୀମାନେ ପଳାଇଯାନ୍ତି । ଅନୁସନ୍ଧାନ ପରେ ବିଚାରରେ ନୀଳଗିରିର ଅତ୍ୟାଚାରୀ କର୍ମଚାରୀ ଶାନ୍ତିଦାସକୁ ତିନି ବର୍ଷ କାରାଦାଣ୍ଡ ଓ ଭାଗୀରଥି ପଟ୍ଟନାୟକକୁ ୨୫୦୦ଟଙ୍କା ଜୋରିମାନା ହୁଏ । ପାଞ୍ଚଗଡ଼ ଖସ୍‍ମାହାଲର ଅନ୍ତର୍ଭୁକ୍ତ ହୁଏ । ହରିହର ଭ୍ରମରବର ଓ ବଳୀବାବୁ ପ୍ରତ୍ୟେକଙ୍କୁ ଦୁଇ ବର୍ଷ ଏବଂ ପରୀକ୍ଷିତ ସିଂହଙ୍କୁ ଛଅମାସ କାରାଦେଶ ହୁଏ । ମୟୁରଭଞ୍ଜ ରାଜାଙ୍କୁ ଟ୫୦୦୧ ଅର୍ଥଦଣ୍ଡ ହୁଏ । ମହାନ୍ତ ହରିହର ରାମାନୁଜ ସାହେବଙ୍କୁ ପଦ୍ମମାଳୀ ପ୍ରସଙ୍ଗ କରିବାରୁ ପରୀକ୍ଷିତ ସିଂହ ଦଣ୍ଡରୁ ଅବ୍ୟାହତି ପାଇ ପଦ୍ମମାଳୀକୁ ବିବାହ କରନ୍ତି-। ଜୟନ୍ତୀ ବଳବନ୍ତରାକୁ ବିବାହ କରେ । ଦୁର୍ଯ୍ୟୋଧନ ଦାସ ମାନସିକ ଯନ୍ତ୍ରଣାରେ କପ୍ତିପଦା କାରାଗାରରେ ମୃତ୍ୟୁବରଣ କରେ ।

 

ବଙ୍କିମଚନ୍ଦ୍ରଙ୍କର ଆନନ୍ଦମଠ, ଦୁର୍ଗେଶନନ୍ଦିନୀ ଓ ସୀତାରାମ ପ୍ରଭୃତି ଉପନ୍ୟାସ ପରି ‘ପଦ୍ମମାଳୀର’ କାହାଣୀରେ ମୂଳରୁ ଚୂଳ ପର୍ଯ୍ୟନ୍ତ ରହିଛି ଏକ ରୋମାଞ୍ଚକର ବାତାବରଣ । ବର୍ଷାନ୍ଧକାରପୂର୍ଣ୍ଣ ରଜନୀରେ ପଦ୍ମମାଳୀର ଅପହରଣ ଓ ନିର୍ଜନରେ ବଳପ୍ରୟୋଗର ପ୍ରଚେଷ୍ଟା, ରହସ୍ୟଜନକ ଭାବରେ ଏମାନଙ୍କ ପଛେ ପଛେ ଏକ ଛାୟାର ଇଙ୍ଗିତ, ଅପ୍ରତ୍ୟାଶିତ ଭାବେ ପଦ୍ମମାଳୀର ଉଦ୍ଧାର, ପ୍ରଣୟୀ ଓ ପ୍ରଣୟୀନୀଙ୍କର ଏକାନ୍ତ-ମିଳନ, ଦୁର୍ଯ୍ୟୋଧନର ପରାଭାବ, ପୁନଶ୍ଚ ପଦ୍ମମାଳୀର ଅପହରଣ, ବିଦ୍ରୋହୀମାନଙ୍କର ଆକ୍ରମଣ ପ୍ରସ୍ତୁତି, ଅତ୍ୟାଚାରୀମାନଙ୍କର ଘଣ୍ଟଶିଳା ଅଭିଯାନ, ସୈନ୍ୟମାନଙ୍କର ଘାଟି ସ୍ଥାନରେ ସତର୍କତା ଭାବରେ ଅତ୍ୟାଚାରିତା ପଦ୍ମମାଳୀ ଓ ଜୟନ୍ତୀର ଉଦ୍ଧାର ପ୍ରଭୃତି ହେଉଛି ତା’ର ଦୃଷ୍ଟାନ୍ତ ।

 

ସମଗ୍ର ଉପନ୍ୟାସଟିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ପ୍ରେମବ୍ୟାପାରକୁ କେନ୍ଦ୍ରବିନ୍ଦୁ କରି ଉପନ୍ୟାସଟିର କାହାଣୀ ଓ କଳେବରକୁ ସ୍ଫୀତ କରାଯାଇଥିଲେ ମଧ୍ୟ ଆମୂଳଚୂଳ ଅତ୍ୟାଚାର, ଆକ୍ରମଣ ଓ ପ୍ରତିଆକ୍ରମଣର ଘଟଣା ଯେପରି ମୁଖ୍ୟ, ପ୍ରେମ ବ୍ୟାପାର କେବଳ ଗୌଣ, ଉପଲକ୍ଷ୍ୟ ମାତ୍ର । ସେ ଯାହାହେଉ, ଐତିହାସିକ ରୋମାନ୍‍ସ ବା ରୋମାନ୍‍ସର ଭିତ୍ତି ହେଉଛି ପ୍ରେମ । ଏଥିରେ ପଦ୍ମମାଳୀର ଉଦ୍ଧାରକର୍ତ୍ତା ପରୀକ୍ଷିତ ସିଂହ ଓ ପଦ୍ମମାଳୀ ମଧ୍ୟରେ ପ୍ରେମର ସୂଚନା ଦେଇ ସେମାନଙ୍କୁ ପରିଣୟସୂତ୍ରରେ ଆବଦ୍ଧ କରିବା ଲେଖକଙ୍କର ଉଦ୍ଦେଶ୍ୟ; କିନ୍ତୁ ପ୍ରଣୟର ଚିତ୍ରରେ ତିଳେ ମାତ୍ର ସ୍ୱାଭାବିକତା ନାହିଁ । ପ୍ରଥମ ସାକ୍ଷାତରେ ପ୍ରଣୟୀ ଓ ପ୍ରଣୟିନୀ ପରସ୍ପରଙ୍କର ଏକାନ୍ତ-ମିଳନ, ପ୍ରଣୟୀର ପ୍ରଣୟିନୀକୁ ଅଙ୍କରେ ସ୍ଥାପନ, ଚୁମ୍ୱନ ଓ ମୁଦ୍ରିକା ପ୍ରଦାନ ପ୍ରଭୃତି କ୍ରିୟାକଳାପ ତତ୍‍କାଳୀନ ସାମାଜିକ ଅବସ୍ଥା ଦୃଷ୍ଟିରୁ ଏକାନ୍ତ ବିସଦୃଶ ବୋଧହୁଏ । ପୁଣି ଚୁମ୍ୱନ, ମୁଦ୍ରିକା ପ୍ରଦାନ, ଅନ୍ୟ ସମୟରେ ମାଲ୍ୟାର୍ପଣ ଦ୍ୱାରା ଗାନ୍ଧର୍ବ ବିବାହର ସୂଚନା, ବିବାହ ଦିବସରେ ସ୍ଥୀରୀକରଣ ସମ୍ପର୍କରେ ଜୟନ୍ତୀର ଜିଜ୍ଞାସା ପ୍ରଭୃତି ଚିତ୍ର ମଧ୍ୟଯୁଗୀୟ ରୀତିବାକ୍ୟ ବର୍ଣ୍ଣିତ ପ୍ରେମ ପରି ଅସ୍ୱାଭାବିକ ହୋଇଛି । ପ୍ରତିଦ୍ୱନ୍ଦୀ ଭାବରେ ଦୁର୍ଯ୍ୟୋଧନ ଦାସର ଷଡ଼ଯନ୍ତ୍ର, କୌଶଳ, ଚାଟୁ ଓ ବଳାତ୍କାର ପ୍ରଭୃତି ଦୁଃସାହସିକ ଘଟଣା ଉପନ୍ୟାସର ନାଟକୀୟ ଉତ୍ତେଜନା ଓ ଉତ୍କଣ୍ଠା ସୃଷ୍ଟି କରୁଥିଲେ ମଧ୍ୟ ତା’ର ଚରିତ୍ର ଓ କ୍ରିୟାକଳାପ ସେଇ ଗତାନୁଗତିକ କାବ୍ୟଯୁଗୀୟ ଆଧାରରେ ପରିକଳ୍ପିତ । ପ୍ରଣୟ ପରିକଳ୍ପନାରେ ଔପନ୍ୟାସିକ ଶାଶ୍ୱତ କ୍ରୟୀର (Eternal triangle)ଅବକାଶ ସୃଷ୍ଟି କରିଥିଲେ ମଧ୍ୟ ତା’ର ଆଲେଖ୍ୟ ସୌଷ୍ଟବିହୀନ ହୋଇପଡ଼ିଛି । ଜୟନ୍ତୀ ସହ ବାଞ୍ଛାନିଧି ବଳବନ୍ତରା ପ୍ରଣୟର ସୂଚନା ଦିଆଯାଇଥିଲେ ମଧ୍ୟ ତାର ବିକାଶ ଆଦୌ ଘଟି ନାହିଁ ।

 

ପଦ୍ମମାଳୀକୁ କେନ୍ଦ୍ର କରି ଉପନ୍ୟାସର ମୁଖଦ୍ୱନ୍ଦ୍ୱ ବା ସଂଘର୍ଷ ଗଢ଼ି ଉଠିଥିଲେ ମଧ୍ୟ ଅନ୍ୟ କେତେଗୁଡ଼ିଏ ଗୌଣଦ୍ୱନ୍ଦ୍ୱ ଏହାର ପରିପୁଷ୍ଠ ଦିଗରେ ସାହାର୍ଯ୍ୟ କରିଛନ୍ତି । ଅତ୍ୟାଚାରୀ ଦୁର୍ଯ୍ୟୋଧନ ଦାସ ଓ ପଦ୍ମମାଳୀ ମଧ୍ୟରେ ଗଢ଼ିଉଠିଥିବା ଦ୍ୱନ୍ଦ୍ୱ ଉପନ୍ୟାସର ମୁଖ୍ୟଦ୍ୱନ୍ଦ୍ୱ । ଏହାର ପରିପୁଷ୍ଟି ନିମନ୍ତେ ଔପନ୍ୟାସିକ ଦୁର୍ଯ୍ୟୋଧନ ଓ ଜଗୁ ପଟୁଆର, ପାଞ୍ଚଗଡ଼ର ଭ୍ରମରବର ଓ ଦୁର୍ଯ୍ୟୋଧନ ଏବଂ ଘଣ୍ଟଶିଳା ଗଡ଼ନାୟକ ଓ ଦୁର୍ଯ୍ୟୋଧନ ମଧ୍ୟରେ ଯେଉଁ ଦ୍ୱନ୍ଦ୍ୱ ସୂଚିତ କରିଛନ୍ତି, ତା ଦ୍ୱାରା ମୁଖ୍ୟ ସଂଘର୍ଷ ଜଟିଳତର ହେବା ସଙ୍ଗେ ସଙ୍ଗେ କାହାଣୀର କିଞ୍ଚିତ୍‍ ଅଗ୍ରଗତି ସାଧିତ ହୋଇଛି । ପ୍ରଥମ ପରିଚ୍ଛେଦରେ ଦୁର୍ଯ୍ୟୋଧନ ଦାସର ପଦ୍ମମାଳୀ ଉପରେ ଅତ୍ୟାଚାରର ଚିତ୍ର, ଯଥା ରାଉତରେ ବାବୁଙ୍କର ଦୁର୍ଯ୍ୟୋଧନକୁ ଧରିବାର ପ୍ରଚେଷ୍ଠା, ପରୀକ୍ଷିତ ସିଂହଙ୍କର ପ୍ରତିଶୋଧ ନେବାର ଦୁର୍ବାର ଉତ୍କଣ୍ଠାରେ ଏହା କ୍ରମଶଃ ଜଟିଳତର ହୋଇ ପଦ୍ମମାଳୀର ଅପହରଣରେ ଚୂଡ଼ାନ୍ତ ସ୍ପର୍ଶ ପାଇଛି ଏବଂ ବଳବନ୍ତରାର ଅନୁଶୋଚନା ବିଦ୍ରୋହ ଓ ଆକ୍ରମଣ ଫଳରେ ଏହା କ୍ରମଶଃ ନିମ୍ପଗତି ଲାଭ କରି କାମାନ୍ଧ ଦୁର୍ଯ୍ୟୋଧନର ବଳାତ୍କାର ମୁହୂର୍ତ୍ତରେ ତାକୁ ବନ୍ଦୀ କରି ପଦ୍ମମାଳୀ ଓ ଜୟନ୍ତୀକୁ ଉଦ୍ଧାର କରିବାର ମୁଖ୍ୟଦ୍ୱାର ନାଟକୀୟ ଅବସାନ ଘଟିଛି । ପଦ୍ମମାଳୀ ଉପରେ ଅତ୍ୟାଚାର, ଜଗୁ ପଟୁଆରିଙ୍କୁ ବନ୍ଦୀ କରି ପଦ୍ମମାଳୀ ଉପରେ ଅତ୍ୟାଚାର, ଜଗୁ ପଟୁଆରିଙ୍କୁ ବନ୍ଦୀ କରି ପଦ୍ମମାଳୀ ଓ ଜୟନ୍ତୀକୁ ଅପହରଣ କରି ଆଣିବା, ପଦ୍ମମାଳୀ ଉପରେ ଅନ୍ତିମ ଅତ୍ୟାଚାରର ଉପକ୍ରମ, ବିଦ୍ରୋହୀ ନେତାଙ୍କର ଅପ୍ରତ୍ୟାଶିତ ଉପସ୍ଥିତି, ଫୌଜିଙ୍କ ସହ ରିକେଟ୍‍ସଙ୍କ ନୀଳଗିରି ଆଗମନ ଓ ଅତ୍ୟାଚାର ଦମନ ପ୍ରଭୃତି ଘଟଣାଗୁଡ଼ିକ ଉପନ୍ୟାସର ନାଟକୀୟ ମୁହୁର୍ତ୍ତ । ଏଗୁଡ଼ିକ ଦ୍ୱାରା ଉପନ୍ୟାସର ବାତାବରଣ ଉତ୍ତେଜନା ପୂର୍ଣ୍ଣ ହୋଇଛି ଏବଂ ଉପନ୍ୟାସର ଆରମ୍ଭରୁ ପଦ୍ମମାଳୀର ଉଦ୍ଧାରକର୍ତ୍ତାର ପରିଚୟ ପ୍ରଚ୍ଛନ୍ନ ରଖିବା ଦ୍ୱାରା ଔପନ୍ୟାସିକ ବିଷୟ ଚିତ୍ରରେ ଏକ ନାଟକୀୟ ପ୍ରଚ୍ଛନ୍ନତାର ଇଙ୍ଗିତ ଦେଇ କୌତୂହଳ ଓ ଉତ୍କଣ୍ଠା ସୃଷ୍ଟି କରିଛନ୍ତି । ଦୁର୍ଯ୍ୟୋଧନ ଦାସର ପାଶବିକ ପ୍ରବୃତ୍ତି, ଜୀବନର ଏକ ଚରମ ମୁହୂର୍ତ୍ତରେ ପଦ୍ମମାଳୀର ସତୀତ୍ୱସମୁଜ୍ଜଳ ଦୃଢ଼ ଚରିତ୍ର ନିଷ୍ଠା ତଥା ବଳିଷ୍ଠ ବ୍ୟକ୍ତିତ୍ୱ ଏବଂ ପରିଣତିରେ ପଦ୍ମମାଳୀ ଉପରେ ଦୁର୍ଯ୍ୟୋଧନ ଦାସର ଅତ୍ୟାଚାର ପ୍ରଚେଷ୍ଟା ଓ ଅତ୍ୟାଚାରିତା ପଦ୍ମମାଳୀକୁ ଦୁରନ୍ତ ଦୁର୍ଯ୍ୟୋଧନ ହସ୍ତରୁ ରକ୍ଷାକରିବା ପ୍ରଭୃତିରେ ମାନବିକ ମୂଲ୍ୟବୋଧ ଜନିତ ସଂଘର୍ଷ ସ୍ପଷ୍ଟ ହୋଇ ଉଠିଛି । ପଦ୍ମମାଳୀର ଚାରିତ୍ରିକ ମହତ୍ତ୍ୱ ଓ ପ୍ରେମ, ପରୀକ୍ଷିତ ସିଂହଙ୍କର ଆଦର୍ଶ ନାୟକସୁଲଭ ଦୁଃସାହସିକତା, ବୀରତ୍ୱ ତଥା ପ୍ରେମ, ଜୟନ୍ତୀର ସେବା ତଥା ସଖୀଗତପ୍ରାଣତା, ମହନ୍ତଙ୍କର ଉଦାର ସ୍ନେହସ୍ନିଗ୍‍ଧ ହୃଦୟ ଏବଂ ରିକେଟ୍‍ସ ସାହେବଙ୍କ ସାନି ବିଚାରରେ ସହୃଦୟତାର ଚିତ୍ରଗୁଡ଼ିକ ଲେଖକଙ୍କ ଉନ୍ନତ ରୁଚି, ଆଦର୍ଶବୋଧ ତଥା ମାନବିକ ଆବେଦନରେ ଏକାନ୍ତ ହୃଦ୍ୟ ହୋଇଛି ।

 

ଐତିହାସିକ ରୋମାନସଟିର ରଚନାରେ ଲେଖକ ବଙ୍କିମଚନ୍ଦ୍ରଙ୍କୁ ଅନୁସରଣ କଲେ ମଧ୍ୟ ବଙ୍କିମଙ୍କ ପରି ତାଙ୍କର ରୋମାନ୍‍ସ ଚରିତ୍ରପ୍ରଧାନ ନ ହୋଇ ହୋଇଛି ଘଟଣାପ୍ରଧାନ । ଘଟଣାର ବହୁଳତା (ଗୌଣ ଅବାନ୍ତର ଘଟଣାର ସମାବେଶ ଯଥା: ପଦ୍ମମାଳୀର ପୀଡ଼ାଚର୍ଚ୍ଚା, ପହଲ ଗୋଚ୍ଛାଏତ୍‍ ଦ୍ୱାରା ଜନଶ୍ରୁତି ବିସ୍ତାର), ନୀଳଗିରି ମହନ୍ତ, କପ୍ତିପଦାର ରାଜବଂଶ, ନୀଳଗିରି ଓ ପାଞ୍ଚଗଡ଼ର ଇତିହାସର ଦୀର୍ଘ ବର୍ଣ୍ଣନା ଦ୍ୱାରା ଏବଂ ବହୁ ଚରିତ୍ର ସମାବେଶଦ୍ୱାରା କାହାଣୀର ଗତି ମନ୍ଥର ହୋଇ ପଡ଼ିଛି । ଏହାକୁ ଉପନ୍ୟାସ ନ କହି, ଘଟଣା, ଇତିହାସ ଓ ବହୁ ଚରିତ୍ରପୂର୍ଣ୍ଣ ଏକ ଦୀର୍ଘ କାହାଣୀ କହିଲେ ଅସମୀଚୀନ ହେବନାହିଁ । ଅବଶ୍ୟ ବଙ୍କିମଚନ୍ଦ୍ରଙ୍କ ଉପନ୍ୟାସ ପରି ‘ପଦ୍ମମାଳୀ’ରେ ଘଟଣା ଓ ଚରିତ୍ରର (ବି ମୁଖ୍ୟ କି ଗୌଣ) ଦୀର୍ଘ ବର୍ଣ୍ଣନା ରହିଛି କିନ୍ତୁ ସେଗୁଡ଼ିକର ଦୀର୍ଘ ମଧ୍ୟଯୁଗୀୟ କାବ୍ୟକୁ ବର୍ଣ୍ଣନା ପାଠକ ଚିତ୍ତରେ କୌଣସି ଆଗ୍ରହ ସୃଷ୍ଟି କରେନା । ଘଟଣାର ବହୁଳତା ଥିଲେ ମଧ୍ୟ ଦ୍ୱନ୍ଦ୍ୱମୁଖର ଘଟଣାଗୁଡ଼ିକର ଆଙ୍ଗିକ ସୌଷ୍ଠବ ସୁଲଭ ଜଟିଳତା ପରିଲକ୍ଷିତ ହୁଏନା । ଆଖ୍ୟାନ ବସ୍ତୁ ସରଳ ହେଲେ ମଧ୍ୟ ଘଟଣା ଓ ସ୍ଥାନର ବାହୁଲ୍ୟ ହେତୁ ତନ୍ମଧ୍ୟସ୍ଥ ଐକ୍ୟସୂତ୍ର ଶିଥିଳ ହେଲା ପରି ପ୍ରତୀକ ହୁଏ । ବିଷୟବସ୍ତୁ ବାସ୍ତବ ତଥା ନାଟକୀୟ ଉତ୍ତେଜନାପୂର୍ଣ୍ଣ ରୋମାନ୍‍ସର ଉପଯୋଗୀ ହେଲେ ମଧ୍ୟ କୁଶଳ ପରିବେଷଣର ଅଭାବ ତଥା ମଧ୍ୟଯୁଗୀୟ ଶିଳ୍ପଚେତନା ହେତୁ ପାଠକ ନିକଟରେ ସେତେ ହୃଦ୍ୟ ହୋଇପାରି ନାହିଁ ।

 

ପଦ୍ମମାଳୀ ଖଣ୍ଡିଏ ଘଟଣାପ୍ରଧାନ ଉପନ୍ୟାସ ହେଲେ ମଧ୍ୟ ଏଥିରେ ବହୁ ମୁଖ୍ୟ ଓ ଗୌଣ ତଥା ଅବାନ୍ତର ଚରିତ୍ରର ସମାବେଶ କରାଯାଇଛି । ବଙ୍କିମଚନ୍ଦ୍ରଙ୍କ ପରି ଉମେଶ୍ଚନ୍ଦ୍ର କି ମୁଖ୍ୟ କି ଗୌଣ, ପ୍ରତ୍ୟେକ ଚରିତ୍ରର ଦୀର୍ଘ ନୀରସ ଐତିହାସିକ-ପରିଚିତ ଦାନ କରିଛନ୍ତି । ଘଟଣାର ଘାତପ୍ରତିଘାତ, ଦ୍ୱନ୍ଦ୍ୱର ଜଟିଳତା କ୍ରମେ ପରିସ୍ଥିତି ପ୍ରତି ଚରିତ୍ର ମନର ପ୍ରତିକ୍ରିୟାରେ ଚରିତ୍ରଗୁଡ଼ିକର ଯେପରି ସ୍ୱାଭାବିକ ବିକାଶ ଘଟିବାର କଥା, ଏଥିରେ ତାହା ହୋଇ ପାରିନାହିଁ । କେବଳ ଚରିତ୍ରଗୁଡ଼ିକର ବୈଶିଷ୍ଟ୍ୟର ଇଙ୍ଗିତ ଦେଲେ ଉପନ୍ୟାସରେ ଚରିତ୍ରର ବିକାଶ ଘଟେ ନାହିଁ । ତାହା କେବଳ ଗତାନୁଗତିକ ଓ ଆକର୍ଷଣହୀନ ହୋଇ ପାଠକ ମନରେ କୌଣସି ପ୍ରଭାବ ବିସ୍ତାର କରିପାରେ ନାହିଁ । ପୁଣି ଚରିତ୍ରର ବହୁଳତା ଓ ପ୍ରତ୍ୟେକ ଚରିତ୍ରର ଦୀର୍ଘ ବର୍ଣ୍ଣନା ମୁଖ୍ୟ ଚରିତ୍ରଗୁଡ଼ିକର ଗୁରୁତ୍ୱ ଉପରେ ଆଞ୍ଚ ଆଣନ୍ତି । ‘ପଦ୍ମମାଳୀ’ରେ ପଦ୍ମମାଳୀ, ପରୀକ୍ଷିତ ସିଂହ, ରାଉତରା, ଜୟନ୍ତୀ, ଦୁର୍ଯ୍ୟୋଧନ, ବାଞ୍ଛାନିଧି ବଳବନ୍ତରା, ମହନ୍ତ ହରିହର ରାମାନୁଜ ଦାସ, ନୀଳଗିରି ରାଣୀ, ଜଗୁ ପଟୁଆରୀ (ଜଗବନ୍ଧୁ ପଟ୍ଟନାୟକ)ଙ୍କ ଚରିତ୍ରଗଡ଼ିକ ମୁଖ୍ୟ, ପୁରୋ ସେନାପତି, ପହଲ ଗୋଛାଏତ, ମୟନା, ଶିବଚରଣ ପଟ୍ଟନାୟକ (ଦେବାନ), ରିକେଟ୍‍ସ ସାହେବ, ରାମିଆ ମା ପ୍ରଭୃତି ଚରିତ୍ରଗୁଡ଼ିକ ଗୌଣ ।

 

ଗଡ଼ଜାତି ଅତ୍ୟାଚାରର ପ୍ରତିକ୍ରିୟା ସ୍ୱରୂପ ଅନୁଗତ ସୈନ୍ୟ ଓ ସର୍ଦ୍ଦାରଙ୍କ ସାହାଯ୍ୟରେ ଏକ ଅଭିଜାତ ଗୋଷ୍ଠୀର ଆକ୍ରମଣ ରୂପକ ଏକ ଐତିହାସିକ ପରିବେଷଣରୁ ଲେଖକ ଅଧିକାଂଶ ଚରିତ୍ର ସଂଗ୍ରହ କରିଛନ୍ତି । ବାସ୍ତବ ପରିବେଶରୁ ଚରିତ୍ରଗୁଡ଼ିକ ଗ୍ରହଣ କଲେ ମଧ୍ୟ ସେଗୁଡ଼ିକର ଚିତ୍ରଣରେ ବହୁ କ୍ଷେତ୍ରରେ ଅସ୍ୱଭାବିକତା ପରିଲକ୍ଷିତ ହୁଏ । ବିଶେଷତଃ ଅସହାୟା ଅବସ୍ଥାରେ ପଦ୍ମମାଳୀର ଦୁଃସାହସିକତାପୂର୍ଣ୍ଣ ଉତ୍ତର, ପଦ୍ମାମଳୀ ଓ ପରୀକ୍ଷିତ ସିଂହଙ୍କର ପ୍ରଥମ ସାକ୍ଷାତ ଓ ମିଳନ, ଦୁର୍ଯ୍ୟୋଧନର ଉଦ୍ୟାନଗୃହରେ ଜୟନ୍ତୀ ଓ ବାଞ୍ଛାନିଧିର ମିଳନ ତଥା ପ୍ରେମାଳାପ ପ୍ରଭୃତି ଲେଖକଙ୍କର ରୋମାଣ୍ଟିକ ଦୃଷ୍ଟିଭଙ୍ଗୀର ପରିଚୟ ଦେଲେ ମଧ୍ୟ ବାସ୍ତବତା ଦୃଷ୍ଟିରୁ ଏକାନ୍ତ ଅସ୍ୱାଭାବିକ ବୋଧହୁଏ । ବଙ୍କିମଚନ୍ଦ୍ର ଓ ଫକୀରମୋହନଙ୍କ ପରି ପାଠକମାନେ ପଦ୍ମମାଳୀରେ Type ବା ପ୍ରତିନିଧିଶ୍ରେଣୀର ଚରିତ୍ର ଲକ୍ଷ୍ୟ କରିପାରିବେ । ଦୁର୍ଯ୍ୟୋଧନ ଦାସ ଭଳି ଦୁରାଚାରୀ ପଶୁ ‘ବୃଦ୍ଧା ରାମିଆ-ମା ପରି ଦୁଶ୍ଚରିତ୍ରା, ଲକ୍ଷ୍ମଣ ପଣ୍ଡା ପରି ତୋଷାମୋଦକାରୀ ଆଜ୍ଞାବହ ବଚସ୍କର ଦୂତ ସବୁ ସମୟରେ ବିଭିନ୍ନ ସମାଜରେ ଆମେ ପାଇପାରିବା । ଠିକ୍‍ତା’ର ବିପରୀତ ଭାବରେ ପଦ୍ମମାଳୀ ଓ ଜୟନ୍ତୀ ପରି ବଳିଷ୍ଠ ବ୍ୟକ୍ତିତ୍ୱ ତଥା ଚରିତ୍ରନିଷ୍ଠାରେ ସମୁଜ୍ଜଳ ନାରୀ, ପରୀକ୍ଷିତ ସିଂହଙ୍କ ପରି ବୀର ସାହସୀ ପ୍ରେମିକ ଯୁବକ, ମହାନ୍ତଙ୍କ ପରି ଉଦାରଚେତା ସହୃଦୟ ସ୍ନେହୀ ବ୍ୟକ୍ତି ଓ ଜଗୁପଟୁଆରି ପରି ଶାନ୍ତସ୍ଥିରଧୀ ସଚ୍ଚୋଟ ବ୍ୟକ୍ତିଙ୍କୁ ମଧ୍ୟ ପାଇପାରିବା । ଅବଶ୍ୟ ‘ପଦ୍ମମାଳୀ’ରେ ପରିବର୍ତ୍ତିତ ବ୍ୟକ୍ତିତ୍ୱର ଯେ ପରିଚୟ ନାହିଁ ତାହା ନୁହେଁ, (ଉଦାହରଣ ସ୍ୱରୂପ ବଳବନ୍ତରା) କିନ୍ତୁ ତା’ର ଦୃଷ୍ଟାନ୍ତ ଏକାନ୍ତ ବିରଳ ।

 

ଚରିତ୍ର ଚିତ୍ରଣ ଓ ଘଟଣା ବର୍ଣ୍ଣନାର ବହୁକ୍ଷେତ୍ରରେ ବଙ୍କୀମଚନ୍ଦ୍ର ଓ ଫକୀରମୋହନଙ୍କ ପରି ପାଠକ ସଚେତନତା ଆଧୁନିକ ଓ ଉପନ୍ୟାସର ଆଙ୍ଗିକ ଓ ଶିଳ୍ପରୀତି ଦୃଷ୍ଟିରୁ ଏକ ତ୍ରୁଟି ହେଲେ ମଧ୍ୟ ସେତେବେଳେ ବହୁଳ ଭାବରେ ଏହାର ଦୃଷ୍ଟାନ୍ତ ପରିଲକ୍ଷିତ ହୁଏ । ଉପନ୍ୟାସରେ ଲେଖକ ଜଣେ ଟୀକାକାର ବା ବ୍ୟାଖ୍ୟାକାର ପରି ବିଭିନ୍ନ ଘଟଣା ଓ ପରିବେଶରେ ଚରିତ୍ରଗୁଡ଼ିକର ରୂପ, ଗୁଣ ଓ କ୍ରିୟାକଳାପ ବର୍ଣ୍ଣନା କରିଛନ୍ତି । ପଦ୍ମମାଳୀର କାବ୍ୟିକ ରୂପବର୍ଣ୍ଣନା କରିସାରି ସେ ସମ୍ପର୍କରେ ଟିପ୍‍ପଣୀ ଦେବାକୁ ଯାଇ ଲେଖକ ଲେଖିଛନ୍ତି—

 

‘‘ଏହା କହିଲା ଉତ୍ତାରୁ ଆଉ ଯେବେ କୌଣସି ବର୍ଣ୍ଣନା ଆମ୍ଭେ ପାଠକଙ୍କୁ ଦେବୁ, ତାହାହେଲେ ତାଙ୍କର ଘରଣୀ ଅପେକ୍ଷା ଆମ୍ଭେ ପଦ୍ମମାଳୀକୁ ଅଧିକତର ରୂପବତୀ ବିବେଚନା କରୁଁ, ଏହି ଜ୍ଞାନ କରି ପାଠକ ଆମ୍ଭ ପ୍ରତି ରୁଷ୍ଟ ହୋଇପାରନ୍ତି । ବିଜ୍ଞ ପାଠକେ ! ଆପଣଙ୍କ ଘରଣୀ ପଦ୍ମମାଳୀଠାରୁ ସହସ୍ର ଗୁଣେ ଅଧିକତର ସୁନ୍ଦରୀ ହୋଇଥିବେ ।’’ (୨)

 

(୨) (କ) ଯଦି ଏଇ ରମଣୀ ନିର୍ଦ୍ଦେଷ ସୌନ୍ଦର୍ଯ୍ୟବିଶିଷ୍ଟ ହଇତେନ୍‍, ତେବେ ବଲିର୍ତାମ, ପୁରୁଷ ପାଠକ ! ଇନି ଆପନାର ଗୃହିଣୀର ନ୍ୟାୟ ସୁନ୍ଦରୀ । ଆର ସୁନ୍ଦରୀ ପାଠକାରିଣୀ ! ଇନି ଆପନାର ଦର୍ପଣସ୍ଥ ଛାୟାର ନ୍ୟାୟ ରୂପବତୀ । ଦୁର୍ଭାଗ୍ୟବଶତଃ ଇନି ସର୍ବାଙ୍ଗସୁନ୍ଦରୀ ନହେନ୍‍; ସୁତରାଂ ନିରସ୍ତ ହଇତେ ହଇଲ ।

 

(ଖ) କପାଳ କୁଣ୍ଡଳା (୨ୟ ପରିଚ୍ଛେଦ), ବଙ୍ଗିମଚନ୍ଦ୍ର (୩) ତିଳୋତ୍ତମା ସୁନ୍ଦରୀ । ପାଠକ ଯଖନ୍‍କିଶୋର ବୟସେ କୋନ୍‍ସ୍ଥୀରା, ଧୀରା, କୋମଲ ପ୍ରକୃତି କିଶୋରୀର ନବସଞ୍ଚାରିତ ଲାବଣ୍ୟ ପ୍ରେମଚକ୍ଷୁତେ ଦେଖୟାଛେନ୍‍, ଏକବାର ମାତ୍ର ଦେଖିୟା ଚିରଜୀବକ ମଧ୍ୟେ ଯାହାର ମାଧୁର୍ଯ୍ୟ ବିସୃତ ହେଇତେ ପାରେନା ନାଇ; କୈଶୋରେ, ଯୌବନେ, ପ୍ରଗଲ୍‍ଭ ବୟସେ...ଯେ ମନୋହାରିରୀ ମୂର୍ତ୍ତି ସ୍ମରଣ ପଥେ ସ୍ୱପ୍ନବତ୍‍ ଯାତାୟାତ କରେ ଅଥଚ ତତ୍‍ସମ୍ୱନ୍ଧେ କଖନଓ ଚିତ୍ତମାଲିନ୍ୟଜନକ ଲାଳସା ଜନ୍ମାୟନା, ଏମନ୍‍ତରୁଣୀ ଦେଖିୟାଛେନ୍‍! (ଦୁର୍ଗେଶନନ୍ଦିନୀ-ବଙ୍କିମଚନ୍ଦ୍ର)

 

ବିଶ୍ଳେଷଣାତ୍ମକ ରୀତିରେ ଲେଖକ ଚରିତ୍ରଗୁଡ଼ିକର ବୈଶିଷ୍ଟ୍ୟ ତଥା କ୍ରିୟାକଳାପ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ସ୍ଥାନେ ସ୍ଥାନେ ସଂଳାପ ଯୋଜନା କରିଛନ୍ତି, କିନ୍ତୁ କଥୋପକଥନର ଭାଷା ଯେପରି ଜୀବନ୍ତ ହେବାର କଥା, ତାହା ହୋଇପାରି ନାହିଁ । ବିଶେଷତଃ ପ୍ରଣୟୀପ୍ରଣୟିନୀଙ୍କର ପ୍ରେମାଳାପର କାବ୍ୟଧର୍ମୀ ସାହିତ୍ୟିକ ଭାଷା ଏକାନ୍ତ ଅସ୍ୱାଭାବିକ ବୋଧହୁଏ । ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଓ ଘଟଣାରେ ଜୀବନର ଏକ ଏକ ନାଟକୀୟ ମୁହୂର୍ତ୍ତରେ ବିଭିନ୍ନ ଚରିତ୍ରର ପ୍ରତିକ୍ରିୟାର ଉଚ୍ଚ ଆଦର୍ଶ ତଥା ଜୀବନର ମୂଲ୍ୟବୋଧ ଫୁଟି ଉଠୁଛି, ଯା’ର ସୂଚନା ପୂର୍ବରୁ ଦିଆଯାଇଛି । କିନ୍ତୁ ଖାଣ୍ଟି ଚରିତ୍ର ସୃଷ୍ଟି ବା ଚରିତ୍ର ପ୍ରକାଶ କହିଲେ ଯାହା ବୁଝାଯାଏ, ତା’ର ଅଭାବ ଆମେ ‘ପଦ୍ମାମାଳୀ’ରେ ଉପଲବ୍‍ଧି କରୁଁ । ତେବେ ଚରିତ୍ରଚିତ୍ରଣରେ ଏ ସମସ୍ତ ଆଙ୍ଗିକ ତ୍ରୁଟି ସତ୍ତ୍ୱେ ନାୟକନାୟିକା ଓ ସେମାନଙ୍କର ସାହାଯ୍ୟକାରୀ ଭାବରେ ଯେଉଁ କେତୋଟି ଚରିତ୍ର ଆମର ଦୃଷ୍ଟି ଆକର୍ଷଣ କରନ୍ତି, ସେଗୁଡ଼ିକ ହେଉଛନ୍ତି ପଦ୍ମମାଳୀ, ପରୀକ୍ଷିତ ସିଂହ, ଜୟନ୍ତୀ ପ୍ରଭୃତି ରୋମାଣ୍ଟିକ୍‍ଚରିତ୍ର ଏବଂ ମହନ୍ତ, ଜଗୁପଟୁଆରି ଓ ରିକେଟ୍‍ସ ପ୍ରଭୃତିଙ୍କର ଚରିତ୍ର । ଅବଶ୍ର ଏଠି ଗଡ଼ଯାତ ଅତ୍ୟାଚାରର ପ୍ରତିବାଦ ସ୍ୱରୂପ ଯେଉଁ ବିକ୍ଷୋଭ ବା ଆନ୍ଦୋଳନ ଦେଖାଦେଇଛି, ତାହା ଗଣଆନ୍ଦୋଳନ ନୁହେଁ, ତାହା ଅଭିଜାତ ଗୋଷ୍ଠୀର ଆନ୍ଦୋଳନ; କିନ୍ତୁ ହେଲେ ମଧ୍ୟ ଏଇ ମଧ୍ୟବିତ୍ତ ଅଭିଜାତ ଗୋଷ୍ଠୀ ଯେ ବ୍ରିଟିଶଶାସନ ଅମଳରେ ଗଣଆନ୍ଦୋଳନର ପ୍ରତ୍ୟକ୍ଷ ତଥା ପରୋକ୍ଷ ଭୂମିକା ଗ୍ରହଣ କରିଥିଲେ, ଏ ଦୃଷ୍ଟିରୁ ଏହାକୁ ଜାଗ୍ରତ ଗଣଚେତନାର ପୂର୍ବାଭାଷ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ମୁଖ୍ୟତଃ ଏକ ଐତିହାସିକ ପରିବୋରୁ ଲେଖକ ଚରିତ୍ରଗୁଡ଼ିକୁ ଗ୍ରହଣ କରିଥିବାରୁ ସେଗୁଡ଼ିକର ବାସ୍ତବତା ସମ୍ପର୍କରେ ପ୍ରଶ୍ନ କରିବାର ନାହିଁ; କିନ୍ତୁ ପଦ୍ମମାଳୀ, ପରୀକ୍ଷିତ ସିଂହ ଏବଂ ଜୟନ୍ତୀ ଓ ବାଞ୍ଛାନିଧିର ପ୍ରଣୟ-ଚିତ୍ର ଏବଂ ସେମାନଙ୍କର ଜୀବନ ଚରମ ନାଟକୀୟ ମୁହୁର୍ତ୍ତରେ ସେମାନଙ୍କର ଦୁଃସାହସିକତାପୂର୍ଣ୍ଣ କାର୍ଯ୍ୟକଳାପ, ଲେଖକଙ୍କର ମଧ୍ୟଯୁଗୀୟ କାବ୍ୟିକ କଳ୍ପନାର ସ୍ପର୍ଶରେ କିଞ୍ଚିତ ଅବାସ୍ତବ ବା ଅସ୍ୱାଭାବିକ ବୋଧହୁଏ । ଆଧୁନିକ ଉପନ୍ୟାସ ପରି ‘ପଦ୍ମାମାଳୀ’ର ଚରିତ୍ର ସୃଷ୍ଟିରେ ମନସ୍ତାତ୍ତ୍ୱିକ ବିଶେଷଣ ବା ଚରିତ୍ରଗୁଡ଼ିକର ସ୍ୱପ୍ନିଳ ଅବଚେତନ ମନର ପରୀକ୍ଷା ଆଶା କରିବା ଦୁରାଶା ମାତ୍ର; କିନ୍ତୁ ଚରିତ୍ରଗୁଡ଼ିକ ନିର୍ଜୀବ, ନିଷ୍କ୍ରିୟ ନୁହନ୍ତି । ଉପନ୍ୟାସଟିରେ ଲେଖକ ଯେଉଁ ପରସ୍ପରବିରୋଧୀ ପ୍ରବୃତ୍ତି ତଥା ଅନୁଭୂତି ଯଥା ପ୍ରେମ, ପ୍ରତିହିଂସା, ବୀରତ୍ୱ ସ୍ନେହର ଆଲେଖ୍ୟ ଦେଇଛନ୍ତି, ସେଗୁଡ଼ିକ ସାଧାରଣ ଅନୁଭୂତି ସହିତ ନୈକଟ୍ୟ ସ୍ଥାପନ କରିଛନ୍ତି ।

 

ପଦ୍ମମାଳୀରେ ଅନେକ ଗୁଡ଼ିଏ ଚରିତ୍ରର ସମାବେଶ ରହିଲେ ମଧ୍ୟ ନାୟକ ନାୟିକା ନିର୍ବାଚନରେ କିଛି ଅସୁବିଧା ହୁଏନି । ନାୟକ ପରୀକ୍ଷିତ ସିଂହ ନାୟିକା ପଦ୍ମମାଳୀର ଚରିତ୍ର ବିକାଶ ଦିଗରେ ନାନା ଆଙ୍ଗିକ ତ୍ରୁଟି ପରିଲକ୍ଷିତ ହେଲେ ମଧ୍ୟ ରୋମାଣ୍ଟିକ୍‍ ପ୍ରେମିକପ୍ରେମିକା ଭାବରେ ସେମାନେ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରନ୍ତି । ଉଭୟଙ୍କର ଚରିତ୍ର ମଧ୍ୟଯୁଗରେ କାବ୍ୟନାୟକ-ନାୟିକାଙ୍କ ଭ୍ରାନ୍ତି ପାଠକ ଚିତ୍ତରେ ଜାତକରେ । ଷୋଡ଼ଶବର୍ଷୀୟା ପଦ୍ମମାଳୀ ନିଜର ଉଦ୍ଧାରକର୍ତ୍ତା ନିର୍ଭୀକ ସୁନ୍ଦର ଯୁବକ ପରୀକ୍ଷିତ ସିଂହଙ୍କ ପ୍ରତି ଆକୃଷ୍ଟ ହେବା ଏକାନ୍ତ ସ୍ୱାଭାବିକ । ଜୀବନର ଚରମ ସଂକଟପୂର୍ଣ୍ଣ ମୁହୂର୍ତ୍ତରେ ଦୁର୍ଯ୍ୟୋଧନ ଦାସକୁ ତା’ର ଦୁଃସାହସିକତାପୂର୍ଣ୍ଣ ନିର୍ଭୀକ ଉତ୍ତର ତା’ର ସତୀତ୍ୱ ତଥା ଦୃଢ଼ ବ୍ୟକ୍ତିତ୍ୱନିଷ୍ଠ ଚରିତ୍ରର ପରିଚୟ ଦେଲେ ମଧ୍ୟ ବୟସ ଓ ପରିବେଶର ଗୁରୁତ୍ୱ ଦୃଷ୍ଟିରୁ ଏକାନ୍ତ ଅସ୍ୱାଭାବିକ ବୋଲି ପ୍ରତୀକ ହୁଏ । ସେହିପରି ମହନ୍ତଙ୍କ ଉଦ୍ୟାନସ୍ଥ ବକୁଳବେଦୀରେ ପରୀକ୍ଷିତ ସିଂହଙ୍କ ସହିତ ମଧୁର ଆଳାପ, ଅଙ୍କୋପବେଶନ, ଚୁମ୍ୱକ ତଥା ମୁଦ୍ରିକା ଗ୍ରହଣ ଏବଂ ବିଚ୍ଛେଦ କାଳରେ ପ୍ରେମ ପୀଡ଼ାଗ୍ରସ୍ତ ପଦ୍ମାମାଳୀର ଅସ୍ୱାଭାବିକ ସଂକଟାପନ୍ନବସ୍ଥା ଏବଂ ପରେ ମହନ୍ତଙ୍କ ମଠରେ ଜୟନ୍ତୀର ଇଙ୍ଗିତ ଅନୁସାରେ ସିଂହଙ୍କ ଗଳାରେ ଗାନ୍ଧର୍ବରୀତିରେ ବରମାଲ୍ୟ ଦାନ ପ୍ରଭୃତି ରୋମାଣ୍ଟିକ୍‍ଘଟଣା ପାଠକମାନଙ୍କ ପ୍ରାଣରେ ରୋମାଣ୍ଟିକ ଆବେଗ ସୃଷ୍ଟି କଲେ ମଧ୍ୟ ଲଜ୍ଜାଶୀଳା ପଲ୍ଲୀବାଳାର ତତ୍‍କାଳୀନ ସାମାଜିକ ଅବସ୍ଥା ଦୃଷ୍ଟିରୁ ଏକାନ୍ତ ଅସ୍ୱାଭାବିକ ପ୍ରତୀକ ହୁଏ । ବିବାହ ପୂର୍ବରୁ ନାୟକନାୟିକାଙ୍କର ମିଳନ, ଚୂମ୍ୱନ ଆଦି ଘଟଣା ପରକୀୟା ପ୍ରୀତିବହୁଳ ଗୌଡ଼ିୟ ବୈଷ୍ଣବୀୟ କାବ୍ୟସୁଲଭ ହୋଇପାରେ; କିନ୍ତୁ ସାମାଜିକ ବିଧି-ନିଷେଧପୂର୍ଣ୍ଣ ପ୍ରଜାପତ୍ୟ ନିୟମ ପ୍ରତିଷ୍ଠିତ ତତ୍‍କାଳୀନ ଉତ୍କଳର ସମାଜ ଦୃଷ୍ଟିରୁ ଏକାନ୍ତ ଅବାସ୍ତବ ପଦ୍ମାମାଳୀ ଏକ ଐତିହାସିକ ରୋମାନ୍‍ସ ହେଲେ ମଧ୍ୟ ନାୟକନାୟିକାଙ୍କର କ୍ରିୟାକଳାପ ବର୍ଣ୍ଣନାରେ ତତ୍‍କାଳୀନ ସାମାଜିକ ଅବସ୍ଥାକୁ ଭୁଲିଗଲେ ଚଳିବ ନାହିଁ । ତା’ଛଡ଼ା ଲେଖକ ଷୋଡ଼ଶୀ ପଦ୍ମମାଳୀକୁ ଟାଣିଓଟାରି ସଂସ୍କୃତଭାଷାଭିଜ୍ଞା ବିଦୁଷୀ କଲେ ମଧ୍ୟ ବିଭିନ୍ନ ପରିସ୍ଥିତିରେ ତା’ମୁଖରେ ଯେଉଁ ସଂଳାପ ଦେଇଛନ୍ତି, ତାହା ତା’ର ଚରିତ୍ରାନୁରୂପ ନୁହେଁ । କାରଣ ପଦ୍ମମାଳୀ କୌଣସି ରୀତିକାବ୍ୟର ଅବାସ୍ତବ ନାୟିକା ନୁହେଁ । ସେ ହେଉଛି ବ୍ରିଟିଶ୍‍ ଶାସନକାଳୀନ ଓଡ଼ିଆ ପଲ୍ଲୀଗ୍ରାମର ଏକ ପଟୁଆରିର କନ୍ୟା । ପୁଣି ପଦ୍ମମାଳୀର ଯେଉଁ ରୁପବର୍ଣ୍ଣନା କରାଯାଇଛି, ଯଥା–‘‘ରମଣୀ ପୂର୍ଣ୍ଣଯୌବନା । କଠୋର ପ୍ରସ୍ଫୁଟିତ ଶତଦଳ ନ୍ୟାୟ ତାହାର ଅଙ୍ଗଜ୍ୟୋତି ପରିହିତ ପାଟ୍ଟଶାଟୀ ଭେଦକରି ବିକାଶ ପାଉଥିଲେ । ଅଙ୍ଗ ଆଚ୍ଛାଦନ କରିବା ସକାଶେ ବସ୍ତ୍ରର ବିଧାନ ହୋଇଅଛି, କିନ୍ତୁ ରମଣୀର ପରିହିତ କଳାହଂସ ଲକ୍ଷଣ ଦୁକୂଳ ତାହାର ପୀନୋନ୍ନତ ବକ୍ଷ ଓ ଚାରୁ ନିତମ୍ୱର ଶୋଭାକୁ ଲୁକ୍‍କାୟିତ କରିପାରୁ ନ ଥିଲା ।’’ –ତାହା ଭଞ୍ଜୀୟ ରୀତିକାବ୍ୟ ବର୍ଣ୍ଣିତ ନାୟିକାର ବର୍ଣ୍ଣନା ହୋଇପାରେ; କିନ୍ତୁ ଉପନ୍ୟାସ ନାୟିକାର ବର୍ଣ୍ଣନା ନୁହେଁ ।

 

ଦୁରନ୍ତ ଦୁର୍ଯ୍ୟୋଧନ ଦାସର କବଳରୁ ପଦ୍ମାମାଳୀକୁ ଉଦ୍ଧାର କରିବା ପାଇଁ ଔପନ୍ୟାସିକ ପଦ୍ମମାଳୀ ପଛେ ପଛେ କାୟାର ଛାୟା ପରି ଯେଉଁ ଚରିତ୍ରକୁ ଆରମ୍ଭରୁ ଅସ୍ପଷ୍ଟ ଭାବରେ ଉପସ୍ଥାପିତ କରିଛନ୍ତି, ସେ ହେଉଛନ୍ତି କପ୍ତିପଦାର ରାଜା ପରୀକ୍ଷିତ ସିଂହ । ରୂପଗୁଣରେ ପଦ୍ମାମାଳୀର ଉପଯୋଗୀ ନାୟକ ଭାବରେ ଲେଖକ ଏହି ଚରିତ୍ରଟିକୁ ପରିବେଷଣ କରିଛନ୍ତି । ବର୍ଷାର ପରିବେଶରେ ପଦ୍ମାମାଳୀ ଅବହୃତା ହେବାଠାରୁ ନିର୍ଜ୍ଜନ ସ୍ଥାନରେ କାମୁକ ଦୁର୍ଯ୍ୟୋଧନର ପ୍ରେମନିବେଦନ ତଥା ଅତ୍ୟାଚାର ଅବଧି ଔପନ୍ୟାସିକ ପରୀକ୍ଷିତ ସିଂହଙ୍କର ପରିଚୟ ଅସ୍ପଷ୍ଟ ରଖିଛନ୍ତି । ଏକ ରୋମାଞ୍ଚକର ବାତାବରଣରେ ଅସହାୟା ପଦ୍ମାମାଳୀର ସଂକଟପୂର୍ଣ୍ଣ ମୁହୂର୍ତ୍ତରେ ଦୁର୍ଯ୍ୟୋଧନ ଦାସ ଉପରେ ଯୁବକଙ୍କର ଅପ୍ରତ୍ୟାଶିତ ଆକ୍ରମଣ ପାଠକମାନଙ୍କ ମନରେ ନାଟକୀୟ ଉତ୍ତେଜନା ତଥା ଉତ୍କଣ୍ଠା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଯୁବକଙ୍କୁ ଐତିହାସିକ ରୋମାନସର ଏକ ଯଥାର୍ଥ ନାୟକ ଭାବରେ ଉପସ୍ଥାପିତ କରିଛି । ଏକ ଦିଗରେ ରୋମାଣ୍ଟିକ୍‍ ନାୟକ ସୁଲଭ ଦୁଃସାହସିକତା, ବୀରତ୍ୱ ଓ ପ୍ରେମ ଏବଂ ଅନ୍ୟ ଦିଗରେ ଅତ୍ୟାଚାରର ଅବସାନ ଘଟାଇବା ନିମିତ୍ତ ତାଙ୍କର ଦୃଢ଼ସଂକଳ୍ପ କୂଟନୈତିକତା; ତାଙ୍କର ରୋମାଣ୍ଟିକ୍‍ ନାୟକସୁଲଭ ବଳିଷ୍ଠ ବ୍ୟକ୍ତିତ୍ୱର ପରିଚୟ ଦିଏ । ଏହି ଚରିତ୍ରଟିର ପରିଚିତି ଅବଧି ଏକ ନାଟକୀୟ ପ୍ରଚ୍ଛନ୍ନତା । ଏହି ଚରିତ୍ରଟି ସମ୍ପର୍କରେ ପାଠକମାନଙ୍କର ଆଗ୍ରହ ବଢ଼ାଇବା ସଙ୍ଗେ ସଙ୍ଗେ ଏକ ନାଟକୀୟ ବିଳମ୍ୱନର (dramatic suspense) ସୂଚନା କାହାଣୀଟିର ଆକର୍ଷଣ ବଢ଼ାଇ ପାରିଛି । ଏବବିଂଶବର୍ଷୀୟ ରାଜା ପରୀକ୍ଷିତ ସିଂହ ଦୁର୍ବୃତ୍ତର କବଳରୁ ପଦ୍ମାମାଳୀକୁ ଉଦ୍ଧାର କରି ପ୍ରଣୟପାତ୍ରୀରୂପେ ତାକୁ ଗ୍ରହଣ କରିବା ଅତି ସ୍ୱାଭାବିକ; କିନ୍ତୁ ପ୍ରଣୟଚିତ୍ରରେ ମଧ୍ୟଯୁଗୀୟ ରୀତି କାବ୍ୟସୁଲଭ ଦୃଷ୍ଟିଭଙ୍ଗୀ ଓ ବର୍ଣ୍ଣନା ପ୍ରଣୟଚିତ୍ରକୁ କିପରି ଅସ୍ୱାଭାବିକ କରି ଦେଇଛି, ତା’ର ସୂଚନା ପୂର୍ବରୁ ଦିଆଯାଇଛି । ତା’ଛଡ଼ା ଉପନ୍ୟାସରେ ଉଭୟଙ୍କର ପ୍ରେମର ସେପରି କୌଣସି ନାଟକୀୟ ବିକାଶ ପରିଲକ୍ଷିତ ହୁଏ ନାହିଁ । ସୁନ୍ଦରୀ ଯୁବତୀକୁ ଉଦ୍ଧାର କରି ପ୍ରଣୟପାଶରେ ଆବଦ୍ଧ ହେବା ଓ ଶେଷରେ ପରିଚୟର ବାସନା ପୋଷଣ କରିବା ଅବଶ୍ୟ ପରୀକ୍ଷିତ ସିଂହଙ୍କର ବୟସ ଦୃଷ୍ଟିରୁ ସ୍ୱାଭାବିକ । କିନ୍ତୁ ପରିଣୟ ବାସନାକୁ କାର୍ଯ୍ୟକାରୀ କରିବା ଦିଗରେ ତାଙ୍କ ଚିତ୍ତରେ କ୍ଷତ୍ରିୟସୁଲଭ ଆଭିଜାତ୍ୟର ଚେତନା ତତ୍‍କାଳୀନ ସାମାଜିକ ବ୍ୟବସ୍ଥା ଦୃଷ୍ଟିରୁ ସ୍ୱାଭାବିକ ହୋଇପାରେ, କିନ୍ତୁ ରୋମାଣ୍ଟିକ୍‍ ନାୟକ ଚରିତ୍ରର ଏହା ଏକ ଦୁର୍ବଳତା (ସାମୟିକ ହେଲେ ମଧ୍ୟ) ବୋଲି ମନେହୁଏ; ଅବଶ୍ୟ ପରେ ମହନ୍ତଙ୍କ ମୁଖରେ କପ୍ତିପଦା, କଂସାରି ଓ ନୀଳଗିରି ପ୍ରଭୃତି ରାଜାଙ୍କର ନୀଚଶ୍ରେଣୀରୁ କନ୍ୟାଗ୍ରହଣର ପରଂପରା ସୂଚନା ଦେବା ଦ୍ୱାରା ନାୟକର ଏହି ଦୁର୍ବଳତାକୁ ଦୂରୀଭୂତ କରିଛନ୍ତି ।

 

ସୈତାନ ଚରିତ୍ର ଫକୀରମୋହନଙ୍କ ଉପନ୍ୟାସରେ ଯେପରି ଆଙ୍ଗିକ ସଫଳତା ଲାଭକରି ପାରିଛି, ‘ପଦ୍ମାମାଳୀ’ ରେ ଅବଶ୍ୟ ତାହା ହୋଇପାରେ ନାହିଁ । କିନ୍ତୁ ଏକ ଦୁର୍ବୃତ୍ତ ଚରିତ୍ର ଭାବରେ ଦୁର୍ଯ୍ୟୋଧନ ଦାସଚରିତ୍ରର ଆକର୍ଷଣ ପଦ୍ମାମାଳୀରେ କମ ନୁହେଁ । ଏହି ଚରିତ୍ରଟିର କ୍ରିୟାକଳାପରେ ଉପନ୍ୟାସର ଦ୍ୱନ୍ଦ୍ୱ ଜଟିଳତର ହେବା ସଙ୍ଗେ ସଙ୍ଗେ ଗତିଶୀଳ ହୋଇ ପାରିଛି । ଏହାରି ଯୋଗୁଁ ଉପନ୍ୟାସର ବାତାବରଣ ସନ୍ଦେହ, ଉତ୍କଣ୍ଠା ଓ ନାଟକୀୟ ଉତ୍ତେଜନାରେ ପରିପୂର୍ଣ୍ଣ-। ଆଙ୍ଗିକ ତ୍ରୁଟି ସତ୍ତ୍ୱେ ଅନ୍ୟ ଚରିତ୍ର ଅପେକ୍ଷା ଦ୍ୱନ୍ଦ୍ୱ ଓ ଘଟଣାର କିଞ୍ଚିତ୍‍ ବିକାଶ ପରିଲକ୍ଷିତ ହୁଏ । ଦୁରନ୍ତ ଦୁର୍ଯ୍ୟୋଧନ ଦାସ ଗଡ଼ଜାତ ଅତ୍ୟାଚାରର ଏକ ମୂର୍ତ୍ତପ୍ରତିନିଧି । ତା’ର ଘୃଣ୍ୟ ଅତ୍ୟାଚାର ଓ ସମ୍ଭୋଗ ପ୍ରବଣତା ଏବଂ ଜଘନ୍ୟ ବାସନା ଚରିତାର୍ଥ କରିବା ପାଇଁ ତା’ର ସମସ୍ତ ଦୁରଭିସନ୍ଧିର ପରିଣତି ଘଟିଛି ପ୍ରତିଦ୍ୱନ୍ଦୀଙ୍କର ହିଂସ୍ରକ ଆକ୍ରମଣରେ ଓ କାରାଗାରରେ ଅତ୍ୟଧିକ ମାନସିକ ସନ୍ତାପଜନିତ ମୃତ୍ୟୁବରଣରେ । ଛଦ୍ମ ରୋମାଣ୍ଟିକ ନାୟକ ଭୂମିକାରେ ଅଭିନୟ କରିବାକୁ ଚେଷ୍ଟା କରୁଥିବା ଦାସର ବୃକ୍ଷବନ୍ଧନ ଏବଂ ଏଇ ଛଦ୍ମ ଦାସର ବୃକ୍ଷବନ୍ଧନ ଏବଂ ଏଇ ଛଦ୍ମ ପ୍ରେମିକର ରୀତିକାବ୍ୟ ସୁଲଭ ଚାଟୁକ୍ତି (୩) ପାଠକଲେ ପାଠକ ହାସ୍ୟସମ୍ୱରଣ କରିପାରେ ନାହିଁ ।

 

ଜୟନ୍ତୀ ଚରିତ୍ରର ପରିକଳ୍ପନା ପାଠକ ଚିତ୍ତରେ ରୀତିକାବ୍ୟବର୍ଣ୍ଣିତ ବିଦୂଷୀ ନାୟିକାର ଅନ୍ତରଙ୍ଗ ସଖୀ ବା ବୈଷ୍ଣବକାବ୍ୟବର୍ଣ୍ଣିତ ଲଳିତା, ବିଶାଖାର ଭ୍ରାନ୍ତି ଜାତ କରେ । ଘଣ୍ଟଶୀଳା ଗଡ଼ନାୟକକନ୍ୟା ଜୟନ୍ତୀକୁ ଔପନ୍ୟାସିକ ପଦ୍ମାମାଳୀର ଅନ୍ତରଙ୍ଗା ସମବୟସ୍କା ସ୍ନେହପ୍ରବଣା ସଖୀ ଭାବରେ ତା’ର ପରିଚର୍ଯ୍ୟା ନିମିତ୍ତ ନିୟୋଜିତ କରିଛନ୍ତି । ଉପନ୍ୟାସର ନାୟକନାୟିକାଙ୍କର ପ୍ରଣୟନ କାହାଣୀ ସହିତ ସମାନ୍ତରାଳ ଭାବରେ ଔପନ୍ୟାସିକ ଜୟନ୍ତୀ ଓ ବାଞ୍ଛାନିଧିର ପ୍ରଣୟ ସଂକ୍ରାନ୍ତ ଘଟଣା ସଂଗ୍ରଥିତ କରି ମୁଖ୍ୟପ୍ରଣୟ କାହାଣୀଟିକୁ ଅଧିକ ଜୀବନ୍ତ ତଥା ଉପଭୋଗ୍ୟ କରିବାକୁ ଚେଷ୍ଟା କରିଛନ୍ତି । ଜୟନ୍ତୀ ମୁଖ୍ୟତଃ ପଦ୍ମାମାଳୀ ଓ ପରୀକ୍ଷିତ ସିଂହଙ୍କର ପ୍ରଣୟର ଯୋଗସୂତ୍ରକାରିଣୀ । କାୟାର ଛାୟା ପରି ଶେଷ ପର୍ଯ୍ୟନ୍ତ ସେ ପଦ୍ମାମାଳୀର ପାଖେ ପାଖେ ରହିଛି-। ବିବାହ ପ୍ରସଙ୍ଗରେ ତାର ସ୍ୱାଧୀନ ମନୋବୃତ୍ତି, ପଦ୍ମାମାଳୀ ଉପରେ ଅତ୍ୟାଚାର ମୁହୂର୍ତ୍ତରେ କଟାରୀ ହସ୍ତରେ ଦୁର୍ଯ୍ୟୋଧନକୁ ଧମକ ଦାନ ପ୍ରଭୃତି ଘଟଣା ରୋମାଣ୍ଟିକ ନାୟିକା ସୁଲଭ ତା’ର ପ୍ରେମିକତା, ଚରିତ୍ରନିଷ୍ଠା ଓ ଦୁଃସାହସିକତାର ପରିଚୟ ଦେବା ସଙ୍ଗେ ସଙ୍ଗେ ପଦ୍ମାମାଳୀର ବିବାହ ସଂପର୍କରେ ପରୀକ୍ଷିତ ସିଂହଙ୍କୁ ତା’ର ପ୍ରଶ୍ନ କାଳିଦାସଙ୍କର ପ୍ରିୟମ୍ୱଦା ଚରିତ୍ରର ଭ୍ରାନ୍ତି ଜାତକରେ-। କିନ୍ତୁ ପ୍ରଣୟୀ-ପ୍ରଣୟିନୀ ଭାବରେ ଜୟନ୍ତୀ ଓ ବାଞ୍ଛାନିଧି ଚରିତ୍ରର ଭ୍ରାନ୍ତି ଜାତକରେ । କିନ୍ତୁ ପ୍ରଣୟୀ-ପ୍ରଣୟିନୀ ଭାବରେ ଜୟନ୍ତୀ ଓ ବାଞ୍ଛାନିଧି ଚରିତ୍ରର ସେପରି କୌଣସି ନାଟକୀୟ ବିକାଶ ପରିଲକ୍ଷିତ ହୁଏ ନାହିଁ ।

 

ମହାନ୍ତ ହରିହର ରାମାନୁଜ ଦାସଙ୍କୁ ଲେଖକ ଏକ ଉଦାର ସମ୍ୱେଦନଶୀଳ ଧର୍ମପ୍ରାଣ ସ୍ନେହୀ ବ୍ୟକ୍ତି ଭାବରେ ଉପସ୍ଥାପିତ କରିଛନ୍ତି । ମହନ୍ତ ଚରିତ୍ରର ସେପରି କୌଣସି ବିକାଶ ପରିଲକ୍ଷିତ ନ ହେଲେ ମଧ୍ୟ ଏହି ଚରିତ୍ରଟି ଉପନ୍ୟାସର ମୁଖ୍ୟକାହାଣୀ ସହିତ ନିବିଡ଼ ଭାବରେ ସଂଯୁକ୍ତ । ମହନ୍ତଙ୍କର ସ୍ନେହ ଓ ସହାନୁଭୂତିରେ ନାୟକନାୟିକାଙ୍କର ପ୍ରଣୟ ଘନୀଭୂତ ହୋଇ ବିବାହରେ ପରିଣତି ଲାଭକରିଛି । ତାଙ୍କ ଯୋଗୁଁ ପରୀକ୍ଷିତ ସିଂହଙ୍କର କାରାଦେଶର ପୁନର୍ବିଚାର କରାଯାଇ ତାଙ୍କ ମୁକ୍ତି ଦିଆଯାଇଛି ଏବଂ ଉପନ୍ୟାସର କାହାଣୀଟି ବିୟୋଗାନ୍ତକ ନହୋଇ ହୋଇଛି ମିଳନାନ୍ତକ । ‘ପଦ୍ମାମାଳୀ’ ଏକ ଐତିହାସିକ ଉପନ୍ୟାସ ହୋଇଥିବାରୁ ମରହଟ୍ଟା ଶାସନର ଅବସାନର ସ୍ମାରକୀ ସ୍ୱରୂପ ମହନ୍ତ (ମରହଟ୍ଟା ନାମ—ବାଜୀରାଓ ସାହେବ) ଚରିତ୍ରର କିଞ୍ଚିତ ଐତିହାସିକ ଗୁରୁତ୍ୱ ଉପେକ୍ଷଣୀୟ ନୁହେଁ ।

 

ଜଗୁ ପଟୋୟାରି ଓ ଘଣ୍ଟଶୀଳା ଗଡ଼ନାୟକର ଚରିତ୍ର ତତ୍‍କାଳୀନ ରାଜ୍ୟର ଅତ୍ୟାଚାରିତ ଅଧସ୍ତନ କର୍ମଚାରୀଙ୍କର ମୂର୍ତ୍ତପ୍ରତିନିଧି । ସେମାନଙ୍କର ନିର୍ଦ୍ଦୋଷିତା, ଶିଷ୍ଟାଚାର ଓ କର୍ତ୍ତବ୍ୟପରାୟଣତା ସତ୍ତ୍ୱେ ସେମାନଙ୍କ ଉପରେ ଅତ୍ୟାଚାର ଘଟଣା ପାଠକପ୍ରାଣରେ ସମ୍ୱେଦନାର ତରଙ୍ଗ ସୃଷ୍ଟି କରେ । ତା’ଛଡ଼ା ଐତିହାସିକ ସଙ୍କେତ ଦୃଷ୍ଟିରୁ ରାଉତରା, ରିକେଟ୍‍ସ ଓ ନୀଳଗିରି ରାଣୀ ପ୍ରଭୃତିଙ୍କ ଚରିତ୍ର ଅବତାରଣା କରାଯାଇଥିଲେ ମଧ୍ୟ ସେଗୁଡ଼ିକର କୌଣସି ଆଙ୍ଗିକ ବିକାଶ ପରିଲିକ୍ଷିତ ହୁଏ ନାହିଁ ।

 

କମାର ପୁରୋ ସେନାପତିର ଉପନ୍ୟାସର କାହାଣୀ ଓ ଦ୍ୱନ୍ଦ୍ୱ ସହିତ କ୍ଷୀଣ ସଂପର୍କ ଥିଲେ ମଧ୍ୟ ତାହାକୁ ଏକ ଗୌଣ ଚରିତ୍ର ଭାବରେ ଗ୍ରହଣ କରାଯାଇ ପାରେ, କିନ୍ତୁ କ୍ଷୁଦ୍ର ହେଲେ ମଧ୍ୟ ଏହି ଚରିତ୍ରଟି ମାନବିକ ଆବେଦନରେ ଅତି ହୃଦ୍ୟ ହୋଇଛି । ପଦ୍ମାମାଳୀ ପ୍ରତି ଅତ୍ୟାଚାର ସମ୍ୱାଦ ଶ୍ରବଣରେ ବଳବନ୍ତରାକୁ ଭର୍ତ୍ସନା କରିବା ଏବଂ ଶାନ୍ତିଦାସ ଓ ଦୁର୍ଯ୍ୟୋଧନର ଅନ୍ୟ ଅତ୍ୟାଚାରୀ ପାଇକମାନଙ୍କ କବଳରେ ପଦ୍ମାମାଳୀକୁ ରକ୍ଷା କରି ନ ପାରି ପ୍ରବୀଣସୁଲଭ ଯେଉଁ ଧର୍ମର ଚେତାବନୀ ସେମାନଙ୍କୁ ଶୁଣାଇଛି, ସେଇଥିରେ ତା’ର ଚରିତ୍ରର ମହତ୍ତ୍ୱ ଫୁଟିଉଠିଛି ।

 

ଏ ଉପନ୍ୟାସରେ ପହଲ ଗୋଚ୍ଛାଏତ୍‍ ଓ ତା’ର ସ୍ତ୍ରୀ ମୟନା ଚରିତ୍ରର ସେପରି କୌଣସି ଆବଶ୍ୟକତା ନାହିଁ । ଲେଖକ କେବଳ ଏଇ ଚରିତ୍ର ଦୁଇଟି ମାଧ୍ୟମରେ ଏକ ନିମ୍ନଶ୍ରେଣୀର ହାସ୍ୟ ପରିବେଷଣ କରିଛନ୍ତି ।

 

‘ପଦ୍ମାମାଳୀ’ ଏକ ମିଳନାତ୍ମକ ଉପନ୍ୟାସ ହେଲେ ମଧ୍ୟ ଆମୂଳଚୂଳ ଇତସ୍ତତଃ ଅତ୍ୟାଚାର, ଲୁଣ୍ଠନ, ଯୁବତୀ ଅପହରଣ, ଗୃହଦାହ ଓ ହତ୍ୟା ପ୍ରଭୃତି ବୀଭତ୍ସ ଘଟଣାର ସମାବେଶ ହେତୁ ଉପନ୍ୟାସର ବାତାବରଣ ଏକ ଦିଗରେ ରୋମାଞ୍ଚକର ହେବା ସଙ୍ଗେ ସଙ୍ଗେ ଅତ୍ୟାଚାରିତ ଓ ଅତ୍ୟାଚାରିତାର କରୁଣ କାହାଣୀ ପାଠକ ଚିତ୍ତରେ ସଂବେଦନା ତଥା କାରୁଣ୍ୟର ବ୍ୟଞ୍ଜନା ସୃଷ୍ଟି କରେ । ପ୍ରଣୟଚିତ୍ରରେ ଲେଖକ ଶୃଙ୍ଗାରର ସୂଚନା ଦେଇଥିଲେ ମଧ୍ୟ ତା’ର ବିକାଶ ତଥା ମାର୍ଜ୍ଜିତ ଅଭିବ୍ୟକ୍ତିର ଅଭାବ ଅନୁଭୂତ ହୁଏ । ପହଲ ଗୋଚ୍ଛାୟତର ସ୍ତ୍ରୀ ମୟନା ସହିତ ରସିକତା, ମୟନା ପେଟରେ କଥା ରଖି ନ ପାରିବା, ରାଜବୈଦ୍ୟଙ୍କର ଅଜ୍ଞତା ଓ ପୌଢ଼ୀ, ଦୁର୍ଯ୍ୟୋଧନ ଦାସର ବୃକ୍ଷବନ୍ଧନ, ମନ୍ଦିର ଭିତରର ଅନ୍ଧକାର ଓ ଦୁର୍ଗବନ୍ଧର ବର୍ଣ୍ଣନାରେ ଲେଖକ ହାସ୍ୟ ଓ ବ୍ୟଙ୍ଗର ସୂଚନା ଦେଇଛନ୍ତି ।

 

ଚରିତ୍ରଗୁଡ଼ିକର କ୍ରିୟାକଳାପକୁ ଜୀବନ୍ତ ଭାବରେ ପରିସ୍ଫୁଟ କରିବା ପାଇଁ ଉପନ୍ୟାସରେ ଦେଶକାଳ, ସାମାଜିକ ଚଳଣି ଓ ପ୍ରକୃତିର ଅନୁରୂପ ବର୍ଣ୍ଣନା ଦିଆଯାଇଥାଏ । ଲେଖକ ପଦ୍ମାମାଳୀକୁ ଏକ ଐତିହାସିକ ରୋମାନ୍‍ସ ଭାବରେ ଗଢ଼ିବାକୁ ଚେଷ୍ଠା କରି ଉପନ୍ୟାସ ବର୍ଣ୍ଣିତ ଘଟଣାର ଐତିହାସିକ ପୃଷ୍ଟପଟ ଦେବାକୁ ଯତ୍ପରୋନାସ୍ତି ଚେଷ୍ଟା କରିଛନ୍ତି । ନୀଳଗିରି, କପ୍ତିପଦା, କଂସାରି ଓ ପାଞ୍ଚଗଡ଼ର ଇତିହାସ, ନୀଳଗିରି ରାଜକର୍ମଚାରୀଙ୍କର ପାଞ୍ଚଗଡ଼ ଆକ୍ରମଣ, ଭ୍ରମରବର ବାବୁଙ୍କ ଦ୍ୱାରା ନୀଳଗିରି ଆକ୍ରମଣ, ଇଂରେଜ ଫୌଜ ସାହାଯ୍ୟରେ ରିକେଟ୍‍ସ ସାହେବଙ୍କର ବିଦ୍ରୋହ ଦମନ ଓ ବିଭିନ୍ନ ବ୍ୟକ୍ତିଙ୍କୁ ଶାସ୍ତିବିଧାନ ପ୍ରଭୃତି ବିବରଣୀ ହେଉଛି ତା’ର ଦୃଷ୍ଟାନ୍ତ । ଅବଶ୍ୟ ଐତିହାସିକ ଘଟଣାର ନୀରସ ତଥା ବହୁଳ ବର୍ଣ୍ଣନା ହେତୁ ଲେଖକ କାହାଣୀର ବିକାଶ ଓ ଚରିତ୍ର ସୃଷ୍ଟି କ୍ଷେତ୍ରରେ ଭାରସାମ୍ୟ ରକ୍ଷା କରିପାରି ନାହାନ୍ତି । ବୀରମାନଙ୍କର ଉପାଧି (ରାଉତରା, ଦଳବେହେରା, ଛଞ୍ଚାଣ ବାଘ) ଗଣ୍ଠିଦ୍ୱାରା ବିଦ୍ରୋହ ପ୍ରଚାର, ବିଦ୍ରୋହ କାଳରେ ସୈନ୍ୟମାନଙ୍କର ସତର୍କତା, ଶିବିରରକ୍ଷାକାରୀର ରକ୍ଷାକୌଶଳ, ବିଭିନ୍ନ ସ୍ଥାନରେ ସୈନ୍ୟସମାବେଶ ପ୍ରଭୃତିର ଚିତ୍ର ଦ୍ୱାରା ଲେଖକ ଓଡ଼ିଶାର ତତ୍‍କାଳୀନ ଦେଶୀୟ ସାମରିକ ପଦ୍ଧତିର ଏକ ଚିତ୍ତାକର୍ଷକ ଚିତ୍ର ଦାନ କରିଛନ୍ତି ଦେବାନ୍‍ଗଡ଼ନାୟକ ଓ ପ୍ରଟୋୟାରି ପ୍ରଭୃତି କର୍ମଚାରୀଙ୍କର ନାମ ତତ୍‍କାଳୀନ ଶାସନ ବ୍ୟବସ୍ଥାର ଚିତ୍ର ଦାନକରେ । ତା’ଛଡ଼ା ଅତ୍ୟାଚାର, ଲୁଣ୍ଠନ ଓ ଅପହରଣର ପୃଷ୍ଠଭୂମି ପାଇଁ ଲେଖକ ନିର୍ଜନତା, ଦୁର୍ଗମ ଅରଣ୍ୟପଥ, ବର୍ଷାର ନିବିଡ଼ ଅନ୍ଧକାର ପ୍ରଭୃତି ପରିବେଶର ସ୍ୱାଭାବିକ ଚିତ୍ର ଆଙ୍କିଛନ୍ତି । ସେହିପରି ପ୍ରେମିକ ଓ ପ୍ରେମିକାଙ୍କର ମିଳନ ତଥା ବିଶ୍ରାମ୍ଭାଳାପର ମଧୁର ଚିତ୍ର ଅଙ୍କନ କରିଛନ୍ତି ଉଦ୍ୟାନର ପ୍ରାତଃକାଳୀନ ଏକ ଶାନ୍ତ ମଞ୍ଜୁଳ ପରିବେଶ ମଧ୍ୟରେ । ତତ୍‍କାଳୀନ ପତ୍ରଲିଖନର ଏକ ନମୁନା, ଶିବଚତୁର୍ଦ୍ଦଶୀ ମେଳା, ବୈଦ୍ୟଙ୍କର ଅଜ୍ଞତା, ରାଣୀଙ୍କର ଅସୁର୍ଯ୍ୟଂପଶ୍ୟତାରେ ତତ୍‍କାଳୀନ ସାମାଜିକ ଜୀବନର ଛବି ପ୍ରତିଫଳିତ ହୋଇଛି । କିନ୍ତୁ ବ୍ରିଟିଶ ଶାସନର ପ୍ରାରମ୍ଭ କାଳରେ ପଦ୍ମାମାଳୀ, ଜୟନ୍ତୀ ପ୍ରଭୃତି ଓଡ଼ିଆ ଝିଅଙ୍କର ସଂସ୍କୃତ ଓ ଓଡ଼ିଆ ଭାଷାରେ ପାରଦର୍ଶିତା, ପୁଣି ପ୍ରଣୟ ବ୍ୟାପାର ଓ ଅତ୍ୟାଚାର ମୁହୂର୍ତ୍ତରେ ସେମାନଙ୍କର ଦୁଃସାହସିକତା ରୋମାଣ୍ଟିକ୍‍ କଳ୍ପନା ଦୃଷ୍ଟିରୁ ସ୍ୱାଦ୍ୟ ବୋଧହେଲେ ମଧ୍ୟ ତତ୍‍କାଳୀନ ସାମାଜିକ ଅବସ୍ଥା ତଥା ପରିବେଶ ଦୃଷ୍ଟିରୁ ଏକାନ୍ତ ଅସ୍ୱାଭାବିକ ପ୍ରତୀକ ହୁଏ ।

 

‘ପଦ୍ମାମାଳୀ’ରେ ଅତ୍ୟାଚାର ବିରୁଦ୍ଧରେ ଅଭିଜାତଶ୍ରେଣୀର ନେତୃତ୍ୱରେ ତତ୍‍କାଳୀନ ସର୍ଦ୍ଦାର, ପାଇକ ଓ ଗଡ଼ନାୟକଙ୍କ ବିଦ୍ରୋହ ଜାଗ୍ରତ ଗଣଚେତନାର ସାର୍ଥକ ପ୍ରତିନିଧିତ୍ୱ ନ କରୁଥିଲେ ମଧ୍ୟ ସ୍ଥୂଳତଃ ମଣିଷର ମର୍ଯ୍ୟାଦା ପ୍ରତିଷ୍ଠା ଯେ ଲେଖକଙ୍କର ଉଦ୍ଦେଶ୍ୟ, ତାହା ବିଭିନ୍ନ ଘଟଣାରେ ସ୍ପଷ୍ଟ ହୋଇ ଉଠିଛି । ଅବଶ୍ୟ ଏ କ୍ଷେତ୍ରରେ ଲେଖକ ଯେ ଆନନ୍ଦମଠର ଦେଶପ୍ରିୟ ସନ୍ନ୍ୟାସୀମାନଙ୍କର ବିଦ୍ରୋହ କାହାଣୀ ଦ୍ୱାରା ପ୍ରଭାବିତ ହୋଇଛନ୍ତି, ଏଥିରେ ସନ୍ଦେହ ନାହିଁ । ଘଟଣା ଓ ଚରିତ୍ର ଚିତ୍ରଣରେ ଲେଖକଙ୍କର ଉନ୍ନତ ଜୀବନବୋଧ ତଥା ମାନବିକ ଆବେଦନ ପାଠକ ଚିତ୍ତରେ ସ୍ଥାୟୀମୁଦ୍ରା ଅଙ୍କନ କରେ । ଶାସନ ତଥା ସାମାଜିକ କ୍ଷେତ୍ରରେ ଅତ୍ୟାଚାରର ଅବସାନ ଘଟି ନୈତିକତାର ଭିତ୍ତିରେ ଏକ ଶାନ୍ତ, ସୁସ୍ଥ ସମାଜ ଗଢ଼ିଉଠୁ, ଏହା ହିଁ ଲେଖକଙ୍କର କାମନା । ବ୍ୟକ୍ତି ତଥା ସମାଜର ମଙ୍ଗଳ ଓ ସେବାରେ ବ୍ୟକ୍ତିର ଜୀବନ ଉତ୍ସୃଷ୍ଟ ହେବା ବିଧେୟ; ଲେଖକ ଏଇ ଆଦର୍ଶର ବ୍ୟଞ୍ଜନା ଦେଇଛନ୍ତି ମହନ୍ତ ଚରିତ୍ର ଅବତାରଣା କରି । ଫକୀରମୋହନ କିମ୍ୱା ରାମଶଙ୍କରଙ୍କ ପରି ଲେଖକ ପୁରୁଷକାର ସଙ୍ଗେ ଦୈବର ପ୍ରଭାବକୁ ସ୍ୱୀକାର କରିନାହାନ୍ତି । ସାହସ, ବୀରତ୍ୱ ଓ ଦୁଃସାଂସିକତାରେ; ଦୃଢ଼ ଚରିତ୍ରନିଷ୍ଠା ଓ ଅତ୍ୟାଚାରର ବଳିଷ୍ଠ ପ୍ରତିବାଦରେ ଭିତ୍ତିରେ ଲେଖକ ପୌରୁଷର ଜୟଗାନ କରିଯାଇଛନ୍ତି, କାପୁରୁଷତାର ଧ୍ୱଂସସ୍ତୁପ ଉପରେ ସତ୍ୟର ଜୟ ଓ ଅସତ୍ୟର ପରାଜୟ ପ୍ରଦର୍ଶନ, ଏଇ Poetic justiceର ଧାରଣା ପଦ୍ମାମାଳୀ କାହାଣୀରେ ଅତି ସ୍ପଷ୍ଟ ।

 

ଊନବିଂଶ ଶତକର ପ୍ରଥମ ଭାଗର ଗଡ଼ଜାତ ଅପଶାସନକୁ କେନ୍ଦ୍ର କରି ଲେଖକ ଏକ ରୋମାଣ୍ଟିକ୍‍ କାହାଣୀ ପରିବେଷଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପରିବେଷଣରେ ନିପୁଣତାର ଏକାନ୍ତ ଅଭାବ ପରିଲକ୍ଷିତ ହୁଏ । ଚରିତ୍ର ଓ ଘଟଣାର ପ୍ରାଚୁର୍ଯ୍ୟ ହେତୁ କାହାଣୀର ଗତି ଶିଥିଳ ହେବା ସଙ୍ଗେ ସଙ୍ଗେ ବର୍ଣ୍ଣନା ସ୍ୱାଚ୍ଛନ୍ଦ୍ୟ ତଥା ପ୍ରାଣହୀନ ହୋଇ ପଡ଼ିଛି । କି ଗୌଣ, କି ମୁଖ୍ୟ, ପ୍ରତ୍ୟେକ ଚରିତ୍ର ଓ ଘଟଣାର ଦୀର୍ଘ ବର୍ଣ୍ଣନା ବିଶେଷତଃ ଐତିହାସିକ ବର୍ଣ୍ଣନା ପାଠକମାନଙ୍କର ଧୈର୍ଯ୍ୟସାପେକ୍ଷ ହୋଇ ପଡ଼ିଛି । ପୁଣି ନାରୀ ପୁରୁଷର ରୂପ ଓ ପ୍ରଣୟୀପ୍ରଣୟିନୀଙ୍କର ମିଳନ ସଂପର୍କୀୟ ବର୍ଣ୍ଣନାର ମଧ୍ୟଯୁଗୀୟ କାବ୍ୟିକ ରୀତି ପାଠକ ଚିତ୍ତରେ କାବ୍ୟର ଭ୍ରାନ୍ତି ଜାତ କରେ । ବଙ୍କିମଚନ୍ଦ୍ରଙ୍କ ପରି ବହୁ କ୍ଷେତ୍ରରେ ଲେଖକଙ୍କର ପାଠକ ସଚେତନତା ଏବଂ ବିଭିନ୍ନ ଘଟଣା, ପରିସ୍ଥିତି ଓ ଚରିତ୍ରର କ୍ରିୟାକଳାପ ସମ୍ପର୍କରେ ଲେଖକଙ୍କର ସମୀକ୍ଷକସୁଲଭ ଟୀକା ଟିପ୍‍ପଣି ଉପନ୍ୟାସର ଆଙ୍ଗିକ ଦୃଷ୍ଟିରୁ ଏକ ତ୍ରୁଟି ଲେଖକ ମୁଖ୍ୟତଃ ବିଶ୍ଳେଷଣାତ୍ମକ ଶୈଳୀ ଓ ଗୌଣତଃ ସ୍ଥାନେ ସ୍ଥାନେ ନାଟକୀୟ ଶୈଳୀର ବ୍ୟବହାର କରିଥିଲେ ମଧ୍ୟ ଏହାର ଭାଷା ହେତୁ ଚିତ୍ତାକର୍ଷକ ହୋଇ ପାରିନାହିଁ । ‘ପଦ୍ମାମାଳୀ’ର ଗୁରୁଗାମ୍ଭୀର୍ଯ୍ୟପୂର୍ଣ୍ଣ କାବ୍ୟିକ ଭାଷା କୌଣସିମତେ ଉପନ୍ୟାସର ଭାଷା ନୁହେଁ । ପୁଣି ସ୍ଥାନେ ସ୍ଥାନେ ର୍ବଗୀୟ ରୀତିର ପ୍ରଭାବ ଭାଷାର ମୌଳିକ ସୌନ୍ଦର୍ଯ୍ୟ ନଷ୍ଟ କରିଛି ( ଉଦା :- ତୁ କ’ଣ ଭୟ ପାଉଛୁ ?’ ଚିତ୍ରକର ତୁଳିକାର ନ୍ୟାୟ) ସ୍ଥାନେ ସ୍ଥାନେ ଯେଉଁ ସଂସଳାପର ଯୋଜନା କରାଯାଇଛି, ତାହା ଚରିତ୍ରାନୁରୂପ ନୁହେଁ କି ଚିତ୍ତାକର୍ଷକ ନୁହେଁ । ସ୍ଥୂଳତଃ ଫକୀରମୋହନଙ୍କ ଉପନ୍ୟାସରେ ମଧୁର ବ୍ୟଞ୍ଜନାତ୍ମକ ଚରିତ୍ରାନୁରୂପ ଭାଷାର ଏବଂ ଶୈଳୀରେ ସ୍ୱତଃସ୍ଫୁର୍ତ୍ତି ଓ କମନୀୟତାର ଯେଉଁ ସଙ୍କେତ ପାଉଁ, ତା’ର ଅଭାବ ପଦ୍ମାମାଳୀରେ ପରିଲକ୍ଷିତ ହୁଏ-

 

ପଦ୍ମାମାଳୀରେ ନାନା ଆଙ୍ଗିକ କଥା ଶିଳ୍ପ, ରୀତିଗତ ତ୍ରୁଟି ପରିଲକ୍ଷିତ ହେଲେ ମଧ୍ୟ ଜାତୀୟ ସାହିତ୍ୟର ଘଡ଼ିସନ୍ଧିବେଳେ ଗଡ଼ଜାତି ଅତ୍ୟାଚାରର ପ୍ରତିବାଦମୂଳକ ଏକ ବିଦ୍ରୋହର କାହାଣୀ ମାଧ୍ୟମରେ ଅଭିଜାତ ଗୋଷ୍ଠୀର ନେତୃତ୍ୱରେ ପ୍ରତିବାଦ ତଥା ବିଦ୍ରୋହର ସ୍ୱର ଉତ୍ତୋଳନ କରି ଭାବୀ ଜନଜାଗରଣ ବା ଜାଗ୍ରତ ଜନତାର ବିପ୍ଳବ ପାଇଁ ଭୂମିକା ସୃଷ୍ଟି କରିବା ଦିଗରେ ଯେ ଲେଖକ ଏକ ସାହସିକ ପଦକ୍ଷେପ ନେଇ ନିଜକୁ ବୈପ୍ଳବିକ ଦୃଷ୍ଟୀଭଂଗୀର ସଙ୍କେତ ଦେଇଛନ୍ତି, ଏହା ସ୍ୱୀକାର କରିବାକୁ ହେବ । ‘ପଦ୍ମାମାଳୀ’ରେ ଲେଖକଙ୍କର ଏଇ ବୈପ୍ଳବିକ ଦୃଷ୍ଟିଭଂଗୀ ଠିକ୍‍ ତା’ର ତିନି ବର୍ଷ ପରେ ପ୍ରକାଶିତ ହୋଇଥିବା ରାମଶଙ୍କର ରାୟଙ୍କର ‘ବିବାସିନୀ’ ଉପନ୍ୟାସରେ ଆହୁରି ତୀବ୍ରତର ହୋଇ ଉଠିଛି । ଅତ୍ୟାଚାରୀ ଶାସକର ଅତ୍ୟାଚାର ବିରୁଦ୍ଧରେ ପ୍ରତ୍ୟକ୍ଷ ବିଦ୍ରୋହ କରିବାର ପ୍ରେରଣା ଅବଶ୍ୟ ଉଭୟ ଲେଖକ ବଙ୍କିମଚନ୍ଦ୍ରଙ୍କର ‘ଆନନ୍ଦମଠରୁ’ ପାଇଛନ୍ତି । ରାମଶଙ୍କରଙ୍କର ବିବାସିନୀ ଉପନ୍ୟାସରେ ବର୍ଣ୍ଣିତ ବିଷୟବସ୍ତୁର ଘଟଣାକାଳ ‘ପଦ୍ମାମାଳୀ’ କାହାଣୀର ଘଟଣାକାଳ ଅପେକ୍ଷା ପ୍ରାଚୀନତର ହେଲେ ମଧ୍ୟ (ମରହଟ୍ଟା ଶାସନକାଳୀନ) ବିବାସନୀରେ ଜାଗ୍ରତ ଜନତାର ବିପ୍ଳବୀ-ସ୍ୱର ଅଧିକ ପ୍ରତ୍ୟକ୍ଷ ହେବା ସଙ୍ଗେ ସଙ୍ଗେ ତୀବ୍ରତର ହୋଇ ଉଠିଛି ।

Image

 

ବିବାସିନୀ

 

ବିବାସିନୀ ଉପନ୍ୟାସର ପ୍ରକାଶନ କାଳ ହେଉଛି ୧୮୯୧ । ଅଷ୍ଟାଦଶ ଶତାବ୍ଦୀର (ଦ୍ୱିତୀୟାର୍ଦ୍ଧ) ବାସ୍ତବ ସାମାଜିକ ସମସ୍ୟା ଓ ସଂଘର୍ଷ ପରିବେଶରୁ ଲେଖମ ବିବାସିନୀର କାହାଣୀ, ଘଟଣା ଓ ଚରିତ୍ର ଗ୍ରହଣ କରିଛନ୍ତି । ଓଡ଼ିଶାରେ ମରହଟ୍ଟା ରାଜତ୍ୱର କୁଶାସନ ଓ ଅତ୍ୟାଚାରର ପୃଷ୍ଠଭୂମି ଉପରେ ରାମଶଙ୍କର ଏହି ଉପନ୍ୟାସଟିର ପ୍ରାଣପ୍ରତିଷ୍ଠା କରିଛନ୍ତି । ଅଷ୍ଟାଦଶ ଶତାବ୍ଦୀରେ ମରହଟ୍ଟା କର୍ମଚାରୀମାନଙ୍କର ଅପଶାସନ, ଅତ୍ୟାଚାର, ଶୋଷଣ ଓ ଦେଶୀୟ ଚୌଧୁରୀମାନଙ୍କର ଦେଶଦ୍ରୋହିତା, ସ୍ୱାର୍ଥପରତା, ପ୍ରଜାକଣ୍ଟକ ମରହଟ୍ଟା ଶାସକମାନଙ୍କର ଶୋଷଣକୁ ଖୋରାକ ଯୋଗାଇଥିଲା । ଓଡ଼ିଶାର ପ୍ରାକୃତିକ ସଂକଟ (ଦୁର୍ଭିକ୍ଷ) ସମୟରେ ଶାସକ ଓ କର୍ମଚାରୀମାନଙ୍କର ଉଦାସୀନତା ଲୋକମାନଙ୍କ ମଧ୍ୟରେ ବିଦ୍ରୋହାଗ୍ନି ଜାଳିଦେଇଥିଲା ଫଳରେ ଓଡ଼ିଶାର କେତେକ ସାହସୀ ଦେଶହିତୈଷୀ ଯୁବକ ଶୋଷଣ ଓ ଶୋଷକର ଧ୍ୱଂସସାଧନ କରି ଲୋକମାନଙ୍କ ତୁଣ୍ଡରେ ଅନ୍ନ ଦେବା ପାଇଁ ଦୁଃସାହସିକ ବିଭୀଷିକାପୂର୍ଣ୍ଣ ଡକାୟତି କରିଥିଲେ । ଏଇ ହେଲା ବିବାସିନୀର ସ୍ଥୂଳ କଥାବସ୍ତୁ ।

 

ଅବଶ୍ୟ ଏ ପ୍ରକାର କାହାଣୀ ନିର୍ବାଚନ ମୂଳରେ ରହିଛି ବଙ୍କିମଚନ୍ଦ୍ରଙ୍କର ‘ଆନନ୍ଦମଠ’ର ପ୍ରେରଣା । ମୁସଲମାନ ଶାସକ ମିର୍ଜାଫରଙ୍କର ଦେଶଦ୍ରୋହିତା ଓ ବଣିକ ଇଂରେଜମାନଙ୍କର ଅର୍ଥ ଆଦାୟ ଫଳରେ ବଙ୍ଗଳାରେ ସେତେବେଳେ ଦେଖାଦେଇଥିଲା ଅରାଜକତା । ଫଳରେ ବଙ୍ଗଳାର ବହୁ ଯୁବକ ସନ୍ନ୍ୟାସୀରୂପରେ କଠୋର ସଂଯମ ଓ ତ୍ୟାଗର ଆଦର୍ଶ ଗ୍ରହଣ କରି ମାତୃଭୂମିରେ ଏ କୁଶାସନର ଅବସାନ ଘଟାଇବାପାଇଁ ବିଦ୍ରୋହ କରିଥିଲା । ‘ଆନନ୍ଦମଠ’ ଉପନ୍ୟାସର ବିଦ୍ରୋହୀନେତା ସତ୍ୟାନନ୍ଦଙ୍କ ସ୍ଥାନରେ ରାମଶଙ୍କର ବିବାସିନୀରେ ‘ହନୁମାନ ଦାସ’ ଚରିତ୍ର ପରିକଳ୍ପନା କରିଛନ୍ତି । ହନୁମାସ ଦାସ, କୁଜଙ୍ଗ ରାଜା, ମରହଟ୍ଟା କର୍ମଚାରୀ ସହୃଦୟ ଡୁମନ୍‍ସର୍ଦ୍ଦାରଙ୍କ ପ୍ରେରଣାରେ ଦଳପତି ରଘୁନାଥ ପଟ୍ଟନାୟକ ଓ ଅନ୍ୟମାନେ ଡକାୟତି କରିବା ପାଇଁ ଯାଆନ୍ତି । ଲେଖକ ଡକାୟତିର ଉଦ୍ଦେଶ୍ୟ ହନୁମାନ ଦାସଙ୍କ ବକ୍ତବ୍ୟରେ ଏବଂ ଦୁର୍ଭିକ୍ଷ ସମୟରେ ହନୁମାନ, ରଘୁନାଥ ଓ କଳାବତୀ ପ୍ରଭୃତିଙ୍କର କ୍ରିୟାକଳାପରେ ସ୍ପଷ୍ଟଭାବରେ ସୂଚିତ କରିଛନ୍ତି ।

 

ବଙ୍କିମଚନ୍ଦ୍ର ଓ ରାମଶଙ୍କର ଏକ ଦୁଇ ଲେଖକଙ୍କ ନିକଟରେ ଦେଶର ସମସ୍ୟା ଓ ସଂଘର୍ଷ ଏକପ୍ରକାର । ଉଭୟଙ୍କର ଜୀବିତକାଳରେ ଇଂରେଜମାନେ ଶାସନ କରୁଥିଲେ । ଇଂରେଜ ଶାସକମାନଙ୍କର ଶୋଷଣ ଯେ ଉଭୟ ଲେଖକଙ୍କ ସ୍ମୃତିରେ ନ ଥିଲା ତା’ ନୁହେଁ; କିନ୍ତୁ ମୁସଲମାନ ଓ ମରହଟ୍ଟା ଶାସକମାନଙ୍କର ଅତ୍ୟାଚାର ସମ୍ପର୍କୀୟ ଦାରୁଣସ୍ମୃତି ବେଶିଦିନର ନୁହେଁ । ଉଭୟେ ଥିଲେ ଦେଶପ୍ରେମିକା । ତେଣୁ ପ୍ରତ୍ୟକ୍ଷରେ ଇଂରେଜ ସରକାରଙ୍କର ଶୋଷଣକୁ ସମାଲୋଚନା ନ କରି ପରୋକ୍ଷରେ ମୁସଲମାନ ଓ ମରହଟ୍ଟାମାନଙ୍କର ଶୋଷଣ ରୂପରେ ତା’ର ଯେ ବ୍ୟଞ୍ଜନା ଦେଇଛନ୍ତି, ଏହା ଅନୁମାନ କରାଯିବା କିଛି ଅସ୍ୱାଭାବିକ ନୁହେଁ । ପୁଣି ଉଭୟଙ୍କର ରଚନା ସ୍ୱବିରୋଧିତ ଜନିତ ଅସଙ୍ଗତିରୁ ମୁକ୍ତ ନୁହେଁ । ସେତେବେଳକାର ରାଜତନ୍ତ୍ର ବା ସାମନ୍ତତନ୍ତ୍ରପ୍ରଧାନ ସାମାଜିକ ପରିବେଶରେ ଏକ ପ୍ରତ୍ୟକ୍ଷ ବିଦ୍ରୋହାତ୍ମକ ଦୃଷ୍ଟିଭଙ୍ଗୀ ଉଭୟଙ୍କର ରଚନାରେ ସମ୍ଭବ ନୁହେଁ । ସେତେବେଳେ ଉଭୟ ଲେଖକଙ୍କ ପକ୍ଷରେ ପାଠକମାନଙ୍କର ଅଭିଜାତ ତଥା ସାମନ୍ତବାଦମୁଖୀ ରୁଚିର ହଠାତ୍‍ ପରିବର୍ତ୍ତନ ଅନୟନ କରିବା ସମ୍ଭବ ନୁହେଁ । ଫଳରେ ପରୋକ୍ଷ ବିଦ୍ରୋହ ବା ବିପ୍ଳବର ସଂକେତ ଦେଇଥିଲେ ମଧ୍ୟ ପାଠକମାନଙ୍କର ରୁଚି ସମ୍ପର୍କରେ ସଚେତନ ରହି ଘଟଣା ଚରିତ୍ରର ରୂପଗୁଣ କଥା କ୍ରିୟାକଳାପ ବର୍ଣ୍ଣନାରେ ଏବଂ ରଚନାଶୈଳୀରେ ପୂର୍ବର କାବ୍ୟକ ରୋମାନ୍‍ସଧର୍ମୀ ରୁଚିସହ କଥାବସ୍ତୁ ନିର୍ବାଚନରେ ନିଜର ସତର୍କ ତଥା ସନ୍ତର୍ପିତ ନୂତନ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଛନ୍ତି ।

 

ଅବଶ୍ୟ କଥାବସ୍ତୁ, ଘଟଣା, ପରିବେଶ ଓ ଚରିତ୍ରଗୁଡ଼ିକର କ୍ରିୟାକଳାପ ମଧ୍ୟଯୁଗର ରୋମାନ୍‍ସପରି ଅବାସ୍ତବ ହୋଇ ପଡ଼ିନାହିଁ । ଏହାର ଭିତ୍ତି ବାସ୍ତବ ବା ଐତିହାସିକ । ଜଣେ ବିଶିଷ୍ଟ ସମାଲୋଚକଙ୍କର ଭାଷାରେ କହିବାକୁ ଗଲେ ଏହାର ବାୟୁମଣ୍ଡଳରେ ଯେଉଁଠି କଳ୍ପନାର ବିଚିତ୍ର ବର୍ଣ୍ଣର ଫୁଲ ଫୁଟିଛି, ତାହା ମୃତ୍ତିକା ସହିତ ସମ୍ପର୍କଶୂନ୍ୟ ହୋଇନାହିଁ । କିନ୍ତୁ ଜୀବନର ସହଜ ପ୍ରବାହ ଅପେକ୍ଷା ଅସାଧାରଣ ଉଚ୍ଛ୍ୱାସ, ଗୌରବମୟ ମୁହୂର୍ତ୍ତ, ବୀରୋଚିତ ବିକାଶ ପ୍ରଭୃତି ଅସାଧାରଣ ବ୍ୟାପାରର ଅବକାଶ ବାସ୍ତବତାର ବନ୍ଧନ ଅପେକ୍ଷା ଅଧିକ । ସେ ସମୟର ବେଶଭୂଷା, ଆଚାରବ୍ୟବହାର ଓ ଚଳଣିର ବର୍ଣ୍ଣନାରେ କବିତ୍ୱମୟ କଳ୍ପନାର ମଘଖଣ୍ଡ ଭାସି ବୁଲିଛି । ତେଣୁ ସୂର୍ଯ୍ୟାଲୋକଦୀପ୍ତ ବର୍ତ୍ତମାନ ଅପେକ୍ଷା କଳ୍ପନା ମୁଖର କୁହେଳିକାଚ୍ଛନ୍ନ ଅତୀତ ଦିଗରେ ଏମାନଙ୍କ କୃତୀରେ ସ୍ୱାଭାବିକ ପ୍ରବଣତା ପରିଲକ୍ଷିତ । (୪)

 

ରାମଶଙ୍କର ମାନବସମାଜରେ ନିତିପ୍ରତି ଘଟୁଥିବା ପ୍ରେମ, ସମ୍ୱେଦନା, ବାତ୍ସଲ୍ୟ, ସୌନ୍ଦର୍ଯ୍ୟ, ଘୃଣା, ପ୍ରତିହିଂସା, ବିଶ୍ୱାସଘାତକତା ଓ ମୃତ୍ୟୁ ପ୍ରଭୃତି ବିଭିନ୍ନ ବିଭାଗର ଚିତ୍ରଦେଇ ତନ୍ମଧ୍ୟରେ ମାନବ ଜୀବନର ଉଦ୍ଦେଶ୍ୟ, ଅର୍ଥ ଓ ମୂଲ୍ୟ ଦାର୍ଶନିକ ଭାବରେ ନିରୂପଣ କରିଛନ୍ତି । ନୀତି, ଆଦର୍ଶ, ସତ୍ୟ ଓ ଈଶ୍ୱରପରାୟଣତାକୁ ସେ ଜୀବନରେ ଉଚ୍ଚସ୍ଥାନ ଦେଇଛନ୍ତି । ବାସ୍ତବତାର ଭିତ୍ତିରେ ଆଦର୍ଶ ପ୍ରତିଷ୍ଠା କରିବା ହେଉଛି ଲେଖକଙ୍କର ଆଭିମୁଖ୍ୟ । ଲେଖକ ଅନେକତ୍ର ଏପରି ଆଦର୍ଶ ସଚେତନ ହୋଇ ପଡ଼ିଛନ୍ତି ଯେ ପ୍ରେମ ଓ ବାତ୍ସଲ୍ୟ ଚିତ୍ରରେ ସ୍ୱାଭାବିକତା ପ୍ରତି ଯଥୋଚିତ ଦୃଷ୍ଟି ଦେଇପାରି ନାହାନ୍ତି ।

 

ରୋମାଣ୍ଟିକ୍‍ ପରିବେଶ ମଧ୍ୟରେ ଦୁଃସାହସିକ ଡକାୟତିର ବର୍ଣ୍ଣନା କରାଯାଇଛି । ଦୁଃସାହସିକ ଭାବରେ କଳାବତୀ ଓ ରସକଳାକୁ ନୌକାରେ ଅଣାଯାଇଛି; କିନ୍ତୁ ବିଳାଶ ଓ ସମ୍ଭୋଗମୟ କୁଜଙ୍ଗ ରାଜବାଟୀରେ ରାଜାଙ୍କର ସୁନ୍ଦରୀ ରସକଳା ପ୍ରତି ବାତ୍ସଲ୍ୟଭାବର ଉଦ୍ରେକ ମୂଳରେ ରହିଛି ଲେଖକଙ୍କର ନୈତିକ ଦୃଷ୍ଟଭଙ୍ଗୀ । ସେହିପରି ରଘୁନାଥ କଳାବତୀ ପ୍ରତି ଆକୃଷ୍ଟ ହୋଇଛି, ବିବାହ କରିବା ପାଇଁ ନିଜର ଅଭିଳାଷ ଜଣାଇଛି । ସୁନ୍ଦରୀ ବିଧବା ଯୁବତୀ କଳାବତୀର ଚିତ୍ତରେ ଅଜ୍ଞାତଭାବରେ ରଘୁନାଥ ସମ୍ପର୍କରେ ଚାଞ୍ଚଲ୍ୟ ଉପସ୍ଥିତ ହେଲେ ମଧ୍ୟ ସଂଯମ ତଥା ବୈଧବ-ଦୀକ୍ଷାରେ ତାହା ମଉଳି ଯାଇଛି । ରଘୁନାଥ ତା’ର ଆଦର୍ଶକୁ ସହଜ ଚିତ୍ତରେ ଗ୍ରହଣ କରି ନେଇଛି । ତେଣୁ ରୋମାନ୍‍ସର ଭିତ୍ତିରେ ପ୍ରଣୟର ଚିତ୍ର ରହିଥିଲେ ମଧ୍ୟ ଆଦର୍ଶର ଅନୁରୋଧରେ ତାହା ଅବାସ୍ତବରୂପ ଗ୍ରହଣ କରିଛି ।

 

(୪) ଶ୍ରୀ ଶ୍ରୀକୁମାର ବନ୍ଦୋପାଧ୍ୟାୟ, ବଙ୍ଗସାହିତ୍ୟେ ଉପନ୍ୟାସର ଧାରା ।

 

ଅଷ୍ଟାଦଶ ଶତାବ୍ଦୀର ଉତ୍କଳର ଐତିହାସିକ ତଥା ସାମାଜିକ ପରିବେଶରୁ ଲେଖକ ଯେଉଁ କାହାଣୀ ଓ ଘଟଣା ନିର୍ବାଚନ କରିଛନ୍ତି, ତନ୍ମଧ୍ୟରେ ଲେଖକଙ୍କର କଳ୍ପନାର ସାର୍ଥକତା ନିହିତ ଅଛି । କାହାଣୀଟି ଅବଶ୍ୟ ଦୀର୍ଘ ନୁହେଁ ବା କୌଣସି ଚରିତ୍ରର ଦୀର୍ଘକାଳର ଘଟଣା ନୁହେଁ; କିନ୍ତୁ ଓଡ଼ିଶାର ଏକ ଘଡ଼ିସନ୍ଧିକାଳରେ ଲୋକଙ୍କ ଚିତ୍ତରେ ଯେଉଁ ବିଦ୍ରୋହର ପ୍ରେରଣା ଦେଖାଦେଇଛି, ତା’ର ପ୍ରାଣପ୍ରତିଷ୍ଠା ହୋଇଛି ଏହି ଉପନ୍ୟାସରେ । ଚରିତ୍ର, ପରିବେଶ, ଘଟଣା ଓ ସ୍ଥାନର ଅନେକତ୍ର ଅବାଞ୍ଛିତ ଦୀର୍ଘ ବର୍ଣ୍ଣନା ହେତୁ ଉପନ୍ୟାସରେ ଆଂଗିକ ତ୍ରୁଟି ପରିଲକ୍ଷିତ ହେଉଥିଲେ ମଧ୍ୟ କାହାଣୀ, ଚରିତ୍ର ଓ ଘଟଣାର ପରିକଳ୍ପନା ମଧ୍ୟରେ ଲେଖକଙ୍କର ମାନବିକ ମୂଲ୍ୟବୋଧ ଓ ମୂଲ୍ୟବୋଧଜନିତ ସଂଘର୍ଷ ଲକ୍ଷ୍ୟ କରିବାର ବିଷୟ । ପ୍ରଜାମାନଙ୍କର ପେଟକୁ ମାରି ଚୌଧୁରୀ ଓ ଗୋବର୍ଦ୍ଧନ ଦାସର ଅର୍ଥସଞ୍ଚୟ, ଜାତୀୟ-ଦୁର୍ଦ୍ଦିନରେ ରାଧାଗୋବିନ୍ଦ ଚୌଧୁରୀ, ସୁବାଦାର ଶମ୍ଭୁଜୀ, ଗଣେଶଙ୍କର ଶୋଷଣଲିପ୍‍ସା ଓ ପ୍ରଜାମାନଙ୍କର ଅବସ୍ଥା ପ୍ରତି ଉଦାସୀନତା, ନିର୍ଦ୍ଦୋଷ ଦାସ ଖାଡ଼ଂଗାକୁ ବେତ୍ରାଘାତ ଓ ଶୂଳୀଦଣ୍ଡ, ଶକୁନି ମାୟାଧରର କାମାନ୍ଧତା ଓ ବିଶ୍ୱାସଘାତକତା ପ୍ରଭୃତି ଘଟଣା ଓ କ୍ରିୟାକଳାପରେ ମାନବିକ ମୂଲ୍ୟବୋଧଜନିତ ସଂଘର୍ଷ ଅତି ଜୀବନ୍ତ ହୋଇଉଠିଛି । ରଘୁନାଥ, ହନୁମାନଦାସ, କୁଜଙ୍ଗର ଷଣ୍ଢରାଜା, ଡୁମନ୍‍ସର୍ଦ୍ଦାର, କଳାବତୀ, ରସକଳା, କ୍ରୁଦ୍ଧ କଟକବାସୀ ଓ ଡକାୟତ ଦଳର ଅନ୍ୟ ବ୍ୟକ୍ତିମାନଙ୍କର କ୍ରିୟାକଳାପର ଆଭିମୁଖ୍ୟ ହେଉଛି ମାନବିକ ମୂଲ୍ୟବୋଧର ପ୍ରତିଷ୍ଠା ।

 

ଉପନ୍ୟାସଟିର ଆଖ୍ୟାନବସ୍ତୁ ବା ବିଷୟଚିତ୍ରର ପରିକଳ୍ପନାରେ ଲେଖକଙ୍କର ଜ୍ଞାନ ଓ ଅନୁଭୂତିର ଅଗଭୀରତାର କୌଣସି ସଙ୍କେତ ମିଳେନା । ଅଷ୍ଟାଦଶ ଶତାବ୍ଦୀର ମରହଟ୍ଟା କୁଶାସନ ନିଷ୍ପେକ୍ଷିତ ଦୁର୍ଭିକ୍ଷନିପୀଡ଼ିତ ପ୍ରତିକ୍ରିୟାଶୀଳ ଉତ୍କଳବାସୀଙ୍କର କ୍ରିୟାକଳାପର ବାସ୍ତବ କଳ୍ପନା ଲେଖକଙ୍କ ପକ୍ଷରେ କିଛି ଦୁଃସାଧ୍ୟ ନୁହେଁ । କାରଣ କୁଶାସନ, ଦୁର୍ଭିକ୍ଷ, ମହାମାରୀ—ଏ ଗୁଡ଼ିକ ଉତ୍କଳର ଚିରପରିଚିତ ଘଟଣା । ବିଶେଷତଃ ୧୮୬୬ ସାଲର ନଅଙ୍କ ଦୁର୍ଭିକ୍ଷ, ଇଂରେଜ ଶାସକମାନଙ୍କର ଶୋଷଣ, ଲୋକଙ୍କର ଅବସ୍ଥା ଓ ପ୍ରତିକ୍ରିୟା ସମ୍ପର୍କରେ ଲେଖକ ଅତି ଅନ୍ତରଙ୍ଗ ଭାବରେ ପରିଚିତ । ପରିବେଶ ବର୍ଣ୍ଣନାରେ ଲେଖକ ବ୍ରିଟିଶ ସରକାରଙ୍କର କ୍ରିୟାକଳାପ ପ୍ରତି କିପରି କଟାକ୍ଷପାତ କରିଛନ୍ତି, ‘ନବଗ୍ରାମ’ ଓ ‘ଲାଲବାଗ’ ର ବର୍ଣ୍ଣନାରେ ପାଠକମାନେ ଲକ୍ଷ୍ୟ କରି ପାରିବେ । ରଘୁନାଥର ମାତୃସେବା, ଦେଶପ୍ରୀତି, ସଂଯମ; ମରହଟ୍ଟା କର୍ମଚାରୀ ଡୁମନ୍‍ ସରଦାରଙ୍କର ସହାନୁଭୂତି ଓ ସମ୍ବେଦନଶୀଳତା; ହନୁମାନଦାସଙ୍କର ଦେଶାତ୍ମବୋଧ, ଧର୍ମଭାବ, ସହିଷ୍ଣୁତା ଓ ନିର୍ଭୀକତା ଏବଂ କଳାବତୀଙ୍କର ଧର୍ମନିଷ୍ଠା ଓ ବିଦୁଷିତା ମଧ୍ୟରେ ତତ୍‍କାଳୀନ ସାମାଜିକ ଦୋଷ-ଦୁର୍ବଳତାର ପ୍ରତିକ୍ରିୟା ପରିସ୍ଫୁଟ ହୋଇ ଉଠିଛି ।

 

ବିବାସିନୀ ହେଉଛି ଗୋଟିଏ ଚରିତ୍ରପ୍ରଧାନ ଉପନ୍ୟାସ । ଏହାର କାହାଣୀଟି ସେପରି ଦୀର୍ଘ ନୁହେଁ । ପୁଣି ଚରିତ୍ରଗୁଡ଼ିକର ଜୀବନକାଳର ଯେଉଁ ଅଂଶ ଓ ଘଟଣାଗୁଡ଼ିକୁ ନେଇ ଏହାର ପ୍ରାଣପ୍ରତିଷ୍ଠା କରାଯାଇଛି, ତାହା ମଧ୍ୟ ଦୀର୍ଘ ନୁହେଁ । କିନ୍ତୁ ଘଟଣା, ସ୍ଥାନ ଓ ଚରିତ୍ରର ବହୁଳତା ତଥା ଦୀର୍ଘ ବର୍ଣ୍ଣନା ହେତୁ ଉପନ୍ୟାସର କଳେବର ଦୀର୍ଘ ହେବା ସଙ୍ଗେ ସଙ୍ଗେ ଚରିତ୍ରଦୃଷ୍ଟିରେ ଅବାଞ୍ଛିତ ଜଟିଳତା ପ୍ରକାଶ ପାଇଛି । ଫଳରେ ଚରିତ୍ରଗୁଡ଼ିକର ବିକାଶ ବ୍ୟାହତ ହେବା ସଙ୍ଗେ ସଙ୍ଗେ ଗତାନୁଗତିକତା ତଥା ପ୍ରାଣହୀନତା ଯୋଗୁଁ ସେଗୁଡ଼ିକ ପାଠକ ଚିତ୍ତରେ କୌଣସି ଆଗ୍ରହ ବା ଉତ୍ତେଜନା ସୃଷ୍ଟି କରିପାରନ୍ତିନି । ଯେତେଥର ପାଠ କଲେ ମଧ୍ୟ ଫକୀର ମୋହନଙ୍କର ଉପନ୍ୟାସର ଚରିତ୍ରଗୁଡ଼ିକ ଯେପରି ପାଠକଚିତ୍ତରେ ଏକ ଏକ ସ୍ଥାୟୀମୁଦା ଅଙ୍କନ କରିଥାନ୍ତି, ବିବାସିନୀର ଚରିତ୍ରଗୁଡ଼ିକ ସେ ଦୃଷ୍ଟିରେ ଦୁର୍ବଳ ବୋଲି ମନେହୁଏ । ବଙ୍କିମଚନ୍ଦ୍ରଙ୍କ ଆଦର୍ଶରେ ଏକ ରୋମାଣ୍ଟିକ୍‍ ପରିବେଶରେ ଚରିତ୍ରଗୁଡ଼ିକ ପରିକଳ୍ପିତ ହୋଇଥିଲେ ମଧ୍ୟ ବଙ୍କିମଚନ୍ଦ୍ରଙ୍କର ରୋମାଣ୍ଟିକ ଚରିତ୍ରର ପ୍ରାଣାବେଗ ଓ ସ୍ଫୁର୍ତ୍ତି ‘ବିବାସିନୀ’ ରେ ନାହିଁ ।

 

ଅବଶ୍ୟ ଯେଉଁ ସାମାଜିକ ପରିପେକ୍ଷୀ ଓ ଜୀବନ ସ୍ରୋତାବର୍ତ୍ତରୁ ଲେଖକ ଚରିତ୍ରଗୁଡ଼ିକୁ ଗ୍ରହଣ କରିଛନ୍ତି, ତା’ର ବାସ୍ତବତା ସମ୍ପର୍କରେ ପ୍ରଶ୍ନ କରିବାର ନାହିଁ । ଲେଖକଙ୍କ ପରିବେଶିତ ସମାଜ, ସମାଜର ସମସ୍ୟା, ଜୀବନ ଓ ଚରିତ୍ରଗୁଡ଼ିକ ପାଠକ ଦୃଷ୍ଟିରେ ଅବାସ୍ତବ ବୋଧହେବାର ସେପରି କିଛି କାରଣ ନାହିଁ । ମଣିଷର ଶୋଷଣ ପ୍ରବୃତ୍ତି, କୃତ୍ରିମ ସ୍ନେହର ଶୀତଳ ସ୍ପର୍ଶ, କାମୁକତା, ସ୍ୱାଭାବିକ ପ୍ରେମାନୁରାଗ ଶ୍ରଦ୍ଧା, ସମ୍ବେଦନ, ବାତ୍ସଲ୍ୟ, ନୈତିକ ତଥା ମାନବିକ ମୂଲ୍ୟବୋଧ ପ୍ରଭୃତି ମାନବର ସାଧାରଣ ଅନୁଭୂତି ସହିତ ଲେଖକ ନୈକଟ୍ୟ ସ୍ଥାପନ କରିଛନ୍ତି । ପ୍ରବୀଣାସବସ୍ଥାରେ ଉପନ୍ୟାସଟି ରଚନା କରିଥିବାରୁ ମରହଟ୍ଟାଙ୍କ ସମୟରେ ସମାଜ, ସାମାଜିକ ଜୀବନର ସମସ୍ୟା ଓ ଜୀବନ ଯାପନ ପ୍ରଣାଳୀ ସମ୍ପର୍କରେ ଲେଖକଙ୍କର ଜ୍ଞାନ, ଅଭିଜ୍ଞାତା ଓ ପରିକଳ୍ପନା ପାଠକ ଚିତ୍ତରେ ସନ୍ଦେହର ଅବକାଶ ରଖେ ନାହିଁ ।

 

ଲେଖକ ଚିରିତ୍ରଗୁଡ଼ିକର ବିଶଦ ପରିତିତ ପାଇଁ ସେଗୁଡ଼ିକର ଆକାର-ପ୍ରକାର ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି । ବର୍ଣ୍ଣନାରେ ଅବଶ୍ୟ ଔପନ୍ୟାସିକର ସ୍ୱାତନ୍ତ୍ର୍ୟ ରହିଛି; କିନ୍ତୁ ବିବାସିନୀର ଲେଖକ ତା’ର ଭାରସାମ୍ୟ ରକ୍ଷା କରିପାରି ନାହାନ୍ତି । ଗୌଣ ହେଉ ବା ମୁଖ୍ୟ ହେଉ, ଚରିତ୍ରଗୁଡ଼ିକୁ ସେମାନଙ୍କର କାର୍ଯ୍ୟକଳାପ, କଥୋପକଥନ ଓ ବାସ୍ତବ ଅଭିପ୍ରାୟ ମଧ୍ୟରେ ସ୍ୱାଭାବିକ ଭାବରେ ପରିଚାଳିତ ହେବାକୁ ସୁଯୋଗ ନ ଦେଇ କେବଳ ସେଗୁଡ଼ିକର ଦୀର୍ଘ ବର୍ଣ୍ଣନା କରି ଚାଲିଛନ୍ତି । ପୁଣି ଲେଖକଙ୍କର ଘନ ଘନ ପାଠକ-ସଚେତନତା, ଦାର୍ଶନିକସୁଲଭ ପ୍ରଚୁର ଟୀକାଟିପ୍‍ପଣି ଚରିତ୍ରସୃଷ୍ଟି ସମ୍ପର୍କରେ ପାଠକମାନଙ୍କ ଆଗ୍ରହ ନଷ୍ଟ କରିଦେଇଛି । ଫକୀରମୋହନ ଓ ବଙ୍କିମଚନ୍ଦ୍ରଙ୍କ ପରି ଅବଶ୍ୟ ତାଙ୍କର ଚରିତ୍ର ପରିକଳ୍ପନା ମୂଳରେ ରହି କାର୍ଯ୍ୟ କରୁଛି ଏକ ଉତ୍ତୁଙ୍ଗ ନୀତି ତଥା ଆଦର୍ଶବୋଧ, ସେଥିପାଇଁ ସେଗୁଡ଼ିକ ପ୍ରତିନିଧି ଶ୍ରେଣୀର ଚରିତ୍ର (Type character) ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ବା ପରିବର୍ତ୍ତିତ ବ୍ୟକ୍ତିତ୍ୱର ସଙ୍କେତ ମିଳିବା ‘ବିବାସିନୀ’ କିମ୍ୱା ସମକାଳୀନ ଉପନ୍ୟାସରେ ଅସମ୍ଭବ । ତାଙ୍କର ଚରିତ୍ରଗୁଡ଼ିକ ଭଲ କିମ୍ୱା ମନ୍ଦକାମ କରନ୍ତି ଏବଂ ତଦନୁଯାୟୀ ଧରାବନ୍ଧା ଦଣ୍ଡ ବା ପୁରସ୍କାର ପାଆନ୍ତି । ସେଥିପାଇଁ ଦୁରନ୍ତ ମାୟାଧର, ରାଧାଗୋବିନ୍ଦ ଚୌଧୁରୀ ଓ ଗୋବର୍ଦ୍ଧନ ଦାସ ପ୍ରଭୃତିଙ୍କର ପରିଣତି ଘଟିଛି ମୃତ୍ୟୁରେ । ବିବାସିନୀର ଚରିତ୍ରଗୁଡ଼ିକ ପ୍ରତିନିଧିଶ୍ରେଣୀର (Type) ହେଲେ ମଧ୍ୟ ଫକୀରମୋହନ କିମ୍ୱା ବଙ୍କିମଚନ୍ଦ୍ରଙ୍କ ପରି ରାମଶଙ୍କର ଜୀବନ୍ତ ମନୁଷ୍ୟ ସୃଷ୍ଟିକରି ପାରିନାହାନ୍ତି । ‘ବିବାସିନୀ’ ପଢ଼ିସାରିଲା ପରେ ଆମେ କାହାଣୀ ସହିତ ଚରିତ୍ରଗୁଡ଼ିକୁ ଭୁଲିଯାଇପାରୁଁ, କିନ୍ତୁ ଫକୀରମୋହନଙ୍କର ‘ଛମାଣ ଆଠଗୁଣ୍ଠ’ କିମ୍ୱା ‘ମାମୁ’ର ବିଶଦ ବିବରଣୀ ଭୁଲିଗଲେ ମଧ୍ୟ ରାମଚନ୍ଦ୍ର ମଙ୍ଗରାଜ, ନାଜର ନଟବର ଦାସଙ୍କ ଚରିତ୍ର ପାଠକ ସ୍ମୃତିରେ ଜୀବନ୍ତ ମନୁଷ୍ୟ ଭଳି ରହିଥାନ୍ତି । ତେଣୁ ପଦେ କହିଲେ ଯଥେଷ୍ଟ ହେବ ଯେ ବିବାସିନୀରେ କେବଳ ଚରତ୍ରର ବର୍ଣ୍ଣନା ରହିଛି; କିନ୍ତୁ ପ୍ରକାଶ ନାହିଁ ।

 

ଉପନ୍ୟାସଟିର ଚରିତ୍ରବାହୁଲ୍ୟ ହେତୁ ମନେହୁଏ, ଲେଖକ ପ୍ରତ୍ୟେକ ଚରିତ୍ରର ବିକାଶ ଉପରେ ସମୁଚିତ ଗୁରୁତ୍ୱ ଦେଇପାରି ନାହାନ୍ତି । ଅତ୍ୟାଚାରୀ ପ୍ରଜାକଣ୍ଟକ ଶମ୍ଭୁଜୀଗଣେଷ ଓ ତା’ର ବଚସ୍କରମାନଙ୍କ ଉପରେ ରଘୁନାଥ ଡୁମନ୍‍ ସରଦାର ଓ କୁଜଙ୍ଗର ଭୂୟାଁମାନଙ୍କର ପ୍ରତିଶୋଧ ବିଧାନ ହେଉଛି ଏ ଉପନ୍ୟାସର ମୁଖ୍ୟ ସଂଘର୍ଷ; କିନ୍ତୁ ଘଟଣାର ଘାତପ୍ରତିଘାତ, ସଂଘର୍ଷର ଜଟିଳତା ଓ ଜୀବନର ବିଭିନ୍ନ ମୁହୂର୍ତ୍ତରେ ଘଟୁଥିବା ଦ୍ୱନ୍ଦ୍ୱ ବା ସଂଘର୍ଷମୟ ଘଟଣା ପ୍ରତି ଚରିତ୍ରମନର ବିଭିନ୍ନ ପ୍ରତିକ୍ରିୟାର ଲକ୍ଷଣୀୟ ଚିତ୍ରର ଅଭାବ ରହିଛି ବିବାସିନୀରେ । ଡକାୟତ ଦଳଭୁକ୍ତ ମାୟାଧରର ବିଶ୍ୱାସଘାତକତା, ରଘୁନାଥର କଳାବତୀକୁ ବିବାହ କରିବାର ଅଭିଳାଷ ଓ ଆନନ୍ଦର ମୁହୂର୍ତ୍ତରେ କଳାବତୀର ମହାନଦୀ ଜଳରେ ଝାସ ପ୍ରଭୃତି ସାମାନ୍ୟ କେତୋଟି ଘଟଣା ଅବଶ୍ୟ ସେଇ ସେଇ ଚରିତ୍ରର ବିକାଶ ଉପରେ କିଞ୍ଚିତ୍ ଆଲୋକପାତ କରେ; କିନ୍ତୁ ତାହା ଅତି ନଗଣ୍ୟ ବୋଲି ମନେହୁଏ ।

 

ଉପନ୍ୟାସରେ ଚରିତ୍ରର ମନସ୍ତାତ୍ତ୍ୱିକ ବିଶ୍ଳେଷଣ ହେଉଛି ଚରିତ୍ର ସୃଷ୍ଟିର ଅନ୍ୟତମ ବିଭାବ । ବିବାସିନୀରେ କଳାବତୀର ବୈଧବ୍ୟ ପରେ ଲେଖକ ତା’ର ମାନସିକ ବେଦନାର ଦୀର୍ଘ ବିଶ୍ଳେଷଣ କରିଛନ୍ତି, କିନ୍ତୁ ତା’ର ବୟସ ଓ ବୌଦ୍ଧିକ ବିକାଶ ମଧ୍ୟରେ ସାମଞ୍ଜସ୍ୟ ନ ରଖି ସଂସାରର ନଶ୍ୱରତା ବିଧବାର କର୍ତ୍ତବ୍ୟ ସମ୍ପର୍କରେ ତା’ର ଚିତ୍ତର ପ୍ରବୀଣସୁଲଭ ଯେଉଁ ଗଭୀର ଦାର୍ଶନିକ ଭାବଧାରା ଆଣି ପହଞ୍ଚାଇଛନ୍ତି, ତାହା ଚରିତ୍ରର ସ୍ୱାଭାବିକ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ନ ହୋଇ ହୋଇଛି ଲେଖକଙ୍କର ଦାର୍ଶନିକ ବ୍ୟକ୍ତିତ୍ୱର ଏକ ସଚେତନ କୃତ୍ରିମ ଅଭିବ୍ୟକ୍ତି । ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଚରିତ୍ର ଚିତ୍ରଣରେ ଲେଖକ ସମୀକ୍ଷକ ଭାବରେ ଆତ୍ମପ୍ରକାଶ କରିଛନ୍ତି । ବିଶେଷତଃ ହନୁମାନ ଦାସ, କଳାବତୀ ଓ ରଘୁନାଥ ପଟ୍ଟନାୟକ ଚରିତ୍ରରେ ତାଙ୍କର ଦାର୍ଶନିକ ବ୍ୟକ୍ତିତ୍ୱ ସ୍ପଷ୍ଟ ହୋଇ ଉଠିଛି ।

 

ଚରିତ୍ର ଚିତ୍ରଣରେ ଲେଖକ ବିଶ୍ଳେଷଣାତ୍ମକ ରୀତି ଓ ସ୍ଥାନେ ସ୍ଥାନେ ନାଟକୀୟ ରୀତିର ଆଶ୍ରୟ ନେଇଛନ୍ତି; କିନ୍ତୁ ଉଭୟ ରୀତିର ମଧୁର ସମନ୍ୱୟ ଘଟି ପାରିନାହିଁ । ମଧ୍ୟଯୁଗୀୟ ଦୀର୍ଘ କାବ୍ୟିକ ବର୍ଣ୍ଣନା, ପାଠକ ସଚେତନତା ଏବଂ ଦର୍ଶନ ତଥା ନୀତି ସଚେତନତା ହେତୁ ତାଙ୍କର ବିଶ୍ଳେଷଣାତ୍ମକ ରୀତିଟି ପାଠକମାନଙ୍କ ପକ୍ଷରେ ଧୈର୍ଯ୍ୟସାପେକ୍ଷ ହୋଇପଡ଼ିଛି । ନାଟକୀୟ ସଂଳାପ ଯୋଜନାରେ ମଧ୍ୟ ସେପରି କୌଣସି ନାଟକୀୟ ଉତ୍ତେଜନା ନାହିଁ । ସ୍ଥୂଳତଃ ଉଭୟ ରୀତିର ବ୍ୟବହାରରେ ଚରିତ୍ରଗୁଡ଼ିକୁ ସ୍ୱତଃ ବିକଶିତ ହେବାର ସୁଯୋଗ ନ ଦେଇ, ନିଜର ବର୍ଣ୍ଣନା ଓ ଟୀକାଟିପ୍‍ପଣି ଉପରେ ସେଗୁଡ଼ିକୁ ଛାଡ଼ିଦେଲେ ଲେଖକ ଚରିତ୍ରର ବିକାଶ ବ୍ୟାହତ କରିଛନ୍ତି ।

 

ଅବଶ୍ୟ ଭୂୟାଁମାନଙ୍କର ଡକାୟତି ପାଇଁ ଯେଉଁ ପରିବେଶ ପରକଳ୍ପନା କରିଛନ୍ତି, ତାହା ଯେପରି ରୋମାଞ୍ଚକର, ସେହିପରି ବିଭୀଷିକାପୂର୍ଣ୍ଣ । ଚରିତ୍ରଗୁଡ଼ିକର ଦୀର୍ଘ ପରିଚୟ ଦେଲେ ମଧ୍ୟ ଉପନ୍ୟାସର ଆରମ୍ଭରୁ ଲେଖକ ସେମାନଙ୍କ ସମ୍ପର୍କରେ ନାଟକୀୟ ପ୍ରଚ୍ଛନ୍ନତା ପ୍ରୟୋଗ କରି ପାଠକ ଚିତ୍ତରେ ଉତ୍ତେଜନା ଓ କୌତୁହଳ ସୃଷ୍ଟି କରିବାକୁ ଚେଷ୍ଠା କରିଛନ୍ତି । ବାହାବଳିନ୍ଦ୍ର ବଳିୟାର ସିଂହ, ରଘୁନାଥ, ସର୍ଦ୍ଦାର ସିଂ, କଳାବତୀ ଓ ରସକଳା ପ୍ରଭୃତିଙ୍କ ଚରିତ୍ର ସଂସ୍ପର୍ଶରେ ପାଠକମାନେ ପ୍ରଥମତଃ ଆସୁଥିଲେ ମଧ୍ୟ ସେମାନଙ୍କର କୌଣସି ସ୍ପଷ୍ଟ ପରିଚୟ ପାଇପାରି ନାହାନ୍ତି । ପ୍ରତ୍ୟେକ ରୋମାଣ୍ଟିକ ଉପନ୍ୟାସରେ ଏହା ଗୋଟିଏ ଉଲ୍ଲେଖଯୋଗ୍ୟ ବୈଶିଷ୍ଟ୍ୟ ।

 

କିନ୍ତୁ ଚରିତ୍ରର ବହୁଳତା ଓ ସେଗୁଡ଼ିକର ଦୀର୍ଘ ନୀରସ ପରିଚୟ ହେତୁ ଲେଖକ ସେଗୁଡ଼ିକର ସ୍ୱାଭାବିକ ବିକାଶ ପ୍ରତି ଦୃଷ୍ଟି ଦେଇ ପାରିନାହାନ୍ତି । ବିବାସିନୀରେ କେତେଗୁଡ଼ିଏ ମୁଖ୍ୟ ଚରିତ୍ର ଥିବାରୁ ତା’ର ନାୟକ-ନାୟିକା ସମ୍ପର୍କରେ ପ୍ରଶ୍ନ ଉଠିବା ସ୍ୱାଭାବିକ । କିନ୍ତୁ ଆପାତତଃ ଡକାୟତ ଦଳପତି ରଘୁନାଥ ପଟ୍ଟନାୟକ ଓ ରାଧାଗୋବିନ୍ଦ ଚୌଧୁରୀର ପାଳିତା କନ୍ୟା କଳାବତୀକୁ ଯଥାକ୍ରମେ ଉପନ୍ୟାସର ମୁଖ୍ୟନାୟକ ଓ ମୁଖ୍ୟନାୟିକା ଭାବରେ ଗ୍ରହଣ କରାଯାଇପାରେ । ଏହି ଦୁଇଟି ଚରିତ୍ରର ଅସ୍ତିତ୍ୱ ଓ ପ୍ରଭାବ ଅଳ୍ପ ବହୁତେ ଉପନ୍ୟାସରେ ଆମୂଳଚୂଳ ପରିଲକ୍ଷିତ ହୁଏ ।

 

ଡକାୟତ ଦଳପରି ରଘୁନାଥ ଓ ଅନ୍ୟ ଚରିତ୍ର ପରିକଳ୍ପନା ମୂଳରେ କିପରି ବଙ୍କିମଚନ୍ଦ୍ରଙ୍କର ‘ଆନନ୍ଦମଠ’ ଉପନ୍ୟାସର ଚରିତ୍ର ସୃଷ୍ଟିର ପ୍ରେରଣା ରହିଛି, ତାହା ପୂର୍ବରୁ ସୂଚିତ ହୋଇଛି । ଗିରିଧାରୀ ଦାସଙ୍କର ପ୍ରେରଣା, କୁଜଙ୍ଗରାଜା ଓ ଡୁମନ୍‍ ସରଦାରଙ୍କ ପରାମର୍ଶରେ ରଘୁନାଥ ଓ କୁଜଙ୍ଗର ଅନ୍ୟ ଭୂୟାଁ ବୀରମାନେ ମରହଟ୍ଟା ଅପଶାସନର ଅବସାନ ଘଟାଇବା ପାଇଁ ବିଭୀଷିକାମୟ ଷଡ଼ଯନ୍ତ୍ର ଓ ହତ୍ୟାର ପରିକଳ୍ପନା କରିଛନ୍ତି । ଏମାନେ ଦେଶସେବା ପାଇଁ ଜୀବନ ପଣକରି ଦୁର୍ଦ୍ଦିନରେ ଅତ୍ୟାଚାରିତ ଲୋକଙ୍କ ପଛରେ ଠିଆ ହୋଇଛନ୍ତି । ଲୋକଚିତ୍ତରେ ଅନ୍ୟାୟ ଓ ଶୋଷଣଜନିତ ଆପଶାସନର ତୀବ୍ର ପ୍ରତିକ୍ରିୟାର ସୁଯୋଗ ନେଇ ସେମାନଙ୍କ ପ୍ରାଣରେ ସକ୍ରିୟ ଦେଶାତ୍ମବୋଧ ଓ ସ୍ୱାଧୀନତାର ଉନ୍ମାଦନା ଖେଳାଇଛନ୍ତି । ଜଟିଆକୁଦରେ ହନୁମାନ ଦାସଙ୍କର ଲୋକମାନଙ୍କୁ ଆଶ୍ୱାସନା ଓ ଲୋକଙ୍କ ମଧ୍ୟରେ ନୈତିକ ତଥା ଆଧ୍ୟାତ୍ମିକ ଚିନ୍ତାଧାରାର ଜାଗରଣ ପାଇଁ ଆବେଗଜଡ଼ିତ ଭାଷଣ, ଦୁର୍ଭିକ୍ଷ ସମୟରେ କଳାବତୀ ଓ ହନୁମାନ ଦାସଙ୍କର ଅନ୍ନଛତ୍ର ପରିଚାଳନା ଏବଂ ରଘୁନାଥ ଓ ଡୁମନ ସର୍ଦ୍ଦାରଙ୍କର ଅନାହାରୀଙ୍କ ମଧ୍ୟରେ ତଣ୍ଡୁଳବଣ୍ଟନ ପ୍ରଭୃତି ଘଟଣାକୁ ଦୃଷ୍ଟାନ୍ତ ରୂପେ ଗ୍ରହଣ କରାଯାଇପାରେ ।

 

ବିବାସିନୀର ମୁଖ୍ୟନାୟକ ରଘୁନାଥ ଜଣେ ସାହସୀ ଆଦର୍ଶ ଯୁବକ, ମାତୃଭକ୍ତ ଓ ଦେଶପ୍ରେମୀ । ବିପତ୍ନୀକ ହେଲେ ମଧ୍ୟ ମାତୃଅବହେଳା ଜନିତ ଆଶଙ୍କାରେ ଦ୍ୱିତୀୟବାର ଦାରପରିଗ୍ରହଣ କରିନାହିଁ । ଆଗନ୍ତୁକା ପୀଡ଼ିତା କଳାବତୀ ପ୍ରତି ରଘୁନାଥଙ୍କର ସେବା ତାଙ୍କର କୋମଳ ତଥା ସମ୍ବେଦନଶୀଳ ହୃଦୟର ସାର୍ଥକ ପରିଚୟ ଦେଇଛି । ଆଗନ୍ତୁକା ଷୋଡ଼ଶୀ ବିଧବା କଳାବତୀ ନିଜ ପ୍ରକୋଷ୍ଠ ମଧ୍ୟରେ ନିଜ ଆୟତ୍ତରେ ଥିଲେ ମଧ୍ୟ ବିପତ୍ନୀକ ରଘୁନାଥଙ୍କ ମନରେ ସେଥିପାଇଁ କୌଣସି ଦୁର୍ବଳତା ସ୍ଥାନ ପାଇନାହିଁ; କିନ୍ତୁ ହୃଦୟରେ କଳାବତୀ ପ୍ରତି ଯେଉଁ ସ୍ୱତଃସ୍ଫୁର୍ତ୍ତ ପ୍ରଣୟର ଅଙ୍କୁର ଜାତ ହୋଇଛି, ସେଇଥିରେ ରଘୁନାଥ ଚରିତ୍ରଟି ସ୍ୱାଭାବିକ ତଥା ଉପଭୋଗ୍ୟ ହୋଇ ଉଠିଛି । ପୁଣି ପରମୁହୂର୍ତ୍ତରେ କଳାବତୀର ଭ୍ରାତୃସମ୍ୱୋଧନରେ ତା’ପ୍ରତି ତାର ପ୍ରଣୟାଙ୍କୁର ସ୍ନେହାଙ୍କୁରରେ ପରିଣତ ହୋଇଛି । ସ୍ଥୂଳତଃ ରଘୁନାଥ ଚରିତ୍ର ମୂଳରେ ରହିଛି ଲେଖକଙ୍କର ଏକ ଉତ୍ତୁଙ୍ଗ ଆଦର୍ଶବୋଧ ।

 

‘ଆନନ୍ଦମଠ’ରେ ମହେନ୍ଦ୍ର ସିଂହଙ୍କ ପତ୍ନୀ କଲ୍ୟାଣୀ ଦୁର୍ଭିକ୍ଷ ପ୍ରପୀଡ଼ିତ ବ୍ୟକ୍ତିମାନଙ୍କ ଦ୍ୱାରା ଧୂତ ହେଲା ପରି ବିବାସିନୀରେ କଳାବତୀ ଓ ରସକଳା ଡକାୟତମାନଙ୍କ ଦ୍ୱାରା ଅନ୍ୟ ସ୍ଥାନକୁ ନିଆଯାଇଛନ୍ତି । କଳାବତୀ ଓ ରସକଳା ଚରିତ୍ରର ପରିକଳ୍ପନା, ନାମକରଣ ଓ ସେମାନଙ୍କର ରୂପଯୌବନ ବର୍ଣ୍ଣନାରେ ଲେଖକ ପାଠକଚିତ୍ତରେ ମଧ୍ୟଯୁଗୀୟ କାବ୍ୟ ନାୟିକାର ସ୍ମୃତି ଜାଗ୍ରତ କରିଛନ୍ତି । କଳାବତୀ ସ୍ୱଳ୍ପଶିକ୍ଷିତା ପୁଣି ଯୌବନ ମୁକୁଳିତ ହେବା ସମୟରେ ଅକାଳ ବୈଧବ୍ୟର ଚିନ୍ତାଧାରାରେ ଦାର୍ଶନିକ ସୁଲଭ ପରିପକ୍ୱତା ଆଣିଦେଇଛି । ସତୀନାରୀର ଆଦର୍ଶରେ ଏକ ଉତ୍ତୁଙ୍ଗ ଅଥଚ କଠିନ ଶିଖରରରେ ଲେଖକ କଳାବତୀକୁ ଠିଆକରାଇ ବଜ୍ରଗମ୍ଭୀର ସ୍ୱରରେ ମାନବ ଜୀବନ, ସଂସାର ଓ ସତୀତ୍ୱର ଆଦର୍ଶ ସମ୍ୱନ୍ଧରେ ଯେପରି ଘୋଷଣା କରି ଚାଲିଛନ୍ତି, ଜୀବନର ଲକ୍ଷ୍ୟ ସମ୍ପର୍କରେ ଯେପରି କଳାବତୀ ମୁଖରେ ଦୀର୍ଘ ଦାର୍ଶନିକ ବିଶ୍ଳେଷଣ କରି ଚାଲିଛନ୍ତି, ତା ଦ୍ୱାରା କଳାବତୀ ଚରିତ୍ରର ଅସ୍ୱାଭାବିକତା ଅତି ସ୍ପଷ୍ଟ ହୋଇଉଠିଛି । ଜଣେ ସ୍ୱଳ୍ପଶିକ୍ଷିତା ଷୋଡ଼ଶୀ ବିଧବା ପକ୍ଷରେ ଏ ପ୍ରକାର ଦାର୍ଶନିକ ଚେତନା ଓ ଶାସ୍ତ୍ରପାଣ୍ଡିତ୍ୟ ଅତି ଅସମ୍ଭବ ବୋଲି ମନେହୁଏ । ରଘୁନାଥର ଗୃହରେ ସଂଜ୍ଞା ଓ ସ୍ୱାସ୍ଥ୍ୟଲାଭ ଉପରେ ରଘୁନାଥର ରୂପ ଦର୍ଶନରେ ତା’ର ଯେ ତଡ଼ିତ୍‍ ସୁଲଭ କ୍ଷଣିକ ଚଞ୍ଚଳତା ଦେଖା ନ ଦେଇଛି ତା’ ନୁହେଁ; କିନ୍ତୁ ତା’ର ବୈଧବ୍ୟଦୀକ୍ଷା ଗ୍ରସ୍ତଚିତ୍ତ ଏ ଚାପଲ୍ୟକୁ ଅତିକ୍ରମ କରି ଚାଲିଛି । ରଘୁନାଥର ପ୍ରଣୟାକର୍ଷଣ ଲକ୍ଷ୍ୟ କଲେ ମଧ୍ୟ ନିଜେ ସଂଯତ ଓ ସନ୍ତର୍ପଣ ଭାବରେ ଶେଷରେ ନିଜର ଭାତୃସମ୍ବୋଧନ ଦ୍ୱାରା ରୋମାଣ୍ଟିକ୍‍ ପରିବେଶର ସୌଷ୍ଟବକୁ ମ୍ଳାନ କରିଛି, ପୁଣି ସ୍ୱର୍ଣ୍ଣ କରାଟି ନିହିତ ପତ୍ରରେ ଗ୍ରାର୍ହସ୍ଥ୍ୟ ଜୀବନର ଆଦର୍ଶ ସମ୍ପର୍କରେ ରଘୁନାଥ ଓ ରସକଳା ପ୍ରତି ଦୀର୍ଘ ଉପଦେଶ, ନାରୀର ପତିଧର୍ମ ସମ୍ପର୍କରେ ଭାଗବତ ଶ୍ଳୋକର ଉଦ୍ଧୃତ ଏବଂ ଆନନ୍ଦୋତ୍ସବ ମୁହୂର୍ତ୍ତରେ ଅଲକ୍ଷିତ ଭାବରେ ନଦୀରେ ଝାସଦେବାରେ ତା’ର ଆଦର୍ଶ ତା’ର ଚରିତ୍ରର ସ୍ୱାଭାବିକ ବିକାଶ ଉପରେ ଆଞ୍ଚ ଆଣିଛି ବୋଲି ମନେହୁଏ ।

 

କଳାବତୀ, ରସକଳା ଓ ପାଟମହାଦେଈ ପ୍ରଭୃତି ନାରୀଚରିତ୍ର ଲକ୍ଷ୍ୟ କଲେ ଜଣାଯିବ ଯେ ଏଗୁଡ଼ିକ ଏକ ଜାତୀୟ ଚରିତ୍ର । ଆଦର୍ଶର ଆଧାରରେ ଲେଖକ ନାରୀଚରିତ୍ର ପରିବେଷଣ କରି ନାରୀଶିକ୍ଷାର ପଥ ପ୍ରସ୍ତୁତ କରିଛନ୍ତି ବୋଲି ମନେହୁଏ; କିନ୍ତୁ ନାରୀ ସଂର୍ପକରେ ଲେଖକଙ୍କର ଆଦର୍ଶର ଧାରଣାବାସ୍ତବ ଦିଗଟିକୁ ଆଖି ବୁଜି ଦେଇଛି । ଫକୀରମୋହନଙ୍କ ପରି ସତୀ, ପତିପରାୟଣା, ପ୍ରେମମୟୀ ନାରୀ ସହିତ କୁଟିଳ ଦୂରନ୍ତ ନାରୀ ତାଙ୍କର କଳ୍ପନାର ପରିପେକ୍ଷୀରେ ଆସିପାରି ନାହାନ୍ତି ।

ନାରୀଚରିତ୍ର ସୃଷ୍ଟି ଅପେକ୍ଷା ପୁରୁଷ ଚରିତ୍ରଚିତ୍ରଣରେ ଲେଖକଙ୍କର କଳ୍ପନା ଅଧିକ ବାସ୍ତବତାର ସମ୍ମୁଖୀନ ହୋଇଛି ବୋଲି ମନେହୁଏ । ଫକୀରମୋହନଙ୍କ ପରି ଲେଖକ ଦୁଇଟି ପ୍ରତିନିଧି ଶ୍ରେଣୀର ଚରିତ୍ର ପରିବେଷଣ କରିଛନ୍ତି । ଗୋଟିଏ ଶ୍ରେଣୀ କୁଟିଳ, ସ୍ୱାର୍ଥପର, ଅର୍ଥଲୋଭୀ ଓ ଶୋଷକ; ଅନ୍ୟ ଶ୍ରେଣୀଟି ସହୃଦୟ, ନିସ୍ୱାର୍ଥପର ଅଥଚ ନିର୍ଭୀକ, ଦୁର୍ଦ୍ଦାନ୍ତ, ଶୋଷଣ ଓ ଅନ୍ୟାଚାରର ବଳିଷ୍ଠ ପ୍ରତିବାଦୀ । ଶମ୍ଭୁଜୀଗଣେଶ, ରାଧାଗୋବିନ୍ଦ ଚୌଧୁରୀ, ଗୋବର୍ଦ୍ଧନ ଦାସ ଓ ମାୟାଧରର ଚରିତ୍ର ହେଉଛନ୍ତି ପ୍ରଥମଶ୍ରେଣୀର ଏବଂ ରଘୁନାଥ ଓ ତା’ର ସହକର୍ମୀ ଡୁମନ୍‍ସର୍ଦ୍ଦାର, ହନୁମାନ ଦାସ, ଦାସ ଖାଡ଼ଙ୍ଗା ଓ କୁଜଙ୍ଗ ରାଜାଙ୍କର ଚରିତ୍ର ହେଉଛି ଦ୍ୱିତୀୟ ଶ୍ରେଣୀର ।

ଶମ୍ଭୁଜୀ ଗଣେଶ ହେଉଛି ଜଣେ ପ୍ରଜାକଣ୍ଟକ ମରହଟ୍ଟା ସୁବାଦାର । ପ୍ରଜାଙ୍କର ଅଭିଯୋଗ ଶ୍ରବଣ ପରିବର୍ତ୍ତେ ସେମାନଙ୍କ ଭେଟି ପ୍ରତି ଆକୃଷ୍ଟ ହୁଏ । ତା’ର ଲୋଲୁପଦୃଷ୍ଟି । ଦୁର୍ଭିକ୍ଷ ସମୟରେ ତୋଷାମୋଦକାରୀ ଚୌଧୁରୀର ରିପୋର୍ଟର ରାଜ୍ୟର ପ୍ରାଚୁର୍ଯ୍ୟର ସଙ୍କେତରେ, ତା’ର ଆନନ୍ଦ ଏବଂ ଦୁର୍ଭିକ୍ଷପରେ ରାଜସ୍ୱ ବୃଦ୍ଧିର ସ୍ୱପ୍ନରେ ତା’ର ହୃଦୟହୀନତା ଓ ଶୋଷଣ ପ୍ରବୃତ୍ତି ସ୍ପଷ୍ଟ ହୋଇ ଉଠିଛି । କୁଜଙ୍ଗ ଭୂୟାଁଙ୍କର ଡକାୟତି ସମ୍ୱାଦ ଶ୍ରବଣରେ ତା’ର ରକ୍ତପିପାସା ତୀବ୍ରତର ହୋଇଛି । କ୍ରୁଦ୍ଧ ଅବସ୍ଥାରେ ନିର୍ଦ୍ଦୋଷ ଦାସଖାଡ଼ଙ୍ଗା ପ୍ରତି ଦେଇଛି ଶୂଳୀର ଆଦେଶ; କିନ୍ତୁ ଶେଷରେ କ୍ରୁଦ୍ଧ କଟକବାସୀ ତା’ର ବାସଭବନରେ ଅଗ୍ନିସଂଯୋଗ କରି ତା’ର ଅତ୍ୟାଚାରର ନାଟକୀୟ ଅବସାନ ଘଟାଇଛନ୍ତି ।

ରାଧାଗୋବିନ୍ଦ ଚୌଧୁରୀ ଓ ଗୋବର୍ଦ୍ଧନ ଦାସ ଯେପରି ଧନୀ, ସେହିପରି କୃପଣ, ଶୋଷକ ଓ ବିଶ୍ୱାସଘାତକ । ଧନ ଓ ସ୍ୱାର୍ଥ ପାଇଁ ଏମାନେ ମାନବିକତାକୁ ତିଳ ତିଳ କରି ହତ୍ୟା କରିଛନ୍ତି । ଶୋଚନୀୟ ଭାବରେ ଉଭୟଙ୍କର ମୃତ୍ୟୁରେ ହିଁ ସେମାନଙ୍କର ପରିଣତି ଘଟିଛି । ସେହିପରି କୁଟିଳ ସ୍ୱାର୍ଥପର, ବିଶ୍ୱାସଘାତକ, କାମୁକ ମାୟାଧରର ପରିଣତି ଘଟିଛି ତା’ର ମୃତ୍ୟୁରେ-

ଡୁମନ୍‍ସର୍ଦ୍ଦାର ଚରିତ୍ର ଶୋଷକ ମରହଟ୍ଟା କର୍ମଚାରୀ ଚରିତ୍ରର ଏକ ବିସ୍ମୟକର ବ୍ୟତିକ୍ରମ । ସେ ଯେପରି ନ୍ୟାୟପରାୟଣ, ସେହିପରି ସମ୍ୱେଦନଶୀଳ । ଦୁର୍ଭିକ୍ଷ ସମୟରେ ଦେଶବାସୀଙ୍କ ପ୍ରତି ତା’ର କର୍ତ୍ତବ୍ୟବୋଧ ଓ ମାନବିକତାରେ ତା’ର ଚରିତ୍ରର ମହତ୍ୱ ସ୍ପଷ୍ଟ ହୋଇ ଉଠିଛି ।

ବିବାସିନୀର ଚରିତ୍ରସୃଷ୍ଟିକୁ ଲକ୍ଷ୍ୟକଲେ ଜଣାଯିବ ଯେ କି ମୁଖ୍ୟ, କି ଗୌଣ, ପ୍ରତ୍ୟେକ ଚରିତ୍ର ସମ୍ପର୍କରେ ଲେଖକ ଦୀର୍ଘ ବର୍ଣ୍ଣନା ଓ ଟୀକାଟିପ୍‍ପଣି ଦେଇ ଚାଲିଛନ୍ତି, ଏପରି କି ଉପନ୍ୟାସର ସଂଘର୍ଷ ସହିତ ଆଦୌ ସମ୍ପର୍କ ନଥିବା ଚରିତ୍ରର ବିଶଦ ବିବରଣୀ ଦେବାର ଲୋଭ ଛାଡ଼ିପାରି ନାହାନ୍ତି । କାହାଣୀ ତୁଳନାରେ ଚରିତ୍ର ଓ ପରିବେଶର ବହୁଳତା ପାଠକ ଚିତ୍ତରେ ଆନନ୍ଦ ଦେଇପାରେନା । ତେଣୁ କାହାଣୀ, ଚରିତ୍ର ତଥା ପରିବେଶ ମଧ୍ୟରେ ଏକ ସୁଷ୍ଠୁ ଭାରସାମ୍ୟର ଅଭାବ ପାଠକ ଅନୁଭବ କରେ । ଡକାୟତି ପାଇଁ ଯେଉଁ ରୋମାଞ୍ଚକର ବିଭୀଷିକାପୂର୍ଣ୍ଣ ପରିବେଶ ବା ପରିସ୍ଥିତିର କଳ୍ପନା କରାଯାଇଛି, ତା’ ତୁଳନାରେ ଚରିତ୍ରଗୁଡ଼ିକର କ୍ରିୟାକଳାପ ଗୌଣ ହୋଇଥିଲା ପରି ମନେହୁଏ । ଏହା ନ ହୋଇଥିଲେ ଔପନ୍ୟାସିକ ପ୍ରତ୍ୟେକ ଚରିତ୍ର ସମ୍ପର୍କରେ ଅତି ଦୀର୍ଘ ନୀରସ ବର୍ଣ୍ଣନା ଦେଇ ନ ଥାନ୍ତେ । ତେଣୁ ପରିସ୍ଥିତି ପ୍ରତି ଚରିତ୍ରଗୁଡ଼ିକର କ୍ରିୟାପ୍ରତିକ୍ରିୟାରେ ସେଗୁଡ଼ିକର ବିକାଶର ଯେଉଁ ନିଶ୍ଚିତ ସମ୍ଭାବନା ଥାଏ, ତା’ର ଅଭାବ ବିବାସିନୀରେ ଅନୁଭୂତ ହୁଏ-। ଫଳରେ ବିବାସିନୀ ଉପନ୍ୟାସର ଆଖ୍ୟାନ ବସ୍ତୁର ଗତି ଶିଥିଳ ତଥା ପାଠକମାନଙ୍କ ପକ୍ଷରେ ଧୈର୍ଯ୍ୟସାପେକ୍ଷ ହୋଇପଡ଼ିଛି ।

 

ମିଳନ ଓ ବିଚ୍ଛେଦର ମିଶ୍ରରାଗରେ ଉପନ୍ୟାସର ପରିସମାପ୍ତି ଘଟିଛି । ତେବେ ପରିଣତିଟି ମିଳନାତ୍ମକ ହେଲେ ମଧ୍ୟ ପାଠକ ଉପନ୍ୟାସଟିରେ ଆମୂଳଚୂଳ କାରୁଣ୍ୟର ସ୍ପର୍ଶଲାଭ କରନ୍ତି । ପ୍ରସଙ୍ଗୋଚିତ ଭାବରେ ଉପନ୍ୟାସଟିରେ ଅଭୁତ, ବୀଭତ୍ସ, ପ୍ରେମ, ହାସ୍ୟ, ଶାନ୍ତ ଓ ବ୍ୟଙ୍ଗରସର ବ୍ୟଞ୍ଜନା ଇତସ୍ତତଃ ରହିଛି ।

 

ମରହଟ୍ଟା ସୁବାଦାର ଶିବରାମ ଭଟ୍ଟ ଓ ଶମ୍ଭୁଜୀ ଭୋଁସ୍ମାଙ୍କ ସମୟରେ ଓଡ଼ିଶାରେ ଯେପରି ଅପଶାସନ ଚାଲିଥିଲା, ଲୋକମାନେ ମରହଟ୍ଟା ଓ ଦେଶୀୟ କର୍ମଚାରୀଙ୍କ ଦ୍ୱାରା ଶୋଷିତ ହେବା ସଙ୍ଗେ ସଙ୍ଗେ ନ୍ୟାୟବିଚାରରୁ ବଞ୍ଚିତ ହୋଇ ଯେପରି ଆତଙ୍କ ଓ ନୈରାଶ୍ୟରେ କାଳଯାପନ କରୁଥିଲେ, ସେଇ କାଳର ଚିତ୍ର ଔପନ୍ୟାସିକ ଉପନ୍ୟାସର ବିଭିନ୍ନ ସ୍ଥଳରେ ଅତି ବିଶଦ ଭାବରେ ଅଙ୍କନ କରିଛନ୍ତି । ଶୋଷଣ ଓ ଅତ୍ୟାଚାରର ପ୍ରତିକ୍ରିୟା ସ୍ୱରୂପ ଯେଉଁ ଚୋରି ଡକାୟତି ବଢ଼ିଚାଲିଥିଲା, ଲୋକମାନଙ୍କର ଆତଙ୍କ ବର୍ଣ୍ଣନାରେ ଔପନ୍ୟାସିକ ତାହା ସ୍ପଷ୍ଟ ସୂଚିତ କରିଛନ୍ତି । ଏ ପ୍ରକାର ଆତଙ୍କଗ୍ରସ୍ତ ଅନିଶ୍ଚିତ ବାତାବରଣ ମଧ୍ୟରେ ପ୍ରଳୟଙ୍କରୀ ଦୁର୍ଭିକ୍ଷ ପୁଣି ଶାସକ ତଥା ତାଙ୍କର ପଦଲେହୀମାନଙ୍କର ସଂବେଦନାଶୂନ୍ୟ ରୂଢ଼ ନିଷ୍ଠୁର ମତିଗତିର ପ୍ରତିକ୍ରିୟା ସ୍ୱରୂପ ଆମେ ଲକ୍ଷ୍ୟ କରୁଁ କୁଜଙ୍ଗର ଲୋକହିତୈଷୀ ଡକାୟତମାନଙ୍କର ଜାଗରଣ ।

 

କୁଜଙ୍ଗ ଭୂୟାଁମାନଙ୍କର ଗତିବିଧି, ଚାଲିଚଳନ, ନୌକାଚାଳନାରେ ସେମାନଙ୍କର ଦକ୍ଷତା, ଅଭୀଷ୍ଟସିଦ୍ଧି ସମ୍ପର୍କରେ ସେମାନଙ୍କର ଦୃଢ଼ସଙ୍କଳ୍ପ ଏବଂ ସେମାନଙ୍କ ନାମ ଶ୍ରବଣରେ ଲୋକମାନଙ୍କର ଆତଙ୍କ ବର୍ଣ୍ଣନାରେ ଲେଖକ ସେମାନଙ୍କର ଜାତିଗତ ଚରିତ୍ରର ଏକ ମଞ୍ଜୁଳ ଆଲେଖ୍ୟ ଦେଇଛନ୍ତି । ଯେଉଁ ପରିବେଶ ମଧ୍ୟରେ ଲେଖକ ସେମାନଙ୍କର କ୍ରିୟାକଳାପର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ଦେଇଛନ୍ତି, ସେଇ ପରିବେଶ ଯେପରି ରୋମାଞ୍ଚକର, ସେହିପରି ବିଭୀଷିକାପୂର୍ଣ୍ଣ । ଡକାୟତମାନଙ୍କର ଗତିବିଧି, କଥାବାର୍ତ୍ତା, ଚାଲିଚଳନ ଓ ନୌକାଯାତ୍ରା; ପୌଷ ପୂର୍ଣ୍ଣିମାରାତିରେ ସେମାନଙ୍କର ମନ୍ତ୍ରଣାସ୍ଥାନ ନନ୍ଦିକେଶ୍ୱରୀପୀଠ, ବୁଢ଼ାଲିଙ୍ଗ, ଭାଣ୍ଡେଶ୍ୱର, ଜଟିଆକୁଦ ଓ ନବଗ୍ରାମ ପ୍ରଭୃତି ସେମାନଙ୍କର ବିଭୀଷିକାପୂର୍ଣ୍ଣ କ୍ରିୟାକଳାପର ସ୍ଥାନଗୁଡ଼ିକର ବିଶଦ ବର୍ଣ୍ଣନାରେ ପରିବେଶର ଚିତ୍ର ଯେପରି ପ୍ରାଞ୍ଜଳ, ସେହିପରି ବିତ୍ତଗ୍ରାହୀ ହୋଇଛି । ଏଇ ପରିବେଶ ଚିତ୍ରରେ ଲେଖକ ବଙ୍କିମଚନ୍ଦ୍ରଙ୍କର ‘ଆନନ୍ଦମଠ’ ଓ ‘କପାଳକୁଣ୍ଡଳୀ’ ଉପନ୍ୟାସର ପରିବେଶ ବର୍ଣ୍ଣନା ଦ୍ୱାରା କିପରି ପ୍ରଭାବିତ ହୋଇଛନ୍ତି, ତା’ର ସୂଚନା ପୂର୍ବରୁ ଦିଆଯାଇଛି । ପରିବେଶ ଭାବରେ ପ୍ରାକୃତିକ (ପୌଷପୂର୍ଣ୍ଣିମା, ନିଶି, ମହାନଦୀ, କାଠଯୋଡ଼ୀ, ଚିତ୍ରୋତ୍ପଳା, କାଇଜଙ୍ଗ, ଜଟିଆକୁଦ, ମହାନଦୀ ଓ ପଲ୍ଲୀ-ନିଶିର ଗଭୀରତା) ବର୍ଣ୍ଣନା କାବ୍ୟଧର୍ମୀ ହେଲେ ମଧ୍ୟ ଉପଭୋଗ୍ୟ ହୋଇଛି ।

 

ଭୂୟାଁମାନଙ୍କର ମନ୍ତ୍ରଣା ଓ କ୍ରିୟାକଳାପର ସ୍ଥାନଗୁଡ଼ିକର ବର୍ଣ୍ଣନାରେ ଲେଖକ ନନ୍ଦିକେଶ୍ୱରୀପୀଠ ଠାରୁ ପାରାଦୀପ ପର୍ଯ୍ୟନ୍ତ ସେ ସମୟରେ ମହାନଦୀ ଗର୍ଭସ୍ଥ ତଥା ତୀରସ୍ଥ ପ୍ରାକୃତିକ ଦୃଶ୍ୟ, ନୌବାଣିଜ୍ୟ ଏବଂ କୁଜଙ୍ଗରାଜାଙ୍କର ସମୃଦ୍ଧି, ବିଳାସ, ରାଜ୍ୟଶାସନ ଓ ଦରବାର ଚଳଣିର (ଉପାଧି ଦାନରୀତି) ଟିକ୍‍ନିଖି ବର୍ଣ୍ଣନା ଦେଇଛନ୍ତି ।

 

ରାଜାମାନଙ୍କର ନବର ପ୍ରମଦାଗହଣରେ କିପରି ସମ୍ଭୋଗ ଓ ବିଳାସର ଏକ ଆଳସ୍ୟମୟ ପୃଥିବୀ ଥିଲା, ପୁଣି ଭୋଗବିଳାସର ପରିଣତି ସ୍ୱରୂପ କୁଜଙ୍ଗ କିପରି ଦେଣାଦାରମାନଙ୍କଦ୍ୱାରା ନିଲାମ ହୋଇ ଯାଇଥିଲା, ତା’ର ଏକ ବିଶଦ ଚିତ୍ର ରହିଛି ବିବାସିନୀରେ-

 

ନବଗ୍ରାମର ରାଧାଗୋବିନ୍ଦ ଚୌଧୁରୀ ଓ ଗୋବର୍ଦ୍ଧନ ଦାସ ପ୍ରଭୃତି କୃପଣ, ଶୋଷକ ତଥା ନିଷ୍ଠୁର ବ୍ୟକ୍ତିମାନଙ୍କର ହୀନ ପାରିବାରିକ ଜୀବନ ଓ ଐଶ୍ଚର୍ଯ୍ୟଲାଳସା ବର୍ଣ୍ଣନାରେ ଲେଖକ ସେଇ ଚରିତ୍ରଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି । କଳାବତୀ ଓ ରସକଳା ଚରିତ୍ର ମାଧ୍ୟମରେ ଲେଖକ ସେତେବେଳକାର ଧନିକ କନ୍ୟାମାନଙ୍କର ଶିକ୍ଷା, ଦୀକ୍ଷା ଓ ଚାଲିଚଳନର ଚିତ୍ର ଦେବା ସଙ୍ଗେ ସଙ୍ଗେ ସମସ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଲୋକମାନଙ୍କର ଧର୍ମବିଶ୍ୱାସ ଏବଂ ନାରୀର ସ୍ୱଭାବସୁନ୍ଦର ଲଜ୍ଜାଶୀଳତା ତଥା ପାତିବ୍ରତ୍ୟର ଚିତ୍ର ଦେଇଛନ୍ତି ହନୁମାନ ଦାସ ଓ କଳାବତୀର ଆଚରଣ ତଥା ଭକ୍ତି ମଧ୍ୟରେ । ସେ ସମୟର ଲୋକମାନଙ୍କର ସ୍ୱାସ୍ଥ୍ୟ, ଚଳଣି, ଚରିତ୍ରନିଷ୍ଠା ଓ ଧର୍ମବିଶ୍ୱାସ ସହିତ ବର୍ତ୍ତମାନର ଲୋକଚରିତ୍ରକୁ ତୁଳନା କରିବାକୁ ଯାଇ ଲେଖକ ନିଜର ଆକ୍ଷେପୋକ୍ତି ପ୍ରକାଶ କରିଛନ୍ତି । ବଟେଶ୍ୱରୀ, ଶାରଳାଈ, ଭାଣ୍ଡେଶ୍ୱର ଓ ଜଟିଆକୁଦ ବର୍ଣ୍ଣନାରେ ଲୋକଙ୍କର ଅହେତୁକୀ ଧର୍ମବିଶ୍ୱାସର ସୂଚନା ଦେବା ସଙ୍ଗେ ସଙ୍ଗେ ଜଟିଆକୁଦରେ ଗ୍ରାମବାସୀମାନଙ୍କର ବର୍ଣ୍ଣନିର୍ବିଶେଷରେ ପଙ୍‍କ୍ତି ଭୋଜନର ବର୍ଣ୍ଣନାରେ ଲେଖକ ନିଜର ସଂସ୍କାରମୁଖୀ ମନର ପରିଚୟ ଦେଇଛନ୍ତି ।

 

ସାମାଜିକ ଓ ବସ୍ତୁଗତ ସଂସ୍ଥାନର ବର୍ଣ୍ଣନା ଚରିତ୍ରମାନଙ୍କର କ୍ରିୟାକଳାପର ଅନୁରୂପ ହେଲେ ମଧ୍ୟ ଅନେକତ୍ର ଏହା ଦୀର୍ଘ ଓ ଅବାନ୍ତର ହୋଇଥିବାରୁ ପାଠକମାନଙ୍କ ଧୈର୍ଯ୍ୟଚ୍ୟୁତି ଘଟିବା ସ୍ୱାଭାବିକ ।

 

ଲେଖକ ଯେଉଁ ସମୟରେ ଏ ଉପନ୍ୟାସଟି ରଚନା କରିଛନ୍ତି, ସେ ସମୟଟି ଓଡ଼ିଶା ପକ୍ଷରେ ଏକ ଘଡ଼ିସନ୍ଧିକାଳ । ପାଶ୍ଚାତ୍ୟର ଶିକ୍ଷା, ସଭ୍ୟତା, ଶାସନ ଓ ଚଳଣି ସଂସ୍ପର୍ଶରେ ଆସିବାଦ୍ୱାରା ଚିରାଚରିତ ଜୀବନ ପ୍ରଣାଳୀରେ କିପରି ପରିବର୍ତ୍ତନ ଦେଖାଦେଇଛି ଏବଂ ଅତୀତର ଚଳଣି ଓ ଆଦର୍ଶ ସହିତ କିପରି ସଂଘର୍ଷ ଗଢ଼ିଉଠିଛି, ତା’ର ପ୍ରତିଫଳନ ରହିଛି ଏହି ଉପନ୍ୟାସରେ-। ଅତୀତ ଓ ବର୍ତ୍ତମାନର ଜୀବନଯାପନ ପ୍ରଣାଳୀର ସୁ ଓ କୁ ସମ୍ପର୍କରେ ସଚେତନ ରହି ନୈତିକତା ଓ ଆଦର୍ଶର ଭିତ୍ତିରେ ଲେଖକ ଜୀବନର ଏକ ମଧ୍ୟମ ପନ୍ଥାର ନିର୍ଦ୍ଦେଶ ଦେଇଛନ୍ତି-

 

ଇଂରେଜ ଶାସନକାଳରେ ସମାଜ, ଶିକ୍ଷା, ସଂସ୍କୃତି, ସାହିତ୍ୟ ଓ ଜୀବନଯାପନ କ୍ଷେତ୍ରରେ ଯେଉଁ ନୈତିକ ଅସ୍ୱସ୍ତି, ଜାତୀୟ ଦୈନ୍ୟ, ରୁଚିହୀନତା ଏବଂ ଜୀବନର ସଂଯମ, ଆଦର୍ଶବୋଧ ଓ ଆଧ୍ୟାତ୍ମିକତାର ଶିଥିଳତା ଦେଖାଦେଇଛି, ଲେଖକ ସମୀକ୍ଷକ ଭାବରେ ଉପନ୍ୟାସର ବିଭିନ୍ନ କ୍ଷେତ୍ରରେ ତା’ର ସଙ୍କେତ ଦେଇଛନ୍ତି । ପକ୍ଷାନ୍ତରରେ ଅତୀତର ଚଳଣି ନାମରେ ଯେ କୌଣସି ପ୍ରଥା ଓ ଚଳଣିକୁ ସେ ମାନିନେଇ ନାହାନ୍ତି । ସ୍ଥୂଳତଃ ଜାତିର ଏଇ ଘଡ଼ିସନ୍ଧି କାଳରେ ପାଠକଚିତ୍ତରେ ଜାତୀୟମର୍ଯ୍ୟାଦା, ଦେଶପ୍ରୀତି, ନୈତିକ ତଥା ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ହେଉଛି ଔପନ୍ୟାସିକଙ୍କର ଲକ୍ଷ୍ୟ; କିନ୍ତୁ ଲେଖକ ନିଜର ଲକ୍ଷ୍ୟ ସମ୍ପର୍କରେ ଏତେଦୂର ସଚେତନ ହୋଇ ପଡ଼ିଛନ୍ତି ଯେ ବିଭିନ୍ନ ଚରିତ୍ର ମାଧ୍ୟମରେ ଜୀବନର ଲକ୍ଷ୍ୟ ତଥା ଆଦର୍ଶ ସମ୍ପର୍କରେ ଦୀର୍ଘ ନୀରସ ଦାର୍ଶନିକ ସମୀକ୍ଷା କରି ଚାଲି ନିଜକୁ ଜଣେ ଉପଦେଷ୍ଟାର ଆସନରେ ଉପସ୍ଥାପିତ କରିଛନ୍ତି । ଏହାଦ୍ୱାରା ଲେଖକଙ୍କର ଦାର୍ଶନିକ ବ୍ୟକ୍ତିତ୍ୱ ସ୍ପଷ୍ଟହୋଇ ଉଠିଥିଲେ ମଧ୍ୟ ବିଭିନ୍ନ ଚରିତ୍ର ମାଧ୍ୟମରେ ଓ ସମୀକ୍ଷକ ଭାବରେ ତାଙ୍କର ଏ ଆତ୍ମପ୍ରକାଶ ଆଙ୍ଗିକ ସୌଷ୍ଠବର ବାଧକ ହୋଇ ପଡ଼ିଛି । ପାଶ୍ଚାତ୍ୟ ସଭ୍ୟତାର ସଂକ୍ରମଣ ଫଳରେ ଅତୀତର ମାତୃଶକ୍ତି ଓ ସେବାର ଆଦର୍ଶ ସ୍ଥାନରେ କିପରି ପତ୍ନୀସେବା ମୁଖ୍ୟ ହୋଇଛି, ଅତୀତର ନାରୀମାନଙ୍କର କର୍ମନିପୁଣତା ସ୍ଥାନରେ ବର୍ତ୍ତମାନର ତଥାକଥିତ ଶିକ୍ଷିତା ନାରୀମାନଙ୍କର କର୍ମକୁଣ୍ଠିତା, ପରିଶ୍ରମ ସ୍ଥଳରେ ଆଳସ୍ୟ ଓ ସରଳତା ସ୍ଥାନରେ ଜଟିଳତା କିପରି ଜାତୀୟ-ଜୀବନରେ ଦେଖାଦେଇଛି, ଉପନ୍ୟାସର ବିଭିନ୍ନ ସ୍ଥଳରେ ଲେଖକଙ୍କର ଆକ୍ଷେପୋକ୍ତବ୍ୟଞ୍ଜକ ତୁଳନାତ୍ମକ ଚିତ୍ର ଅନୁଧ୍ୟାନ କଲେ ଜଣାଯିବ; ପୁଣି ଅତୀତର ବୃଦ୍ଧମାନଙ୍କର ତରୁଣୀ ବିବାହ, ଅସ୍ପୃଶ୍ୟତା, ରାଜାମାନଙ୍କର ସମ୍ଭୋଗ ତଥା ବିଳାସ କଳୁଷିତ କୃତ୍ରିମ କୀଚନ ବିରୁଦ୍ଧରେ ଲେଖକଙ୍କର ଆକ୍ଷେପୋକ୍ତିରେ ତାଙ୍କର ସଂସ୍କାର ମନୋବୃତ୍ତି ଅତି ସ୍ପଷ୍ଟ ହୋଇ ଉଠିଛି ।

 

ଚୌଧୁରୀ ଓ ବାହାରର ଶୋଷଣ ତଥା ଅତ୍ୟାଚାର ବିରୁଦ୍ଧରେ ଦାସ ଖାଡ଼ଙ୍ଗ, ଡୁମନ ସର୍ଦ୍ଦାର ପ୍ରଭୃତିଙ୍କ ପ୍ରତିକ୍ରିୟା ଦୁର୍ଭିକ୍ଷ ସମୟରେ ଦେଶହିତୈଷୀ ଡକାୟତମାନଙ୍କର ଦେଶସେବା, ପୁଣି ଅପହୃତା ରସକଳା ଓ କଳାବତୀ ପ୍ରତି ବାତ୍ସଲ୍ୟ ତଥା ସ୍ନେହର ଚିତ୍ରରେ ଲେଖକଙ୍କର ଉନ୍ନତ ଜୀବନବୋଧ ତଥା ମାନବିକତାର ଆବେଦନ ବାସ୍ତବିକ ଚିତ୍ତଗ୍ରାହୀ ହୋଇଛି । ଡକାୟତ ସର୍ଦ୍ଦାର ରଘୁନାଥର ପ୍ରେମାକର୍ଷଣରେ ଲେଖକଙ୍କର ରୋମାଣ୍ଟିକ୍‍ ମନୋବୃତ୍ତି ସଂଯମର ସ୍ପର୍ଶରେ ମଧୁମୟ ହୋଇ ଉଠିଛି; କିନ୍ତୁ ବିଧବା ଯୁବତୀର ବିବାହ ସମ୍ପର୍କରେ ଲେଖକ ରଘୁନାଥ ଚରିତ୍ରରେ ସଂସାରର ଯେଉଁ ନିର୍ଦ୍ଦେଶ ଦେବାକୁ ଯାଇଛନ୍ତି, ତାହା ଅତୀତର ମନୁପରାଶର ପ୍ରବର୍ତ୍ତିତ ସ୍ୱାର୍ତ୍ତ-ସଂସ୍କାରରେ ମଳିନ ହୋଇ ଯାଇଛି । ତେଣୁ ଏ କ୍ଷେତ୍ରରେ ଲେଖକଙ୍କର ଆତ୍ମ-ବିରୋଧ ସ୍ପଷ୍ଟ ହୋଇ ଉଠିଛି ।

 

ସ୍ଥୂଳତଃ ନୈତିକତା, ସଂଯମ ଓ ମାନବିକତାର ଭିତ୍ତିରେ ଏକ କର୍ମପ୍ରବଣ ଆଦର୍ଶ ଆଧ୍ୟାତ୍ମିକ ଜୀବନ ହେଉଛି ତାଙ୍କର ଜୀବନଦର୍ଶନର ଆଭିମୁଖ୍ୟ ।

 

ରୋମାଞ୍ଚକର ପରିବେଶ, ନାଟକୀୟ ପ୍ରଚ୍ଛନ୍ନତା, ସଂଘର୍ଷ, ଉତ୍ତେଜନା ଓ ଉତ୍କଣ୍ଠାର ସମାବେଶରେ ବିବାସିନୀର କାହାଣୀ ଅବଶ୍ୟ ଚିତ୍ତାକର୍ଷକ ହୋଇଛି; କିନ୍ତୁ ଘଟଣା, ପରିବେଶ, ସ୍ଥାନ ଓ ଚରିତ୍ରର ପ୍ରାଚୁର୍ଯ୍ୟ ତଥା ଦୀର୍ଘ ବର୍ଣ୍ଣନା ଫଳରେ କାହାଣୀର ସ୍ୱଚ୍ଛନ୍ଦଗତି ମନ୍ଥର ହୋଇ ପଡ଼ିଛି । ଭିକଟୋରିଆ ଯୁଗର ଔପନ୍ୟାସିକ ସ୍କଟ୍‍ ଡିକେନ୍‍ସ ଓ ବଙ୍ଗୀୟ ଔପନ୍ୟାସିକ ବଙ୍କିମଚନ୍ଦ୍ରଙ୍କ ପରି ମୁଖ୍ୟ ତଥା ଗୌଣ ଚରିତ୍ର, ଘଟଣା, ଓ ପରିବେଶର ଟିକିନିଖି ଦୀର୍ଘ ବର୍ଣ୍ଣନା ଦେଇଛନ୍ତି । ରୋମାଞ୍ଚକର ପରିବେଶ ମଧ୍ୟରେ ଏକ ପକ୍ଷରେ ନବଗ୍ରାମର ଚୌଧୁରୀ; ମରହଟ୍ଟା ସୁବାଦାର ଏବଂ ଅନ୍ୟ ପକ୍ଷରେ ଡକାୟତ ଦଳ, ଡୁମନ ସର୍ଦ୍ଦାର ଓ ଦାସ ଖାଡ଼ଙ୍ଗାଙ୍କ ମଧ୍ୟରେ ସଂଘର୍ଷର ପରିକଳ୍ପନା ତଥା ବର୍ଣ୍ଣନାରେ ଲେଖକ ଅନେକତ୍ର ନାଟକୀୟ କୌତୂହଳ ଓ ଉତ୍କଣ୍ଠାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି; କିନ୍ତୁ ପ୍ରସଙ୍ଗ-ସଜ୍ଜୀକରଣଜନିତ ତ୍ରୁଟି ଓ ଦୀର୍ଘ ବିଳମ୍ୱିତ ବର୍ଣ୍ଣନା ହେତୁ ଅନେକତ୍ର ନାଟକୀୟ ଉତ୍ତେଜନା ଉପଭୋଗ୍ୟ ହୋଇପାରିନାହିଁ ।

 

କଥାବସ୍ତୁର ପରିବେଷଣ ଓ ଘଟଣା ସମାବେଶରେ ନିପୁଣତାର ଅଭାବ ବିବାସିନୀରେ ଅନୁଭୂତ ହୁଏ । ବର୍ଣ୍ଣନାରେ ଅନେକତ୍ର ସ୍ୱାଚ୍ଛନ୍ଦ୍ୟ ଓ ପ୍ରାଣବତ୍ତାର ଅଭାବ ରହିଛି । ଚରିତ୍ରଗୁଡ଼ିକରେ କ୍ରିୟାକଳାପର ପରିବେଶ ଓ ପରିସ୍ଥିତି ବର୍ଣ୍ଣନା ଅନୁରୂପ ହେଲେ ସେଗୁଡ଼ିକ ଅତି ଦୀର୍ଘ ଓ ପାଠକମାନଙ୍କ ପକ୍ଷରେ ଧୈର୍ଯ୍ୟସାପେକ୍ଷ ହୋଇପଡ଼ିଛି ।

 

କଥାବସ୍ତୁ ନିର୍ବାଚନ ଓ ପରିବେଶ ପରିକଳ୍ପନାରେ ଲେଖକଙ୍କର କୁଶଳତା ଥିଲେ ମଧ୍ୟ ବର୍ଣ୍ଣନା ବା ପରିବେଷଣରେ ସାଙ୍କେତିକତା ବା ବ୍ୟଞ୍ଜନର ଅଭାବ ପରିଲକ୍ଷିତ ହୁଏ । ଉପନ୍ୟାସଟିରେ ଲେଖକ ବିଶ୍ଳେଷଣାତ୍ମକ ନାଟକୀୟ ଓ ପତ୍ରଲିଖନ ଏହି ତ୍ରିବିଧ ରୀତିର ବ୍ୟବହାର କରିଥିଲେ ମଧ୍ୟ ବିଶ୍ଳେଷଣାତ୍ମକ ରୀତିଟି ହେଉଛି ମୁଖ୍ୟ । କିନ୍ତୁ ସମାସାନ୍ତ ପଦପୂର୍ଣ୍ଣ ଦୀର୍ଘ ବାକ୍ୟ, ଗାମ୍ଭୀର୍ଯ୍ୟପୂର୍ଣ୍ଣ ସାହିତ୍ୟିକ ଭାଷା, ଦାର୍ଶନିକ ଦୃଷ୍ଟଭଙ୍ଗୀ ଓ ପାଠକ ସଚେତନତା ହେତୁ ତାଙ୍କର ବିଶ୍ଳେଷଣାତ୍ମକ ରୀତି ଅତି ନୀରସ ହୋଇପଡ଼ିଛି । ନାଟକୀୟ ଶୈଳୀର ବ୍ୟବହାର ଥିଲେ ମଧ୍ୟ ସଂଳାପରେ ନାଟକୀୟ ଉତ୍ତେଜନା ଏବଂ ଚରିତ୍ରାନୁରୂପ ଭାଷାର ଅଭାବ ପରିଲକ୍ଷିତ ହୁଏ । ଭାଷା, ପ୍ରକାଶଭଙ୍ଗୀ, ଭାବକଳ୍ପ ଓ ଚିତ୍ରକଳ୍ପରେ ସେଇ ମଧ୍ୟଯୁଗୀୟ ଆଦର୍ଶ ପାଠକମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟାଏ । ବଙ୍କିମଚନ୍ଦ୍ରଙ୍କ ଭାଷାରେ ବିଦ୍ୟାସାଗରୀୟ ରୀତି ତାଙ୍କର ପ୍ରତିଭାରେ ଯେପରି ଉପଭୋଗ୍ୟ ହୋଇଛି, ରାମଶଙ୍କରଙ୍କ ପକ୍ଷରେ ତାହା ହୋଇପାରେ ନାହିଁ ।

 

କିନ୍ତୁ ଉପନ୍ୟାସଟିର ଏ ସମସ୍ତ ଆଙ୍ଗିକ ତ୍ରୁଟି ସର୍ତ୍ତ୍ୱେ ଓଡ଼ିଆ ଉପନ୍ୟାସ ସାହିତ୍ୟର ପ୍ରାକ୍‍କାଳରେ ‘ପଦ୍ମାମାଳୀ’ର ପ୍ରକାଶନ ପରେ ପରେ ରାମଶଙ୍କରର ଏ ପଦକ୍ଷେପ ଯେ ଭାବୀ ଆଶା ଓ ବିପୁଳ ସମ୍ଭାବନାର ପଥ ଉନ୍ମୁକ୍ତ କରିଛି, ବ୍ୟାସକବି ଫକୀରମୋହନ ଓ ଗୋପାଳ ବଲ୍ଲଭ (ଭୀମା ଭୂୟାଁ) ପ୍ରଭୃତିଙ୍କର ଉପନ୍ୟାସଗୁଡ଼ିକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହେବ । କଥାବସ୍ତୁ ପରିକଳ୍ପନା, ଚରିତ୍ରଚିତ୍ରଣ, ବର୍ଣ୍ଣନା ଓ ରଚନାଶୈଳୀ ଦୃଷ୍ଟିରୁ ‘ବିବାସିନୀ’ ଉପନ୍ୟାସ ‘ପଦ୍ମମାଳୀ’ ଅପେକ୍ଷା ଯେ ଅଧିକ ଉନ୍ନତ, ଏଥିରେ ସନ୍ଦେହ ନାହିଁ । ପରବର୍ତ୍ତୀ ସମଧର୍ମା ଉପନ୍ୟାସରେ ‘ଭୀମା ଭୂୟାଁ’ । କଥାବସ୍ତୁ ନିର୍ବାଚନରେ ବୈପ୍ଳବିକ ଦୃଷ୍ଟିଭଙ୍ଗୀର ସଙ୍କେତ ମିଳିଲେ ମଧ୍ୟ ଆଙ୍ଗିକ ତଥା ଶିଳ୍ପରୀତି ଦୃଷ୍ଟିରୁ ‘ବିବାସିନୀ’ ପରି ଉନ୍ନତ ହୋଇପାରି ନାହିଁ ।

Image

 

ଭୀମା ଭୂୟାଁ

 

‘ବିବାସିନୀ’ ଉପନ୍ୟାସର ଷୋଳବର୍ଷ ପରେ, ୧୯୦୮ ସାଲରେ ପ୍ରକାଶିତ ହୋଇଛି ‘ଭୀମା ଭୂୟାଁ’ । ଗୋପାଳ ବଲ୍ଲଭ ଗଡ଼ଜାତ ମାହାଲର କମିଶନରଙ୍କ ଦପ୍ତରରେ କାର୍ଯ୍ୟ କରୁଥିବା ସମୟରେ ସାହେବମାନଙ୍କ ସହିତ କାନନଗିରିସଙ୍କୁଳ ଗଡ଼ଜାତର ଅଭ୍ୟନ୍ତରରେ ଭ୍ରମଣ କରିବାର ଅବସର ପାଇଥିଲେ । ଗଡ଼ଜାତର ରମଣୀୟ ପ୍ରାକୃତିକ ଦୃଶ୍ୟ ଓ ପ୍ରକୃତିର ସନ୍ତାନ ଭୂୟାଁମାନଙ୍କର ସମାଜ ଜୀବନଯାପନ ପ୍ରଣାଳୀ, ଏକତା, ସାଧୁତା ଓ ଅତିଥିପରାୟଣତାରେ ମୁଗ୍‍ଧ ହୋଇ ଏହି ଉପନ୍ୟାସଟି ରଚନା କରିଛନ୍ତି । ବ୍ରିଟିଶ ସରକାର ଏହି ଭୂୟାଁ, କନ୍ଧ, କୋହ୍ଲ ଓ ଜୁଆଙ୍ଗ ପ୍ରଭୃତି ଆଦିବାସୀମାନଙ୍କ ମଧ୍ୟରେ ସଭ୍ୟତାର ଆଲୋକ ବିକୀରଣ କରିବାକୁ ପ୍ରାଥମିକ ଉଦ୍ୟମ ଚଳାଇଥିଲେ । ଲେଖକ ଓଡ଼ିଆଜାତି ତଥା ଓଡ଼ିଆ ଭାଷା ପ୍ରତି ଶ୍ରଦ୍ଧା ପ୍ରକାଶ କରୁଥିବା ଉପରିସ୍ଥ ସାହେବ କର୍ମଚାରୀଙ୍କ ପ୍ରେରଣାରେ ଏହି ଉପନ୍ୟାସଟି ରଚନା କରି ଗଡ଼ଜାତ ଭ୍ରମଣରେ ଆସିଥିବା ପ୍ରଥମ ଲେଫ୍‍ଟନାଣ୍ଟ ଗଭର୍ଣ୍ଣର ସାର୍‍ଆଣ୍ଡୃ ହେଣ୍ଡର୍‍ସନ୍‍ ଲିଥ୍‍ ଫ୍ରେଜର୍‍’ଙ୍କ ନାମରେ ଉତ୍ସର୍ଗ କରିଛନ୍ତି । ‘ଭୀମା ଭୂୟାଁ’ର ଇଂରାଜୀ ମୁଖବନ୍ଧରେ ଲେଖକ ଲେଖିଛନ୍ତି—‘‘It is a story for the Uriya knowing people, and it has been written under the inspiration of my noble masters the Honourable George Toynbee and Messrs. George Stevenson and the late Giraud Cooke, Officers who made untiring efforts for the good of the Uriyas and the cultivation of their literary language,”

 

‘ଭୀମା ଭୂୟାଁ’ ରେ ‘ବିବାସିନୀ’ ପରି ଜାଗ୍ରତ ଜନଚେତନାର ଚିତ୍ର ନ ଥିଲେ ମଧ୍ୟ ଜଣେ ରାଜାଙ୍କ ନେତୃତ୍ୱରେ ପ୍ରତିବେଶୀ ରାଜ୍ୟର ଅତ୍ୟାଚାରର ଅବସାନ-ଚିତ୍ର ଅଙ୍କନ କରି କାହାଣୀ ପରିକଳ୍ପନା ଓ ଚରିତ୍ରସୃଷ୍ଟିରେ ଗତାନୁଗତିକ ଅଭିଜାତ ପରମ୍ପରା ବ୍ୟତିକ୍ରମ ଆନୟନ କରିବା ସଙ୍ଗେ ସଙ୍ଗେ ଲେଖକ ସ୍ୱକୀୟ ଅଭିନବ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଛନ୍ତି । ‘ପଦ୍ମମାଳୀ’ ଉପନ୍ୟାସ ପରି ଅବଶ୍ୟ ରୋମାନ୍‍ସ ଏହି ଉପନ୍ୟାସର ପ୍ରାଣକେନ୍ଦ୍ର; କିନ୍ତୁ ଲେଖକ ଆସମ-ସାମାଜିକ ପରିବେଶରୁ ନାୟକନାୟିକା ଗ୍ରହଣ କରି ସେମାନଙ୍କର ଗଭୀର ପ୍ରେମର ଯେଉଁ ମାର୍ମିକ ଚିତ୍ର ଦେଇଛନ୍ତି, ତାହା ତତ୍କାଳୀନ ଅଭିଜାତ ରକ୍ଷଣଶୀଳ ସାମାଜିକ ପରିବେଶ ତଥା ଗତାନୁଗତିକ ପ୍ରଣୟଚେତନା ଦୃଷ୍ଟିରୁ ଏକ ବଳିଷ୍ଠ ସାହସିକ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଏଥିରେ ଆଦିବାସୀ ଜୀବନର ଚିତ୍ର ସଙ୍ଗେ ସଙ୍ଗେ ଅଭିଜାତ ଗୋଷ୍ଠୀର ଚିତ୍ର ରହିଛି । ପୁଣି ଅରାଜକତାଜନିତ ଅତ୍ୟାଚାର ଦମନ ପାଇଁ ଯୁଦ୍ଧ ଏବଂ ମୁଣ୍ଡକାଟ ଓ ଶୂଳୀ ଇତ୍ୟାଦି ଯେଉଁ କଠୋର ଶାସ୍ତିର ସୂଚନା ରହିଛି, ସେଥିରେ ପ୍ରତିକ୍ରିୟାଶୀଳ ମଣିଷ ହୃଦୟର ହିଂସ୍ର ତଥା ନଗ୍ନ ନିଷ୍ଠୁରତା ସ୍ପଷ୍ଟ ହୋଇ ଉଠିଛି । ଉପନ୍ୟାସଟିର ଏହି ଅଂଶରେ ଅବଶ୍ୟ କାହାଣୀର ଆବେଦନ ଅତି ନିମ୍ନଶ୍ରେଣୀର ।

 

ଏହି ଉପନ୍ୟାସର ନାୟକ ‘ଭୀମା’ ହେଉଛି ଏକ ବଳିଷ୍ଠ ଆରଣ୍ୟକ ଭୂୟାଁ ଯୁବକ; ନାୟିକା ହେଉଛି ଜଣେ ରାଜକନ୍ୟା । ଆରଣ୍ୟକ ଭୂୟାଁ ଯୁବକ ଓ ଅନ୍ତଃପୁରବାସିନୀ ସୁଶ୍ରୀ ରାଜଜେମାଙ୍କର ପାରସ୍ପାରିକ ନାଟକୀୟ ପ୍ରଣୟର ଆଲେଖ୍ୟରେ ଲେଖକ ଏକ ବୈପ୍ଳବିକ ରୋମାଣ୍ଟିକ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଛନ୍ତି । ଭୀମା ଭୂୟାଁର କାହାଣୀଟି ହେଉଛି—କେନ୍ଦୁଝରର ଏକ ଅଖ୍ୟାତ ଭୂୟାଁ ପଲ୍ଲୀର ଅଧିବାସୀ ହେଉଛନ୍ତି ସାଧୁ ସରଦାର ଓ ତିଳ ସରଦାର । ସାଧୁର ବଡ଼ ପୁଅ ନାଁ ବାଣାଶ୍ୱର, ସାନପୁଅର ନାଁ ଭୀମା । ତିଳ ସରଦାରର ଏକମାତ୍ର କନ୍ୟା ହେଉଛି ‘ଚିନାମାଳୀ’ । ଚିନାମାଳୀ ଦୁଇ ଭାଇଙ୍କ ପ୍ରତି ଆକୃଷ୍ଟ ହୁଏ, କିନ୍ତୁ ସାଧୁ ଓ ତିଳର ନିଷ୍ପତ୍ତି ଅନୁଯାୟୀ ମାଘପୋଡ଼ା ପର୍ବରେ ବଡ଼ ବାଣାଶୁର ସହିତ ଚିନାମାଳୀର ବିବାହ ହୋଇଯାଏ । ଚିନାମାଳୀକୁ ନ ପାଇ ଭୀମା ମନରେ ଅବଶ୍ୟ ସାମୟିକ ବିଷାଦ ଉପସ୍ଥିତ ହୁଏ । ଇତିମଧ୍ୟରେ ରାଜା ଜଗଦେବଙ୍କର ନିର୍ଦ୍ଦେଶାନୁସାରେ ନଅର ବିଶୋଇ ଚନ୍ଦ୍ରଶେଖର ପଟ୍ଟନାୟକ ସାଧୁ ସରଦାରର ଅନିଚ୍ଛା ସତ୍ତ୍ୱେ ରାମଙ୍କ ଗହଣରେ ରହିବାକୁ ସ୍ୱତଃ ସ୍ୱୀକୃତି ଦାନ କରିଥିବା ଭୀମାକୁ ସାଙ୍ଗରେ ଧରି ରାଜନବରକୁ ଆଣନ୍ତି ଜଗଦେବଙ୍କର ବେବର୍ତ୍ତା ତ୍ରିଲୋଚନ ମହାପାତ୍ରଙ୍କ ଅତ୍ୟାଚାରରେ ରାଜ୍ୟରେ ଅରାଜକତା ଦେଖାଦିଏ । ରାଜ୍ୟର ପ୍ରଜା, ଅନ୍ୟ କର୍ମଚାରୀ ଏବଂ ପ୍ରତିବେଶୀ ରାଜା ହରିଚନ୍ଦନ ମର୍ଦ୍ଦରାଜଙ୍କର ପ୍ରଜାମାନେ ଅପମାନିତ ତଥା ଉତ୍ପୀଡ଼ିତ ହୁଅନ୍ତି । ଫଳରେ ଦୁଇ ରାଜାଙ୍କ ମଧ୍ୟରେ ଯୁଦ୍ଧ ଲାଗିଯାଏ । ଭୀମା କୌଣସି କାରଣରୁ ରାଜାଙ୍କର ଅସନ୍ତୋଷଭାଜନ ହେବାରୁ ପାଟରଙ୍ଗାର ଖେମାର କରଣଙ୍କ ସଙ୍ଗରେ ମର୍ଦ୍ଦରାଜଙ୍କ ରାଜ୍ୟକୁ ପଳାଇ ଆସେ ଏବଂ ଦେବାନ ଓ ରାଜାଙ୍କର ଦୃଷ୍ଟି ଆକର୍ଷଣ କରି ରାଜାଙ୍କ ନିକଟରେ ରହେ । ବିଶୋଇ ଚନ୍ଦ୍ରଶେଖର ପଟ୍ଟନାୟକ ମଧ୍ୟ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ପିଲାକୁଟୁମ୍ୱ ଧରି ମର୍ଦ୍ଦରାଜଙ୍କ ରାଜ୍ୟକୁ ଚାଲିଆସନ୍ତି ।

 

ରାଜା ଜଗଦେବ ଓ ମର୍ଦ୍ଦରାଜଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୁଏ । ଜଗଦେବତାଙ୍କର ବେବର୍ତ୍ତା ତ୍ରିଲୋଚନ ମହାପାତ୍ର ସାଞ୍ଜୁ ପିନ୍ଧି ଯୁଦ୍ଧ କରୁଥିବା ସମୟରେ ଭୀମାର ଅପୂର୍ବ ସାହସ ଓ ରଣକୌଶଳ ନିକଟରେ ପରାସ୍ତ ହୋଇ ବହୁ ସୈନ୍ୟ ସହ ବନ୍ଦୀ ହୁଏ । ଭୀମା ନିଜର ବୀରତ୍ୱ ପାଇଁ ‘ରଣଜିତ ସିଂହ’ ପଦ ଓ ଶାଢ଼ୀ ପାଏ । ମର୍ଦ୍ଦରାଜ ବେବର୍ତ୍ତାକୁ ଶୂଳୀର ଆଦେଶ ଦିଅନ୍ତି ଏବଂ ନିଜର ପ୍ରତ୍ୟେକ ସୈନ୍ୟଙ୍କୁ ପାଞ୍ଚଟି ଲେଖାଏଁ ବନ୍ଦୀର ଶିରଛେଦ କରି ଛାଉଣି ଆଗର ଖୁଣ୍ଟାରେ ରଖିବାକୁ ନିର୍ଦ୍ଦେଶ ଦିଅନ୍ତି । ଭୀମା ହାତରେ ନିହତ ହେବା ପାଇଁ ଯେଉଁ ପାଞ୍ଚଜଣ ବନ୍ଦୀ ପଡ଼ନ୍ତି, ସେମାନଙ୍କ ମଧ୍ୟରେ ନିଜର ବାପା ଓ ଭାଇଙ୍କୁ ଦେଖି ଭୀମା ଦୁଃଖ ଓ ହତାଶରେ ଭାଙ୍ଗିପଡ଼େ । ଭୀମା କିଂକର୍ତ୍ତବ୍ୟବିମୂଢ଼ ହୋଇ ଶେଷରେ ବାପା-ଭାଇଙ୍କ ବଦଳରେ ଅନ୍ୟ ଦୁଇଜଣ ଲୋକଙ୍କର ମୁଣ୍ଡ କାଟି ଖୁଣ୍ଟା ଆଗରେ ଥୋଇଦିଏ । ତହିଁଆରଦିନ ରାଜା ଭୀମାର କଟାମୁଣ୍ଡ ପ୍ରତି ଦୃଷ୍ଟି ନ ଦେଇ ଭୀମାକୁ ପ୍ରଶଂସା କରି ବିଦାୟ ନିଅନ୍ତି ଓ ଉପରବେଳା ପୀଡ଼ାଗ୍ରସ୍ତ ହୁଅନ୍ତି । କ୍ରମଶଃ ରାଜାଙ୍କର ପୀଡ଼ା ବୃଦ୍ଧିପାଏ, ପାଖଲୋକ ଓ ରାଜଜେମାଙ୍କ ବ୍ୟତୀତ ରାଜାଙ୍କ ନିକଟରେ କାହାକୁ ରହିବାର ନିର୍ଦ୍ଦେଶ ନ ଥାଏ । ଭୀମା କୌଶଳରେ ନିଜ ବାପର କୌଣସି ପରିଚୟ ନ ଦେଇ ବୁଢ଼ାବାପଦ୍ୱାରା ଦୁଇଚାରି ଦିନ ପରେ ରାଜାଙ୍କର ଚିକିତ୍ସା ବ୍ୟବସ୍ଥା କରେ । ପ୍ରତ୍ୟହ ବୁଢ଼ାର ଲେପ ପ୍ରୟୋଗରେ ରାଜା କ୍ରମଶଃ ସୁସ୍ଥ ହୋଇଯାଆନ୍ତି ଓ ବୁଢ଼ାର ବିଶେଷ ପ୍ରଶଂସା କରି ଭୀମା ନିକଟରେ ରହିବାକୁ ଆଦେଶ ଦିଅନ୍ତି । ଚିକିତ୍ସା ସମୟରେ ବାପ ପୁଅ (ସାଧୁ, ଭୀମା) ରାଜାଙ୍କ ନିକଟରେ ରହିଥିବାବେଳେ ରାଜଜେମା ଉତ୍କଣ୍ଠାବଶତଃ ପିତାଙ୍କୁ ଦେଖିବାକୁ ଆସି କୃତଜ୍ଞତାରେ ଭୀମା ପ୍ରତି କଟାକ୍ଷପାତ କରନ୍ତି । ବାରମ୍ୱାର ଆଗମନ ଓ କଟାକ୍ଷପାତ କରନ୍ତି । ବାରମ୍ୱାର ଆଗମନ ଓ କଟାକ୍ଷପାତ ଫଳରେ ଭୀମା ପ୍ରତି ତାଙ୍କ ଚିତ୍ତରେ ପ୍ରଣୟସଂଚାର ହୁଏ । ଭୀମାର ଚିତ୍ତର ମଧ୍ୟ ଅପୂର୍ବ ଭାବତରଙ୍ଗ ସୃଷ୍ଟି ହୁଏ । ରାଜାଙ୍କ ଆଦେଶରେ ଭୀମାର ବାପକୁ ପୁରସ୍କାର ଦେବା ପାଇଁ ଖଡ଼ୁ ନୋଳି ଘେନି ଖଣ୍ଟିଆ ବୁଢ଼ା ନିକଟକୁ ଯିବାରୁ ବୁଢ଼ା ଓ ତାର ପୁଅ ବାଣାଶୁରକୁ ଦେଖି ଚିହ୍ନିପାରି ରାଜାଙ୍କ ନିକଟରେ ସମସ୍ତ ରହସ୍ୟ ପ୍ରକାଶ କରେ । ରାଜାମନ୍ତ୍ରୀର ପରାମର୍ଶ ଅନୁସାରେ ଆଦେଶ କରନ୍ତି ।

 

‘ବୁଢ଼ା ଉପକାରୀ ହୋଇଥିବା’ରୁ ଅଦଣ୍ଡ୍ୟ । ଆଦେଶ ଅନୁସାରେ ଭୀମା ବାଣାଶୁରର ମୁଣ୍ଡ କାଟି ନ ଥିବାରୁ ଭୀମାର ମୁଣ୍ଡକାଟ ହେବାର କଥା, ବୁଢ଼ାର ଉପକାର ହେତୁ ଗୋଟିଏ ପୁଅ ମୁଣ୍ଡକାଟରୁ ରକ୍ଷାପାଇବ, କିନ୍ତୁ କାହାର ମୁଣ୍ଡ କଟାଯିବ, ବୁଢ଼ାର ଇଚ୍ଛା ଉପରେ ନିର୍ଭର କରେ । ରାଜାଙ୍କ ନିର୍ଦ୍ଦେଶରେ ସାଧୁ ସରଦାରର ହୃଦୟ ଭୀଷଣ ଦ୍ୱନ୍ଦ୍ୱଜନିତ ବେଦନାରେ ବିକ୍ଷୁବ୍‍ଧ ହୁଏ । ପିତାର ହୃଦୟ କି କୌଣସି ପୁତ୍ରର ପ୍ରାଣଦଣ୍ଡ ଚାହେଁ ? ବୁଢ଼ା ବାରମ୍ୱାର ବାଣାଶୁରକୁ ଓ ଭୀମାକୁ ଧରି କାନ୍ଦିବାକୁ ଲାଗେ ଏବଂ ଶେଷରେ ସଂଜ୍ଞାହୀନ ହୋଇପଡ଼େ । ବାପାର ସଂଜ୍ଞାହୀନ ଅବସ୍ଥାରେ ଭୀମା ଠିଆହୋଇ ତାର ଶିରଚ୍ଛେଦ ପାଇଁ ବାରମ୍ୱାର ଆଦେଶ-ଭିକ୍ଷା କରିବାରୁ ରାଜା ଅତି ଦୁଃଖରେ ଆଦେଶ ଦିଅନ୍ତି । ଜହ୍ଲାଦ ନିକଟରେ ଭୀମା ନିର୍ବିକାର ଚିତ୍ତରେ ଠିଆ ହୋଇଯାଏ । ଜହ୍ଲାଦର ହାତ ଉଠୁ ନ ଥାଏ । ଚେତାପାଇ ବୁଢ଼ା ପୁଣି ଧାଇଁ ଆସି ଭୀମା ଉପରେ ପଡ଼ିଯାଏ । ରାଜଜେମା ଏ ଦାରୁଣ ସମ୍ୱାଦ ଶୁଣି ଧୈର୍ଯ୍ୟଧରି ନ ପାରି ପିତାଙ୍କ ନିକଟରେ ଭୀମାର ପ୍ରାଣଭିକ୍ଷା କରନ୍ତି । ନାଟକୀୟ ଭାବରେ ଭୀମାର ପ୍ରାଣଦଣ୍ଡ ରହିତ ହୁଏ ।

 

ଭୀମା ଓ ରାଜଜେମା ଉଭୟଙ୍କ ହୃଦୟରେ ପ୍ରଣୟ ନିବିଡ଼ତର ହୁଏ, କିନ୍ତୁ ଉଭୟଙ୍କର ମିଳନର ପ୍ରତିବନ୍ଧକ ରୂପେ ଠିଆ ହୋଇଥାଏ । ଆଭିଜାତ୍ୟର ମେଘନାଦ ପାଚେରୀ । ପ୍ରଣୟଜନିତ ବେଦନାରେ ଉଭୟଙ୍କର ପ୍ରାଣ ଅହର୍ନିଶ ବିଳପି ଉଠେ । ରାଣୀହଂସପୁରର ଆମୋଦପ୍ରମୋଦ ତଥା ପରିଚାରିକାମାନଙ୍କର ସଙ୍ଗୀତ ପ୍ରତି ଉଦାସୀନତା ଏବଂ ପ୍ରଣୟ ସମ୍ପର୍କିତ କାବ୍ୟ ପାଠ ଲକ୍ଷ୍ୟକରି ସିଂହାରୀ-ମା ରାଜାଙ୍କୁ ସମସ୍ତ ଜଣାଏ । ଜେମାର ସଖୀ ଇନ୍ଦୁମତୀ ରାଜାଙ୍କ ନିକଟରେ ଜେମାର ମନକଥା ପ୍ରକାଶ କରି କହେ ଯେ ଭୀମ ରଣଜିତ ଶାଢ଼ୀ ଘେନି ଏଠାକୁ ଆସୁ, ତା’ର ଆପତ୍ତି ନଥିଲେ ତାକୁ ଏଠାରୁ ଅନ୍ତର କରାଯାଉ । ବୃନ୍ଦାବନରେ ବାସକରିବା ପାଇଁ ଜେମାଙ୍କର ଚରମ ଅଭିଳାଷ । ଜେମାଙ୍କର ଅଭିଳାଷ ଅନୁସାରେ ଭୀମା ପରିଜନ ପରିବେଷ୍ଟିତା ଜେମା ଓ ରାଜାଙ୍କ ନିକଟରେ ଉପସ୍ଥିତ ହୋଇ ନିଜ ଭକ୍ତିର ବ୍ୟଞ୍ଜନାରେ ନିଜର ପ୍ରାଣର ବେଦନା ପ୍ରକାଶ କରେ । ଜେମାଙ୍କ ନିର୍ଦ୍ଦେଶରେ ଭୀମା ରଣଜିତ ଶାଢ଼ୀ ରାଜାଙ୍କ ନିକଟରେ ଥୋଇଦିଏ । ଜେମା ମୁଣ୍ଡରୁ ମଥାମଣି କାଢ଼ି ଇନ୍ଦୁମତୀ ହସ୍ତରେ ଭୀମାକୁ ଦିଅନ୍ତି । ଭୀମା ମଥାମଣି ମୁଣ୍ଡରେ ମାରି କାଷ୍ଠପୁତ୍ତଳି ପରି ଠିଆ ହୁଅନ୍ତେ ଇନ୍ଦୁମତୀ ଜେମାଙ୍କର ଅଭିଳାଷ ଭୀମାକୁ ଜଣାଏ—‘ତୁମେ ଇନ୍ଦ୍ରିୟ ଦମନ କରି ନିର୍ବିକାର ନିର୍ମମ ପ୍ରେମମୟ ପୁରୁଷ ହୋଇ ମଥାମଣି ଧରି ଗୋପନ ଭାବରେ ଥିବା ଜେମାଙ୍କ ନିକଟରେ ଯଦି ଉପସ୍ଥିତ ହେବ, ତା’ହେଲେ ରଣଜିତ ସିଂହ ଶାଢ଼ୀକୁ ଜିତେନ୍ଦ୍ରିୟ ଶାଢ଼ୀରୂପେ ପୁଣି ଲାଭ କରିବ ।’ ଭୀମା ପ୍ରଣାମ କରି ବିଦାୟ ନିଏ । ବହୁଦିନ ପରେ (ଅନ୍ତିମ କାଳରେ) ନାୟକ ଭୀମା ଯେତେବେଳେ ପୂର୍ଣ୍ଣ ସଂଯତ ଓ ପ୍ରେମମୟ, ସେତେବେଳେ ଜେମାଙ୍କ ସହିତ ତା’ର ସାକ୍ଷାତ ହୁଏ । ଏଇ ହେଉଛି ନାୟକନାୟିକାଙ୍କର ପ୍ରଣୟର ପରିଣତି ।

 

ଗୋପାଳ ବଲ୍ଲଭ ଯେଉଁ ସମୟରେ ଏ ପ୍ରକାର ପ୍ରଣୟ କାହାଣୀକୁ ନେଇ ଭୀମା ଭୂୟାଁ ଉପନ୍ୟାସ ରଚନା କରିଛନ୍ତି, ସେ ସମୟରେ ପାରମ୍ପରିକ ରୀତିକାବ୍ୟସୁଲଭ ପ୍ରଣୟଚିତ୍ରରେ ଅଭ୍ୟସ୍ତ ପାଠକମାନଙ୍କର ଆଭିଜାତ୍ୟଗ୍ରସ୍ତ ଚିତ୍ତ ଏହାକୁ ସ୍ୱାଗତ କରୁ ବା ନକରୁ, ଏହା ସେମାନଙ୍କ ଚିତ୍ତରେ ଯେ ଚମକ ସୃଷ୍ଟି କରିଥିବେ, ଏଥିରେ ସନ୍ଦେହ ନାହିଁ । ଆଦିବାସୀ ଭୂୟାଁ ଯୁବକ ଓ ଆଭିଜାତ୍ୟ ପରିବେଶରେ ଲାଳିତାପାଳିତା ରାଜଜେମାର ପ୍ରଣୟ ପରିକଳ୍ପନାରେ ଲେଖକ ଗତାନୁଗତିକ ପ୍ରଣୟ କାହାଣୀର ବ୍ୟତିକ୍ରମ ଘଟାଇ ଯେଉଁ ନୂତନତ୍ୱର ସଙ୍କେତ ଦେଇଛନ୍ତି; ତାହା ତାଙ୍କର ବୈପ୍ଳବିକ ତଥା ରୋମାଣ୍ଟିକ ଦୃଷ୍ଟିଭଙ୍ଗୀର ପରିଚୟ ଦିଏ । ରୋମାଣ୍ଟିକ ପ୍ରଣୟ ପରିକଳ୍ପନାରେ ହୁଏତ ବଙ୍କିମଚନ୍ଦ୍ରଙ୍କର ପ୍ରେରଣା ଥାଇପାରେ; କିନ୍ତୁ ‘ପଦ୍ମମାଳୀ’ ବା ‘ବିବାସିନୀ’ର ରୋମାନ୍‍ସ ପରି ଏଠାରେ ଗତାନୁଗତିକତାର କ୍ଳାନ୍ତି ନାହିଁ; କିନ୍ତୁ ‘ଭୀମା ଭୂୟାଁ’ ରେ ରୋମାନ୍‍ସର ପରିବେଶ ଥିଲେ ମଧ୍ୟ ପରିବେଶର ନିବିଡ଼ତା ନାହିଁ ପ୍ରଣୟର ପରିକଳ୍ପନାରେ ଲେଖକ ଯେଉଁ ଦୁଃସାହସୀକତା ବା ବୈପ୍ଳବିକ ଦୃଷ୍ଟିକୋଣରେ ପରିଚୟ ଦେଇଛନ୍ତି, ପ୍ରଣୟର ବିକାଶ ତଥା ପରିଣତିରେ ତାହା ଶିଥିଳ ହୋଇ ପଡ଼ିଛି । ଲେଖକଙ୍କର ପାରମ୍ପାରିକ ରୁଚି ତଥା ସଂସ୍କାରଗ୍ରସ୍ତ ଚିତ୍ତରେ ବୈପ୍ଳବିକ ଦୃଷ୍ଟିଭଙ୍ଗୀର ଆଭା ତଡ଼ିତ୍‍ର କ୍ଷଣସ୍ଥାୟୀ ଝଲକ ପରି । ସେଥିପାଇଁ ପ୍ରଣୟର ଚିତ୍ର ରହିଥିଲେ ମଧ୍ୟ ତା’ର ବିକାଶ କିମ୍ୱା ପରିପକ୍ୱତା ନାହିଁ । ଆଭିଜାତ୍ୟର ଶିଳାସ୍ତୁପରେ ତାହା ଯେପରି ଚାପିହୋଇ ରୁଦ୍ଧଶ୍ୱାସ ହୋଇପଡ଼ିଛି । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଲେଖକ ପାଠକ ପ୍ରାଣରେ ମାନବର ଏହି ସନାତନ ଅନୁଭୂତିରେ ସ୍ପର୍ଶଦେବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ସେ ସ୍ପର୍ଶରେ ଶିହରଣ ନାହିଁ, ମାଧୁର୍ଯ୍ୟ ନାହିଁ । ତେଣୁ ପ୍ରଣୟଚିତ୍ରରେ ଏକ ମନସ୍ତାତ୍ତ୍ୱିକ ଦୃଷ୍ଟିଭଙ୍ଗୀର ଆବେଦନ ପରିଲକ୍ଷିତ ହେଉଥିଲେ ମଧ୍ୟ ଆଭିଜାତ୍ୟ-ପୋଷିତ ଆଦର୍ଶର ଅନୁରୋଧରେ ତାହା ଏକ ଅବାଞ୍ଛିତ ଅବାସ୍ତବ ରୂପ ଗ୍ରହଣ କରିଛି ।

 

କଥାବସ୍ତୁ ପରିକଳ୍ପନାରେ ବାସ୍ତବତାର ଭିତ୍ତି ରହିଛି; କିନ୍ତୁ ବାସ୍ତବତାର ସ୍ପର୍ଶ ଥିଲେ ମଧ୍ୟ ଉତ୍ତୁଙ୍ଗ ଆଦର୍ଶବୋଧର ଗୁରୁଚାପରେ ତା’ର ସ୍ୱାଭାବିକ ସୌନ୍ଦର୍ଯ୍ୟ କ୍ଷୁର୍ଣ୍ଣ ହେଲା ପରି ମନେହୁଏ । ମାନବର ପ୍ରେମ, ଈର୍ଷା, ଜୀବନର ସମସ୍ୟା ଓ ଦ୍ୱନ୍ଦ୍ୱ ପ୍ରଭୃତିର ଚିତ୍ର ଅଙ୍କନ କରି ଲେଖକ ତା’ରି ମଧ୍ୟରେ ଜୀବନର ମୂଲ୍ୟାଙ୍କନ କରିଛନ୍ତି ।

 

‘ଭୀମା ଭୂୟାଁର ବିଶେଷ ଆକର୍ଷଣୀୟ ବିଭବ ହେଉଛି ତା’ର ଦ୍ୱନ୍ଦ୍ୱ । କେତେଗୁଡ଼ିଏ ଦ୍ୱନ୍ଦ୍ୱର ସାର୍ଥକ ସମାବେଶ ହେତୁ ଲେଖକ କାହାଣୀର ରୋମାଣ୍ଟିକ ପରିବେଶରେ ନାଟକୀୟ ଉତ୍ତେଜନା ତଥା ନାଟକୀୟ ମୁହୂର୍ତ୍ତ, ନାଟକୀୟ ବିଳମ୍ୱନ (Dramatic suspense)ଓ ଉତ୍କଣ୍ଠାର ସୁଷ୍ମ ଅବସର ସୃଷ୍ଟି କରିପାରିଛନ୍ତି । ଦ୍ୱନ୍ଦ୍ୱଗୁଡ଼ିକ ହେଉଛି :—

 

ବନମାଳୀ ପ୍ରତି ଭୀମାର ପ୍ରଣୟଜନିତ ଦୁର୍ବଳତା ଓ ବଡ଼ଭାଇ ବାଣାଶୁର ଚିନାମାଳୀକୁ ବିଭା ହୋଇଗଲା ପରେ ତା’ର ମନର ଦ୍ୱନ୍ଦ୍ୱ ।

 

ଛଡ଼ଦେବାଲିରେ ନିହତ ହେବାପାଇଁ ବନ୍ଦୀ ହୋଇଥିବା ନିଜର ବାପା ଓ ଭାଇଙ୍କୁ ଦେଖି ଏକ ଦିଗରେ ଭୀମାର କର୍ତ୍ତବ୍ୟବୋଧ ଓ ଅନ୍ୟ ଦିଗରେ ବାପା ଓ ଭାଇର ମମତା ମଧ୍ୟରେ ଦ୍ୱନ୍ଦ୍ୱ ।

 

ଚିନାମାଳୀ ପ୍ରଣୟ-ସୃତି-ପୀଡ଼ିତ ଭୀମାର ଚିତ୍ତରେ ରାଜଜେମାଙ୍କ ନୈସର୍ଗିକ ଆକର୍ଷଣ ଓ ଅନ୍ୟ ଦିଗରେ ଆଭିଜାତ୍ୟ ମଧ୍ୟରେ ଦ୍ୱନ୍ଦ୍ୱ ।

 

କେଉଁ ପୁତ୍ରର ମୁଣ୍ଡକାଟ ହେବ, ତା’ର ଦାୟିତ୍ୱ ରାଜାଙ୍କ ଦ୍ୱାରା ବୁଢ଼ା ସାଧୁ ସରଦାର ଉପରେ ଲଦି ଦିଆଯିବା ପରେ ସାଧୁର ଏକ ଦିଗରେ ପୁତ୍ରସ୍ନେହ ଓ ଅନ୍ୟ ଦିଗରେ ରାଜାଦେଶ ପାଳନର ନିର୍ମମ ଚେତନା ମଧ୍ୟରେ ଦ୍ୱନ୍ଦ୍ୱ ।

 

ଘଟଣାର ଘାତପ୍ରତିଘାତରେ ଚରିତ୍ରଗୁଡ଼ିକର (ସାଧୁ, ଭୀମା, ରାଜଜେମା ପ୍ରଭୃତି) ବିକାଶ ଘଟିବା ସଙ୍ଗେ ସଙ୍ଗେ ସେଗୁଡ଼ିକର ବିଶେଷତଃ, ସାଧୁ ଓ ଭୀମା ଚିତ୍ତର ଦ୍ୱନ୍ଦ୍ୱ ପାଠକ ଚିତ୍ତରେ ଏକ ଚିରନ୍ତନ ଆବେଦନ ସୃଷ୍ଟିକରେ । ପୁଣି ବିଭିନ୍ନ ଚରିତ୍ରର ମାନବିକ ମୂଲ୍ୟବୋଧର ସଂଘର୍ଷ ମଧ୍ୟରେ ମାନବିକତାର ଆବେଦନ କି ଅପୂର୍ବ, ପାଠକମାନେ ତାହା ଲକ୍ଷ୍ୟ କରିପାରିବେ । ଏଇ ଦ୍ୱନ୍ଦ୍ୱ ଯୋଗୁଁ ହିଁ କାହାଣୀଟି ବାସ୍ତବରେ ଚିତ୍ତକର୍ଷକ ହୋଇପାରିଛି । ସମଗ୍ର କାହାଣୀ ମଧ୍ୟରେ ଭୀମାର ଚରିତ୍ର ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରେ । ଲେଖକଙ୍କର ମାନସ-ସନ୍ତାନ ଭୀମା ତାଙ୍କର ରୂଚି, ଆଦର୍ଶବୋଧ ଓ ପ୍ରଚଳିତ ସାମାଜିକ ବ୍ୟବସ୍ଥାର ଏକ ତୀବ୍ର ପ୍ରତିକ୍ରିୟାର ଜ୍ୱଳନ୍ତ ବିଗ୍ରହ କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କର କାହାଣୀ ରାଧାନାଥଙ୍କର ବିଜାତୀୟ ଚରିତ୍ରପୁଷ୍ଟ ନୀତି ଓ ରୁଚିବିଗର୍ହିତ କାହାଣୀର ଏକ ବଳିଷ୍ଠ ପ୍ରତିବାଦ ବୋଲି ଗ୍ରହଣ କରାଯାଇପାରେ । ଗୋପାଳବଲ୍ଲଭଙ୍କର ସରଳ ଆଦିବାସୀ ଯୁବକ ଭୀମା ରଣକ୍ଷେତ୍ରରେ ଯେପରି ବୀରତ୍ୱର ପରିଚୟ ଦେଇଛି, ଜୀବନ ସଂଗ୍ରାମକ୍ଷେତ୍ରରେ ମଧ୍ୟ ସ୍ୱାର୍ଥତ୍ୟାଗର ତୁଙ୍ଗ ଆଦର୍ଶ ଉପସ୍ଥାପନ କରିଛି; ପୁଣି ପ୍ରଣୟ କ୍ଷେତ୍ରରେ ନିର୍ବିକାର ନିର୍ମମ ପ୍ରେମମୟ ପୁରୁଷର ଅଭିନୟ କରିଛି । ସେ ରାଧାନାଥଙ୍କ ନାୟକ ପରି ସ୍ତ୍ରୈଣ ତଥା ନୀତି ଓ ରୁଚି ବିଗର୍ହିତ ନୁହେଁ । ତାଙ୍କର ନାୟିକା ରାଧାନାଥଙ୍କ ନାୟିକା ପରି ପ୍ରେମରେ ଅନ୍ଧ ହୋଇ ନିଜର ପିତା ତଥା ରାଜ୍ୟ ପ୍ରତି ପ୍ରଚ୍ଛନ୍ନ ଭାବରେ ଦ୍ରୋହ ଆଚରଣ କରି ଈପ୍‍ସିତ ପ୍ରେମିକାଠାରୁ ଅପମାନ ପାଇ ଆତ୍ମହତ୍ୟା କରି ନାହିଁ, ବରଂ ପ୍ରେମର ସନ୍ନ୍ୟାସନୀ ହୋଇଯାଇଛି (୫) ।

 

ଲେଖକଙ୍କର କାହାଣୀ ପରିକଳ୍ପନା ଓ ଚରିତ୍ରଚିତ୍ରଣ ଆଦର୍ଶର ଏକ ଅବିଚଳ ପୃଷ୍ଠଭୂମି ଉପରେ ପ୍ରତିଷ୍ଠିତ ।

 

ବଙ୍କିମଚନ୍ଦ୍ର ଓ ଫକୀରମୋହନଙ୍କ ପରି ଗୋପାଳବଲ୍ଲଭ ଘଟଣାର ଦୀର୍ଘ ତଥା ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା, ମୁଖ୍ୟ କିମ୍ୱା ଗୌଣ ଯେ କୌଣସି ଚରିତ୍ରର ଦୀର୍ଘ ପରିସ୍ଥିତିକୁ ଆଦର୍ଶ ରୂପେ ଗ୍ରହଣ କରିଥିବାରୁ ଉପନ୍ୟାସରେ କାହାଣୀର ଗତି ଅତି ମନ୍ଥର ହୋଇପଡ଼ିଛି । କେବଳ ଦ୍ୱନ୍ଦ୍ୱ ବା ନାଟକୀୟ ମୁହୂର୍ତ୍ତଗୁଡ଼ିକୁ ଛାଡ଼ିଦେଲେ ବିଷୟ ଚିତ୍ରର ସଂସ୍ଥାପନ ଘଟଣା ଓ ପରିବେଶର ଦୀର୍ଘ ମଧ୍ୟଯୁଗୀୟ ବର୍ଣ୍ଣନା ପାଠକଚିତ୍ତରେ କୌଣସି ଆଗ୍ରହ ସୃଷ୍ଟି କରିପାରେ ନାହିଁ । କାହାଣୀ ଓ ଘଟଣା ବର୍ଣ୍ଣନାରେ ସ୍ଥାନେ ସ୍ଥାନେ ସଙ୍କେତ ବା ବ୍ୟଞ୍ଜନାର ପରିଚୟ ମିଳୁଥିଲେ ମଧ୍ୟ ଜଟିଳତା ପରିଲକ୍ଷିତ ହୁଏ ନାହିଁ ।

 

(୫) ଝଙ୍କାରରେ ପ୍ରକାଶିତ ଡକ୍‍ଟର ନଟବର ସାମନ୍ତରାୟଙ୍କର ଭୀମା ଭୂୟାଁ । ସମ୍ପର୍କିତ ଆଲୋଚନା ଦ୍ରଷ୍ଟବ୍ୟ ।

 

ସ୍ଥାନ ଓ ଘଟଣାର ଐକ୍ୟସୂତ୍ର ମଧ୍ୟ ସେହିପରି ଦୃଢ଼ ତଥା ସ୍ୱାଭାବିକ ବୋଧହୁଏ ନାହିଁ । ପୁଣି ଆଖ୍ୟାନ ବସ୍ତୁଟି ସରଳ ହେଲେ ମଧ୍ୟ ଗତିରେ ସ୍ୱାଚ୍ଛନ୍ଦ୍ୟର ଅଭାବ ପରିଲକ୍ଷିତ ହୁଏ ।

 

‘ଭୀମା ଭୂୟାଁର ଚରିତ୍ରଗୁଡ଼ିକ ବାସ୍ତବ ଜୀବନରୁ ଗୃହୀତ ହୋଇଛନ୍ତି; କିନ୍ତୁ ଚିତ୍ତାକର୍ଷକ ହେଲେ ମଧ୍ୟ ରୋମାନ୍‍ସର ଆବରଣରେ ସ୍ଥାନେ ସ୍ଥାନେ ଚରିତ୍ରଗୁଡ଼ିକର ବାସ୍ତବତା ଅସ୍ପଷ୍ଟ ହୋଇଉଠିଛି । ଲେଖକ ବାତ୍ସଲ୍ୟ, ପ୍ରେମ, ଈର୍ଷା, ମାନବିକତା ପ୍ରଭୃତି ଚିରନ୍ତନ ଅନୁଭୁତିଗୁଡ଼ିକର ସାର୍ଥକ ସଙ୍କେତ ଦେଇଛନ୍ତି; କିନ୍ତୁ ପ୍ରେମର ପରିଣତି ଚିତ୍ରଣରେ ସାଧାରଣ ଅନୁଭୂତି ସହିତ ନୈକଟ୍ୟ ସ୍ଥାପନ କରିନାହାନ୍ତି । ସଂଘର୍ଷବିକ୍ଷୁବଧ୍‍ ବାତାବରଣ ମଧ୍ୟରେ ସ୍ଥାନେ ସ୍ଥାନେ କେତେଗୁଡ଼ିଏ ଚରିତ୍ରର ମନସ୍ତତ୍ତ୍ୱିକ ବିଶ୍ଳେଷଣ ପରିଲକ୍ଷିତ ହେଲେ ମଧ୍ୟ ଅଧିକାଂଶ ଚରିତ୍ରର ଆଙ୍ଗିକ ଉତ୍କର୍ଷଜନିତ ପ୍ରକାଶ ଘଟିନାହିଁ । ଘଟଣାର ଘାତପ୍ରତିଘାତ ଓ ସଂଘର୍ଷ ମଧ୍ୟରେ ଚରିତ୍ର ମନର ପ୍ରତିକ୍ରିୟାରେ କେତେଗୁଡ଼ିଏ ଚରିତ୍ରର ବୈଶିଷ୍ଟ୍ୟ ଫୁଟିଉଠିବା ସଙ୍ଗେ ସଙ୍ଗେ ସେଗୁଡ଼ିକର ବିକାଶ ଘଟିପାରିଛି । ଦୃଷ୍ଟାନ୍ତ ସ୍ୱରୂପ ଭୀମା, ସାଧୁ ଓ ରାଜଜେମାର ଚରିତ୍ର । ଏଇ ଚରିତ୍ରଗୁଡ଼ିକ ମାନବିକତାର ରାଗରେ ଅନୁରଞ୍ଜିତ ହୋଇ କିପରି ଅପୂର୍ବ ହୋଇ ଉଠିଛନ୍ତି, ତା’ର ସୂଚନା ପୂର୍ବରୁ ଦିଆଯାଇଛି । ବିଶେଷତଃ ଭୀମା ଚରିତ୍ର ଲେଖକଙ୍କର ରୁଚି ଓ ଆଦର୍ଶର ସ୍ୱତନ୍ତ୍ର ପ୍ରତିନିଧିତ୍ୱ କରିଛି, ଲେଖକ ଏଇ ଚରିତ୍ରଟି ମାଧ୍ୟମରେ ସତେ ଯପରି ଆତ୍ମପ୍ରକାଶ କରିଛନ୍ତି । ସମଗ୍ର ଉପନ୍ୟାସଟିରେ ଭୀମା ଓ ସାଧୁଚରିତ୍ର ପରି ଅନ୍ୟ ଚରିତ୍ରଗୁଡ଼ିକ ପାଠକ-ଚିତ୍ତରେ ଆଲୋଡ଼ନ ସୃଷ୍ଟି କରିପାରନ୍ତି ନାହିଁ କି ଜୀବନ୍ତ ତୁଲ୍ୟ ପ୍ରତୀକ ହୁଅନ୍ତି ନାହିଁ ।

 

ଉତ୍ତୁଙ୍ଗ ସ୍ୱାର୍ଥତ୍ୟାଗ ଓ ମାନବିକତାର ମହତ୍ତ୍ୱରେ ସମୁଜ୍ଜ୍ୱଳ ସରଳ ଆଦିବାସୀ ଯୁବକ ଭୀମା ଚରିତ୍ରଟି ଯେପରି ପ୍ରାଣବନ୍ତ, ସେହିପରି ଉପଭୋଗ୍ୟ । ପ୍ରକୃତିର ସନ୍ତାନ ଏଇ ଆରଣ୍ୟକ ଯୁବକଟି ଏକ ଦିଗରେ ଯେପରି ଅପୂର୍ବ ବୀରତ୍ୱ ଓ ରାଜଭକ୍ତିର ପରିଚୟ ଦେଇଛି, ଅନ୍ୟ ଦିଗରେ ସେହିପରି ଜୀବନର ଏକ ଚରମ ସଂକଟପୂର୍ଣ୍ଣ ମୁହୂର୍ତ୍ତରେ ନିଜର ବାପା ଓ ଭାଇ ପାଇଁ ଆତ୍ମବଳି ଦେବାକୁ ତିଳେ ମାତ୍ର କୁଣ୍ଠାପ୍ରକାଶ କରିନାହିଁ । ବାପା ଓ ଭାଇର ଜୀବନରକ୍ଷା ପାଇଁ ଅନ୍ୟ ଦୁଇଟି ବନ୍ଦୀର ଆକୁଣ୍ଠ ହତ୍ୟାରେ ତା’ର ଆଦିବାସୀସୁଲଭ ନିର୍ବୋଧ ଜାନ୍ତବ ନିଷ୍ଠୁରତାର ପରିଚୟ ମିଳୁଥିଲେ ମଧ୍ୟ ତା’ର ବଳିଷ୍ଠ ବ୍ୟକ୍ତିତ୍ୱର ମହତ୍ତ୍ୱ କ୍ଷୁର୍ଣ୍ଣ ହୋଇ ନାହିଁ । ଯୌବନର ଉନ୍ମାଦନାରେ ଭୀମାର ଦେଶକାଳପାତ୍ର ଭୁଲିଯାଇ ରାଜଜେମା ପ୍ରତି ପ୍ରଣୟାକୃଷ୍ଟ ହେବା ପରିସ୍ଥିତି ଦୃଷ୍ଟିରୁ କମ ଦୁଃସାହସିକତାର ପରିଚୟ ଦିଏ ନାହିଁ । ତା’ର ଏ ରୋମାଣ୍ଟିକ ପଣୟ ଯେତେ ଚମକ ସୃଷ୍ଟିକଲେ ମଧ୍ୟ ପ୍ରଣୟର ପରିଣତି ପାଠକ ଚିତ୍ତରେ କୌଣସି ଆଗ୍ରହ ସୃଷ୍ଟି କରେନା । ତେଣୁ ପ୍ରଣୟରେ ମିଳନ-ଇନ୍ଦ୍ରଧନୁର ବର୍ଣ୍ଣବିଭା ନାହିଁ, ରହିଛି ବୈରାଗ୍ୟ ବା ସନ୍ନ୍ୟାସର ନିଷ୍ଠୁର ପାଣ୍ଡୁରତା । ପ୍ରଣୟାବେଦନାରେ ଦୁଃସାହସିକତା ଥିଲେ ମଧ୍ୟ ସଂଯମତା ଶାଣିତ କୃପାଣ ଧାରରେ ତା’ର ଗତି ଅତି ମନ୍ଥର, ଅତି ସୀମିତ । ସେଥିପାଇଁ ଆଭିଜାତ୍ୟର ରୁଦ୍ଧପ୍ରକୋଷ୍ଠ ଭିତ୍ତି ଭେଦ କରି ଅଧିକ ଦୂର ଅଗ୍ରସର ହୋଇପାରି ନାହିଁ । ଜେମାର ପ୍ରଣୟରେ ଯୌବନର ଆକର୍ଷଣଜନିତ ବାସ୍ତବତାର ଭିତ୍ତି ରହିଥିଲେ ମଧ୍ୟ ଆଭିଜାତ୍ୟର ଆବରଣରେ ତାହା ସନ୍ୟାସିନୀର ଗୈରିକବସ୍ତ୍ର ପରିଧାର କରିଛି, କିନ୍ତୁ କଳାହଂସ-ଲକ୍ଷଣ-ଦୁକୂଳ ନୁହେଁ । ସେଥିପାଇଁ ପ୍ରଣୟ-ସୃତି-ପୀଡ଼ିତା ରାଜଜେମା ଭୀମଠାରୁ ରଣଜିତ୍‍ ଶାଢ଼ୀ କଢ଼େଇ ନେଇ ତା’ର ଦୂରକୁ ଅପସାରିତ ହୋଇଯିବାର ସଙ୍କେତ ଦେଇଛନ୍ତି; ପୁଣି ନିଜ ମସ୍ତକରୁ ପ୍ରଣୟର ଉପହାରସ୍ୱରୂପ ମଥାମଣି ଦିଆକରାଇ ଏକାନ୍ତରେ ନିର୍ମମ ନିର୍ବିକାର ଜିତେନ୍ଦ୍ରିୟ ପ୍ରେମମୟ ପୁରୁଷ ଭାବରେ ତା’ର ଉପସ୍ଥିତିର ବାସନା ପୋଷଣ କରିଛନ୍ତି । ଆସନ୍ନ ମୃତ୍ୟୁମୁଖରୁ ଭୀମାର ପ୍ରାଣରକ୍ଷାରେ ସମ୍ୱେଦନା ତଥା ମାନବିକତାରେ ମଧୁମୟ ଜେମାଙ୍କର କୁସୁମ କୋମଳ ପ୍ରାଣ ପାଠକଚିତ୍ତରେ ଗଭୀର ରେଖାପାତ କରେ । ତେଣୁ ରାଜଜେମା ଓ ଭୀମାର ପ୍ରଣୟ ରାଧାନାଥିୟ କାବ୍ୟପରିକଳ୍ପିତ ପ୍ରଣୟର ତୀବ୍ର ପ୍ରତିକ୍ରିୟାର ଜ୍ୱଳନ୍ତ ପ୍ରତୀକ ରୂପେ ଗ୍ରହଣ କରାଯାଇପାରେ । ପ୍ରଣୟକୁ ଲୌକିକତା ତଥା ବ୍ୟାକୁଳ ଉନ୍ମାଦନାର ବହୁ ଉର୍ଦ୍ଧ୍ୱକୁ ଉନ୍ନୀତ କରାଇ ଲେଖନ ମାନସରାଜ୍ୟର ଏକ ଉଚ୍ଚାଙ୍ଗ କ୍ଲାସିକାଲ ପ୍ରେମର ଆଦର୍ଶ ପ୍ରତିଷ୍ଠା କରିଛନ୍ତି । ତେଣୁ ପ୍ରଣୟୀ-ପ୍ରଣୟିନୀ ଭାବରେ ଭୀମା ଓ ରାଜଜେମା ଚରିତ୍ରର ବିଚାର କାଳରେ ଭୀମାକୁ ତା’ର ଆରଣ୍ୟଜାନ୍ତବ ଆବରଣରୁ ଓ ରାଜଜେମାଙ୍କୁ ତାଙ୍କର ଆଭିଜାତ୍ୟର ପ୍ରବାଳ-ସମ୍ପୁଟରୁ ବାହାର କରିଆଣି ବିଚାର କରିବାକୁ ହେବ । ବାସ୍ତବିକ ଭୀମା ଓ ରାଜଜେମା ଏଇ ଦୁଇଟି ରୋମାଣ୍ଟିକ ଚରିତ୍ର ପାଠକର ଚୀତ୍ତରେ ନିଷ୍ଠୁର ଲୌକିକ ବର୍ଣ୍ଣବିଭାରେ ବିଷାଦ ତଥା କାରୁଣ୍ୟର ଦୁଇଟି ମୂର୍ତ୍ତିମନ୍ତ ଦେବଦେବୀ ପରି ପ୍ରତିଭାତ ହୁଅନ୍ତି ।

 

ଘଟଣାର ଘାତପ୍ରତିଘାତ ଜୀବନର ନିର୍ମମ ସମସ୍ୟାପୂର୍ଣ୍ଣ ନାଟକୀୟ ମୁହୂର୍ତ୍ତରେ ସାଧୁ ସରଦାରର ଚରିତ୍ର ଯେପରି ଜୀବନ୍ତ, ସେହିପରି ମାନବିକତାର ଆବେଦନରେ ଅପୂର୍ବ ତଥା ଉପଭୋଗ୍ୟ ହୋଇଛି । ସାଧୁର ଚରିତ୍ର ବାତ୍ସଲ୍ୟ ମମତାଅନ୍ଧ ଏକ ସରଳ, ଉନାରମନା ପିତାର ଜ୍ୱଳନ୍ତ ବିଗ୍ରହ । କେଉଁ ପୁଅଟିକୁ ରାଜଗହଣକୁ ପଠାଇବ, ଏଇ ଦ୍ୱନ୍ଦ୍ୱରେ ସାଧୁର ଆରଣ୍ୟଚିତ୍ତ ବିହଙ୍ଗଟି ଛଟପଟ ହୋଇଛି । ବାଣାଶ୍ୱରକୁ ଛାଡ଼ିବ ନାହିଁ, ସେ ବଡ଼ପୁଅ; ଭୀମାକୁ ଛାଡ଼ିବ ନାହିଁ, କାରଣ ଭୀମା କେଣ୍ଡା ହେଲେ ମଧ୍ୟ ସ୍ନେହ-ଅନ୍ଧ ସାଧୁର ଆଖିରେ ସେଇଟା ଖାଇ ଜାଣେ ନାହିଁ, ପିନ୍ଧି ଜାଣେ ନାହିଁ । ସେହିପରି କେଉଁ ପୁଅକୁ ହାଣମୁହଁକୁ ପଠାଇବ, ସାଧୁର ଚିତ୍ତ ଯେତେବେଳେ ଏହି ତୁହାକୁ ତୁହା ଆର୍ତ୍ତ-କୂଜନ କରି ଛଟପଟ ହୋଇ ଭୂଇଁରେ ସଂଜ୍ଞା ହରାଇଛି; ପୁଣି ସଂଜ୍ଞା ଫେରିଯାଇ ମୁଣ୍ଡ ଦେବା ଉଦ୍ଦେଶ୍ୟରେ ପ୍ରସ୍ତୁତ ଥିବା ଭୀମା ସାଧୁ ସର୍ଦ୍ଦାରର ଏଇ ମାନସିକ ଦ୍ୱନ୍ଦ୍ୱ ଭିତରେ ଭୀମାର ଜଗତର କୋଟି କୋଟି ସ୍ନେହକାଙ୍ଗାଳି ପିତାଙ୍କର ଚିରନ୍ତନ କାରୁଣ୍ୟମୟ ମୂର୍ତ୍ତିଟି ଜ୍ୱଳନ୍ତ ହୋଇ ଉଠିଛି । ବାତ୍ସଲ୍ୟମମତା ଅନ୍ଧ ସାଧୁ ପ୍ରାଣର ବେଦନାରେ କୋଟି କୋଟି ପିତାର ବେଦନା ମୂର୍ତ୍ତିମନ୍ତ ହୋଇ ଉଠିଛି । ବାସ୍ତବିକ ସାଧୁ ପ୍ରାଣର ଏଇ ଶାଶ୍ୱତ କାରଣ୍ୟ, ତା’ର ଚରିତ୍ରର ଏଇ ମାନବିକତାର ଆବେଦନ ପାଠକଚିତ୍ତରେ ସ୍ଥାୟୀ ମୁଦ୍ରାଙ୍କନ କରେ ।

 

ପୂର୍ବୋକ୍ତ ଚରିତ୍ରଗୁଡ଼ିକୁ ଛାଡ଼ିଦେଲେ ଭୀମା ଭୂୟାଁର ଅନ୍ୟ ଚରିତ୍ରଗଡ଼ିକ ପାଠକ ଚିତ୍ତରେ ସେପରି ଚିରନ୍ତନ ଆବେଦନ ସୃଷ୍ଟି କରିପାରନ୍ତିନି । ବାଣାଶୁରର ଚରିତ୍ର ଏକ ନିଷ୍କ୍ରିୟ ଚରିତ୍ର ପରି ପ୍ରତୀକ ହୁଏ । ଚନାମାଳୀ ଚରିତ୍ରକୁ କେନ୍ଦ୍ରକରି ଲେଖକ ପ୍ରଥମତଃ ଏକ ଶାଶ୍ୱତ କ୍ରୟୀର (Eternal triangle)ଦ୍ୟୋତନା ଦେଇଛନ୍ତି ବାଣାଶୁର ଓ ଭୀମକୁ ତା’ର ପ୍ରଣୟୀ ଭାବରେ ଉପସ୍ଥାପନା କରି; କିନ୍ତୁ ଚିନାମାଳୀର ବିବାହ ପରେ ସେଇ ପ୍ରଣୟ କିମ୍ୱା ପଣୟଜନିତ ଦ୍ୱନ୍ଦ୍ୱର ବିକାଶ ପରିଲକ୍ଷିତ ହୁଏ ନାହିଁ । ତେଣୁ ଚିନାମାଳୀ ଚରିତ୍ର ଏକ ନିଷ୍କ୍ରିୟ ଗତିହୀନ ଚରିତ୍ର ପରି ପ୍ରତୀକ ହୁଏ ।

 

ରାଜା ମର୍ଦ୍ଦରାଜଙ୍କୁ ଚରିତ୍ରରେ ଏକ ଦିଗରେ ଶାସକସୁଲଭ ନିର୍ମମତା ତଥା ଆଭିଜାତ୍ୟ ଓ ଅନ୍ୟ ଦିଗରେ ମାନବିକତା ମଧ୍ୟରେ କ୍ଷୀଣ ଦ୍ୱନ୍ଦ୍ୱର ସୂଚନା ଦେଲେ ମଧ୍ୟ ତାହା ସେତେ ଚିତ୍ତାକର୍ଷକ ହୋଇପାରି ନାହିଁ । କୃତ୍ରିକ କଠୋର ଶାସକସୁଲଭ ଗାମ୍ଭୀର୍ଯ୍ୟର ଚାପରେ ମାନବିକତା ରୁଦ୍ଧଶ୍ୱାସ ହୋଇ ଉଠିଛି । ସାଧୁ ସର୍ଦ୍ଦାର ବୃଦ୍ଧ ତେଣୁ ଅଦଣ୍ଡ୍ୟ, ଉପକାର କରିଥିବାରୁ ଗୋଟିଏ ପୁଅ ଛାଡ଼ ପାଇବ; କିନ୍ତୁ ଅନ୍ୟଟିକୁ ମୁଣ୍ଡ ଦେବାକୁ ହେବ । ଏ କ୍ଷେତ୍ରରେ ରାଜାଙ୍କର ଶାସକସୁଲଭ ନିର୍ମମ ଚେତନାଯୁକ୍ତ ବ୍ୟକ୍ତିତ୍ୱ ଅନ୍ୟଟିକୁ ମୁକ୍ତି ଦେବାକୁ ବିଚିତ୍ର କୁଣ୍ଠା ପ୍ରକାଶ କରିଛି । ସାଧୁର ସଂଜ୍ଞାହୀନ ଅବସ୍ଥାରେ ଭୀମା ଯେତେବେଳେ ଜହ୍ଲାଦ ନିକଟରେ ଦଣ୍ଡପାଇଁ ଠିଆ ହୋଇ ଯାଇଛି ରାଜାଙ୍କର ଶାସକସୁଲଭ ରକ୍ଷବ୍ୟକ୍ତିତ୍ୱ ନିକଟରେ ତାଙ୍କ ପ୍ରାଣର କ୍ଷୀଣ ସମ୍ବେଦନା ହାର ମାନିଛି, ଯଦିଓ ଜେମାଙ୍କ ଅନୁରୋଧରେ ସେ ଭୀମାକୁ ମୁକ୍ତି ଦେଇଛନ୍ତି ।

 

ଜଗଦ୍ଦେବଙ୍କ ରାଜ୍ୟର ଅରାଜକତା ଓ ଦୁଇ ରାଜାଙ୍କର ସଂଗ୍ରାମ ମୂଳରେ ରହିଛି ବେବର୍ତ୍ତା ତ୍ରିଲୋଚନ ମହାପାତ୍ର । ଏଇ ଚରିତ୍ର ଦ୍ୱାରା ଲେଖକ ଭୀମା ଚରିତ୍ର ଉପରେ କିଞ୍ଚିତ ଆଲୋକପାତ କଲେ ମଧ୍ୟ ଉପନ୍ୟାସର ମୁଖ୍ୟ ଦ୍ୱନ୍ଦ୍ୱ ସହିତ ଏହାର ସଂପର୍କ ଆଦୌ ନାହିଁ କହିଲେ ଚଳେ । ତେବେ ବେବର୍ତ୍ତା ଓ ବେବର୍ତ୍ତାଣୀ ଚରିତ୍ରର ସମାବେଶ ଦ୍ୱାରା ଲେଖକ ତତ୍‍କାଳୀନ ସାମାଜିକ ସମସ୍ୟା ଓ ଶୋଷଣର ଛବି ଅଙ୍କନ କରିବାର ଅବସର ସୃଷ୍ଟି କରିଛନ୍ତି । ମୂଳରୁ ତିଳ ସର୍ଦ୍ଦାର ଓ ଚନ୍ଦ୍ରଶେଖର ପଟ୍ଟନାୟକ ଚରିତ୍ରର ସୂଚନା ଥିଲେ ମଧ୍ୟ ଉପନ୍ୟାସର କାହାଣୀ କିମ୍ୱା ଦ୍ୱନ୍ଦ୍ୱ ସହିତ ଏମାନଙ୍କର ଆଦୌ ସମ୍ପର୍କ ନାହିଁ ।

 

ବଙ୍କିମଚନ୍ଦ୍ର ଓ ଫକୀରମୋହନଙ୍କ ଆଦର୍ଶରେ ଲେଖକ କି ମୁଖ୍ୟ କି ଗୌଣ, ପ୍ରତ୍ୟେକ ଚରିତ୍ରର ଦୀର୍ଘ ପରିଚିତ ଦାନ କରିଛନ୍ତି । ଚରିତ୍ରସୃଷ୍ଟିରେ ବିଶ୍ଳେଷଣାତ୍ମକ ଓ ନାଟକୀୟ ଶୈଳୀର ବ୍ୟବହାର କଲେ ମଧ୍ୟ ଗତାନୁଗତିକ ମଧ୍ୟଯୁଗୀୟ କାବ୍ୟିକ ଶୈଳୀ ଓ ଉତ୍ତେଜନାହୀନ କଥୋପକଥନ ପାଠକ ଚିତ୍ତରେ ଆଗ୍ରହ ସୃଷ୍ଟି କରିପାରେନି । କିନ୍ତୁ ‘ପଦ୍ମାମାଳୀ’ ମୋହନଙ୍କ ସୃଷ୍ଟି ପରି ଏହାର ଆକର୍ଷଣ ଚରିତ୍ର । ଲେଖକ ଚରିତ୍ର, ଘଟଣା ଓ ପରିସ୍ଥିତି ମଧ୍ୟରେ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି । ଆଖ୍ୟାନବସ୍ତୁର ଗତି ଶିଥିଳ ହେଲେ ମଧ୍ୟ ନାଟକୀୟ ବା ସଂଘର୍ଷପୂର୍ଣ୍ଣ ପରିସ୍ଥିତିରେ ଚରିତ୍ର ମାନସିକ ପ୍ରତିକ୍ରିୟାରେ ସେଗୁଡ଼ିକର ବିକାଶ ସୁଷ୍ଠୁ ହୋଇ ପାରିଛି ।

 

ଲେଖକ ଉପନ୍ୟାସର ନାୟକ ଭୀମାର ଭୂୟାଁ ସମାଜରୁ ଗ୍ରହଣ କରିଥିବାରୁ ଭୂୟାଁ । ସମାଜର ଚଳଣି, ପ୍ରଥା, ଚିନ୍ତାଧାରା, ବିଶ୍ୱାସ, ଗୋଷ୍ଠୀଗତ ଜୀବନ, ସାମାଜିକ ଅନୁଷ୍ଠାନ ଓ ପର୍ବପର୍ବାଣୀ ସମ୍ପର୍କରେ ମନୋଜ୍ଞ ସୂଚନା ଦେଇଛନ୍ତି, ଘଟଣା ଓ ବିଭିନ୍ନ ଚରିତ୍ରର କ୍ରିୟାକଳାପର ପୃଷ୍ଠଭୂମି ରୂପେ । ଉପନ୍ୟାସର ଆରମ୍ଭରେ ଭୂୟାଁଙ୍କର ଅତପ୍ରିୟ ମାଘପୋଡ଼ା ପର୍ବର ଆମୋଦ ଉତ୍ସବପୂର୍ଣ୍ଣ ପରିବେଶରେ ଭୂୟାଁ । ଯୁବତୀ, ଚିନାମାଳୀ ପ୍ରତି ଭୀମା ଓ ବାଣାସୁରର ପ୍ରଣୟର ସଙ୍କେତ ଦେଇଛନ୍ତି । ଏଇ ପ୍ରଣୟର ସୂଚନା ଦେବା ପାଇଁ ବାସ୍ତବ ହେଲେ ମଧ୍ୟ ପରିବେଶର ଦୀର୍ଘ ରୀତିକାଳ ସୁଲଭ କାବ୍ୟିକ ବର୍ଣ୍ଣନା (ମାଘାପୋଡ଼ାପର୍ବ ଓ ଶୀତଋତୁ, ବସନ୍ତଋତୁ) ପାଠକମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟାଏ । ଦୃଷ୍ଟାନ୍ତ ସ୍ୱରୂପ ଭୂୟାଁପର୍ବର ଶୀତକାଳୀନ ପରିବେଶ ବର୍ଣ୍ଣନା କରିବାକୁ ଯାଇ ଲେଖକ ଲେଖିଛନ୍ତି :—

 

‘‘ମଗୁଶିରରେ ଶିରଶିରିଆ, ପୁତ୍ରରେ ଭୂଷୁଭୁଷିଆ ଶୀତ ହେଲେ ବି ନିର୍ବାଣୋନ୍ମୁଖ ପ୍ରଦୀପ, ଆହତ ମୁମୂର୍ଷୁ ବ୍ୟାଘ୍ର ଭଲ୍ଲୁକଙ୍କ ପରି ମାଘରେ ଶୀତର ବଡ଼ ରାଗ ବୋଲି ଜଣାଶୁଣା । ମାଘ ଗଲାଣି ତଥାପି ଦାଗ ବା ରାଗ ଯାଇନାହିଁ; ଅରୁଣଦେବ ଅଗ୍ନିକୋଣରୁ ଅପସରିବା ଆରମ୍ଭ କଲେଣି, କିନ୍ତୁ ଉଷାଦେବୀ କୁଜ୍‍ଝଟି ଓଢ଼ଣା ଅନ୍ତର କରିନାହାନ୍ତି; ସୂର୍ଯ୍ୟଦେବ ଡରି ଡରି ଥରି ଥରି ଉଇଁଲା ପରି ଦେଖାଯାଇଛନ୍ତି; ଦିନ ନାଥଙ୍କର ଦୈନ୍ୟଭାବ ଦିଗ୍‍ବିଦିଗରେ ପ୍ରତିବିମ୍ୱିତ; ପ୍ରାତଃ କଳୀନ ଧୂମୋଦ୍‍ଗମରେ ସରିତ୍‍ ତଡ଼ାଗ ଧୁସରାୟିତ ।’’

 

ପରିବେଶ ବର୍ଣ୍ଣନାର ଅବସରରେ ଭୂୟାଁଙ୍କର ରାଜଭକ୍ତି, ଗୋଷ୍ଠୀଗତ ଜୀବନ, ଅତିଥିପରାୟଣତା, ଗ୍ରାମର ଶାନ୍ତିପୂର୍ଣ୍ଣ ପରିଚାଳନା, ସାର୍ବଜନୀନ ଗୃହ ମାଣ୍ଡୁଆ, ସରଳ ଉଚ୍ଛ୍ୱାସପୂର୍ଣ୍ଣ ପ୍ରାଣର ନୈସର୍ଗିକ ସ୍ଫୁର୍ତ୍ତି, ସେମାନଙ୍କର ସରଳତା ଓ ସାଧୁତା, ଭୂୟାଁଯୁବତୀଙ୍କର ସତୀତ୍ୱ, ଆନନ୍ଦୋତ୍ସବ ମଧ୍ୟରେ ଚାଙ୍ଗୁନୃତ୍ୟ, ସରଳ ସ୍ୱାଭାବିକ ପ୍ରଣୟ, ବୟୋଜ୍ୟେଷ୍ଠ ବୃଦ୍ଧମାନଙ୍କର ଉଦାରତା, ହାଣ୍ଡିଆଖିଆ ଓ ଡାଳଭଙ୍ଗାଗୀତ ପ୍ରଭୃତିର ଦୀର୍ଘ ବର୍ଣ୍ଣନା ଦେଇ ଲେଖକ ସେମାନଙ୍କର ସାମାଜିକ ଜୀବନ ଓ ଚଳଣି ଉପରେ ଆଲୋକପାତ କରିଛନ୍ତି । ଭୂୟାଁଗ୍ରାମର ମନୋଜ୍ଞ ପ୍ରାକୃତିକ ପରିବେଶ, ତା’ର ପ୍ରାଣପଚୁର ସରଳ ପ୍ରୀତିପୂର୍ଣ୍ଣ ଜୀବନଯାପନ ପ୍ରଣାଳୀରେ ଲେଖକ ଏତେଦୂର ମୁଗ୍‍ଧ ଯେ ତୁଳନାତ୍ମକ ଭାବରେ ତଥାକଥିତ ସଭ୍ୟଶିକ୍ଷିତ ସମାଜର କୃତ୍ରିମ ଜୀବନ ଯାପନ ପ୍ରଣାଳୀ ଓ ଅନୁଷ୍ଠାନର ଚିତ୍ର ଦେଇ ତାହାକୁ ବ୍ୟଙ୍ଗ କରିଛନ୍ତି । ତଥାକଥିତ ସଭ୍ୟ ସମାଜର ଦୋଷତ୍ରୁଟି, ଅଭିଜାତ କଥା ରାଜପରିବାରର ଚଳଣି, ଜୀବନଯାପନ ପ୍ରଣାଳୀ, ବେବର୍ତ୍ତାଙ୍କ ଗୃହ, ଅଳସ ଅନ୍ତଃପୁରର କର୍ମହୀନତା, ବର୍ଣ୍ଣଭିଜାତ୍ୟ, ବ୍ରହ୍ମାଙ୍କର ଶାସ୍ତ୍ରବିଧି ବ୍ୟବସ୍ଥା, ସଂକୀର୍ଣ୍ଣ ଜାତିଆଣ ମନୋଭାବ, ମୂର୍ତ୍ତିପୂଜା, ଅନ୍ଧବିଶ୍ୱାସ, ଅଜ୍ଞଜ୍ୟୋତିଷର ଅଭ୍ରାନ୍ତ ଗଣନା ! ରାଜାଙ୍କର କଠୋର ଦଣ୍ଡବ୍ୟବସ୍ଥା (ଶୂଳୀ), ସାମରିକ ବେଶଭୂଷା ଓ ସମର ପଦ୍ଧତି, ସର୍ବୋପରି ଅନ୍ଧାରିମୂଲକର ଅରାଜକତା ପ୍ରଭୃତିର ବ୍ୟଙ୍ଗଗର୍ଭିତ ବିଶଦ ଚିତ୍ର ଲେଖକଙ୍କର ସଂସ୍କାରମନୋବୃତ୍ତିର ପରିଚୟ ଦିଏ-। ଚରିତ୍ରର କ୍ରିୟାକଳାପ ଓ ମାନସିକ ଅବସ୍ଥାର ଅନୁରୂପ ପରିବେଶ ବର୍ଣ୍ଣନା କରିଛନ୍ତି ତାଙ୍କର ବସନ୍ତ ଓ ବଭୀଷିକାମୟୀ ଲେଖକ ବେବର୍ତ୍ତା ତ୍ରିଲୋଚନ ମହାପାତ୍ରଙ୍କ ଗୃହର ଟିକିନିଖି ବର୍ଣ୍ଣନା ଦେଇଛନ୍ତି ।

 

ଉପନ୍ୟାସର ବର୍ଣ୍ଣନା କୁଶଳତା ଓ ପରିବେଷଣର ନୈପୁଣ୍ୟ ଉପରେ ଉପନ୍ୟାସର ଲୋକପ୍ରିୟତା ନିର୍ଭର କରେ । ଲେଖକ ‘ଭୀମା ଭୂୟାଁ’ରେ ବିଶ୍ଳେଷଣାତ୍ମକ ଓ ନାଟକୀୟ ଶୈଳୀର ବ୍ୟବହାର କରିଥିଲେ ମଧ୍ୟ ସରସତା ଓ ନାଟକୀୟ ଉତ୍ତେଜନାର ଏକାନ୍ତ ଅଭାବ ଅନୁଭୂତ ହୁଏ । ସ୍ୱତଃସ୍ଫୁର୍ତ୍ତ ବା ସାବଲୀଳତାର ଅଭାବ ହେତୁ ଏହାର ବର୍ଣ୍ଣନାଶୈଳୀ ଚିତ୍ତାକର୍ଷକ ନୁହେଁ । ଉମେଶ୍ଚନ୍ଦ୍ର ଓ ରାମଶଙ୍କରଙ୍କ ପରି ଗୋପାଳବଲ୍ଲଭ ‘ଭୀମା ଭୂୟାଁ’ର ବହକ୍ଷେତ୍ରରେ ନାରୀପୁରୁଷ ରୂପ, ଘଟଣା, ଦୃଶ୍ୟ, ପରିବେଶ ଓ ଚରିତ୍ର ବର୍ଣ୍ଣନାରେ ମଧ୍ୟଯୁଗୀୟ କାବ୍ୟିକ ରୀତି ଗ୍ରହଣ କରିଛନ୍ତି । ପୁଣି ବହୁ କ୍ଷେତ୍ରରେ ବର୍ଣ୍ଣନା ଅତି ଦୀର୍ଘ ଓ କ୍ଳାନ୍ତିଜନକ ହୋଇଥବାରୁ ଆଖ୍ୟାନବସ୍ତୁର ଗତି ଶିଥିଳ ହୋଇପଡ଼ିଛି । ମଧ୍ୟଯୁଗୀୟ ଅଳଙ୍କାର ବହୁଳ (ଉପମା, ଅନୁପ୍ରାସ) ଦୀର୍ଘ ପ୍ରକୃତି ଓ ରୂପ ବର୍ଣ୍ଣନା କାବ୍ୟର ଉପଯୋଗୀ ହୋଇପାରେ; କିନ୍ତୁ ଉପନ୍ୟାସପକ୍ଷେ ଏହା ଏକାନ୍ତ ଅନୁପଯୋଗୀ । ଭୀମା କିମ୍ୱା ଭୂୟାଁ ଯୁବତୀମାନଙ୍କର ରୂପବର୍ଣ୍ଣନାରୁ ଦୃଷ୍ଟାନ୍ତ ଦିଆଯାଇପାରେ । ଭୀମର ସୁସ୍ଥ ସବଳ ଅଙ୍ଗପ୍ରତ୍ୟଙ୍ଗ ବର୍ଣ୍ଣନା କରିବାକୁ ଯାଇ ଲେଖକ ଲେଖିଛନ୍ତି, ‘‘ପୁଣି ଯୌବନର ଗୌରଶ୍ୟାମ ବିଚାର ନାହିଁ, ଯୁବକର ବୃଷସ୍କନ୍ଧ, ବିଶାଳବୃକ୍ଷ, କରୀକର ପରି କରଯୁଗଳ, ମଲ୍ଲମର୍ଦ୍ଦନ ଘନଜଘନ ପ୍ରଭୃତି ପେଶୀପୂର୍ଣ୍ଣ ରସାଳ ମାଂସଳ ଅବୟବ ସବୁର ଯୌବନସୁଲଭ ଲାବଣ୍ୟମାଧୁରୀ ଲହରୀରେ ମନନୟନ ପଡ଼ି ନାସା, ନୟନ, ଅଧର ପ୍ରଭୃତି ପ୍ରତ୍ୟଙ୍ଗ କିମ୍ୱା ଅଳକା କୁଣ୍ଡଳ ପ୍ରଭୃତି ଅଳଙ୍କାର ଲୋଡ଼ାନାହିଁ; ସ୍ଥୂଳରେ ଶତ ଶାଳଗଜା ଜିଣି ଯୁବକର ରୂପ ମାଧୁରୀ ।’’ ପୁଣି ଭୂୟାଁଯୁବତୀଙ୍କର ରୂପ ବର୍ଣ୍ଣନା ଦେଖନ୍ତୁ । ‘‘କାହାର ଗଣ୍ଡ ଟଭାଫଳ ପରି ଗୋଲ, କାହାର ବା ପାଚିଲା ଆମ୍ୱପରି ଈଷତ୍‍ଲମ୍ୱ କାହାରି ପୂର୍ଣ୍ଣେନ୍ଦୁ ମାଧୁରୀ କେହି ବା ନୀରସ ଶିରୀଷ ଫଳ ପରି । ଏହିପରି ସ୍ଥଳେ ଲାଳନାର ମନ କଳନା ସହଜ ନୁହେଁ, କିନ୍ତୁ ଦେଖାଯାଏ ଯେ ମାରଗାଡ଼ିଆର କାଳଭୂଜଙ୍ଗ ବାଳକାଳ ଲୀଳ ପରି ଭ୍ରୁଲତାଭଙ୍ଗୀ ନାହିଁ; ଯତିମନ ମଜ୍ଜାଇବା ଭଳି ନାସାଫୁଲ କଥାଝୁଲା ଠାଣି ନାହିଁ; ଛାତିକି ଅସମ୍ଭାଳ କଲା ଭଳି ବାରିଜୟନା କୁନ୍ତର ମୂନନାହିଁ ।’’ ବିଶେଷତଃ ଉପେନ୍ଦ୍ରଭଞ୍ଜ (ଲାବଣ୍ୟବତୀ) ଓ ଅଭିମନ୍ୟୁଙ୍କର (ବିଦଗ୍‍ଧ ଚିନ୍ତାମଣି) ପଦର ଉଦ୍ଧୃତ ତଥା ପଦବିନ୍ୟାସଚ୍ଛଟା ତାଙ୍କର କାବ୍ୟିକ ରୀତି ପ୍ରତି ଅତିମାତ୍ର ଆକର୍ଷଣର ଯଥାଯଥ ସଙ୍କେତ ଦିଏ । ପୁଣି ଦୀର୍ଘ ସମାସାନ୍ତ ପଦଯୁକ୍ତ ବାକ୍ୟ. ବିରକ୍ତିକର ଉପମା ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ କ୍ଳିଷ୍ଟଭାଷା ସହିତ ଗ୍ରାମ୍ୟ ଢଗ, ପ୍ରବଚନର ପ୍ରୟୋଗ ଯୋଗୁଁ ଭୀମା ଭୂୟାଁର ଭାଷାରେ ସମତା ବା ସୌଷମ୍ୟର ଏକାନ୍ତ ଅଭାବ ଅନୁଭୂତ ହୁଏ-। ବଙ୍କିମ ଓ ଫକୀରମୋହନଙ୍କ ପରି ଲେଖକ ଅନେକତ୍ର ଦୃଶ୍ୟ, ଘଟଣା, ଚରିତ୍ର, ପରିବେଶ ଓ ରୂପର ଟିକିନିଖି ବର୍ଣ୍ଣନା ଦେବା ସଙ୍ଗେ ସଙ୍ଗେ ସମୀକ୍ଷକ (ଟୀକାକାର) ଭାବରେ ନିଜର ପାଠକ ସଚେତନତାର ପରିଚୟ ଦେଇଛନ୍ତି । ଉପନ୍ୟାସର ଶିଳ୍ପରୀତି ଦୃଷ୍ଟିରୁ ଗୋପାଳବଲ୍ଲଭଙ୍କ ସହିତ ପୂର୍ବୋକ୍ତ ଲେଖକମାନଙ୍କର ଶୈଳୀରେ ଏହା ଏକ ତ୍ରୁଟି ହେଲେ ମଧ୍ୟ ବଙ୍କିମ ଓ ଫକୀରମୋହନଙ୍କ ରଚନାରେ ଏହା ଯେପରି ଉପଭୋଗ୍ୟ ହୋଇଛି, ରାମଶଙ୍କର କିମ୍ୱା ଗୋପାଳବଲ୍ଲଭଙ୍କ ରଚନାରେ ସେପରି ଉପଭୋଗ୍ୟ ହୋଇପାରି ନାହିଁ । ପୁଣି ହାସ୍ୟରସ ସୃଷ୍ଟିପାଇଁ ଫକୀରମୋହନଙ୍କର ଅନୁସରଣରେ ଧ୍ୱନ୍ୟାତ୍ମକ ଶବ୍ଦର ସରସ ବ୍ୟବହାର ହୋଇପାରିନାହିଁ । ଭୂୟାଁ ସମାଜର ଚଳଣି ଓ ସଂସ୍କୃତି ସହିତ ବର୍ତ୍ତମାନର ତଥାକଥିତ ସଭ୍ୟସମାଜର ଚଳଣି ଓ ସଂସ୍କୃତିର ତୁଳନାତ୍ମକ ଚିତ୍ର କେତେକ ପରିମାଣରେ ଉପଭୋଗ୍ୟ ହେଲେ ମଧ୍ୟ ପୂର୍ବୋକ୍ତ ନାନା ଆଙ୍ଗିକ ତ୍ରୁଟି ହେତୁ ତାଙ୍କର ଶୈଳୀ ପାଠକଚିତ୍ତରେ ଆଗ୍ରହ ସୃଷ୍ଟି କରିପାରେନା ।

 

ଗୋପାଳବଲ୍ଲଭ ତାଙ୍କର ସମସାମୟିକ ଲେଖକ ମଧୁସୂଦନଙ୍କ ପରି ଅତିମାତ୍ର ରୁଚି ତଥା ନୀତି ସଚେତନ । ସେତେବଳେ ଆମର ସମାଜ, ଶିକ୍ଷା ଓ ଜୀବନ ଯାପନ କ୍ଷେତ୍ରରେ ନାନା ତ୍ରୁଟିବିଚ୍ୟୁତି ରହିଥିଲା । ଓଡ଼ିଆଭାଷା ଓ ସାହିତ୍ୟ ଉପରେ ବଙ୍ଗୀୟମାନଙ୍କର ଆକ୍ରମଣ, ଲୋକମାନଙ୍କର ଜାତୀୟ ଦୈନ୍ୟ ଓ ଦାସ-ମନୋବୃତ୍ତି, ଶାସନକ୍ଷେତ୍ରରେ ନୈତିକ ଅଧୋଗତି ଲେଖକଙ୍କ ପ୍ରାଣରେ ଗଭୀର ବ୍ୟଥାର ଆଲୋଡ଼ନ ସୃଷ୍ଟି କରିଥିଲା । ଆଧୁନିକ କାବ୍ୟ ସାହିତ୍ୟ କ୍ଷେତ୍ରରେ ଯୁଗସ୍ରଷ୍ଟା ରୂପେ ନମସ୍ୟ ରାଧାନାଥଙ୍କ ରଚନାରେ ଜାତିର କଳଙ୍କମୟ ଚିତ୍ର, ପ୍ରତୀୟ ଚିତ୍ରରେ ରୁଚି, ନୀତି ତଥା ସଂଯମହୀନତା, କଳାର ଅନୁରୋଧରେ ରୁଚିର ସମାଧି ଲେଖକଙ୍କ ପ୍ରାଣରେ ଗଭୀର ପ୍ରତିକ୍ରିୟା ସୃଷ୍ଟି କରିଥିଲା; ଯେଉଁ ପ୍ରତିକ୍ରିୟା ତୀବ୍ର ରୂପ ଗ୍ରହଣ କରିଥିଲା ଇନ୍ଦ୍ରଧନୁ ଓ ବିଜୁଳିର କୁତ୍ସାପୂର୍ଣ୍ଣ ବିବାଦରେ । ପାଶ୍ଚାତ୍ୟ ସଭ୍ୟତାର ଅନ୍ଧ ଅନୁକରଣ, ପ୍ରାଚୀନର ଯୁକ୍ତିହୀନ ଅନ୍ଧବିଶ୍ୱାସ ଓ ସମ୍ଭ୍ରାନ୍ତ ତଥା ଅଭିଜାତ ଗୋଷ୍ଠୀର ବର୍ଣ୍ଣାଭିଜାତ୍ୟରେ ଲଖକପ୍ରାଣ ଅତିଷ୍ଠ ହୋଇପଡ଼ିଥିଲା । ଏହି ସଂଘର୍ଷଜଟିଳ ପରିସ୍ଥିତିରେ ଗୋପାଳବଲ୍ଲଭ ଚାହୁଁଥିଲେ ଜାତୀୟ ମର୍ଯ୍ୟାଦା ସାମାଜିକ କ୍ଷେତ୍ରରେ ସଂସ୍କାର, ଶୃଙ୍ଖଳା, ଦୃଢ଼ ନୈତିକ ତଥା ଆଧ୍ୟାତ୍ମିକ ଚେତନା ଏବଂ ପ୍ରଣୟକ୍ଷେତ୍ରରେ ଶୁଚିଗତ ସଂଯମ । ଆଧୁନିକ ସାହିତ୍ୟର ମାନଦଣ୍ଡ ଯେତେବେଳେ ସ୍ଥିରୀକୃତ ନୁହେଁ, ଆତ୍ମପ୍ରତିଷ୍ଠା ପାଇଁ ଯେତେବଳେ ଦେଖାଦେଇଥିଲା ଅପୂର୍ବ ଉନ୍ମାଦନା, ସେତିକିବେଳେ ଗୋପାଳବଲ୍ଲଭ ସାହିତ୍ୟ ସୃଷ୍ଟି ମଧ୍ୟରେ ସତ୍‍ଶିକ୍ଷା, ସୁସ୍ଥ ଜୀବନବୋଧ ଓ ଦେଶପ୍ରେମ ଉପରେ ଅଧିକ ସନ୍ତାନ ଭୂୟାଁଙ୍କର ସରଳ ନିଷ୍କପଟ ଜୀବନଯାତ୍ରା ଓ ସଂଯତ ଗୋଷ୍ଠୀଚେତନା ପ୍ରତି ଅଧିକ ଶ୍ରଦ୍ଧା ପ୍ରକାଶ କରିଛନ୍ତି । ତଥାକଥିତ ସଭ୍ୟଶ୍ରେଣୀର କୃତ୍ରିମ ଜୀବନଯାତ୍ରା ଦର୍ଶନରେ ଲେଖକଙ୍କ ପ୍ରାଣ ଅତିଷ୍ଠ ହୋଇପଡ଼ିଛି । ସେଥିପାଇଁ ଭୂୟାଁ ଓ ବର୍ତ୍ତମାନର ତଥାକଥିତ ସଭ୍ୟଜୀବନର ତୁଳନାତ୍ମକ ଚିତ୍ର ଦେଇ ସଭ୍ୟସମାଜପ୍ରତି କଟାକ୍ଷପାତ କରିଛନ୍ତି । ଉପନ୍ୟାସର ନାୟକ ଭୀମାର ସଂଯମ ଓ ସ୍ୱାର୍ଥତ୍ୟାଗର ଚିତ୍ରରେ ଲେଖକଙ୍କର ସ୍ରଷ୍ଟା-ମାନସ ତଥା ବ୍ୟକ୍ତିପୁରୁଷର ପ୍ରଚ୍ଛନ୍ନ ଅଭିବ୍ୟକ୍ତି ରହିଛି ।

 

ଲେଖକ ବାସ୍ତବ ଜୀବନରୁ ଚରିତ୍ର ଗ୍ରହଣ କରି ଜୀବନର ସୂକ୍ଷ୍ମ ଅନୁଭୂତ ତଥା ବୃତ୍ତିର ଚିତ୍ର ଦେଇଛନ୍ତି ଆଦର୍ଶର ଆବରଣ ତଳେ । ଫକୀରମୋହନଙ୍କ ପରି ଆଦର୍ଶ ଓ ବାସ୍ତବର ମଧୁର ସମନ୍ୱୟ ସାଧନ କରିଛନ୍ତି । ସମଗ୍ର ଉପନ୍ୟାସରେ ରୋମାନ୍‍ସର ପରିବେଶ ପରିକଳ୍ପନା କରିଥିଲେ ମଧ୍ୟ ପରିଣତିରେ ଉପସ୍ଥାପିତ କରିଛନ୍ତି ତ୍ୟାଗର କଠୋରତା । ଆମର ସାମାଜିକ ଚଳଣିର ତ୍ରୁଟିବିଚ୍ୟୁତି ପ୍ରତି କଟାକ୍ଷପାତ କରି ଲେଖକ ସଂସ୍କାରର ଦ୍ୟୋତନା ଦେଇଛନ୍ତି । ଅସୀମ ସାମାଜିକ ନରିବେଷ୍ଟନୀରୁ ନାୟକନାୟିକା ଗ୍ରହଣ କରି ସେମାନଙ୍କର ପ୍ରଣୟଚିତ୍ରରେ ବୈପ୍ଳବିକ ଦୃଷ୍ଟିଭଙ୍ଗୀର ପରିଚୟ ଦେଲେ ମଧ୍ୟ ତାର ପରିଣତି ପରିକଳ୍ପନାରେ ତାଙ୍କରି ମଧ୍ୟବିତ୍ତ ଶ୍ରେଣୀର ଆଭିଜାତ୍ୟ ଗ୍ରସ୍ତଚିତ୍ତ ଆତ୍ମରୋଧ ଘଟାଇଛି । ଏହି ଅସଙ୍ଗତି ବା ଆତ୍ମବିରୋଧ ବଙ୍କିମଚନ୍ଦ୍ର, ଫକୀରମୋହନ ଓ ରାମଶଙ୍କର ପ୍ରଭୃତି ପ୍ରତ୍ୟେକଙ୍କ ଲେଖାରେ କିପରି ରହିଛି ତା’ର ସୂଚନା ପୂର୍ବରୁ ଦିଆଯାଇଛି । ଅସଙ୍ଗତି ସତ୍ତ୍ୱେ ଉନ୍ନତ ଜୀବନବୋଧ ତଥା ମାନବିକତାର ଆବେଦନରେ ସମୁଜ୍ଜଳ ତାଙ୍କର ଜୀବନଦର୍ଶନ ପାଠକଚିତ୍ତରେ ରେଖାପାତ କରେ ।

 

‘ବିବାସିନୀ’ କିଞ୍ଚିତ୍‍ପରବର୍ତ୍ତୀ କାଳରେ ରଚିତ, ‘ଭୀମ ଭୂୟାଁ’ରେ ଆଙ୍ଗିକ ଓ ଶିଳ୍ପରୀତି ଦୃଷ୍ଟିରୁ ବିବାସିନୀର ସମୁନ୍ନତି ପରିଲକ୍ଷିତ ନ ହେଲେ ମଧ୍ୟ କଥାବସ୍ତୁ ଓ ଚରିତ୍ର ପରିକଳ୍ପନାରେ ଲେଖକ ଯେଉଁ ନୂତନ ସାହସିକ ପଦକ୍ଷେପ ନେଇଛନ୍ତି, ତାହା ତତ୍‍କାଳୀନ ସାହିତ୍ୟିକ ରୁଚିକ୍ଷେତ୍ରରେ ବିପ୍ଳବ ସୃଷ୍ଟିକରି ସୁଦୂର ଭବିଷ୍ୟତ ପାଇଁ ଯେ ବିପୁଳ ସମ୍ଭାବନାର ସଙ୍କେତ ଦେଇଛି-। ବର୍ତ୍ତମାନର ଆଦିବାସୀଜୀବନ, ସମାଜ ଓ ଚରିତ୍ରର ଅନ୍ତରଙ୍ଗ ରୂପକାର ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ‘ଅମୃତର ସନ୍ତାନ’, ‘ପରଜା’ ‘ଦାଦିବୁଢ଼ୀ’ ପ୍ରଭୃତି ଉଚ୍ଚାଙ୍ଗ ସୃଷ୍ଟମାନ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାଯିବ । ଭକ୍ତକବି ମଧୁସୂଦନ ରାଓ ‘ଭୀମା ଭୂୟାଁ’ । ପାଣ୍ଡୁଲିପିର ଉଚ୍ଛ୍ୱସିତ ପ୍ରଶଂସା କରି ଯେଉଁ ପତ୍ର ଲେଖିଥିଲେ, ସେଥିରୁ କେତୋଟି ପଙ୍‍କ୍ତି ଏଠାରେ ଉଦ୍ଧାର କଲେ ଅପ୍ରାସଙ୍ଗିକ ହେବ ନାହିଁ । ମଧୁସୁଦନ ଲେଖିଥିଲେ, ‘‘I have read your beautiful tale with sincere pleasure. The selection of the theme (the simple life of the primitive-Bhuiyans of Keonjhar), the sympathy and fidelity with the plot has been manipulated, the deep knowledge of human nature evident in the ingenious characterization of the various persons, the truth and the freshness of the descriptions, whether of natural sceneries or of human institutions and ceremonies, the pure and elegant diction, redolent of the homely sweetness of Oriya undefiled as also of the dignity of classical speech, and above all, the supremely wise spirit of reverence and clarity with which the book is deeply impregnated, mark it out as the best of all romances yet written in Oriya.”

 

ବର୍ତ୍ତମାନର ଓଡ଼ିଆ ଉପନ୍ୟାସ ସାହିତ୍ୟ ଲୋକଜୀବନର ଅଧିକ ନିକଟତର ହୋଇଛି । ଅର୍ଥନୈତିକ, ସାମାଜିକ, ଶାସନତାନ୍ତ୍ରିକ, ଯୌନ ତଥା ନାନା ମନସ୍ତତ୍ତ୍ୱମୂଳକ ସମସ୍ୟାକୁ ନେଇ ଉପନ୍ୟାସ ରଚନା କରାଯାଉଛି । ଭାଷା ଓ ଶୈଳୀକ୍ଷେତ୍ରରେ ନାନା ପ୍ରୟୋଗ ଓ ପରୀକ୍ଷାର ବିରାମ ନାହିଁ । ବିଶ୍ୱର ପ୍ରସିଦ୍ଧ ଉପନ୍ୟାସଗୁଡ଼ିକ ବର୍ତ୍ତମାନର ଲେଖକ ତଥା ପାଠକ ଚିତ୍ତରେ ଏକ ଦେଶକାଳ ପାତ୍ରାତୀତ ସାର୍ବଜନୀନ ବିସ୍ତୃତିର ଭୂମିକା ସୃଷ୍ଟି କରିଛି । ବର୍ତ୍ତମାନର ପରିପ୍ରେକ୍ଷୀରେ ଓଡ଼ିଆ ଭାଷାର ଏଇ ସମଧର୍ମା ତିନୋଟି ପ୍ରାଥମିକ ଉପନ୍ୟାସକୁ ବିଚାର କଲେ ସେଗୁଡ଼ିକର ଯଥାର୍ଥ ମୂଲ୍ୟାଙ୍କନ ହୋଇପାରିବ ନାହିଁ । ତେବେ ଆଙ୍ଗିକ ଓ ଶିଳ୍ପ ରୀତିଗତ ବହୁତ୍ରୁଟି ସତ୍ତ୍ୱେ ଏ ତିନୋଟି ଉପନ୍ୟାସ ଓଡ଼ିଆ ଉପନ୍ୟାସ ସାହିତ୍ୟର ଯେ ପ୍ରଥମ ତିନୋଟି ମାଇଲ ଖୁଣ୍ଟ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

Image

 

Unknown

ଫକୀରମୋହନଙ୍କ ‘ନନାଙ୍କ ପାଞ୍ଜି’

 

‘‘ଜଗତରେ କେଉଁ ଲୋକଟା କବି ନୁହେଁ, ଅବଧାନ ? କେବଳ ଲେଖିବା ନ ଲେଖିବା କଥା । ଦେଖନ୍ତୁ, ବନମାଳୀ ବେହେରା ଗଉଡ଼ ଲୋକଟା କାଳିଆ, ବେହୁରିଏ ଚନ୍ଦନ ବୋଳି ହୋଇଅଛି, ଆଉ ଖଣ୍ଡେ ହଳଦିଆ ଲୁଗା ପିନ୍ଧିଅଛି । ଆପଣ ଦେଖିଲେ, ମୁଁ ଦେଖିଲି, ତୁମ୍ଭେ ଯାହା ବୁଝିଲ, ମୁଁ ତାହା ବୁଝିଲି । ଜୟଦେବ ଦେଖି ଟିପି ପକାଇଲେ, ‘ଚନ୍ଦନ ଚର୍ଚ୍ଚିତ ନୀଳ କଳେବର, ପୀତବସନ ବନମାଳୀ ।’ ବୁଝିବା ହେଲେଟି କି ? ତୁମ୍ଭେ ଆମ୍ଭେ ଗଲୁ ଗାଧୋଇ, ଜୟଦେବ ହେଲେ କବି । ସମସ୍ତେ ଯଦି କବି, ମୁଁ କ୍ୟାଁ ଛାଡ଼ ତଳେ ଯିବି ?’’

 

—ନନାଙ୍କ ପାଞ୍ଜି; ଉତ୍କଳ ସାହିତ୍ୟ, ୨ୟ ସଂଖ୍ୟା ।

 

ଓଡ଼ିଆ କଥାସାହିତ୍ୟର ଜନକ ଭାବରେ ଫକୀରମୋହନ ଓଡ଼ିଶାର ପାଠକମାନଙ୍କ ନିକଟରେ ସୁପରିଚିତ; କିନ୍ତୁ ସାହିତ୍ୟର ଆଉ ଗୋଟିଏ କ୍ଷେତ୍ରରେ ଫକୀରମୋହନ ଯେ ବଳିଷ୍ଠ ଦିଗ ନିର୍ଦ୍ଦେଶକ, ତାହା ପୂର୍ବୋକ୍ତ ଉଦ୍ଧୃତିରୁ ସ୍ପଷ୍ଟ ହେଲେ ମଧ୍ୟ ଗୁଣ, ଦିଗ ନିର୍ଦ୍ଦେଶନ ଭାଷା ଓ ଶୈଳୀଦୃଷ୍ଟିରୁ ତା’ର ଯେ ଯଥେଷ୍ଟ ଗୁରୁତ୍ୱ ରହିଛି, ଏହା ନିର୍ବିକାରରେ କୁହାଯାଇପାରେ । ବର୍ତ୍ତମାନ ଓଡ଼ିଆ ସାହିତ୍ୟରେ ରମ୍ୟରଚନା ବା ମନ୍ମୟ ପ୍ରବନ୍ଧର ଲୋକପ୍ରିୟତା ଦୃଷ୍ଟିରୁ ଦୂର-ଅତୀତରେ ଫକୀରମୋହନଙ୍କ ଦୂର ଦୃଷ୍ଟି ବ୍ୟଞ୍ଜକ ଏହାର ଭିତ୍ତିସ୍ଥାପନ, ବାସ୍ତବିକ ପାଠକମାନଙ୍କୁ ତାଙ୍କର ପ୍ରତିଭା ନିକଟରେ ନତମସ୍ତକ କରାଏ ।

 

‘ବାଇମାହାନ୍ତି ପାଞ୍ଜି’, ‘ନନାଙ୍କ ବସ୍ତାନି’ ଓ ‘ଭାଗବତ ଟୁଙ୍ଗିରେ ସଂଧ୍ୟା’ ପାଠ କରି ଆମେ ଗୋପାଳ ପ୍ରହରାଜଙ୍କୁ ଯେତିକି ସମ୍ମାନ ଦେଉଁ, ସ୍ୱଳ୍ପ ହେଲେ ମଧ୍ୟ ପଞ୍ଚୁଚନ୍ଦ୍ର ଧୀରେନ୍ଦ୍ର ମହାନ୍ତି ଓରଫ୍‍ ଫକୀରମୋହନଙ୍କ ‘ନନାଙ୍କ ପାଞ୍ଜି’ ପାଠ କରି ତାଙ୍କୁ ଏ ସମ୍ମାନର ଅଗ୍ରାଧିକାର ଦେବା ପାଇଁ ଆମର ପ୍ରବୃତ୍ତି ହୁଏ । ପୁସ୍ତକର ନାମକରଣ, ଚରିତ୍ର, ଶୈଳୀ, ଭାଷା, ବ୍ୟଙ୍ଗ ଓ ବିଦ୍ରୁପ କ୍ଷେତ୍ରରେ ପ୍ରହରାଜ ଫକୀରମୋହନଙ୍କୁ କିପରି ପଦେ ପଦେ ଅନୁସରଣ କରିଛନ୍ତି, ତାହା ତାଙ୍କର ପୂର୍ବୋକ୍ତ ରଚନା ପାଠ କଲେ ସ୍ପଷ୍ଟ ଜଣାଯାଏ । ଗୋଟିଏ ଉଦାହରଣ ଦିଆଯାଉ । ଫକୀରମୋହନ ଲେଖିଛନ୍ତି—‘‘ହେ ସମ୍ପାଦକ ମହାଶୟ, ଦେଖନ୍ତୁ, ମୁଁ ଲେଖିବାକୁ ରାଜି ଥିଲି; ମାତ୍ର ଲେଖିବାର କଥା ତ କିଛି ନାହିଁ; କିନ୍ତୁ ଆପଣ ନିରାଶ ହେବେ ନାହିଁ । ମୋ ନନା ବାଇ ମହାନ୍ତି ମୁକୁନ୍ଦଦେବଙ୍କ ଅଢ଼େଇ ଅଙ୍କରେ ସ୍ୱର୍ଗକୁ ଯିବାବେଳେ ତାହାଙ୍କ ମହାମୂଲ୍ୟ ପାଞ୍ଜିସବୁ ହେବା କରିଯାଇଥିଲେ, ସେଥିରୁ କେତେବିଡ଼ା ପାଞ୍ଜି ମୋ ଭାଗରେ ପଡ଼ିଅଛି । ମୁଁ ତାକୁ ତର୍ଜମା କରି ଆପଣଙ୍କୁ ଦେବି । ଆପଣ ଯଦି ଲୋକମାନଙ୍କୁ ଶୁଣାଇ ଦୁଇ ପଇସା ଭିଆଇ ପାରନ୍ତି, ଆପଣଙ୍କ କପାଳ, ଆଉ ମୋ ହାତ ଯଶ ।’’ ଉଦ୍ଧୃତଟିରୁ ସ୍ପଷ୍ଟ ପ୍ରତିପାଦିତ ହୁଏ—ପ୍ରହରାଜ କିପରି ‘ବାଇ ମାହାନ୍ତି ପାଞ୍ଜି’ ଓ ନନାଙ୍କ ବସ୍ତାନି’ ପୁସ୍ତକର ନାମକରଣ ପାଇଁ ଫକୀରମୋହନଙ୍କ ଠାରେ ଋଣୀ । କେବଳ ନାମକରଣ ନୁହେଁ, ଫକୀର ଯେପରି ‘ଧୂଜଟୀ’ ଓ ‘ପଞ୍ଚୁଚନ୍ଦ୍ର ଧୀରେନ୍ଦ୍ର ମହାନ୍ତି’ ଛଦ୍ମନାମରେ ତାଙ୍କର ‘ଛମାଣ ଆଠଗୁଣ୍ଠ’ ଓ ‘ନାନାଙ୍କ ପାଞ୍ଜି’ ପ୍ରକାଶ କରୁଥିଲେ, ସେଇ ଆଦର୍ଶରେ ଗୋପାଳ ପ୍ରହରାଜ ଦୁର୍ମୁଖ ଶର୍ମା ଛଦ୍ମନାମରେ ତାଙ୍କର ମନ୍ମୟ ପ୍ରବନ୍ଧଗୁଡ଼ିକ ପ୍ରକାଶ କରି ଓଡ଼ିଶାରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି ।

 

ଆଲୋଚନାର ସୁବିଧା ପାଇଁ ମନ୍ମୟ ପ୍ରବନ୍ଧ ସମ୍ପର୍କରେ କେତୋଟି ତାତ୍ତ୍ୱିକ ସଙ୍କେତ ଦେଲେ ଅବାନ୍ତର ହେବନାହିଁ । ପ୍ରବନ୍ଧକୁ ସ୍ଥୂଳତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ, ଯଥା—(କ) ବସ୍ତୁନିଷ୍ଠ ବା ତନ୍ମୟ ପ୍ରବନ୍ଧ (Formal ବା Informative essay) ଏବଂ (ଖ) ମନ୍ମୟ ବା ଆତ୍ମନିଷ୍ଠ ପ୍ରବନ୍ଧ (Familiar ବା Intimate essay) । ନିର୍ଦ୍ଦିଷ୍ଟ ପରିସର ମଧ୍ୟରେ ଲେଖକ ଗଭୀର ଚିନ୍ତା କିମ୍ୱା ଗଭୀର ବିଷୟବସ୍ତୁ ଉପରେ ପ୍ରାଧାନ୍ୟ ସ୍ଥାପନ କରି ଯେଉଁ ପ୍ରବନ୍ଧ ସୃଷ୍ଟି କରେ, ତାହା ବସ୍ତୁନିଷ୍ଠ ପ୍ରବନ୍ଧ । ଏଥିରେ ଲେଖକର ଯୁକ୍ତି, ବିଶ୍ଳେଷଣ, ପାଣ୍ଡିତ୍ୟ, ବୁଦ୍ଧି ଓ ଜ୍ଞାନର ପରିଚୟ ମୁଖ୍ୟ । ଏହା ପାଠକର ବୁଦ୍ଧିକୁ ତୀକ୍ଷ୍ଣ କରିବା ସଙ୍ଗେ ସଙ୍ଗେ ତାର ଜ୍ଞାନର ଦିଗ୍‍ବଳୟକୁ ପ୍ରସାରିତ କରେ, କିନ୍ତୁ ମନ୍ମୟ ବା ଆତ୍ମନିଷ୍ଠ ପ୍ରବନ୍ଧ ଯେ କୌଣସି ନଗଣ୍ୟ ବିଷୟବସ୍ତୁ ଠାରୁ ଆରମ୍ଭ କରି ଗଭୀର ତତ୍ତ୍ୱ ବା ଜ୍ଞାନ ସମ୍ୱଳିତ ବିଷୟକୁ ନେଇ ଲିଖିତ ହେଲେ ମଧ୍ୟ ଏଥିରେ ବସ୍ତୁନିଷ୍ଠ ପ୍ରବନ୍ଧସୁଲଭ ତତ୍ତ୍ୱ ବା ଜ୍ଞାନପ୍ରାଧାନ୍ୟ ଲକ୍ଷିତ ହୁଏ ନାହିଁ । ଏଥିରେ ଲେଖକର ବୁଦ୍ଧି ବା ଚିନ୍ତା ଅପେକ୍ଷା ହୃଦୟର ଧର୍ମ ପ୍ରଧାନ । ଏହା ଗୁରୁଗମ୍ଭୀର ବା ତତ୍ତ୍ୱିକ ବସ୍ତୁକୁ ନେଇ ଲେଖାଗଲେ ମଧ୍ୟ ଲଘୁ କଳ୍ପନା ତଥା ହାସ୍ୟରସ ବିମଣ୍ଡିତ ହୋଇ ପାଠକର ହୃଦୟ ସ୍ପର୍ଶକରେ । ଏହା ଚିନ୍ତା ପ୍ରଧାନ ନ ହୋଇ ହୁଏ ଭାବପ୍ରଧାନ । ଏହାର ଲେଖକ ବିଷୟବସ୍ତୁର ଗାମ୍ଭୀର୍ଯ୍ୟକୁ ସ୍ୱକୀୟ ଭାବରସରେ ସ୍ନିଗ୍‍ଧ କରି ପାଠକର ମନୋରାଜ୍ୟରେ ଗୋଟିଏ ଶାନ୍ତ ତଥା କମନୀୟ ଭାବର ପରିବେଶ ସୃଷ୍ଟି କରେ । ବସ୍ତୁନିଷ୍ଠ ପ୍ରବନ୍ଧର ଲେଖକ ସୀମାର ବନ୍ଧନ ମଧ୍ୟରେ ଆବଦ୍ଧ ହେବା ସମୟରେ ମନ୍ମୟ ପ୍ରବନ୍ଧାକାର ବିଷୟରୁ ବିଷୟାନ୍ତରକୁ ଯାତ୍ରା କରିପାରେ । ବିଷୟବସ୍ତୁ ଯାହା ହେଉ ନା କାହିଁକି ସରଳ, ଚିତ୍ତାକର୍ଷକ ଲିଖନଭଙ୍ଗୀ ହିଁ ଏହାର ପ୍ରଧାନ ବିଭାବ । ଏଥିରେ ଲେଖକର ଅନୁଭୁତି ସ୍ନିଗ୍‍ଧ ସରସ ହାସ୍ୟ, ମଧୁର ଆତ୍ମସ୍ପର୍ଶ, ପାଠକ ସହିତ ଏପରି ନିବିଡ଼ ଆତ୍ମୀୟତା ସ୍ଥାପନ କରେ ଯେ ତାହାର ଭାବନା, କାମନା ଓ ଜୀବନ-ଦର୍ଶନକୁ ପାଠକ ସ୍ୱୀୟ ଭାବନା ବୋଲି ଅନୁଭବ କରେ । ତେଣୁ ଏ ପ୍ରକାର ପ୍ରବନ୍ଧ ଲେଖକର ବ୍ୟକ୍ତିତ୍ୱର ସୌରଭ ଦ୍ୱାରା ସୁରଭିତ ହୋଇଥିବାରୁ, ଏହା ନିବିଡ଼ ଭାବରେ ଆତ୍ମଧ୍ୟାନମୂଳକ ହୋଇଥିବାରୁ, ଏହାକୁ ‘Lyric in prose’ ବା ‘ଗୀତିଧର୍ମୀ ଗଦ୍ୟ’ ରଚନା କୁହାଯାଏ । ରୋମାନ୍‍ସର କୁହେଳିକାଚ୍ଛନ୍ନ ଅସମ୍ଭବ କଳ୍ପନା ଏହାର ଉପଜୀବୀ ନୁହେଁ । ଏହାର ଉପଜୀବ୍ୟ ଜୀବନର ବାସ୍ତବ ଅନୁଭୂତି । ଏ ପ୍ରକାର ପ୍ରବନ୍ଧର ଉତ୍କର୍ଷ ଓ ଅପକର୍ଷ ଲେଖକର ଆତ୍ମସ୍ପର୍ଶ ବା ବ୍ୟକ୍ତିତ୍ୱର ମୁଦ୍ରାଙ୍କ ଉପରେ ନିର୍ଭର କରେ । ଶ୍ରୀଶଚନ୍ଦ୍ର ଦାଶଙ୍କ ଭାଷାରେ—ଜୀବନର ବୈଚିତ୍ର୍ୟ ମଧ୍ୟରେ ସ୍ୱରସଙ୍ଗତି ସଂଧାନ କରିବା ତାଙ୍କର (ମନ୍ମୟ ପ୍ରବନ୍ଧ ସ୍ରଷ୍ଟା) କାମ୍ୟ ନୁହେଁ । ସେ କେବଳ ଅପରର ଜୀବନକୁ ଦୁଇ ଚକ୍ଷୁ ଭରି ଦେଖିଯାଏ ଏବଂ ଅପରୂପର ସୌନ୍ଦର୍ଯ୍ୟ ଯେଉଁଠି ଯେତିକି ପରିମାଣରେ ବିଚ୍ଛୁରିତ, ତାହା ହିଁ ଗ୍ରହଣ କରେ ଏବଂ ଜୀବନର ଆଶା-ଆକାଙ୍‍କ୍ଷା ଓ ବେଦନା ମଧୁରତାର ବିସ୍ମୟ ରହସ୍ୟକୁ ନିଜ ଚିତ୍ତର ମମତା-ମେଦୁର ଆଲୋକ ସଂପାତରେ ଉଜ୍ଜ୍ୱଳ କରେ । (ସାହିତ୍ୟ ସନ୍ଦର୍ଶନ ପୃ୧୭୪)

 

ଇଂରାଜୀ ସାହିତ୍ୟରେ ଏ ଜାତୀୟ ବହୁ ପ୍ରବନ୍ଧ ରଚିତ ହୋଇଅଛି । ପ୍ରବନ୍ଧାକାରମାନଙ୍କ ମଧ୍ୟରେ Lamb, Chesterton, Robert Lynd ଓ K. Jerome ପ୍ରଭୃତିଙ୍କ ନାମ ଉଲ୍ଲେଖଯୋଗ୍ୟ । ବଙ୍ଗସାହିତ୍ୟରେ ଏ ଶ୍ରେଣୀର ସୁପରିଚିତ ପ୍ରାବନ୍ଧିକ ହେଉଛନ୍ତି—ରାଜନାରାୟଣ ବସୁ (ସେ କାଲ୍‍ ଆର୍‍ ଏ କାଲ୍‍), ଦ୍ୱିଜେନ୍ଦ୍ର ଲାଲ, ଚନ୍ଦ୍ରଶେଖର ମୁଖୋପାଧ୍ୟାୟ (ଉଦ୍‍ଭ୍ରାନ୍ତ ପ୍ରେମ), ବୀରେଶ୍ୱର ପାଣ୍ଡେ (ଊନବିଂଶ ଶତାବ୍ଦୀର ମହାଭାରତ), ଲଲିତ ବନ୍ଦୋପାଧ୍ୟାୟ (ରସକଥା, ବ୍ୟାକରଣ ବିଭୀଷିକା), ପ୍ରଥମ ଚୌଧୁରୀ, ମୋହିତଲାଲ ମଜୁମ୍‍ଦାର ଓ ରାଜଶେଖର ବସୁ ପ୍ରଭୃତିଙ୍କ ନାମ ଉଲ୍ଲେଖଯୋଗ୍ୟ ।

 

ଫକୀରମୋହନ ସ୍ୱକୀୟ ହାସ୍ୟ ତଥା ବ୍ୟଙ୍ଗର ସୋଚ୍ଛଳ ମଧୁର ବ୍ୟକ୍ତିତ୍ୱର ସ୍ପର୍ଶରେ ଓଡ଼ିଶାର ପାଠକମାନଙ୍କୁ କିପରି ନିକଟ-ଆପଣାର କରି ପାରିଛନ୍ତି, ତାଙ୍କର ପ୍ରତ୍ୟେକ ଉପନ୍ୟାସ ଓ ଗଳ୍ପ ତାର ଜ୍ୱଳନ୍ତ ଦୃଷ୍ଟାନ୍ତ । ସେ ଯେଉଁ ଘଟଣା ବା ସମସ୍ୟାର ରୂପ ଦେଇଛନ୍ତି, ତାହା ଏକାନ୍ତ ଭାବରେ ଓଡ଼ିଆର ସୁଖଦୁଃଖ, ଅଭାବ-ଅନଟନ, ବ୍ୟଥାନିପୀଡ଼ନ ଓ ଆଶା ନୈରାଶ୍ୟ ବ୍ୟଞ୍ଜନ ନାନା ସମସ୍ୟାମୂଳକ ଘଟଣା, ପୁଣି ଯେଉଁ ଭାଷାର ରୂପ ଦେଇଛନ୍ତି ତାହା ଓଡ଼ିଆର ଚଳନ୍ତିକା, ପ୍ରାଣର ଭାଷା । ଜୀବନକୁ ଗଭୀର ଦାର୍ଶନିକତାର ଦୃଷ୍ଟିରେ ଦେଖିବା ଆମର ଭାରତୀୟ ଲେଖକମାନଙ୍କର ବୈଶିଷ୍ଟ୍ୟ ହୋଇଥିବାରୁ ଜୀବନର ସୁଖଦୁଃଖ, ବ୍ୟର୍ଥତା ଓ ବେଦନାର ଲଘୁ ହାସ୍ୟୋଚ୍ଛଳ ରୂପ ଓ ରୂପକାରର ଏକାନ୍ତ ଅଭାବ ଭାରତ ତଥା ଓଡ଼ିଶାରେ ପରିଲକ୍ଷିତ ହୁଏ । କିନ୍ତୁ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରାକ୍‍କାଳରେ ଏହାର ବ୍ୟତିକ୍ରମ ସ୍ୱରୂପ ଫକୀରମୋହନଙ୍କର ଆର୍ବିଭାବ କଥାସାହିତ୍ୟ ଓ ମନ୍ମୟ ପ୍ରବନ୍ଧ କ୍ଷେତ୍ରରେ ଭବିଷ୍ୟତର କି ଆଶା ଓ ସମ୍ଭାବନା ମୁକୁଳିତ କରିଛି ଏବଂ କିପରି ବଳିଷ୍ଠ ଦିଗ୍‍ ନିର୍ଦ୍ଦେଶ ଦେଇଛି, ତାଙ୍କର ପ୍ରତ୍ୟେକ ରଚନା ଏହାର ଜ୍ୱଳନ୍ତ ପ୍ରମାଣ ।

 

ଫକୀରମୋହନ ତାଙ୍କର ‘ନନାଙ୍କ ପାଞ୍ଜି’ରେ ଓଡ଼ିଆ ସାହିତ୍ୟର ଦୂରବସ୍ଥା, ସାମାଜିକ ଜୀବନ, ଶାସନ, ଇଂରାଜୀ ଶିକ୍ଷାପ୍ରାପ୍ତ ଜାତୀୟ ସାହିତ୍ୟ ତଥା ସଂସ୍କୃତିବିରୋଧୀ ଯୁବକର ଚିତ୍ତ ଓ ବିଭିନ୍ନ ସମସ୍ୟାକୁ ସ୍ୱକୀୟ ଭଙ୍ଗୀରେ ରୂପ ଦେବାକୁ ଯାଇ ନିଜର ଅନୁଭୁତିସ୍ନିଗ୍‍ଧ ସରସ ହାସ୍ୟ ତଥା ବ୍ୟଙ୍ଗ ମଧୁର ଆତ୍ମସ୍ପର୍ଶରେ ପାଠକର ଚିତ୍ତ ଆଲୋଡ଼ିତ କରିବା ସଙ୍ଗେ ସଙ୍ଗେ ନିଜର ସଂସ୍କାର-ପ୍ରାଣର ଅନ୍ତରଙ୍ଗ ପରିଚୟ ଦାନ କରିଛନ୍ତି ।

 

ପାଞ୍ଜିର ପ୍ରଥମ ଛତ୍ରରେ ଲେଖକ ଓଡ଼ିଶାର ତତ୍‍କାଳୀନ ସାହିତ୍ୟିକ ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି । ଇଂରାଜୀ ଶିକ୍ଷିତ ପାଠକମାନଙ୍କର ଦେଶୀ ସାହିତ୍ୟପ୍ରତି ବିଶେଷତଃ ଅଶ୍ଳୀଳତା ନାମରେ ଭଞ୍ଜସାହିତ୍ୟ ପ୍ରତି ସେମାନଙ୍କର ନାସିକା କୁଞ୍ଚନ ଓ ବିଦେଶୀ କାବ୍ୟ-ଉପନ୍ୟାସ ପ୍ରତି ଅଯଥା ମୋହକୁ ବ୍ୟଙ୍ଗ କରିବାକୁ ଯାଇ ଫକୀରମୋହନ ଲେଖିଛନ୍ତି— ‘ଉପେନ୍ଦ୍ରଭଞ୍ଜ ଚନ୍ଦ୍ର ଉଦିଆ-ଆଲୁଅର ଭାରି ଯମକ, ଭାରି ତେଜ, ମାତ୍ର ଭାରି ଧୂଆଁ । ସେ ଧୂଆଁ ବାବୁମାନଙ୍କ ନାକରେ ପଶିବାରୁ ନାକ ବୁଜି ଧରି କହିଲେ, ଛିଁ ଛିଁ—ଗନ୍ଧ—ଗନ୍ଧ—ଅଶ୍ଳୀଳ । ବାବୁମାନେ ନିର୍ଧୂମ ଗ୍ୟାସ ଆଲୁଅ, ହରିକେନ ଲଣ୍ଠନ ଆଲୁଅ ଦେଖିଲେଣି । ଚନ୍ଦ୍ର ଉଦିଆରେ ମନ କିଆଁ ରସିବ ? କିନ୍ତୁ ବିଦେଶୀ କାବ୍ୟ, ନଭେଲ ଲଣ୍ଠନ ଭିତରେ କିରୋସିନି ଗନ୍ଧ ଅଛି, ବାବୁମାନଙ୍କର ତେତେ ଗହୀରକୁ ଚାଷ କାହିଁ ? ହେଲା ଗ୍ୟାସ ଆଲୁଅ, ହରିକେନ ଲଣ୍ଠନ ଆଲୁଅ ଦେଖିଲେଣି । ଚନ୍ଦ୍ର ଉଦିଆରେ ମନ କିଆଁ ରସିବ ? କିନ୍ତୁ ବିଦେଶୀ କାବ୍ୟ, ନଭେଲ ଲଣ୍ଠନ ଭିତରେ କିରୋସିନି ଗନ୍ଧ ଅଛି, ବାବୁମାନଙ୍କର ତେତେ ଗହୀରକୁ ଚାଷ କାହିଁ ? ହେଲା ଗ୍ୟାସ ଲଣ୍ଠନ ଭଲ, ନିର୍ଧୁମ ଆଲୁଅ । ମାତ୍ର ସେଥିରେ ତୁମର କ’ଣ ବାବୁ ? ‘ପରଲୁଗା ପିନ୍ଧି ଯାତକୁ ଯାଇ, ଲୋକେ ପଚାରିଲେ ମୁଣ୍ଡ ହଲାଇ ।’ ଯାହା ଆଲୁଅରେ ନାଚି କୁଦି ହେଉଛି, ସେ ଗାଲରେ ଚାପୁଡ଼ା ମାରି ଛଡ଼ାଇ ନେଲେ କ’ଣ କରିବ ? ଆଗେ ନିଜେ ଗ୍ୟାସ ଆଲୁଅ ବାହାର କର, ତେଣିକି ପଛେ ଚନ୍ଦ୍ରଉଦିଆ ଫୋପାଡ଼ିଦେବ । ଜାତୀୟ ସାହିତ୍ୟର ଉନ୍ନତି ପାଇଁ ଲେଖକଙ୍କ ପ୍ରାଣର ବ୍ୟାକୁଳତା, ତାଙ୍କର ଗଭୀର ଦେଶପ୍ରୀତି ଉଦ୍ଧୃତଟିରେ ଲକ୍ଷ୍ୟ କରିବାର କଥା । ପ୍ରାଚୀନ କବି ଜଗନ୍ନାଥ, ଦୀନକୃଷ୍ଣ, ଉପେନ୍ଦ୍ର ଓ ଅଭିମନ୍ୟୁଙ୍କର ମହତ୍ତ୍ୱ ସଂପର୍କରେ ଉଲ୍ଲେଖ କରି ସେତେବେଳେ ପ୍ରକାଶ ପାଉଥିବା ଦୀପିକା, ହିତୈଷିଣୀ ଓ ଉତ୍କଳପ୍ରଭା ପ୍ରଭୃତି ପତ୍ର-ପତ୍ରିକା କି ଆଶା ଓ ସମ୍ଭାବନାର ପଥ ଉନ୍ମୋଚିତ କରିଛନ୍ତି, ଲେଖକ ତାର ସୂଚନା ଦେଇଛନ୍ତି । ପୁଣି କବିତା ପ୍ରତି ପାଠକମାନଙ୍କର ଅଶ୍ରଦ୍ଧା ଏବଂ ପ୍ରତିଷ୍ଠା ଓ କବିତା ପ୍ରକାଶ ପାଇଁ ବ୍ୟାକୁଳତା ସେତେବେଳକାର ଶସ୍ତାଦରର କବିମାନଙ୍କର ଅର୍ଥଲାଳସା ତଥା ହୀନ-ମନୋବୃତ୍ତିକୁ ଶାଣିତ ଭାବରେ ବ୍ୟଙ୍ଗ କରିବାକୁ ଯାଇ ଲେଖିଛନ୍ତି—‘‘ଓଡ଼ିଆ କବିଙ୍କ ସାଙ୍ଗରେ ତୁଳିବାକୁ ହୀନମନ୍ୟ ଜନ୍ତୁ ଆଉ ଅଛନ୍ତି କି ନାହିଁ, କଲିକତା ଜୁଆଲିଜିକେଲ ତୋଟାରେ ଥରେ ଖୋଜିବାକୁ ମୋହର ଇଚ୍ଛା ଅଛି । ଏମାନଙ୍କ ଦୁର୍ଦ୍ଦଶା ଦେଖି ହାସ୍ୟ-କରୁଣ-ବିମିଶ୍ର ଏକ ଅପୂର୍ବ ଭାବ ମନରେ ଉଦିତ ହୁଏ । କବିତ୍ୱଗୁଡ଼ାକ ମନରେ ଠେସି ଉଠିଲା; ସମ୍ଭାଳି ନ ପାରି ଲେଖିପକାଇଲେ । ଛାପା ଅକ୍ଷର ଦେଖି ତ ସ୍ୱର୍ଗପ୍ରାପ୍ତି ! ଏଣେ ଛାପାଖାନା ପିଆଦା ଅଣ୍ଟାଭିଡ଼େ–କବିତା ପଢ଼ିବାକୁ କେହି ନାହିଁ; ସୁତରାଂ ମୁଁ ଯେ ଜଣେ କବି, ଏ କଥା କେହି ଜାଣିଲେ ନାହିଁ । ଦୁର୍ଦ୍ଦଶା ଧୋଉଣୁ ଶୁଖୁଣୁ ନ ସରେ । ବର୍ତ୍ତମାନ ମୟୁରଭଞ୍ଜରେ ସଦାବ୍ରତ—ବିନା ପଇସାରେ କବିତା ଛାପା—ତାହା ଉପରେ ଦକ୍ଷିଣା–ଅମୃତ–ମାହେନ୍ଦ୍ର–ଶୁଭଯୋଗ–ତ୍ରାହସ୍ପର୍ଶ । ଆଷାଢ଼ିଆ ପାଣି ପାଇ ବାହ୍ମୁଣି ବେଙ୍ଗ ପରି ଓଡ଼ିଶାର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ କବିମାନେ ରଡ଼ି ଛାଡ଼ିଲେ ।’’ କବିମାନଙ୍କୁ ବନ୍ଧାକବି, ଉଲ୍ଲୁକବି ଓ ଫୁଲକବି ଏହି ତିନି ଶ୍ରେଣୀର ହାସ୍ୟଛଳରେ ବିଭକ୍ତ କରି ରାଧାନାଥ ଓ ମଧୁସୁଦନଙ୍କୁ ବନ୍ଧାକବି ଏବଂ ଇତର କବିମାନଙ୍କୁ ଫୁଲକବି ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛନ୍ତି (କଢ଼ ଫୁଟିବା ଯାଏଁ ଯେଉଁମାନେ ଶେଷ ପାଇଯାନ୍ତି); ଅତି ନିଷ୍କପଟ ଭାବରେ ନିଜକୁ (ଧୂର୍ଜଟୀ ଓରଫ ଫକୀରମୋହନ) ଉଲ୍ଲୁକବି ଶ୍ରେଣୀର ଅନ୍ତର୍ଭୁକ୍ତ କରି ରସିକତାର ସଂକେତରେ କହିଛନ୍ତି, ‘‘ଧୂର୍ଜଟୀ ଭଳିଆଙ୍କୁ ଉଲୁକବି ଶ୍ରେଣୀରେ ଧର । ଗଣି ପୋଛି ଧାଡ଼ି ଧାଡ଼ି ଅକ୍ଷର ବସାଇବାରେ ଖୁବ୍‍ ଟାଣ ଭାବରେ ଗାମ୍ଭୀର୍ଯ୍ୟ ଅତଳସ୍ପର୍ଶ, ଶବ୍ଦଲାଳିତ୍ୟ ତଥୈବଚ ! ଅଥଚ ମନ୍ଦଃ କବି ଯଶଃ ପ୍ରାର୍ଥୀ ।’’ ପୁଣି ଟଙ୍କା ପଇସାରେ କବିତାର ବିକାକିଣା ଲକ୍ଷ୍ୟ କରି ଲେଖକ ଶାଣିତ ବ୍ୟଙ୍ଗ ପ୍ରୟୋଗ କରି ଲେଖିଛନ୍ତି—‘‘ ଗୋଟାଏ ପାହାଡ଼ିଆ କବିତାରେ ବନ୍ଧାକବିଙ୍କ ନାମରେ ଟିକସ ଲଗାଇ ଦେଇ ନାନା ଆଗକରି ଶଏ ଟଙ୍କା ଅଣ୍ଟିରେ ଖୋସିଦେଲେ । ବ୍ରାହ୍ମଣମାନେ ସ୍ୱଜାତି ହିଂସ୍ରକ, ଏ କଥାଟା ଠିକ୍‍ । ବାମଡ଼ାକୁ ନୀଲୁ ଗୋସାଇଁ (ନୀଳମଣି ବିଦ୍ୟାରତ୍ନ) ଡାକିଦେଲେ, ଆରେ ଶଠ—ଏ କ’ଣ ? ମାଙ୍କଡ଼ାପଥରିଆ କବିତାଟାର ଦକ୍ଷିଣା ଶଏ ଟଙ୍କା ? ମୁଁ ତ ହେଲି ସଭାରତ୍ନ, ମୁଁ ଥାଉଁ ଥାଉଁ ପଦାଲୋକେ ଟଙ୍କା ବାନ୍ଧିନେବେ ? ଲଗାଓ ତଣ୍ଟିଆ, ବାହାର କର କବିମାନଙ୍କୁ ।’’

 

‘ଜ୍ଞାନଗଛର ଫଳ’ ରଚନାରେ (ଉତ୍କଳସାହିତ୍ୟ, ଦ୍ୱିତୀୟ ଖଣ୍ଡ ତୃତୀୟ ସଂଖ୍ୟା) ଲେଖକ ଦେଶୀୟ ପତ୍ର-ପତ୍ରିତା ପ୍ରତି ଇଂରାଜୀ ଶିକ୍ଷିତ ଓଡ଼ିଆ ପାଠକମାନଙ୍କର ଅନାଦୃତି ଓ ଇଂରାଜୀ ପତ୍ରିକା ପ୍ରତି ଆଦର ଏବଂ ବିଦେଶୀୟମାନଙ୍କର ଏହା ପ୍ରତି ଆଦୃତି ସଂପର୍କରେ ବାଇବେଲର ଆଦାମ ଓ ଇଭ୍‍ କାହାଣୀ ରୂପକ ଛଳରେ ସୂଚିତ କରି ଓଡ଼ିଶାର ତତ୍‍କାଳୀନ ପ୍ରସିଦ୍ଧ ‘ଉତ୍କଳ ସାହିତ୍ୟ’ ପତ୍ରିକା ପ୍ରତି ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

 

ଉତ୍କଳ ସାହିତ୍ୟର ଦ୍ୱିତୀୟ ଖଣ୍ଡ, ଚତୁର୍ଥ ସଂଖ୍ୟାରେ ପ୍ରକାଶିତ ‘ଅତି ହୋମ’ ଶୀର୍ଷକ ରଚନାକୁ ଲେଖକ ଭାଗବତର ଲାଳିକା (Parody) ଛନ୍ଦରେ (ଗଦ୍ୟ ଓ ପଦ୍ୟରେ) ‘ଗୁପ୍ତଭାଗବତ ନାମରେ’ ପ୍ରକାଶ କରି ଶୁକ ପରୀକ୍ଷିତ ସମ୍ୱାଦ ଛଳରେ (ଲେଖକଙ୍କ ଭାଷାରେ ଉକ୍ତ ମହାଗ୍ରନ୍ଥକୁ ଶୂକଦେବ) ତାଙ୍କ ଆଶ୍ରମ ଚାଳରେ ଖୋସିଦେଇଥିଲେ । ନନା ବାଇମାହାନ୍ତି ବହୁ ଅନୁସନ୍ଧାନ ପରେ ଏହାକୁ ଆବିଷ୍କାର କରି କଳିଯୁଗର ପତିତ ଲୋକଙ୍କ ଉଦ୍ଧାର ପାଇଁ ତା’ର ସଂଜୀବନ ନାମକ ଅନୁବାଦ ପ୍ରକାଶ କରିଥିଲେ, ବାରବାଟୀରେ ସାହେବଙ୍କ ଦ୍ୱାରା ଅନୁଷ୍ଠିତ At home (ଯା’ର ବିକୃତ ରୂପ ଅତି ହୋମ) ପ୍ରସଙ୍ଗ ଉଲ୍ଲେଖ କରି ତାଙ୍କର ଉତ୍ସାହରେ ଦେଶୀୟ ଲୋକଙ୍କ ଦ୍ୱାରା ପ୍ରତିଷ୍ଠିତ National Bank (ନ୍ୟତସନ ବକ୍ତ) ପ୍ରସଙ୍ଗ ସୂଚିତ କରିଛନ୍ତି । ଏଥିରେ ବନ୍ୟାକ୍ଳିଷ୍ଟ ଉତ୍କଳୀୟମାନଙ୍କର ଦୁର୍ଦ୍ଦଶା ଓ ଦାରିଦ୍ର୍ୟ ସମ୍ପର୍କରେ ଉଲ୍ଲେଖ କରି ସେମାନଙ୍କ ମନୋବୃତ୍ତିକୁ ବ୍ୟଙ୍ଗ କରିଛନ୍ତି ଏବଂ ବ୍ୟାଙ୍କର ଲବ୍‍ଧ ଅର୍ଥରେ ଅର୍ଥକାରୀ କୃଷିର ବିକାଶ, ଲୁପ୍ତପ୍ରାୟ ଉତ୍କଳୀୟ ଶିଳ୍ପର ପୁନରୁଦ୍ଧାର ଓ ବାଣିଜ୍ୟର ପ୍ରସାରରେ ସେମାନଙ୍କର ଆର୍ଥିକ ଉନ୍ନତିର ସୂଚନା ଦେଇ ଭାଗବତର ଲଳିକାରେ ତାର ଫଳଶ୍ରୁତି ଉଲ୍ଲେଖ କରି ରଚନାଟି ଉପଭୋଗ୍ୟ କରିଛନ୍ତି । ଫଳଶ୍ରୁତିରୁ କେତୋଟି ପଦ ଉଦ୍ଧାର କରାଗଲା, ଯଥା—

 

‘‘ଏତେକ ବୋଲି ଭଗବାନ, ଶୂନ୍ୟରେ ହେଲେ ଅନ୍ତର୍ଦ୍ଧାନ ।

ଗୁପତେ ଭାଗବତ କଥା, ଶୁଣିଲେ ମରେ ଦେହୁ ବ୍ୟଥା ।

ଯେ ଲୋକ ପଇସାର ରଙ୍କା, ପାଇବ ପଣ ପଣ ଟଙ୍କା ।

ଅପତ୍ୟ ନାହିଁ ଯାହା ଘରେ, ତା ପୁଅ ଡେଇଁବ ଦାଣ୍ଡରେ ।

X X X

ଅମାନ୍ୟ କରିବ ଯେ ଗୀତ, ଦଣ୍ଡ ପାଇବ ସମୁଚିତ ।

ନିଶ୍ଚେ ସେ ବୁଢ଼ାହେବ କାଳେ, ପାଚିଣ ଯିବ ମୁଣ୍ଡବାଳେ ।

ଖସି ପଡ଼ିବ ଦାନ୍ତମାନ, ଚୋବାଇ ନ ପାରିବ ପାନ ।

ଅମାନ୍ୟ କଲେ ଗୀତ ଶୁଣି, ମୁଣ୍ଡରେ ଚରିବେ ଉକୁଣି ।

ନ କର ଗ୍ରନ୍ଥ ଉପହାସ, ଗୀତେ ଭଣିଲେ ବେଦବ୍ୟାସ ।

ବାଇ ମହାନ୍ତି ଅନୁବାଦ, ଶ୍ରବଣେ ତୁଟଇ ପ୍ରମାଦ ।

 

ଆମର ଦେଶର ଲୋକମାନଙ୍କର ମାସିକ ପତ୍ରପତ୍ରିକା ପ୍ରତି ଆଗ୍ରହର ଅଭାବ ଓ ଗ୍ରାହକମାନେ ସମ୍ପାଦକଙ୍କ ପତ୍ରିକାର ଦାମ ଦେବାରେ ହଇରାଣ କରିବା ଲକ୍ଷ୍ୟ କରି ଫକୀରମୋହନ କିପରି କ୍ଷୋଭପ୍ରକାଶ କରିଛନ୍ତି ତାହା ଧର୍ମବକଙ୍କର ଯୁଧିଷ୍ଠିରଙ୍କୁ ସଓ୍ୱାଲ କରିବା ପ୍ରସଙ୍ଗରୁ ଜଣାଯାଏ । ସଂସ୍କୃତ ମହାଭାରତର ବନପର୍ବରେ ଯକ୍ଷଙ୍କର ‘କିମାଶ୍ଚର୍ଯ୍ୟମ୍‍’ ପ୍ରଶ୍ନର ଉତ୍ତରର ଲାଳିକା କରିବାକୁ ଯାଇ ଲେଖକ ଲେଖିଛନ୍ତି—

 

‘‘ଡାକରେ ପଠାଇ ଦେଇ ‘ଉତ୍କଳ ସାହିତ୍ୟ’,

ସଂପାଦକ ଚିଠି ଲେଖୁଛନ୍ତି ନିତ୍ୟ ନିତ୍ୟ ।

ଗ୍ରାହକ ଦେବାକୁ ମୂଲ୍ୟ କରେ ହର ବରଂ,

ଆହେ ଧର୍ମବକ କିମାଶ୍ଚର୍ଯ୍ୟ ମତଃ ପରମ୍‍ ।

 

ସିରାଜଉଦ୍ଦୌଲାଙ୍କ ଚାଟଶାଳୀ ଏବଂ ଗୁରୁଦକ୍ଷିଣାରେ ଲେଖକ ସିରାଜଙ୍କ ନିଷ୍ଠୁରତା ପ୍ରତିପାଦିତ କରିବା ପାଇଁ ଯେଉଁ ଘଟଣାମୂଳକ ବକ୍ରୋକ୍ତିର (Irony of situation) ସଙ୍କେତ ଦେଇଛନ୍ତି, ତାହା ଯେ କୌଣସି ପାଠକର ଦୃଷ୍ଟି ଆକର୍ଷଣ କରିବ । ସିରାଜଙ୍କ ଗୁରୁ ମୌଲବୀ କୁଲି ଖାଁ ପାଠ ନ ଆସିବାରୁ ସିରାଜଙ୍କୁ ପିଲାଦିନେ ଦୁଇ ବେତ ଦେଇଥିଲେ । ସିରାଜ ନବାବ ହେଲା ପରେ ମୌଲବୀଙ୍କୁ ତଲବ କଲେ । ନବାବଙ୍କ ତଲବ ଲକ୍ଷ୍ୟକରି ଲୋକମାନେ ଭାବିଲେ—ମୌଲବୀ କିଛି ନା କିଛି ବଡ଼ ପଦବୀଟାଏ ପାଇବେ । ଦିନକ ପାଇଁ ତାଙ୍କ ଦୁଆରକୁ ଲୋକ ଆସନ୍ତି ନାହିଁ, କିନ୍ତୁ ଆଜି ତାଙ୍କ ଦୁଆରେ ପଲ ପଲ ଲୋକ । ଲେଖକଙ୍କ ଭାଷାରେ—‘‘ଆଜି ପଲ ପଲ ଜମା ହୋଇ ମିଆଁଣୀଙ୍କୁ ସଲାମ୍‍ କରି ତାହାଙ୍କ ନଶିବ୍‍ ଫେରିବ ଏବଂ ସେ ଯେ ହାତୀରେ ଚଢ଼ି ଦରବାରରୁ ଫେରିବେ ଇତ୍ୟାଦି କଥା ଜଣାଉ ଅଛନ୍ତି ।’’ ଏଣେ କୁଲିଖାଁ ଦରବାରରେ ଉପସ୍ଥିତ ହେବା ମାତ୍ରେ (ସିରାଜଙ୍କ ଗୁରୁଭକ୍ତି ଶେଷରେ ଲକ୍ଷ୍ୟ କରନ୍ତୁ) ନବାବ ସାହେବ ତାହାଙ୍କୁ ଅନାଇ ଗମ୍ଭୀର ସ୍ୱରରେ କହିଲେ, କିରେ ! ଆମ୍ଭଙ୍କୁ ପାଠ ନ ଆସିବାରୁ ଦୁଇ ବେତ ପିଟିଥିଲୁ, ତୋର ୟାଦ୍‍ ଅଛି ତ ? ଆମ୍ଭେ ଯେ ନବାବ ହେବୁଁ, ଏ କଥା ତୋତେ ଜଣା ନ ଥିଲା ପରା ! ଜହ୍ଲାଦ—ଇସକୁ ଦୋ ଟୁକରା କର ।’’

 

ପୂର୍ବୋକ୍ତ ଆଲୋଚନା ଓ ଉଦ୍ଧୃତିଗୁଡ଼ିକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଲେଖକଙ୍କର ଗଭୀର ଅନୁଭୂତିସମୃଦ୍ଧ ବ୍ୟକ୍ତିତ୍ୱର ଅନ୍ତରଙ୍ଗ ସ୍ପର୍ଶ ଓ ରସିକତା ପୂର୍ଣ୍ଣ ମନୋଜ୍ଞ ଭଙ୍ଗୀରେ ପାଠକ ପ୍ରସଙ୍ଗର ଗାମ୍ଭୀର୍ଯ୍ୟଜନିତ ନିରସତା କେଉଁଠାରେ ଉପଲବ୍‍ଧ କରେନା । ସାହିତ୍ୟିକ ପରିସ୍ଥିତି ଜାତୀୟ ଜୀବନ ଓ ଦେଶର ବିଭିନ୍ନ ସମସ୍ୟାର (ଦାରିଦ୍ର୍ୟ, ଦାସତ୍ୱ ମନୋବୃତ୍ତି, ପାଶ୍ଚାତ୍ୟ ଶିକ୍ଷା ତଥା ସଭ୍ୟତା ପ୍ରତି ଅଯଥା ମୋହ, ନୈତିକ ଶିଥିଳତା) ହାସ୍ୟ ତଥା ବ୍ୟଙ୍ଗୋଚ୍ଛଳ ଚିତ୍ରଣ ପାଠକଚିତ୍ତରେ ଲଘୁହାସ୍ୟ ପରିବେଷଣର ଭ୍ରାନ୍ତି ଜାତକଲେ ମଧ୍ୟ ଲେଖକଙ୍କର ପ୍ରଚ୍ଛନ୍ନ ବେଦନାବୋଧର ନୈସର୍ଗିକ ମାଧୁର୍ଯ୍ୟ ଆସ୍ୱାଦନ କରିବାର କଥା । ଏ ଜାତିର ଅନ୍ତରଙ୍ଗ ରୂପକାର ଭାବରେ ଜାତିର ତ୍ରୁଟିବିଚ୍ୟୁତି ଆତ୍ମୀୟ ଭାବରେ ସରସ ଭଙ୍ଗୀରେ ଦେଖାଇ ଦେଇ ତା’ର ସଂସ୍କାର ପାଇଁ ଫକୀରମୋହନ ଯେଉଁ ବ୍ୟାକୁଳତାର ସଂକେତ ଦେଇଛନ୍ତି ତା’ରି ମଧ୍ୟରେ ତାଙ୍କର କମ୍ପମାନ ବ୍ୟକ୍ତିଚିତ୍ତର ସାର୍ଥକ ଅଭିବ୍ୟକ୍ତି ଘଟିଛି ।

 

ତାଙ୍କ ରଚନାରେ ଗୁରୁ ବସ୍ତୁରେ ଲଘୁ କଳ୍ପନା, ତାର ରୂପାୟନ ପାଇଁ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାଷା ସହ ଲଘୁ ଭାଷାର ବ୍ୟବହାର, ଶ୍ଳେଷ ବକ୍ରୋକ୍ତି, ବ୍ୟଞ୍ଜନା ଓ ଲାଳିକାମଣ୍ଡିତ ଗଳ୍ପ ଉପନ୍ୟାସସୁଲଭ ଅପୂର୍ବ ବାଣୀ ଭଙ୍ଗୀ ତାଙ୍କର ସ୍ୱକୀୟତାର ସ୍ୱାକ୍ଷର ବହନ କରି ପାଠକଚିତ୍ତରେ ସ୍ଥାୟୀ ମୁଦ୍ରା ଅଙ୍କନ କରେ ।

 

ଫକୀରମୋହନଙ୍କର ଏ ପ୍ରକାର ପ୍ରବନ୍ଧର ଆଦର୍ଶ ଓ ବାଣୀଭଙ୍ଗୀ କିପରି ଗୋପାଳ ପ୍ରହରାଜଙ୍କ ‘ବାଇ ମହାନ୍ତି ପାଞ୍ଜି’ ଓ ‘ନନାଙ୍କ ବସ୍ତାନି’ ପ୍ରଭୃତି ରଚନାରେ ପୂର୍ଣ୍ଣ ପ୍ରତିଫଳିତ ହୋଇଛି, ତାର ସୂଚନା ପୂର୍ବରୁ ଦିଆଯାଇଛି । ଯେଉଁ କାଳ୍ପନିକ ଚରିତ୍ର ବାଇ ମହାନ୍ତି ଓ ତାଙ୍କର ପାଞ୍ଜି ସମ୍ପର୍କରେ ଫକୀରମୋହନ ତାଙ୍କର ‘ନନାଙ୍କ ପାଞ୍ଜି’ରେ ସୂଚିତ କରିଛନ୍ତି, ସେଇ ବାଇ ମହାନ୍ତିଙ୍କୁ ଉପଲକ୍ଷ୍ୟ କରି ( କଳ୍ପନିକ ବାଇ ମହାନ୍ତି ଚରିତ୍ର କେବଳ ଉପଲକ୍ଷ୍ୟ ମାତ୍ର, ନିଜେ ଲେଖକ ବାଇ ମହାନ୍ତି ରୂପେ ଆତ୍ମପ୍ରକାଶ କରିଛନ୍ତି) ଗୋପାଳ ପ୍ରହରାଜ ସ୍ତ୍ରୀ ଶିକ୍ଷା, ଇଂରାଜୀ ଶିକ୍ଷିତ ଯୁବକଙ୍କର ପାଶ୍ଚାତ୍ୟ ମୋହ ଓ ସହରୀ ମନୋବୃତ୍ତି; କୁ-ସଂସ୍କାରଗ୍ରସ୍ତ ବ୍ରାହ୍ମଣ ସମାଜର ବର୍ଣ୍ଣାଭିଜାତ୍ୟ, ବିଳାସପ୍ରିୟ ରାଜା, ଓକିଲ ମୋହରିରଙ୍କର ଟରଣିଗିରି ଏବଂ ବିଭିନ୍ନ ସାମାଜିକ ତ୍ରୁଟିବିଚ୍ୟୁତିକୁ ବ୍ୟଙ୍ଗ ଓ ବିଦ୍ରୁପ କରି ଫକୀରମୋହନଙ୍କ କଳ୍ପନା ତଥା ଆଦର୍ଶକୁ ପରିସ୍ଫୁଟ କରିଛନ୍ତି-। ଫକୀରମୋହନଙ୍କ ସୂଚନାତ୍ମାକତା ଶ୍ଳେଷ ଓ ବକ୍ରୋକ୍ତି ମଣ୍ଡିତ ସରସ ହାସ୍ୟମଞ୍ଜୁଳ ବାଣୀଭଙ୍ଗୀ ଏବଂ ଲଘୁ ଓ ଗୁରୁ ଭାଷାର ବିଚିତ୍ର ସମାବେଶର ପ୍ରଭାବ ପ୍ରହରାଜଙ୍କ ରଚନାରେ ଛତ୍ରେ ଛତ୍ରେ ପରିଲକ୍ଷିତ ହୁଏ । ପ୍ରହରାଜଙ୍କ ଉପରେ ଫକୀରମୋହନଙ୍କର ପ୍ରଭାବରେ କେତୋଟି ଦୃଷ୍ଟାନ୍ତ ଦିଆଯାଉ । ଆଲୋଚନାର ପ୍ରଥମାଂଶରେ ଉଦ୍ଧୃତ ଫକୀରମୋହନଙ୍କର ବାଇ ମହାନ୍ତିଙ୍କ ପରିଚୟ ଓ ପ୍ରହରାଜଙ୍କ ବାଇ ମହାନ୍ତିଙ୍କ ପରିଚୟ କିପରି ଏକପ୍ରକାର ଦେଖନ୍ତୁ । ପ୍ରହରାଜ ଲେଖିଛନ୍ତି—ଅଧୁନାତନ ତତ୍ତ୍ୱ ଗବେଷଣା ନିମନ୍ତେ ଜଣେ ଉପଯୁକ୍ତ ଶିକ୍ଷିତ ଲୋକ ନ ମିଳିବାରୁ ସେଥିନିମନ୍ତେ ଶ୍ରୀ ବାଇଧର ମହାନ୍ତି (ଡାକନାମ ବାଇ ମହାନ୍ତି)ଙ୍କୁ ମନୋନୀତ କରିଅଛୁଁ । ତାଙ୍କର ପୁରୁଣାକାଳିଆ ମାଟିବଂଶ ଅବଧାନିଆ ପାଠପଢ଼ା । ସେ ତାଳପତ୍ର ଛଡ଼ା କାଗଜ କଲମର କଡ଼ାଏ ଧାରନ୍ତି ନାହିଁ ଆମ୍ଭେମାନେ ତାଙ୍କୁ ଅଧୁନାତନ ତତ୍ତ୍ୱ ଗବେଷଣାକାର୍ଯ୍ୟରେ ପ୍ରାୟ ବର୍ଷେ ହେଲା ନିଯୁକ୍ତ କରିଅଛୁଁ-।’ ଦିନେ କାର୍ଯ୍ୟୋପଲକ୍ଷରେ ସହରକୁ ଆସିଥିଲୁଁ, ସେଠାରେ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକଙ୍କ ସଙ୍ଗେ ସାକ୍ଷାତ ହେବାରୁ ସେ ଆମ୍ଭମାନଙ୍କର ବିଡ଼ାଏ ପାଞ୍ଜି ତନ୍ନ ତନ୍ନ ଦେଖି ଆମ୍ଭମାନଙ୍କୁ ଉପଦେଶ ଦେଲେ ଯେ, ବାଇ ମହାନ୍ତିଙ୍କର ପୁରୁଣା ଧରଣର ଲେଖାକୁ ଓ ଭାଷାକୁ ଆଧୁନିକ ଲେଖାରେ ଓ ଭାଷାରେ ଲେଖିଦେଲେ ସେ ତାଙ୍କ ପତ୍ରିକାରେ ସମୟ ସମୟରେ ପୃଷ୍ଠାଏ ଦୁଇପୃଷ୍ଠା ସ୍ଥାନ ଦେଇପାରନ୍ତି ।

 

କୁସଂସ୍କାରଗ୍ରସ୍ତ ବିଦ୍ୟାଶୂନ୍ୟ ରକ୍ଷଣଶୀଳ ବ୍ରାହ୍ମଣ ସମାଜ ଓ ନବ୍ୟ ସଭ୍ୟତା ପ୍ରତି ଫକୀରମୋହନଙ୍କ ବିଦ୍ରୁପ ଭଙ୍ଗୀ କିପରି, ପ୍ରହରାଜଙ୍କ ଦ୍ୱାରା ଅବିକଳ ଅନୁସୃତ ନିମ୍ନୋକ୍ତ ଉଦାହରଣ ଲକ୍ଷ୍ୟ କରନ୍ତୁ । ଛ’ମାଣ ଆଠଗୁଣ୍ଠରେ ଫକୀରମୋହନ ଲେଖିଛନ୍ତି—‘ପାଣିଗ୍ରାହୀ ଭାଗ ବାଟିକ ମିଶି ଶାସନ ଭାଗ ଜମି ପାଞ୍ଜଶ ମାଣ । ତ୍ରିକାଳ ସଂଧ୍ୟାରେ ଆଶୀର୍ବାଦ କରି ଜମି ଭୋଗ ଦଖଲ କରିବା ନିମନ୍ତେ ମରହଟ୍ଟା ସୁବାଦାର ତମ୍ୱାପାତିଆ ସନନ୍ଦ ଦେଇ ଅଛନ୍ତି । x x x ଶାସନ ଭାଗ ପାଞ୍ଚଶ ମାଣ ଭିତରୁ ଦଶବର୍ଷ ମଧ୍ୟରେ ଚାରିଶ ମାଣ ବିକାଭଙ୍ଗା ସରିଲାଣି । ‘‘ପିଣ୍ଡିଠାରୁ ଦଶ ପନ୍ଦର ହାତ ଛାଡ଼ି କେତେଗୁଡ଼ିଏ ଗଜା ଭଳିଆ ନଡ଼ିଆଗଛ, ମୂଳ ସଫା ସୁତୁରା । ସେଇଟା ଗୋସାଇଁମାନଙ୍କ ବୈଠକଜାଗା । ନାସ ଶୁଙ୍ଘା, ଭାଙ୍ଗଘୋଟା, ଯଜମାନ ଘର କଥା, ଅରଜନ କଥା ଇତ୍ୟାଦି ଇତ୍ୟାଦି କଥାମାନ ସେଇଠାରେ ସମାଧାନ ହୁଏ ।’’ ପ୍ରହରାଜଙ୍କ ବାଇ ମହାନ୍ତି ପାଞ୍ଜିର ନବମ ବିଡ଼ାରେ ଦେଖନ୍ତୁ—‘‘ଯେଉଁ ରାଜାମାନେ ଶାସନର ବ୍ରାହ୍ମଣମାନଙ୍କ ପିଛା ବାଟି ବାଟି ଲାଖରାଜ (ନିଷ୍କର ଓ ଟଙ୍ଗିବୃତ୍ତି ଖଞ୍ଜି ଯାଇଥିଲେ, ସେମାନଙ୍କ ସ୍ଥୂଳବୁଦ୍ଧିକୁ ଏ ବେଦାନ୍ତ ବାକ୍ୟର ମର୍ମ ପ୍ରବେଶ କରିପାରି ନଥିଲା x x x ଅତଏବ ପାଞ୍ଚି ପାଞ୍ଚି ନନାଏ ସେ ସମ୍ପତ୍ତିତକ ହସ୍ତାନ୍ତର କରିବା ଉପାୟ ସ୍ଥିର କଲେ । ସେଥିରେ ସହଜ ଉପାୟ–ମରିଚ ପାଣି (ଡାକନାମ ପାଚକ ପାଣି) ଚୁଡ଼ା ଘଷା, କଦଳୀ ଚକଟା, ଜାଗାଘର ଓ ଗଞ୍ଜପା ।’’ ନବ୍ୟ ସଭ୍ୟତାକୁ ବିଦ୍ରୁପ କରି ଫକୀରମୋହନ ଲେଖିଛନ୍ତି—‘‘ଆଜିକାଲି ପହିଲି ଆଷାଢ଼ର ମହାନଦୀର ବଢ଼ିପାଣି ପରି ଏ ଦେଶକୁ ଇଂରାଜୀ ସଭ୍ୟତା ଯେପରି ପେଲି ଆସୁଛି, ସେଥିରେ ଖୁବ୍‍ ସମ୍ଭବ ନବ୍ୟଶିକ୍ଷିତ ବାବୁମାନେ ଆପଣା ଆପଣା ଅଙ୍କଲକ୍ଷୀମାନଙ୍କୁ ଗେଲପ ଚାଲି ଶିଖାଇବା ନିମନ୍ତେ ଚାବୁକ୍‍ ସବାର ନିଯୁକ୍ତ କରିବାକୁ ପ୍ରସ୍ତାବ କରି ବସିବେ ।’’ ପ୍ରହରାଜ ବାଇ ମହାନ୍ତି ପାଞ୍ଜିର ଷଷ୍ଠ ବିଡ଼ାରେ ଲେଖିଛନ୍ତି—‘‘ଆଜିକାଲି ନବ୍ୟ ସଭ୍ୟତା ଯେପରି ମାଘମାସ କୁହୁଡ଼ି ଭଳି ଭାରି ଚଞ୍ଚଳ ମାଡ଼ିଆସୁଛି, ଏଥିରେ ଭୟ ହେଉଛି ଯେ, ମରହଟ୍ଟା ଅମଳର କଥା ସବୁ ଏ ଅମଳରେ ବୁଡ଼ିଯିବ ।’’

 

ଫକୀରମୋହନଙ୍କର ସମ୍ବୋଧନ ଭଙ୍ଗୀ (ପାଠକ ଅବଧାନେ !) ବର୍ଣ୍ଣନା ରୀତି (ପୁରୁଣାକାଳିଆ ଘର ଓ ବେଶଭୂଷାର ବର୍ଣ୍ଣନା), ଢଗ ଢମାଳୀ, ଦାୟକା, ଉପମାଭଙ୍ଗୀ ଓ ଭାଷାବିନ୍ୟାସର ପ୍ରଭାବ ସମ୍ପର୍କରେ ବହୁ ଦୃଷ୍ଟାନ୍ତ ଦିଆଯାଇପାରେ । ଗୋଟିଏ ଦୁଇଟି ଦୃଷ୍ଟାନ୍ତ ଦିଆଯାଉ । ଫକୀରମୋହନ ମଙ୍ଗରାଜ ଚରିତ୍ରକୁ ବ୍ୟଙ୍ଗ କରି ଲେଖିଛନ୍ତି—‘‘ଡୁବି ପାଣି ପିଇଲେ ମହାଦେବଙ୍କ ବାପ ବି ଜାଣିପାରିବେ ନାହିଁ (ଛ’ମାଣ ଆଠଗୁଣ୍ଠ), ସେହିପରି ପ୍ରହରାଜ ବାଇ ମାହାନ୍ତି ପାଞ୍ଜିର ଚତୁର୍ଦ୍ଦଶ ବିଡ଼ାରେ ଟରଣିମାନଙ୍କର କାରସାଦିକୁ ବ୍ୟଙ୍ଗ କରି ଲେଖିଛନ୍ତି—ଟରଣି ବ୍ୟବସାୟ ଆଇନରେ ମନା x x x ଡୁବି କରି ପାଣି ପିଇଲେ ବ୍ରହ୍ମାଙ୍କ ବାପା ମଧ୍ୟ ଜାଣିପାରିବେ ନାହିଁ ।’’ ପୁଣି ଫକୀରମୋହନଙ୍କର ‘ସଂକୀର୍ତ୍ତନରେ ହାଉଡାଟା ମଧ୍ୟ ଆଁ କରିଥାଏ’ କଥାକୁ ପ୍ରହରାଜ ପାଞ୍ଜିର ଏକାଦଶ ବିଡ଼ାରେ ‘ଇନ୍ଦ୍ରଧନୁ’ ଓ ‘ବିଜୁଳି’ ପତ୍ରିକାର ଚମକ ପ୍ରସଙ୍ଗରେ ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି—ସଂକୀର୍ତ୍ତନରେ ହାଉଡାଟା ମଧ୍ୟ ଆଁ କରିବା କଥା ଧୂର୍ଜଟୀ ତ ପୁରୁଣା କରି ଦେଇଛନ୍ତି ।’’

 

ସ୍ଥୂଳତଃ ଫକୀରମୋହନଙ୍କର ମନ୍ମୟ ପ୍ରବନ୍ଧଗୁଡ଼ିକ ତାଙ୍କର ହାସ୍ୟମଞ୍ଜୁଳ ସରସ ବାଣୀଭଙ୍ଗୀ ହେତୁ ଯେପରି ଚିତ୍ତାକର୍ଷକ ହୋଇଛି, ପ୍ରହରାଜଙ୍କର ବାଇ ମାହାନ୍ତି ପାଞ୍ଜି ଓ ଅନ୍ୟାନ୍ୟ ରଚନା ସେହିପରି ଚିତ୍ତାକର୍ଷକ ହୋଇଛି । ଅନୁକରଣ ଓ ଅନୁସରଣ ସତ୍ତ୍ୱେ ପ୍ରହରାଜଙ୍କ ମନ୍ମୟ ପ୍ରବନ୍ଧଗୁଡ଼ିକ କମ୍ ଉପଭୋଗ୍ୟ ହୋଇନାହିଁ ।

 

ଫକୀରମୋହନ ଓ ପ୍ରହରାଜଙ୍କ ପରେ ଗୋବିନ୍ଦ ତ୍ରିପାଠୀ ତାଙ୍କ ‘ବଟୁଆ’ ଓ କୃଷ୍ଣପ୍ରସାଦ ବସୁ ତାଙ୍କର ‘ଆଖଡ଼ାଘରେ ବୈଠକ’ ପ୍ରଭୃତି ମନ୍ମୟ ପ୍ରବନ୍ଧ, ନିତ୍ୟାନନ୍ଦ ମହାପାତ୍ର ତାଙ୍କର ‘ପତ୍ର ଓ ପ୍ରତିମା’ ରମ୍ୟରଚନା ପ୍ରକାଶ କରି ସାହିତ୍ୟର ଏଇ ବିଭାଗଟିକୁ ପୁଷ୍କଳ କରିଛନ୍ତି । ମନ୍ମୟ ପ୍ରବନ୍ଧ ଓ ରମ୍ୟରଚନା ଦୁଇ ସ୍ୱତନ୍ତ୍ର ନାମର ବ୍ୟବହାର କରାଯାଉଥିଲେ ମଧ୍ୟ ଦୁଇଟି ମଧ୍ୟରେ ପାର୍ଥକ୍ୟ ସେମାନଙ୍କ ସାଦୃଶ୍ୟ ବା ସମଜାତୀୟତା ତୁଳନାରେ ଖୁବ୍‍ କମ୍‍ ବୋଲି ମନେହୁଏ ।

 

ବର୍ତ୍ତମାନ ରମ୍ୟରଚନା ନାମରେ କେତେକ ତରୁଣ ଲେଖକ ମନ୍ମୟ ପ୍ରବନ୍ଧ ରଚନାରେ ହାତ ଦେଇଛନ୍ତି; କିନ୍ତୁ ସେଗୁଡ଼ିକର ସେମାନଙ୍କର ସାହିତ୍ୟିକ ସିଦ୍ଧି ବିଚାରସାପେକ୍ଷ । ତେବେ ଏ ପ୍ରକାର ପ୍ରବନ୍ଧ କ୍ଷେତ୍ରରେ ଫକୀରମୋହନଙ୍କର ସ୍ୱଳ୍ପ ରଚନାର ପ୍ରେରଣା ଯେ ତାଙ୍କ ଗଳ୍ପ ଉପନ୍ୟାସ ପରି ସ୍ମରଣୀୟ, ଏଥିରେ ସନ୍ଦେହ ନାହିଁ । ଏଇ ବିଭାଗର ରଚନାର ସ୍ୱଳ୍ପତା ଦୃଷ୍ଟିରୁ ଅଧିକ ସଂଖ୍ୟାରେ ଲେଖକଙ୍କର ଦୃଷ୍ଟି ଏହା ପ୍ରତି ଆକୃଷ୍ଟ ହେବ ବୋଲି ଆଶା କରାଯାଏ ।

Image

 

କ୍ଷୁଦ୍ରଗଳ୍ପ

 

ଆଧୁନିକ ସାହିତ୍ୟରେ କ୍ଷୁଦ୍ରଗଳ୍ପ ଏକ ସାର୍ବଜନୀନ ଲୋକପ୍ରିୟ ବିଭାଗ ରୂପେ ପ୍ରତିଷ୍ଠିତ-। ନାନା କାରଣରୁ ଏହା ପାଠକମାନଙ୍କ ଅନୁକୂଳ ଦୃଷ୍ଟି ଲାଭ କରିଛି । ଏ ଯୁଗରେ ମାନବଜୀବନ ଜଟିଳ ଓ ବିଶ୍ରାମହୀନ ହୋଇ ପଡ଼ିଛି । ଦିନ ଥିଲା, ଲୋକେ ଯେତେବେଳେ ଆଶାନୁରୂପ ଅବସର ପାଇ ପାରୁଥିଲେ ଏବଂ ପ୍ରକାଣ୍ଡ ଦୁର୍ବୋଧ୍ୟ ଗ୍ରନ୍ଥମାନ ଅଭିନିବେଶ ସହକାରେ ପାଠ କରି ଆନନ୍ଦ ପାଉଥିଲେ, ଆଜି କିନ୍ତୁ ଲୋକଙ୍କର ସେ ଅବସର ଓ ଧୈର୍ଯ୍ୟ ନାହିଁ । ଯୁଗର ରୁଚିକୁ ଚାହିଁ କ୍ଷୁଦ୍ରଗଳ୍ପ ଆଜି ସ୍ୱଳ୍ପବିଶ୍ରାମଭୋଗୀ ଲୋକଙ୍କର ଅବସର ବିନୋଦନର କାରଣ ହୋଇଛି । ପତ୍ରପତ୍ରିକାର ଅଭିବୃଦ୍ଧି ହେତୁ କ୍ଷୁଦ୍ରଗଳ୍ପ ସେଥିରେ ବିସ୍ତୃତ ପରିସର ପାଇପାରିଛି । ଗଳ୍ପ-ସାହିତ୍ୟ ଏତେ ଲୋକପ୍ରିୟ ହୋଇପାରିଛି ଯେ, ସମୟ ସମୟରେ ଏହା ସପକ୍ଷରେ ଅସାଧାରଣ ଦାବୀ ଉତ୍‍ଥାପନ କରାଯାଇଥାଏ । କେତେକେ କହନ୍ତି, ଏହା ଉପନ୍ୟାସର ଭବିଷ୍ୟତରୂପ, କାଳକ୍ରମେ ଏହା ଉପନ୍ୟାସକୁ ସ୍ଥାନଚ୍ୟୁତ କରିବ । କିନ୍ତୁ ଏ ପ୍ରକାର ମନ୍ତବ୍ୟ ନିର୍ଦ୍ୱନ୍ଦରେ ଉପେକ୍ଷା କରାଯାଇପାରେ-। କ୍ଷୁଦ୍ରଗଳ୍ପ ଉପନ୍ୟାସ ଭିତ୍ତିରେ ନିଜକୁ ପ୍ରତିଷ୍ଠିତ କରି କେବେ ତାର ସମକକ୍ଷ ହୋଇପାରିବ ନାହିଁ-। ଉପନ୍ୟାସ ଜୀବନର ବହୁମୁଖୀ ଗତି ଓ ଜଟିଳତାକୁ ପ୍ରକାଶ କରିଥାଏ । ସେଥିପାଇଁ କ୍ଷୁଦ୍ରଗଳ୍ପର ପରିସର ସୀମାବଦ୍ଧ ଥିବାରୁ ଚରିତ୍ରମାନଙ୍କର କ୍ରମିକବିକାଶ ସାଧିତ ହୋଇପାରେ ନାହିଁ-। ଉପନ୍ୟାସବର୍ଣ୍ଣିତ ଚରିତ୍ରମାନଙ୍କ ସହିତ ପାଠକମାନଙ୍କୁ କିଛି ସମୟ ଅତିବାହିତ କରିବାକୁ ପଡ଼େ ଓ ସେମାନଙ୍କର ବ୍ୟକ୍ତିତ୍ୱ ସମ୍ୱନ୍ଧରେ ପୂର୍ଣ୍ଣ ଅଭିଜ୍ଞତା ଲାଭକରିବା ପୂର୍ବରୁ ଚରିତ୍ରମାନଙ୍କୁ ସେମାନଙ୍କର ବିଭିନ୍ନ ସଂପର୍କ ଓ ପରିସ୍ଥିତି ଦିଗରୁ ଦେଖିବାକୁ ହୋଇଥାଏ । ଏହି ସଂପର୍କରେ Hudson କହିଛନ୍ତି, “And this, I take it, is as true of men and women in fiction as it is of men and women in actual life,” ଉପନ୍ୟାସୀ ନାରୀ-ପୁରୁଷଙ୍କୁ ମୁଁ ବାସ୍ତବ ଜୀବନର ନାରୀ ପୁରୁଷରୂପେ ଗ୍ରହଣ କରିଥାଏ । କ୍ଷୁଦ୍ରଗଳ୍ପରେ ଆମେ ଅଳ୍ପ ସମୟ ପାଇଁ ଚରିତ୍ରମାନଙ୍କର ସଂସ୍ପର୍ଶରେ ଆସିଥାଉଁ ଏବଂ ସେମାନଙ୍କୁ ସ୍ୱଳ୍ପ ସଂପର୍କ ଓ ପରିସ୍ଥିତି ମଧ୍ୟରେ ଦେଖିବାକୁ ପାଉଁ ଚରିତ୍ରର ଏକ ନିର୍ଦ୍ଦିଷ୍ଟ ବିଭାଗ ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରି ରଖିବା ଫଳରେ ପାଠକ ମନରେ ସେହି ଚରିତ୍ରର ଏକ ସୁନ୍ଦର ପ୍ରଭାବ ପଡ଼ିଥାଏ-। ମାନବ ଜୀବନର ବିଶଦ ବର୍ଣ୍ଣନା ଓ ନାନାବିଧ ସ୍ୱରୂପର ଅଭିବ୍ୟକ୍ତି ଦେବା ଫଳରେ ପାଠକମାନଙ୍କ ମନରେ ଯେଉଁ ପ୍ରଭାବ ପଡ଼ିଥାଏ, ତାହା ପୂର୍ବୋକ୍ତ ପ୍ରଭାବର ସମକକ୍ଷ ହୋଇପାରେ ନାହିଁ । କଥାସାହିତ୍ୟର ଯେଉଁ ଚରିତ୍ରମାନ ଆମ୍ଭମାନଙ୍କ ମନରେ ପୂର୍ଣ୍ଣ ବିଚିତ୍ର ଓ ଜୀବନ୍ତ ରୂପେ ପ୍ରଭାଭୀତ ହୁଅନ୍ତି, ସେମାନେ ସାଧାରଣତଃ ହେଉଛନ୍ତି ଉପନ୍ୟାସର ଚରିତ୍ର-। ମାନବଜୀବନର ଜଟିଳତା, ବୈଚିତ୍ର୍ୟ, ଚରିତ୍ରମାନଙ୍କର ଟିକିନିଖି ବର୍ଣ୍ଣନା ପ୍ରତି ପାଠକମାନେ ଆଗ୍ରହାନ୍ୱିତ ହୋଇଥିବାରୁ ଆମ୍ଭେମାନେ ନିର୍ଦ୍ୱନ୍ଦରେ ଏହି ସିଦ୍ଧାନ୍ତରେ ଉପନୀତ ହେଉଁ ଯେ, ଉପନ୍ୟାସ ଆଧୁନିକ ସାହିତ୍ୟକଳାର ଏକ ପ୍ରତିନିଧି ରୂପେ ନିଜକୁ ପ୍ରତିଷ୍ଠିତ କରିପାରିବ ।

 

କ୍ଷୁଦ୍ରଗଳ୍ପ ଉପନ୍ୟାସ ସଙ୍ଗେ ସଙ୍ଗେ ଗଢ଼ିଉଠିଛି । ସାହିତ୍ୟ କ୍ଷେତ୍ରରେ ଏହା ଏକ ପ୍ରଧାନ ସ୍ଥାନ ଅଧିକାର କରି ସମାଲୋଚକ ଓ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିଛି । ଏହା ଉପନ୍ୟାସର ପ୍ରତିଦ୍ୱନ୍ଦୀ ହେବାକୁ ଆସିନାହିଁ ବା ଉପନ୍ୟାସ ପରିବର୍ତ୍ତେ ଉପନ୍ୟାସର ସ୍ଥାନ ପୂରଣ କରିବାକୁ ଆସିନାହିଁ । ଏହା କଥା ସାହିତ୍ୟର ଏକ ସ୍ୱତନ୍ତ୍ର ବିଭାଗ । ସେହି କାରଣରୁ କ୍ଷୁଦ୍ରଗଳ୍ପ ରଚନାର ଉଦ୍ଦେଶ୍ୟ ଓ ରୀତି ସମ୍ୱନ୍ଧରେ ଆମ୍ଭମାନଙ୍କୁ ଆଲୋଚନା କରିବାକୁ ପଡ଼ିବ ।

 

ଶଂସିତ ପ୍ରସଙ୍ଗର ଆଲୋଚନା ପାଇଁ ଏକ ସ୍ଥୂଳ ସଂଜ୍ଞାକୁ ନେଇ ଆରମ୍ଭ କରିବା ପ୍ରୟୋଜନ । ଏଠାରେ ଏଡ୍‍ଗାର ଆଲ୍ଲାନ୍ ପୋ (Edgar Allan Poe)ଙ୍କ ପ୍ରଦତ୍ତ ସଂଜ୍ଞାଟିର ଉଲ୍ଲେଖ କଲେ ଯଥେଷ୍ଟ ହେବ । ପୋ କହିଛନ୍ତି, “A short story is a prose narrative requiring from half an hour to one or two hours in its perusal”—

 

–‘କ୍ଷୁଦ୍ରଗଳ୍ପ ହେଉଛି ଗୋଟିଏ ଗଦ୍ୟ ଆଖ୍ୟାନ, ଯାହାକୁ ଅଧଘଣ୍ଟାଏ ଠାରୁ ଘଣ୍ଟାଏ ବା ଦୁଇଘଣ୍ଟା ମଧ୍ୟରେ ପଢ଼ି ସାରିହେବ ।

 

ସେଇ ଗୋଟିଏ କଥାକୁ ଭିନ୍ନ ଭାବରେ ପ୍ରକାଶ କରିବାକୁ ଯାଇ Hudson କହିଛନ୍ତି–“A short story is a story that can be easily read at a single sitting”—କ୍ଷୁଦ୍ରଗଳ୍ପ, ହେଉଛି ଗୋଟିଏ ଗଳ୍ପ ଯାହାକୁ ଏକ ନିଶ୍ୱାସରେ ପଢ଼ି ସାରିଦେଇ ହେବ-। ସ୍ୱଳ୍ପତା (brevity) ହେଉଛି ପୂର୍ବୋକ୍ତ ଗଦ୍ୟ ଆଖ୍ୟାନର ପ୍ରଧାନ ବିଶେଷତ୍ୱ । ଏକ ନିର୍ଦ୍ଦିଷ୍ଟ ଆକାର ଗ୍ରହଣ କରିବା ପାଇଁ (ଗଳ୍ପର କ୍ରମପରିବର୍ତ୍ତନ) କୌଣସି ଜୀବନ୍ତ ପଦାର୍ଥର ସୁନିର୍ଦ୍ଦିଷ୍ଟ ବିଶେଷତ୍ୱର ବିକାଶ ସହିତ ତୁଳନୀୟ । ବର୍ତ୍ତମାନ ସମସ୍ତେ ସ୍ଥିତନିଶ୍ଚିତ ଯେ କ୍ଷୁଦ୍ରଗଳ୍ପ ସଂକ୍ଷିପ୍ତ ଆକାରର ଖଣ୍ଡିଏ ଉପନ୍ୟାସ ନୁହେଁ । କେବଳ ଯେ ପରିସର (ଦୈର୍ଘ୍ୟ) ନେଇ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ମଧ୍ୟରେ ପାର୍ଥକ୍ୟ ଅଛି ତାହା ନୁହେଁ, ଅଭିପ୍ରାୟ (Motive), ଯୋଜନା (Plan) ଓ ଗଠନ (Structure) ଦିଗରୁ ମଧ୍ୟ ପାର୍ଥକ୍ୟ ପରିଦୃଷ୍ଟ ହୁଏ ।

 

ଗଳ୍ପର ବିଷୟ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ସମ୍ପୂର୍ଣ୍ଣରୂପେ ବିକଶିତ କରାଯାଇପାରେ । ଏ ସଂପର୍କରେ ପାଠକର ଆନନ୍ଦ ବା ନିରାନନ୍ଦ ହେଉଛି ତାର ପ୍ରକୃଷ୍ଟ ପରୀକ୍ଷା । ପ୍ରସଙ୍ଗ ଓ ଲକ୍ଷ୍ୟ ଯାହା ହେଉ ନା କାହିଁକି, ଗଳ୍ପଟି ପାଠକରି ସାରିଲା ପରେ ଏହି ଧାରଣା ଦେବା ଉଚିତ ଯେ ଗଳ୍ପଟିର ମାତ୍ରା ବଢ଼େଇଥିଲେ ଏକ ଦିଗରେ ଯଦିଓ କିଛି କ୍ଷତି ହୋଇ ନଥାନ୍ତା, ଅନ୍ୟ ଦିଗରେ ଅନ୍ତତଃ କିଛି ଲାଭ ହୋଇ ନଥାନ୍ତା । ଗଳ୍ପର ସ୍ଥୂଳ ବିଷୟଟି ସୁସ୍ପଷ୍ଟ ହେବା ଉଚିତ୍‍ । ନିର୍ଦ୍ଦିଷ୍ଟ ପରିସର ମଧ୍ୟରେ ଘଟଣାର ବାହୁଲ୍ୟ ପରିହୃତ ହୋଇ ପ୍ରାୟେ ଜନାନୁସାରେ ଯଥେଷ୍ଟ ହେବା ବାଞ୍ଛନୀୟ ।

 

ଗଳ୍ପ ରଚନାର ଏହି ପ୍ରଥମ ରୀତିଟିକୁ ଅତି ସଂକୀର୍ଣ୍ଣ ଭାବରେ ବୁଝିବା ଉଚିତ ନୁହେଁ । ଏହା ଦ୍ୱାରା ସ୍ପଷ୍ଟ କିଛି ବୁଝାଯାଉ ନାହିଁ ଯେ ଗଳ୍ପଟି ନିର୍ଦ୍ଦିଷ୍ଟ ଘଟଣା ବା ମୁହୂର୍ତ୍ତ ମଧ୍ୟରେ ଆବଦ୍ଧ ହୋଇ ରହିବ । ଗଳ୍ପ ସାହିତ୍ୟର ସ୍ୱରୂପ ଲାଭ କରିଥବା ଆଖ୍ୟାୟିକ (anecdotes) ଠାରୁ କିଞ୍ଚିତ୍‍ ଅଧିକ ହୋଇପାରେ । କଥା କହିବାର କୌଶଳ ଉପରେ ଏହାର ସାର୍ଥକତା ନିର୍ଭର କରେ । ଚରିତ୍ରର ଏକ ବିଭାବ, ଅନୁଭୂତି ବା ଏକ ପୃଥକ ଗୁରୁତର ବିଷୟକୁ ନେଇ ଗଳ୍ପ ଲେଖାଯାଇପାରେ-। ଅନ୍ୟ ପକ୍ଷରେ ଉପନ୍ୟାସମାନଙ୍କ ଅପେକ୍ଷା ଏହା ଦୀର୍ଘକାଳର ଘଟଣାକୁ ଅବଲମ୍ୱନ କରିପାରେ ଏବଂ ଘଟଣାର ଦୀର୍ଘ ପର୍ଯ୍ୟାୟକ୍ରମେ (ଅନୁକ୍ରମ) ମଧ୍ୟ ଏଥିରେ ସ୍ଥାନ ପାଇପାରେ । ଜୀବନର ସତ, କିନ୍ତୁ ଗଳ୍ପ ଗୋଟିଏ ଉଦ୍ଦେଶ୍ୟ (ଅଭିପ୍ରାୟ)କୁ କେନ୍ଦ୍ରକରି ଚାଲିଥିବ । ଅସଂପୃକ୍ତ ବିଷୟମାନଙ୍କୁ ବାଦଦେଇ ବିଷୟବସ୍ତୁକୁ କ୍ଷୁଦ୍ରଗଳ୍ପର ସୀମା ମଧ୍ୟରେ ଯଥାଯଥରୂପେ ସମାବେଶ କରିବାକୁ ହେବ-

 

ଗଳ୍ପ ରଚନାର ଦ୍ୱିତୀୟ ମୌଳିକ ନିୟମଟି ହେଉଛି ଐକ୍ୟ । ଗଳ୍ପର ଉଦ୍ଦେଶ୍ୟ, କ୍ରିୟା ଓ ପ୍ରଭାବରେ ଐକ୍ୟ ଅନୁସନ୍ଧାନ କରିବାକୁ ହେବ । ଗଳ୍ପ ଗୋଟିଏ ମୁଖ୍ୟ ଚିନ୍ତାଧାରା (ଭାବ) କୁ ଅବଲମ୍ୱନ କରି ଅଗ୍ରସର ହେବ । ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ସ୍ପଷ୍ଟ ପ୍ରକାଶଭଙ୍ଗୀକୁ ଭିତ୍ତିକରି ସେଇ ମୁଖ୍ୟଚିନ୍ତାଧାରାର ଏକ ଯଥାଯଥ ପରିଣତି ଦେବା ଗଳ୍ପଲେଖକର ପ୍ରଧାନ କର୍ତ୍ତବ୍ୟ । ପ୍ରତ୍ୟେକ ଉତ୍କୃଷ୍ଟ କ୍ଷୁଦ୍ରଗଳ୍ପରେ ଏହା ଏକ ପ୍ରଧାନ ଐକ୍ୟରୂପେ ବିବେଚିତ ହୋଇଥାଏ । ଉପନ୍ୟାସରେ ଅନେକଗୁଡ଼ିଏ ଉପାଦାନକୁ ସଂଗ୍ରଥିତ କରିବାକୁ ହୋଇଥାଏ । ସେଥିପାଇଁ ଉପନ୍ୟାସର କୈନ୍ଦ୍ରିକ ମୂଳ ଉପାଦାନକୁ ଧରିପାରିବା କଷ୍ଟକର ହୋଇଥାଏ । ଉପନ୍ୟାସକୁ ବିଶ୍ଳେଷଣ କରି ବସିଲେ ସମୟ ସମୟରେ ଆମେ ସେଥିରେ ଦୁଇ ତିନିଗୋଟି କୈନ୍ଦ୍ରିକ ଉପାଦାନ ପାଇଥାଉ । କ୍ଷୁଦ୍ରଗଳ୍ପରେ ଏ ପ୍ରକାର ବିକ୍ଷିପ୍ତ ଉପାଦାନକୁ ସ୍ଥାନ ଦିଆଯାଇ ନ ଥାଏ । କ୍ଷୁଦ୍ରଗଳ୍ପର ମୁଖ୍ୟ ଚିନ୍ତାଧାରାଟି ସ୍ପଷ୍ଟ ହେବା ଉଚିତ । ଏହି ମୁଖ୍ୟଭାବଧାରରୁ ଜାତ ହୋଇଥିବା ଅନ୍ୟ ବିଭାଗଗୁଡ଼ିକର ସମାବେଶରେ ଯେପରି ଜଟିଳତା ପରିଲକ୍ଷିତ ନ ହୁଏ, ଗଳ୍ପକାରଙ୍କୁ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ହେବ-। ଉଦ୍ଦେଶ୍ୟ ଓ ପ୍ରଭାବର ଐକ୍ୟ ହେଉଚି କ୍ଷୁଦ୍ରଗଳ୍ପର ଦୁଇଟି ପ୍ରଧାନ ବ୍ୟବସ୍ଥା । ଏ ଦୁଇଟିକୁ ଭିତ୍ତିକରି କଳାର ଏକ ଅଂଶରୂପେ ଆମକୁ କ୍ଷୁଦ୍ରଗଳ୍ପର ମୂଲ୍ୟ ନିରୂପଣ କରିବାକୁ ହେବ ।

 

କ୍ଷୁଦ୍ରଗଳ୍ପ ରଚନାରେ ଏହି ଐକ୍ୟ ସଂପାଦନ ଏକ ଆୟସସାଧ୍ୟ ବ୍ୟାପାର । ଗଳ୍ପକଳା ଉପନ୍ୟାସ ଅପେକ୍ଷା ଏତେଦୂର ବାସ୍ତବ ଓ ନିର୍ଦ୍ଧାରିତ ଯେ ବହୁ ସମାଲୋଚକ ଉପନ୍ୟାସ ଅପେକ୍ଷା ଗଳ୍ପକୁ ଉଚ୍ଚସ୍ଥାନ ଦେଇଥାନ୍ତି । ଏଥିରେ ଶିଳ୍ପ କୌଶଳର ପରାକାଷ୍ଠା ଚିନ୍ତାଶୀଳ ପାଠକକୁ ଏକପ୍ରକାର ରୁଚି ସଂପନ୍ନ ଆନନ୍ଦ ଦେଇଥାଏ । ଏଡ୍‍ଗାର ଆଲନ୍‍ ପୋ କହନ୍ତି–ଜଣେ କୁଶଳୀ ସାହିତ୍ୟ କଳାବିତ୍‍ ଯେତେବେଳେ ସତର୍କତାର ସହିତ ଏକ ଅଦ୍ୱିତୀୟ ପ୍ରଭାବ ସୃଷ୍ଟି କରିବା ପାଇଁ କଳ୍ପନା କରେ, ସେତେବେଳେ ସେ ଏପରି ଗୋଟିଏ ଘଟଣା ସମାବେଶ କରିବ, ଯାର ପ୍ରତ୍ୟକ୍ଷ ବା ପରୋକ୍ଷ ଲକ୍ଷ୍ୟ ତାର ପୂର୍ବ ପରିକଳ୍ପନାକୁ ପରିସ୍ଫୁଟ ଭାବରେ ରୂପଦେଇ ପାରିବ । ଗଳ୍ପଲେଖକ ସତର୍କତା ଓ କୌଶଳର ସହିତ ଏପରି ଭାବରେ ଗୋଟିଏ ଚିତ୍ରକୁ ରୂପଦେବ, ଯେପରି ପାଠକ ପଢ଼ିଲା ମାତ୍ରେ ପୂର୍ଣ୍ଣ ଆନନ୍ଦ ପାଇ ପାରୁଥିବେ । ଗଳ୍ପର ମୁଖ୍ୟ ଭାବଧାରାକୁ ଯେପରି ନିଖୁଣ ଭାବରେ ଓ ନିର୍ବିଘ୍ନରେ ପରିସ୍ଫୁଟ କରାଯାଇପାରେ, ଉପନ୍ୟାସରେ ସେପରି ହୋଇପାରେ ନାହିଁ । କ୍ଷଦ୍ରଗଳ୍ପ ରଚନାରେ ଯାହା କିଛି ଅନାବଶ୍ୟକ ଓ ଅତିରିକ୍ତ ବୋଧ ହେଉଥିବ, ତାକୁ ପରିହାର କରିବାକୁ ହେବ । ସମୁଚିତ ପରିପ୍ରେକ୍ଷୀ (Perspective) ରକ୍ଷାକରିବାକୁ ହେବ । ଯଥୋଚିତ ଭାବରେ ବିଭିନ୍ନ ଉଦ୍ଦିଷ୍ଟ ବସ୍ତୁ, ଯଥା: କଥାବସ୍ତୁର କ୍ରମିକ ଗତି ଉପରେ ଗୁରୁତ୍ୱ ସ୍ଥାପନ କରାଯାଉଥିବ । ପୃଥକ ଅଂଶଗୁଡ଼ିକ ସମଗ୍ର ଗଳ୍ପଟିର ପ୍ରଭାବରେ ଆସୁଥିବେ । ଗଳ୍ପରେ କଥୋପକଥନ (dialogue)ର ମାତ୍ରା କମ୍‍ ହୋଇପାରେ ବା କଥୋପକଥନ ଆଦୌ ନ ରହିପାରେ ଅଥବା ଗଳ୍ପଟି କଥୋପକଥନର ବହୁଳ ହୋଇପାରେ । ଅନେକ ଚିତ୍ର ବର୍ଣ୍ଣନାର ପରିମାଣ ଖୁବ କମ୍‍ ହେବା ଦରକାର ।

 

ମୁଖ୍ୟଭାବକୁ ବିଶେଷିତ କରିବାର ପ୍ରଶ୍ନ ଉଠୁନାହିଁ । ପୂର୍ବୋକ୍ତ ପ୍ରାରମ୍ଭିକ ଅବସ୍ଥାଗୁଡ଼ିକର ସମାବେଶ ଥିଲେ ଗଳ୍ପ ଯେ କୌଣସି ପ୍ରକାର ଉଦ୍ଦେଶ୍ୟ ଓ ଉପକରଣକୁ ନେଇ ଅଗ୍ରସର ହୋଇପାରେ । ଗଳ୍ପର ବିଷୟ ବା ପ୍ରସଙ୍ଗ (Theme) ର ପରିସର ଅପରିସୀମ । ନାଟକୀୟ ଘଟଣା ବା ପରିସ୍ଥିତି ଜୀବନ୍ତ ଦୃଶ୍ୟ (ଚିତ୍ର), ସନ୍ନିହିତ ତୁଲ୍ୟ ଘଟଣାରାଶି, ଚରିତ୍ରର ଏକ ବିଭାବ । କିଞ୍ଚିତ୍‍ ଅନୁଭୂତି, ଜୀବନର ଏକ ଅବସ୍ଥା ଏକ ନୈତିକ ସମସ୍ୟା ମଧ୍ୟରୁ ଗୋଟିଏ ଏବଂ ଅନ୍ୟ ଅଗଣିତ ଅଭିପ୍ରାୟ ସମସ୍ତ ଏକ ଉନ୍ନତ ଆନନ୍ଦଦାୟକ ଗଳ୍ପର ବୀଜ ରୂପେ ଗୃହୀତ ହୋଇପାରନ୍ତି ।

 

ଷ୍ଟିଭେନ୍‍ସନ୍‍ (Stevenson) କ୍ଷୁଦ୍ରଗଳ୍ପର ତିନୋଟି ମୁଖ୍ୟ ବିଭାଗ କରିଛନ୍ତି । ସେ ଦିନେ କଥା ପ୍ରସଙ୍ଗରେ ମିଃ ଗ୍ରାହାମ ବେଲ୍‍ ଫୋର୍‍ (Mr, Graham Balfour) ଙ୍କୁ କହିଥିଲେ, “There are, so far as I know, three ways, and three ways only of writing a story. You may take a plot and fit character and choose incidents and situations to develop it of lastly x x x You my take a certain atmosphere and get actions and persons to realize it”—‘‘ମୁଁ ଯେତେଦୂର ଜାଣେ, ଗଳ୍ପ ଲେଖିବା ପାଇଁ କେବଳ ତିନୋଟି ଉପାୟ ଅଛି । ତୁମେ ଏକା କଥାବସ୍ତୁ (ଘଟଣା ପରମ୍ପରା) ଗ୍ରହଣ କରି ସେଥିରେ ଚରିତ୍ରମାନଙ୍କୁ ଯୋଗ କରିପାର କିମ୍ୱା ଗୋଟିଏ ଚରିତ୍ର ନେଇ ତାକୁ ବିକଶିତ କରିବା ପାଇଁ ଘଟଣା ଓ ପରିସ୍ଥିତି ଦେଇପାର କିମ୍ୱା ଶେଷରେ ତୁମେ ଏକ ନିର୍ଦ୍ଦିଷ୍ଟ ବାୟୁମଣ୍ଡଳ ଗ୍ରହଣ କରି ସେଥିରେ ଚରିତ୍ର ଓ ସେମାନଙ୍କର କ୍ରିୟାର ନିର୍ଦ୍ଦେଶ ଦେଇପାର ।’’

 

ଷ୍ଟିଭେନ୍‍ସନ୍‍ଙ୍କର ଗଳ୍ପର ଏହି ବିଭାଗ ପୂର୍ଣ୍ଣ ନ ହେଲେ ମଧ୍ୟ, ସେଥିରେ କ୍ଷୁଦ୍ରଗଳ୍ପର ସମୀକ୍ଷାମୂଳକ ଅନେକ ପ୍ରୟୋଜନୀୟ ସୂତ୍ର ଦେଖିବାକୁ ପାଉଁ । ବିଷୟଚିତ୍ରସମ୍ୱନ୍ଧୀୟ ଗଳ୍ପ, ଚରିତ୍ରସମ୍ଭନ୍ଧୀୟ ଗଳ୍ପ ଓ ପ୍ରଭାବମୂଳକ ଗଳ୍ପ ମଧ୍ୟରେ ଯେଉଁ ପାର୍ଥକ୍ୟ ରହିଛି, ମନ ମଧ୍ୟରେ ତା’ର ଧାରଣା ଏ ବିଷୟର ଆଲୋଚନାର ବିଶେଷ ସାହଯ୍ୟ କରିଥାଏ ।

 

ଏ ସମ୍ପର୍କରେ ମନେ ରଖିବାକୁ ହେବ ଯେ ଉପନ୍ୟାସର ଉପାଦାନ ଯାହା, କ୍ଷୁଦ୍ରଗଳ୍ପର ଉପାଦାନ ବା ଉପକରଣ ତାହା । ସେଗୁଡ଼ିକ ହେଉଛନ୍ତି (କ) ବିଷୟବସ୍ତୁ (Plot), (ଖ) ଚରିତ୍ରଚିତ୍ରଣ, (ଗ) ଚରିତ୍ର ଓ ବିଷୟ ଚିତ୍ର ମଧ୍ୟରେ ସମ୍ପର୍କ, (ଘ) କଥୋପକଥନ (Dialogue), (ଙ) ହାସ୍ୟ ବା ଗଭୀର ଅନୁଭୂତିର ପ୍ରକାଶ, (ଚ) ସଂସ୍ଥାନ (Setting) ବା ଚରିତ୍ରମାନଙ୍କ କ୍ରିୟାର ସ୍ଥାନ ଏବଂ କାଳ, (ଛ) ଗଳ୍ପ ଲେଖକଙ୍କର ମାନବଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ।

 

ବିଷୟଚିତ୍ର ସମ୍ୱନ୍ଧରେ ଆଲୋଚନା କରିବାକୁ ଗଲେ ଅନ୍ତତଃ ଆମର ଦେଖିବା ଉଚିତ, ଯେଉଁ ଉପାଦାନରୁ ଏହା ସଂଗୃହୀତ ହୋଇଛି, ତାର ପ୍ରକୃତି କଣ ଏବଂ ତାହା ମାନବଜୀବନ ମାନଦଣ୍ଡରେ କେତେ ଦୂର ତୁଳିତ । ଜୀବନରେ ବିଭିନ୍ନ ବିଭାଗ ଏବଂ ନାନା ପ୍ରକାର ଘଟଣାରୁ କଥାବସ୍ତୁ ସଂଗ୍ରହ କରିବା ବିଧେୟ । Matthew Arnold ଙ୍କ ଭାଷାରେ ସାହିତ୍ୟ ମାନବଜୀବନର ସମାଲୋଚନା ହୋଇଥିବାର (Literature is the criticism of life) କ୍ଷୁଦ୍ରଗଳ୍ପରେ ମାନବଜୀବନର ନିତିପ୍ରତି ଘଟୁଥିବା ନାନାପ୍ରକାର ଦ୍ୱନ୍ଦ୍ୱ ସମସ୍ୟା, ଦୁଃଖ, ଗଭୀର ଅନୁରାଗ ଓ ଆକାଙ୍‍କ୍ଷାକୁ ରୂପଦେଇ ମାନବଜୀବନର ଉଦ୍ଦେଶ୍ୟ, ଅର୍ଥ ଓ ମୂଲ୍ୟ ନିରୂପଣ କରିବା ସର୍ବୋଦୌ ବିଧେୟ । ପାଠକ କ୍ଷୁଦ୍ରଗଳ୍ପରେ ନିଜ ଜୀବନର ଅନୁରୂପ ଅନୁଭୂତିର ଚିତ୍ର ପାଇ ସମବେଦନା ବା ସହାନୁଭୂତିରେ ନିଜ ପ୍ରାଣକୁ ଭରିଦିଏ । ଫଳରେ କ୍ଷୁଦ୍ରଗଳ୍ପ କର୍ମକ୍ଳାନ୍ତ ଜୀବନରେ ପାଠକକୁ ତାର ଅବସର ସମୟରେ ଆନନ୍ଦ ଦେଇ ଜୀବନକୁ ସରସ କରିଥାଏ । ଲେଖକର ଶକ୍ତି ଓ କୌଶଳ ଉପରେ କଥାବସ୍ତୁ ପରିବେଷଣର ସାର୍ଥକତା ନିର୍ଭର କରେ । ବିଷୟଚିତ୍ର ଲେଖକର ଯେତେ ବ୍ୟକ୍ତିଗତ ଅନୁଭୂତି ଉପରେ ପ୍ରତିଷ୍ଠିତ ନ ହେଲେ ମଧ୍ୟ ସେ ତାର ସୃଜନ-ପ୍ରତିଭା (Creative genius) ବଳରେ ନାନାପ୍ରକାର ମୂଳ ସ୍ଥାନରୁ ନାନାବିଧ ଉପାଦାନ ସଂଗ୍ରହ କରି ନିଜର ବଳିଷ୍ଠ କଳ୍ପନା ବଳରେ ଏକ ଜୀବନ୍ତରୂପ ଦେଇପାରେ ।

 

ଗଳ୍ପ ଲେଖକ ଯେତେଗୁଡ଼ିଏ ଚରିତ୍ରର ସମାବେଶ କରିଥାନ୍ତି, ସେଗୁଡ଼ିକ କେତେଦୂର ବାସ୍ତବ ଓ ଜୀବନ୍ତ, ତାହା ଦେଖିବାକୁ ହେବ ।

 

ହଡ୍‍ସନ, ପ୍ରସିଦ୍ଧ କଥାସାହିତ୍ୟକାରଙ୍କର ଚରିତ୍ର ସୃଷ୍ଟି ସମ୍ୱନ୍ଧରେ କହିଛନ୍ତି, They lay hold of us by virtual of their substantial quality of life, we know and believe in them as thoroughly, we sympathies with them as deeply, we love and hate them as cordially, as though they belong to the world of flesh and blood,”

 

ଚରିତ୍ର ଚିତ୍ରଣରେ ଉଭୟ ବିଶ୍ଲେଷଣାତ୍ମକ (Direct or Analytical) ଓ ନାଟକୀୟ (Indirect or dramatic) ରୀତି ଗୃହୀତ ହୋଇପାରେ । ବିଶ୍ଳେଷଣାତ୍ମକ ରୀତିରେ ଗଳ୍ପଲେଖକ ବାହାରୁ ଚରିତ୍ରମାନଙ୍କୁ ଚିତ୍ରିତ କରେ । ସେମାନଙ୍କର ଅନୁରାଗ, ଅଭିପ୍ରାୟ, ଚିନ୍ତା ଓ ଅନୁଭୂତି ସ୍ୱଳ୍ପ ବକ୍ତବ୍ୟରେ ରୂପରେଖ ଦିଏ ଏବଂ ସେଇଥିରେ ଚରିତ୍ରମାନଙ୍କର ବୈଶିଷ୍ଟ୍ୟ ଅଭିବ୍ୟଞ୍ଜିତ ହୁଏ । ସର୍ବୋପରି ଲେଖକ ସେମାନଙ୍କ ସମ୍ୱନ୍ଧରେ ନିଜର ଅଭିମତ ଦିଏ । ନାଟକୀୟ ରୀତିରେ ଲେଖକ ଚରିତ୍ରମାନଙ୍କର ଅନ୍ତରାଳରେ ରହେ । ଚରିତ୍ରମାନଙ୍କୁ ସେମାନଙ୍କ କ୍ରିୟା ଓ ସଂଳାପ ଦ୍ୱାରା ବ୍ୟଞ୍ଜିତ କରେ ଏବଂ ଅନ୍ୟ ଚରିତ୍ର ଅବଲମ୍ୱନରେ ନିଜର ବିଚାର ଓ ଅଭିମତକୁ ପ୍ରକାଶ କରେ । ସେମାନଙ୍କର ବ୍ୟକ୍ତିତ୍ୱ ପରିସ୍ଫୁଟ କରିଥାଏ । ଲେଖକ ପ୍ରତ୍ୟେକ ରୀତିକୁ ସ୍ୱତନ୍ତ୍ର ଭାବରେ ବ୍ୟବହାର କଲେ ଅନେକ ଅସୁବିଧାରେ ପଡ଼େ; ଉଭୟ ରୀତିର ବ୍ୟବହାରରେ ସେ ଅସୁବିଧା ଦୂରୀଭୂତ ହୋଇଥାଏ । ଉପନ୍ୟାସମାନଙ୍କରେ ସାଧାରଣତଃ ବିଶ୍ଳେଷଣାତ୍ମକ ରୀତିର ବ୍ୟବହାର ବେଶୀ ଦେଖାଯାଏ । ତା’ ଦ୍ୱାରା ଉଦ୍ଦେଶ୍ୟ ଓ ଅନୁରାଗସଙ୍କୁଳ ଜଟିଳ ଅନ୍ତଃସ୍ଥ ଜୀବନର ଅଭିବ୍ୟକ୍ତି ସୁନ୍ଦର ହୋଇଥାଏ । ଆଧୁନିକ ସମାଲୋଚକମାନେ ନାଟକୀୟ ରୀତିକୁ ବିଶେଷ ପସନ୍ଦ କରନ୍ତି ।

 

କଥୋପକଥନ ମାଧ୍ୟମରେ ଆମ୍ଭେମାନେ ଚରିତ୍ରମାନଙ୍କ ସମ୍ପର୍କରେ ବିଶେଷଭାବରେ ଆସିଥାଉଁ । କଥୋପକଥନ ବିଷୟବସ୍ତୁରୁ ଗତିଶୀଳ କ୍ରମ ପରିଣତିର କାରଣ ହୋଇଥାଏ । ଚରିତ୍ରମାନଙ୍କର କାର୍ଯ୍ୟ ସେମାନଙ୍କର କଥୋପକଥନରେ ବିଶେଷଭାବରେ ପରିସ୍ଫୁଟ ହୁଏ । ତେଣୁ କଥୋପକଥନ ସ୍ୱାଭାବିକ ନାଟକୀୟ ଓ ଯୁକ୍ତିଯୁକ୍ତ ହେବା ବାଞ୍ଛନୀୟ, ଅର୍ଥାତ୍‍ ଏହା ଚରିତ୍ରମାନଙ୍କ ବ୍ୟକ୍ତିତ୍ୱ ସହିତ ସମତାଳ ରଖୁଥିବ, ପରିସ୍ଥିତିର ଉପଯୋଗୀ ହୋଇଥିବ ଏବଂ ସରଳ, ସ୍ପଷ୍ଟ ଓ ତୃପ୍ତିକର ହୋଇଥିବ ।

 

ସଂସ୍ଥାନ ବା ଚରିତ୍ରମାନଙ୍କର କ୍ରିୟାର ସ୍ଥାନ ଓ କାଳ ମଧ୍ୟରେ ସମାଜର ରୀତି, ପ୍ରଥା, ଗତି ଓ ପରିସ୍ଥିତି ଅନ୍ତର୍ଭୁକ୍ତ ହୋଇଥାଏ । ସଂସ୍ଥାନ ଦୁଇପ୍ରକାର–ସାମାଜିକ (Social) ଓ ଭୌତିକ ବା ବସ୍ତୁଗତ (material) । ଆଧୁନିକ କଥାସାହିତ୍ୟକାରଗଣ ଜୀବନଯାତ୍ରାର ନାନା ବିଭାଗ ସୃଷ୍ଟିକରି ପ୍ରତ୍ୟେକ ବିଭାଗ ଉପରେ ଗଳ୍ପ ଉପନ୍ୟାସ ଲେଖିବାରେ ଅଗ୍ରସର ହେଉଛନ୍ତି । ସେଥିପାଇଁ ଆମେ ସାମାଜିକ ସାମୟିକ ଜୀବନ, ସଂଭ୍ରାନ୍ତଶ୍ରେଣୀ, ମଧ୍ୟବିତ୍ତଶ୍ରେଣୀ, ନିମ୍ନଶ୍ରେଣୀ, ଶିଳ୍ପ ବ୍ୟବସାୟ ଓ କଳାପତ ଜୀବନ ଏବଂ କିରାନୀ ଜୀବନକୁ ଭିତ୍ତିକରି ରଚିତ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସମାନ ଦେଖିବାକୁ ପାଉଁ ।

 

ରାସ୍ତା, ଗୃହ, ପ୍ରକୃତି ପ୍ରଭୃତିର ବର୍ଣ୍ଣନା ଭୌତିକ ସଂସ୍ଥାନର ଅନ୍ତର୍ଗତ । ଏ ଗୁଡ଼ିକର ବର୍ଣ୍ଣନା ଚରିତ୍ରମାନଙ୍କର କ୍ରିୟାକଳାପ ଓ ମାନସିକ ଚିନ୍ତାଧାରାର ଅଭିବ୍ୟକ୍ତି ସହିତ ସମତାଳରେ ଗତି କରୁଥିବ । ଏହାର ଦୃଷ୍ଟାନ୍ତ ଆଧୁନିକ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସମାନଙ୍କରେ ବିରଳ ନୁହେଁ । ମାନବ ଓ ପ୍ରକୃତି ମଧ୍ୟରେ ପାରସ୍ପରିକ ମଧୁର ପ୍ରତିକ୍ରିୟାଜନିତ ଆଲେଖ୍ୟ ଏକ ନାଟକୀୟରୀତି ରୂପେ ଗୃହୀତ ।

 

କ୍ଷୁଦ୍ରଗଳ୍ପ ପ୍ରତ୍ୟକ୍ଷଭାବରେ ମାନବଜୀବନ ସହିତ ସଂଯୁକ୍ତ । ପ୍ରାୟ ଅଧିକାଂଶ ରଚନା ଲେଖକର ବ୍ୟକ୍ତିଗତ ଅନୁଭୂତି ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଲେଖକଙ୍କର ଜୀବନଦର୍ଶନ ସମ୍ୱନ୍ଧରେ ପାଠକମାନେ ଆଭାସ ପାଇଥାନ୍ତି । ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ, ଲେଖକ ତାଙ୍କର ମାନବଜୀବନ ସମ୍ୱନ୍ଧୀୟ ଦୃଷ୍ଟିଭଙ୍ଗୀର ସୂଚନା ଦେବେ । ଚରିତ୍ରଚିତ୍ରଣ ଓ ଘଟଣାର ସମାବେଶରେ ଲେଖକ ସଂସାର ସମ୍ୱନ୍ଧରେ ତାଙ୍କର ମନ୍ତବ୍ୟ ପ୍ରକାଶ କରି ନାନା ସାଧାରଣ ତଥ୍ୟର ସମାବେଶ କରି ଜୀବନଦର୍ଶନର ଏକ ସ୍ଥୂଳ ଆଭାସ ଦେଇଥାନ୍ତି । ଜୀବନଦର୍ଶନକୁ ସତ୍ୟ ଓ ନୀତିଦୃଷ୍ଟିରୁ ଦେଖିବାକୁ ଆଭାସ ଦେଇଥାନ୍ତି । ଜୀବନଦର୍ଶନକୁ ସତ୍ୟ ଓ ନୀତିଦୃଷ୍ଟିରୁ ଦେଖିବାକୁ ହେବ ।

 

କ୍ଷୁଦ୍ରଗଳ୍ପର ଆରମ୍ଭଟି ଯେତେଦୂର ନାଟକୀୟ ଭାବରେ ସଂପାଦିତ ହେବ, ତାହା ସେତେ ହୃଦୟଗ୍ରାହୀ ହେବ । ନାଟକୀୟ ଶବ୍ଦର କେତେଗୁଡ଼ିଏ ଆନୁସଙ୍ଗିକ ବ୍ୟଞ୍ଜନା ଅଛି । ନାଟକୀୟ କହିଲେ ଦ୍ୱନ୍ଦ୍ୱ, ଅପ୍ରତ୍ୟାଶିତ ଘଟଣାର ସହସା ସଙ୍ଘଟନ ଓ ମାନବର ଅନ୍ତର୍ନିହିତ ପ୍ରବୃତ୍ତିମାନଙ୍କର ବହିଃପ୍ରକାଶକୁ ବୁଝାଇଥାଏ । ଗଳ୍ପର ଭାଷା ଇଙ୍ଗିତପୂର୍ଣ୍ଣ (Suggestive ବା ସୂଚନାତ୍ମକ) ଓ ଭଙ୍ଗୀ ତୀର୍ଯ୍ୟକ ହେବା ବାଞ୍ଛନୀୟ । ଗଳ୍ପର ପରିଣତିକୁ ସମସ୍ୟାମୂଳକ ରଖାଯାଇ ପାଠକମାନଙ୍କର କଳ୍ପନାରେ ଛାଡ଼ିଦେବାକୁ ହେବ ।

 

ଓଡ଼ିଆ ସାହିତ୍ୟରେ ଆଧୁନିକ ଧରଣର କ୍ଷୁଦ୍ରଗଳ୍ପ ରଚନା ପୂର୍ବରୁ ଅନେକ କାହାଣୀ (କଥା) ରଚିତ ହୋଇଥିଲା, ଯଥା—ସୋମନାଥ ବ୍ରତକଥା, ବିଭିନ୍ନ ଓଷା ଓ ବ୍ରତକଥା, ଚତୁର ବିନୋଦ ଇତ୍ୟାଦି । କେତେଗୁଡ଼ିଏ କାହାଣୀକୁ ସଂଗ୍ରହ କରାଯାଇ ପୁସ୍ତକ ଆକାରରେ ପ୍ରକାଶ କରାଯାଇଛି, ଯଥା—ଉତ୍କଳ କାହାଣୀ, ଅବୋଲକରା କାହାଣୀ, ଦଶକୁମାର ଚରିତ, ଦଶକୁମାରୀ ଚରିତ ପ୍ରଭୃତି । କାହାଣୀ ଗୁଡ଼ିକ କୌତୁହଳୋଦ୍ଦୀପକ ଓ ଶିକ୍ଷାପ୍ରଦ । ନାନା ଅସଂପୃକ୍ତ ଅଲୌକିକ ଘଟଣାରାଶିରେ ଏ ଗୁଡ଼ିକ ପରିପୂର୍ଣ୍ଣ । କଥାବସ୍ତୁର ବାସ୍ତବ ଜୀବନ ସହିତ କୌଣସି ସମ୍ପର୍କ ନ ଥାଏ-। ସାହିତ୍ୟ ଯେଉଁଦିନଠାରୁ ମାନବଜୀବନ ଓ ବାସ୍ତବ ଦୁନିଆ ସହିତ ଯୋଗସୂତ୍ର ସ୍ଥାପନ କଲା, ସେହିଦିନଠାରୁ ଲେଖକ ଓ ପାଠକମାନଙ୍କର ରୁଚି ବଦଳିଲା । ରୂପକଥାର ଆଦର କମିଲା । କ୍ଷୁଦ୍ରଗଳ୍ପ ପାଠକମାନଙ୍କୁ ରୁଚି ଅନୁକୂଳ ଆନନ୍ଦ ଦେଇ ସ୍ୱ-ମହିମାରେ ପ୍ରତିଷ୍ଠିତ ହେଲା ।

 

କଥାସାହିତ୍ୟକାର ଫକୀରମୋହନ ଓଡ଼ିଆ ସାହିତ୍ୟରେ ପ୍ରଥମ କ୍ଷୁଦ୍ରଗଳ୍ପ ଲେଖକ । ତାଙ୍କର ଗଳ୍ପଗୁଡ଼ିକ ଗଳ୍ପ ଗଳ୍ପ ଶୀର୍ଷକ ପୁସ୍ତକର ଦୁଇଟି ଭାଗରେ ସଂଗ୍ରହ କରାଯାଇଛି । ସେଥିମଧ୍ୟରୁ କାଳିକାପ୍ରସାଦ, ଗୋଲାପ, ରେବତୀ, ଡାକମୁନ୍‍ସି, ପେଟଣ୍ଟ ମେଡିସିନ୍‍, ପାଠୋଈବୋହୂ ପ୍ରଭୃତି ଉଲ୍ଲେଖଯୋଗ୍ୟ । ଗଳ୍ପଗୁଡ଼ିକର ଘଟଣା ଓ ଚରିତ୍ର ଏଇ ଓଡ଼ିଆମାଟିରୁ ଗୃହୀତ । ଓଡ଼ିଆର ସାମଜିକ ଜୀବନ, ଇତିହାସ, ବାଣିଜ୍ୟ-ବ୍ୟବସାୟ, ଜମିଦାର, ମହାଜନ ଓ ଅମଲାଙ୍କର ଜୁଲମ, ପଲ୍ଲୀଗାର ତୁଠ, ପଖାଳଖିଆ ଓଡ଼ିଆ ଚାଷୀ, ତନ୍ତୀ, ତେଲି, ପୁରୋହିତ, ନାହାକ (ଜଉତିଷ), ଗାଉଁଲୀ ସ୍ତ୍ରୀ, ଇଂରେଜୀ ପଢ଼ୁଆ ଯୁବକ, ପାଠୋଈବୋହୁ ପ୍ରଭୃତିର ଜୀବନ୍ତ ହାସ୍ୟର ସମ୍ପୂର୍ଣ୍ଣ ଆଲେଖ୍ୟ ପାଉଁ । ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକରେ ସମାଜର ତ୍ରୁଟିଗୁଡ଼ିକୁ ବ୍ୟଙ୍ଗକରି ହାସ୍ୟରସ ସୃଷ୍ଟିକରିବା ସଙ୍ଗେ ସଙ୍ଗେ ସେ ନିଜକୁ ଜାତିର ସଂସ୍କାରକ ଓ ଶିକ୍ଷକ ଭାବରେ ପରିଚିତ କରାଇ ପାରିଛନ୍ତି ।

 

ଫକୀରମୋହନଙ୍କର ଗଳ୍ପଗୁଡ଼ିକରେ ନାଟକୀୟତା ପରିଲକ୍ଷିତ ହେଲେ ମଧ୍ୟ ଆଧୁନିକ କ୍ଷୁଦ୍ରଗଳ୍ପର ଆଙ୍ଗିକ ଦୃଷ୍ଟିରୁ ନାନାତ୍ରୁଟି ପରିଲକ୍ଷିତ ହୁଏ । ଭାଷାରେ ସୂଚନାତ୍ମକତା, ଉଦ୍ଦେଶ୍ୟର ଏକମୁଖିନତା ଓ ଭଙ୍ଗୀରେ ତିର୍ଯ୍ୟକତା ବଦଳରେ ତାଙ୍କର ରଚନାଭଙ୍ଗୀରେ ଉପନ୍ୟାସସୁଲଭ ବର୍ଣ୍ଣନାତ୍ମକତା ଅଧିକ ପରିଲକ୍ଷିତ ହୁଏ । ତାଙ୍କର କେତୋଟି ଗଳ୍ପକୁ କ୍ଷୁଦ୍ର ଉପନ୍ୟାସ ବା ଦୀର୍ଘ ଗଳ୍ପ କହିଲେ ଅତ୍ୟୁକ୍ତି ହେବ ନାହିଁ । ହେଲେ ମଧ୍ୟ ଉପନ୍ୟାସ ପରି ତାଙ୍କର ଗଳ୍ପଗୁଡ଼ିକର ଏକ ସର୍ବକାଳିକ ଆବେଦନ ରହିଛି । ଅନୁଭୂତିର ଅନନ୍ୟତା ଓ ଭାବସଂଦେଶର ବୈଶିଷ୍ଟ୍ୟ ହେତୁ ଫକୀରମୋହନ ଏକ ସ୍ୱତନ୍ତ୍ର ଗଳ୍ପଶୈଳୀର ସ୍ରଷ୍ଟା । ତ୍ରୁଟି ସତ୍ତ୍ୱେ ଫକୀରମୋହନ ତାଙ୍କର ଉପନ୍ୟାସ ଓ ରମ୍ୟରଚନା ପରି (ନନାଙ୍କ ପାଞ୍ଜି) କ୍ଷୁଦ୍ରଗଳ୍ପ ରଚନାକ୍ଷେତ୍ରରେ ପରବର୍ତ୍ତୀ ଗାଳ୍ପିକମାନଙ୍କର ଦିଗ୍‍ଦ୍ରଷ୍ଟା ହୋଇ ରହିଛନ୍ତି ।

 

ଓଡ଼ିଆ ସାହିତ୍ୟରେ ଏବକାର ଅନ୍ୟ ଜଣାଶୁଣା ଗଳ୍ପଲେଖକ ହେଉଛନ୍ତି—ଗୋଦାବରୀଶ ମହାପାତ୍ର (ଏବେ ମଧ୍ୟ ବଞ୍ଚିଛି), କାଳିନ୍ଦୀଚରଣ ପାଣିଗ୍ରାହୀ (ସାଗରିକା), ନିତ୍ୟାନନ୍ଦ ମହାପାତ୍ର (ଏଗାରଟା); ସଚ୍ଚି ରାଉତରାୟ (ମଶାଣିର ଫୁଲ), ରାଜକିଶୋର ପଟ୍ଟନାୟକ, (ହୃଦୟର ବନ୍ଧନ, ତୁଠପଥର) କାହ୍ନୁଚରଣ ମହାନ୍ତି, ଗୋପୀନାଥ ମହାନ୍ତି, ରାଜକିଶୋର ରାୟ (ନୀଳ ଲହରୀ, ମନର ମୃଣାଳ, ପଙ୍କ ଓ ଚନ୍ଦନ ଇତ୍ୟାଦି), ସୁରେନ୍ଦ୍ର ମହାନ୍ତି (କୃଷ୍ଣଚୁଡ଼ା, ରୁଟି ଓ ଚନ୍ଦ୍ର, ମହାନଗରୀର ରାତ୍ରି, ମରାଳର ମୃତ୍ୟୁ) ଓ ମହାପାତ୍ର ନୀଳମଣି ସାହୁ (ମିଛବାଘ, ଶୁଣନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ, ସୁମିତ୍ରାର ହସ), ବାମାଚରଣ ମିତ୍ର ଓ ମନୋଜ ଦାସ, ଶ୍ରଦ୍ଧାକର ସୂପକାର ପ୍ରଭୃତି । ଆଧୁନିକ ଛୋଟ ଗଳ୍ପର ଆଙ୍ଗିକ ଦୃଷ୍ଟିରୁ ଏମାନଙ୍କର କେତେକ ଗଳ୍ପ ଏକ ଏକ ସାର୍ଥକ ସୃଷ୍ଟି । ଆଧୁନିକ ଜୀବନର ନାନା ବିଚିତ୍ର ଅନୁଭୂତି, ସମାଜ, ରାଷ୍ଟ୍ର ଓ ବ୍ୟକ୍ତିଜୀବନର ନାନା ସମସ୍ୟା, ଦ୍ୱନ୍ଦ୍ୱ ଓ ସଞ୍ଚୟ ବିରୁଦ୍ଧରେ ତୀକ୍ଷ୍ଣ ଜିଜ୍ଞାସା ଏମାନଙ୍କ ଗଳ୍ପର ଉପଜୀବ୍ୟବସ୍ତୁ । ବର୍ତ୍ତମାନ ଜୀବନ ଓ ଜଗତର ନାନା ସମସ୍ୟା ସହ ବୈଦିକ ଓ ଐତିହାସିକ କଥାବସ୍ତୁ (ଯାଯାବର ଓ ଜାୟା, ସାରିପୁତ୍ର, ପିତା ଓ ପୁତ୍ର—ସୁରେନ୍ଦ୍ର ମହାନ୍ତି) ଏବଂ ମାନବେତର ପ୍ରାଣୀ (ମାଂସର ବିଳାପ—କାଳିନ୍ଦୀଚରଣ ପାଣିଗ୍ରାହୀ) ଜୀବନର ନାନା ସମସ୍ୟାକୁ ନେଇ ମଧ୍ୟ ରଚନା କରାଯାଇଛି । ଗୋଦାବରୀଶ, କାଳିନ୍ଦୀଚରଣ ଓ ସଚ୍ଚି ରାଉତରାୟ ପ୍ରଭୃତିଙ୍କ ଗଳ୍ପ-ଶୈଳୀରେ ରହିଛି ଭାବ ତଥା ରସଗତ ଆବେଦନ; ପକ୍ଷାନ୍ତରେ ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପଶୈଳୀରେ ଆମେ ପାଉଁ ଏକ ବୌଦ୍ଧିକ ଆବେଦନ ତଥା ଅତ୍ୟାଧୁନିକ ଦ୍ୱିଧାସଂଶୟାଚ୍ଛନ୍ନ ଜଟିଳ ଜୀବନର ବ୍ୟର୍ଥତା ଓ ମନର ନାନା ଦ୍ୱନ୍ଦ୍ୱ ଓ ସଞ୍ଚୟ ବିରୁଦ୍ଧରେ ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପଗୁଡ଼ିକ ଏକ ଏକ ତୀକ୍ଷ୍ଣ ଜିଜ୍ଞାସା । ତାଙ୍କର ବକ୍ତବ୍ୟ ସ୍ୱଳ୍ପ ଭାଷା ସୂକ୍ଷ୍ମ, ବ୍ୟଙ୍ଗ ତଥା ବ୍ୟଞ୍ଜନାଧର୍ମୀ, ଭଙ୍ଗୀ ତିର୍ଯ୍ୟକ୍‍ । ଜୀବନର ଭଲ ଓ ମନ୍ଦ ମଧ୍ୟରେ ଏକ ସୀମାରେଖା ଟାଣି ସେ ଜୀବନର ବ୍ୟଞ୍ଜନାତ୍ମକ ଛବି ଆଙ୍କି ନାହାନ୍ତି । ବର୍ତ୍ତମାନ ଜୀବନର ନାନାବିଧ ବିଚିତ୍ର ଦିଗ ପ୍ରତି ତାଙ୍କର ଅନାସକ୍ତ ଶୈଳ୍ପିକ ସହାନୁଭୁତି ତାଙ୍କର ଗଳ୍ପର ଶୈଳୀରେ ଯେପରି ସ୍ୱତନ୍ତ୍ର, ସେହିପରି ଅନନ୍ୟ ଓ ଅଭିନବ ।

 

ଏବେ ଓଡ଼ିଶାର ପତ୍ରପତ୍ରିକାମାନଙ୍କରେ କ୍ଷୁଦ୍ରଗଳ୍ପର ସଂଖ୍ୟା ବଢ଼ିଆ ଚାଲିଛି । କେତେଜଣ ତରୁଣ ଲେଖକଙ୍କୁ ଛାଡ଼ିଦେଲେ ଅଧିକାଂଶଙ୍କର ଗଳ୍ପରେ ନାନା ଆଙ୍ଗିକ ତ୍ରୁଟି ପରିଲକ୍ଷିତ ହୁଏ ।

 

ସହାୟକ ଗ୍ରନ୍ଥ

 

(କ)

William Hudson, Study of Literature

 

 

(ଖ)

ନାରାୟଣ ଗଙ୍ଗୋପାଧ୍ୟାୟ, ସାହିତ୍ୟେ ଛୋଟଗଳ୍ପ ।

Image

 

ଦୁଇଟି ପ୍ରହସନ

 

କର୍ମକ୍ଳାନ୍ତ ଜୀବନର ନିଗଡ଼ ବନ୍ଧନ ତ୍ୟାଗକରି ମନୁଷ୍ୟ ରଙ୍ଗରସ ମାଧ୍ୟମରେ ଚାହେଁ ଜୀବନର ସରସତା । ରଙ୍ଗରସ ହେଉଛି ମାନବଚିତ୍ତର ଏକ ସାର୍ବଜନୀନ ପ୍ରିୟତମ ବୃତ୍ତି, ଜୀବନଧାରଣ ପକ୍ଷରେ ଏହା ସର୍ବଶ୍ରେଷ୍ଠ ଉପାଦାନ ନ ହେଲେ ମଧ୍ୟ ଏହା ବ୍ୟତିରେକ ଜୀବନ ହୁଏ ନୀରସ, ଶୁଷ୍କ । ସାମାଜିକ ଜୀବନରେ ହାସ୍ୟରସର ଆଦର ଏବଂ ଏହିଠାରେ ହିଁ ଏହାର ସୃଷ୍ଟି ।

 

ନାଟକ ହେଉଛି ଦୃଶ୍ୟକାବ୍ୟ । ବିଭିନ୍ନ ଭୂମିକାର ଅଭିନେତା ହେଉଛନ୍ତି ବକ୍ତା, ଦର୍ଶନ ହେଉଛନ୍ତି ତାର ଉପଭୋକ୍ତା । ଏହା ବାସ୍ତବ ଜୀବନର ସମାନ୍ତରାଳ ପ୍ରତିଛବି ରଙ୍ଗମଞ୍ଚରେ ପ୍ରକାଶ କରିଥାଏ । ମନୁଷ୍ୟ ଜୀବନର ଦୁଃଖ, ଶୋକ, ଅଶ୍ରୁ, ଗାମ୍ଭିର୍ଯ୍ୟ, ତାପ, କ୍ଳେଶ, ମନୁଷ୍ୟ ପକ୍ଷରେ ଏକାନ୍ତ ଦୁର୍ବିସହ । ଜୀବନର ବ୍ୟର୍ଥବ୍ୟାକୁଳତା ମଧ୍ୟରେ ନିଷ୍ପେଷିତ ହୋଇ ମଧ୍ୟ ମାନବ ଆଶା କରୁଥାଏ ଜୀବନକୁ ରଞ୍ଜିତ କରିବାକୁ ରଙ୍ଗରସ ମାଧ୍ୟମରେ ।

 

ନାଟକରେ ରଙ୍ଗରସର ପ୍ରୟୋଜନୀୟତା କେବଳ ବିଂଶ ଶତାବ୍ଦୀର ପାଶ୍ଚାତ୍ୟ ଶିକ୍ଷାଦୀପ୍ତ ପାଠକ ଉପଲବ୍‍ଧ କରିନାହିଁ । ଅତି ପ୍ରାଚୀନକାଳରୁ ଏହା ସଂସ୍କୃତ ନାଟ୍ୟସାହିତ୍ୟରେ ସ୍ଥାନ ପାଇଛି । ଭରତମୁନି ତାଙ୍କର ‘ନାଟ୍ୟସୂତ୍ର’ରେ ମଧ୍ୟ ଏହାର ସବିଶେଷ ପ୍ରୟୋଜନୀୟତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ସଂସ୍କୃତ ନାଟକରେ ସେଥିପାଇଁ ବିଦୂଷକର ଚରିତ୍ର ଏକ ଅପରିହାର୍ଯ୍ୟ ଚରିତ୍ର । ସଂସ୍କୃତ ନାଟକ ଆଦର୍ଶରେ ଲିଖିତ ଦେଶୀୟ ନାଟ୍ୟ ସାହିତ୍ୟରେ ମଧ୍ୟ ବିଦୂଷକର ଚରିତ୍ର ପରିବେଷଣ କରାଯାଇଛି ।

 

ପାଶ୍ଚାତ୍ୟ ଶିକ୍ଷା ଓ ସାହିତ୍ୟ ସଂପର୍କରେ ଆସି ଆଧୁନିକ ଭାରତୀୟ ସାହିତ୍ୟର, ସମାଲୋଚକ, ନାଟ୍ୟକାର ଏବଂ ପାଠକଙ୍କର ରଙ୍ଗରସ ସମ୍ୱନ୍ଧରେ ପୂର୍ବ ଧାରଣା ବଦଳିଛି । ଆଜି ନାଟକରେ ବିଦୂଷକକୁ ଦେଖିବାକୁ ନ ପାଇ ମଧ୍ୟ ଆମେ ହସିବାର ବହୁତ ଉପାଦାନ ପାଉ । ଚରତ୍ରବିଶେଷର ବାଗବୈଦଗ୍‍ଧ୍ୟରେ, ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀରେ ରଙ୍ଗରସ ସୃଷ୍ଟି ପାଇଁ ନାଟକରେ ବର୍ତ୍ତମାନ ବିଦୂଷକ ଭଳି ଅଯଥା କୃତ୍ରିମ ଚରିତ୍ରର ପ୍ରୟୋଜନୀୟତା ନାହିଁ, କିମ୍ୱା ନାଟକର କଥାବସ୍ତୁ ସହିତ ଅସଂପୃକ୍ତ ଏକ ପ୍ରହସନର ପ୍ରୟୋଜନୀୟତା ନାହିଁ; କିନ୍ତୁ ୪୫/୫୦ ବର୍ଷ ପୂର୍ବେ ଓଡ଼ିଆ ନାଟକ ସେହି ପ୍ରାଚୀନ ସଂସ୍କୃତ ନାଟକରେ ବିଦୂଷକକୁ ଆଦର କରିଥିଲା, ନାଟକ ପାଇଁ ଏକ ଅସଂପୃକ୍ତ ପ୍ରହସନର ପ୍ରୟୋଜନୀୟତା ଲୋଡ଼ିଥିଲା । ଉତ୍କଳର ପୁରପଲ୍ଲୀମାନଙ୍କରେ ଯେଉଁ ଯାତ୍ରାଲୀଳା, ଗୀତାଭିନୟର ଅଭିନୟ ଏବେ ସୁଦ୍ଧା ଜୀବିତ ଅଛି, ସେଇ ପୂର୍ବର ପରମ୍ପରା ପଲ୍ଲୀପ୍ରାଣ ଭୁଲି ପାରି ନାହିଁ । ଏବେ ସୁଦ୍ଧା କାଳୀ-ଗୋରୀ ଫାର୍ଶ, କେଳାକେଲୁଣୀ ଫାର୍ଶର ଶତ ଶତ ଦର୍ଶକ ଅଛନ୍ତି ।

 

ଊନବିଂଶ ଶତକର ଶେଷପାଦରେ ଲବ୍‍ଧପ୍ରତିଷ୍ଠ ରାମଶଙ୍କର ରାୟ ଆରମ୍ଭ କରନ୍ତି ତାଙ୍କର ନାଟକ ରଚନା । ଇଂରାଜୀ ନାଟକ (ସେକ୍‍ସପିୟରଙ୍କର) ଅଧ୍ୟୟନ କରିଥିଲେ ମଧ୍ୟ ନାଟକ ରଚନାରେ ସେ ନିଜ ମାତୃଭୂମିର ପ୍ରାଚୀନ ପରମ୍ପରାକୁ ଭୁଲିପାରି ନାହାନ୍ତି । ସଂସ୍କୃତ ନାଟ୍ୟସାହିତ୍ୟ ହେଉଛି ତାଙ୍କର ଆଦର୍ଶ । ସେଥିପାଇଁ ସେ ତାଙ୍କର ନାଟକମାନଙ୍କରେ ବିଦୂଷକ ଚରିତ୍ର ପରିବେଷଣ କରିବାକୁ ଭୁଲିନାହାନ୍ତି । ପରମ୍ଫରା ଦ୍ୱାରା ଅନୁପ୍ରାଣିତ ହୋଇ କ୍ଷୁଦ୍ରନାଟକ ଆକାରରେ କେତୋଟି ପ୍ରହସନ ସୃଷ୍ଟି କରିଛନ୍ତି, କିନ୍ତୁ ନାଟକରେ ଚରିତ୍ରମାନଙ୍କ ଜରିଆରେ ହାସ୍ୟରସ ପରିବେଷଣ କରିବାକୁ ପ୍ରୟାସ କରିନାହାନ୍ତି ।

 

ପ୍ରହସନ ହେଉଛି ଗୋଟାଏ ହାସ୍ୟରସପୂର୍ଣ୍ଣ କ୍ଷୁଦ୍ରନାଟିକା । ଏଥିରେ ଅନ୍ୟାନ୍ୟ ରସ ଅବତାରଣା କରିବାର ଅବକାଶ ଥିଲେ ମଧ୍ୟ ହାସ୍ୟ ହେଉଛି ମୁଖ୍ୟରସ । ନାଟ୍ୟକଳା ଦୃଷ୍ଟିରୁ ବର୍ତ୍ତମାନ ଏହାର ସ୍ଥାନ ଅତି ନ୍ୟୁନ ହେଲେ ମଧ୍ୟ ଏକ ସମୟରେ ଏହାର ଆଦର ଖୁବ୍‍ ବେଶି ଥିଲା, ଯେତେବେଳେ କି ହାସ୍ୟରସ ସୃଷ୍ଟିର ମାର୍ଜିତ ରୀତି ଉତ୍କଳର ନାଟ୍ୟକାରଙ୍କୁ ଅଜ୍ଞାତ ଥିଲା । ନାଟକରେ ସ୍ୱାଭାବିକ ଭାବରେ ହାସ୍ୟରସ ଫୁଟାଇବାକୁ ଚେଷ୍ଟା ନ କରି ପୃଥକ୍‍ଭାବରେ ପ୍ରହସନ ରଚନା କରି ଅଭିନୟ ମଧ୍ୟରେ ତା’ର ପରିବେଷଣ କରୁଥିଲେ । ସ୍ଥୁଳତଃ, ପ୍ରହସନ ଯେ କୌଣସି ନାଟକରେ ହାସ୍ୟରସୋଦ୍ଦୀପକ ପରିପୂରକ ଭାବରେ ବ୍ୟବହୃତ ହେଉଥିଲା; କିନ୍ତୁ ପ୍ରହସନର ସ୍ୱତନ୍ତ୍ର ରଚନା ଓ ଅଭିନୟ ଏକାନ୍ତ ଅବାଞ୍ଛନୀୟ ଓ ଉପେକ୍ଷଣୀୟ ।

 

ଅଧ୍ୟାପକ ରାଜକିଶୋର ରାୟ ଓଡ଼ିଆ ସାହିତ୍ୟରେ ରଙ୍ଗରସ ସମ୍ୱନ୍ଧରେ ଆଲୋଚନା କରିବାକୁ ଯାଇ ଲେଖିଛନ୍ତି—

 

‘‘ନାଟକ ରଚନାରେ ହାସ୍ୟରସର ସୃଷ୍ଟି ସହଜ ନୁହେଁ । ନିମ୍ନଶ୍ରେଣୀ ଲେଖକର ହାସ୍ୟରସ ରଚନା ଅଶ୍ଳୀଳତାରେ ପରିଣତ ହୁଏ । ମାତାଲର ଚରିତ୍ରରେ ଅନେକ ଶିକ୍ଷାମୂଳକ ହାସ୍ୟରସ ପରିବେଷଣ କରାଯାଇପାରେ । ଆଦର୍ଶଚ୍ୟୁତ ହେଲେ ପାଠକ ବା ଦର୍ଶକକୁ ବିଭକ୍ତ କରାଏ । ଓଡ଼ିଆ ନାଟକରେ ହାସ୍ୟରସ ଉନ୍ନତ ଓ ଆଦର୍ଶସ୍ଥାନୀୟ ହୋଇ ପାରିନାହିଁ । ନିମ୍ନଶ୍ରେଣୀରୁ ଥଟ୍ଟା, ପରକୁତ୍ସା, ଭଣ୍ଡାମି ଓଡ଼ିଆ ନାଟ୍ୟକାରର କଳାକୌଶଳ ହୋଇଛି ।’’ ହାସ୍ୟରସ ମନୁଷ୍ୟର ଜନ୍ମଗତ ପ୍ରବୃତ୍ତି, ଗାମ୍ଭୀର୍ଯ୍ୟ ଓ ପାଣ୍ଡିତ୍ୟର ଅନୁରୋଧରେ ଜୀବନର ସରସ ବସ୍ତୁକୁ ଗୌଣସ୍ଥାନ ଦେବା ଏକାନ୍ତ ଅବାଞ୍ଛନୀୟ ।

 

‘ନିମ୍ନଶ୍ରେଣୀର ଲେଖକର ହାସ୍ୟରସ ରଚନା ଅଶ୍ଳୀଳତାରେ ପରିଣତ ହୁଏ’—ଏଇ ଉକ୍ତିର ସାର୍ଥକତା ଦେଖାଯାଏ ଓଡ଼ିଆ ଫାର୍ଶ ଓ ପ୍ରହସନ ମାନଙ୍କରେ, ବିଶେଷତଃ ବୈଷ୍ଣବ ପାଣି ଓ ଅନ୍ୟାନ୍ୟ ପଲ୍ଲୀଗୀତାଭିନୟକାରଙ୍କ ରଚନାରେ ।

 

ରାମଶଙ୍କର ରାୟ ତାଙ୍କର ବିଭିନ୍ନ ନାଟକ ସହିତ କେତୋଟି ପ୍ରହସନ ରଚନା କରିଛନ୍ତି-। ତାହାମଧ୍ୟରେ ‘କଳିକାଳ‘ ଓ ‘ବୁଢ଼ାବର’ ପ୍ରହସନ ଦୁଇଟି ପାଠକର ଦୃଷ୍ଟି ଆକର୍ଷଣ କରେ-

 

ଅଧ୍ୟାପକ ରାଜକିଶୋର ରାୟ, ସାହିତ୍ୟ ଓ ସାହିତ୍ୟତତ୍ତ୍ୱ ।

 

ତତ୍‍କାଳୀନ ଇଂରାଜୀଶିକ୍ଷାପ୍ରାପ୍ତ ଯୁବକ ଚରିତ୍ରର ଅଧୋଗତିର କାରଣ, ଇଂରେଜ ଚଳଣି, ବେଶପୋଷା, ମଦ୍ୟପାନର ଅନୁକରଣ ଓ ବେଶ୍ୟାଗୃହ ଗମନ—ଏଇ ତଥାକଥିତ ଶିକ୍ଷିତମାନେ ଇଂରେଜଙ୍କର ହୋଇ ପାରୁନାହାନ୍ତି କି ନିଜ ଲୋକଙ୍କର ହୋଇ ପାରିନାହାନ୍ତି । ଶିକ୍ଷିତ ସମାଜର ଏ ବ୍ୟାଧିକୁ ଲେଖକ ଏକ ପ୍ରହସନ ଜରିଆରେ ବ୍ୟଙ୍ଗବିଦ୍ରୁପ କରିଛନ୍ତି । ଏହାର ରଚନା ମୂଳରେ ରହିଛି ତାଙ୍କର ସମାଜ ସଂସ୍କାର ମନୋବୃତ୍ତି ।

 

କଳିକାଳ—ଏହି ପ୍ରହସନର ଅଭିନୟ ହୁଏ ୧୮୮୩ରେ । କଥାବସ୍ତୁ ହେଉଛି—ବୈଷ୍ଣବଚରଣର ପୁତ୍ର କୃଷ୍ଣଚରଣ ସାମାନ୍ୟ ୪୦ ଟଙ୍କା ବେତନର କିରାଣୀ । ସେ ବିବାହିତ ପତ୍ନୀର ନାମ ରସମଞ୍ଜରୀ । କୃଷ୍ଣଚରଣ କୁସଙ୍ଗରେ ପଡ଼ି ପାର୍ବତୀ ବାଈ ବେଶ୍ୟାଘରେ ଆମୋଦପ୍ରମୋଦରେ ମାତିଲା । ସତୀ, ସାଧ୍ୱୀ, ଦେବୀତୁଲ୍ୟା ସ୍ୱୀୟ ପତ୍ନୀ ରସମଞ୍ଜରୀର ପବିତ୍ର ପ୍ରେମରେ ଆବଦ୍ଧ ନ ହୋଇ ବେଶ୍ୟାର କୃତ୍ରିମ, ଘୁଣ୍ୟ, ବୀଭତ୍ସ କାର୍ଯ୍ୟଘେନା ପ୍ରେମଅର୍ଗଳୀରେ ପଡ଼ି ନିଜର ଧନ, ସଂପଦ, ପିତାମାତା ଓ ସ୍ତ୍ରୀର ସୁଖରେ ଜଳାଞ୍ଜଳି ଦେଇ ମଦ୍ୟପାନରେ ଉନ୍ନତ୍ତ ହୋଇ ସଂଜ୍ଞାଶୂନ୍ୟ ପାର୍ବତୀ ବାଈର ନିରୁତ୍ତରେ ଅନ୍ୟଥା ଭାବି ତାକୁ ଶାଣିତ କୃପାଣରେ ହତ୍ୟା କଲା । ବିଚାରରେ ତାକୁ ହେଲେ ଫାଶିହୁକୁମ ।

ପ୍ରକୃତ ପକ୍ଷରେ ଏହା ଗୋଟିଏ ପ୍ରହସନ ନୁହେଁ । ଏହାର ପରିସମାପ୍ତି ବିୟୋଗାତ୍ମକ । ପ୍ରହସନ ବା ହାସ୍ୟରସ ସଂବଳିତ ଲେଖାର ପରିଣତି ବୟୋଗାତ୍ମକ ହେବ ଅବାଞ୍ଛନୀୟ । କବିବର ରାଧାନାଥ ରାୟଙ୍କ ଭାଷାରେ ଏହା ଗୋଟିଏ Serio comic farce । ଏଥିରେ ଦୁଃଖର ଚିତ୍ରଣ ପାଇଁ ଯେତେ ଅବକାଶ ରହିଛି, ହାସ୍ୟରସ ସୃଷ୍ଟି କରିବାକୁ ସେତେ ଅବକାଶ ନାହିଁ । କେତେକ କହିପାରନ୍ତି, ଜଣକର ଦୁଃଖରେ ଅନ୍ୟ ଜଣେ ସୁଖୀ ହୁଏ; ସାପ ବେଙ୍ଗକୁ ଟେକାମାରି ପିଲାଏ ଆନନ୍ଦ ଉପଭୋଗ କରନ୍ତି; କିନ୍ତୁ ଏଠାରେ ପୁତ୍ର ପିତାମାତା ଓ ସ୍ତ୍ରୀ ନିକଟରେ ନିଜର ନିଷ୍ପେଷିତ କ୍ଷଣିକ ସୁଖାଶୀ କଳଙ୍କିତ ପ୍ରାଣକୁ ଛଳନାର ଆବରଣ ଦେବାକୁ ପ୍ରୟାସ କରିଛି । ଗୁରୁଜନ ଓ ପ୍ରିୟଲୋକଙ୍କ ମନରେ ଦୁଃଖ ଦେଇ କେହି ଗୌରବ ନେଇ ପାରେ ନାହିଁ; ସୁତରାଂ ଏ ସ୍ଥଳରେ ଜଣକରେ ଦୁଃଖରେ ଅନ୍ୟର ସୁଖ ଉକ୍ତିଟି ପ୍ରଯୋଜ୍ୟ ନୁହେଁ । ହାସ୍ୟର ସୃଷ୍ଟି ହେବା ଦୂରେ ଥାଉ, ବରଂ କୃଷ୍ଣଚରଣ ପ୍ରତି ପାଠକ ଓ ଦର୍ଶକମାନଙ୍କ ମନରେ ଘୃଣା ଜାତହୁଏ; ପିତାମାତା ଓ ସ୍ତ୍ରୀଙ୍କର ଚିନ୍ତାବିଷାଦଭରେ ଜୀବନ ପ୍ରତି ସହାନୁଭୂତି ଜାତହୁଏ । ପ୍ରହସନତାର ନୀତି ପ୍ରୟାସୀ ହୋଇ ପାପକାର୍ଯ୍ୟ ପାଇଁ ତାର ପ୍ରାୟଶ୍ଚିତ ମୃତ୍ୟୁରେ ଘଟାଇଛନ୍ତି । କିନ୍ତୁ ବାସ୍ତବ ଦୁନିଆରେ ତାହା ଘଟୁନାହିଁ । ନରହତ୍ୟାକାରୀ ଲୋକ ମଧ୍ୟ ପ୍ରମାଣ ଅଭାବରେ ଗୁରୁତର ଅପରାଧରୁ ମୁକ୍ତିପାଇ ଯାଉଛି । ସଂଳାପ ଯୋଜନା ଯାହା ହେଉ ନା କାହିଁକି, ଘଟଣାର ବିବର୍ତ୍ତନ ଦର୍ଶକ ଓ ପାଠକର ହୃଦୟକୁ ସ୍ପର୍ଶ କରିପାରେନା । ଏଥିରେ ଘଟଣାସମାବେଶ ଓ ସଂଳାପ ଯୋଜନାରେ ପ୍ରହସନକାରଙ୍କର କୃତ୍ରିମତା ବିଶେଷ ପରିଲକ୍ଷିତ ହୁଏ ।

ଉତ୍କଳରେ ଏକ ସମୟରେ ଗୌଡ଼ୀୟ ବୈଷ୍ଣବମତ ବିଶେଷ ପ୍ରାଧାନ୍ୟ ଲାଭ କରିଥିଲା, ଏବେ ବି ତାର ପ୍ରଭାବ ରହିଛି । ତାର ନିଦର୍ଶକ ପାଉଁ ଆମେ ବଙ୍ଗଳାମିଶା ଓଡ଼ିଆ କୀର୍ତ୍ତନ ସଙ୍ଗୀତରୁ ଏବଂ ସ୍ଥାନେ ସ୍ଥାନେ ବୈଷ୍ଣବ ବୈଷ୍ଣବୀଙ୍କର ମଠ ଓ ସେମାନଙ୍କର ଇତସ୍ତତଃ ଗମନାଗମନରୁ । ରାମଶଙ୍କର ତାଙ୍କର ‘କଳିକାଳ’ ଏବଂ ‘ବୁଢ଼ାବର’ ପ୍ରହସନରେ ବୈଷ୍ଣବ ଓ ବୈଷ୍ଣବୀମାନଙ୍କ ଆବିର୍ଭାବ ଘଟାଇଛନ୍ତି ସେମାନଙ୍କୁ ଏକ ଏକ ଉପଦେଷ୍ଟା ଓ ସାନ୍ତ୍ୱନାଦାୟକ ଭାବରେ ।

ଲେଖକ ଗୌଡ଼ୀୟ ବୈଷ୍ଣବ ମତରେ ବିଶ୍ୱାସୀ ଥିବାରୁ ଏହାର ସୂଚନା ପ୍ରହସନ ଓ ଅନ୍ୟାନ୍ୟ ନାଟକରେ ରହିଛି । ଘଟଣା ଓ ଚରିତ୍ରଚିତ୍ରଣରେ ହାସ୍ୟରସ ପରିସ୍ଫୁଟ ନ ହୋଇଥିଲେ ମଧ୍ୟ ଭାଷାର ବ୍ୟଙ୍ଗଧର୍ମୀ ପ୍ରୟୋଗରେ ତାହା କେତେକ ସ୍ଥାନରେ ପରିସ୍ଫୁଟ ହୋଇଛି । ଏଥିରେ ହିନ୍ଦିଭାଷୀ, ବଙ୍ଗଭାଷୀ ଓ ଓଡ଼ିଆଭାଷୀ ଚରିତ୍ରମାନ ସମାବେଶ କରାଯାଇଛି । ହାସ୍ୟରସ ଫୁଟିଛି ଓଡ଼ିଆର ଭଗ୍ନ ହିନ୍ଦୀ ଓ ବଙ୍ଗଳାଭାଷାର ଉଚ୍ଚାରଣରେ, ଯଥା—ଆନ ଯାଇଁ କରି କରି ଆଜି ରାତିକୁ ଆମ୍ଭମାନଙ୍କ ମଉଜ ହେବ, କି କରତେ ହବ କହ ।

ସଂସ୍କୃତ ନାଟକ ନିୟମାନୁସରଣରେ ରାମଶଙ୍କର ପ୍ରସ୍ତାବନା(Prologue), ସ୍ୱର୍ଗତୋକ୍ତି (Solilogy)ର ବ୍ୟବହାର କରିଛନ୍ତି । ପ୍ରହସନକାର ତତ୍‍କାଳୀନ ଓଡ଼ିଆଭାଷାର ବ୍ୟବହୃତ କେତେକ ଶବ୍ଦର ପ୍ରୟୋଗ କରିଛନ୍ତି, ଯଥା—ରଖିଚିନି, ହେସାବ, ତୁଚ୍ଛେଇ, ଶସବ୍ୟସ୍ତ, ଦୋହାଇ ଇତ୍ୟାଦି ।

ବୁଢ଼ାବର—ରଙ୍ଗରସ କ୍ଷେତ୍ରରେ ଏହାର ସ୍ଥାନ ଅତ୍ୟନ୍ତ ନ୍ୟୁନ । ସଂଳାପଯୋଜନା ଓ ଘଟଣା ସମାବେଶ ଅତ୍ୟନ୍ତ ନିମ୍ନଶ୍ରେଣୀର । ଭାଷାରେ ହାସ୍ୟୋଦ୍ଦୀପକ ବିଭାବ ନାହିଁ; ଏହା ଗ୍ରାମ୍ୟ ପାଲା ଓ ଗୀତିନାଟ୍ୟରେ ପରିବେଷିତ ରଙ୍ଗରସ ସଦୃଶ । ଏଥିରେ ପରିସ୍ଫୁଟ ଯତକିଞ୍ଚିତ୍‍ ହାସ୍ୟ ନିମ୍ନ ସ୍ତରର, ଏଥିରେ ବୁଦ୍ଧିମତ୍ତା ବା ବାଗ୍‍ବୈଦଗ୍‍ଧ୍ୟର ତିଳେମାତ୍ର ସଙ୍କେତ ନାହିଁ । କୃତ୍ରିମ ଭାବରେ ନାଟ୍ୟକାର ଘଟଣାସମାବେଶ, ସଂଳାପ ଯୋଜନା ଏ ଭାଷାରେ ଯତକିଞ୍ଚିତ୍‍ ହାସ୍ୟରସ ପରିସ୍ଫୁଟ କରିଛନ୍ତି । ଅବଶ୍ୟ ନାଟ୍ୟକାରଙ୍କର ରଚନା ସମୟକୁ ନେଇ ଏହା ସମୟୋପଯୋଗୀ ହୋଇଛି ଯେତେବେଳେ ଆଧୁନିକ ନାଟକ ରଚନାର ଅୟମାରମ୍ଭ ହୋଇ ନ ଥାଏ ।

 

କଥାବସ୍ତୁ ହେଉଛି ନଟବର ନାମକ ଜନୈକ ଷଷ୍ଠିତମ ବୟସ୍କ ବୃଦ୍ଧ ସୋମନାଥ ନାମକ ଜନୈକ ବ୍ୟକ୍ତିର କନ୍ୟାକୁ କନ୍ୟାସୁନା ଦେଇ ବିବାହ କଲା । ପରମାନନ୍ଦ ଓ ଭୋଳାନାଥ ନାମକ ଦୁଇଜଣ ବୃଦ୍ଧଙ୍କ କୁଚକ୍ରାନ୍ତରେ କନ୍ୟାପିତା ଅଧିକ ପାଇବା ଆଶାରେ ସମସ୍ତ ଅର୍ଥ ହରାଇ ମର୍ମାହତ ହେଲା । ବୃଦ୍ଧ ନଟବର ଦେହି ପଦ ପଲ୍ଲବ ମୁଦାରମ୍‍ ନୀତିରେ ସୁଦ୍ଧା ବିବାହିତା ପତ୍ନୀ ରତିମଞ୍ଜରୀ ପ୍ରେମଭାଜନ ହୋଇପାରିଲା ନାହିଁ । ଯୁବକ ଭୃତ୍ୟ ନାଥିଆ ପ୍ରତି ରତିମଞ୍ଜରୀ ଆକୃଷ୍ଟ ହୋଇପଡ଼େ-। ନଟବରର ପୁତ୍ର ପଦ୍ମଲାଭ ପିତାର ବ୍ୟବହାରରେ ଏକାନ୍ତ ଉତ୍ତ୍ୟକ୍ତ ହୋଇ ଗୃହର ସମସ୍ତ ଟଙ୍କା-ସୁନା ଧରି ନିଜର ସ୍ତ୍ରୀ ରସମଞ୍ଜରୀ ସହ ଅନ୍ୟତ୍ର ପଳାୟନ କଲା । ରତିମଞ୍ଜରୀ ଯଥାକ୍ରମେ ପିତା ଓ ବୃଦ୍ଧ ସ୍ୱାମୀର ଅର୍ଥପିପାସା ଓ କାମପ୍ରବଣତାକୁ ଶତ ଧିକ୍‍କାର କରି ଭୃତ୍ୟ ନାଥିଆ ସଙ୍ଗରେ ପଳାୟନ କଲା ।

 

ଅର୍ଥ ଗୃଧ୍ର ପିତା କିପରି ଭାବରେ କିଶୋରୀ କନ୍ୟାକୁ ଅର୍ଥଲୋଭରେ ବୃଦ୍ଧ ସହ ବିବାହ ଦେଇ କନ୍ୟାର ଜୀବନ ହା ହୁତାଶମୟ କରୁଥିଲା, ଲେଖକ ଏହି ସାମାଜିକ କଳଙ୍କ ଦୂରୀକରଣ ନିମିତ୍ତ ଏହି ପ୍ରହସନରେ ତାହା ବ୍ୟଙ୍ଗ କରି ନିଜର ସଂସ୍କାର ବୃତ୍ତିର ପରିଚୟ ଦେଇଛନ୍ତି ।

 

ପ୍ରହସନଟି ନିମ୍ନସ୍ତରର ହେଲେ ମଧ୍ୟ ଏହା ତତ୍‍କାଳୀନ ସାମାଜିକ ଅବସ୍ଥାର ଏକ ନିଖୁଣ ଚିତ୍ର ପ୍ରଦାନ କରେ । ନିମ୍ନସ୍ତରର ପରିହାସ, କୁଚକ୍ର, ଶଠତା ଓ ଚରିତ୍ରମାନଙ୍କର ନଗ୍ନତା ଏହାର ଉପଜୀବ୍ୟ । ପାଠକ ଓ ଦର୍ଶକ ଚିତ୍ତରେ ସନ୍ନିବେଶିତ ଚରିତ୍ରଗୁଡ଼ିକ ପ୍ରତି ସହାନୁଭୂତିରେ ଏକାନ୍ତ ଅଭାବ ଘଟିବା ସ୍ୱାଭାବିକ ।

Image

 

ସାହିତ୍ୟିକର ସ୍ୱର୍ଗତୋକ୍ତି

 

‘‘କୃଷ୍ଣ ଆଶ୍ରେ କରି ସୁବିଦ୍ୟା ଆଚରି ପାଷାଣ୍ଡକୁ ଯାହା ସ୍ତୁତି,

କୃଷ୍ଣ ଦାସ କହେ କିଛି ଭଲ ନୁହେଁ କେବଳ ଛାତିକି କାତି ।’’

 

ଆଜିକି ପ୍ରାୟ ତିନିଶହ ବର୍ଷ ତଳେ ଦରିଦ୍ର କୁଷ୍ଠରୋଗାକ୍ରାନ୍ତ କବି ଦୀନକୃଷ୍ଣ ତାଙ୍କର ରସକଲ୍ଲୋଳ କାବ୍ୟରେ ପୂର୍ବୋକ୍ତ କଥାଟି କହିଥିଲେ । ସେ ସମୟ ହେଉଛି ରାଜରାଜୁଡ଼ା ଯୁଗ । ଆଜିକାଲି ପରି ସେତେବେଳେ ଦେଶ ସ୍ୱାଧୀନ ନ ଥିଲା । ଅସ୍ଫୃଶ୍ୟତା, ଜାତିଭେଦ, ବର୍ଣ୍ଣଭିଜାତ୍ୟର ସଂକୀର୍ଣ୍ଣତା ମଧ୍ୟରେ ଜନତାର ପ୍ରାଣ ସଙ୍କୁଚିତ ଓ ରୁଦ୍ଧଶ୍ୱାସ ହୋଇପଡ଼ିଥିଲା । ଦେଶ ଓ ସମାଜର ବଡ଼ପଣ୍ଡା ଥିଲେ ରାଜା ଓ ପୁରୋହିତ । ସେତେବେଳେ ରାଜାଙ୍କର ଶୁଭଦୃଷ୍ଟିକୁ ଏକ ଦୈବକୃପା ବୋଲି ମନେ କରାଯାଉଥିଲା । ଏଇଭଳି ପରିସ୍ଥିତିରେ ତୋଷାମଦକାରୀ ତଥାକଥିତ ପଣ୍ଡିତ ଓ ପୁରୋହିତଙ୍କ ଦ୍ୱାରା ଘୃଣିତ, ଅବହେଳିତ ଦୀନକୃଷ୍ଣ ରାଜପ୍ରଲୋଭନକୁ ପଦାଘାତ କରି ଯେପରି ନିର୍ଭୀକ ଭାବରେ ନିଜ ସୃଷ୍ଟିରେ ଆତ୍ମପ୍ରକାଶ କରିଛନ୍ତି, ତା’ ଭାବିଲେ ବାସ୍ତବିକ ବିସ୍ମିତ ହେବାକୁ ହୁଏ ।

 

କେବଳ ଦୀନକୃଷ୍ଣ କାହିଁକି, କୁସଂସ୍କାରାଚ୍ଛନ୍ନ ପଣ୍ଡିତମ୍ମନ୍ୟ ବ୍ରାହ୍ମଣର କଠୋର ସାମାଜିକ ବିଧି ବ୍ୟବସ୍ଥାର ଶିଳାପ୍ରକାରକୁ ବିଦୀର୍ଣ୍ଣ କରି ଏ ଜାତିର ଆଦିକବି ଶୁଦ୍ରମୁନି ସାରଳା ଦାସ ‘ମହାଭାରତ’, ଜଗନ୍ନାଥଦାସ ଶ୍ରୀମଦ୍‍ଭାଗବତ ଓ ବଳରାମ ଦାସ ବେଦାନ୍ତତତ୍ତ୍ୱକୁ ପ୍ରାକୃତଭାଷାବନ୍ଧରେ ରଚନା କରି ବିଭିନ୍ନ ପ୍ରତିକୂଳ ପରିସ୍ଥିତି ମଧ୍ୟରେ କର୍ମନିର୍ଭୀକତାର ପରିଚୟ ଦେଇଛନ୍ତି ।

 

ଆଧୁନିକ ଯୁଗର କବି ରାଧାନାଥ, ମଧୁସୂଦନ, ଚିନ୍ତାମଣି, ପଦ୍ମଚରଣ ପ୍ରଭୃତି ଆତ୍ମାର ମୁକ୍ତିର ମହତ୍ତ୍ୱ ଉପଲବ୍‍ଧି କରିଛନ୍ତି । ଜାତୀୟତା ଓ ଦେଶାତ୍ମବୋଧରେ ବିଶେଷ ଅନୁପ୍ରାଣିତ ହୋଇଛନ୍ତି, କିନ୍ତୁ ବ୍ରିଟିଶ ଶାସକର ତର୍ଜନୀ ସମକ୍ଷରେ ସେମାନେ ସତେ ଯେପରି ଭୀତତ୍ରସ୍ତ । ସେଥିପାଇଁ ଅତି ସନ୍ତର୍ପଣରେ ରୂପକର ଆବରଣରେ ବେଳେ ବେଳେ ସେମାନଙ୍କର ପିଞ୍ଜରାବଦ୍ଧ ପ୍ରାରବିହଙ୍ଗ ମୁକ୍ତିର, ସ୍ୱାଧିନତାର ଅସ୍ପଷ୍ଟ କୂଜନ ପ୍ରକାଶ କରିଛି । ବେଳେ ବେଳେ ସେମାନଙ୍କର ଭୀତଶଙ୍କିତ ଚିତ୍ତ ଶାସକର ଜୟଗାନ କରିବାକୁ ଯାଇ ପାଠକଚିତ୍ତରେ ବିରୋଧାଭାସର ବ୍ୟଥା ସୃଷ୍ଟି କରିଛି । ମୂଳତଃ ପୂର୍ବୋକ୍ତ ପ୍ରାଚୀନ କବିଙ୍କ ପରି ଏମାନେ ନିର୍ଭୀକ ଓ ସ୍ପଷ୍ଟ ଭାବରେ ନିଜର ପ୍ରାଣର କଥାଟିକୁ କହିପାରି ନାହାନ୍ତି ।

 

ନାନା ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ପ୍ରାଚୀନ ଓ ମଧ୍ୟଯୁଗର କବିମାନଙ୍କର ଏ ନିର୍ଭୀକତା ଓ ସ୍ପଷ୍ଟବାଦିତାର କାରଣ ସମ୍ପର୍କରେ ଏତିକିମାତ୍ର କୁହାଯାଇପାରେ ଯେ, ସେମାନେ ଥିଲେ ସାଧକ ଓ ଭକ୍ତ, ପୁଣି କବି ଓ ପଣ୍ଡିତ । ଆଧ୍ୟାତ୍ମିକ ସିଦ୍ଧି ଥିଲା ସେମାନଙ୍କ ଜୀବନର ପରମ ଲକ୍ଷ୍ୟ, ଚରମ ଶ୍ରେୟ । ଆଧ୍ୟାତ୍ମିକ ଲକ୍ଷ୍ୟ ନିକଟରେ ସେମାନେ ଭୌତିକ ସିନ୍ଧି ଓ ଜୟପରାଜୟକୁ ତୁଚ୍ଛ ମନେକରୁଥିଲେ । ଫଳରେ ସେମାନଙ୍କର ଚିନ୍ତା ଓ ଆଚରଣରେ ବିରୋଧ ଘଟୁ ନ ଥିଲା । ସେମାନ ଥିଲେ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ପରମ୍ପରାର ଜ୍ୱଳନ୍ତ ପ୍ରତୀକ । ଦେଶ ଓ ଜାତିର ଆଧ୍ୟାତ୍ମିକ ଶ୍ରେୟଃ ପାଇଁ ସେମାନେ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ଗୀତାର ଭାଷାରେ ସେମାନେ ଥିଲେ ସ୍ଥିତପ୍ରଜ୍ଞ, ସମଦ୍ରଷ୍ଟା ଓ ସର୍ବଭୂତ ହିତେରତ । ସେମାନଙ୍କର ଏଇ ଆଧ୍ୟାତ୍ମିକ ଦୃଷ୍ଟି ପ୍ରତିକୂଳ ଭୌତିକ ପରିସ୍ଥିତିକୁ ଭୂକ୍ଷେପ କରି ନ ଥିଲା । ସେଥିପାଇଁ ପ୍ରଚଳିତ ସାମାଜିକ ବ୍ୟବସ୍ଥା ବିରୁଦ୍ଧରେ ଦେଶର ଶିକ୍ଷାହୀନ ମୂଳ ଜନତାର କଲ୍ୟାଣ ଲାଗି ସେମାନେ ବିଦ୍ରୋହ କରିବା ନିମିତ୍ତ ତିଳେମାତ୍ର କୁଣ୍ଠିତ ନ ଥିଲେ ।

 

ରାଜ ରାଜୁଡ଼ା ଯୁଗରେ ଆମର ଜାତିର ସିଦ୍ଧସାଧକ ଓ ଆଧୁନିକ ଯୁଗର ପୂର୍ବୋକ୍ତ କବିଙ୍କର ବ୍ୟକ୍ତିତ୍ୱ ବାସ୍ତବିକ ବର୍ତ୍ତମାନର ସ୍ୱାଧୀନ ନା ଗରିବ ପ୍ରାଣରେ ବିସ୍ମୟ ସୃଷ୍ଟି କରେ ।

 

ଆଜି ଦେଶ ସ୍ୱାଧୀନ ହୋଇଛି । ଦେଶର ସମ୍ୱିଧାନ ନାଗରିକମାନଙ୍କର ମୌଳିକ ଅଧିକାର ଘୋଷଣା କରିଛି । ଦିନକୁ ଦିନ ଶିକ୍ଷାର ପ୍ରସାର ଘଟୁଛି । ଜ୍ଞାନବିଜ୍ଞାନର ବିସ୍ମୟକର ଅଗ୍ରଗତି ପ୍ରତ୍ୟେକେ ଲକ୍ଷ୍ୟ କରୁଛନ୍ତି । ଆନ୍ତର୍ଜାତିକ ସଂପର୍କ ହେତୁ ପୃଥିବୀ ବର୍ତ୍ତମାନ ଛୋଟ ହୋଇ ପଡ଼ିଛି, କିନ୍ତୁ ଆମେ ବିଂଶ ଶତାବ୍ଦୀର ଜ୍ଞାନବିଜ୍ଞାନର ବହୁ ସୁବିଧା ସୁଯୋଗର ଅଧିକାରୀ ହୋଇ ମଧ୍ୟ ନାନା ଅଶାନ୍ତି, ବ୍ୟର୍ଥତା ଓ ଜଟିଳ ପରିସ୍ଥିତିରେ ଜୀବନକୁ ଭାରାକ୍ରାନ୍ତ ମନେକରୁଛୁଁ । ସର୍ବତ୍ର ସନ୍ଦେହ, ବିଦ୍ୱେଷ ଓ ଅବିଶ୍ୱାସର ମାତ୍ରା ବୃଦ୍ଧିପାଉଛି । ହୃଦୟର ବିସ୍ତୃତି ସ୍ଥାନରେ ଦେଖାଦେଉଛି ସଂକୀର୍ଣ୍ଣତା ଓ ଆତ୍ମବିଶ୍ୱାସର ଶିଥିଳତା । ସମସ୍ତଙ୍କର ମୁଖମଣ୍ଡଳରେ ଏକ ଅସନ୍ତୋଷର ମୁଦ୍ରା ଜାତିର ସାହିତ୍ୟ ଓ ସମ୍ବାଦପତ୍ରରେ ବ୍ୟକ୍ତି ଓ ଜାତିର ସ୍ପଷ୍ଟ ଅନ୍ତରଙ୍ଗ ଶ୍ରେୟସ୍କର ରୂପଟି ଅନେକ ସମୟରେ ଅସ୍ପଷ୍ଟ ହୋଇ ପଡ଼ୁଛି ।

 

ସ୍ୱାଧୀନ ହୋଇ ପରାଧୀନତାର ମନୋବୃତ୍ତି ଆମ ଚିତ୍ତରେ ବସା ବାନ୍ଧିଛି ! ନିଜର ଅସଲ ସ୍ୱରୂପଟିକୁ ପ୍ରକାଶ କରିବା ପାଇଁ ଆମେ ବଡ଼ କୁଣ୍ଠିତ । ଅନେକ ସମୟରେ ଛଳନାର ଆଶ୍ରୟ ନେଇ ଆମ ନିଜର ଦୋଷ ଦୁର୍ବଳତାକୁ ଘୋଡ଼େଇ ରଖି ଚାଲିଛୁଁ । ସାଧନା, ଜ୍ଞାନ ଓ ଚିନ୍ତା ନ ଥାଇ ହଠାତ୍‍ କବି ଓ ଲେଖକ ହୋଇଯିବା ପାଇଁ ଆମେ ବ୍ୟାକୁଳ । ଶସ୍ତା ଓ ନିମ୍ନଶ୍ରେଣୀର ଲେଖାର ବହୁଳତା ପ୍ରଚାର ହେତୁ ଆମ ସାହିତ୍ୟମନ୍ଦିର କଳୁଷିତ । ଫଳରେ ଜାତୀୟ ସାହିତ୍ୟ ଓ ଜୀବନର ସୁଷ୍ଠୁ ବିକାଶ ଘଟିପାରୁ ନାହିଁ ।

 

ଏହାର କାରଣ ଆଜିର ସଭ୍ୟତାରେ ଆମର ବସ୍ତୁତାନ୍ତ୍ରିକ ଦୃଷ୍ଟିଭଙ୍ଗୀ, ଆତ୍ମକୈନ୍ଦ୍ରିକତା, ସ୍ୱାର୍ଥପରତା, ଆମର ଦ୍ୱିତ ବ୍ୟକ୍ତିତ୍ୱ ଓ ଆଧ୍ୟାତ୍ମିକ ଦୃଷ୍ଟୀଭଙ୍ଗୀର ଶିଥିଳତା ।

ଦେଶ ଆମର ବର୍ତ୍ତମାନ ଶତ୍ରୁର ଶ୍ୟେନଦୃଷ୍ଟିରେ ପଡ଼ିଛି । ପ୍ରତ୍ୟେକ ଲେଖକ ଓ ନାଗରିକ ଆଧ୍ୟାତ୍ମିକ ତା ଭିତ୍ତିରେ ପ୍ରତିଷ୍ଠିତ ହୋଇ ଯଦି ନିଜର ଓ ଜାତିର ଜୀବନକୁ ଦୃଢ଼ ନ କରନ୍ତି, ତା’ ହେଲେ ଦେଶ ଓ ଜାତିଗଠନର ବଳିଷ୍ଠ ପରମ୍ପରା ରକ୍ଷିତ ହୋଇପାରିବ ନାହିଁ । ପ୍ରତ୍ୟେକ ଆତ୍ମନିରୀକ୍ଷା କରନ୍ତୁ । ଆଧ୍ୟାତ୍ମିକ ଓ ନୈତିକ ଭିତ୍ତିରେ ପ୍ରତିଷ୍ଠିତ ରହି ପୂର୍ବର ସତ୍ୟଦ୍ରଷ୍ଟା କବି ଓ ସାଧକମାନଙ୍କର ନିର୍ଭୀକ ବ୍ୟକ୍ତିତ୍ୱକୁ ପ୍ରତ୍ୟେକ ବ୍ୟକ୍ତି ଆଦର୍ଶ ସ୍ୱରୂପ ରଖି ଦେଶ ଓ ଜାତିର କଲ୍ୟାଣରେ ଆତ୍ମବିନିଯୋଗ କରନ୍ତୁ । ତା’ହେଲେ ପ୍ରତ୍ୟେକର ଆତ୍ମା ମୁକ୍ତ ଭାବରେ ସମଗ୍ର ବିଶ୍ୱରେ ପ୍ରକାଶିତ ହୋଇ ଅତୀତର ଉର୍ଜ୍ଜ୍ୱସ୍ୱଳ ପରମ୍ପରାର ଉପଯୁକ୍ତ ବାହକ ହୋଇପାରିବ । ବ୍ୟକ୍ତି, ଜାତି ଓ ଦେଶର ସ୍ପଷ୍ଟ ତଥା ଶ୍ରେୟସ୍କର ମୂର୍ତ୍ତିଟି ଜାତିର ସାହିତ୍ୟ ଓ ସମ୍ୱାଦପତ୍ରରେ ଆତ୍ମପ୍ରକାଶ କରି ବର୍ତ୍ତମାନର ଜଟିଳ କୁହେଳିକାଚ୍ଛନ୍ନ ପରିସ୍ଥିତି ମଧ୍ୟରେ କର୍ତ୍ତବ୍ୟନିଷ୍ଠା, ସଂଯମ, ମନର ମୁକ୍ତି, ଐକ୍ୟ ଓ ଆଶାର ଆଲୋକଛଟା ବିକୀରଣ କରିପାରିବ ।

 

‘‘କବି ଯେ କରେ ମୂର୍ଖକୁ ସ୍ତୁତି, ଏଥିରୁ ବଡ଼ ନାହିଁ ବିପତ୍ତି ।

ଏଥିକି ପ୍ରତି ଛାତିରେ କାତି ମାରିବା ଭଲ ହେ ।’’

 

ସେ ଯୁଗର ସ୍ୱାଧୀନଚେତା କବି ଦୀନକୃଷ୍ଣଙ୍କର ଏହି ବାଣୀ ଆଧୁନିକ ଯୁଗର କବି, କଳାକାର ଓ ଚେତନଶୀଳ ବ୍ୟକ୍ତିଙ୍କର ଏକ ସ୍ମରଣୀୟ ଚେତାବନୀ ହୋଇ ରହିବା ଉଚିତ ନୁହେଁ କି-?

Image

 

Unknown

ସାହିତ୍ୟରେ ସଙ୍କଟ

 

ସାହିତ୍ୟର ଚାରଣଭୂମି ହେଉଛି ମଣିଷର ଜୀବନ ଓ ଜଗତ୍‍ । ଆଜିର ଜଗତ୍‍ ଓ ମଣିଷର ସ୍ୱରୂପ କ’ଣ, ତାହା ବର୍ତ୍ତମାନର ମଣିଷ ନିକଟରେ ଅତି ସ୍ପଷ୍ଟ ହୋଇଉଠିଛି । ବିସ୍ମୟକର ବୈଜ୍ଞାନିକ ଉଭାବନ ଫଳରେ ଆଜି କାଳର ଦୂରତା ସଙ୍କୁଚିତ ହୋଇଯାଇଛି । ପୃଥିବୀ ମଣିଷର ଆଖିରେ ଅତି ଛୋଟ ହୋଇଯାଇଛି । ମଲା ପରେ ଧ୍ରୁବ ବା ଚନ୍ଦ୍ରଲୋକରେ ବାସକରିବାର ପୂର୍ବର ମନୀଷୀ ଯାହା ଆଧ୍ୟାତ୍ମିକ ଦୃଷ୍ଟିରେ ଲକ୍ଷ୍ୟ କରିଥିଲେ, ବର୍ତ୍ତମାନ ସନ୍ଦେହରେ ସେଇ ଗ୍ରହଲୋକକୁ ଯାତ୍ରା କରି ବୈଜ୍ଞାନିକ ସେଠାରେ ସ୍ଥାୟୀ ବସବାସ କରିବାର ସ୍ୱପ୍ନ ଦେଖୁଛି । ମଣିଷର ମନୀଷା ତା’ର ପ୍ରଜ୍ଞା, ଆଜି ତାକୁ ବିଧାତାର ଆସନରେ ବସାଇଛି । ଏବର ମଣିଷ ପୂର୍ବର ମଣିଷ ଅପେକ୍ଷା ନିଜକୁ କେତେ ସମୃଦ୍ଧ, ଉନ୍ନତ ଅଗ୍ରଗାମୀ ଓ ସୁଖ ସୁବିଧାର ଅଧିକାରୀ ବୋଲି ମନେ ନ କରୁଛ !

 

କିନ୍ତୁ ଆଜିର ମଣିଷ ସମଗ୍ର ବିଶ୍ୱକୁ ନିଜର ହାତ ପାହାନ୍ତାରେ ପାଇ ମଧ୍ୟ ପାଇପାରୁନାହିଁ; ନିଜକୁ ଯେତେ ସୁବିଧା ଓ ସୁଯୋଗର ଅଧିକାରୀ ବୋଲି ମନେ କରୁଛି, ତା’ର କାଣିଚାଏ ପ୍ରାଣଭରି ଭୋଗ କରିପାରୁ ନାହିଁ । ସବୁ ଥାଇ ମଧ୍ୟ କିଛି ନଥିଲା ଭଳି ଅନୁଭବ କରୁଛି । ଜୀବନର ବିପୁଳ ବିଜୟ ଘୋଷଣା ଉଦଘୋଷିତ ହେଉଥିବା ସ୍ଥଳରେ ପରାଜୟର ଗ୍ଳାନି ଅନୁଭବ କରୁଛି । ଅଭାବବୋଧ, ନୈରାଶ୍ୟ ଓ ବ୍ୟର୍ଥତାରେ ପ୍ରାଣ ତା’ର ହାହାକର କରିଉଠୁଛି । ନାନା ଦ୍ୱନ୍ଦ୍ୱ, ସଂଶୟ, ବୈଷମ୍ୟ ଓ ବୈପରୀତ୍ୟରେ ତା’ର ଆତ୍ମାଶ୍ରାନ୍ତ, ଅକ୍ଳାନ୍ତ । ପ୍ରାଚୁର୍ଯ୍ୟ ଓ ବିପୁଳ ସମ୍ଭାବନା ସମକ୍ଷରେ ଥାଇ ମଧ୍ୟ ତା’ର ଆତ୍ମା ଅଶାନ୍ତ ।

 

ଏହାର କାରଣ ହେଉଛି ମଣିଷର ଭୋଗ ଦୃଷ୍ଟି, ଦେହାତ୍ମବାଦ, ଇନ୍ଦ୍ରିୟପରତନ୍ତ୍ରତା । ତା’ର ଦୃଷ୍ଟିରେ ଦେହ ହୋଇଛି ଆତ୍ମା ଅପେକ୍ଷା ବଡ଼, ବସ୍ତୁ ହୋଇଛି ଚିନ୍ତା ଓ ଚେତନା ଅପେକ୍ଷା ବଡ଼ । ମଣିଷ ପକ୍ଷରେ ଅବଶ୍ୟ ଭୋଗର ଆବଶ୍ୟକତା ରହିଛି । ଦେହକୁ ରକ୍ଷା କରିବାକୁ ହେବ ଜୀବନକୁ ସରସ କରିବା ପାଇଁ ଭୋଗ କରିବାକୁ ହେବ, ଏହା ବୋଲି ଭୋଗ ନା ଦେହ ସର୍ବସ୍ୱତା ମଣିଷଜୀବନର ଲକ୍ଷ୍ୟ ନୁହେଁ ।

 

ଭୌତିକଜୀବନ ଅପେକ୍ଷା ମଣିଷର ଯେ ଏକ ମହୁତ୍ତର ଆଧ୍ୟାତ୍ମିକ ଜୀବନ ଅଛି, ଆଜି ତାହା ସେ ଭୁଲିଯାଇଛି; ସେଥିପାଇଁ ତା’ର ସମସ୍ତ ଚିନ୍ତା, ଚେତନା, ତା’ର ଦୃଷ୍ଟି ଏଇ ଦେହ ଓ ବସ୍ତୁଠାରେ କେନ୍ଦ୍ରୀଭୂତ । ଦେହର ଭୋଗ ପାଇଁ, ଇନ୍ଦ୍ରୀୟ ଲାଳସାର ସହଜ ଚରିତାର୍ଥତା ପାଇଁ ଆଜି ସେ ଆକୁଣ୍ଠିତ ଭାବରେ ଯେ କୌଣସି ପନ୍ଥାର ଆଶ୍ରୟ ନେଉଛି । ଜୀବନର ବିକାଶ ପାଇଁ ଏ ପ୍ରକାର ଉଚ୍ଛୃଙ୍ଖଳତା ଓ ସ୍ୱେଚ୍ଛାଚାରିତା ଯେ କି ମାରାତ୍ମକ, ଆଜିର ମଣିଷ ତାହା ବୁଝିବାକୁ ପ୍ରସ୍ତୁତ ନୁହେଁ । ଫଳରେ ବ୍ୟକ୍ତି, ଜାତି ଓ ରାଷ୍ଟ୍ରଜୀବନରେ ନୀତି, ସଂଜମ, ସହିଷ୍ଣୁତା ଓ ଶୃଙ୍ଖଳାର ସମାଧି ଘଟିଛି । ନୈତିକତା ଓ ଆଧ୍ୟାତ୍ମିକ ତାର ଧ୍ୱଂସସ୍ତୁପ ଉପରେ ଚାଲିଛି ବସ୍ତୁତାନ୍ତ୍ରିକତା ଓ ଦେହାତ୍ମବାଦର ଦାନବୀଲୀଳା । ନିଜ ଛଡ଼ା ସେ ଦୁନିଆକୁ ଜାଣୁନାହିଁ । ସେ ଏତେଦୂର ଆତ୍ମକେନ୍ଦ୍ରିକ ଓ ସ୍ୱାର୍ଥସର୍ବସ୍ୱ ହୋଇପଡ଼ିଛି ଯେ, ନିଜ ପାଇଁ ସମସ୍ତ ପ୍ରକାର ନୀଚତା ଓ ଜଘନ୍ୟତାକୁ ସହଜ ଚିତ୍ତରେ ଗ୍ରହଣ କରି ନେଉଛି । ମଣିଷର ବାହାରଟା ଆଜି ନକଲି ଆଭରଣରେ ଭରପୂର ଅଥଚ ଭିତର ଅନ୍ତଃସାରଶୂନ୍ୟ । ଏବର ମଣିଷକୁ ଲକ୍ଷ୍ୟକରି T.S Eliot କହିଛନ୍ତି—

 

‘‘We are the hollow men

We are the stuffed men

Leaning together

Head piece filled with straw”

 

—(Hollow Men)

 

ମଣିଷର ନୈତିକ ତଥା ଆଧ୍ୟାତ୍ମିକ ମୃତ୍ୟୁ ତା’ର ଜୀବନ ଓ ବିଶ୍ୱକୁ ଯେ କେତେ ଜଟିଳ ଓ ସମସ୍ୟାସଂକୁଳ କରିଛି, ଭାବିଲେ ବିସ୍ମିତ ହେବାକୁ ହୁଏ ।

 

ମଣିଷର ଏଇ ଦେହସର୍ବସ୍ୱତା ତଥା ଆତ୍ମକୈନ୍ଦ୍ରିକତାର କାରଣ କିଛି ଅସ୍ପଷ୍ଟ ନୁହେଁ । କାରଣ ହେଉଛି ଜଡ଼ବିଜ୍ଞାନପ୍ରସୂତ ଯାନ୍ତ୍ରିକ ସଭ୍ୟତା ବା ଶିଳ୍ପସଭ୍ୟତା । ମଣିଷ ଯନ୍ତ୍ରକୁ ଉଦ୍ଭାବନ କରିଛି । ପୁଣି ଅତି ଅସହାୟ ଭାବରେ ସେ ହୋଇପଡ଼ିଛି ଯନ୍ତ୍ରର ଅଧୀନ । ଯନ୍ତ୍ର ମଣିଷର ପ୍ରାଣର ନୈସର୍ଗିକ ସ୍ଫୂର୍ତ୍ତିକୁ କାଢ଼ିନେଇ ତାକୁ କରିଛି କୃତ୍ରିମ ସ୍ପନ୍ଦନହୀନ । ତା’ର ଆତ୍ମା, ତା’ର ପ୍ରାଣର ମୌଳିକ ସର୍ଜନର ଆବେଗ ଓ ଉଚ୍ଛ୍ୱାସକୁ ନିଃଶେଷ କରିଦେଇଛି । ଫଳରେ ମଣିଷ ଯନ୍ତ୍ରଚାଳନା କରି ଅଜସ୍ର ଶିଳ୍ପ ସମ୍ଭାର ସୃଷ୍ଟିକରିଛି । ସୃଷ୍ଟିର ଆନନ୍ଦ ତା’ର ପେଟ ପୁରୁନି, ଜୀବନର ନ୍ୟୁନତମ ଆବଶ୍ୟକତା ତା’ର ପୂରଣ ହୋଇପାରୁନି, ଫଳରେ ଅଭାବ ଓ ଅସନ୍ତୋଷ ବଢ଼ୁଛି । ପୁଣି କୃତ୍ରିମ ଅଭାବର ସୃଷ୍ଟି ହେଉଛି, ଫଳରେ ମାଲିକ ଓ ତା’ଭିତରେ ସଂଘର୍ଷ ! ଜଣକର ଦାବୀ ଓ ଦାବୀ ଓ ଅନ୍ୟର ପ୍ରତ୍ୟାଖ୍ୟାନ । ପାରସ୍ପରିକ ସହାନୁଭୂତି ଓ ଆନ୍ତରିକତାର ଅଭାବ, ଏଇ ମନୁଷ୍ୟକୃତ କୃତ୍ରିମ ଅର୍ଥନୈତିକ ବୈଷମ୍ୟ ତାର ଚିତ୍ତର ଭାରସାମ୍ୟକୁ ନଷ୍ଟ କରିଛି ।

 

ପୂର୍ବର କୃଷିପ୍ରଧାନ ସଭ୍ୟତାରେ ମଣିଷ ଥିଲା ସାଧୁ, ସରଳ, ନିରଳସ, ଯାହା କିଛି ଉତ୍ପାଦନ କରୁଥିଲା, ତାହା ପ୍ରଚୁର ନ ହେଲେ ବି ତା ପକ୍ଷରେ ତାହା ଥିଲା ଯଥେଷ୍ଟ । ସେ ନିଜେ ଖାଇ ଅନ୍ୟ ତୁଣ୍ଡରେ ଆହାର ଦେଉଥିଲା । ପ୍ରତିବେଶୀ ମନୋଭାବ, ସ୍ନେହ, ସୌହାର୍ଦ୍ଦ୍ୟ ଓ ସହାନୁଭୂତି ମଧ୍ୟରେ ନୀତି ପ୍ରତିଷ୍ଠିତ ମାର୍ଗରେ ଜୀବନ ବିତାଇ ପ୍ରାଣରେ ଆଧ୍ୟାତ୍ମିକ ସନ୍ତୋଷର ସ୍ୱାଦ ପାଉଥିଲା; ଉତ୍ପାଦନ କରିବାରେ ତା’ର ଅହମିକା ନଥିଲା, ଥିଲା ଆନନ୍ଦ ଓ ଉଦାରତା । କିନ୍ତୁ ଶିଳ୍ପସଭ୍ୟତା ମଣିଷର ମନକୁ ଯନ୍ତ୍ର କରିଦେଇଛି; ଆଳସ୍ୟ, ଅସନ୍ତୋଷ ଓ ବେକାରୀ ବଢ଼ାଇଛି । ଶିଳ୍ପନଗର ଗଢ଼ି ଉଠିଛି ପତଙ୍ଗ ପରି ପଲ୍ଲୀର କୃଷକ ତାର କ୍ଷେତ-ଖମାର ଛାଡ଼ି ଶିଳ୍ପ ନଗରକୁ ଛୁଟୁଛି । କୃତ୍ରିମ ଜୀବନର ଅସ୍ୱାସ୍ଥକର ବାତାବରଣ ଭିତରେ ତା’ର ନୈତିକତା, ମାନବିକତା ଓ ଆଧ୍ୟାତ୍ମିକ ତାର ବିଲୟ ଘଟିଛି ।

 

ପାଶ୍ଚାତ୍ୟ ଜଗତର ଶିଳ୍ପସଭ୍ୟତା ବା ଯନ୍ତ୍ରସଭ୍ୟତାର ଅନୁକରଣ କରିବାକୁ ଯାଇ ଭାରତ ଲାଭ କରିଛି ଯେତେ ହରାଇଛି ତା’ ଠାରୁ ଢେର ବେଶି । ଯନ୍ତ୍ର ସଭ୍ୟତାର ପ୍ରସାର ଫଳରେ ଶିଳ୍ପନଗରୀ ଗଢ଼ି ଉଠିଛି; ଯାନବାହନ, ସମ୍ୱାଦ ସରବରାହ, ମୁଦ୍ରାଯନ୍ତ୍ରର ପ୍ରସାର ଘଟିଛି । ଶିକ୍ଷାର ପ୍ରସାର ଘଟିବା ଫଳରେ ବହୁ ଲୋକ ସାକ୍ଷର ତଥା ଶିକ୍ଷିତ ହେବାର ସୁଯୋଗ ପାଇଛନ୍ତି । ଲୋକସାଧାରଣଙ୍କ ମନରେ ସାମାଜିକ ଓ ରାଜନୈତିକ ଚେତନା ଦେଖାଦେଇଛି । ବିଶେଷତଃ ଭାରତର ସ୍ୱାଧୀନତା ଆନ୍ଦୋଳନ ଓ ସ୍ୱାଧୀନତା ପ୍ରାପ୍ତି ସମାଜର ସବୁ ସ୍ତରର ଲୋକମାନଙ୍କୁ ସ୍ୱାଧୀନ ଭାବରେ ଜୀବନ ଯାପର କରିବାର ସେମାନଙ୍କ ଦାବୀ ସମ୍ପର୍କରେ ସେମାନଙ୍କୁ ସଚେତନ କରାଇ ପାରିଛି । ପୁଣି ଭାରତର ସମ୍ୱିଧାନ ପ୍ରାପ୍ତବୟସ୍କ ସ୍ତ୍ରୀ ପୁରୁଷଙ୍କୁ ଭୋଟ ଅଧିକାର ଦେଇଛି ଏବଂ ବିବାହ ସଂପର୍କିତ କେତେକ ସଂସ୍କାରମୂଳକ ଆଇନ୍‍ପ୍ରବର୍ତ୍ତିତ ହେବା ଫଳରେ ଭାରତୀୟ ନାରୀ ପୁରୁଷମାନଙ୍କ ସହିତ ସମତାଳରେ ଗତି କରିବାର ସୁଯୋଗ ପାଇଛନ୍ତି । ପୁଣି ପଞ୍ଚବାର୍ଷିକ ଯୋଜନାର ପରିକଳ୍ପନା ଓ କାର୍ଯ୍ୟକାରିତା ଫଳର ଦେଶ ତଥା ଲୋକସାଧାରଣଙ୍କର ଅଗ୍ରଗତିର ଆଭିମୁଖ୍ୟ ସେମାନଙ୍କ ନିକଟରେ ସ୍ପଷ୍ଟ ହୋଇ ଉଠିଛି । ତା’ ଛଡ଼ା ପଞ୍ଚାୟତିରାଜର ପ୍ରବର୍ତ୍ତନ ଫଳରେ ଶାସନକୁ ବିକେନ୍ଦ୍ରୀକରଣ କରାଯାଇ ତଳସ୍ତରରୁ ଲୋକମାନଙ୍କୁ ଶାସନ ଓ ଦେଶର କଲ୍ୟାଣକର ଯୋଜନାରେ ପ୍ରତ୍ୟକ୍ଷ ଭାଗ ନେବାର ସୁଯୋଗ ଦିଆଯାଇଛି ।

 

ଏ ସଭ୍ୟତାର ପ୍ରସାର ଫଳରେ ଭାରତ ପୃଥିବୀର ବିଭିନ୍ନ ସ୍ୱାଧୀନ ଦେଶ ସହିତ ବାଣିଜ୍ୟ, ଶିଳ୍ପ, କଳା, ସଂସ୍କୃତି ଓ କୂଟନୈତିକ ସୂତ୍ରରେ ଆବଦ୍ଧ; ପୁଣି ଦେଶ ଦେଶ ମଧ୍ୟରେ ଉପୁଜୁଥିବା ବିବାଦ ଓ ମନାନ୍ତରର ସମାଧାନ ପାଇଁ ଅର୍ଥନୈତିକ ସ୍ୱାସ୍ଥ୍ୟ ଓ ସାଂସ୍କୃତିକ ସମ୍ପର୍କର ଉନ୍ନତି ପାଇଁ ବହୁ ସ୍ୱାଧୀନ ରାଷ୍ଟ୍ର ମିଳିତ ଜାତିସଂଘ ଭିତ୍ତି ସ୍ଥାପନ କରିଛନ୍ତି; ପୁଣି ପୃଥିବୀ ସରକାର ଗଠନର (World Government) ପରିକଳ୍ପନା ମଣିଷ ମନରେ ରହିଛି । ଫଳରେ ଭାରତ ଚିନ୍ତା ଜଗତରେ ତା’ର ଭୌଗଳିକ ସୀମା ମଧ୍ୟରେ ଆବଦ୍ଧ ହୋଇ ରହିନାହିଁ । ତେଣୁ ବିଭିନ୍ନ କ୍ଷେତ୍ରରେ ବର୍ତ୍ତମାନ ଆମେ ଯାହା କିଛି କରିବାକୁ ଯାଉଛୁଁ, ଆନ୍ତର୍ଜାତିକ ବି ବିଶ୍ୱର ପରିପେକ୍ଷୀ ଆମ ଦୃଷ୍ଟିରେ ରହିଛି ।

 

କିନ୍ତୁ ଯନ୍ତ୍ରସଭ୍ୟତାର ବିପୁଳ ଅବଦାନ ସତ୍ତ୍ୱେ ଆଜି ବିଶ୍ୱରେ ଶାନ୍ତି ନାହିଁ । ଅଣୁ ଅସ୍ତ୍ରର ଉଭାବନ ଓ ପରୀକ୍ଷା ସମଗ୍ର ବିଶ୍ୱରେ ଏକ ଆତଙ୍କର ବାତାବରଣ ସୃଷ୍ଟି କରିଛି । ବାହାରେ ଯେତେ ଗଣତନ୍ତ୍ରର ସ୍ଲୋଗାନ୍‍ ଦିଆଯାଉଥିଲେ ମଧ୍ୟ ପୃଥିବୀର ଶକ୍ତିଶାଳୀ ଗୋଷ୍ଠୀଙ୍କର ସାମ୍ରାଜ୍ୟବାଦର ମୋହ ସମଗ୍ର ବିଶ୍ୱରେ ବିକ୍ଷୋଭ ସୃଷ୍ଟି କରିଛି । ବୈଜ୍ଞାନିକ ରାଷ୍ଟ୍ର ନେତାର ହାତରେ ହୋଇଛି କ୍ରୀଡ଼ାପୁତ୍ତଳିକା । ଶୀତଳ ଯୁଦ୍ଧର (Cold war)ପରିବେଶ ପ୍ରତ୍ୟକ୍ଷ ସମର ଅପେକ୍ଷା ହୋଇଛି ମାରାତ୍ମକ । ବାହାରେ ପାରସ୍ପରିକ ବାଚନିକ ବନ୍ଧୁ ସମ୍ପର୍କ ଦେଖାଯାଉଥିଲେ ମଧ୍ୟ ଭିତରେ ଭିତରେ ଚାଲିଛି ଶତ୍ରୁତାର ଛୁରୀଖେଳ । ଆନ୍ତର୍ଜାତିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ରର ଏହି ଦ୍ୱୈତ ବ୍ୟକ୍ତିତ୍ୱ (Dual personality) ମାନବଚିତ୍ତରେ କି ବିଷମୟ ପ୍ରତିକ୍ରିୟା ସୃଷ୍ଟି କରିଛି, ବିଶ୍ୱର ଅଧିକାଂଶ ରାଷ୍ଟ୍ରର ଆଭ୍ୟନ୍ତରୀଣ ପରିସ୍ଥିତି ତା’ର ଜ୍ୱଳନ୍ତ ସାକ୍ଷୀ ।

 

ବହୁ କଷ୍ଟ ଓ ତ୍ୟାଗଅର୍ଜିତ ଭାରତର ସ୍ୱାଧିନତା ଆଜି ବିପନ୍ନ ଏକଦା ପଞ୍ଚଶୀଳ-ନୀତିର ସ୍ତାବକ ଓ ‘ହିନ୍ଦିଚୀନ୍‍ ଭାଇ-ଭାଇ’ ଧ୍ୱନିରେ କଣ୍ଠ ଫଟାଇ ଦେଉଥିବା ଚାଉ ଏନ୍‍ଲାଇ ଓ ମାଓ ସେତୁଙ୍ଗ ଆଜି ଭାରତର ଘୋର ଶତ୍ରୁ । ଏଭିଳି ପରିବେଶରେ ଭାରତର ଆଭ୍ୟନ୍ତରରେ ସୀମାଗତ ଅସନ୍ତୋଷ ରାଷ୍ଟ୍ରଭାଷା ପ୍ରଶ୍ନ ନେଇ ତୁମୁଳ ଉତ୍ତେଜନା ଓ ହିଂସାତ୍ମକ କାଣ୍ଡ, ପ୍ରାଦେଶିକ ମନୋଭାବ ଏବଂ ଉପରୁ ଆରମ୍ଭ କରି ତଳ ପର୍ଯ୍ୟନ୍ତ ବ୍ୟାପକ ଦୁର୍ନୀତି ଭାରତକୁ ଯେ କି ସଂକଟର ସମ୍ମୁଖୀନ କରାଇଛି, ତାହା କଳ୍ପନା କରି ହେବ ନାହିଁ । ଖାଦ୍ୟଶସ୍ୟ ପାଇଁ ପୁଣି ଆମକୁ ବିଦେଶୀ ରାଷ୍ଟ୍ରମାନଙ୍କ ଉପରେ ନିର୍ଭର କରିବାକୁ ହେଉଛି ।

 

ଭାରତର ଲୋକସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି, ତା ତୁଳନାରେ ଉତ୍ପାଦନ ବଢ଼ୁନାହିଁ । ପୁଣି ପଞ୍ଚବାର୍ଷିକ ଯୋଜନା ଫଳରେ ଅତ୍ୟାବଶ୍ୟକୀୟ ପଦାର୍ଥର ମୂଲ୍ୟବୃଦ୍ଧି ଯୋଗୁଁ ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ଓ ତଳସ୍ତରର ଲୋକମାନଙ୍କର ଜୀବନଧାରଣ ଅତୀତ କଷ୍ଟକର ହୋଇପଡ଼ୁଛି । ସବୁଠି କ୍ଷମତାର ମୋହ, ଅସାଧୁତା (ଦୂର୍ନୀତି), ପରିଶ୍ରମକାତରତା ଓ ଦାୟିତ୍ୱହୀନତାର ରାଜତ୍ୱ ଚାଲିଛି । ଏଇ ଅନ୍ଧାର ଭିତରେ ଖାଦ୍ୟ-ଅପମିଶ୍ରଣ, କିଳାପୋତଇ ଓ ଚୋରାବଜାର କରି ଦେଶର ଅର୍ଥଗୃଧୁ ଅସାଧୁ ବ୍ୟବସାୟୀମାନେ କୃତ୍ରିମ ଅଭାବ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଜନତାର ସ୍ୱାସ୍ଥ୍ୟକୁ କିପରି ତିଳ ତିଳ କରି ନଷ୍ଟ କରିବାର ଆତ୍ମଘାତୀ ନୀତି ଧରିଛନ୍ତି, ପ୍ରତ୍ୟେକ ତା’ର ଭୁକ୍ତଭୋଗୀ । ଏହା ଛଡ଼ା ଚୋରି ଡକାୟତି, ହତ୍ୟା, ନାରୀଧର୍ଷଣ ତ ଦୈନନ୍ଦିନ ବ୍ୟାପାର ହୋଇଛି । ଏଇ ଦୁର୍ନୀତିଗ୍ରସ୍ତ ସମାଜରେ ବଞ୍ଚିବା କିପରି ? ଏ ହୋଇଛି ଏକ ଅସମାହିତ ପ୍ରଶ୍ନ । ସବୁଠି ହତାଶବୋଧ ଓ ନୈରାଶ୍ୟର ତମିସ୍ରଛାୟା ।

 

‘‘ଜାତୀୟ ଜୀବନରୁ ଦୁର୍ନୀତି ଓ ଅସାଧୁତା ଦୂର ନ ହେଲେ, ଦେଶବାସୀ କର୍ମଠ ଓ ଦାୟିତ୍ୱସଂପନ୍ନ ନ ହେଲେ ଦେଶର ଅଗ୍ରଗତି ଓ ସମ୍ମାନ ପରାହତ,’’ ବକୃତାମଞ୍ଚ ଓ ସମ୍ୱାଦପତ୍ରରେ ଏଇ ମନ୍ତବ୍ୟର ପ୍ରତ୍ୟହ ପୁନାରାବୃତ୍ତି ଚାଲିଛି; କଥା ଓ କାର୍ଯ୍ୟ ମଧ୍ୟରେ ଅସାମଞ୍ଜସ୍ୟ ବଢ଼ଚାଲିଛି । ସବୁଠି ସେଇ ଦ୍ୱୈତବ୍ୟକ୍ତିତ୍ୱର ରାଜତ୍ୱ । ଆଧ୍ୟାତ୍ମୀକତାର ପୀଠଭୂମି ଭାରତର ସନାତନ ଗୌରବ ବେଦ-ଉପନିଷଦର ବାଣୀ, ମନ୍ତ୍ରଦ୍ରଷ୍ଟା ଋଷିବାଣୀ, ମହାତ୍ମା, ସାଧୁ ଓ ସମାଜସେବୀଙ୍କର ସଦ୍‍ବୁଦ୍ଧି, ସମଦର୍ଶନ, ସେବା, ତ୍ୟାଗ ସର୍ବୋପରି ସର୍ବୋଦୟର ବାଣୀ ଏଇ ଅଧୋଗତ ମାନବ ଚିତ୍ତରେ କିଛି ପ୍ରଭାବ ପକାଇ ପାରୁନାହିଁ । ମଣିଷ ସେଇ ଆଦିମ ବର୍ବର ସ୍ତରକୁ ଚାଲିଯାଇଛି । ଶିକ୍ଷକ, ଗରୁଜନ ଓ ସନ୍ଥ ଆଜି ଅସମ୍ମାନିତ ଓ ଉପେକ୍ଷିତ, ଏପରି କି ପବିତ୍ର ଶିକ୍ଷାୟତନରେ ଶିକ୍ଷକ ତା’ର ଛାତ୍ରଦ୍ୱାରା ଆହତ ଓ ଅପମାନିତା; ପାପପୂଣ୍ୟ ଓ ଧର୍ମଅଧର୍ମ ଭାରସାମ୍ୟ ମଣିଷ ଚିତ୍ତରୁ ଲୋପ ପାଇଛି ।

 

ଏ ସମସ୍ତ ଅନୁଧ୍ୟାନ କଲେ ମନେହୁଏ, ବିଶ୍ୱରେ ଗୋଟାଏ ପ୍ରଳୟଙ୍କାରୀ ଧ୍ୱଂସର ସ୍ରୋତ ପ୍ରବାହିତ ହେଉଛି । ସବୁ ଯେପରି ସେଇ ସ୍ରୋତରେ ଭାସିଯିବ ।

 

ସାହିତ୍ୟର ଚାରଣଭୂମି ମଣିଷର ଜୀବନ ଓ ଜଗତ୍‍ ବକ୍ଷରେ ଯେତେବେଳେ ଧ୍ୱଂସର ଏ ତାଣ୍ଡବ ଲୀଳା ଲାଗିଛି, ସେତେବେଳେ ସାହିତ୍ୟକର ଅବସ୍ଥା, ତା’ର ମାନସିକ ପ୍ରତିକ୍ରିୟା, ତା’ର ଦାୟିତ୍ୱ ବିଚାର କରିବାର କଥା ।

 

ସାହିତ୍ୟିକ ମଣିଷ ଜୀବନର ବିଚିତ୍ର ଘଟଣା, ଅନୁଭୂତି ଏବଂ ଜଗତର ବିଭିନ୍ନ ସମସ୍ୟାରୁ ଉପାଦାନ ଗ୍ରହଣ କରି ସେଗୁଡ଼ିକୁ ସ୍ୱକୀୟ କଳ୍ପନା ଓ ଭାବରସରେ ସ୍ନିଗ୍‍ଧ କରି ସେଇ ମଣିଷର ଜୀବନ ଓ ଜଗତକୁ ଦିଏ ନୂତନ ପ୍ରେରଣା । ସମାଜ ତଥା ରାଷ୍ଟ୍ରର ନୈତିକ ଅଧୋଗତି କାଳରେ ଚିନ୍ତା ଜଗତରେ ତୁମୁଳ ବିପ୍ଳବ ସୃଷ୍ଟି କରି ମାନବର ସୁପ୍ତ ପ୍ରଜ୍ଞା, ବିବେକ ଓ ମାନବିକତାକୁ ଉଦ୍‍ବୁଦ୍ଧ କରେ; ହତାଶ ଓ ପଙ୍ଗୁର ଦେହରେ ଖେଳାଏ ପ୍ରାଣର ବିଜୁଳି ଚମକ । ଯୁଗେ ଯୁଗେ ଯୁଗନ୍ଧର ସାହିତ୍ୟିକମାନେ ଜୀବନ ତଥା ସମାଜ ଗଠନରେ ଏହି ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରି ଆସିଛନ୍ତି ।

 

କିନ୍ତୁ ଆଜିର ଜୀବନ ଓ ଜଗତ୍‍ର ଏ ସଂକଟପୂର୍ଣ୍ଣ ମୁହୂର୍ତ୍ତରେ ସେ ଯୁଗନ୍ଧର ସାହିତ୍ୟିକ କାହାନ୍ତି, ଯେଉଁମାନେ କି ଧ୍ୱଂସମୁଖରୁ ଏ ବିଶ୍ୱକୁ ରକ୍ଷା କରିପାରିବେ ? ଆଜିର ଲେଖକ ଓ ସେମାନଙ୍କର ସୃଷ୍ଟିକୁ ଲକ୍ଷ୍ୟ କଲେ ହତାଶ ହେବାକୁ ହୁଏ । ଜଗତ୍‍ ଓ ଜୀବନର ପ୍ରଳୟଙ୍କାରୀ ସ୍ରୋତାବର୍ତ୍ତ ମଧ୍ୟରେ ସତେ ଯେପରି ସେମାନେ ଗୋଟିଏ ଗୋଟିଏ ଅସହାୟ ଜୀବ ! ଧ୍ୱଂସମୁଖୀ ମାନବର ଜୀବନ ଓ ଜଗତକୁ ଗଢ଼ିବା ପାଇଁ ତା’ର ଚିନ୍ତା ଓ କଳ୍ପନା ପଙ୍ଗୁ, ତା’ର ଭାଷା ପ୍ରାଣହୀନ, ନିସ୍ପନ୍ଦ, ଅଶାନ୍ତ, ବିକ୍ଷୁବ୍‍ଧ କ୍ଷତବିକ୍ଷତ ମାନବ ପ୍ରାଣରେ କରୁଣା ଓ ସହାନୁଭୂତିର ପ୍ରଲେପ ଦେବାପାଇଁ, ମାନବିକତାର ମଧୁ ସିଞ୍ଚନ ପାଇ ତା’ର ରଚନା ଏକାନ୍ତ ଦୁର୍ବଳ । ତା’ର କାରଣ; ସେ ନିଜେ ହୋଇଛି ସେଇ ଧ୍ୱଂସର ଶିକାର । ତା’ର ସଂଯମ ନାହିଁ, ସାଧନା ନାହିଁ ଅଧ୍ୟବସାୟ ନାହିଁ, ମନନ ନାହିଁ, ଦେଶ, ଜାତି ଓ ଜୀବନକୁ ଉନ୍ନତ କରିବା ପାଇଁ ତା’ର ସେ ସଂକଳ୍ପ ନାହିଁ କି ତପସ୍ୟା ନାହିଁ । ଜୀବନରେ ନୈତିକ, ଆଧ୍ୟାତ୍ମିକ ଭିତ୍ତି ତା’ର ଦୁର୍ବଳ । ଦେହାତ୍ମବାଦୀ ନୀତିହୀନ ଯାନ୍ତ୍ରିକ ବା ଶିଳ୍ପ ସଭ୍ୟତାର ସେ ଏକ ଉଦ୍ଧତ ଅଥଚ ଅସହାୟ ସ୍ତାବକ । ସତ୍ୟ, ଶ୍ରେୟ ଓ ସୁନ୍ଦରର ଉପାସନା ତା’ର ସୃଷ୍ଟିର ଆଭିମୁଖ୍ୟ ନୁହେଁ । ସେ ବାସ୍ତବବାଦ ତଥା ସ୍ୱଭାବବାଦ ନାମରେ ରାଶି ରାଶି ଗଳ୍ପ-ଉପନ୍ୟାସ ଦେଶର ତରୁଣ ଓ ଯୁବକଙ୍କର ରୁଚିକୁ ବିକାଶଗ୍ରସ୍ତ କରୁଛି । ଅବାସ୍ତବ ବିକୃତ ପ୍ରେମକାହାଣୀ ତା’ର ଯୌନପ୍ରବୃତ୍ତିକୁ ଉତ୍ତେଜିତ ଓ ଉଚ୍ଛୃଙ୍ଖଳ କରି ଯାବତୀୟ ସାମାଜିକ ଅପରାଧର କ୍ଷେତ୍ର ପ୍ରସ୍ତୁତ କରୁଛି । କଟକର ବିଭିନ୍ନ ବହି ଦୋକାନ ଅଣ୍ଡାଳିଲେ କଲିକତା ବଜାରରୁ ଆମଦାନି ହୋଇଥିବା ହତ୍ୟା, ଷଡ଼ଯନ୍ତ୍ର, ଧର୍ଷଣ ଓ ଅଶ୍ଳୀଳ, ବିକୃତ ଯୌନବିକାରଗ୍ରସ୍ତ ଗଳ୍ପଉପନ୍ୟାସର ସଂଖ୍ୟା ଗଣିହେବ ନାହିଁ । ତା’ର କାଟ୍‍ତି ସବୁଠାରୁ ବେଶି, ପୁଣି ତା’ର ଗ୍ରାହକ ଏଇ ଦେଶର ତରୁଣ ଶିକ୍ଷିତ ଛାତ୍ରମାନେ ! ଆଗେ କଳରେ ଶ୍ରମିକ, କ୍ଷେତର ଚଷା ଓ ସ୍ୱଳ୍ପଶିକ୍ଷିତ ଗ୍ରାମ ତଥା ନଗରବାସୀ ଅବସର ସମୟରେ ରାମାୟଣ, ମହାଭାରତ, ଭାଗବତ ଓ ଅନ୍ୟାନ୍ୟ ପୁରାଣ ପଢ଼ି ଏକ ନୀତି ଓ ଧର୍ମ ନିର୍ଦ୍ଦିଷ୍ଟ ମାର୍ଗରେ ଜୀବନ କଟାଉଥିଲେ । ବର୍ତ୍ତମାନର ଲେଖକ ତା’ହାତରେ ଦେଉଛି ଅଶ୍ଳୀଳ ହତ୍ୟା, ଷଡ଼ଯନ୍ତ୍ର ତଥା ଯୌନବୀଭତ୍ସତାପୂର୍ଣ୍ଣ ଗଳ୍ପ, ଉପନ୍ୟାସ । କି ଶିକ୍ଷାୟତନ, କି ଦୋକାନ ବଜାର, କି ପରିବାର, କି ଗ୍ରାମ୍ୟ-ପାଠାଗାର—ସବୁଠି ଏଇ ବହିର ପ୍ରଚାର ବେଶି । ଅଭାବ ଅସନ୍ତୋଷରେ ତ ଆଜିର ମଣିଷର ପ୍ରାଣକ୍ଳିଷ୍ଟ ଓ ପିଷ୍ଟ । ଦେଶ ତଥା ମାନବ ଜୀବନର ଘଡ଼ସନ୍ଧି ମୁହୂର୍ତ୍ତରେ ଛାତ୍ର ଓ ଲୋକସାଧାରଣଙ୍କର ରୁଚି ଓ ମନକୁ ବିକୃତ କରି, ଜୀବନରେ ଧର୍ମ ତଥା ନୈତିକ ମୂଲ୍ୟବୋଧର ମୂଳୋତ୍ପାଟନ କରି ଯେଉଁମାନେ ଏ ପ୍ରକାର ପୁସ୍ତକ ଲେଖୁଛନ୍ତି, ଯେଉଁମାନେ ପ୍ରକାଶ କରୁଛନ୍ତି ପୁଣି ଯେଉଁ ପ୍ରଡ୍ୟୁସରମାନେ ନାନା କାମୋଦ୍ଦୀପକ ଶସ୍ତାଚିତ୍ର ନିର୍ମାଣ କରୁଛନ୍ତି, ସେମାନେ ଦେଶ ଓ ଜାତିର ଘୋର ଶତ୍ରୁ । ଏମାନଙ୍କ ଯୋଗୁଁ ଚିନ୍ତାପ୍ରସ୍ତୁତ ମନନଧର୍ମୀ ଉଚ୍ଚକୋଟିର ଗ୍ରନ୍ଥ ଅଧ୍ୟୟନ ପାଇଁ ଛାତ୍ରମାନଙ୍କର ପ୍ରବୃତ୍ତି ନାହିଁ । ଏ ପ୍ରକାର ଶସ୍ତା ବିକୃତ ରୁଚିର ପୁସ୍ତକ ପ୍ରକାଶ ଫଳରେ ସାହିତ୍ୟକ୍ଷେତ୍ର ବିଷାକ୍ତ ହୋଇ ପଡ଼ିଛି ।

 

ଦେଶରେ ସମ୍ୱାଦପତ୍ର, ସାପ୍ତାହିକ, ପାକ୍ଷିକ ଓ ମାସିକ ପତ୍ରିକାମାନ ଜନଶିକ୍ଷାର ପଥ ପ୍ରସ୍ତୁତ କରି ସେମାନଙ୍କର ଦୃଷ୍ଟିକୋଣ ପ୍ରସାରିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ସମାଜ-ସଚେତନ କରିପାରିଛି । ସମ୍ୱାଦପତ୍ର ଗୁଡ଼ିକର ବିଭିନ୍ନ ସଂଖ୍ୟା (ରବିବାସରୀୟ, ସାପ୍ତାହିକ ଆଲୋଚନା, ଶିଶୁବିଭାଗ, ନାରୀବିଭାଗ) ପ୍ରବୀଣଙ୍କ ଠାରୁ ଆରମ୍ଭ କରି ତରୁଣଙ୍କ ପର୍ଯ୍ୟନ୍ତ ବହୁ ଲୋକଙ୍କୁ ଲେଖନୀ ଧାରଣର ସୁଯୋଗ ଦେଇଛି । କିନ୍ତୁ ଏଇ ଲେଖକମାନଙ୍କ ମଧ୍ୟରୁ ଅସଲ କେତେ, ନକଲ କେତେ ଆଜିର ଏଇ ସମ୍ୱାଦପତ୍ର-ପ୍ରଧାନ ଯୁଗରେ ବାଛିବା କଷ୍ଟକର । ଯୋଗ୍ୟତା, ପ୍ରତିଭା, ଅଧ୍ୟୟନ, ମନନ, ଓ ଅନୁଭୂତିର ଅନନ୍ୟତା ନ ଥାଇ ବହୁ ଲେଖକ ସମ୍ୱାଦ ତଥା ମାସିକ ପତ୍ରର ସିଂହଦ୍ୱାରରେ ଅବାଧରେ ପ୍ରବେଶ କରି ବାଣୀମନ୍ଦିରକୁ ଅଯଥା କୋଳାହଳମୁଖର କରି ପକାଉଛନ୍ତି । ଆଜିର ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ପରୀକ୍ଷାଗୃହର କାନ୍ଥ ବାଡ଼ ଓ ଅସ୍ଥାନରେ ଲୁକ୍‍କାୟିତ ପାଠ୍ୟପୁସ୍ତକର ଛନ୍ନ ପୃଷ୍ଠା ଯେପରି ସେମାନଙ୍କର ଯୋଗ୍ୟତାର ପରିମାପକ ହୋଇଛି, ସେହିପରି ପୂର୍ବୋକ୍ତ ଅବାଧ ସିଂହଦ୍ୱାର ପ୍ରବେଶକାରୀମାନଙ୍କର ଯୋଗ୍ୟତାର ମାପକାଠି ହେଉଛି ସେମାନଙ୍କର ଚାରିପାଖରେ ସ୍ତୂପୀକୃତ ହୋଇଥିବା ନୂଆ ପୁରୁଣା ବହୁ ଇଂରାଜୀ, ହିନ୍ଦୀ, ବଙ୍ଗଳା ପତ୍ରିକା ଓ ପୁସ୍ତକ । ଦେଶୀ-ବିଦେଶୀ ପତ୍ରିକାର ପାଳଗଦା ଭିତରେ ଚୁଟିଆମୂଷା ଭଳି ପଶି ଏକା ରାତିରେ କବି ଓ ଲେଖକ ହୋଇଯିବାର ଦୃଷ୍ଟାନ୍ତ ଆଜି କମ୍‍ ନୁହେଁ, ପୁଣି ସେଥିରେ ଅହମିକା ଓ ଆସ୍ପର୍ଦ୍ଧା ନଭଶ୍ଚୁମ୍ୱୀ । ପ୍ରତିଭାଶାଳୀ ଅଧ୍ୟବ୍ୟସାୟୀ ଚିନ୍ତାଶୀଳ କବି ଓ ଲେଖକମାନଙ୍କର ଦୁର୍ଭାଗ୍ୟ ଯେ ବାଣୀ-ପ୍ରତିଯୋଗିତା କ୍ଷେତ୍ରରେ ସେମାନେ ଗୋଟିଏ ଗୋଟିଏ ମନ୍ଥର କଚ୍ଛପ । ତଥାକଥିତ ବାଣୀ ସାଧକମାନଙ୍କର ନିର୍ଲଜ ଆଚରଣରେ କଚ୍ଛପ ପରି ନିଜକୁ ସଂକୁଚିତ କରିବାଟା ହିଁ ନିଜ ପକ୍ଷରେ ଶ୍ରେୟସ୍କର ମନେକରୁଛନ୍ତି । ଏହା ନ ହେଉଥିଲେ ଖ୍ୟାତନାମା ଔପନ୍ୟାସିକ ଅନ୍ନଦାଶଙ୍କର ରାୟ ଖଣ୍ଡିଏ ଉପନ୍ୟାସ ଲେଖିବାକୁ ଯେଉଁଠି ଦୁଇ ତିନିବର୍ଷ ଲୋଡ଼ୁଛନ୍ତି ଅନ୍ୟମାନେ ବର୍ଷ ଭିତରେ ୩/୪ଟା ସ୍ପୀତକାୟ ଉପନ୍ୟାସ ଲେଖି ଦେଉ ନ ଥାନ୍ତେ, ବହୁ ଅକବି ରାତାରାତି କବି ପାଲଟି ଯାଉ ନଥାନ୍ତେ । କାଳର ବିଚାର ବେଳକୁ ଉତ୍କଳଭାରତୀ ବୋଧହୁଏ କଳଙ୍କରେ ପୋତି ହୋଇ ଯାଇଥିବେ ।

 

ଏଇ ଶ୍ରେଣୀର କବି, ଗାଳ୍ପିକ ଓ ଔପନ୍ୟାସିକଙ୍କ ଲେଖାରେ ତ ନିଜସ୍ୱ ନାହିଁ; ଓଡ଼ିଶାର ମାଟି, ପାଣି, ଓଡ଼ିଶାର ଜାତୀୟ ଜୀବନ ଓଡ଼ିଶାର ସମସ୍ୟା, ତା’ର ଭାଷା, ମୋଟାମୋଟି ଓଡ଼ିଆପ୍ରାଣ ଓ ମନର ଛବି ମିଳିବା ଦୁଷ୍କର । ଅନୁକରଣ ପ୍ରବୃତ୍ତି ଏତେ ପ୍ରଖର ଯେ ଏମାନଙ୍କ ରଚନାରେ ଓଡ଼ିଆ ଭାଷାଭଙ୍ଗୀର ବୈଶିଷ୍ଟ୍ୟ ସ୍ୱପ୍ନର ବିଷୟ, ଅଥଚ ଏଇମାନଙ୍କ ଲେଖା ସମ୍ପାଦକଙ୍କ ଆଖି ଆଗରେ ସେମାନଙ୍କ ପତ୍ରପତ୍ରିକାରେ ଅବାଞ୍ଛିତ ପ୍ରବେଶ ଲାଭକରି ବାଣୀ ମନ୍ଦିରକୁ କଳୁଷିତ କରୁଛି ।

 

‘ଉତ୍କଳ ସାହିତ୍ୟ’ର ଖ୍ୟାତନାମା ସମ୍ପାଦକ ବିଶ୍ୱନାଥ କର ଏ ରାଜ୍ୟରେ ବହୁ ଲବ୍‍ଧପ୍ରତିଷ୍ଠ କବି ଓ ଲେଖକ ସୃଷ୍ଟି କରିଯାଇଛନ୍ତି । ବାଗ୍ମୀ, ପଣ୍ଡିତ, ସ୍ପଷ୍ଟବାଦୀ ବିଶ୍ୱନାଥ କି ତରୁଣ, କି ଯୁବକ, କି ପୌଢ଼, ସବୁ ଶ୍ରେଣୀର ଲେଖକଙ୍କ କଷ୍ଟିପଥରରେ କଷି ବାଣୀ ମନ୍ଦିରକୁ ଛାଡ଼ିଛନ୍ତି । ବାଣୀ ମନ୍ଦିରର ନୂତନ ପ୍ରବେଶକ ବୋଲି କେହି ତାଙ୍କର ଦୃଷ୍ଟିରେ ଅବହେଳିତ ହୋଇନାହିଁ କି ଲବ୍‍ଧପ୍ରତିଷ୍ଠ ଲେଖକ ବୋଲି ଯାହି ତାହି ଲେଖି କେହି ତାଙ୍କର ନିରପେକ୍ଷ ସତର୍କ ଦୃଷ୍ଟିକୁ ଫାଙ୍କି ପାରିନାହିଁ । ସମ୍ପାଦନା କ୍ଷେତ୍ରରେ ତାଙ୍କର ନିର୍ମମ ଅଥଚ ଶ୍ରେୟସ୍କର ନିରପେକ୍ଷତାର ଅଭାବ ଆଜି ବିଶେଷ ପରିମାଣରେ ଅନୁଭୂତ ହୁଏ । ଫଳରେ ଧୁଆମୂଳା ଅଧୁଆମୂଳା ସମସ୍ତଙ୍କର ହରିଲୁଟ ଲାଗିଛି । ଦିନ ଦ୍ୱିପ୍ରହରେ ଚୋରୀକରି ସମ୍ପାଦକଙ୍କୁ ଫାଙ୍କି କେତେକ ତରୁଣ ଲେଖକ କିପରି ଭର୍ତ୍ସିତ ହେଉଛନ୍ତି, ଏ ତ ଅତି ଜଣାଶୁଣା କଥା !

 

ବିଶିଷ୍ଟ କବି ଓ ଲେଖକଙ୍କର ଶ୍ରାଦ୍ଧୋତ୍ସବ, ଜୟନ୍ତୀ ଓ ସାହିତ୍ୟ ସମ୍ମିଳନୀ ନାମରେ କେତେକ କ୍ଷେତ୍ରରେ ଅଯଥା ବିବାଦ ଓ ଅର୍ଥର ଅପବ୍ୟୟ ଚାଲିଛି; ଅଥଚ କବିଙ୍କ ସମ୍ୱନ୍ଧରେ ଉନ୍ନତ ଗବେଷଣାମୂଳକ ଗ୍ରନ୍ଥ ପ୍ରକାଶର ପ୍ରବୃତ୍ତି କିମ୍ୱା ଚେଷ୍ଠା ନାହିଁ । କବିଙ୍କ ସାଧନା ଓ ପ୍ରତିଭାପୂଜା ଅପେକ୍ଷା ଆତ୍ମପ୍ରଚାର ଓ ଆତ୍ମପୂଜାର ପ୍ରବୃତ୍ତି କିପରି ପ୍ରବଳ ହୋଇଛି, ସମ୍ୱାଦପତ୍ରର ପୃଷ୍ଠା ଲେଉଟାଇଲେ ଜଣାପଡ଼ିବ ।

 

ସମ୍ୱାଦପତ୍ରଗୁଡ଼ିକ ସାହିତ୍ୟର ସମ୍ୱାଦ ପରିବେଷଣ କରି ଓ ବିଶେଷ ସଂଖ୍ୟାମାନ ପ୍ରକାଶ କରି ବହୁ ଲେଖକ ସୃଷ୍ଟିରେ ସାହାଯ୍ୟ କରୁଛନ୍ତି, କିନ୍ତୁ ସାମ୍ୱାଦିକତା ଓ ସାହିତ୍ୟ ଏକ କଥା ନୁହେଁ । ସମ୍ୱାଦ ହେଉଛି ସାମୟିକ, କିନ୍ତୁ ସାହିତ୍ୟ ସାମୟିକତାକୁ ଅତିକ୍ରମ କରି ଚାଲେ । ନୂତନତାର ଚମକ୍‍ ଓ କୌତୁହଳ ସୃଷ୍ଟି ସମ୍ୱାଦପତ୍ରର ଆଦର୍ଶ, କିନ୍ତୁ ଚିରନ୍ତନ ଆଦର୍ଶ ଓ ନିର୍ବିଶେଷର ରସତତ୍ତ୍ୱ ଆଲୋଚନା ସାହିତ୍ୟର ଲକ୍ଷ୍ୟ । ଆଜି ସମ୍ୱାଦପତ୍ର ମାନଙ୍କରେ ପ୍ରକାଶିତ ଲେଖାରେ ରସଦତ୍ତା ବା ଶାଶ୍ୱତକୁ ପ୍ରତିଷ୍ଠା ତ କରିବାର ପ୍ରୟୋଜନା ନାହିଁ, ବରଂ ‘ମନ୍ଦ କବିଃ ଯଶପ୍ରାର୍ଥୀ’ ତୁଲ୍ୟ ଶସ୍ତା ପ୍ରତିଷ୍ଠା ପାଇଁ ଲେଖକଙ୍କର ବ୍ୟାକୁଳତା ବେଶି । ସାହିତ୍ୟ ନାମରେ ଯାହା ପ୍ରକାଶ ପାଉଛି, ଅଧିକାଂଶ ସମ୍ୱାଦଧର୍ମୀ ହୋଇ ଉଠୁଛି, ପୁଣି ସମ୍ୱାଦପତ୍ରର ପୁସ୍ତକ ସମାଲୋଚନାରେ ପ୍ରକୃତ ସୂକ୍ଷ୍ମ ରସବୋଧ ଅପେକ୍ଷା ବିଜ୍ଞାପନଧର୍ମତା ଅଧିକ ପରିଲକ୍ଷିତ ହେଉଛି-

 

ମୋହିତଲାଲ୍‍ ମଜୁମ୍‍ଦାର, ସାହିତ୍ୟ ବିଚାର ।

 

ତରୁଣ ଓ ପ୍ରବୀଣ ଲେଖକ ତଥା କବିଙ୍କ ମଧ୍ୟରେ ଅବାଞ୍ଛିତ ସଂଘର୍ଷ ଆଜିର ସାହିତ୍ୟକ୍ଷେତ୍ରରେ ଅନ୍ୟ ଏକ ଅଶୁଭ ଲକ୍ଷଣ । ତରୁଣ ପ୍ରତିପ୍ରବୀଣର ସହିଷ୍ଣୁତା କିମ୍ୱା ସହାନୁଭୂତି ନାହିଁ କି ତରୁଣ ପ୍ରବୀଣର ପ୍ରତି ସମ୍ମାନ ନାହିଁ । ବ୍ୟାସକବି ଫକୀରମୋହନ ଯାହାର ଲେଖାଟିଏ ପ୍ରକାଶ ପାଇବାର ଦେଖୁଥିଲେ, ଆନନ୍ଦରେ କୁଣ୍ଢାଇ ପକାଉଥିଲେ, ଅଯୋଚିତ ଭାବରେ ଆଶୀର୍ବାଦ ଢାଳିଦେଉଥିଲେ । ଗଙ୍ଗାଧର, ନନ୍ଦକିଶୋର, କବିଶେଖର ଚିନ୍ତାମଣି ଓ କାନ୍ତକବି ପ୍ରଭୃତିଙ୍କ ଜୀବନୀ ଓ ପତ୍ରାବଳୀ ପାଠକଲେ ଜଣାଯିବ ଯେ ପ୍ରବୀଣ ସାହିତ୍ୟିକଙ୍କର ଉତ୍ସାହ ଓ ପ୍ରେରଣାରେ ସେମାନେ କିପରି ନିଜ ନିଜର ପ୍ରତିଭାର ବିକାଶ ଘଟାଇଛନ୍ତି । ସେ ସମୟର କବିମାନଙ୍କ ମଧ୍ୟରେ ପାରସ୍ପାରିକ ଆନ୍ତରିକ ସ୍ନେହ-ବନ୍ଧନ ଆଜି ସ୍ୱପ୍ନର ବିଷୟ ହୋଇଛି । ସ୍ନେହ, ସହାନୁଭୂତି, ଉତ୍ସାହ ଓ ଅନୁଶାସନର ଅଭାବରୁ ବହୁ ତରୁଣ ସାଧକ ପ୍ରତିକ୍ରିୟାଶୀଳ ହୋଇ ଉଠୁଛନ୍ତି; ଫଳରେ ଆତ୍ମପ୍ରତିଷ୍ଠା ଓ ଆତ୍ମପ୍ରଚାର ପାଇଁ ସେମାନଙ୍କର ପ୍ରବୃତ୍ତି ପତ୍ରପତ୍ରିକା ଓ ସମ୍ମିଳନୀ ଜରିଆରେ ପ୍ରକାଶ ପାଉଛି ।

 

ଓଡ଼ିଶାର ଆଜି ଏକ ବଡ଼ ଅଭାବ; ଓଡ଼ିଆର ବଳିଷ୍ଠ ଜାତୀୟଚେତନା ନାହିଁ । ଓଡ଼ିଶାର ବହୁ ଶିକ୍ଷିତ ବ୍ୟକ୍ତିଙ୍କ ଦ୍ୱାରା ଓଡ଼ିଆଭାଷା ଓ ସାହିତ୍ୟ ଅବହେଳିତ (ଯଦିଚ ବହୁ ବିଳମ୍ୱରେ କାଳ ଓ ପରିବେଶର ଚାପରେ ଆଜି ପ୍ରଶାସନ-କ୍ଷେତ୍ରରେ ଏବଂ ବିଶ୍ୱବିଦ୍ୟାଳୟରେ ଶିକ୍ଷାର ମାଧ୍ୟମ ରୂପେ ‘ଓଡ଼ିଆ’ ଭାଷା ପ୍ରବର୍ତ୍ତନ କରାଯିବା ପାଇଁ କାର୍ଯ୍ୟସୂଚୀ ଗ୍ରହଣ କରାଯାଇଛି) । ମା, ମାଟି ଓ ମାତୃଭାଷା ପାଇଁ ଗଙ୍ଗାଧର ଓ ଗୋପବନ୍ଧୁଙ୍କର ଚେତାବନୀ ବହୁ ଓଡ଼ିଆଙ୍କର ମର୍ମକୁ ଭେଦୁ ନାହିଁ । ଓଡ଼ିଆ ପାଇଁ ଓଡ଼ିଆ କେଉଁଠି ଆନ୍ତରିକତାର ସହ ଅଣ୍ଟାଭିଡ଼ୁ ନାହିଁ । ପ୍ରବୀଣ ଲେଖକମାନଙ୍କ ମଧ୍ୟରେ ବ୍ୟକ୍ତିଗତ ବିଦ୍ୱେଷ କେତେକ କ୍ଷେତ୍ରରେ ଜାତୀୟ ସମସ୍ୟା ସୃଷ୍ଟିକରିବା ସଙ୍ଗେ ସଙ୍ଗେ ଓଡ଼ିଶାର ମୁଣ୍ଡକୁ ତଳକୁ ନୁଆଁଇ ଦେଉଛି । ପରସ୍ପରକୁ ଶୁଣିବାର, ସହିବାର ଓ ପରସ୍ପରର ଗୁଣ ଗ୍ରହଣ କରିବାର ତିଳେ ମାତ୍ର ପ୍ରବୃତ୍ତି ନାହିଁ । ବିଭିନ୍ନ କ୍ଷେତ୍ରରେ ଏଇ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ବିଦ୍ୱେଷ ହେତୁ ଓଡ଼ିଶା ଆଜି ଭାରତରେ ଅବହେଳିତ । ସଂଗଠିତ ଭାବରେ ମାତୃଭୂମି ଓ ମାତୃଭାଷା ପାଇଁ ପାଟି କରିବାର ପ୍ରବୃତ୍ତି ଏ ଜାତିର ନାହିଁ । ଓଡ଼ିଶାର ଐତିହାସିକ ନଗରୀ କଟକରେ ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ୧୯୬୪ ଡିସେମ୍ୱରରେ । ସେଥିରେ ବଙ୍ଗୀୟ ସାହିତ୍ୟିକମାନେ ବଙ୍ଗଳା ଓ ଓଡ଼ିଶାର ଦୀର୍ଘକାଳର ଭାଷା, ଧର୍ମ ଓ ନିବିଡ଼ ସାଂସ୍କୃତିକ ସମ୍ୱନ୍ଧ ସମ୍ପର୍କରେ ବଡ଼ ବଡ଼ କଥା କହିଥିଲେ । ଓଡ଼ିଶାର ପ୍ରବୀଣ ସାହିତ୍ୟିକ ଡକ୍‍ଟର ହରେକୃଷ୍ଣ ମହତାବ ଓ କାଳନ୍ଦୀଚରଣ ପାଣିଗ୍ରାହୀ ମଧ୍ୟ ଏ ସମ୍ମିଳନୀରେ ଯୋଗଦେଇ ନିଜର ସୁଚିନ୍ତିତ ବକ୍ତବ୍ୟ ପରିବେଷଣ କରିଥିଲେ । ପୁଣି ଓଡ଼ିଶା ସାହିତ୍ୟ ଏକାଡେମିଙ୍କ ତରଫରୁ ‘ଆର୍ତ୍ତବଲ୍ଲଭ ସ୍ମୃତି ବକ୍ତୃତାମାଳା’ ଆନୁକୂଲ୍ୟରେ ଡକ୍‍ଟର ସୁନୀତିକୁମାର ଚାଟାର୍ଜୀ ସମ୍ମାନର ସହିତ ନିମନ୍ତ୍ରିତ ହୋଇ ବକ୍ତୃତା ଦେଇଥିଲେ ।

 

କିନ୍ତୁ ବଡ଼ ଦୁଃଖର ବିଷୟ, ବଙ୍ଗଳା ‘ଭାରତବର୍ଷ’ ପତ୍ରିକାରେ (ମାଘ, ୫୨ତମ ବର୍ଷ, ଦ୍ୱିତୀୟ ଖଣ୍ଡ, ଦ୍ୱିତିୀୟ ସଂଖ୍ୟା) କଟକର ନିଖିଳ ଭାରତ ବଙ୍ଗସାହିତ୍ୟ ସମ୍ମେଳନରେ ଭାଷଣ ଦେଇଥିବା ବଙ୍ଗୀୟ ସାହିତ୍ୟଙ୍କର ବକ୍ତବ୍ୟର ସମୀକ୍ଷା ଓ ତାରିଫ୍‍ ଚାଲିଲା; କିନ୍ତୁ ଓଡ଼ିଶାର କୌଣସି ସାହିତ୍ୟିକଙ୍କ ବକ୍ତବ୍ୟର ସମ୍ପର୍କରେ ସମୀକ୍ଷକଙ୍କ ଲେଖନୀ ନୀରବ; ପୁଣି ସେମାନଙ୍କର ନାମର ସୁଦ୍ଧା ଉଲ୍ଲେଖ ନାହିଁ । ଓଡ଼ିଶୀ ଓ ଓଡ଼ିଆ ସାହିତ୍ୟିକଙ୍କ ପ୍ରତି କ’ଣ ଏହା ଅପମାନ ନୁହେଁ ? ଏଠି କଣ ପ୍ରତିବାଦ କରିବାର, ପାଟି ଫିଟାଇବାର କିଛି ନାହିଁ ?

 

ଆମ ଦେଶ ସ୍ୱାଧୀନ ହୋଇଛି । ଆମେ ରାଜନୈତିକ ସ୍ୱାଧୀନତା ଲାଭ କରିଥିଲେ ମଧ୍ୟ ନାନାକ୍ଷେତ୍ରରେ ପରାଧୀନ ରହିଛୁ; ବିଶେଷତଃ ଭାବ ଓ ଚିନ୍ତାକ୍ଷେତ୍ରରେ ସାହିତ୍ୟିକମାନଙ୍କର ପରାଧୀନତା କଦାପି ଶୁଭସଂକେତ ନୁହେଁ ।

 

ସାହିତ୍ୟ ଏକାଡେମି ଲେଖକମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କରିବା ଦ୍ୱାରା ଏବଂ ସେମାନଙ୍କର ଅପ୍ରକାଶିତ ଗ୍ରନ୍ଥ ପ୍ରକାଶ କରିବା ଦ୍ୱାରା ସେମାନେ ଯେ ବିଶେଷ ଉତ୍ସାହିତ ହେଉଛନ୍ତି, ଏଥିରେ ସନ୍ଦେହ ନାହିଁ; କିନ୍ତୁ ଏହାଦ୍ୱାରା ଲେଖକମାନଙ୍କର ସ୍ୱାଧୀନତା ବ୍ୟାହତ ନ ହେଲେ ରକ୍ଷା ।

 

ଆକାଶବାଣୀ ମାଧ୍ୟମରେ ପାଲା ଓ ଦାସକାଠିଆ ଇତ୍ୟାଦିର ପ୍ରଚାର ଲୋକସାଧାରଣଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ପ୍ରଚାରରେ ଯେ ସାହାଯ୍ୟ କରୁଛି, ଏଥିରେ ସନ୍ଦେହ ନାହିଁ; କିନ୍ତୁ ସମୟ ସମୟରେ ଗାୟକମାନଙ୍କ ମୁଖରେ ଯୋଜନାର ଯେପରି ପ୍ରଚାର କରାଯାଉଛି, ତାହା ଦ୍ୱାରା ପାଲା ଦାସକାଠିଆର ସୌନ୍ଦର୍ଯ୍ୟ କ୍ଷୂର୍ଣ୍ଣ ହେଉଛି; ପୁଣି ଫଳଚାଷ ଓ କମ୍ପୋଷ୍ଟ ଖତ ସମ୍ପର୍କରେ ଲେକସମ୍ପର୍କ ବିଭାଗଦ୍ୱାରା ପ୍ରସ୍ତୁତ ରେକର୍ଡଗୀତ ଏକ ବିକୃତ ସାହିତ୍ୟରୁଚି ସୃଷ୍ଟି କରୁଛି ।

 

ସାହିତ୍ୟକ୍ଷେତ୍ରରେ ଅବାଞ୍ଛିତ ଅଯୋଗ୍ୟ ଲେଖକମାନଙ୍କର ପ୍ରବେଶ, ଯୌନ ବୀଭତ୍ସତାପୂର୍ଣ୍ଣ ଅଶ୍ଳୀଳ ଲେଖାର ପ୍ରାଚୂର୍ଯ୍ୟ, ଶସ୍ତା ପ୍ରତିଷ୍ଠା ପାଇଁ ଦିନ ଦ୍ୱିପ୍ରହରରେ ଚୋରୀ ଓ ମୁହଁଭୁରୁଡ଼ି ଏବଂ ବହୁ ଲେଖକଙ୍କର ସାହିତ୍ୟ ସାଧନା ଅପେକ୍ଷା ଆତ୍ମପ୍ରଖ୍ୟାପନ ନିମିତ୍ତ ନାନା ଅବାଞ୍ଛିତ ପ୍ରଚେଷ୍ଠା ପ୍ରକୃତ ସାହିତ୍ୟସାଧକ ପ୍ରାଣରେ ଘୋର ବ୍ୟଧା ଓ ନୈରାଶ୍ୟ ଜାତ କରିଛି । ଶସ୍ତା ଉପନ୍ୟାସ, ଡିଟେକ୍‍ଟିଭ୍‍ ଓ ଗଳ୍ପର ସାହିତ୍ୟ ବଜାର ଯେଉଁଠି ସରଗରମ, ସେଠି ମୌଳିକ ଚିନ୍ତାପ୍ରସ୍ତୁତ ଉଚ୍ଚାଙ୍ଗ ସାହିତ୍ୟର ସ୍ଥାନ କେଉଁଠି ? ପ୍ରକାଶକ ବା ଛାପିବେ କାହିଁକି ? ବର୍ତ୍ତମାନର ପ୍ରକାଶକଙ୍କ ନିକଟରେ ଉଚ୍ଚକୋଟୀର ପ୍ରବନ୍ଧ ଓ ସମାଲୋଚନା ଅପେକ୍ଷା ନୋଟ୍‍ବହିର ମୂଲ୍ୟ ଅଧିକ । ଯେଉଁ କେତେକ ସହୃଦୟ ପ୍ରକାଶକ ଉଚ୍ଚାଙ୍ଗ ସାହିତ୍ୟ ପ୍ରକାଶ କରୁଛନ୍ତି, ତାଙ୍କର ସଂଖ୍ୟା ବା କେତେ ? ଲୋକ ଅଭାଗଗ୍ରସ୍ତ ହେଲେ ପେଟ ପାଇଁ ଅଧମ ପନ୍ଥାର ଆଶ୍ରୟ ନିଏ । ତେଣୁ ବର୍ତ୍ତମାନର ସଂକଟପୂର୍ଣ୍ଣ ସାହିତ୍ୟିକ ପରିସ୍ଥିତିରେ ଉଚ୍ଚକୋଟିର ସାହିତ୍ୟସାଧକ ନିମ୍ନରୁଚିର ପ୍ରକାଶକ ଓ ପାଠକଗୋଷ୍ଠୀର ଶିକାର ହୋଇଯିବା କିଛି ବିଚିତ୍ର ନୁହେଁ । ଯେଉଁ ଆଡ଼କୁ ଚାହିଁଲେ ଲେଖକଙ୍କର ମନ ଭାଙ୍ଗିପଡ଼ୁଛି ।

 

ଏ ସଂକଟଜନକ ପରିସ୍ଥିତିରେ ଜୀବନର ଆଭିମୁଖ୍ୟ ନ ବଦଳିଲେ, ଦେହର ସେବା ସ୍ଥାନରେ ମନ ଓ ଆତ୍ମାର ସେବା ମୁଖ୍ୟ ନହେଲେ, ଭୋଗ ବଦଳରେ ଯୋଗ, ଭୌତିକତା ସ୍ଥାନରେ ଆଧ୍ୟାତ୍ମିକ ଚେତନା ନ ଆସିଲେ, ନିଜର ବ୍ୟବହାର ଓ ଆଚରଣରେ ଆନ୍ତରିକତା, ନିଷ୍ଠା ଓ ସଂଯମ ନ ରହିଲେ, ସମଗ୍ର ବିଶ୍ୱ ପ୍ରତି ପ୍ରାଣରେ ଏକ କଲ୍ୟାଣକର ଆବେଦନ ନ ରହିଲେ, ସ୍ଥୂଳତଃ ମାନବିକତା, ସହାନୁଭୂତି ଓ ସମବେଦନା ଜୀବନର ଓ ଲେଖାର ଆଭିମୁଖ୍ୟ ନ ହେଲେ ବର୍ତ୍ତମାନ ଜୀବନ ଓ ଜଗତ୍‍ ରେ ଦେଖାଦେଇଥିବା ଧ୍ୱଂସର ଗତିକୁ ପ୍ରତିହତ କରିହେବନି । ବିଶ୍ୱର ଚିନ୍ତାଶୀଳ ଲେଖକ ଓ ଦାର୍ଶନିକଙ୍କର ବାଣୀ, ଅତୀତର ଉର୍ଜ୍ଜସ୍ୱଳ ପରମ୍ପରା ପ୍ରତି ଦୃଷ୍ଟି ରଖି ନୈତିକତାର ଭିତ୍ତିରେ ମାନବାତ୍ମାକୁ ଉଦ୍‍ବୁଦ୍ଧ କରିପାରିବା ଭଳି ଯୁଗୋପଯୋଗୀ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିବାକୁ ହେବ । ହତାଶ ଓ ଦ୍ୱିଧା ସଂଶୟାଚ୍ଛନ୍ନ ଅଶାନ୍ତମାନବ ପ୍ରାଣରେ ସାନ୍ତ୍ୱନାର ବାରି ସିଞ୍ଚନ କରିବାକୁ ହେବ । ଜୀବନର ନାନା ବାସ୍ତବ ଓ ବିଚିତ୍ର ଅନୁଭୂତି ଏବଂ ଜଗତ୍‍ର ବିଭିନ୍ନ ସମସ୍ୟାକୁ ନେଇ ଲେଖକକୁ ମହତ୍ତର ଜୀବନ ସଂପର୍କରେ ସଙ୍କେତ ଦେବାକୁ ହେବ । କେବଳ ଜୀବନର ନଗ୍ନଛବି ଆଙ୍କିବସିଲେ ସାହିତ୍ୟ ହୋଇଯିବ ନାହିଁ । ସେଇ ନଗ୍ନତାକୁ ଉନ୍ନତ ରୁଚି, ମାନବିକତା, ପ୍ରାଣର ପ୍ରସାର ଓ ଉଦାର ହୃଦୟବତ୍ତାର ରଙ୍ଗରେ ରଞ୍ଜିତ କରି ସୁଷ୍ଠୁବାଙ୍ମୟ ମୂର୍ତ୍ତି ଦେବାକୁ ହେବ ।

 

ଦୁଇ ବର୍ଷ ତଳେ ପୁରୀରେ ଅନୁଷ୍ଠିତ ସାରଳା ଶ୍ରାଦ୍ଧୋତ୍ସବରେ ଓଡ଼ିଶାର ଅନ୍ୟତମ ଲବ୍‍ଧପ୍ରତିଷ୍ଠା ସାହିତ୍ୟିକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ର ବର୍ତ୍ତମାନର ଲେଖକମାନଙ୍କର ତ୍ରୁଟି ସମ୍ପର୍କରେ ସୂଚିତ କରିବାକୁ ଯାଇ କହିଥିଲେ—

 

‘‘ନବୀନତାର ସ୍ୱପ୍ନ ଭିତରେ ବର୍ତ୍ତମାନର ସାହିତ୍ୟିକ ପଥଭ୍ରଷ୍ଟ ହେଇ ସାହିତ୍ୟର ସାର୍ବଜନୀନ ବୈଜ୍ଞାନିକଧର୍ମ ଓ ପଦ୍ଧତିରୁ ଅପସରି ଯାଇ ବିଶୃଙ୍ଖଳା ସୃଷ୍ଟି କରିବାରେ ସ୍ୱାଧୀନ ହୋଇଛନ୍ତି । ଆନ୍ତର୍ଜାତିକ ସାହିତ୍ୟର ପୁରୋଭାଗରେ ଓଡ଼ିଆ ସାହିତ୍ୟର ସ୍ଥାଣୁ ଅବସ୍ଥା କଥା ଚିନ୍ତାକଲେ ଦୁଃଖ ଲାଗେ ।’’ ଶ୍ରୀଯୁକ୍ତ ମାହାପାତ୍ରଙ୍କର ଏ କାଳୋଚିତ ଚେତାବନୀ ବାସ୍ତବରେ ପ୍ରଣିଧାନର ବିଷୟ । ଭାରତୀୟ ତଥା ଆନ୍ତର୍ଜାତିକ ସାହିତ୍ୟର ପୃଷ୍ଠଭୂମିରେ ଓଡ଼ିଆ ସାହିତ୍ୟର ସୃଷ୍ଟି ଓ ସମୀକ୍ଷାକୁ ବିଚାର କରିବାକୁ ହେବ, ପୁଣି ଓଡ଼ିଶାର ସଂସ୍କୃତି, ତା’ର କବି ଓ ଲେଖକମାନଙ୍କୁ ଭାରତ ତଥା ଭାରତ ବାହାରେ ପରିଚିତ କରାଇବା ପାଇଁ ବଳିଷ୍ଠ ଜାତୀୟ କାର୍ଯ୍ୟସୂଚୀ ଗ୍ରହଣ କରିବାକୁ ହେବ (ଦୁଃଖର ବିଷୟ ଏ ପର୍ଯ୍ୟନ୍ତ ଯାହା ହୋଇ ପାରିନାହିଁ) ।

 

ମାନବଜୀବନ ଓ ସମାଜକୁ ଗଠନ କରିବା ପାଇଁ ମାନବାତ୍ମାକୁ ଉଦ୍‍ବୁଦ୍ଧ କରିବା ପାଇଁ ଲେଖକର ଦାୟିତ୍ୱ କମ୍‍ ନୁହେଁ । ଲେଖକ ଅଭୁତକର୍ମା । ସେ ତା’ର ଲେଖନୀମୁନରେ ବିପ୍ଳବ ସୃଷ୍ଟି କରିପାରେ, ମାନବର ସ୍ଥାଣୁତା ଓ ନିର୍ବୋଦତା ମୂଳରେ ପ୍ରଚଣ୍ଡ ଆଘାତ ସୃଷ୍ଟି କରି ତାକୁ ପ୍ରାଣ ଚଞ୍ଚଳ କରିପାରେ, କାଳର ଧ୍ୱଂସମୁଖୀ ସ୍ରୋତକୁ ସର୍ଜନାର ପ୍ରେମ ସ୍ରୋତରେ ରୂପାନ୍ତରିତ କରିପାରେ । ଆଜିର କବି ଓ ଲେଖକମାନଙ୍କୁ ସଂକଳ୍ପବଦ୍ଧ ହେବାକୁ ହେବ । ନୀତିହୀନତା, ସଂକୀର୍ଣ୍ଣତା ଓ ଅନୁଦାରତାର ଉର୍ଦ୍ଧ୍ୱରେ ସ୍ୱକୀୟ ମୌଳିକ କଳ୍ପନା ଓ ଚିନ୍ତା, ଭାବ ସଂବେଗର ବୈଶିଷ୍ଟ୍ୟ ସାହାର୍ଯ୍ୟରେ ବିଶ୍ୱର ପରିପ୍ରେକ୍ଷୀରେ ଜୀବନ ଓ ଜଗତ୍‍ର ବିଚିତ୍ର ଅନୁଭୂତି ଓ ସମସ୍ୟାକୁ ନେଇ ତାକୁ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିବାକୁ ହେବ । ଭାରତ ଯେପରି ଶତ୍ରୁର ଶ୍ୟେନଦୃଷ୍ଟିରେ ପଡ଼ିଛି, ସେଥିପାଇଁ ସମସ୍ତ ପ୍ରାଦେଶିକ ସଂକୀର୍ଣ୍ଣତା ଭୁଲ୍‍ ଜାତୀୟସଂହତି, ଐକ୍ୟ. ଦେଶପ୍ରେମ ଓ ପୁରୁଷକାରର ଉଦବୋଧନ ଦେବାକୁ ହେବ ।

 

ସାହିତ୍ୟ ନାମରେ ଯେଉଁ ବ୍ୟଭିଚାର ଚାଲିଛି, ତା ବିରୁଦ୍ଧରେ ବଳିଷ୍ଠ ଅଭିଯାନ ଚଳାଇ କଳାସୃଷ୍ଟି କ୍ଷେତ୍ରରେ ନୈତିକତା, ସଂଯମ ଓ ଆଧ୍ୟାତ୍ମିକ ତାର ଭିତ୍ତି ଦୃଢ଼ କରିବାକୁ ହେବ । ତା’ ହେଲେ ଆମେ ସଂକଟର ସମ୍ମୁଖୀନ ହୋଇପାରିବା; ନ ହେଲେ ଖସିଗଲା ଗୋଡ଼ ତଳକୁ ତଳକୁ ପରି କେବଳ ଅଧୋଗତି ହିଁ ଏ ଜାତି ଓ ତା’ର ସାହିତ୍ୟ-ଲଲାଟରେ ଲେଖା ।

Image

 

ଜୀବନ ଓ ସାହିତ୍ୟ

 

ସ୍କୁଲ କଲେଜର ଧରାବନ୍ଧା ଶିକ୍ଷା ଓ ଘର ଛାଡ଼ିବାର ଆଜିକି ବୟାଳିଶ ବର୍ଷରୁ ଊର୍ଦ୍ଧ୍ୱ ହୋଇଗଲା । କଲେଜରେ ପଢ଼ୁଥିବାବେଳେ ମୋର ସାହିତ୍ୟ ପ୍ରତି ଗୋଟିଏ ଝୁଙ୍କ ଥିଲା । ସେତେବେଳେ ଆଧୁନିକ ସାହିତ୍ୟ ବୋଲି ଯାହା କୁହାଯାଉଥିଲା, ତାହା ଚର୍ଚ୍ଚା କରିବା ସଙ୍ଗେ ସଙ୍ଗେ ନାନାବିଷୟରେ ମୁଁ ଅଜସ୍ର ବହି ପଢ଼ିଥିଲି; କିନ୍ତୁ ମୁଁ ମୋର ଘର ଓ ସେଇ ଧରାବନ୍ଧା ଶିକ୍ଷା ଛାଡ଼ିଲା ପରେ ବସ୍ତୁତଃ ମୋର ଦୃଷ୍ଟିକୋଣ ବଦଳିଗଲା । ଗୋଟିଏ ସ୍ୱତନ୍ତ୍ର ଆଭିମୁଖ୍ୟ ନେଇ ମୋର ଅଧ୍ୟୟନ ସ୍ପୃହା ବଢ଼ିଚାଲିଲା । ଜୀବନର ମୌଳିକ ସମସ୍ୟାଗୁଡ଼ିକର ଅର୍ଥ ବୁଝିବା ପାଇଁ ମୋର ଗୋଟିଏ ଗଭୀର ଉତ୍କଣ୍ଠା ଥିଲା ଏବଂ ସେଇ ଦିଗରେ ମୋର ଚିନ୍ତା, ଅନୁଭୂତି ଓ କ୍ରିୟାର ବିନିଯୋଗ ହେଲା ।

 

ବିଶ୍ୱସାହିତ୍ୟ ସହିତ ମୋର ସାଧାରଣ ପରଚୟ ଘଟିଛି ସତ; କିନ୍ତୁ ମୁଁ ନିଜକୁ ଜଣେ ସାହିତ୍ୟିକ ବୋଲି କହିପାରିବି ନାହିଁ । ସତ୍ୟର ସନ୍ଧାନ ପାଇଁ ମୁଁ ନିଜକୁ ଜଣେ ବିନୀତ ଭକ୍ତ ଭାବରେ ଉତ୍ସର୍ଗ କରିଦେଇଛି । ବରଂ ମୁଁ ନିଜକୁ ଜଣେ ସାଧକ ମନେକରିପାରେ । ଜଣେ ସାହିତ୍ୟସ୍ରଷ୍ଟା ସାଧକ ହୋଇପାରିବାର ଦୃଷ୍ଟାନ୍ତ ଥିଲେ ମଧ୍ୟ ଜଣେ ସାହିତ୍ୟପ୍ରେମୀ ସବୁ ସମୟରେ ଏହି ପର୍ଯ୍ୟାୟର ଅନ୍ତର୍ଭୁକ୍ତ ହୋଇ ନ ପାରେ । ମୋର ସାହିତ୍ୟ ଓ ସାହିତ୍ୟ ସାଧକମାନଙ୍କ ପ୍ରତି ବିଶେଷ ସମ୍ମାନ ଅଛି । ରାଜନୈତିକ ନେତାଙ୍କ ପ୍ରତି ମୋର ଯେଉଁ ସମ୍ମାନ ଅଛି, ଏହା ତାହାଠାରୁ ସଂପୂର୍ଣ୍ଣ ପୃଥକ୍‍ । କୌଣସି ସମୟରେ ମୁଁ ରାଜନୈତିକ ଦଳର କେତେକ ନେତାଙ୍କୁ ଭେଟିଥିଲି । ସେମାନଙ୍କ ସହିତ କଥାବାର୍ତ୍ତା କଲାବେଳେ ମୋର ମନରେ କୌଣସି ସଙ୍କୋଚଭାବ ଆସି ନଥିଲା; କିନ୍ତୁ ସାହିତ୍ୟିକମାନଙ୍କ ପ୍ରତି ମୋର ସମ୍ମାନରେ ଗୋଟିଏ ପୃଥକ୍‍ ପରିସର ଅଛି ।

 

ମୋର ମନେପଡ଼ୁଛି, ପିଲାଦିନରୁ ମୋର ଗୋଟାଏ କାବ୍ୟିକ ମନୋବୃତ୍ତି ଥିଲା । ସେତେବେଳେ ପଦଗୁଡ଼ିକ ସ୍ୱତଃସ୍ଫୁର୍ତ୍ତ ଭାବରେ ଚାଲି ଆସୁଥିଲା ଏବଂ ବିନା ପ୍ରୟାସରେ ମୁଁ ପଦମାନ ରଚନା କରି ପାରୁଥିଲି । ତା’ପରେ ମୁଁ ମରାଠୀ ସାହିତ୍ୟ ନିବିଷ୍ଟ ଚିତ୍ତରେ ପାଠ କରିବା ସଙ୍ଗେ ସଙ୍ଗେ ସଂସ୍କୃତ ମଧ୍ୟ ପଢ଼ିଲି । ଅବଶ୍ୟ ଏ ସମସ୍ତ ପଢ଼ିବାର ଉଦ୍ଦେଶ୍ୟ ହେଲା ମୋର ଜୀବନର ‘ସାଧନା’କୁ ନିୟନ୍ତ୍ରିତ କରିବା । ପିଲାଦିନରୁ ମୁଁ ଶବ୍ଦ ଓ ଭାଷାତତ୍ତ୍ୱ ପ୍ରତି ଆକୃଷ୍ଟ ଥିଲି । ପ୍ରତ୍ୟେକ ଶବ୍ଦର ଉତ୍ପତ୍ତି ଓ ଇତିବୃତ୍ତି ସମ୍ପର୍କରେ ମୁଁ ଗଭୀର ଭାବରେ ଚିନ୍ତା କରୁଥିଲି । ଏହା ଏପରି ଗୋଟିଏ ଆନନ୍ଦଜନକ ବିଷୟ ଯେ ଏହା ମୋତେ ଭିନ୍ନ ଭିନ୍ନ ଭାଷା ଅଧ୍ୟୟନ କରିବାକୁ ପ୍ରେରଣା ଦେଇଥିଲା । ଆମ ଦେଶର ଲୋକମାନଙ୍କର ନିକଟସମ୍ପର୍କରେ ଆସିବା ପାଇଁ ମୁଁ ଆଞ୍ଚଳିକ ଭାଷାମାନ ଶିକ୍ଷା କଲି । ଆମର ରାଷ୍ଟ୍ର ସମ୍ୱିଧାନରେ ଉଲ୍ଲିଖିତ ଚଉଦଟି ଭାଷା ସହିତ ମୋର ସାଧାରଣ ପରିଚୟ ଘଟିଛି । ଏହାଛଡ଼ା ଫାର୍ସୀ, ଆରବୀ, ଅର୍ଦ୍ଧମାଗଧୀ ଓ ପାଲି ପ୍ରଭୃତି ପ୍ରାଚୀନ ଭାଷାଗୁଡ଼ିକ ମୋତେ ପଢ଼ିବାକୁ ହୋଇଥିଲା । ଗୋଟଏ ସ୍ଥଳରୁ ଆଉ ଗୋଟାଏ ସ୍ଥଳକୁ ଯିବାବେଳେ ଏଇ ଅଧ୍ୟୟନ ନିରବଚ୍ଛିନ୍ନ ଭାବରେ ଚାଲିଥାଏ । ଏହାଦ୍ୱାରା ଶବ୍ଦଗୁଡ଼ିକ ମଧ୍ୟରେ ଥିବା ଅସୀମଶକ୍ତି ସମ୍ପର୍କରେ ମୁଁ ସଚେତ ହୋଇପାରିଲି । କହିବାକୁ ମୋର ଭୟ ହୁଏ ଯେ ଅନେକ ସାହିତ୍ୟିକ ଶବ୍ଦର ଏଇ ଅନ୍ତର୍ନିହିତ ଶକ୍ତି ସମ୍ପର୍କରେ ସମ୍ପୂର୍ଣ୍ଣ ଅବହିତ ନୁହନ୍ତି ।

 

X X X

 

ସ୍କୁଲର ଛାତ୍ର ଥିବାବେଳେ ମୁଁ କବିତା ଲେଖିଥିଲି ଏବଂ କବିତା ଲେଖିବା ଥିଲା ମୋର ଗୋଟାଏ ଆମୋଦ । ମୁଁ କବିତାଟି ଲେଖିଦେଇ ମନରେ ପୂର୍ଣ୍ଣ ଆନନ୍ଦ ଆସିବା ପର୍ଯ୍ୟନ୍ତ ପରିବର୍ତ୍ତନ କରିବାରେ ଲାଗିଯାଉଥିଲି । ତା’ପରେ ଦୁଇ ତିନିଥର ଉଚ୍ଚକଣ୍ଠରେ ଆବୃତ୍ତି କରି ଶେଷରେ ଅଗ୍ନିରେ ଉତ୍ସର୍ଗ କରି ଦେଉଥିଲି । ମୋର ଏ ବିଚିତ୍ର ଢଙ୍ଗ ଦେଖି ଥରେ ମୋର ମା ଏହାର କାରଣ ପଚାରିଲେ । ମୁଁ ତାଙ୍କୁ କହିଲି ଯେ ଅଗ୍ନିଙ୍କୁ ଏଇଟା ମୋର ଆହୁତି । ସେ ଥରେ ମୋତେ କହିଲେ, ‘ତୁ ତ ତୋ କବିତା ମତେ ପଢ଼ି ଶୁଣାଇ ନାହୁଁ, ଯଦି ତୋ’ର ଇଚ୍ଛା, ଅଗ୍ନିକୁ ପଛେ ଉତ୍ସର୍ଗ କରିବୁ; କିନ୍ତୁ ଉତ୍ସର୍ଗ କରିବା ପୂର୍ବରୁ ପହିଲୁ ମୋ ଆଗରେ କ’ଣ ପଢ଼ିବାକୁ ତୁ ମଙ୍ଗିବୁ ନାହିଁ ?’’ ମୁଁ ମା’ଙ୍କ କଥାରେ ମଙ୍ଗିଯାଇ କେତେଗୁଡ଼ିଏ କବିତା ତାଙ୍କ ଆଗରେ ପଢ଼ିବା ଆରମ୍ଭ କଲି । ମୋ ରଚିତ କେତେଗୁଡ଼ିଏ କବିତା ମୋର କେତେଜଣ ବନ୍ଧୁ ଉଦ୍ଧାର କରିଛନ୍ତି ଏବଂ କବିତାଗୁଡ଼ିକୁ ପାଖରେ ସାଇତି ରଖିବାକୁ ଇଚ୍ଛା କରି ସେଗୁଡ଼ାକୁ ସେମାନେ ନେଇ ଯାଇଛନ୍ତି ।

 

ପରେ ଯେତେବେଳେ ମୁଁ କାଶୀରେ ପଢ଼ୁଥିଲି, ସେତେବେଳେ ମୋ ରଚିତ କବିତାଗୁଡ଼ିକୁ ଗଙ୍ଗାଜଳରେ ବିସର୍ଜନ ଦେବାକୁ ଆରମ୍ଭ କଲି । ମୋର ବହୁତ ଖ୍ୟାତନାମା ଲୋକଙ୍କ ସମ୍ପର୍କରେ ଆସିବାର ସୁଯୋଗ ଘଟିଥିଲା । ସେମାନଙ୍କ ମଧ୍ୟରୁ କେତେକଙ୍କଠାରୁ ମଧ୍ୟ ମୁଁ ପତ୍ର ପାଇଛି । କିନ୍ତୁ ଖଣ୍ଡିଏ ବୋଲି ମୁଁ ସାଇତି ରଖିନାହିଁ; ସେଗୁଡ଼ିକୁ ପୁଣି ପରେ ପଢ଼ିସାରି ଅଗ୍ନିରେ ସମର୍ପଣ କରିଦେଇଛି । ମୋର ଏ ପ୍ରକାର କାର୍ଯ୍ୟର ଔଚିତ୍ୟ ସମ୍ପର୍କରେ ମୁଁ ଗୀତାରୁ ଗୋଟିଏ ପଙ୍‍କ୍ତି ଉଦ୍ଧାର କରିବି । ପଙ୍‍କ୍ତିଟିର ଭାବ ହେଉଛି—‘‘କଥିତ ଓ ଲିଖିତ ଶବ୍ଦର ବ୍ୟର୍ଥତା (ଅଳିକତା) ତୁମେ ନିଜେ ଅନୁଭବ କରିପାରିବ ।’’

 

ଗୀତାର ପ୍ରଥମ ଅଧ୍ୟାୟରେ ଅର୍ଜୁନ ବୈଦିକ ଋଷିଙ୍କ ବାଣୀ (ମତ) ଉଦ୍ଧାର କରି ଯୁକ୍ତି ବାଢ଼ିଲେ ଯେ ଯଦି ସେ ଯୁଦ୍ଧରେ ଭ୍ରାତା ଓ ଜ୍ଞାତିମାନଙ୍କୁ ହତ୍ୟା କରନ୍ତି, ତା’ହେଲେ ଭ୍ରାତୃହତ୍ୟା ଅପରାଧରେ ଅପରାଧି ହେବେ । ତା’ର ଉତ୍ତରରେ ଭଗବାନ କହିଲେ, ‘‘ବେଦ ହେଉଛି ତ୍ରିଗୁଣାତ୍ମିକା ଜଗତ୍‍ପାଇଁ, କିନ୍ତୁ ଏହା ବାହାରେ ଆଉ ଗୋଟିଏ ଜଗତ୍‍ ଅଛି ଯେଉଁଠି ଉଚ୍ଚାରିତ ଶବ୍ଦ ଅପେକ୍ଷା ନୀରବତା ହେଉଛି ଅଧିକ ଶକ୍ତିଶାଳୀ ।’’

 

କୌଣସି ଚିନ୍ତାରେ ଧ୍ୟାନସ୍ଥ ହୋଇ ତାକୁ ସର୍ବଚୋଭାବରେ ନିଜର କରିନେବା ହେଉଛି ମୋର ମନୋବୃତ୍ତି । ବାଷ୍ପର ଶକ୍ତି ଅନୁଭୂତ ହେବା ପୂର୍ବରୁ ଏହାକୁ ସଂକୀର୍ଣ୍ଣ ପଥରେ ଚାପଦେଇ ଛାଡ଼ିବାକୁ ହେବ । ସେହିପରି ମନର ନିଭୃତ କୋଣରେ ଚିନ୍ତାକୁ ସ୍ଥିର ରଖିଲେ ଏହା ଶକ୍ତିଶାଳୀ ହୁଏ । ନୀରବତା ହେଉଛି ସୃଜନଶୀଳ ରଚନାର ପୂର୍ବାବସ୍ଥା । ବହୁଚର୍ଯ୍ୟା (ଆତ୍ମସଂଯମ) ଯେପରି ସୁସ୍ଥ ଓ ଶକ୍ତିଶାଳୀ ବଂଶର (ଉତ୍ତରାଧିକାରୀ) ପୂର୍ବବସ୍ଥା, ଉଚ୍ଚାଙ୍ଗ ସାହିତ୍ୟ ପାଇଁ ନୀରବତା ସେହିପରି ଆବଶ୍ୟକ । ନୀରବ ଥିବା ଅବସ୍ଥାରେ ଶବ୍ଦର ଶକ୍ତି କେବଳ ସ୍ପଷ୍ଟ ହୋଇଥାଏ ।

 

ଦେହ ଓ ଆତ୍ମା ପରି ଅର୍ଥ ଓ ଶବ୍ଦ ଦୁଇଟା ପୃଥକ୍‍ ଜିନିଷ । ସେଥିପାଇଁ କୁହାଯାଇଥାଏ, ଶବ୍ଦକୁ ଦୂରରେ ରଖି ଅନ୍ତର୍ନିହିତ ଅର୍ଥକୁ ଶ୍ରବଣ କର (ହୃଦୟଙ୍ଗମ କର) । ଏହିପରି ଭାବରେ ଶବ୍ଦଗୁଡ଼ିକ ‘ମନ୍ତ୍ର’ ଉପଦେଶରେ ପରିଣତ ହୋଇଥାଏ । ଯେତେବେଳେ କୌଣସି ଗୋଟିଏ ମନ୍ତ୍ର କୌଣସି ଦେବତାକୁ ଆବାହନ କରେ; ସେତେବେଳେ ତାହା ସମସ୍ତ ଶକ୍ତି ଓ ମହିମାରେ ପୂର୍ଣ୍ଣ ହେବା ଦରକାର । ଗୀତାର ଶବ୍ଦଗୁଡ଼ିକ ଗୋଟିଏ ଗୋଟିଏ ମନ୍ତ୍ର ଯାହା କି ଆତ୍ମଜ୍ଞାନକୁ ଉଦ୍‍ବୁଦ୍ଧ କରେ । ଏ ସମସ୍ତ ଶବ୍ଦ ବିଜ୍ଞାନର ଅନ୍ତର୍ଭୁକ୍ତ । ଗୀତା ହେଉଛି ଏକ ଆକ୍ଷରିକ ପବିତ୍ର ଧର୍ମୋପଦେଶ-। ଏହା ଭଗବାନଙ୍କର ପରିପୂର୍ଣ୍ଣ ଅକ୍ଷରମୂର୍ତ୍ତି ।

 

X X X

 

ଜଣେ କେହି ମୋତେ ପ୍ରଶ୍ନ କଲେ, ’ସତ୍ୟଟା ସୌନ୍ଦର୍ଯ୍ୟ ନା ସୌନ୍ଦର୍ଯ୍ୟଟା ସତ୍ୟ’ ? ଗୋଟିଏ ପଦାର୍ଥକୁ ସମଗ୍ର ଭାବରେ ଦେଖିଲେ ସୌନ୍ଦର୍ଯ୍ୟର ମୂଲ୍ୟବୋଧ ହୋଇଥାଏ । ଉଦାହରଣ ସ୍ୱରୂପ, ଦେହରୁ ଯଦି ନାକ କାଟି ଦିଆଯାଏ, ଏହାର କେବେ ସୁନ୍ଦର ସ୍ୱରୂପ ଦେଖାଯିବ ନାହିଁ । ଦେହ ସହିତ ଅଙ୍ଗପ୍ରତ୍ୟଙ୍ଗର ସମ୍ପର୍କ ମଧ୍ୟରେ ସୌନ୍ଦର୍ଯ୍ୟ ନିହିତ ଅଛି । ଲୋକମାନେ ସମୟ ସମୟରେ ଗଛରୁ ଫୁଲ ଓ ପତ୍ର ତୋଳି ଆଣି କୌଣସି ପାତ୍ର କିମ୍ୱା ମାଳାରେ ଖଚିତ କରିଥାନ୍ତି । ଏ ପ୍ରକାର ସୌନ୍ଦର୍ଯ୍ୟବୋଧକୁ ମୁଁ କୌଣସି ମୂଲ୍ୟ ଦେଇପାରେ ନା, ବରଂ ଏହାକୁ ମୁଁ ସୌନ୍ଦର୍ଯ୍ୟବୋଧର ବାଧକ ବୋଲି ମନେକରେ । ସମଗ୍ର ଭାବରେ ସୌନ୍ଦର୍ଯ୍ୟର ବିଚାର ହୋଇଥାଏ । ସେହିପରି ଆଂଶିକ ଭାବରେ କେବେ ସତ୍ୟର ଅନୁଭୂତ ହୋଇ ନ ଥାଏ । ଏହାର ଅନୁଭୂତି ପାଇଁ ଏହାକୁ ସମଗ୍ର ଭାବରେ ଦର୍ଶନ କରିବାକୁ ହେବ । ତେଣୁ କୌଣସି ପଦାର୍ଥର ସାମୂହିକ ଅବବୋଧ ନ ଆସିଲେ ଜଣେ ଏହାର ସୌନ୍ଦର୍ଯ୍ୟର ବିଚାର କରିପାରିବ ନାହିଁ । ସତ୍ୟର ବିଚାର ପାଇଁ ଚିତ୍ତର ତୀକ୍ଷ୍ଣ ବୋଧଶକ୍ତି ଆବଶ୍ୟକ । ତେଣୁ ସତ୍ୟ ଓ ସୌନ୍ଦର୍ଯ୍ୟ ପରସ୍ପର ନିବିଡ଼ ଭାବରେ ସଂପୃକ୍ତ ।

 

ବର୍ତ୍ତମାନ ଏହାର ଟିକିଏ ଗଭୀର ବିଚାର କରାଯାଉ । କଳ୍ପନା କରାଯାଉ ଯେ ସମ୍ମୁଖରେ ଗୋଟିଏ ପୂର୍ଣ୍ଣ ସୌନ୍ଦର୍ଯ୍ୟର ପ୍ରତିମା ରହିଛି । ଏହାକୁ ଗୋଟିଏ ଜୀବନ୍ତ ପ୍ରାଣୀ ବୋଲି କୁହାଯାଉ । ତା’ହେଲେ ଦେଖିବେ, ଏ କେହି ନୁହେଁ, ଏ ହେଉଛି ମୋର ମା । ଆକୃତି ଓ ପ୍ରକୃତିର ସମସ୍ତ ସୌନ୍ଦର୍ଯ୍ୟ ଅପେକ୍ଷା ସର୍ବାଧିକ ସୁନ୍ଦର ଯେ ସେ ହେଉଛନ୍ତି ମୋର ମା’ । ଯଦି ଏ ବିଚାରର ଅଭାବ ରହିଛି, ତା ହେଲେ ଅନୁଭୂତିରେ କୌଣସି ପବିତ୍ରତା ବା ତନ୍ମୟତା ନାହିଁ । କେବଳ ଆକୃତି ଓ ପ୍ରକୃତିର ସୌନ୍ଦର୍ଯ୍ୟ ପ୍ରକୃତ ପକ୍ଷରେ ଗୌଣ । ସମଗ୍ର-ଦୃଷ୍ଟିଭଙ୍ଗୀ ବା ସତ୍ୟର ସନ୍ଧାନ ହେଉଛି ସୌନ୍ଦର୍ଯ୍ୟର ସନ୍ଧାନ । ସମଗ୍ର ଭାବରେ ସତ୍ୟର ସନ୍ଧାନ ଯେତେ ଗଭୀର ହେବ, ସୌନ୍ଦର୍ଯ୍ୟର ମୂଲ୍ୟବୋଧ ସେତେ ଗଭୀର ଓ ମହତ୍‍ ହେବ । ଲିଖିତ ଶବ୍ଦକୁ ଆତ୍ମସ୍ଥ କରି ଏବଂ ଏହାକୁ ଜୀବନର ଏକ ଅଂଶ କରିନେବା ହେଉଛି ଏକମାତ୍ର ଉଦ୍ଦେଶ୍ୟ, ଯାହାଦ୍ୱାରା ପ୍ରଚୋଦିତ ହୋଇ ମୁଁ ମୋର ଲେଖାକୁ ଅଗ୍ନି କିମ୍ୱା ଗଙ୍ଗାଜଳରେ ଉତ୍ସର୍ଗ କରି ଦେଉଥିଲି ।

 

ଥରେ ଜଣେ ଭଦ୍ରବ୍ୟକ୍ତି ତାଙ୍କ ଲିଖିତ ଏକ କବିତା ସଞ୍ଚୟନ ମୋତେ ଦେଲେ । ପ୍ରାୟ ଶହେ ପୃଷ୍ଠାର ବହିଟି ଆଧୁନିକ ରୀତିରେ ଛପାଯାଇଥିଲା । କବିତାର କ୍ଷୁଦ୍ର ପଂକ୍ତିଗୁଡ଼ିକ ପୃଷ୍ଠାର ମଝିରେ ଛପାଯାଇଥିଲା । ଭଦ୍ରବ୍ୟକ୍ତି ଜଣକ ମୋ ସମ୍ମୁଖରେ ବସିଥିଲେ । କେତେଗୁଡ଼ିଏ କବିତା ପଢ଼ୁଥିବା ବେଳେ ମୁଁ ତାଙ୍କୁ କହିଲି, ‘‘ଆପଣଙ୍କ କବିତାର ପ୍ରକୃତ ଶବ୍ଦଗୁଡ଼ିକ ଅପେକ୍ଷା ପୃଷ୍ଠାର ଉଭୟ ପାର୍ଶ୍ୱରେ ଥିବା ଶୂନ୍ୟ ସ୍ଥାନରେ ଅଧିକ କବିତ୍ୱର ସନ୍ଧାନ ପାଉଛି । ଆପଣଙ୍କ କବିତାର ଗଭୀରତା ଓ ସୌନ୍ଦର୍ଯ୍ୟ ମୁଦ୍ରିତ ଶବ୍ଦମାନଙ୍କ ଦ୍ୱାରା ଆବଦ୍ଧ ହୋଇଯାଇଛି । ମୁଦ୍ରିତ ହୋଇ ନ ଥିବା ଶୂନ୍ୟ ସ୍ଥାନରେ ଗଭୀରତା ଓ ସୌନ୍ଦର୍ଯ୍ୟ ବାସ୍ତବିକ ଅପରିମିତ ଓ ବର୍ଣ୍ଣନାତୀତ । କେବଳ ପ୍ରଚ୍ଛଦପଟରେ ଲେଖକର ନାମ ମୁଦ୍ରିତ ହୋଇଥିବା ଆମୁଦିତ ଶତପୃଷ୍ଠାବିଶିଷ୍ଟ ଗ୍ରନ୍ଥର କର୍ତ୍ତାକୁ ମୁଁ ଜଣେ ମହାନ୍‍ କବି ରୂପେ କଳ୍ପନା କରିବି । ଯେଉଁ ଲୋକ ଆଦୌ ଲେଖେ ନାହିଁ, ସେ ଜଣେ ବଡ଼ କବି, ବାସ୍ତବରେ ତାର ତୁଳନା ନାହିଁ । କିନ୍ତୁ ପଦ୍ୟଲେଖକ ବା କବି କେବେ ଜଣେ ମହାନ କବି ହୋଇପାରିବେ ନାହିଁ । ଏହା ସମ୍ଭବ ଯେ ନୀରବତା ଅପେକ୍ଷା ଏକ ସୁନ୍ଦର ବକ୍ତୃତା ବା ଏକ ଗ୍ରନ୍ଥ ଅଧିକ ସୁନ୍ଦର ନୁହେଁ ।

 

X X X

 

ମୁଁ କହିଛି, ନୀରବତା ଶବ୍ଦ ଅପେକ୍ଷା ଅଧିକ ଶକ୍ତିଶାଳୀ । ମୁଁ ଏହାଦ୍ୱାରା କ’ଣ ମନେକରୁଛି, ଏହା ଆପଣଙ୍କୁ ଆଶ୍ଚର୍ଯ୍ୟବୋଧ ହେବ । ଆମର କୌଣସି ଶାସ୍ତ୍ରରେ ଗୋଟିଏ ଗଳ୍ପ ଅଛି । ଜଣେ ଶିଶ୍ୟ ଗୁରୁଙ୍କୁ ବ୍ରହ୍ମାଙ୍କର ସ୍ୱରୂପ ବର୍ଣ୍ଣନା କରିବା ପାଇଁ କହିଲେ । ଗୁରୁ କୌଣସି ଉତ୍ତର ଦେଲେ ନାହିଁ । ଯେତେବେଳେ ଶିଷ୍ୟ ଚତୁର୍ଥ ବାର ପ୍ରଶ୍ନକଲେ, ଗୁରୁ କହିଲେ, ‘‘ମୁଁ ତୁମକୁ ଏହା ସ୍ପଷ୍ଟଭାବରେ ବୁଝେଇ ଦେବାକୁ ଚେଷ୍ଟାକଲି; କିନ୍ତୁ ତୁମେ ସେ ଭାଷା ବୁଝିପାରିଲ ନାହିଁ । ସେଇ ହେତୁ ମୁଁ ଭଗ୍ନ ଶବ୍ଦରେ କହିବି, ଆତ୍ମା ହେଉଛି ଶାନ୍ତି । ମୁଁ ଏହି ଶବ୍ଦଗୁଡ଼ିକ ଉଚ୍ଚାରଣ କରି ସେ ଶାନ୍ତିଭଙ୍ଗ କରିଛି ।’’ ଏଥିରୁ ଜଣାପଡ଼ୁଛି ଯେ ସେ କିଛି ନ କହି ‘ବ୍ରହ୍ମା’ର ଅର୍ଥ ବୁଝେଇଦେଲେ ।

 

ଗଛରେ ଥିବା ଫୁଲଗୁଡ଼ିକ ହେଉଛନ୍ତି ଭଗବାନଙ୍କ ପ୍ରତି ନୈସର୍ଗିକ ନିବେଦନ, କିନ୍ତୁ ଆମେ ସେଗୁଡ଼ିକ ତୋଳିନେଇ ମାଳା ତିଆରି କରି ଉପାସ୍ୟ ଦେବତାଙ୍କୁ ଅଞ୍ଜଳି ଦେଉଁ । ଏହା ଆମର କ୍ରୀଡ଼ାଚପଳତାର ଏକ ବିଭାବ । ସାହିତ୍ୟ ସମସ୍ତଙ୍କ ପାଇଁ, ଏହା ସାର୍ବଜନୀନ ହେବା ଆବଶ୍ୟକ । ସମସ୍ତେ ଏହା ପ୍ରତି ଆକୃଷ୍ଟ ହେବାର ଉପାଦାନ ଏଥିରେ ଥିବା ଦରକାର । ସମସ୍ତେ ଏହାକୁ ଉପଭୋଗ କରିବାକୁ ସକ୍ଷମ ହେବା ଉଚିତ ଏବଂ ଏହାକୁ ସୁରକ୍ଷିତ କରିବାକୁ ଆଗ୍ରହ ପ୍ରକାଶ କରିବା ଉଚିତ । ନିଜ ପାଖରେ ସୁରକ୍ଷିତ କରି ରଖିବାକୁ ଲୋକ ଯହିଁରେ ଶ୍ରଦ୍ଧା ପ୍ରକାଶ କରନ୍ତି, ତାହା ସାହିତ୍ୟ । ଆମ ଦେଶରେ କେହି ବାଲ୍ମୀକିଙ୍କ ରାମାୟଣକୁ ଗଦ୍ୟରେ ଅନୁବାଦ କରିବାକୁ କେବେ ଚିନ୍ତା କରି ନ ଥିଲେ । ଲୋକମାନଙ୍କର ସେତବେଳେ ଗୋଟାଏ ପ୍ରକୃତିର ନିରୋଳା ସୌନ୍ଦର୍ଯ୍ୟବୋଧ ଓ କାବ୍ୟିକ ରୁଚି ଥିଲା । କିନ୍ତୁ ବର୍ତ୍ତମାନ ଏହା ଗଦ୍ୟରେ ଅନୂଦିତ ହେଲାଣି ଏବଂ ପ୍ରତ୍ୟେକେ ଏହି ରଚନାକୁ ଓଲମବିଲମ କରି ବଦଳେଇବାକୁ ଚେଷ୍ଟା କଲେଣି । ତୁଳସୀ ରାମାୟଣ ମଧ୍ୟ ଏହିପରି ରୂପାନ୍ତରିତ । ଏହା ଉତ୍ତର-ଭାରତରେ ବିଶେଷ ପ୍ରଚଳିତ । ଆମ ଦେଶରେ ପ୍ରତ୍ୟେକେ ରାମାୟଣ ପାଠର ଆବଶ୍ୟକତା ଉପଲବ୍‍ଧି କରନ୍ତି । ମହାରାଷ୍ଟ୍ରର କବି ‘ମୋରୋଷନ୍ତ’ ରାମାୟଣର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ‘‘ସାହିତ୍ୟ ସୃଷ୍ଟି କରିବା ପାଇଁ ବାଲ୍ମୀକିଙ୍କର ଏପରି ଏକ ପ୍ରତିଭା ଥିଲା ଯାହା କି ଯୁବକ, କି ବୃଦ୍ଧ, କି ସାକ୍ଷର, କି ନିରକ୍ଷର ସମସ୍ତଙ୍କୁ ସମାନ ଭାବରେ ଆକୃଷ୍ଟ କରୁଥିଲା । ପରିବାରର ସମସ୍ତଙ୍କ ସହିତ ଲୋକେ ଏହାକୁ ପଢ଼ି ଏହାର ମାଧୁର୍ଯ୍ୟ ଆସ୍ପାଦନ କରିବାକୁ ଶ୍ରଦ୍ଧା ପ୍ରକାଶ କରନ୍ତି । ରାମାୟଣ ହେଉଛି ଏକ ଉଚ୍ଚାଙ୍ଗ ସାହିତ୍ୟ, କାରଣ ଏହା ପ୍ରତି ପ୍ରତ୍ୟେକଙ୍କର ଶଦ୍ଧା ଓ ଆଗ୍ରହ ରହିଛି । ଶତାବ୍ଦୀ ଶତାବ୍ଦୀ ଧରି ଏହା ନୂତନ ଓ ସବୁଜ ହୋଇ ରହିଛି । କେହି ଜଣେ କହିଛନ୍ତି ଯେ ଏହା ଗଙ୍ଗା ଓ ଯମୁନାର ଜଳ ପରି ଅମୃତ । ମୁଁ କହିବି, ଭାରତ ଯଦି ତା’ର ଉତ୍ତରାଧିକାରୀ ସୂତ୍ରରେ ପ୍ରାପ୍ତ ଏହି ଅମୂଲ୍ୟ ସମ୍ପଦକୁ (ରାମାୟଣକୁ) ହରାଏ, ତା’ହେଲେ ତା’ର ଆତ୍ମାର ବିଲୋପ ଘଟିବ ।

 

X X X

 

ଉଚ୍ଚାଙ୍ଗ ସାହିତ୍ୟର ସବୁ କାଳରେ ଏବଂ ଜୀବନର ସବୁ ସମୟରେ ଆକର୍ଷଣ ରହିବା ଉଚିତ । କୋରାନ୍‍ ରେ ‘ୟାସିନ’ ବୋଲି ଗୋଟିଏ ଅଧ୍ୟାୟ ଅଛି । ମୁଁ କୋରାନ୍‍ ପଢ଼ିବା ପାଇଁ ଆରବୀ ଭାଷା ଶିକ୍ଷା କଲି । ମୁସଲମାନମାନଙ୍କ ମଧ୍ୟରେ ଏକ ବିଶ୍ୱାସ ରହିଛି ଯେ ଜଣେ ଯଦି ମୁମୂର୍ଷୁ ଅବସ୍ଥାରେ ପଡ଼ିଛି, ତା’ହେଲେ ଏଇ ଅଧ୍ୟାୟଟିକୁ ପଢ଼ି ତାକୁ ଶୁଣେଇବାକୁ ହେବ । ଏଥିରୁ ଏହା ପ୍ରମାଣିତ ହେଉଛି ଯେ ଲୋକର ମରଣ ଅବସ୍ଥାରେ ମଧ୍ୟ ଏକ ଉଚ୍ଚାଙ୍ଗ ସାହିତ୍ୟ ଲୋକମନରେ ଆଗ୍ରହ ସୃଷ୍ଟି କରିବାକୁ ସକ୍ଷମ ।

 

ମୁଁ ସ୍ୱୀକାର କରୁଛି ଯେ ଜଣେ ପ୍ରସିଦ୍ଧ ଲେଖକଙ୍କର ଗଭୀର ନମ୍ରତା ରହିବା ଉଚିତ । ସାହିତ୍ୟରେ ଛଳନା ବା ପ୍ରବଞ୍ଚନାର ସ୍ଥାନ ନାହିଁ । କଳା ସୃଷ୍ଟି ପକ୍ଷରେ ଅହଂତ୍ୱ ହେଉଛି ଏକ ପ୍ରତିବନ୍ଧକ । ଜଣେ ସାହିତ୍ୟଦ୍ରଷ୍ଟା ନିଜକୁ ଭୁଲିଯିବା ପାଇଁ ଏବଂ ନୀରବଦ୍ରଷ୍ଟା ହେବା ପାଇଁ ସକ୍ଷମ ହେବା ଉଚିତ ।

 

ତାପମାନ ଯନ୍ତ୍ରର ଏକ ଆଦର୍ଶ କଳାବିତ୍‍ର ଗୁଣ ଅଛି । ଏହା ସ୍ଥିର ଭାବରେ ରହି ଗଣକର ଉତ୍ତାପ ସଠିକ ଭାବରେ ମାପିପାରେ । ସାହିତ୍ୟସ୍ରଷ୍ଟାର ଅନାସକ୍ତି ଗୁଣ ରହିବା ଉଚିତ । ସେ ସମସ୍ତ ଅନ୍ଧବିଶ୍ୱାସରୁ ମୁକ୍ତ ହେବା ଉଚିତ । କ୍ରୀଡ଼ାର ମଧ୍ୟସ୍ଥ ବ୍ୟକ୍ତି ପରି ନିରପେକ୍ଷ ଭାବରେ ନିଜର ଚତୁଃପାର୍ଶ୍ୱର ଜୀବନର କ୍ରୀଡ଼ାକୁ ନିରୀକ୍ଷଣ (ଲକ୍ଷ୍ୟ) କରିବା ଉଚିତ । ଜଣେ ବନ୍ଧୁ ଥରେ ମୋତେ କହିଲେ, ‘‘ଏହା କିପରି ଯେ ଆମର ଜୀବନ ନାନା ଦୁଃଖ ଓ ଆବର୍ଜନାରେ ପରିପୂର୍ଣ୍ଣ ଥିଲେ ମଧ୍ୟ ସାଧୁ ଓ ଜ୍ଞାନୀମାନେ ଜୀବନକୁ ଆନନ୍ଦମୟ କରନ୍ତି ?’’ ଆମ୍ଭେମାନେ ସବୁଦ୍ରତୀରରେ ବୁଲୁଥିଲୁ । ମୁଁ ସମୁଦ୍ର ଆଡ଼କୁ ବୁଲିପଡ଼ି କହିଲି, ‘‘ଯଦି ଆମେ ପହଁରିବାକୁ ଚେଷ୍ଟାକରି ବୁଡ଼ିଯାଉଥିବା ତା’ ହେଲେ ସମୁଦ୍ରର ସୌନ୍ଦର୍ଯ୍ୟ କ’ଣ ଉପଲବ୍‍ଧି କରିପାରିବା ? ଆମ୍ଭେମାନେ କୂଳରେ ଅଛୁଁ । ବାହାର ଲୋକ ଭାବରେ ଆମେ ଏହାକୁ ଦେଖୁଥାଇଁ । ସେତେବେଳେ ଆମେ ସେଇ ଗର୍ଜନକାରୀ ତରଙ୍ଗ, ଚକ୍ରବାଳ ଓ ଦୃଶ୍ୟଗତ ସୌନ୍ଦର୍ଯ୍ୟର ମୂଲ୍ୟ ବୁଝିପାରିବା । ବିପଦ ଓ ଦୁଃଖ ସୌନ୍ଦର୍ଯ୍ୟ, ସୁଖ ଓ ଆନନ୍ଦ ଦାନ କରୁଥିବ ବିଶାଳ ଛବିର ଏକ ଅଂଶ । ବାସ୍ତବତା ନାମରେ ଏକ ଆଂଶିକ ଦୃଶ୍ୟ ବର୍ଣ୍ଣନାର ବିଶେଷ ପ୍ରଚଳନ ରହିଛି । ବାସ୍ତବ ରଚନା ଶୀର୍ଷକ ପଦଟି କେବଳ ଶବ୍ଦଗୁଡ଼ିକର ପୁନରାବୃତ୍ତି ମାତ୍ର । ବାସ୍ତବତା ସୃଷ୍ଟି କରିବା ପାଇଁ ତୁମର ସଚେତନ ପ୍ରୟାସରେ ତୁମର ଅବାସ୍ତବ ହୋଇଯିବାର ବିପଦ ରହିଛି ସେ ପର୍ଯ୍ୟନ୍ତ ଆମେ ଆନନ୍ଦ ଓ ଦୁଃଖବୃତ୍ତିରେ ନିଜକୁ ହରେଇ ଦେବାକୁ ବାଧ୍ୟ; କିନ୍ତୁ ଏଥିରୁ ମୁକ୍ତିପାଇବା ପାଇଁ ଆମକୁ ଶିକ୍ଷା କରିବାକୁ ହେବ ।

 

ଯେତେବେଳେ ଲେଖକର ମନରେ ଅସ୍ତି ଓ ନାସ୍ତିର ଏକ ଆବେଗମୟ ପ୍ରତିକ୍ରିୟା ଦେଖାଦେଇଛି, ସେତେବେଳେ ତା’ର ଲେଖିବା ଉଚିତ ନୁହେଁ । ଓମରଙ୍କ ଭଳି ଯେତେବେଳେ ଚିତ୍ତର ସଂପୂର୍ଣ୍ଣ ଅନାସ୍ତକ୍ତ ଅବସ୍ଥା ଆସିଛି, ସେତେବେଳେ ସେ ଲେଖିପାରେ । ସାହିତ୍ୟିକ ଯେତେବେଳେ ଉତ୍ତେଜନା, କ୍ରୋଧ, ଆକର୍ଷଣ, ନିଗ୍ରହ ପ୍ରଭୃତି ବୃତ୍ତିର ବଶବର୍ତ୍ତୀ ହୋଇଛି, ସେତେବେଳେ ସେ କିଛି କରିବା ଉଚିତ ନୁହେଁ । ଏପରି ନିଷ୍କାମ ସଚେତନ ଅବସ୍ଥାରେ ରହିବା ସମ୍ଭବ କି ନୁହେଁ, ତୁମେ ଏ ସମ୍ୱନ୍ଧରେ ମୋତେ ପ୍ରଶ୍ନ କରିପାର । ମୁଁ କେବଳ ଏତିକି ମାତ୍ର କହିପାରେ ଯେ ଲେଖକର ଶୃଙ୍ଖଳା ଏ ପ୍ରକାର ଆତ୍ମଶିକ୍ଷାମୂଳକ । ରାମାୟଣରେ ସୀତାଙ୍କର ପବିତ୍ରତା, ସୌନ୍ଦର୍ଯ୍ୟ ଓ ସୁଗୁଣର ଏକ ବର୍ଣ୍ଣନା ରହିଛି । ମୁଁ କେବେ ଶୁଣି ନାହିଁ ଯେ ଏ ପ୍ରକାର ବର୍ଣ୍ଣନା କାହା ମନରେ ଇନ୍ଦ୍ରିୟବିକାର ଜାତ କରିପାରେ । ମହର୍ଷି ବାଲ୍ମୀକିଙ୍କ ଚିତ୍ତ ଏତେଦୂର ଅନାସକ୍ତ (ଅହଂତ୍ୱମୁକ୍ତ) ଓ ପବିତ୍ର ଥିଲା ଯେ ତାଙ୍କର ବର୍ଣ୍ଣନାରେ କୌଣସି ଇନ୍ଦ୍ରିୟବିକାର ଜାତ ହୋଇ ନ ପାରେ । ଏହା କେବଳ ଗୋଟିଏ ମହାନ୍‍ ଛବି ଅଙ୍କନ କରିପାରେ । ମହାଭାରତରେ ‘ବ୍ୟାସ’ ବୋଲି ଗୋଟିଏ ଚରିତ୍ର ଅଛି, କିନ୍ତୁ ମହାଭାରତର ପ୍ରକୃତ ଲେଖକ ଯେ କି ଜଣେ ବ୍ୟାସ, ସେ ମହାଭାରତର ଶେଷରେ ତିନୋଟି ଶ୍ଳୋକ ଲେଖିଛନ୍ତି । ସେଗୁଡ଼ିକ ‘ଭାରତ ସାବିତ୍ରୀ’ ନାମରେ ପରିଚିତ । ସେ ଯେ କେବଳ ପାଣ୍ଡବମାନଙ୍କର ସୁଗୁଣ ଓ ଦୁଃଖଦୁର୍ଦ୍ଦଶା ବର୍ଣ୍ଣନା କରିଛନ୍ତି ତା’ ନୁହେଁ, ନିଜର ଦୋଷ ଓ ଦୁର୍ବଳତା ମଧ୍ୟପ୍ରକାଶ କରିଛନ୍ତି । ତାଙ୍କ ପରି କେହି ଏତେ ବିଶଦ ଓ ବାସ୍ତବଭାବରେ ସତ୍ୟର ପରୀକ୍ଷା ବର୍ଣ୍ଣନା କରିନାହାନ୍ତି । ସେ ଏହା କରିପାରିବାର କାରଣ ହେଉଛି ଯେ ସେ ଅନାସକ୍ତ ଭାବରେ ଆତ୍ମନିରୀକ୍ଷା କରୁଥିଲେ । ବ୍ୟାସଙ୍କର ଜ୍ଞାନ(ପ୍ରଜ୍ଞା), ବାଲ୍ମୀକିଙ୍କର ପ୍ରତିଭା ଓ ଶୁକଦେବଙ୍କର ପ୍ରେମ ପ୍ରତି ମୋର ଏକ ଗଭୀର ଆକର୍ଷଣ ରହିଛି । ତୁମ ଦୃଷ୍ଟିର ପରିପ୍ରେକ୍ଷୀରେ ଆସୁଥିବା ସମସ୍ତ ବସ୍ତୁକୁ ନିରୁଦ୍ଧ କରିବାକୁ ମୁଁ କହୁ ନାହିଁ । ଋକ୍‍ ବେଦର ଗୋଟିଏ ସୁକ୍ତକହେ ଯେ ରଚନା ‘ବ୍ରହ୍ମା’ଙ୍କ ପରି ‘ସର୍ବଗ’ ହେବା ଦରକାର । ଲେଖକମାନେ ଯଦି ଆବେଗମୟ ପ୍ରତିକ୍ରିୟା ଦ୍ୱାରା ପରିଚାଳିତ ନ ହୁଅନ୍ତି ଅର୍ଥାତ୍‍ ନିଷ୍କାମ ଭାବରେ ସଚେତ ରହନ୍ତି, ତା’ହେଲେ ମୁ: କହିବି ଯେ ସେମାନେ ଯାହା କିଛି ଲେଖନ୍ତୁ , ତା’ର ଏକ ସାର୍ବଜନୀନ ଆବେଦନ ଓ ପବିତ୍ର ଫଳ ରହିବ । ତାହା ସମସ୍ତଙ୍କଦ୍ୱାରା ଅଭିନନ୍ଦିତ ହୋଇ ଗୃହୀତ ହେବ ।

 

ଆଚାର୍ଯ୍ୟ ବିନୋବାଙ୍କ ଲେଖାରୁ ଅନୂଦିତ ।

Image

 

ଅତୀତ ସ୍ମୃତିର ରୂପକାର

ଲକ୍ଷ୍ମୀକାନ୍ତ

 

“There was a time when meadow, grove and stream,

The earth and every common sight

To me did seem.

Aparelled in celestial light,

The glory and the freshness of a dream,

It is not now as it hath been of yore,

Turn where so s’er I may

By night or day.

The things which I have seen

I now can see no more.

 

(W. Wordsworth, Ode: Intimations of immortality)

 

‘‘ସୁଖର ଆଶାରେ ସୁଖ ଅଧିକ; କିନ୍ତୁ ମୋ ଭାଗ୍ୟରେ ସୁଖର ଆଶା ମଧ୍ୟ ନାହିଁ । ମୁଁ ଅତୀତ ସୁଖର ସ୍ମୃତିରେ ହିଁ ସୁଖ ଅଧିକ ମଣୁଛି ।’’

 

(ବାଲ୍ୟସ୍ମୃତି, କାନ୍ତ ସାହିତ୍ୟମାଳା, ପ୍ରଥମ ଖଣ୍ଡ, ୧୯୬୪, ପୃ. ୪୮୦)

 

ମଣିଷ ଜୀବନରେ ସୁଖ ଖୋଜେ, କିନ୍ତୁ ତା’ର ଦୁର୍ଭାଗ୍ୟ ଯେ ସେ ଦୁଃଖ ଭୋଗେ । ବସନ୍ତ ଅନୁଭବ କଲା ପୂର୍ବରୁ ଯେପରି ଗ୍ରୀଷ୍ମ ତା’ର ଆଧିପତ୍ୟ ବିସ୍ତାର କରେ, ମଣିଷ ଜୀବନରେ ଠିକ୍‍ ସୁଖର ସ୍ୱପ୍ନ ସେହିପରି । ତଥାପି ମଣିଷ ଆଶାବାଦୀ । ସେ ସ୍ତୂପୀକୃତ ଦୁଃଖର ପାହାଡ଼ ମଧ୍ୟରେ ସୁଖର ଉତ୍ସ ଖୋଜିବୁଲେ, ତା’ ନ ହେଲେ ବି ସୁଖାଶାର ଫଲ୍‍ଗୁରେ ଭରସା ରଖିଥାଏ ।

 

କିନ୍ତୁ ଲକ୍ଷ୍ମୀକାନ୍ତଙ୍କର ଜୀବନ ତା’ର ଏକ ବିରାଟ ବ୍ୟତିକ୍ରମ । ଯୌବନରେ ଭାବୀ ସମ୍ଭାବନାର ଅରୁଣ ରାଗରେ ତାଙ୍କର ଯେତେବେଳେ ଅନୁରଞ୍ଜିତ, ଶତ ସ୍ୱପ୍ନ ଓ କଳ୍ପନାର ଶତଦଳ ଯେତେବେଳେ ସ୍ଫୁଟନୋନ୍ମୁଖ, ବିଧାତାର ତୀର୍ଯ୍ୟକ କଟାକ୍ଷରେ ସେତେବେଳେ ତାହା କୀଟଦଷ୍ଟ । ଆଶାରେ ମଣିଷ ବଞ୍ଚିରହେ, କିନ୍ତୁ କବିଙ୍କର ଆଶା ମଉଳି ଯାଉଛି । ତେବେ ବଞ୍ଚାଇଛି ତାଙ୍କୁ କିଏ-? ଏକମାତ୍ର ଅତୀତର ସ୍ମୃତି, ଯେଉଁ ସ୍ମୃତି କବିଙ୍କ ଭାଷାରେ—ଦିନଯାଏ—ଦିନ ଆସେ । କିନ୍ତୁ ଯାହା ଯାଏ, ତାହା ଆଉ ଫେରି ଆସେ ନାହିଁ । ରହିଯାଏ ଏକ ସ୍ମୃତିଟିକ ସେତକ ଥାଏ ବୋଲି ମଣିଷ ତାକୁ ବି ସଙ୍ଖାଳି କରି ସହିପାରେ ଦୁର୍ଦ୍ଦିନର ଦାବଦାହ ।’ (ଶୈଶବ ସ୍ମୃତି, କା. ସା. ମ. ପୃ ୪୭୫) । ଏ ବାଣୀ କବିଙ୍କର ଦଗ୍‍ଧ ପ୍ରାଣର, ବିକଳ ଆତ୍ମାର, ଅତି ସତ୍ୟ ବାସ୍ତବ ଅଥଚ ନିର୍ମମ । ସୁଶ୍ରୀ ଗୌରକାନ୍ତ ଯୁବକ କବି ଲକ୍ଷ୍ମୀକାନ୍ତ ଯୁବକ କବି ଲକ୍ଷ୍ମୀକାନ୍ତଙ୍କର ଜୀବନ ଯେତେବେଳେ ରୋମାନ୍‍ସର ବର୍ଣ୍ଣୋତ୍ସବ ମଧ୍ୟରେ ଆରମ୍ଭ, ସେତେବେଳେ ଅପ୍ରତ୍ୟଶିତ ଦୁରାରୋଗ୍ୟ ? ବ୍ୟାଧିର ଦୌରାତ୍ମ୍ୟ ପିତାମାତା, ଜ୍ଞାତି, ବନ୍ଧୁ ଓ ଦେଶବାସୀଙ୍କ ପକ୍ଷେ କି ଦାରୁଣ, କେବଳ ସମ୍ୱେଦନଶୀଳ ଅନୁଭବୀ ହିଁ ତାହା ଉପଲବ୍‍ଧି କରିପାରିବେ । କେବଳ ଏତିକି ନୁହେଁ, ତା ସାଙ୍ଗକୁ ଜ୍ଞାତିମାନଙ୍କର ଷଡ଼ଯନ୍ତ୍ର ତାଙ୍କର ବ୍ୟାଧିକ୍ଳିଷ୍ଟ ପ୍ରାଣକୁ କିପରି ଆହୁରି କ୍ଳାନ୍ତ-ଅବସନ୍ନ ଓ ହତାଶ କରିଥିଲା, ତାଙ୍କର ଜୀବନୀ ଅନୁଧ୍ୟାନ କାଲେ ପାଠକମାନେ ଜାଣିପାରିବେ । ସେଥିପାଇଁ ସୁଖ କାହିଁକି, ସୁଖର ଆଶା ହିଁ କବିଙ୍କ ପକ୍ଷରେ ଥିଲା ଆକାଶକୁସୁମ । କେବଳ ଅତୀତର ବେଦନାମଧୁର ସ୍ମୃତି ଓ ସଂଗୀତ ଥିଲା ତାଙ୍କର ଦଗ୍‍ଧ ପ୍ରାଣର ପ୍ରଲେପ ।

 

କବି Whiteman କହିଛନ୍ତି, “Comrade, this is no book, if you touch this you will touch a man.” ସେହିପରି କାନ୍ତକବିଙ୍କର ଅଧିକାଂଶ ରଚନା ତାଙ୍କର ଦଗ୍‍ଧ ଜୀବନର ଅଶ୍ରୁଳ ସ୍ୱାକ୍ଷର; ଯେପରି ତାଙ୍କର ରଚନା ତାଙ୍କର ଜୀବନ, ତାଙ୍କର ଜୀବନ ହିଁ ତାଙ୍କର ରଚନା । ସେଥିପାଇଁ ତାଙ୍କର ଶ୍ରେଷ୍ଠ କାବ୍ୟକୃତିଟିର ନାମ ‘ଜୀବନ ସଙ୍ଗୀତ ।’

 

କବିଙ୍କର ପ୍ରତିଭା ବହୁମୁଖୀ, କିନ୍ତୁ ମୁଖ୍ୟତଃ ସେ ଜଣେ ପ୍ରାଣସ୍ପର୍ଶକାରୀ କବି । ବ୍ୟଙ୍ଗସ୍ରଷ୍ଟା ଦରଦୀ ଭାବରେ ସେ ଖ୍ୟାତି ଅର୍ଜନ କରିଛନ୍ତି ସତ, କିନ୍ତୁ ତାଙ୍କର ସମଗ୍ର କାବ୍ୟ ସୃଷ୍ଟିରେ ଆମେ ଗୋଟିଏ ଅକୃତ୍ରିକ ପାହାଡ଼ୀ ଝରଣାର ସ୍ୱତଃସ୍ପୁର୍ତ୍ତ ଆବେଗ ଓ କୁଳୁକୁଳୁ ଧ୍ୱନି ଉପଲବ୍‍ଧି କରୁଁ ।

 

ଲକ୍ଷ୍ମୀକାନ୍ତ ଗଦ୍ୟ ଓ ପଦ୍ୟ ଉଭୟରେ ଜଣେ କୃତୀ କାବ୍ୟକାର । ତାଙ୍କର ଶୈଶବ, ବାଲ୍ୟ ଓ କୈଶୋର ସ୍ମୃତି ଗଦ୍ୟରେ ରଚିତ ହେଲେ ମଧ୍ୟ ସେଗୁଡ଼ିକ କିପରି କାବ୍ୟଧର୍ମରେ ଅପୂର୍ବ, ପାଠକଲା ମାତ୍ରେ ହିଁ ପାଠକ ଉପଲବଧି କରିପାରିବେ । କବିପ୍ରାଣର ଆବେଗ ଉଚ୍ଛ୍ୱାସ, ଭାବସମ୍ୱେଗର ବିଶିଷ୍ଟତା, ତାଙ୍କର ସ୍ୱକୀୟ ଅନ୍ୟାନ୍ୟ ଆତ୍ମସ୍ପର୍ଶ ପାଠକ ଚିତ୍ତକୁ ସ୍ପନ୍ଦିତ କରେ ।

 

*ତୁମେ ମୋର ଛାପା ବହି ଯେତେବେଳେ ଛୁଅଁ—ଛୁଆଁ ନୂଆ ମଣିଷର ଛାତି; ଏଇ ପୃଥିବୀର ସବୁ ମଣିଷଜାତି, ତାର ପ୍ରତିଟି ଖବର, ରୂପପାଏ କବିତାରେ ମୋର । (ସଚ୍ଚି ରାଉତରାୟ)

 

‘କାନ୍ତସାହିତ୍ୟମାଳା’ରେ ତିନୋଟି ସ୍ମୃତିର ଆଲେଖ୍ୟ ସଂକଳିତ ହୋଇଛି, ଯଥା–‘ଶୈଶବସ୍ମୃତି’, ‘ବାଲ୍ୟସ୍ମୃତି’ ଓ କୈଶୋରସ୍ମୃତି ।’

 

ଶୈଶବ ଓ ବାଲ୍ୟକାଳ କିପରି ତାଙ୍କର ବୈତରଣୀ ତୀରସ୍ଥ ମାତୁଳାଳୟରେ ମାମା, ମାମୁଁ ଓ ମାଇଁଙ୍କ କୋଳରେ ଅତିବାହିତ ହୋଇଥିଲା, ତା’ର ଏକ ଆବେଗମୟୀ ମନୋଜ୍ଞ ଚିତ୍ର ଅଙ୍କିତ ହୋଇଛି ଶୈଶବ ଓ ବାଳସ୍ମୃତିରେ । ଏଇ ଦୁଇଟି ଚିତ୍ରରେ କବିଙ୍କର ମାମା (ମାତାମହୀ) ଓ ବିଭିନ୍ନ ଋତୁକାଳୀନ ଶୋଭାସମ୍ଭାରରେ ବିଚିତ୍ର ବେଶମଞ୍ଜୁଳା ମାତୃସୁମା ବୈତରଣୀ ପାଠକଙ୍କର ଚିତ୍ତ ଆକର୍ଷଣ କରେ । କବିଙ୍କ ଦୃଷ୍ଟିରେ ବୈତରଣୀ ସତେ ଯେପରି ଗୋଟିଏ ଚିର ଲାବଣ୍ୟମୟୀ ତରୁଣୀ । କବିଙ୍କର ଶିଶୁପ୍ରାଣ ନିଜକୁ ହଜେଇ ଦେଇଥିଲା ଏକ ଦିଗରେ ଯେପରି ମାମାଙ୍କ କୋଳରେ, ଅନ୍ୟ ଦିଗରେ ସେହିପରି ବୈତରଣୀ କୋଳରେ । ବୈତରଣୀ ତାଙ୍କର ମାମାଙ୍କ ପରି ସତେ ଯେପରି ଗୋଟିଏ ସ୍ନେହା ପ୍ରବଣା ଜୀବନ୍ତନାରୀ । ମାମାଙ୍କ ପରି ଶିଶୁ ଲକ୍ଷ୍ମୀକାନ୍ତଙ୍କୁ କୋଳ କରିବା ପାଇଁ, ତାର ବିଚିତ୍ର ଶୋଭାସମ୍ଭାର ମେଲିଦେଇ ତରଙ୍ଗର ନିସ୍ୱନ ଓ ବିହଙ୍ଗର କାକଳିରେ ଅପୂର୍ବ ସଙ୍ଗୀତର ମଧୁ ବର୍ଷ କରି ତାଙ୍କ କାନରେ କେତେ ଅକୁହା କଥା କହିବା ପାଇଁ ସତେ ଯେପରି ଆବେଗ ବିହ୍ୱଳା !

 

ସକାଳୁ ବିଛଣାରୁ ଉଠିବାଠାରୁ ରାତିରେ ମାମାଙ୍କ କୋଳରେ ଶୋଇବା ପର୍ଯ୍ୟନ୍ତ ଶିଶୁ ଲକ୍ଷ୍ମୀକାନ୍ତଙ୍କ ନିକଟରେ ମାମାଙ୍କର ସାନ୍ନିଧ୍ୟ ଏବଂ ମାତୃସମା ବୈତରଣୀର ସିକତାମୟ ବକ୍ଷ, ତରଙ୍ଗାୟିତ ଜଳପ୍ରବାହ ଓ ତୀରସ୍ଥ ନିଃସର୍ଗ ମାଧୁରୀ ଯେପରି ତାଙ୍କର ସର୍ବସ୍ୱ । ପ୍ରତ୍ୟହ ସକାଳୁ ମାମାଙ୍କ ସହିତ ନଦୀକୁଳକୁ ଯିବା, ପୂର୍ବାକାଶରେ ସୂର୍ଯ୍ୟୋଦୟ, ବୈତରଣୀର କ୍ଷୁଦ୍ର ହିଲ୍ଲୋଳରେ ତା’ର ପ୍ରତିଫଳନ, କାକର ହକଳା ନଈବାଲିରେ ହୀରାମାଣିକ୍ୟର ଦ୍ୟୁତି, ଆମ୍ୱଗଛରେ କୋଇଲିର କୁହୁ, କିଆବୁଦାରୁ ଡାହୁକଧ୍ୱନି, ଲଣ୍ଡା ଶିମିଳି ଗଛରେ କାପତାର କୂଜନ, ଧଳା ପଦ୍ମଫୁଲ ପରି ନଦୀତୀରରେ ଧାଡ଼ି ଧାଡ଼ି ମାଛରଙ୍କା, ଶଙ୍ଖଚିଲ, ଭଦଭଦଳିଆ, କଣ୍ଟାକୁସୁମର ହଳଦିଆ ଫୁଲ, ସାଙ୍ଗସାଥୀ ପିଲାଙ୍କ ସହିତ ବାଲିରେ ଦେଉଳ, ଶିଆଳଗାତ; ମାମାଙ୍କର କୋଥଳି ପୂଜା, ସାଥୀଙ୍କ ସହ ଦ୍ୱିପ୍ରହରେ ତୋଟାରେ ରାଜାମନ୍ତ୍ରୀ ଖେଳ, ସଞ୍ଜବେଳେ ଦକ୍ଷିଣା ପବନରେ ନଈକୂଳ ବୁଲା, ଶାମୁକା ଗୋଟା, ନଈ ସେପାରିରୁ ସନ୍ଧ୍ୟା ଆଳତିର ଘଣ୍ଟାଧ୍ୱନି, ଶିଆଳଙ୍କର ହୁକେ ହୁକେ ଧ୍ୱନି, ଚକା ଚକା ଭଉଁରୀ, ଝିଅଙ୍କର କାନ୍ଦଣା ଶିକ୍ଷା, ମାମାଙ୍କଠାରୁ କାହାଣୀ ଶୁଣା, ଅବଧାନଙ୍କଠାରେ ପାଠପଢ଼ା, ବିଭିନ୍ନ ଋତୁରେ ବିଭିନ୍ନ ପର୍ବପର୍ବାଣୀ (ରଜ, କୁଆଁର ପୁନେଇ, ଦୋଳ) ପ୍ରତ୍ୟେକଟିର ବାସ୍ତବ ଜୀବନ୍ତ ବର୍ଣ୍ଣନା କବିଙ୍କର ପଲ୍ଲୀ ତଥା ପ୍ରକୃତିପ୍ରଣେତା ଓ ସୌନ୍ଦର୍ଯ୍ୟବୋଧର ସ୍ୱାକ୍ଷର ବହନ କରିଛି । ବୈତରଣୀ ତୀରସ୍ଥ ମନୋଜ୍ଞ ପ୍ରକୃତିର ପ୍ରତ୍ୟେକଟି ଦୃଶ୍ୟକୁ ସେ ଶିଶୁପ୍ରାଣର ସମସ୍ତ ଆବେଗ ଓ ବ୍ୟାକୁଳତା ନେଇ ଉପଲବ୍‍ଧି କରିଛନ୍ତି । ପ୍ରତ୍ୟେକଟି ଦୃଶ୍ୟ କବିଙ୍କ ନିକଟରେ ଅନିର୍ବଚନୀୟ । ବିଭିନ୍ନ ସ୍ଥଳରୁ ଉଦ୍ଧୃତି ଦେବାର ଲୋଭ ସମ୍ୱରଣ କରିହୁଏ ନାହିଁ । ଅଳ୍ପ କେତୋଟି ଦୃଷ୍ଟାନ୍ତ ଦେଉଛି—

 

ମାମା ବଡ଼ି ଭୋରରୁ ଉଠି ନଈକୁ ଯାଆନ୍ତି, ମୁଁ ଯାଏ ପଛେ ପଛେ । ସେତେବେଳେ ପୂର୍ବଦିଗରୁ ସୂର୍ଯ୍ୟ ଉଇଁ ଉଇଁ ଆସୁଥାଆନ୍ତି । ନାଲି ନାଲି ମଧୁର ଖରା ତୀରସ୍ଥ ତାଳଗଛର ମଥାନ ଉପରେ ଅବିର ବୋଳିଦିଏ । ବୈତରଣୀର କ୍ଷୁଦ୍ର କ୍ଷୁଦ୍ର ହିଲ୍ଲୋଳରେ ସହସ୍ର ଇନ୍ଦ୍ରଧନୁ ବିକଶି ଉଠେ-। କାକରବୋଳା ନଈବାଲି ଚହଟି ଉଠେ ହୀରାମାଣିକ୍ୟର ଦ୍ୟତି ଧାରଣ କରି । ତୋଟା ଆମ୍ୱଗଛରେ କୋଇଲି ଡାକମାରେ କୁଉ......କୁଉ । ମହାଦେବ ବଉଳ ଡାଳରୁ ତାର ସାଥି ଦିଏ ତାର ପ୍ରତ୍ୟୁତ୍ତର କୁ.... । ମୁଁ ଅସମ୍ଭାଳ ହୋଇ କୁ......ରବରେ ଧାଇଁବୁଲେ କୋଇଲି ସହିତ ପ୍ରତିଯୋଗିତା କରି ।

 

ନୂଆ ଭୁଆଷୁଣୀମାନେ ଗଗରା କାଖେଇ ଗାଧୋଇ ଆସନ୍ତି । ତାଙ୍କର ଝୁମୁରୁ ଝୁମୁରୁ ଝୁଣ୍ଟିଆ ନାଦ ଶୁଭୁଥାଏ ନଈବାଲିରେ ଥମକି ଥମକି ।

 

ଆରପାରି ପାଳ ମଝିରୁ ହଳୁଆ ଛାଡ଼ିଦିଏ ତା’ର ହଳ ଗୀତ ।’’

 

‘‘ଧାଡ଼ି ଧାଡ଼ି ହୋଇ ମାଛରଙ୍କା ପାଣି ପାଖରେ ବସିଯାଆନ୍ତି, ଏକ ଧ୍ୟାନରେ । ମନେହୁଏ, ସତେ କି ଧଳା ଧଳା ପଦ୍ମଫୁଲ ଗୁଡ଼ିଏ ଫୁଟିଉଠିଛି ଧାଡ଼ି ଧାଡ଼ି ହୋଇ !’’ ଇତ୍ୟାଦି ।

 

ଏ ସ୍ମୃତି ଚିତ୍ରରେ ମନେ ହୁଏ, ଉତ୍କଳର ପଲ୍ଲୀକୋଣର ପ୍ରତ୍ୟେକ ଶିଶୁର ଆତ୍ମା, ତା’ର ଆବେଗ ଓ ବ୍ୟାକୁଳତା ପ୍ରତିବିମ୍ୱିତ ହୋଇଛି । କବିଙ୍କର ‘ମାମା’ ଓ ତାଙ୍କର ‘ବୈତରଣୀ’ କେବଳ ତାଙ୍କର ନ ହୋଇ ହୋଇଛନ୍ତି ସମସ୍ତଙ୍କର । ତାଙ୍କର ମାମା ଚରିତ୍ରରେ ଉତ୍କଳର ପ୍ରତ୍ୟେକ ଶିଶୁର ‘ମାମା’ ସତେ ଯେପରି ପ୍ରାଣବନ୍ତ ହୋଇ ଉଠିଛନ୍ତି । ବୈତରଣୀର ଚିତ୍ରରେ ଉତ୍କଳର ପ୍ରତ୍ୟେକ ନଦୀ ଓ ଶିଶୁସୁଲଭ କ୍ରୀଡ଼ା ଚପଳତାର ଚିତ୍ରରେ ଉତ୍କଳର ପ୍ରତ୍ୟେକ ଶିଶୁର କ୍ରୀଡ଼ାଚପଳତା ମୂର୍ତ୍ତିମନ୍ତ ହୋଇଛି । ତେଣୁ କବିଙ୍କର ‘ମାମା’ ଓ ‘ଶୈଶବ’କାଳର ହୋଇ ମଧ୍ୟ କାଳାତୀତ, ସାର୍ବଜନୀନ, ଶାଶ୍ୱତ । ତାଙ୍କର ‘ମାମା’ ଅକ୍ଷୟ ସ୍ନେହ ସୋହାଗର ମୂର୍ତ୍ତିମନ୍ତ ବିଗ୍ରହ ।

 

ଲକ୍ଷ୍ମୀକାନ୍ତ ଇଂରାଜୀ କବି Wordsworthଙ୍କ ପରି ନିଜକୁ ପ୍ରକୃତିର ଆତ୍ମାରେ ମିଶାଇ ଦେଇଛନ୍ତି ଏବଂ ଶିଶୁର ପ୍ରାଣ, ତା’ର କଳ୍ପନା, ତା’ର ସରଳତା ଓ କୋମଳତାକୁ ମାନବ ଜୀବନର ଧ୍ରୁବତାରା ମନେ କରିଛନ୍ତି । ଶିଶୁ କେଡ଼େ ନିଷ୍ପାପ, ଉଦାର, ସ୍ନେହ କାଙ୍ଗାଳ, ସରଳ ! ତା’ର ଜଗତ୍‍ କେଡ଼େ ବିଶାଳ । ତା’ର ହୃଦୟ କେଡ଼େ ମହାନ୍‍ ! ଜଗତ୍‍ ଓ ପ୍ରକୃତି ତା ନିକଟରେ ସ୍ୱର୍ଗୀୟ, ସୁନ୍ଦର; ନରନାରୀ, ପଶୁପକ୍ଷୀ, ବୃକ୍ଷଲତା ତା’ର ଆପଣାର । ପ୍ରତ୍ୟେକଠାରେ ପ୍ରତ୍ୟେକ ଆତ୍ମାରେ ସେ ନିଜକୁ ଖୋଜିପାଏ ।

 

କିନ୍ତୁ ଯୌବନର ପଦାର୍ପଣ କଲା ମାତ୍ରେ ସଂସାରରେ ନାନା କାମନାବାସନାରେ ତା’ର ଆତ୍ମା ଯେତେବେଳେ ବିକଳ ହୁଏ, ସ୍ୱାର୍ଥ ଓ ଆତ୍ମ କୈନ୍ଦ୍ରିକତାରେ ତା’ର ହୃଦୟ ଯେତେବେଳେ ସଂକୁଚିତ ହୋଇଯାଏ, ସେତେବେଳେ ଶିଶୁଠାରୁ ସେ କେଡ଼େ ଛୋଟ ! କବି ଦୃଷ୍ଟିରେ ସେ କେଡ଼େ ଅସହାୟ ! କେଡ଼େ ଦୟନୀୟ ! ଏଥିପାଇଁ କବି Wordsworth ଶିଶୁର ପ୍ରଶସ୍ତି ଗାଇବାକୁ ଯାଇ କହିଛନ୍ତି—

 

‘‘The child is father of the man; and I could wish my days to be bound each to each by natural piety.” (Intimations of immortality.)”

 

କବି ଲକ୍ଷ୍ମୀକାନ୍ତଙ୍କର ଏ ସ୍ମୃତି ଚିତ୍ର ମୂଳରେ ହୁଏ ତ Wordsworthଙ୍କ ପ୍ରେରଣା ଥାଇପାରେ, କିନ୍ତୁ ଏ ରଚନାରେ ଯେ କବିପ୍ରାଣରେ ସ୍ୱତଃସ୍ଫୁର୍ତ୍ତ ଆବେଗ, ସ୍ୱକୀୟ ଭାବସଂବେଗର ବୈଶିଷ୍ଟର ଅନନ୍ୟ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଏ ଗୁଡ଼ିକ ତାଙ୍କର ଦଗ୍‍ଧ ଜୀବନର କ୍ଷତକୁ ଉପଶମ କରିବାର ଏକମାତ୍ର ପ୍ରଲେପ । ବର୍ତ୍ତମାନର (ପରିଣତ ଅବସ୍ଥାର) ସନ୍ତପ୍ତ ପୀଡ଼ା କ୍ଳିଷ୍ଟ ପ୍ରାଣକୁ ଆଶ୍ୱସ୍ତ କରିବା ପାଇଁ, ସାମୟିକ ଦହନଜ୍ୱାଳାକୁ ଭୁଲିଯାଇ ଜର୍ଜରିତ ଚିତ୍ତରେ ଜୀବନ ସ୍ପନ୍ଦନର କ୍ଷୀଣ ଅନୁଭୂତି ପାଇଁ ଶୈଶବର ସ୍ମୃତିକୁ ସେ ସଂଖାଳି କରିଛନ୍ତି । ରଚନାର ବିଭିନ୍ନ ଛତ୍ରରେ କବିଙ୍କର ଲେଖନୀରୁ ସ୍ୱତଃସ୍ଫୂର୍ତ୍ତ ଭାବରେ ଏହା ଆତ୍ମପ୍ରକାଶ କରିଛି । ବର୍ତ୍ତମାନର ଜୀବନ ସମକ୍ଷରେ ଅତୀତର ଶୈଶବସ୍ମୃତିର ବିଷମ ଚିତ୍ର କିପରି ପ୍ରଚ୍ଛନ୍ନ ବେଦନାର ଆବେଦନ ସୃଷ୍ଟି କରି କବିଙ୍କର ସ୍ୱକୀୟ ଆତ୍ମସ୍ପର୍ଶରେ ମଧୁମୟ ହୋଇଛି, ପାଠକମାନେ ଉପଲବ୍‍ଧି କରିପାରିବେ । କବିଙ୍କ ଭାଷାରେ—

 

‘‘ଯାହାର ବର୍ତ୍ତମାନ ଅସ୍ପଷ୍ଟ ଓ ଭବିଷ୍ୟତ ଅନ୍ଧକାରମୟ, ତାର ଏ ମଧୁଗନ୍ଧ ଭରା ମନୋରମ ଅତୀତ ହିଁ ଆଶ୍ରୟସ୍ଥଳ । ହେଲେ, ଏହି ଆନନ୍ଦମୟ ଅତୀତର ଅନ୍ତରାଳରେ ଯେଉଁ ବେଦନା ନିହିତ ଅଛି, ତାହାର ଅନୁଭୂତିଟି ବଡ଼ ମଧୁର ! ସେତକ ସତେ ତାର ସୁଆଦିଆ ରସ । ଏହି ବେଦନାଟିକ ମୋର କେଡ଼େ ପ୍ରିୟ ।’’ (କା.ସା.ମା. ପୃ.୪୭୫)*

 

ପୁଣି; ହାୟ ! ସେ ଦିନ ଗଲାଣି ! ତାର ଆନନ୍ଦମୟୀ ପ୍ରାଣାରାମ କାରିଣୀ ସ୍ମୃତି ହିଁ ସୁଖ-। ସେହି କମନୀୟ ସ୍ମୃତି ହିଁ ମୋର କଠୋର ସଂସାର ପଥରେ ଶିରୀଷପଲ୍ଲବ କୁସୁମ ବିକୀରଣ କରିବ—ସେହି ସ୍ମୃତି ମୋର ବୈରାଗ୍ୟପୂର୍ଣ୍ଣ ତମସାଚ୍ଛନ୍ନ ନବୀନ ଆଶାର କନକ କିରଣ ଛଟାରେ ବିଚ୍ଛୁରିତ କରିବ, ମୋର ତପ୍ତପ୍ରାଣରେ ଶୀତଳ ଶାନ୍ତି ସଲିଳ ସିଞ୍ଚନ କରିବ । ଏକା ସେହି ସ୍ମୃତିଟିକୁ ସମ୍ୱଳ କରି ଦାରୁଣ ଜୀବନପଥରେ ଅଗ୍ରସର ହେବି ।’’ (କା.ସା.ମା. ପୃ ୪୮୦)

 

ପରିଣତ ଅବସ୍ଥାରେ ସଂଶୟ ଓ କୁଟ ତାର୍କିକତା, ଅବାସ୍ତବ ନଶ୍ୱର ବିତ୍ତ ପ୍ରତି ଆସକ୍ତି, ଅନିଶ୍ଚିତତା, ହୃଦୟରେ ଜଘନ୍ୟତା, ସଂକୀର୍ଣ୍ଣତା ଓ କର୍କଶତାର କଠିନ ଆସ୍ତରଣ ଏବଂ ସଂସାରର ଦୁଃଖ ଦାହଜଞ୍ଜାଳ ଓ ଯନ୍ତ୍ରଣାରେ କବିପ୍ରାଣ ରୁଦ୍ଧଶ୍ୱାସ ହୋଇଉଠିଛି । ତାଙ୍କର ଅଶାନ୍ତ ବିକ୍ଷୁବ୍ଧ ପ୍ରାଣ ଚାହିଛି ଶିଶୁର ତର୍କହୀନ ସରଳ ବିଶ୍ୱାସ, ତାର ସରଳ ସୌନ୍ଦର୍ଯ୍ୟବୋଧ, ତା’ର ସରଳ ଈଶ୍ୱରଭକ୍ତି । ସେଇ ଶୈଶବ ଅବସ୍ଥାକୁ ଫେରିଯିବା ପାଇଁ କବିପ୍ରାଣରେ କି ବ୍ୟାକୁଳତା ! ‘‘ହାୟ, ଯଦି ମୁଁ ଜାଣିଥାନ୍ତି ବଡ଼ ହେଲେ ଏତେ ଯନ୍ତ୍ରଣା, ତେବେ ମୁଁ କେବେ ସେ କଥାକୁ ମନରେ ବଳାଇ ଥାଆନ୍ତି ନାହିଁ । ମୋତେ ଭଲା ଥରେ କିଏ ସେ ପିଲାକାଳକୁ ଫେରାଇ ନିଅନ୍ତା !

 

କବି ବୈତରଣୀ ତୀରସ୍ଥ ମାତୁଳାଳୟର ପଲ୍ଲୀ ପରିବେଶ ଛାଡ଼ି ପାଠପଢ଼ିବା ପାଇଁ ପିତାଙ୍କ ସହ ସହରରେ (ବାଲେଶ୍ୱର) ପହଞ୍ଚିଛନ୍ତି । ସେଠାକାର କୋଠାବାଡ଼ି, ଗାଡ଼ିଘୋଡ଼ା, ଅଜା ଆଈଙ୍କ ସ୍ନେହ ଏବଂ ଯାତ୍ରାଲୀଳା ଉତ୍ସବରେ ନିଜକୁ ହଜାଇ ଦିଅନ୍ତି । ହେଲେ ମଧ୍ୟ ପଶ୍ଚିମାକାଶର ଆରକ୍ତିମ ପ୍ରଦୋଷ ଶୋଭା ଦେଖିଲା ମାତ୍ରେ ପଲ୍ଲୀଗ୍ରାମର ମଧୁର ସ୍ମୃତି ତାଙ୍କ ପ୍ରାଣକୁ ସମୟେ ସମୟେ ଆଲୋଡ଼ିତ କରୁଥାଏ । ନଗରର ପ୍ରାସାଦ ଅପେକ୍ଷା ପଲ୍ଲୀର କୁଟୀର, ନଦୀ, ବିଲ, ଖାଲ, ଧାନକ୍ଷେତ, ଶଙ୍ଖଚିଲ ଓ କାଣ୍ଟିବଗ ତାଙ୍କର ମନକୁ ଅଧିକ ଟାଣୁଥାନ୍ତି । ଏ ସମ୍ପର୍କରେ Wordsworthଙ୍କର ଉକ୍ତି ସ୍ମରଣକୁ ଆସେ—

 

Escaped from the vast city, where I long had pined

A discontented sojourner; now free,

Free as a bird to settle where I will.”

—The prelude (Childhood and school time)

 

‘ପଲ୍ଲୀଚିତ୍ର’ର କବି ନନ୍ଦକିଶୋରଙ୍କ ପରି କବି ପଲ୍ଲୀପ୍ରକୃତି ଓ ପଲ୍ଲୀ ଜୀବନରେ ବାସ୍ତବ ଓ ଟିକିନିଖ ବର୍ଣ୍ଣନା ଦେଇଛନ୍ତି । ହୁଏତ ଏ ସ୍ମୃତିର ଆଲେଖ୍ୟରେ ନନ୍ଦକିଶୋରଙ୍କର ପଲ୍ଲୀଚିତ୍ର କବିଙ୍କ ଦୃଷ୍ଟି ସମକ୍ଷରେ ଥାଇପାରେ । ନନ୍ଦକିଶୋରଙ୍କ ପରି ଲକ୍ଷ୍ମୀକାନ୍ତ ପଲ୍ଲୀଜୀବନ ଓ ପଲ୍ଲୀପ୍ରକୃତିର ବିଦଗ୍‍ଧ ରୂପକାର । ନନ୍ଦକିଶୋର ପଦ୍ୟରେ ଯାହା ରୂପାୟିତ ମନେହୁଏ, ନନ୍ଦକିଶୋରଙ୍କ ରଚନା ଅପେକ୍ଷା କମ ଉପଭୋଗ୍ୟ କରିନାହାନ୍ତି । ପଲ୍ଲୀର ସରଳ ଶାନ୍ତ କାନ୍ତ ନୈସର୍ଗିକ ରମଣୀୟ ତାର ଧ୍ୱଂସସ୍ତୂପ ଉପରେ ଗଢ଼ି ଉଠିଥିବା ନଗରଜୀବନରେ ଉଭୟ କବିଙ୍କର (Deserted Villageରକବି Goldsmith Wordsworth ପରି) ପ୍ରାଣ ରୁଦ୍ଧଶ୍ୱାସ ହୋଇଉଠିଛି । ଉଭୟେ ପ୍ରାଣବତ୍ତା, ସ୍ପୂର୍ତ୍ତି, ନୈସର୍ଗିକତା ଓ ମାନବିକତାର ମଧୂର ମୂର୍ତ୍ତି ଭାବରେ ପଲ୍ଲୀଜୀବନ ତଥା ପ୍ରକୃତିର ଆବେଗମୟୀ ଚିତ୍ର ବାଢ଼ିଛନ୍ତି । ଜୀବନର ତିନୋଟି ସ୍ତରରେ (ବାଲ୍ୟ, ଯୌବନ, ବାର୍ଦ୍ଧକ୍ୟ) ନନ୍ଦକିଶୋରଙ୍କ ପରି ପଲ୍ଲୀ ହୋଇଛି କବିଙ୍କର କ୍ରୀଡ଼ାସ୍ଥଳୀ, ସ୍ୱପ୍ନ ଓ ଧ୍ୟାନ । ଉଭୟେ ପଲ୍ଲୀର ଚିରପରିଚିତ ଦୃଶ୍ୟକୁ ନେଇ ପ୍ରାଣର ସମସ୍ତ ଆବେଗ ଓ ମମତା ଢାଳି ଯେଉଁ ଆଲୋଖ୍ୟ ଆଙ୍କିଛନ୍ତି ପାଠକ ବିତ୍ତରେ ତା’ର ଆବେଦନ ସର୍ବକାଳର, କିନ୍ତୁ କାନ୍ତକବିଙ୍କ ପଲ୍ଲୀଚିତ୍ରରେ ଏକ ସ୍ନେହକାଙ୍ଗାଳ କୋମଳ ଶିଶୁପ୍ରାଣର କାରୁଣ୍ୟଜଡ଼ିତ ଆବେଗ, ଆକୃତି ଓ ପ୍ରକୃତିସୁଲଭ କମନୀୟତାର ଯେଉଁ ସ୍ପର୍ଶ ପାଉଁ; ନନ୍ଦକିଶୋରଙ୍କ ଚିତ୍ରରେ ତା’ର ଅଭାବ ନଥିଲେ ମଧ୍ୟ କାନ୍ତକବିଙ୍କ ପରି ଏତେ ନିବିଡ଼ ମନେହୁଏ ନାହିଁ । ସଂସାରର ଦହନ ତଥା ଜ୍ୱାଳାରେ ହତାଶ ଲକ୍ଷ୍ମୀକାନ୍ତଙ୍କର କ୍ଷତବିକ୍ଷତ ଚିତ୍ତ ବଳୟରେ ଶୈଶବ ଓ ବାଲ୍ୟର କ୍ରୀଡ଼ା ପରବେଶ ପଲ୍ଲୀ ଶାନ୍ତି ଓ ସାନ୍ତ୍ୱନାର ଯେଉଁ ଶୀତଳ ବାରି ସିଞ୍ଚନ କରିଛି, ଜୀର୍ଣ୍ଣପ୍ରାଣରେ ଯେଉଁ ସ୍ଫୂର୍ତ୍ତି, ସହିବାର ଯେଉଁ ଶକ୍ତି ଆଣି ଦେଇଛି, କବି ତାକୁ ରୂପ ଦେବାକୁ ଭାଷା ପାଇନାହାନ୍ତି ।

 

ଲକ୍ଷ୍ମୀକାନ୍ତ ନନ୍ଦକିଶୋରଙ୍କ ପରି ଚିରପରିଚିତ ପଲ୍ଲୀ ପ୍ରକୃତିର କେବଳ ପ୍ରତ୍ୟକ୍ଷ ବର୍ଣ୍ଣନା ଦେଇନାହାନ୍ତି, ସେ ଶିଶୁପ୍ରାଣର ସମସ୍ତ ଆବେଗ ଓ ସରଳତା ନେଇ ପ୍ରକୃତି ସହିତ ନିଜକୁ ଜଣେ କରି ନେଇଛନ୍ତି, ପ୍ରକୃତି ସହ କଥା କହିଛନ୍ତି, ପ୍ରକୃତିକୁ ସେ କ୍ରୀଡ଼ାସାଥୀ କରି ନେଇଛନ୍ତି । ପ୍ରକୃତ ମଧ୍ୟ ବିଭିନ୍ନ ଋତୁରେ ବିଚିତ୍ର ସୁଷମା ସମ୍ଭାର ନେଇ ତାଙ୍କର ଶିଶୁ-ପ୍ରାଣକୁ ଉତ୍ସବମୟ କରିଛି ।

 

ସୁନ୍ଦର ବସ୍ତୁ ପ୍ରତି କି ଶିଶୁ, କି ବୟସ୍କ, କି କବି, କି ଭାବୁକ, ସମସ୍ତଙ୍କର ଶ୍ରଦ୍ଧା । ସମସ୍ତେ ନିଜ ନିଜର ଭାବ ଓ କଳ୍ପନା ନେଇ ସୁନ୍ଦରର ପ୍ରଶସ୍ତିଗାନ କରିଥାନ୍ତି । କବିଙ୍କର ଶିଶୁପ୍ରାଣ ସେହିପରି ସୌନ୍ଦର୍ଯ୍ୟ ଖୋଜିବୁଲିଛି ମଣି ମାଣିକ୍ୟରେ ନୁହେଁ, ଧନସମ୍ପଦରେ ନୁହେଁ–ଶଙ୍ଖଚିଲଟିଏ ଦେଖିବାରେ, ଭଦଭଦଳିଆର ପର ସାଉଣ୍ଡିବାରେ, ପୂର୍ବ ଦିଗରେ ସିନ୍ଦୂରା ଫାଟବାରେ । କବିଙ୍କ ଭାଷାରେ—‘ଯାହା ଦେହରେ ଟିକିଏ ହେଲେ ଶୋଭା ଥିଲା, ତାହା ମୋ ପକ୍ଷରେ ସ୍ୱର୍ଗସମ୍ପଦ ତୁଲ୍ୟ’ ।

 

ପୂର୍ବର ସରଳ ଉଦାର ଶିଶୁମନ ଏବର ସଙ୍କୁଚିତ ପରିଣତ ମନ ଭିତରେ ଆକାଶ ପାତାଳ ପ୍ରଭେଦ ଲକ୍ଷ୍ୟ କରି କବିପ୍ରାଣ ବାରବାର ବ୍ୟଥିତ ହୋଇ ଉଠିଛି । ରଚନାର ବିଭିନ୍ନ କ୍ଷେତ୍ରରେ ଏ ପ୍ରକାର ତୁଳନାତ୍ମକ ଚିତ୍ରରେ କବିପ୍ରାଣ ଦାର୍ଶନିକ ପରି ଗମ୍ଭୀର ହୋଇଉଠିଛି । କବି ସେ ସ୍ଥଳରେ ଉପଦେଷ୍ଟର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ଦାର୍ଶନିକ ବା ଉପଦେଷ୍ଟା ସୁଲଭ ନୀରସତା ପରିଲକ୍ଷିତ ହୁଏ ନା, ବରଂ କବିପ୍ରାଣର ଆବେଗ ଓ ଆକୃତିରେ ତାହା ସରସ ଓ ଉପଭୋଗ୍ୟ ହୋଇଛି । ଗୋଟିଏ ଦିଓଟି ଦୃଷ୍ଟାନ୍ତ ଦେଉଛି—

 

‘‘ଆମେ ସବୁ ନଈବାଲିରୁ ସାଉଣ୍ଟିଥିବା ଶାମୁକାଗୁଡ଼ିକ କାନିରେ ବାନ୍ଧି ଘରକୁ ଫେରୁ । ମନେ ମନେ ହୋଇଯାଉଁ ବଡ଼ ଲୋକ । କିନ୍ତୁ ତହିଁ ଆରଦିନ ସେ ଧନର ପତ୍ତା ନ ଥାଏ । ଏବେ କେତେ ଲୁହ ଲୁହ ବୁହାଇ ଝାଳ ନାଳ ହୋଇ ଯେଉଁ ଧନ ଅର୍ଜନ କରୁଛୁ, ଆମେ ଏହି ଶାମୁକାଠାରୁ କେତେ ତଫାତ୍‍ ?’’

 

କିମ୍ୱା, ଶୈଶବରେ ନିଜର ସରଳ ଈଶ୍ୱର ବିଶ୍ୱାସ ସମ୍ପର୍କରେ କହିବାକୁ ଯାଇ ଲେଖିଛନ୍ତି–‘‘କିନ୍ତୁ ଏବେ ସେ ବିଶ୍ୱାସ ଗଲାଣି । ସ୍ୱର୍ଗ ମୋର ହାତ ପାଖରେ ଥିଲା । ଠାକୁର ମୋର ସନ୍ନିକଟରେ ଥିଲେ । କିନ୍ତୁ ଏବେ ନାନା କୂଟତର୍କ, ମୀମାଂସା, ନ୍ୟାୟ, ସାକାର, ନିରାକାର, ପାପ, ପୁଣ୍ୟ ଇତ୍ୟାଦି ବିଷୟ ଜାଣି ମୁଁ ଦୂରକୁ ଚାଲିଗଲିଣି ।’’

 

ଗଦ୍ୟରେ କବି ରଚନା କରିଥିଲେ ମଧ୍ୟ କବିଙ୍କର ସ୍ୱକୀୟ ଅନନ୍ୟ ଆତ୍ମସ୍ପର୍ଶ, ଭାବସଂବେଗ ଓ ତନ୍ମପୁତାରେ କିପରି ରଚନା କାବ୍ୟଧର୍ମୀ ହୋଇଛି, ଗୋଟିଏ ମାତ୍ର ଦୃଷ୍ଟାନ୍ତ ଦେଉଛି—

 

‘‘ଦିନଯାକ ବୁଲି ବୁଲି ସୂର୍ଯ୍ୟଦେବଙ୍କର ମୁହଁ ଲାଲ ପଡ଼ିଯାଏ । ତା ଦେଖି ପ୍ରତୀଚୀ-ବଧୂ କେତେ ଆଦରରେ କେତେ ଶରଧାରେ ତାଙ୍କର କନକ ଜରିର ପଣତ ଦେଇ ପରିଶ୍ରାନ୍ତ ରବିର ମୁହଁ ପୋଛିପକାନ୍ତି । ’’

 

ନନ୍ଦକିଶୋରଙ୍କ ପରି କବିଙ୍କର ସ୍ମୃତିଚିତ୍ରରେ ବିବେଚନାତ୍ମକତା ପରିଲକ୍ଷିତ ହେଲେ ମଧ୍ୟ ସ୍ୱକୀୟ ନିବିଡ଼ ଅନୁଭୂତି ଓ ସଂସ୍କାର, ଭାବ ସଂବେଗର ବୈଶିଷ୍ଟ ତଥା ଆବେଗ ତନ୍ନୟତା ହେତୁ ତାଙ୍କର ଗଦ୍ୟ ରଚନା ଗୀତିକାବ୍ୟ ଧର୍ମୀ ହୋଇପଡ଼ିଛି । ଏହାକୁ ଗଦ୍ୟ-ଗୀତି ବା Lyric in Prose” କହିଲେ ବୋଧହୁଏ ଅତ୍ୟୁକ୍ତି ହେବନାହିଁ ।

 

ବେଦନାର ଶିଳ୍ପ ତଥା ରସୋତ୍ତୀର୍ଣ୍ଣ ଆଲେଖ୍ୟ ସବୁକାଳରେ ମଧୁର । ଲକ୍ଷ୍ମୀକାନ୍ତଙ୍କର ଜୀବନ ଓ ରଚନା ସତେ ଯେପରି ବେଦନାର ଏକ ରସୋତ୍ତୀର୍ଣ୍ଣ ବିଗ୍ରହ । ତାଙ୍କରି ଭାଷାରେ—

 

‘‘ସେହି ମାମୁଁଘର ରହିଛି; କିନ୍ତୁ ସେ ମାମା ନାହାନ୍ତି, ସେ ମାମୁଁ ନାହାନ୍ତି, ସେ ମାଇଁ ନାହାନ୍ତି । ତାହା ସାଙ୍ଗରେ ସୁନାର ଶିକୁଳି ଛିଣ୍ଡି ଯାଇଛି ମୋ ଅନ୍ତରର ଷଡ଼ଜ ତାରକୁ ବିକଳ ବେସୁର କରି । (ଶୈଶବସ୍ମୃତି, ପୃ,୪୭୯) । ଅଳ୍ପ କେତୋଟି ପଙ୍‍କ୍ତିରେ କବିଙ୍କର ପ୍ରାଣର ପୁଞ୍ଜିଭୂତ ବେଦନା ସତେ ଯେପରି ମୂର୍ତ୍ତିମନ୍ତ ହୋଇ ଉଠିଛି ।

 

ଲକ୍ଷ୍ମୀକାନ୍ତ ଏକ ଅଭିଶପ୍ତ ଦେବଦୂତ । ବେଦନା, କାରୁଣ୍ୟର, ମୂର୍ତ୍ତିମନ୍ତ ବିଗ୍ରହ । ଜୀବନସାରା ସେ କାନ୍ଦିଛନ୍ତି, କିନ୍ତୁ ଅଶ୍ରୁର ଅମରଗାଥା ଗାଇ ଓଡ଼ିଶାର ଦରଦୀ ପାଠକ ଅନ୍ତରରେ ଅନନ୍ତକାଳ ପାଇଁ ସେ ଶ୍ରଦ୍ଧାର ଆସନ ପାତି ନେଇଛନ୍ତି । ଜୀବନର ନିର୍ମମ ପ୍ରତିକୂଳ ପରିସ୍ଥିତି ତାଙ୍କର ଶାଶ୍ୱତୀ କବି ଦୃଷ୍ଟି ନିକଟରେ ହାରମାନିଛି । ଜୀବନ ଓ ଯୌବନ ତାଙ୍କର ଅଭିଶପ୍ତ ହେଲେ ମଧ୍ୟ ଜୀବନ ଓ ଯୌବନକୁ ସେ ତାଙ୍କର ଦିବ୍ୟଦୃଷ୍ଟିରେ ଅମୂର୍ତ୍ତ ସଙ୍ଗୀତରେ ତାନେ ତାନେ ଉପଲବ୍‍ଧ କରିଯାଇଛନ୍ତି । ଶିଶୁସୁଲଭ ଆବେଗ, କୋମଳତା, ସହଜ ବିଶ୍ୱାସ ଓ ପ୍ରକୃତିସୁଲଭ କମନୀୟତାର ଆଦର୍ଶରେ ଏଇ ଜଗତ ଓ ଜୀବନର ବନ୍ଧୁର ପଥ କିପରି ଅତିକ୍ରମ କରିବାକୁ ହେବ, ଏହି ବାଣୀର ବ୍ୟଞ୍ଜନା ରହିଛି ତାଙ୍କର ସ୍ମୃତି-ରଚନାରେ ।

 

ବାସ୍ତବିକ ରବୀନ୍ଦନାଥଙ୍କ ‘ଜୀବନ ସ୍ମୃତି’ ପରି କାନ୍ତକବିଙ୍କର ଏହି ସ୍ମୃତି ରଚନା ଓଡ଼ିଆ ସାହିତ୍ୟରେ ଏକ ସାର୍ବକାଳିକ ସମ୍ପଦ ।

Image

 

ଭଞ୍ଜଜୟନ୍ତୀ ଓ ରୀତିସାହିତ୍ୟ ଆଲୋଚନା

 

ଗତ କେତେବର୍ଷ ଧରି ଓଡ଼ିଶାର ନଗର ଓ ପୁରପଲ୍ଲୀରେ ଭଞ୍ଜଜୟନ୍ତୀ ଯେପରି ଗୌରବର ସହିତ ପାଳିତ ହୋଇ ଆସୁଛି, ତାହା ଓଡ଼ିଆମାନଙ୍କ ପ୍ରାଣରେ ବହୁ ଭାବୀ ସମ୍ଭାବନାର ପଥ ଉନ୍ମୁକ୍ତ କରିଛି । ଓଡ଼ିଶାର ଅନ୍ୟାନ୍ୟ ଜାତୀୟ ପର୍ବ ପରି ଏହା ଏକପ୍ରକାର ଜାତୀୟ ଅନୁଷ୍ଠାନରେ ପରିଣତ ହୋଇଛି । ଏ ଦିଗରେ କଳିଙ୍ଗ ଭାରତୀର ଦାନ ଅନସ୍ୱୀକାର୍ଯ୍ୟ । କଳିଙ୍ଗଭାରତୀ ଓଡ଼ିଶାରେ ଏହି ଜୟନ୍ତୀର ମୂଳଦୁଆ ପକାଇ ପ୍ରତିଭାପୂଜାର ଏକ ପରମ୍ପରା ସୃଷ୍ଟି କରିଛନ୍ତି ଏବଂ ଭଞ୍ଜଜୟନ୍ତୀକୁ ଲୋକପ୍ରିୟ କରିବା ସଙ୍ଗେ ସଙ୍ଗେ ଉତ୍କଳରେ ସାରଳା, କବିସୂର୍ଯ୍ୟ, ଅଭିମନ୍ୟୁ, ଫକୀରମୋହନ ଓ ରାଧାନାଥ ପ୍ରଭୃତି ବିଭିନ୍ନ ଖ୍ୟାତନାମା କବିଙ୍କର ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ଆନୁଷ୍ଠାନିକ ଭାବରେ ପାଳନର ପ୍ରେରଣା ଦେଇଛନ୍ତି । ଏହାଦ୍ୱାରା ଭଞ୍ଜସାହିତ୍ୟ ସହିତ ବ୍ୟାପକ ଭାବରେ ରୀତିସାହିତ୍ୟର ଆଲୋଚନା ତଥା ପ୍ରଚାରର ବାଟ ଫିଟି ଯାଇଛି ଏବଂ ଭଞ୍ଜସାହିତ୍ୟ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟର ଅନୁଶୀଳନ ତଥା ଗବେଷଣାର ପଥ ଉନ୍ମୁକ୍ତ ହୋଇଛି । କହିବାକୁ ଗଲେ ଭଞ୍ଜଜୟନ୍ତୀ ସମଗ୍ର ଉତ୍କଳରେ ଏକ ସାଂସ୍କୃତିକ ଚେତନା ଆଣିଦେଇଛି । କେବଳ ଓଡ଼ିଶାରେ କାହିଁକି, ଓଡ଼ିଶା ବାହାରେ ଖଡ୍‍ଗପୁର, କଲିକତା ଓ ଯାମସେଦ୍‍ପୁର ପ୍ରଭୃତି ଶିଳ୍ପସମୃଦ୍ଧ ନଗରମାନଙ୍କର ଏହା ଗୌରବର ସହିତ ପାଳିତ ହୋଇ ଓଡ଼ିଶୀ ସାହିତ୍ୟ ଓ ସଂସ୍କୃତିରେ ମହତ୍ତ୍ୱ ସମ୍ପର୍କରେ ପ୍ରତିବେଶୀ ପ୍ରଦେଶର ଲୋକମାନଙ୍କର ସଶ୍ରଦ୍ଧ ଦୃଷ୍ଟି ଆକର୍ଷଣ କରୁଛି ।

 

କିନ୍ତୁ ଏଇ କେତେବର୍ଷର ଭଞ୍ଜଜୟନ୍ତୀ ସମ୍ପର୍କରେ ଆଲୋଚନା କଲେ ଜଣାଯିବ ଯେ ଓଡ଼ିଶାରେ ଭଞ୍ଜ ତଥା ରୀତି ସାହିତ୍ୟ ଆଲୋଚନା ଓ ଗବେଷଣାର ଉଜ୍ୱଳ ସମ୍ଭାବନା ସତ୍ତ୍ୱେ ଏହା ସେ ଦିଗରେ ଆଦୌ ଆଗେଇ ପାରିନାହିଁ । କେବଳ ବକ୍ତୃତା ମଞ୍ଚମାନଙ୍କରେ ଭଞ୍ଜ ତଥା ରୀତି ସାହିତ୍ୟ ସମ୍ପର୍କରେ ଏଣୁ ତେଣୁ ଚାରି ପାଞ୍ଚୋଟି ଗତାନୁଗତିକ ଶିଥିଳ ମନ୍ତବ୍ୟ, ଭଞ୍ଜୀୟ ଛାନ୍ଦର ଗାନ ତଥା ତତ୍‍କାଳୀନ ଲୋକଚିତ୍ତ ରଞ୍ଜନକାରୀ ଉଦ୍ଧୃତି ଓ ଆବୃତ୍ତି ବ୍ୟତିତ ଉଚ୍ଚକୋଟୀର ନିରପେକ୍ଷ ଆଲୋଚନାର ଏକାନ୍ତ ଅଭାବ ଦେଖାଦେଇଛି । ଘଣ୍ଟା ଘଣ୍ଟା ଧରି ଉଦ୍ଧୃତିବହୁଳ କେତୋଟି ସାଧାରଣ ଜଣାଶୁଣା କଥା ଛଡ଼ା ବୈଜ୍ଞାନିକ ରୀତିରେ ଗଭୀର କଳାତ୍ମକ ଆଲୋଚନାର (aesthetic discussion) ଅଭାବ ଦେଖାଦେଇଛି । ସାହିତ୍ୟ ଆଲୋଚନା ଉପଲକ୍ଷ ମାତ୍ର ହୋଇ ସଙ୍ଗୀତ, ରୂପକ ଓ ନୃତ୍ୟ ମୁଖ୍ୟ ହୋଇ ପଡ଼ୁଛି । ଭଞ୍ଜଙ୍କର ପ୍ରତିଭାର ଉପଯୁକ୍ତ ମୂଲ୍ୟାଙ୍କନ ଅପେକ୍ଷା ଆତ୍ମପ୍ରଚାରର ମନୋବୃତ୍ତି ଅଧିକ ହେଲା ପରି ମନେହେଉଛି ।

 

ଭଞ୍ଜ ତଥା ରୀତି ସାହିତ୍ୟର ଗଭୀର ଅଧ୍ୟୟନ ଓ ନିରପେକ୍ଷ ଦୃଷ୍ଟିଭଙ୍ଗୀ ସନ୍ନଦ୍ଧ ଗଭୀର ସ୍ଥାୟୀ ଆଲୋଚନାର ପରମ୍ପରା ଏ ଯାବତ୍‍ ଫିଟିପାରି ନାହିଁ ।

 

ଏହାଛଡ଼ା ପ୍ରତିବର୍ଷର ବକ୍ତା ନିର୍ବାଚନରୁ ଜଣାଯାଏ ଯେ ପ୍ରାୟ ଅର୍ଦ୍ଧାଧିକ ବକ୍ତାଙ୍କର ଭଞ୍ଜ ତଥା ରୀତି ସାହିତ୍ୟରେ ଗଭୀର ପ୍ରବେଶ ନାହିଁ । ଭାରତୀୟ ତଥା ବିଶ୍ୱସାହିତ୍ୟର ପରିପ୍ରେକ୍ଷୀରେ ତୁଳନାତ୍ମକ ଭାବରେ ଯଥୋଚିତ ପ୍ରମାଣ ସହ ଆଲୋଚନା କରିବାର ମନୋବୃତ୍ତି, ଅଧ୍ୟୟନ ତଥା ବକ୍ତୃତା ପ୍ରସ୍ତୁତିର ପ୍ରଚେଷ୍ଟା ଅଧିକାଂଶଙ୍କର ନାହିଁ । ତା ଛଡ଼ା ବକ୍ତୃତାରେ ଅନେକତ୍ର ଅନ୍ଧ ସ୍ତାବକତା ଛଡ଼ା ନିରପେକ୍ଷ ଦୃଷ୍ଟିଭଙ୍ଗୀର ଏକାନ୍ତ ଅଭାବ ପରିଲକ୍ଷିତ ହୁଏ । ପୁଣି ବିଚ୍ଛିନ୍ନ ଭାବରେ ଭଞ୍ଜସାହିତ୍ୟର କେତୋଟି ବିଭବର ମହତ୍ତ୍ୱ ଉପରେ ଏକଦେଶଦର୍ଶୀ ଅପୂର୍ଣ୍ଣ (ଖଣ୍ଡିତ) ମନ୍ତବ୍ୟ ଦିଆଯାଇ ଭଞ୍ଜସାହିତ୍ୟର ସମଗ୍ର ସୌଷ୍ଠବ ବା କଳାଗତ ମୂଲ୍ୟାୟନ ଉପରେ ଗୁରୁତ୍ୱ ଦିଆଯାଉ ନାହିଁ ।

 

ଭଞ୍ଜଜୟନ୍ତୀ ଅନୁଷ୍ଠାନ ସାର୍ଥକ ହେବ ଯଦି ନୃତ୍ୟ ଓ ସଙ୍ଗୀତ ଅପେକ୍ଷା ଭଞ୍ଜ ତଥା ରୀତିସାହିତ୍ୟର ବିଜ୍ଞାନସମ୍ମତ ନିରପେକ୍ଷ ଆଲୋଚନା ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ପ୍ରତିବର୍ଷ ଯେପରି ଭାବରେ କେତୋଟି ଗତାନୁଗତିକ ସ୍ତୁତିମୁଖର ଏକଦେଶଦର୍ଶୀ ମନ୍ତବ୍ୟଯୁକ୍ତ ଉଦ୍ଧୃତିବହୁଳ ବକ୍ତବ୍ୟ ପରିବେଷଣ କରାଯାଉଛି, ସେହିପରି ଚାଲିଲେ ଆମେ ଦୀର୍ଘକାଳ ଧରି ଭଞ୍ଜ ତଥା ରୀତିସାହିତ୍ୟ ଆଲୋଚନାର ବଳିଷ୍ଠ ପରମ୍ପରା ସୃଷ୍ଟିକରି ପାରିବା ନାହିଁ । ଆମର ଆଲୋଚନା କେବଳ ସ୍ଥାନୀୟ ଅନୁଷ୍ଠାନ ମଧ୍ୟରେ କୂପମଣ୍ଡୂକବତ୍‍ ହୋଇରହିବ ।

 

ଆମର କବି ଓ ତାଙ୍କର ରଚନାକୁ ଭାରତ ତଥା ଭାରତ ବାହାରେ ପରିଚିତ କରିବାକୁ ହେଲେ ଆମକୁ ଭାରତୀୟ ତଥା ବିଦେଶୀ ସାହିତ୍ୟ ସହିତ ତୁଳନାତ୍ମକ ଭିତ୍ତିରେ ଆଲୋଚନା କରିବାକୁ ହେବ । ଆଲୋଚନାକ୍ଷେତ୍ରରେ ଅଯଥା ସ୍ତାବକତା ଯେପରି ସ୍ୱାଗତଯୋଗ୍ୟ ନୁହେଁ, ଅଯଥା ନିନ୍ଦା ମଧ୍ୟ ସେହିପରି ସ୍ପୃହଣୀୟ ନୁହେଁ । ପୁଣି ବକ୍ତୃତାମଞ୍ଚରେ ବିଭିନ୍ନ ବକ୍ତାଙ୍କର ଯୁକ୍ତିଯୁକ୍ତ ନିରପେକ୍ଷ ମନ୍ତବ୍ୟ ପ୍ରତି ଉଦ୍ୟୋକ୍ତା ତଥା ଶ୍ରୋତାଙ୍କର ସହିଷ୍ଣୁତା ଏକାନ୍ତ ଆବଶ୍ୟକ ।

 

ଭଞ୍ଜ ତଥା ରୀତିସାହିତ୍ୟର ଗଭୀର ମନନଧର୍ମୀ ବିଜ୍ଞାନସମ୍ମତ ନିରପେକ୍ଷ ଆଲୋଚନା ପାଇଁ ଆମକୁ ଅଳଙ୍କାର ଓ ଛନ୍ଦଶାସ୍ତ୍ର, କାମସୂତ୍ର, ସଙ୍ଗୀତଶାସ୍ତ୍ର, ପ୍ରାଚୀନ ଓଡ଼ିଆକାବ୍ୟ ତଥା ପୌରାଣିକ ସାହିତ୍ୟ, ସଂସ୍କୃତ କାବ୍ୟ ତଥା ନାଟ୍ୟସାହିତ୍ୟ ଗଭୀର ଭାବରେ ଅଧ୍ୟୟନ କରବାକୁ ହେବ । ଏ ସମ୍ପର୍କରେ ଭାରତର ଖ୍ୟାତନାମା ପଣ୍ଡିତମାନଙ୍କର ଗବେଷଣାମୂଳକ ଗ୍ରନ୍ଥର ଅଧ୍ୟୟନ ତଥା ମନନ ଏକାନ୍ତ ଆବଶ୍ୟକ । ଏହାଦ୍ୱାରା ଆମର ଆଲୋଚକମାନଙ୍କର ଦୃଷ୍ଟିଭଙ୍ଗୀ ଗଭୀର ତଥା ପ୍ରସାରିତ ହେବ ଏବଂ ଆଲୋଚନା ଆଧୁନିକ ବିଜ୍ଞାନସମ୍ମତ ହେବା ସଙ୍ଗେ ସଙ୍ଗେ ମାନ ଉନ୍ନତ ହେବ ।

 

ତା’ଛଡ଼ା ପ୍ରାକୃତ ସାହିତ୍ୟରେ ଚରିତ ତଥା ରୀତିକାବ୍ୟର କି ସଙ୍କେତ ରହିଛି, ତାହା ଜାଣିବା ପାଇଁ ପ୍ରାକୃତ ତଥା ଅପଭ୍ରଂଶ ସାହିତ୍ୟ ଓ ତା’ର ଇତିହାସ ଅଧ୍ୟୟନ କରିବାକୁ ହେବ ଏବଂ ସମକାଳୀନ ଅନ୍ୟ ପ୍ରାଦେଶିକ ସାହିତ୍ୟର (ତେଲୁଗୁ, ମରାଠୀ, ହିନ୍ଦୀ) ରୀତିପ୍ରଧାନ ରଚନା ସମ୍ପର୍କରେ ଜ୍ଞାନ ଅର୍ଜନ କରବାକୁ ହେବ । କାବ୍ୟର ବସ୍ତୁ ଓ ବିଭାବ ତତ୍ତ୍ୱ ସମ୍ପର୍କରେ ଅବଗତ ରହି ରସ, ଧୂନି, ଉକ୍ତି, ଲକ୍ଷଣ, ଅଳଙ୍କାର, ବକ୍ରୋକ୍ତି ଓ ଔଚିତ୍ୟ ସମ୍ପର୍କରେ ଯେଉଁ ବିଭିନ୍ନ ମତବାଦ ରହିଛି, ସେଗୁଡ଼ିକ ସମ୍ପର୍କରେ ଗଭୀର ପ୍ରବେଶ ଆବଶ୍ୟକ, ପୁଣି ମଧ୍ୟଯୁଗୀୟ ସାହିତ୍ୟରେ ସେଗୁଡ଼ିକର କିପରି ସମନ୍ୱୟ ଘଟିଛି, ସେଇ ଦୃଷ୍ଟିକୋଣରୁ ଆଲୋଚନା କରିବାକୁ ହେବ ।

 

‘ରୀତି ଓ ଶୈଳୀ’ ସମ୍ୱନ୍ଧୀୟ ଆଳାଙ୍କରିକ ତଥା ଆଧୁନିକ ମତବାଦ ସମ୍ପର୍କରେ ସଚେତ ରହି ଏ ସାହିତ୍ୟର ବିଚାର କରିବାକୁ ହେବ ଏବଂ ଓଡ଼ିଶା ତଥା ଭାରତର ରୀତିକାଳସୁଲଭ ସଙ୍ଗୀତ, ନୃତ୍ୟ, ସ୍ଥାପତ୍ୟ ଓ ସାମାଜିକ ପରମ୍ପରା ପ୍ରତି ଆଲୋଚକମାନଙ୍କୁ ଧ୍ୟାନଦେବାକୁ ହେବ ।

 

ସର୍ବୋପରି ପାଶ୍ଚାତ୍ୟର ବସ୍ତୁନିଷ୍ଠ୍ୟ କାବ୍ୟ, ଅଳଙ୍କାରଶାସ୍ତ୍ର (Poetics), ସୌନ୍ଦର୍ଯ୍ୟତତ୍ତ୍ୱ (Aesthetics) ଏବଂ ସାହିତ୍ୟରେ ପ୍ରେମ ଓ ଶୃଙ୍ଗାର ପ୍ରତି ଲକ୍ଷ୍ୟ ରଖି ତୁଳନାତ୍ମକ ଭାବରେ ଭଞ୍ଜ ତଥା ରୀତିସାହିତ୍ୟର ମୂଲ୍ୟାଙ୍କନ କଲେ ରୀତିସାହିତ୍ୟ ସମାଲୋଚନାର ସୁସ୍ଥ ପରମ୍ପରା ସୃଷ୍ଟି କରିପାରିବା । ଏ ଦିଗରେ ପ୍ରତ୍ୟେକ ଜୟନ୍ତୀ ଅନୁଷ୍ଠାନ ସାହିତ୍ୟ ଏକାଡେମି, ରାଜ୍ୟ ସଂଗ୍ରହାଳୟ, ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସାହିତ୍ୟ ତଥା ଗବେଷଣା ଅନୁଷ୍ଠାନର ଗୁରୁଦାୟିତ୍ୱ ରହିଛି ।

 

କଳିଙ୍ଗଭାରତୀ ଏ ଦୀର୍ଘକାଳ ମଧ୍ୟରେ ଭଞ୍ଜପ୍ରଭା ଶୀର୍ଷକ ଏକ ଆଲୋଚନାମୂଳକ ଗ୍ରନ୍ଥର ସଂକଳନ ଏବଂ ଭଞ୍ଜ ଓ କବିସୂର୍ଯ୍ୟଙ୍କର ଅଳ୍ପ କେତୋଟି ଛାନ୍ଦ ଓ ଚମ୍ପୂର ଇଂରାଜୀ ଅନୁବାଦ ଛଡ଼ା ଭଞ୍ଜ ତଥା ରୀତିସାହିତ୍ୟର ଗବେଷଣାକ୍ଷେତ୍ରରେ ସେପରି କୌଣସି ଉଚ୍ଚାଙ୍ଗ ଗ୍ରନ୍ଥ ବା ଉଲ୍ଲେଖ ଯୋଗ୍ୟ ପରମ୍ପରା ସୃଷ୍ଟି କରିନାହାନ୍ତି । ତା ଛଡ଼ା ପ୍ରାଚୀନ ଛନ୍ଦରେ କବିତା ରଚନା କରିବାର ଯେଉଁ ପ୍ରତିଯୋଗିତା କଳିଙ୍ଗ ଭାରତୀ ତରଫରୁ ହୁଏ, ଯୁଗର ସାହିତ୍ୟିକ ପ୍ରବୃତ୍ତି ଦୃଷ୍ଟିରୁ ତା’ର ସେପରି ଆବଶ୍ୟକତା ବା ଉପଯୋଗିତା ନାହିଁ କହିଲେ ଚଳେ । ତେବେ ୧୯୬୮ ସାଲରେ କଳିଙ୍ଗଭାରତୀ ବିଚ୍ଛନ୍ଦ ବକ୍ତୃତାମାଳାର ସୂତ୍ରପାତ କରି ଭଞ୍ଜସାହିତ୍ୟ ଆଲୋଚନାରେ (ଭାରତୀୟ ସାହିତ୍ୟର ପରିପ୍ରେକ୍ଷୀରେ) ଏକ ନୂତନ ଦୃଷ୍ଟିଭଙ୍ଗୀ ତଥା କାର୍ଯ୍ୟକ୍ରମର ସୂଚନା ଦେଇଥିବାରୁ ପ୍ରଶଂସାର୍ହ । ଭଞ୍ଜ ତଥା ରୀତିସାହିତ୍ୟ ଆଲୋଚନାକୁ ଏହା ବ୍ୟାପକ ଓ ଗଭୀର କରିବାରେ ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ଆଶା କରାଯାଏ ।

 

ତା’ଛଡ଼ା କଳିଙ୍ଗଭାରତୀ ଓ ଅନ୍ୟାନ୍ୟ ଜୟନ୍ତୀ ଅନୁଷ୍ଠାନ ତରଫରୁ ‘ଭଞ୍ଜମଣ୍ଡପ’ ପାଇଁ ଯେଉଁ ଦାବୀ ତଥା ଉଦ୍ୟମ ହେଉଛି, ତାହା ଅତ୍ୟନ୍ତ ଆନନ୍ଦର ବିଷୟ । ପରିକଳ୍ପିତ ‘ଭଞ୍ଜ-ମଣ୍ଡପ’ କଲିକତାର (Chaitanya Research Institute) ପରି ଉଚ୍ଚକୋଟିର ପୁସ୍ତକାଗାର ସହ ଭଞ୍ଜଗବେଷଣା ଅନୁଷ୍ଠାନର ରୂପ ଗ୍ରହଣ କଲେ ତାହା ଆଲୋଚନା ତଥା ଗବେଷଣାକ୍ଷେତ୍ରରେ ବହୁ ଭାବୀ ସମ୍ଭାବନାର ପଥ ଉନ୍ମୁକ୍ତ କରିବ । ଭଞ୍ଜଙ୍କର କେତୋଟି ରଚନା ସହିତ ଓଡ଼ିଶାରେ ବହୁ ମଧ୍ୟଯୁଗୀୟ ରୀତିକବିଙ୍କ ରଚନା ଏ ପର୍ଯ୍ୟନ୍ତ ସଂଗୃହୀତ ଓ ମୁଦ୍ରିତ ହୋଇପାରିନାହିଁ । ତା’ ଛଡ଼ା ବିଭିନ୍ନ କବିଙ୍କ ସମ୍ପର୍କରେ ଆବଶ୍ୟକୀୟ ବହୁ ଐତିହାସିକ ନିଦର୍ଶନ ଅନାବିଷ୍କୃତ ହୋଇ ରହିଛି । ଓଡ଼ିଆ ରୀତିସାହିତ୍ୟର ଇତିହାସ, ମଧ୍ୟଯୁଗୀୟ ସମାଜ, ସଂସ୍କୃତି ଓ ଧର୍ମ ସମ୍ପର୍କରେ ଉଚ୍ଚାଙ୍ଗ ଗବେଷଣାମୂଳକ ଗ୍ରନ୍ଥର ସଂକଳନ ପାଇଁ ଏ ପ୍ରକାର ଗବେଷଣାମୂଳକ ଅନୁଷ୍ଠାନର ଆବଶ୍ୟକତା ଅତି ଜରୁରୀ । କଳିଙ୍ଗଭାରତୀ ଓ ଅନ୍ୟ ସାହିତ୍ୟିକ ଅନୁଷ୍ଠାନମାନେ ଏହି ଆଭିମୁଖ୍ୟ ରଖି ଏ ଦିଗରେ ଦ୍ରୁତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା । ତା ଛଡ଼ା ଓଡ଼ିଶାର ବିଭିନ୍ନ ସହରମାନଙ୍କରେ ଅନ୍ୟ ଖ୍ୟାତନାମା କବିଙ୍କ ନାମରେ ମଣ୍ଡପ ପ୍ରତିଷ୍ଠାର ପରିକଳ୍ପନାକୁ ଓଡ଼ିଶାର ସୁଧୀବର୍ଗ ନିଶ୍ଚୟ ସ୍ୱାଗତ କରିବେ ।

 

ଏ ସବୁ ପ୍ରତି ଦୃଷ୍ଟିରଖି ଭଞ୍ଜ ତଥା ରୀତିସାହିତ୍ୟର ଆଲୋଚନା ଓ ଗବେଷଣା ଚାଲିଲେ ଜୟନ୍ତୀ ପାଳନର ମହତ୍ତ୍ୱ ବଢ଼ିବ ଏବଂ ଉଦ୍ଦେଶ୍ୟ ସାର୍ଥକ ହେବ; ନ ହେଲେ ‘ବହ୍ୱାରମ୍ଭେ ଲଘୁକ୍ରିୟା’ ହିଁ କେବଳ ସାର ହେଉଥିବ ।

Image